Unknown

 

 

 

 

 

 

 

 

 

 

ନଅଟା ନରଖାଦକ ଓ ଏକ ପାଗଳହାତୀ

ମୂଳ ରଚନା: କେନେଥ୍ ଆଣ୍ଡରସନ୍

ଅନୁବାଦ: ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ

 

ଉତ୍ସର୍ଗ

 

ଦୀର୍ଘ ପଚିଶ ବର୍ଷ ଧରି ଦକ୍ଷିଣଭାରତର ଘଞ୍ଚ ଅରଣ୍ୟର ହାତୀ, ବାଘ, ଚିତା ଓ ପଶୁପକ୍ଷୀଙ୍କର ସ୍ମୃତି; ସେ ଅଞ୍ଚଳର ଚେଁସୁ, ଶୋଲାଗା, କାରୁଂବା ଓ ପୂଜାରୀ ଆଦି ପାହାଡ଼ୀ ଅଧିବାସୀମାନଙ୍କ ଆତିଥ୍ୟ ମୋତେ ଯେଉଁ ଅବିମିଶ୍ର ବିମଳ ଆନନ୍ଦ ଦେଇଆସିଚି, ସେଇ ଲକ୍ଷ୍ୟରେ ମୁଁ କୃତଜ୍ଞତା ଓ ଗର୍ବର ସହିତ ଏ ବହିଟି ଉତ୍ସର୍ଗ କରୁଛି ।

 

କେନେଥ୍ ଆଣ୍ଡରସନ୍

Image

 

କେନେଥ୍ ଆଣ୍ଡରସନ୍

 

ଜନ୍ମ ୧୯୧୦, ଭାରତରେ, ହାଇଦ୍ରାବାଦ ନିକଟରେ । ପିତା ତାଙ୍କର ଥିଲେ ଜଣେ ସ୍କଟଲାଣ୍ଡବାସୀ । ଆଣ୍ଡରସନ୍‌ଙ୍କ ପୂର୍ବ ଛ’ଟି ବଂଶଧର ଭାରତରେ କାମ କରି ଆସିଥିଲେ ।

 

ତାଙ୍କ ପିତା ମିଲିଟାରୀ ଫାଇନାନ୍‌ସରେ ସୁପରିଂଟେଣ୍ଡେଣ୍ଟ୍ ଥିଲେ । ଆଣ୍ଡରସନ୍ ହାଇଦାରବାଦରେ ପଢ଼ାଶୁଣା କରିଥିଲେ ।

 

ସେ ଆଶ୍ଚର୍ଯ୍ୟଜନକ ଭାବରେ ଅରଣ୍ୟକୁ ଭଲ ପାଉଥିଲେ । ସେତେବେଳେ ଦକ୍ଷିଣ–ଭାରତରେ ବାଘ, ଚିତା, ପାଗଳା ହାତୀଙ୍କ ପ୍ରକୋପ ଥିଲା ଭୀଷଣ । ବିଚରା ଗ୍ରାମବାସୀଏ କିଂକର୍ତ୍ତବ୍ୟବିମୂଢ଼ ହୋଇ ଯାଇଥିଲେ...ସେମାନଙ୍କ ଶୈତାନି ଯୋଗୁଁ । ଆଣ୍ଡରସନ୍ ସେଇ ସରଳଲୋକଙ୍କୁ ରକ୍ଷାକରୁଥିଲେ ଏଇ ବନ୍ୟଜନ୍ତୁଙ୍କ ଦାଉରୁ । ବନ୍ୟ ଜୀବଜନ୍ତୁଙ୍କ ଗତିବିଧି ଏବଂ ଆଚରଣ ସଂବନ୍ଧରେ ଆଣ୍ଡରସନ୍‌ଙ୍କର ବିପୁଳ ଅଭିଜ୍ଞତା ଓ ଜ୍ଞାନ ଥିଲା । ଗତ ୧୯୭୪ ରେ କର୍କଟ ରୋଗରେ ଲେଖକଙ୍କର ମୃତ୍ୟୁ ଘଟେ ।

Image

 

ପରିଚୟୋକ୍ତି

 

ବାଘ ମଣିଷଖିଆ ହେବା ଗୋଟିଏ ସ୍ଵାଭାବିକ ଅବସ୍ଥା ନୁହେଁ, ବରଂ ଏହା ଏକ ଅସ୍ଵାଭାବିକ ଅବସ୍ଥା । ଭାରତୀୟ ବନାନୀର ରାଜା ହେଉଚି ବାଘ । କହିବାକୁ ଗଲେ, ବାଘ ଖୁବ୍ ଭଦ୍ର ଓ ଉଦାର ପ୍ରକୃତିର । ସେ ପଶୁ ମାରେ । ମାତ୍ର ଏ ପଶୁ ଶିକାରଟା କେବଳ ଖାଦ୍ୟ ପାଇଁ । ଏ ଶିକାର ମଧ୍ୟ ବଣୁଆ ପଶୁ ମଧ୍ୟରେ ଆବଦ୍ଧ ଥାଏ । ବେଳେବେଳେ ସଂରକ୍ଷିତ ବଣ ଭିତରେ ଗାଈ ଗୋରୁଙ୍କୁ ମଧ୍ୟ ସେ ମାରିଥାଏ । କିନ୍ତୁ ଯାଚ୍ଛାତା ଭାବରେ ସେ ଶିକାର କରେନି । ଏହାଇ ସ୍ଵାଭାବିକ ଅବସ୍ଥାରେ ବଣ ରାଜା ବାଘର କଥା ।

 

ବେଳେ ବେଳେ ବାଘୁଣୀ ତା’ ପିଲାମାନଙ୍କୁ ଶିକାର ଶିଖାଏ । ବାଘ କେମିତି ଶିକାରର ବେକ ଷଣ୍ଡା ଭାଙ୍ଗି ଶିକାର କରିଥାଏ, ବାଘପିଲା ଅଳ୍ପ ବୟସରୁ ଜାଣିବା ଦରକାର । ସେମିତି ଅବସ୍ଥାରେ ଦୁଇତିନୋଟି ଗାଈ ମରନ୍ତି । ବାଘ ଶିଶୁଂକ ତାଲିମ୍‌ପାଇଁ କେବେ କେବେ ଏ ଘଟଣା ଘଟିଥାଏ । ମାତ୍ର ଖାଲି ଆନନ୍ଦପାଇଁ, ମଜାପାଇଁ ବାଘ ତିନିଚାରି ପଶୁ ମାରିବା ଜଣାନାଇଁ । ବାଘୁଣୀର ସାଧାରଣତଃ ଦୁଇଟି ପିଲା ଥାଆନ୍ତି । ଅବଶ୍ୟ ମୁଁ ଚାରୋଟି ବାଘଛୁଆ ଥିବା ବି ଦେଖିଚି-। ଲୋକେ କହନ୍ତି ଛୁଆ ଜନ୍ମ ହେବା ପରେ ବାଘ ଅର୍ଦ୍ଧ ସଂଖ୍ୟକ ଛୁଆକୁ ଖାଇପକାଏ । ଏହାର ସତ୍ୟତା ପ୍ରମାଣସାପେକ୍ଷ ।

 

ବାଘ ଶିକାରର ବେକ ଭାଙ୍ଗି ମାରିଥାଏ । ଅନ୍ୟ ପକ୍ଷରେ ଚିତାବାଘ ଗଳାଚିପି ମାରେ । ଏ ସମ୍ପର୍କରେ ଶିକାରୀମାନଙ୍କ ମଧ୍ୟରେ ଭିନ୍ନଭିନ୍ନ ମତ ଶୁଣାଯାଏ । ଅସଲ କଥା ହେଉଛି, ବାଘ ଶିକାର କଲାବେଳେ ପଶୁ ଉପରକୁ ଚଢ଼ିଯାଏ । ଶିକାରର କାନ୍ଧଉପରେ ନିଜର ଗୋଟିଏ ପଞ୍ଝା ଦାବିଧରେ । ଶିକାରର ଉପର ପାଖରୁ ହେଉ ବା ତଳ ପାଖରୁ ହେଉ ଗଳାକୁ ଧରେ । ଶିକାରର ମୁଣ୍ଡଟାକୁ ତଳକୁ ଦାବିଦିଏ । ବାଘ ଯେତେବେଳେ ଜୀବଟିକୁ ମାଡ଼ିବସିଥାଏ, ତା’ ପଞ୍ଝାଟା ଲିଭର୍‌ର କାମ କରେ । ତେଣୁ ବାଘର ଓଜନରେଇ ଜନ୍ତୁର ବେକ ଭାଙ୍ଗିଯାଏ, ତାର ଭାଙ୍ଗିବା ଦରକାର ହୁଏନି । ମୋ’ର ବ୍ୟକ୍ତିଗତ ମତ ହେଉଚି, ବାଘ ପଶୁର ବେକ ମୋଡ଼ିଥାଏ । ବାଘ ତା’ ପାଟିକି ଖୁବ୍ ବଡ଼ କରି ଖୋଲିପାରେ । ବେଳେ ବେଳେ ପଶୁକୁ ବେକର ଉପରପାଖରୁ ବାଘ ଧରିଚି କି ତଳପାଖକୁ ଧରିଚି, ଜାଣିବା ସହଜ ହୁଏନି । ବାଘର ଦାନ୍ତଚିହ୍ନ ଏମିତି ଭାବରେ ପଡ଼ିଥାଏ ଯେ, ଉଭୟ ପାଖରୁ ଧରିବା ସମ୍ଭବପର ବୋଲି ମନେହେବ ।

 

ଚିତା ବାଘ ବା ପେଣ୍ଡେରା ଏକା ଜାତିର । ଗାଁ ପାଖରେ ଯେଉଁ ଚିତା ରହେ, ସେ ଛେଳି କୁକୁର ମାରେ; ଏମିତିକି ମୂଷା ଓ ଘରର କୁକୁଡ଼ା, ହଂସ ଖାଏ । ଛୋଟ ଆକାରର ଶିକାରର ଗଳା ଚିପି ସେ ମାରିଥାଏ । ଜଙ୍ଗଲରେ ବଡ଼ବଡ଼ ଚିତା ଦେଖାଯାଆନ୍ତି । ବାଘ ଜନ୍ତୁ ମାରିଲା ପରି ଏମାନେ ଶିକାରର ବେକ ଭାଙ୍ଗି ଦିଅନ୍ତି । ସେଥିପାଇଁ ଏମାନଙ୍କୁ ବେଳେ ବେଳେ ବାଘବୋଲି ଭ୍ରମକରାଯାଏ । ଚିତାବାଘ ବାଘଠାରୁ ଛୋଟ । ବାଘଠାରୁ ଅଳ୍ପ ଶକ୍ତିବିଶିଷ୍ଟ । ମାତ୍ର ଭାରତୀୟ ଉପମହାଦେଶ, ଏସିଆ ଓ ଆଫ୍ରିକା ଜଙ୍ଗଲର ଚିତା ଗୋଟିଏ ସୁନ୍ଦର ଜୀବ–ଜଙ୍ଗଲର ଗର୍ବ ।

 

ଏ ଦୁଇଜାତି ମଣିଷଖିଆ ହେବାରେ ମଣିଷ ହିଁ ଦାୟୀ, ମଣିଷର ଅବିମୃଷ୍ୟକାରିତା ଦାୟୀ । କୋଉ ବାଘ ବା ଚିତା ବନ୍ଧୁକମାଡ଼ ଖାଇଲା, ଖଣ୍ଡିଆ ହେଲା । ମଲାନି । ପରେ ସେ ଭଲହେଲା । ମାତ୍ର ପଙ୍ଗୁ ହେଲା । ବଣର ଜୀବଜନ୍ତୁ ଏମିତିକି ଗାଈ ଗୋରୁଙ୍କୁ ଶିକାର କରିପାରିଲାନି । ଘଟଣାର ପ୍ରଭାବରେ ବାଧ୍ୟହୋଇ ସେ ମଣିଷ ଆଡ଼କୁ ଆଖି ଫେରାଇଲା । ଜୀବମାନଙ୍କ ମଧ୍ୟରେ ଖୁବ୍ ଦୁର୍ବଳ ଏଇ ମଣିଷ । ଅସ୍ତ୍ର ଶସ୍ତ୍ର ନଥିଲେ ମଣିଷକୁ ଆକ୍ରମଣ କରିବା ଓ ତାକୁ ମାରିବା ଖୁବ୍ ସହଜ । ଏଇ ପ୍ରକାରର ଶିକାର ଅକ୍ଷମତା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବି ଘଟିପାରେ । ହୁଏତ ଝିଙ୍କର କାଠି ବାଘର ପଞ୍ଝାରେ ଗଳିଗଲା । ବାଘ ଜନ୍ତୁ ଶିକାର କରିପାରିଲାନି–ମଣିଷଖିଆ ହେଇଗଲା । ବେଳେବେଳେ ବାଘୁଣୀ ମଣିଷଖିଆ ହେଲା ତାର ତା’ଛୁଆ ବି ସେଇ ଗୁଣ ନେଲେ । ଥରେ ଥରେ ସଂକ୍ରାମକ ରୋଗ ହୁଏ । ଲୋକେ ବଣ ଜଙ୍ଗଲରେ ଶବ ଫିଙ୍ଗିଦିଅନ୍ତି । ଚିତା ସେ ଶବ ଖାଏ । ମଣିଷ ମାଂସ ପ୍ରତି ତା’ର ଗୋଟାଏ ଆକର୍ଷଣ ଆସିଯାଏ । ସେ ମଣିଷଖିଆ ହୋଇଯାଏ । ବେଳେବେଳେ ଏ ସବୁରୁ କୌଣସି କାରଣ ନଥାଇ ମଧ୍ୟ ନରଖାଦକ ହୋଇଥିବା ଜଣାଯାଇଚି; କିନ୍ତୁ ସେ ପ୍ରକାର କରଣ ଖୁବ୍ ବିରଳ ।

 

ବାଘ ହେଉ କି ଚିତା ହେଉ, ମଣିଷଖିଆ ହେଲା ତ ସେ ଅଞ୍ଚଳ ପ୍ରତି ଅଭିଶାପ ବର୍ଷିଲା-। ପାଖଆଖ ଗାଁରେ ଭୟର ବାତାବରଣ ଘେରିଯାଏ । ଗାଁ ଲୋକ ତ ନିରସ୍ତ୍ର–ସେମାନେ କପାଳକୁ ଆଦରି ନିଅନ୍ତି । ବାଘ ହେଲେ ଦିନରେ ଓ ରାତିରେ ଲୋକଙ୍କୁ ଖାଏ । ଚିତା ହେଲେ, ରାତିରେ ମଣିଷ ମାରି ଚାଲେ । ବାଘ ପକ୍ଷରେ ଏ ମାରିବାଟା ପାଳି ଅନୁସାରେ ଘଟେ । ଏମିତି ମୃତ୍ୟୁସଂଖ୍ୟା ବଢ଼ି ଚାଲେ, ଆଉ ଗାଁରେ ବଢ଼ି ଚାଲେ ଅନ୍ଧବିଶ୍ୱାସ, ଭୀରୁତା । ଲୋକେ ଏକତାବଦ୍ଧ ହୁଅନ୍ତିନି । ଏଇ ଶତ୍ରୁ ବିରୁଦ୍ଧରେ କୌଣସି ସମ୍ମିଳିତ ଯୋଜନା କରନ୍ତିନି । କରିବାକୁ ଡରନ୍ତି । ରାସ୍ତାଘାଟ ପଡ଼ିଯାଏ । ଗାଁରୁ ଗାଁକୁ ଯିବାଆସିବା ପ୍ରାୟ ବନ୍ଦହୋଇଯାଏ । ଜଙ୍ଗଲର କାମଦାମ ବନ୍ଦ-। କାଠକଟା, ଗାଈ ଗୋରୁ ଜଙ୍ଗଲରେ ଚରାଇଯିବା ବନ୍ଦ । ବେଳେବେଳେ ସାରା ଗାଁ ନିରାପଦ ଜାଗା ଦେଖି ଚାଲିଯାନ୍ତି । ସବୁଠୁ ବେଶୀ ଅସୁବିଧା ପହଞ୍ଚେ, ଯଦି କେହି ବାଘକୁ ମାରିବାକୁ ଚେଷ୍ଟାକରେ-। ଲୋକେ ତାଙ୍କ ସହିତ ସଂପୂର୍ଣ୍ଣ ଅସହଯୋଗ କରନ୍ତି । ସେମାନେ ଡରନ୍ତି, କାଳେ ସେ ବାଘଟା ସହଯୋଗ କରୁଥିବା ଲୋକଙ୍କୁ ଚିହ୍ନି ପକାଏ, ବାଛି ବାଛି ସେଇ ଲୋକମାନଙ୍କୁ ମାରିଦିଏ । ଏଇ ଅନ୍ଧବିଶ୍ୱାସ ସେମାନଙ୍କୁ ବିବଶ କରିପକାଏ । ତେଣୁ ସହଯୋଗ ମିଳେନି ।

 

ହାତୀ ବେଳେ ବେଳେ ପାଗଳ ବା ଶୈତାନ ପାଲଟେ । ସବୁ ହାତୀ ବର୍ଷରେ ପ୍ରାୟ ନବେ ଦିନ ଯାଏ ଏଭଳି ଅବସ୍ଥାର ଅଧୀନ ହୁଅନ୍ତି । ହାତୀର ଆଖି ତଳୁ ଏକ ପ୍ରକାର ରସ ନିର୍ଗତ ହୁଏ । ଏ ସମୟରେ ହାତୀ ଖୁବ୍ ରାଗେ । ମନୁଷ୍ୟ ଦେଖିଲେ ଆକ୍ରମଣ କରେ । ସେ ବିପଦର କେନ୍ଦ୍ର ହେଇଯାଏ । ମାତ୍ର ପରେ ଏ ଅବସ୍ଥା ପାରହୋଇଯାଏ, ହାତୀ ଆଗପରି ନିରାପଦ ହେଇଯାଏ । ଥରେ ଥରେ ତରୁଣ ହାତୀଟାଏ ଦଳମଧ୍ୟର କୋଉ ହାତୁଣୀ ପାଇଁ ପାଗଳ ହୁଏ । ଦଳର ଆଉ ହାତୀମାନେ ଏ ନୂଆହାତୀକି ସହିପାରନ୍ତିନି । ସେମାନେ ତାକୁ ମାରି ଗୋଡ଼ାନ୍ତି । ସେଇଠୁ ସେ ରାଗେ । ସେ ଦଳରୁ ବାହାରି ଆସେ–ଯାହାକୁ ଦେଖେ ତା’ଉପରେ ଦାଉ ସାଧେ । ମଣିଷ ଉପରେ ଆକ୍ରମଣ କରିବା ଖୁବ୍ ସହଜ, ତେଣୁ ସେ ହାତୀ ମଣିଷମାନଙ୍କ ଉପରେ ଆକ୍ରମଣ ଚଳାଏ ।

 

ଏଥିରୁ କେହି ଭାବନ୍ତୁନି ଯେ ଭାରତର ବନଭୂମି ଖାଲି ମଣିଷଖିଆ ବାଘ, ଚିତା ଓ ପାଗଳା ହାତୀରେ ଭରା । ସାଧାରଣତଃ ଜଙ୍ଗଲରେ ଏମାନେ ସ୍ୱାଭାବିକ ଅବସ୍ଥାରେ ଥାଆନ୍ତି ।

 

ସହରର କୌଣସି ଜନଗହଳ ରାସ୍ତାଠାରୁ ଜଙ୍ଗଲ ଅଧିକ ନିରାପଦ । ସହରରେ ଯେ କୌଣସି ମୁହୂର୍ତ୍ତରେ ଗାଡ଼ି ମୋଟରର ଦୁର୍ଘଟଣା ଘଟିପାରେ । ବଣରେ ସେ ଭୟ ନଥାଏ, ଯେଝା ରାସ୍ତାରେ ସେ ଯାଆନ୍ତି । ଅଧିକନ୍ତୁ ବନଭୂମିର ପ୍ରାକୃତିକ ଶୋଭା ଜାତିଜାତିକା ପୁଷ୍ପର ବର୍ଣ୍ଣବୈଭବ, କୀଟ ପତଙ୍ଗ, ପଶୁପକ୍ଷୀଙ୍କ ଲୀଳା, ଉଷାର ବର୍ଣ୍ଣାଢ଼୍ୟତା, ଲାଲ ସୂର୍ଯ୍ୟାସ୍ତ, ରାତ୍ରିରଚନ୍ଦ୍ରିକା ବିଳାସ, ବଂଶବନରେ ପବନର ସନ ସନ ସ୍ୱର, ଅନ୍ଧାର ରାତ୍ରିର ରହସ୍ୟଭରା ପରିବେଶ, ଅସୁମାର ତାରକାଖଚିତ ନୀଳ ଆକାଶ, ସର୍ବୋପରି ଅରଣ୍ୟ ପରିବେଶରେ ବିଜନ ପ୍ରଶାନ୍ତି ମଣିଷକୁ ପ୍ରକୃତି ଓ ଭଗବାନଙ୍କର ନିକଟତର କରିଥାଏ । ଭାବାନ୍ତର ସୃଷ୍ଟି ହୁଏ । ଆପେ ମସ୍ତକ ଅବନତ ହୁଏ । ସେ ସବୁ ଘରେ ମିଳେନି । ଘରର ଦୃଢ଼ ବନ୍ଧନ ତାକୁ ବାନ୍ଧିରଖେ । ଅରଣ୍ୟର ସଂସ୍ପର୍ଶରେ ଏ ବନ୍ଧନ ଶିଥିଳ ହୋଇଯାଏ ।

 

କ୍ଷମାକରିବେ, ଏ ବହିରେ ଘଟଣାଗୁଡ଼ିକ ବର୍ଣ୍ଣନା କଲାବେଳେ, ମୁଁ ଅନେକ ସ୍ଥଳରେ ଭୌଗୋଳିକ ବର୍ଣ୍ଣନା ଦେଇଚି, ପ୍ରକୃତିର ବିଶଦ ଚିତ୍ର ଦେଇଛି, ଏପରିକି କେତେକ କ୍ଷେତ୍ରରେ ପଶୁପକ୍ଷୀମାନଙ୍କ ଡାକର ଅନୁକରଣ କରିଚି । ଅଧିକାଂଶ ପାଠକ ଏ ଦେଶର ଗୌରବମୟ ଅରଣ୍ୟ ପ୍ରକୃତିର ସମ୍ପର୍କରେ ଆସିଥିବେ । ସେମାନେ ଅନୁଭବ କରିଥିବେ, ଏଇ ପ୍ରକୃତିଠୁ ଦୂରେଇ ଯିବାରେ କେତେ କଷ୍ଟ । ସେଇ ବିଚ୍ଛେଦକୁ ମୋ’ର ଖୁବ୍ ଡର ।

 

ଶେଷରେ, ମୋ’ ସ୍ଵର୍ଗତ ପିତାଙ୍କ ନିକଟରେ ଗଭୀର କୃତଜ୍ଞତା ଜଣାଉଚି । ସେ ନିଜେ ଅରଣ୍ୟପ୍ରେମୀ ନଥିଲେ । ମୋତେ ମାତ୍ର ସାତବର୍ଷରୁ ବନ୍ଧୁକ ଧରାଇ ଗୁଳି ଚଳାଇବା ସେ ଶିଖାଇଥିଲେ । ହରଡ଼ ଚଢ଼େଇ, ବତକ ଏବଂ ଛୋଟ ଛୋଟ ପକ୍ଷୀ ଶିକାର କରିବାରେ ସେ ଆନନ୍ଦ ପାଉଥିଲେ । ମୁଁ ବାଇରାକୁ ଧନ୍ୟ ଧନ୍ୟ କହୁଚି । ବାଇରାକୁ ମୁଁ ଆବିଷ୍କାର କରିଥିଲି ଚିନାର ନଦୀ କୂଳରେ । ସେ ନଦୀଟା ସାଲେମ୍‍ ଜିଲାରେ । ସେ ଥିଲା ଜଣେ ପାହାଡ଼ିଆ ପୂଜାରୀ । ସେ ମୋତେ ଜଙ୍ଗଲ ବିଷୟରେ, ଜଙ୍ଗଲର ଫୁଲ ଫଳ ସମ୍ପର୍କରେ ଅନେକ କଥା ଶିଖାଇଚି, ଅନେକ କଥା କହିଚି-। ଆଜି ଜଙ୍ଗଲ ବିଷୟରେ ମୋ’ର ଯେତେ ଜ୍ଞାନ ସେ ସବୁର ମୁଳରେ ଅଛି ବାଇରା । ବାଇରାକୁ ମୁଁ ଦେଖିଥିଲି ପଚିଶବର୍ଷ ତଳେ । ସେ ଦିନୁ ସେ ମୋ’ର ବନ୍ଧୁ ଓ ସହଚର । ତା’ ଯୋଗୁଁ ମୁଁ ଅରଣ୍ୟକୁ ଏତେ ଶ୍ରଦ୍ଧାକରେ । ମୁଁ ରଙ୍ଗା ପାଖରେ କୃତଜ୍ଞ । ରଙ୍ଗା ମୋ’ର ଶିକାର ସାଥୀ । ସେ ବି ସାଲେମ୍ ଜିଲ୍ଲାର । ଅନେକ ଶିକାର କ୍ଷେତ୍ରରେ ସେ ମୋ’ ସହିତ ଯାଇଚି । ମୋ’ର ଯତ୍ନ ନେଇଚି । ମୋ’ତେ ବାଟ ବତେଇଚି । ମୋତେ ସାହାଯ୍ୟ କରିଚି । ସେ ଖୁବ୍ ବିଶ୍ଵସ୍ତ, ଖୁବ୍ ନିର୍ଭୀକ-। ବିପଦ ଆଗରେ ସେ ପଛଘୁଞ୍ଚା ଦିଏନି । ବିପଦକୁ ଦୃଢ଼ଭାବରେ ମୁକାବିଲା କରେ । ଆଉ ସୌରୀ–ସେ ରଙ୍ଗାର ସାଙ୍ଗ । ଶିକାର କରିବାରେ ସେ ରଙ୍ଗାର ସମକକ୍ଷ । ମୋ’ର ଶିକାର ବନ୍ଧୁ ଡିକ୍‌ବାର୍ଡ଼, ପାଟ୍ ଓ ୱାଟ୍‌‍ସନ୍ ପ୍ରଭୃତିଙ୍କୁ ମୁଁ ସ୍ମରଣ କରୁଚି । ଏ ଦିହେଁ ମୋ’ଠୁଁ ଅଧିକସଂଖ୍ୟାର ବାଘ ମାରିଚନ୍ତି । ସେମାନେ ମୋତେ ବାଲ୍ୟକାଳରେ ଅନେକ କଥା ଶିଖାଇଛନ୍ତି । ଏ ଅବସରରେ ମୁଁ ସେ ସମସ୍ତଙ୍କ ସ୍ମୃତିଚାରଣ କରୁଛି ।

 

କେନେଥ୍ ଆଣ୍ଡରସନ୍

Image

 

ସୂଚୀପତ୍ର

 

୧.

ଜ୍ଜାଳାଗିରିର ନରଖାଦକ

୨.

ଗୁମାଲାପୁରର ଦୁଷ୍ଟ ଚିତା

୩.

ଚମଲା ଉପତ୍ୟକାର ଶତ୍ରୁ

୪.

ହୋସଦୁର୍ଗା ହୋଲାଲକେରେର ନରଖାଦକ

୫.

ପାନାପତ୍ତିର ପାଗଳ ହାତୀ

୬.

ସେଗୁର୍‌ର ମଣିଷ ମାରୁ

୭.

ୟେମ୍ମାୟଦୋଦ୍‌ଦିର ନରଭୋଜୀ

୮.

ଜଲାହାଲ୍ଲିର ହତ୍ୟାକାରୀ

୯.

ଦେବରାୟଣ ଦୁର୍ଗର ତପସ୍ୱୀ

୧୦.

ବାଇରା ପୂଜାରୀ

୧୧.

ତାଗାର୍ଥୀର ବାଘ

Image

 

ଜ୍ଵାଳାଗିରିର ନରଖାଦକ

 

ଯେଉଁମାନେ ଗ୍ରୀଷ୍ମମଣ୍ଡଳର ଅରଣ୍ୟକୁ ଯାଇଛନ୍ତି, ସେଠି ସେମାନେ ଚନ୍ଦ୍ରକିରଣର ଶୋଭା ନିଶ୍ଚୟ ଦେଖିଥିବେ । ଚନ୍ଦ୍ରିକା ଉପତ୍ୟକା ଓ ପାହାଡ଼ ଉପରେ ଝରିଯାଏ । ଜଙ୍ଗଲର ପ୍ରତି ଘାସ, ଗଛର ପତ୍ର ଫିଟି ଦିଶେ । ପାହାଡ଼ର ଉପତ୍ୟକା ତଳେ ଚନ୍ଦ୍ରକିରଣ ପହଞ୍ଚି ପାରେନି । ସେ ଅନ୍ଧକାର ଆହୁରି ରହସ୍ୟଘେରା । ହୁଏଇ ସେଇ ଅନ୍ଧାର ତଳେ ଗୋଟାଏ ଶିକାରୀ ଜନ୍ତୁ ଛପିରହିଚି, ଲୁଚିରହିଚି ସାପଟାଏ । ଲୁଚି ରହିଚି ଗୋଟିଏ ହରିଣ । ସେ ସମସ୍ତେ ଆପଣା ଖାଦ୍ୟ ପାଇଁ ଅପେକ୍ଷା କରୁଛନ୍ତି ।

 

ଜ୍ଵାଳାଗିରି ଅରଣ୍ୟରେ ସବୁ ଶାନ୍ତ ଜଣାପଡ଼ୁଥିଲା । ତଥାପି ସବୁଠି ଭୟ ଓ ଆଶଙ୍କା ଥିଲା । ହତ୍ୟାର ଏକ ଯୋଜନା ଚାଲିଥିଲା । ସେମାନେ ଥିଲେ ତିନି ଜଣ ଶିକାରୀ । ଦୁଇଟା ପୁରୁଣାକାଳିଆ ବନ୍ଧୁକୁ ନେଇ ସେମାନେ ଅରଣ୍ୟକୁ ଯାଉଛନ୍ତି । ସେମାନେ ମାଂସ ଲୋଡ଼ନ୍ତି । ପାଣି ଜାଗା ପାଖରେ ସେମାନେ ତିଆରି କରିଛନ୍ତି ଛକିବାର ଜାଗା । ସଞ୍ଜଠାରୁ ସେମାନେ ସେଠି ବସିଲେଣି । ସେମାନେ ଅପେକ୍ଷା କରୁଚନ୍ତି କେଉଁ ହରିଣର ଆଗମନକୁ । ହରିଣ ନିଶ୍ଚୟ ଆସିବ ତାର ଶୋଷ ମେଣ୍ଟାଇବା ପାଇଁ ।

 

ଘଣ୍ଟାପରେ ଘଣ୍ଟା ବିତିଗଲା । ଆକାଶରେ ପୂର୍ଣ୍ଣଚନ୍ଦ୍ର । ସେ ପୁଣି ମଝି ଆକାଶ ଛୁଇଁଲାଣି । ଚତୁର୍ଦ୍ଦିଗ ଉଜ୍ଜ୍ୱଳ ଆଲୋକରେ ଉଦ୍‌ଭାସିତ, ସତେ ଯେମିତି ଗୋଟାଏ ଖୋଲା ଦିନ । ହଠାତ୍ ବାଁପାଖର ଶାଗୁଆ ବୁଦା ଆଡ଼ୂଆଳରେ ଖସ୍ ଖସ୍ ଶବ୍ଦ ଶୁଭିଲା । ସେ ଶବ୍ଦ ପରେ ପରେ ଗଭୀର ପଶୁଡ଼ାକ । କ’ଣ ସେଗୁଡ଼ିକ ? ନିଃସନ୍ଦେହରେ ବାର ହାପଲ । ଆଃ, ଆହାର ପାଇଁ କି ଚମତ୍କାର ମାଂସ ମିଳିବ । ବିକିବାପାଇଁ ବହୁତ ମାଂସ ରହିବ । ସେ ଶିକାରୀମାନେ ଅପେକ୍ଷା କଲେ, ମାତ୍ର ସେ ପଶୁଗୁଡ଼ିକ ଦେଖାଦେଲେନି ।

 

ଏ ତିନି ଜଣଙ୍କ ମଧ୍ୟରେ ଜଣେ ଥିଲା–ମୁନିଆପ୍‌ପା । ସେ ଅଧୀର ହୋଇଗଲା । କେତେ ଅପେକ୍ଷା କରିବ ସେ ! ସେ ବନ୍ଧୁକଟାକୁ ସଜାଇ ରଖିଥାଏ । ହଠାତ୍ ଗୋଟାଏ କଳାଛାଇ ଦେଖାଗଲା । ସେ ଛାଇଟା ବେଶ୍ ବାରି ହେଇ ଦିଶିଲା । ମୁନିଆପ୍‌ପା ଗୁଳି ଛାଡ଼ିଦେଲା । ସଙ୍ଗେ ସଙ୍ଗେ ଏକ ବିକଟ ଗର୍ଜନ ଶୁଭିଲା । ବୁଦାଲତାକୁ କିଏ ଯେମିତି ଦଳିପକାଉଚି । ତା’ ପଛେ ପଛେ କେତେଟା ଉଃ ! ଉଃ ! ଡାକ ।

 

ବାର୍‌ହା ନୁହେଁ...ବାଘ ! ! ଡରିଗଲେ ଶିକାରୀ ତିନି ଜଣ । ଚୁପ୍ ଚାପ୍ ସେମାନେ ସେ ଜାଗାରୁ ଖସି ପଳେଇଲେ ଗାଁକୁ । ରାତିସାରା ସେମାନେ ଶୋଇନାହାନ୍ତି । ସେମାନେ ଅପେକ୍ଷା କରିଥାଆନ୍ତି କ’ଣ ହେଲା ଜାଣିବାକୁ ।

 

ସକାଳହେଲା । ଦେଖାଗଲା ଗୋଟାଏ ମହାବଳ ବାଘ ମରି ପଡ଼ିଛି । ଏ ଗୋଟାଏ ଯୋଗ । ନହେଲେ ବେକାଇଦା ଭାବରେ ପୁରୁଣାକାଳିଆ ବନ୍ଧୁକଟାଏ ଚଳାଇ ଏତେ ବଡ଼ ବାଘ ମାରିବା ସହଜ ନୁହେଁ । ଗୁଳିଟା ସିଧା ବାଘର ଛାତି ଫୁଟାଇ ଦେଇଥାଏ । ସେଦିନ ଏଇ ସାହସିକତା ପାଇଁ ମୁନିଅପ୍‌ପା ଓ ତା’ର ସାଙ୍ଗ ଦୁଇଜଣ ଗାଁରେ ବୀର ହୋଇ ଉଠିଲେ । ଲୋକେ ସେମାନଙ୍କ ବୀରତ୍ଵ କଥା ବହୁ ଭାବରେ କୁହାକୁହି ହେଲେ ।

 

ମାତ୍ର ପର ରାତ୍ରିକି ଘଟଣାଟା ବଦଳିଗଲା । ସଞ୍ଜ ଆସିଲା । ଅରଣ୍ୟରୁ ଭାସି ଆସିଲା ଗୋଟିଏ ବାଘୁଣୀର ଡାକ । ସେ ତା’ର ମୃତ ସାଥୀକି ଖୋଜୁଥିଲା । ସାଥୀର ବିରହରେ ସେ ଡାକରେ ଥିଲା କ୍ରୋଧ, ଥିଲା ପ୍ରତିହିଂସା । ଏ ଥିଲା ବାଘମାନଙ୍କର ସଙ୍ଗମର ଋତୁ । ବିଚାରୀ ବାଘୁଣୀ ବହୁ କଷ୍ଟରେ ତା’ ସାଙ୍ଗକୁ ପାଇଥିଲା । ମାତ୍ର ଗୋଟିଏ ରାତି ପରେ ସେ ହରାଇଲା ବାଘକୁ । ସେ ଜାଣି ପାରିଲା ମଣିଷ ତା’ ସୁଖରେ ବାଦ ସାଧିଲା ।

 

ଗୋଟାଏ ରାତି ଗଲା । ଦୁଇ ରାତି ଗଲା । ବାଘୁଣୀ ଡାକୁଚି ତା ସାଙ୍ଗକୁ । ଦିନରେ ଅରଣ୍ୟ ଥରୁଚି ତା’ ଡାକରେ । ରାତିରେ ତ ସେ ଗାଁ ପାଖରେ ଡାକୁଚି । ବଡ଼ କରୁଣ ସେ ନିବେଦନ ।

 

ଜାକ୍ ଲିଓନାଡ଼୍‌ଙ୍କ ପାଖକୁ ଜଣେ କିଏ ଚିଠି ଲେଖିଦେଲା । ସେ ଜଣେ ଯୁବକ ଶିକାରୀ-। କିଛି ଗୋଟାଏ ବଡ଼ ଶିକାର ପାଇଁ ସେ ଟାକି ବସିଥିଲେ । ସେ ଗାଁରେ ସେ ଅଷ୍ଟମ ଦିନରେ ପହଞ୍ଚିଲେ । ସଙ୍ଗେ ସଙ୍ଗେ ବାଘୁଣୀର ଗତିବିଧି ଓ ପୂର୍ବ କଥା ସଂଗ୍ରହ କଲେ । ଶିକାରୀ ଏତକ କରିବାକୁ ବାଧ୍ୟ । ବାଘୁଣୀଟି ସେ ପାଖଆଖ ସବୁଆଡ଼େ ଯାଉଥାଏ । ଲିଓନାଡ଼୍ ବି ଅନେକ ଜାଗାରେ ତା’ ପଞ୍ଝାଚିହ୍ନ ପାଇଲେ । ବନବିଭାଗ ବଙ୍ଗଳାକୁ ଯେଉଁ ଏକେଣା ବାଟଟା ଯାଇଥିଲା, ସେଠି ବି ସେ ବାଘୁଣୀର ପାଦଚିହ୍ନ ଆବିଷ୍କାର କଲେ । ଭାବିଲେ, ସେଇ ରାତିରେ ହୁଏତ ତାଙ୍କର କପାଳ ଖୋଲି ଯାଇପାରେ । ସେ ସଫଳ ହେଇ ପାରନ୍ତି ବାଘୁଣୀଟିକି ଶିକାର କରିବାରେ-

 

ସେଇ ବାଟ ପାଖରେ ଗୋଟାଏ ବଡ଼ ଉଇ ହୁଙ୍କା । ତା’ ଆଢ଼ୁଆଳରେ ରହିଲେ ଜଣେ ଭଲ ଭାବେ ଲୁଚିପାରିବ । ପାଞ୍ଚଟାବେଳୁ ସେ ସେଇଠି ଲୁଚିରହିଲେ ।

 

ମିନିଟ୍ ପରେ ମିନିଟ୍ ଗଡ଼ି ଚାଲିଲା । ହେଲା ୬ଟା ୧୫ମିନିଟ୍ । ଗୋଧୂଳି ହେଲା । ହଠାତ୍ ତାଙ୍କର ଡାହାଣ ପାଖରେ ପତ୍ରର ଖସ୍ ଖସ୍ ଶବ୍ଦ ଶୁଭିଲା । ଗଡ଼ିଗଲା ଗୋଟାଏ ପଥର । ବାଘୁଣୀ ଆସୁଚି । ଲିଓନାଡ଼୍ ଜାଗ୍ରତ ହେଇଉଠିଲେ । ସେ ଦିଗକୁ ସେ ତୀକ୍ଷଣ ଦୃଷ୍ଟିରେ ଅନାଇଁ ରହିଲେ । ଦିଶିବ କି ବାଘୁଣୀଟି ! ମାତ୍ର ସବୁ ବୃଥା । ପୁଣି ଚାଲିଗଲା କେତେ ମିନିଟ୍ । ତା’ ପରେ ସେ ତାଙ୍କ ଆଡ଼କୁ ଆସିଥିବା ରାସ୍ତାର ଧାରଆଡ଼କୁ ଚାଲିଗଲେ । ଦେଖିଲେ ବାଘୁଣୀ ତାଙ୍କ ଆଡ଼କୁ ମାଡ଼ି ଆସୁଚି । ସେ ବନ୍ଧୁକକୁ ତାଙ୍କର ବାମ କାନ୍ଧକୁ ବଦଳାଇ ନେଲେ । ଲୁଚିଥିବା ବୁଦାରୁ ନଇଁପଡ଼ି ସେ ଗୁଳି ଛାଡ଼ିଲେ । ତାଙ୍କର ଲକ୍ଷ୍ୟ ଥିଲା ବାଘୁଣୀର ଛାତି । ଟିକେ ଡାହାଣକୁ ହେଇଥିଲେ ଗୁଳିଟା ଠିକ୍ ବାଜିଥାଆନ୍ତା ତା’ ହେଲାନି ।

 

ଲିଓନାଡ଼୍‌ଙ୍କ ଗୁଳି ବାଘୁଣୀର ଡାହାଣ କାନ୍ଧ ଉପରେ ବାଜିଲା । ଭୟାନକ ଗର୍ଜନ କରି, ଗଛଲତାରେ ଛେଚି କୁଟି ହୋଇ ଜଙ୍ଗଲ ଭିତରେ ଲୁଚିଗଲା । ହତାଶ ଲିଓନାଡ଼୍‌ ସକାଳକୁ ଅପେକ୍ଷା କରି ରହିଲେ । ଭାବୁଥିଲେ ରକ୍ତ ଚିହ୍ନ ପାଇବେ–ଅନୁସରଣ କରିବେ । ଚାରିଆଡ଼େ ରକ୍ତ ଛିଟା । ମାତ୍ର ସେ ଜାଗାଥିଲା ଭୀଷଣ ଗହଳିଆ । ଅନେକ ଧୋଡ଼ା ଗହ୍ଵର ପୂର୍ଣ୍ଣ । ଖୁବ୍ ପଥୁରିଆ । ଲିଓନାଡ଼୍‌ ବିବ୍ରତ ହୋଇଗଲେ । ସେ ବାଘୁଣୀର ପତ୍ତା ପାଇପାରିଲେନି । କାରଣ ତାଙ୍କର ଖୋଜିବାରେ ଭୀଷଣ ଗୋଳମାଳ ହୋଇଗଲା ।

 

କେତେ ମାସ ପରେ–

 

ଦୃଶ୍ୟ ବଦଳିଲା ସୁଲେଙ୍କୁଟାକୁ । ସୁଲେଙ୍କୁଟା ଗୋଟିଏ ଜଙ୍ଗଲୀ ଗାଁ । ଜ୍ଵାଳାଗିରିରୁ ପ୍ରାୟ ସାତ ମାଇଲ ଦୂର । କିଲୋମିଟରରେ ପ୍ରାୟ ଏଗାର ହେବ । ସେଠି ଥାଏ ଗୋଟିଏ ଛୋଟ ମନ୍ଦିର-। ଏଠାକୁ ପାଖଆଖରୁ ଯାତ୍ରୀ ଦିଅଁ ଦର୍ଶନରେ ଆସନ୍ତି । ସେଇପରି ତିନିଜଣ ତୀର୍ଥଯାତ୍ରୀ ସେମାନେ-। ଦର୍ଶନ ସରିଲା । ଫେରୁଥାଆନ୍ତି । ସେମାନେ ଥିଲେ ବାପା, ମା, ପୁଅ । ପୁଅର ବୟସ ଷୋହଳ । ମନ୍ଦିରଠୁ ପ୍ରାୟ ପାଏ ମାଇଲ ଦୂରରେ ଗୋଟିଏ ତେନ୍ତୁଳି ଗଛ । ସେ ଗଛ ସେମାନେ ପାରିହେଲେ-। ପାଚିଲା ତେନ୍ତୁଳିରେ ଗଛଟା ଭାଙ୍ଗି ଯାଉଚି । ପୁଅର ଲୋଭ ହେଲା । କିଛିଟା ଫଳ ପାଇଁ ସେ ପଛେଇଯାଇଚି–ହଠାତ୍ ଗୋଟାଏ ଗର୍ଜନ ଶୁଣିଲେ ବାପା ମା’ । ତା’ପରେ ପରେ ଗୋଟାଏ କରୁଣ ଚିତ୍କାର । ସେମାନେ ଲେଉଟିପଡ଼ି ଚାହିଁଲେ । ବାଘ ସେମାନଙ୍କ ସ୍ନେହର ଧନ ପୁଅଟିକି ସିଧା ଟେକି ନେଇ ପଳାଉଚି । ପିଲାଟାକୁ ବାଘ ମୁହଁରେ ଧରିଚି । ସେ ବାଟ ପାଖରେ ଗୋଟାଏ ନାଳ । ସେ ଦିଗକୁ ଡେଇଁଗଲା ବାଘ । ବୁଢ଼ା ବୁଢ଼ୀ ବାଘଟା ପଛରେ ଦଉଡ଼ିଗଲେ । ସେମାନେ ବାଘକୁ ଗାଳି ଦେଲେ । ତା’ପରେ ପରେ ସେଇ ଏକମାତ୍ର ପୁଅଟିର ଦୁଇଥର କରୁଣ ଚିତ୍କାର ଶୁଣିଲେ । ତା’ପରେ ସବୁ ନୀରବ ହୋଇଗଲା । ବୁଢ଼ା ବୁଢ଼ୀ ପୁଅକୁ ଫେରି ପାଇଲେନି ।

 

ସେଇଠୁ ଚାଲିଲା ମୃତ୍ୟୁର ତାଣ୍ଡବଲୀଳା । ବିରାଟ ଅଞ୍ଚଳକୁ ଆବୃତ କରି ଏ କ୍ରିୟା ଚାଲିଲା । ଉତ୍ତରରେ–ଜ୍ଵାଳାଗିରି ଦକ୍ଷିଣରେ ଗୁଣ୍ଡାଲାମ–ପ୍ରାୟ ତିରିଶ ମାଇଲ ପରିମିତ ଜାଗା । ଏଣେ ମହୀଶୂର ସୀମାରୁ ପଶ୍ଚିମରେ ପ୍ରାୟ କୋଡ଼ିଏ ମାଇଲ ଯାଏ ବଡ଼ ରାସ୍ତା, ପୁଣି ସେଇଠୁ ଡେଙ୍କାଣିକୋଟା–ପ୍ରାୟ ପଇଁଚାଳିଶ ମାଇଲ ଲମ୍ବା । ପ୍ରାୟ ପନ୍ଦର ଜଣ ଏହାର ମୁହଁରେ ଗଲେ । ତା’ ଭିତରେ ଥିଲେ ତିନିଜଣ ଝିଅ । ସେ ତିନିଜଣଙ୍କ ଭିତରେ ଥିଲା ଜଣେ ସଦ୍ୟବିବାହିତା । ହଠାତ୍ ଏପରି ଅବସ୍ଥାରେ ହୋସୁରର ସବ୍‌କଲେକ୍ଟର ବନ୍ଧୁଙ୍କ ପାଖରୁ ଚିଠି ପାଇଲି–ଏ ଅଞ୍ଚଳର ଲୋକଙ୍କୁ ବାଘ ଦାଉରୁ ରକ୍ଷା କରିବା ଦରକାର ।

 

ସବ୍‌କଲେକ୍ଟର ବନ୍ଧୁ କହିଥିବା ଅନୁସାରେ ମୁଁ ଜ୍ୱାଳାଗିରି ଚାଲିଲି । ଶୁଣିଲି ସବୁ ଗପକୁ-। ଯୋଡ଼ା ଯୋଡ଼ି କରି ସିଦ୍ଧାନ୍ତ କଲି, ଏଇଟି ଗୋଟିଏ ବାଘୁଣୀ । ସେ ତାର ପ୍ରିୟ ବାଘଠାରୁ ବିଚ୍ଛିନ୍ନ ହୋଇପଡ଼ିଛି । ପୁଣି ଲିଓନାଡ଼୍‌ଙ୍କର ଗୁଳିରେ ସେ ଆହତ । ଜ୍ୱାଳାଗିରିରୁ ସୁଲେଙ୍କୁଟା ଚାଲିଲି-। ଭାବୁଥାଏ ବାଘୁଣୀର ସଜ ପଂଝା ଚିହ୍ନ ପାଇଯିବି; ମାତ୍ର ଭାଗ୍ୟ ମୋର ଅନୁକୂଳ ହେଲାନି-। ସେ ପାଖରେ ସେ ସମୟରେ କୌଣସି ବାଘ ମଣିଷମାରିବା ଘଟିନଥାଏ । ସେଠାରେ ଯାହା କିଛି ଚିହ୍ନ ବର୍ଣ୍ଣ ଥିଲା, ସେ ସବୁ ଗାଈ ଗୋରୁ ଯିବା ଆସିବା କରି ଲିଭାଇପକାଇଥିଲେ । ସେଇଠୁ ଗୁଣ୍ଡାଲାମ ଗଲି । ଗୁଣ୍ଡାଲାମ ଏ ଜାଗାରୁ ତେଇଶ ମାଇଲ ଦକ୍ଷିଣକୁ । ସେଇଠି ଜଗିବାକୁ ଠିକ୍ କରିଥାଏ । ଏଇ ଜାଗାରେ ବାଘର ଉତ୍‌ପାତ ବେଶି ହୋଇଥାଏ । ଚାରିମାସ ମଧ୍ୟରେ ଏଇଠୁ ବାଘ ସାତଜଣ ଗଉଡ଼ଙ୍କୁ ମାରିଥାଏ ।

 

ସବ୍‌କଲେକ୍‌ଟର ବନ୍ଧୁ ତିନିଟା ପଣ୍ଡା ମଗାଇଦେଲେ । ତିନିଟାଯାକ ବେଶ୍ ମୋଟା ସୋଟା–ଛନଛନିଆ । ଉଦ୍ଦେଶ୍ୟ, ଏଗୁଡ଼ିକୁ ବାଘର ଚରା ଭାବରେ ବନ୍ଧାଯିବ । ମୁଁ ସେ ଅନୁସାରେ ତିନିଟା ସୁବିଧା ଜାଗା ବାଛିଲି । ଗୁଣ୍ଡାଲାମ୍‌ର ସୀମାନ୍ତରେ ନଦୀକୂଳରେ ଗୋଟିଏ ବାନ୍ଧିଲି । ସେଠି ସିଗେହାଲା ବୋଲି ଉପନଦୀଟିଏ ଏ ନଦୀ ସହିତ ମିଶିଥାଏ । ଏଇ ସ୍ଥାନର ପାଖାପାଖି ବାଘୁଣୀ ବୁଲାଚଲା କରିବା ଶୁଣିଥିଲି । ଦ୍ୱିତୀୟ ପଣ୍ଡାକୁ ବାନ୍ଧିଲି ଆଞ୍ଚେଟି ଗାଁରେ । ପ୍ରଥମ ପଣ୍ଡାଠୁ ଏହାର ଦୂରତା ପ୍ରାୟ ଚାରି ମାଇଲ । ଶେଷଟି ବାନ୍ଧିଲି ସେଇ ଜଳଖାତ ପାଖରେ, ଯୋଉଠୁ ଗାଈ ଗୋରୁ ଓ ଗୋପାଳମାନେ ଜଳପାନ କରିଥାଆନ୍ତି ।

 

ତିନୋଟି ଯାକ ପଣ୍ଡାଙ୍କର ବନ୍ଧାବନ୍ଧି କାମ ନିଜ ଦାୟିତ୍ୱରେ କରାଇଲି । ତା’ ପରେ ଅରଣ୍ୟର ସବୁ ଆଡ଼କୁ ଖୋଜିଗଲି । ମୋ’ ହାତରେ ଥାଏ ୪୦୫ ଉଇଂଚେଷ୍ଟର । ଭାବୁଥାଏ ପଶୁଟାର ସଜ ପଞ୍ଝାଚିହ୍ନ ପାଇବି । ହୁଏତ ବାଘୁଣୀ ସହିତ ମୁଲାକାତ୍ ବି ହୋଇ ଯାଇପାରେ ।

 

ଦ୍ଵିତୀୟ ଦିନ ସକାଳେ–

 

ମୁଁ ବ୍ୟଗ୍ର ହୋଇ ବୁଲୁଥାଏ । ଗୁଣ୍ଡାଲାମ ନଦୀର କୋମଳ ବାଲି ଉପରେ ବାଘୁଣୀର ସଜ ପାଦଚିହ୍ନ ପାଇଲି । ରାତିରେ ସେ ନଈକି ଓହ୍ଲାଇଚି । ଜଳଖାତକୁ ପାରି ହେଇ ଯାଇଚି । ପଣ୍ଡାକୁ ଛାଡ଼ି ଯାଇଚି । ପଣ୍ଡା ପାଖରେ ଅଟକିଛି । ଦେଖିଛି । ତାକୁ ଛୁଇଁନି । ସେଠାରୁ ଉଠିଚି । ପାଖ ପାହାଡ଼ ଡେଇଁ ଆଞ୍ଚେଟି ଆଡ଼କୁ ଯାଇଛି । ତା’ ପାଦ ଚିହ୍ନରୁ ମୁଁ ଏସବୁ ଠଉର କରିନେଲି । ପାହାଡ଼ ସେ ପାରେ ପାଦଚିହ୍ନ ମିଳିଲାନି ।

 

ତୃତୀୟ ଦିନ ସକାଳେ ମୁଁ ବାଘୁଣୀର ସନ୍ଧାନ ନେବା କାମ ସାରି ଫେରିଥାଏ ମୋ’ ବିଶ୍ରାମ ଜାଗାକୁ । ପ୍ରସ୍ତୁତ ହେଉଥାଏ ଉଷୁମ ପାଣିରେ ଗାଧୋଇ ସହଳ ସହଳ ଖାଇ ନେବାକୁ । ହଠାତ୍ ଦଳେ ଲୋକ ଆସି ପହଞ୍ଚିଗଲେ । ସେମାନଙ୍କ ମଧ୍ୟରେ ଥିଲେ ଆଞ୍ଚେଟି ଗାଁର ମୁଖିଆ । ସେମାନେ କହିଲେ ଯେ ସେଇ ସକାଳେ ବାଘୁଣୀ ଜଣେ ଲୋକକୁ ମାରିଚି । ଆଞ୍ଚେଟିରୁ ପ୍ରାୟ ମାଇଲିଏ ଦୂରରେ ଗୋଟିଏ କୁଡ଼ିଆ ଘରେ ଏ କାଣ୍ଡ ଘଟିଚି । ସେ ଥିଲା ଜଣେ ଗାଉଁଲୀ ଲୋକ । ରାତି ପାହିବ ପାହିବ ହେଉଥେ । ଗୁହାଳରେ ଗାଈ ଗୋରୁ ମାନେ ଚମକିଗଲେ । କଅଣ ହେଉଚି ଦେଖିବାପାଇଁ ଲୋକଟି ଘରୁ ବାହାରି ଆସିଚି । ସେଇ ଯିବାଟା ତା’ର ଶେଷ । ସେ ଆଉ ଫେରିନି-। ଡେରି ହେବାରୁ ତା’ ଭାଇ ଏବଂ ପୁଅ ତା’କୁ ଖୋଜି ଗଲେ । ଗୁହାଳର ସେ ପାଖରେ ସେମାନେ ଲୋକଟିର ଚଦର ଓ ଠେଙ୍ଗା ପାଇଲେ । ଖୁବ୍ ପରିଷ୍କାର ଦେଖାଯାଉନଥିଲେ ବି ମାଟିରେ ସେମାନେ ବାଘର ପଛ ଗୋଡ଼ର ଚିହ୍ନ ଦେଖିଛନ୍ତି । ବାଘ ପଛ ଗୋଡ଼ରେ ଠିଆହେଇ ଲୋକଟିକୁ ଆକ୍ରମଣ କରିଛି । ଏଥିରେ ଏ ଖୋଜିଲା ଲୋକ ଦୁଇ ଜଣ ବି ଛାନିଆ ହୋଇଗଲେ । ସେମାନେ ଚିତ୍କାର କରି ଫେରି ଆସିଲେ ସେମାନଙ୍କ କୁଟୀରକୁ । ସେଇଠୁ ସେମାନେ ଧାଇଁଲେ ଆଞ୍ଚେଟି । ସେଇଠି ଗାଁର ପ୍ରଧାନଙ୍କ ସହିତ ଦେଖା । ଆଉ ଅନ୍ୟ ଲୋକମାନଙ୍କୁ ଠୁଳକରି ସେମାନେ ଧାଇଁ ଆସିଥିଲେ ମୋ’ ପାଖକୁ । ଏତେଗୁଡ଼ିଏ ଲୋକ ଏକାଠି ହେବାରୁ ସେମାନଙ୍କ ମନରେ କିଛି ସାହସ ଆସିଥାଏ ।

 

ମୁଁ ଆଉ ଗାଧୋଇବି କ’ଣ–କୌଣସି ମତେ କିଛି ଖାଦ୍ୟ ନାକରେ ପାଟିରେ ଗୁଞ୍ଜିଦେଲି-। ସେ ଲୋକମାନଙ୍କ ସହିତ ଆସିଲି ସେ ଗାଁକୁ । ସେଇ କୁଡ଼ିଆ ଓ ଗୁହାଳ ଦେଖିଲି । ଯୋଉ ଜାଗାରେ ବାଘୁଣୀଟା ମଣିଷକୁ ଭିଡ଼ିନେଇଛି, ସେ ଜାଗାକୁ ପରୀକ୍ଷା କଲି । ଲୋକଟି ପାଟି କରି ନଥିଲା । ତା’ ଚିତ୍କାର କେହି ଶୁଣି ନଥିଲେ । ଏଥିରୁ ଜଣାଗଲା, ଅଚାନକ ଭାବେ ବାଘୁଣୀ ଲୋକଟିକୁ ଆକ୍ରମଣ କରି ମାରିପକାଇଚି । ସେ ପାଟି କରିବାକୁ ମୌକା ବି ପାଇନି । ଚିହ୍ନ ଡଗରାଇବା ବଡ଼ କଷ୍ଟସାଧ୍ୟ ହୋଇପଡ଼ିଲା । ମାଟି ଖୁବ୍ ପଥୁରିଆ ଏବଂ କଠିନ । ତେଣୁ ତା’ଉପରେ ବାଘର ପାଦ ଚିହ୍ନ ମିଳିବା କଷ୍ଟ; ମାତ୍ର ଆମକୁ ସାହାଯ୍ୟ ମିଳିଲା । ସେ ପାଖରେ ଅନେକ କଣ୍ଟା ଗଛ । ଆମେ ଲକ୍ଷ୍ୟକଲୁ ସେ ଗଛରେ ସ୍ଥାନେ ସ୍ଥାନେ କପଡ଼ା ଖଣ୍ଡ ସବୁ ଲାଗିଚି । ବାଘୁଣୀ କେଡ଼େ ଚାଲାକ୍ ! କଣ୍ଟାବୁଦାକୁ ବୁଲିକରି ଯାଇଚି । ଲୋକଟିର ପିନ୍ଧା କପଡ଼ା କଣ୍ଟାରେ ଲାଗିଲା ବୋଲି ଚିରି ଟୁକୁରା ଟୁକୁରା ହୋଇ କଣ୍ଟାରେ ଲାଗିଥିଲା । ନହେଲେ, ଭୂତ ନେଇଗଲା ପରି ଲୋକଟି ଶୂନ୍ୟରେ ଉଭେଇ ଗଲା ବୋଲି ମନେହୋଇଥାଆନ୍ତା ।

 

ଏମିତି ପ୍ରାୟ ୩୦୦ ଗଜ ସେ ଶୂନ୍ୟେ ଶୂନ୍ୟେ ବୋହିନେଇଚି । ସେଠି ଗୋଟାଏ ବରଗଛମୂଳେ ବୁଦାଉପରେ ସେ ମଢ଼କୁ ରଖିଚି–ଉଦ୍ଦେଶ୍ୟ ତା’ ଖାଦ୍ୟ ଖାଇବ । ମାତ୍ର ସେ ବୋଧହୁଏ ତା’ ମନ ବଦଳାଇଛି । ଅଥବା କିଛି ବାଧା ପାଇଚି । ତେଣୁ ସେ ପୁଣି ମଡ଼ାକୁ ଟେକି ନେଇଚି ଗୋଟିଏ ଗହୀର ନାଳ ଆଡ଼କୁ । ଏହି ନାଳଟି ଦକ୍ଷିଣ ଆଡ଼କୁ ବହିଯାଇ ତିରିଶମାଇଲ ପରେ କାବେରୀରେ ମିଶିଚି ।

 

ଏଥର ଡଗରାଇବା ସହଜ ହେଲା । ବାଘୁଣୀ ଲୋକଟିର ବେକ ପାଖରୁ ଆଉ ଧରି ନଥାଏ । ତେଣୁ ରକ୍ତ ଝରିବା କମ୍ ହୋଇଥାଏ । ସେ ଲୋକଟିର ପଛପାଖ ପିଠି ଧରି ନେଇଥାଏ-। ଗଛପତ୍ରରେ ରକ୍ତ ବୋଳି ହୋଇଥାଏ । ଆମେ ସହଜରେ ବାଘୁଣୀର ଗତିପଥ ଠଉରାଇ ଚାଲିଥାଉ । ଏମିତି ଶହେଗଜ ଗଲାପରେ, ସେ ଲୋକଟିର ପିନ୍ଧା ଲୁଗା ପାଇଲୁ । ଗୋଟାଏ କଣ୍ଟା ଗଛର ଡାଳରେ ଝୁଲୁଥାଏ ।

 

ଡଗରାଣ ଚାଲିଲା । ଆମେ ନାଳରେ ପହଞ୍ଚିଗଲୁ । କୋମଳ ବାଲି ଉପରେ ବାଘୁଣୀର ପଂଝାଚିହ୍ନ ଫୁଟି ଦିଶୁଥାଏ । ଗୋଟାଏ ପାଖରେ ଘୋଷରା ଚିହ୍ନ ଈଷତ୍ ଭାବରେ ଦିଶୁଥାଏ । ବାଘୁଣୀ ମଡ଼ାଟିକୁ ବୋହିନେଲାବେଳେ ତାର ଗୋଟାଏ ପାଦ ଘୁଷୁରି ଯାଇଚି । ସେ ପାଦଟା ମାଟିରେ ଚିହ୍ନ ରଖିଚି ।

 

ଏଣିକି ସାବଧାନରେ ଯିବାକୁ ହେବ । ଏତେ ଲୋକଙ୍କ ସାଙ୍ଗରେ ନେବା ସୁବିଧାଜନକ ନୁହେଁ–ନିରାପଦ ନୁହେଁ । ତେଣୁ ମୁଁ ମୋ’ ସାଥୀମାନଙ୍କୁ ଠାରିଦେଲି–ସେମାନେ ସେଇଠି ରହନ୍ତୁ । ମୁଁ ଏକା ଆଗକୁ ଚାଲିଲି ।

 

ନାଳର ଉଭୟ ପାଖରେ ଅନେକ ଲତା ବୁଦା । ସେଇ ଗହଳିଆ ବୁଦା ଭିତରେ କୋଉଠି ନା କୋଉଠି ଲୁଚିଥିବ ବାଘୁଣୀ । ଯେ କୌଣସି ମୁହୂର୍ତ୍ତରେ ହୁଏତ ସେ ତା’ ଅନୁସରଣକାରୀ ଉପରକୁ ଡେଇଁପଡ଼ିବ ଏବଂ ଅନୁସରଣର ଶେଷ କରିଦେବ । ତେଣୁ ଯଥେଷ୍ଟ ସତର୍କତା ସହ ମୁଁ ଚାଲିଥାଏ । ଅନୁସରଣ କାମ ଖୁବ୍ ଧିମା ଚାଲିଥାଏ । ଏମ୍‌ତି ନାଳର ଦୁଇଟି ବାଙ୍କ ମୁଁ ପାର ହେଇଗଲି । ହଠାତ୍ ମୋ’ ଆଗରେ ଗୋଟାଏ ପଥର ଦେଖାଗଲା । ଏ ପଥରଟି କୂଳରୁ ନାଳଆଡ଼କୁ ପଶିଆସିଥାଏ । ମୁଁ ଅଧିକ ସତର୍କ ହେଲି । ଏ ପଥରଟିର ବିପରୀତ ଦିଗକୁ ଲକ୍ଷ୍ୟ ରଖି ମୁଁ ଯାଉଥାଏ । ଦେଖିଲି ପଥରର ସେପାଖରେ ଗୋଟାଏ କଳା ଜିନିଷ ପଡ଼ିଚି । ଆହୁରି ଲକ୍ଷ୍ୟକଲି–ଜାଣିଲି ସେ ହତଭାଗାର ମୃତ ଶରୀରଟା ସେଇଠି ପଡ଼ିଚି ।

 

ବାଘୁଣୀ ପେଟେ ଖାଇଚି । ଶବର ପ୍ରାୟ ଅଧା ସରିଚି । ଜଙ୍ଘ ପାଖରୁ ଗୋଟାଏ ଗୋଡ଼ ଛିଣ୍ଡିଚି । ଗୋଟାଏ ଡେଣା ସରିଚି । ଚାରିଆଡ଼କୁ ଲକ୍ଷ୍ୟକଲି । ବାଘୁଣୀଟା ସେ ପାଖରେ ଥିବାର ଆଭାସ ପାଇଲିନି । ଫେରିଆସିଲି ସେ ଲୋକମାନଙ୍କ ପାଖକୁ । ସେମାନଙ୍କୁ ସେଇ ଜାଗାରୁ ନେଇଗଲି । କହିଲି, ସେଇ ଜାଗାରେ କିଛି ଗୋଟାଏ ସୁବିଧା କରିବାକୁ । ସେଇ ଜାଗାରେ ମୁଁ ଜଗିବି । ହତ୍ୟାକାରିଣୀ ଫେରିବ ତା’ ଖାଦ୍ୟ ଖାଇବାକୁ । ମୁଁ ତା’ ଉପରେ ଦଣ୍ଡ ବିଧାନ କରିବି । ମୋର ପୁରା ବିଶ୍ଵାସ ଥାଏ, ସୂର୍ଯ୍ୟାସ୍ତ ଆଗରୁ ବାଘୁଣୀ ଫେରୁଛି ।

 

ଜଗିବାପାଇଁ ଏ ପ୍ରକାର ଅସୁବିଧା ଜାଗା କେହି କଳ୍ପନା କରି ପାରିବନି । ପାଖ ପଡ଼ିଶାରେ ଗୋଟାଏ ବି ବଡ଼ ଗଛ ନଥାଏ ମଞ୍ଚା ତିଆରି କରିବାର ନ୍ୟୂନତମ ସୁବିଧା ପାଇଁ । ଦେଖିଲି ଦୁଇଟି ମାତ୍ର ବାଟ ଅଛି । ନାଳର ଆର ତୀରରେ ଜଗିବି । ସେଠୁ ଏ ମଢ଼ଟା ସଫା ଦିଶୁଚି-। ଆଉ ଗୋଟିଏ ଉପାୟ ହେଉଚି, ସେଇ ପଥରକୁ ଉପଯୋଗ କରିବା । ନଦୀର ବାଲି ଶେଯରୁ ପ୍ରାୟ ଦଶଫୁଟ ଉପରେ ସେ ପଥରଟା ନଦୀ ଭିତରକୁ ପଶିଆସିଚି । ସେଇ ପଥର ତଳେ ଶବଟା ପଡ଼ିଚି । ବର୍ତ୍ତମାନ ସେଇ ପଥର ଉପରକୁ ଗଲେ ସେଠି ପ୍ରାୟ ଚାରିଫୁଟର ଗୋଟାଏ ଫାଙ୍କା ଜାଗା ମିଳିବ । ଏ ପାଖରେ ପଥର ସେ ପାଖରେ ପଥର ଓ ମାଟିର କୁଦ । ମଝିଟା ଫାଙ୍କା-। ମୁଁ ଆଗରୁ ପ୍ରସ୍ତାବକୁ ମନେ ମନେ ନାମଞ୍ଜୁର କରିଦେଲି । ମଣିଷଖିଆ ବାଘ ସହିତ ଏପର ଖୋଲମ୍‌ଖୋଲା ଭାବରେ ଲଢ଼ିବା ଆଦୌ ନିରାପଦ ନୁହେଁ । ଦ୍ଵିତୀୟ ଯୋଜନାଟି ଗ୍ରହଣ କଲି । ‌ବେଶ୍ ଟିକେ ଦୂରରେ କେତେକ କଣ୍ଟା ଡାଳ କଟାଇଲି । ସେ କଟା ଶବ୍ଦ ଯଥାସମ୍ଭବ ଧୀର ହୋଇଥାଏ । ବାଘୁଣୀ ଖୁବ୍ ଚାଲାକ୍ । କଟା ଶବ୍ଦ ଶୁଣି ଆଉ କୋଉ କାଣ୍ଡ କରି ବସିବ କିଏ ଜାଣେ-! ପୁଣି ସେପାଖରେ ଯୋଉ ପ୍ରକାର କଣ୍ଟା ଗଛ ସାଧାରଣତଃ ମିଳିଥାଏ ସେ କଣ୍ଟା କଟାଇଲି । ତା’ହେଲେ ପୃଷ୍ଠଭୂମିର ବ୍ୟବସ୍ଥାରେ କୌଣସି ପାର୍ଥକ୍ୟ ରହିବନି । ଅନ୍ୟ ଜାତିର ଗଛ ହେଲେ ଚତୁରୀଟି ଧରିନେବ । ସେଇ ଫାଙ୍କ ଉପରେ କଣ୍ଟା ଛାଟିଦିଆଗଲା–ତା’ହେଲେ, ନାଳରୁ ମୋତେ ବାଘୁଣୀ ଦେଖିପାରିବନି । ମୋ ପାଖରେ ମୋ’ର ଚଦର, ପାଣି ବୋତଲ, ଟର୍ଚ୍ଚ ଥାଏ । ରାତିର ଅଧିକ ଭାଗରେ ଅବଶ୍ୟ ଏସବୁର ବ୍ୟବହାର ହୋଇପାରିବନି । ତା’ର କାରଣ ଆକାଶରେ ପ୍ରାୟ ପୂର୍ଣ୍ଣଚନ୍ଦ୍ର, ଥାଏ ଏବଂ ସେ ପୁଣି ଶୀଘ୍ର ଆକାଶରେ ଦେଖାଦେବ । ପ୍ରାୟ ତିନିଟାବେଳକୁ ମୋ’ ଜାଗାଟି ସଜା ହୋଇଗଲା । ମୁଁ ତା’ ଭିତରକୁ ଗଲି । ସେ ଲୋକମାନେ ଫେରିଗଲେ । ସେମାନଙ୍କୁ କହିଥାଏ ପରଦିନ ସକାଳେ ଆସିବେ । ସଙ୍ଗରେ ଆଣିଥିବେ ଫ୍ଲାସ୍କେ ଗରମ ଚା’, ଆଉ ପାଉଁରୋଟି । ତା’ହେଲେ ସକାଳର ଚା’ପାନ ଏଇଠି ହୋଇଯିବ ।

 

ଅପରାହ୍ନର ଗତି ଥିଲା ଖୁବ୍ ମନ୍ଥର । ଆକାଶରେ ଜଳନ୍ତା ସୂର୍ଯ୍ୟ । ପାହାଡ଼ର ପଥରଗୁଡ଼ାକୁ ଅଗ୍ନିସ୍ନାନ କରାଉଥିଲା କହିଲେ ଚଳେ । ମୋ’ ଅବସ୍ଥା ଅବର୍ଣ୍ଣନୀୟ । ପୁରା ଝାଳରେ ମୁଁ ମଧ୍ୟ ଗାଧୋଉଥିଲି ।

 

ନାଳର ଉଭୟ ଦିଗକୁ ଚାହୁଁଥାଏ । ଲହରେଇ ଲହରେଇ ପୃଥିବୀରୁ ଯେଉଁ ଉତ୍ତାପ ଉଠୁଥାଏ, ତା’କୁ ବାଧାଦେଲାଭଳି କୌଣସି ବ୍ୟବସ୍ଥା ମୋ ପାଖରେ ନଥିଲା । ବାଘୁଣୀ ଶବଟାକୁ ପଥର ତଳେ ଏମିତି ଲୁଚାଇକରି ରଖିଥାଏ ଯେ ଆକାଶରୁ ତା’କୁ ଦେଖି ହେବନି । ତେଣୁ ଶାଗୁଣା ଲାଗୁ ନ ଥିଲେ । ଦେଖୁ ଦେଖୁ ପାଞ୍ଚଟା ହେଲା । ଶୁଣିଲି କା କା ଡାକ । ଗୋଟିଏ କୁଆ ଆବିଷ୍କାର କଲା ଶବଟିକି । ସେ ତା’ ସାଥୀକି ଡାକୁଥାଏ । ଉଭୟେ ମିଶି ଶବରୁ ମାଂସ ଝୁଣିବେ । ମାତ୍ର ମଣିଷର ଗନ୍ଧ ସେମାନଙ୍କୁ କାତର କରିଦେଉଥାଏ । ତେଣୁ ସେମାନେ ବୋବାଉ ଥିଲେ ସିନା ମାଂସ ଖାଇବାକୁ ସାହସ କରିପାରୁ ନ ଥିଲେ ।

 

ବେଲ ଗଡ଼ି ଚାଲିଥାଏ । ପଶ୍ଚିମରେ ବଣଘେରା ପାହାଡ଼ର ଦିଗ୍‌ବଳୟ ତଳେ ନିଆଁର ପିଣ୍ଡୁଳାପରି ସୂର୍ଯ୍ୟ ବୁଡ଼ିବାକୁ ବସିଲା । ବିଚରା କୁଆ ଦୁଇଟି ଡକାଡ଼କି ହୋଇ କୋଉ ଏକ ଦୂର ଗଛକୁ ଉଡ଼ିଗଲେ ରାତ୍ରିର ଆଶ୍ରୟ ଖୋଜି । ହୁଏତ ସେମାନେ ଭାବୁଥିଲେ, ଆଜି ଯାଉ, ଯେତେବେଳେ ପେଟର ଜ୍ଵାଳା ଦୁଃସହ ହେବ, ମଣିଷର ଗନ୍ଧ ଥିଲେ ବି ସେମାନେ ମାଂସ ଖାଇବେ-। ପ୍ରବଳ ଭୋକ ନ ହେଲେ ଏମିତି ଦୁଃସାହସରେ ମୁଣ୍ଡ ଗଳାଇବା ଉଚିତ ନୁହେଁ । ବଣରେ ଗଞ୍ଜା ଉଚ୍ଚସ୍ତରରେ ଡାକୁଥାଏ–ବିଦାୟ ହେ ମୃତ ଦିବସ । ଏବଂ ଝରଣାର ତଳଦେଶ ସେପାରେ ମୟୁର ଡାକିଲା–ଭେଁ...ଭେଁ... ଭେଁ...କକ୍... ! ଝରଣାଟିର ଶୁଖିଲା ବାଲି ସେ ଡାକରେ ହାୟ ହାୟ କରି ଉଠୁଥାଏ । ମୁଁ ଏ ଡାକକୁ ସ୍ଵାଗତ ଜଣାଇଲି । ବଣଭିତରେ ମୟୂରଠୁ ବଳି ଅଧିକ ଜାଗ୍ରତ ପ୍ରହରୀ କେହି ନୁହନ୍ତି । ସେ ଯଦି ବାଘୁଣୀକି ଦେଖିବା ସଙ୍ଗେ ସଙ୍ଗେ ସଚେତନ କରାଇଦେବ । ମୁଁ ସଜାଗ, ସାବଧାନ ହୋଇଗଲି । ଅପେକ୍ଷା କରୁଥାଏ ମଣିଷ ମାଂସ ଲୋଭିଣୀ ସେଇ ବାଘୁଣୀକି; କିନ୍ତୁ ସେମିତି କିଛି ଘଟିଲାନି । ମୟୂରଟି ତା’ ଭାରୀ ଡେଣା ହଲାଇ ହଲାଇ କୋଉଠିକି ଉଡ଼ିଗଲା । ପରାଜିତ ଦିବସର ସ୍ଥାନ ନେବାପାଇଁ ଗୋଧୂଳି ତ୍ୱରିତ ଗତିରେ ଧାଇଁ ଆସୁଥାଏ ।

 

ଭାଗ୍ୟକୁ ଚନ୍ଦ୍ର ଶୀଘ୍ର ଉଠିଥାଏ ଆକାଶରେ । ତା’ର ରୂପାର କିରଣ ଝରୁଥାଏ ଧୀରେ ଧୀରେ ପୃଥିବୀ ଉପରେ । ତେଣୁ ଚାରିଆଡ଼କୁ ଦେଖିବାରେ, ଲକ୍ଷ୍ୟ କରିବାରେ ମୋ’ର ବିଶେଷ ଅସୁବିଧା ହେଉ ନ ଥାଏ । ଦିନର ପକ୍ଷୀସବୁ ବିଶ୍ରାମ ନେଲେଣି । ବାହାରିଲେଣି ରାତ୍ରିର ବିହଗ । ଟେଣ୍ଟେଇର ପହରକିଆ ଡାକରେ ନାଳ ପ୍ରତିଧ୍ଵନିତ ହେଉଥାଏ । ଏଇ ରାତ୍ରି ଦୂତମାନେ ନାଳର ଥଣ୍ଡାକୂଳରେ ଖୋଜୁଥାନ୍ତି ପୋକ ଆଦି । ବେଳ ବୁଡ଼ି ଚାଲିଥାଏ । ପୁଣି ନୀରବତା–ଭୀଷଣ ଶୂନ୍ୟ–ତା ସତେ ଯେମିତି ମୃତ୍ୟୁ ସମସ୍ତଙ୍କୁ ଆବୋରି ପକାଇଚି । କୋଉଠି ଗୋଟାଏ ଝିଙ୍କାରି ବି ବୋବାଉନି । ମୋ ବନ୍ଧୁ ସେଇ ଟେଣ୍ଟେଇମାନେ ଅନ୍ୟ କୁଆଡ଼େ ଚରା ଖୋଜି ଚାଲିଗଲେଣି । ତଳକୁ ଅନାଇଁଦେଲି । ମଣିଷଟିର ଶବଟା ପଡ଼ିଚି । ଗୋଟାଏ ହାତ ମୋ ଆଡ଼କୁ ନିର୍ଦ୍ଦେଶ କରୁଚି । ମନେହେଲା, ସେ ଏହି ଅପମୃତ୍ୟୁର ପ୍ରତିଶୋଧ ନେବାକୁ ମୋତେ ଅନୁରୋଧ ଜଣାଉଚି । ଭାଗ୍ୟକୁ ତା’ ମୁହଁଟା ମୋ’ ଆଡ଼କୁ ନ ଥିଲା । ନହେଲେ ତା’ ମୁହଁର ଭୟଙ୍କର ବିଶ୍ରୀ ରୂପ ମୋ’ ମନରେ ଭାବାନ୍ତର ଆଣିଥାଆନ୍ତା । ସେଇ ଅପରାହ୍ନରେ ମୁଁ ସେ ମୁହଁଟିକୁ ଦେଖି ଚମକିଉଠିଥିଲି ।

 

ହଠାତ୍ ଏ ନୀରବତାକୁ ଭାଙ୍ଗିଦେଇ ଗୋଟାଏ ସମ୍ବରର ଘନ ଘନ ସତର୍କ କୁହାଟ ଦୂରରୁ ଭାସିଆସିଲା । ସେ ବାରମ୍ବାର ଡାକୁଥାଏ । ମନେହେଲା ପ୍ରାୟ ଅଧମାଇଲିଏ ଦୂରରେ ସେ ଡାକୁଥାଏ । ଏହା ପରେ ପରେ ଗୋଟାଏ ହରିଣ ବୋବାଇ ଉଠିଲା । ତା’ ସଙ୍ଗେ ସଙ୍ଗେ ଗୋଟିଏ ରାତ୍ରିଚର ପକ୍ଷୀର ବାରମ୍ବାର ଡାକ ନାଳଟିର ଆଖପାଖକୁ ପ୍ରତିଧ୍ଵନିତ କଲା । ଏମାନେ ରାତ୍ରିର ପ୍ରହରୀ । ଏ ସମସ୍ତେ ନିଜ ନିଜର କାମ ଖୁବ୍ ବିଶ୍ୱସ୍ତ ଭାବରେ ତୁଲେଇ ନେଲେ । ଜାଣିଲ ବାଘୁଣୀ ଆସିବା କଥା । ଏମାନେ ତାକୁ ଦେଖି ପାରିଚନ୍ତି । ଏଥର ମୁଁ ସ୍ୱସ୍ତିର ନିଃଶ୍ଵାସ ମାରିଲି । ଶେଷ କାର୍ଯ୍ୟ ପାଇଁ ମୋ ହାତଗୋଡ଼କୁ ସଳଖେଇନେଲି ।

 

ଡାକ ସବୁ ବନ୍ଦ ହୋଇଗଲା । ଏହାର ଅର୍ଥ ବାଘୁଣୀ ଏଇ ପଶୁପକ୍ଷୀମାନଙ୍କଠୁଁ ଦୂରେଇ ଗଲା । ସେ ବୋଧହୁଏ ମୋ’ ଆଡ଼କୁ ଆସୁଛି । ବେଶ୍ ଚୁପ୍‌ଚାପ୍ ଗଛଲତାର ଆଢ଼ୁଆଳରେ ଆସୁଛି ବାଘୁଣୀ । ସତର୍କ ଭାବରେ ଆଖି ବୁଲାଉଥାଏ । ନାଳତଳେ, ପ୍ରାୟ କୋଡ଼ିଏ ଗଜ ଦୂରରେ ନଈର ବାଙ୍କ । ସେଇଠି ବାଘୁଣୀ ବାହାରିବ ଭାବୁଥାଏ । ସେଇ ଆଡ଼କୁ ନିରେଖି ଦେଖୁଥାଏ । ତିରିଶ ମିନିଟ୍ ଗଲା । ପଇଁଚାଳିଶି ମିନିଟ୍ ପାରହେଲା । ଚନ୍ଦ୍ର କିରଣରେ ମୋ’ ହାତ ଘଡ଼ିର କଣ୍ଟା ଦୁଇଟିର ଗତିକୁ ମୁଁ ଉତ୍‌କଣ୍ଠାର ସହ ଦେଖୁଥାଏ । ଅଦ୍‌ଭୁତ ! ମାଇଲିଏ ବାଟକୁ ବାଘୁଣୀ ଏତେ ସମୟ ନେବନି ତ !

 

ମାତ୍ର ଏଇ ସମୟରେ ମୁଁ ବଡ଼ ଆସ୍ୱସ୍ତି ଅନୁଭବ କଲି । ମୋତେ ଟିକିଏ ଡରଡ଼ର ଲାଗିଲା । ମୋ’ ଦେହଟା ଗୋଟାଏ ଅଜଣା ଭୟରେ ଶିହରୀ ଉଠିଲା । ଏଇଟା ଷଷ୍ଠଇନ୍ଦ୍ରିୟ । ଆମ ସମସ୍ତଙ୍କର ଏଇ ଷଷ୍ଠ ଇନ୍ଦ୍ରିୟ ଅଛି । ଆମ ସମସ୍ତଙ୍କୁ ଏହା ବିପଦରେ ବାଟ ଦେଖାଇ ପାରେ; ମାତ୍ର ଅନେକେ ଏହାକୁ ଠିକ୍‌ଭାବେ ବ୍ୟବହାର କରିପାରନ୍ତିନି । ଭାରତ, ବର୍ମା ଓ ଆଫ୍ରିକାର ବଣରେ ବୁଲିଲାବେଳେ ମୋର ଏଇ ଷଷ୍ଠ ଇନ୍ଦ୍ରିୟ, ଏଇ ଇନ୍ଦ୍ରିୟାତୀତ ଜ୍ଞାନ ହିଁ ମୋତେ ବହୁବାର ସାହାଯ୍ୟ କରିଚି । ହଠାତ୍ ମୋ ମନକୁ ପାପ ଛୁଇଁଲା । ମୋର ସମସ୍ତ ସତର୍କତା, ସମସ୍ତ ସାବଧାନତା ବୋଧହୁଏ ଅକାମି ହୋଇଯାଇଚି । ବାଘୁଣୀ ଜାଣିପାରିଚି ମୋର ଉପସ୍ଥିତି କଥା । ସେ ଏବେ ଧୀରେ ଧୀରେ ହୁଏତ ଏଇ ଆଖପାଖରେ ଆସି ପହଞ୍ଚିଗଲାଣି । ସେ ହୁଏତ ମୋ ଉପରକୁ ଲମ୍ଫ ଦେବାର ଆୟୋଜନ କରୁଛି ।

 

ଆମେ ଜଙ୍ଗଲରେ ଚଳାଚଳ ହେଉଥିବା ଲୋକେ ବିପଦବେଳେ ଖୁବ୍ ଶୀଘ୍ର ଭାବିପାରୁ-। ଏଇଟା କୌଣସି ସାହସ ନୁହେଁ । ମୁଁ ଜାଣେ ସେଇ ମୁହୂର୍ତ୍ତରେ ମୋର କ’ଣ ହେଉଥିଲା । ମୋ ମୁହଁରୁ ବିନ୍ଦୁ ବିନ୍ଦୁ ଝାଳ ବାହାରି ଗଡ଼ିପଡ଼ୁଥାଏ । ମୁଁ ପ୍ରାୟ ଭିତରେ ଭିତରେ କମ୍ପୁଥାଏ । ଜାଣିନେଲି, ବାଘୁଣୀ ଏବେ ସୁଯୋଗ ଉଣ୍ଡୁଚି । ସେ ନାଳରେ ନାଇଁ । ମୋ ତଳପାଖରେ ନାଇଁ । ତଳପାଖରେ ଆସିଥିଲେ ତ ମୁଁ ତାକୁ ବହୁ ଆଗରୁ ଦେଖି ପାରିଥାଆନ୍ତି । ସେ ପାଖ କୂଳରେ କୌଣସି ଲତାବୁଦା ଉଢ଼ାଳରେ ବାଘୁଣୀ ଲୁଚିଥାଇପାରେ । ମାତ୍ର ସେଠି ଥିଲେ ମୋତେ ଏତେ ଡର ମାଡ଼ନ୍ତା କିଆଁ ! ପୁଣି ଡରଟା ଏତେ ଭୀଷଣଭାବରେ ବଢ଼ିଚାଲିଛି ଯେ ! ସେ ନିଶ୍ଚିନ୍ତ ଭାବରେ ମୋ ପଛପାଖରେ ଅଛି, ପୁଣି ମୋ ଉପରେ ଅଛି । ମୋ ପଛପାଖରେ ଚାରିଫୁଟର ପଥର । ମୁଁ ଗୁରୁଣ୍ଡି, ଅଣ୍ଟା ଭାଙ୍ଗି, ଲେପେଟେଇ କରି ନ ଦେଖିଲେ ସେଠି କ’ଣ ହେଉଚି ଜାଣିବା ସମ୍ଭବ ନୁହେଁ । ପୁଣି ସେ ଅବସ୍ଥାରେ ବାଘଉପରେ ଗୁଳିଚଳାଇବା ବେକାର । ଆଉ ଏପାଖେ ମୁଁ ବାଘୁଣୀ ଅଛି ବୋଲି ଉଣ୍ଡିଲାବେଳକୁ ବାଘୁଣୀ ଯଦି ସେପାଖେ ଥାଏ ! ସେ ମୋତେ ପୂରାପୂରି ଦେଖି ପକାଇବ । ନିଜ ଉପରେ ରାଗ ଆସିଲା । ମୁଁ ଏମିତି ଭୁଲକଲି କେମିତି-? ମଣିଷଖିଆ ବାଘ ବା ବାଘୁଣୀ ସଙ୍ଗେ ମୁକାବିଲା କଲାବେଳେ ଆହୁରି ଅଧିକ ସତର୍କ ହେବା ଉଚିତ । ମୁଁ ଠିକ୍ ଏମିତି ଭାବୁଚି ଉପରୁ ଖସିପଡ଼ିଲା ଟିକେ ବାଲି । ଆରେ, ଉପରେ ବାଲି ଆସିବ କେମିତି ! ହୋଇପାରେ ବାଘୁଣୀ ଖସାଇଚି । ନିଶ୍ଚୟ ସେ ଛକି ବସିଚି ମୋ ମୁଣ୍ଡ ଉପରେ-। ହୁଏତ ଏଇ ଡେଇଁବ ମୋ ଉପରକୁ ।

 

ଆଉ ଦ୍ଵିଧାର ପ୍ରଶ୍ନ ନାଇଁ । ମୋର ଅଧା ଘୋଡ଼ାଇ ହୋଇଥିବା ପାଦଗୁଡ଼ିକୁ ଟେକି ମୁଁ ଅଧା ଉଠିଲି । ୪୦୫ର ବନ୍ଧୁ କଟି ମଧ୍ୟ ଟେକିଥାଏ । ଠିକ୍ ମୋ ମୁହଁ ପାଖରେ ନଳିଟା ଥାଏ । ତା’ପରେ ଆଉ ଟିକେ ଉଠିଲି । ମୋ ଆଖି ଓ ବନ୍ଧୁକର ମାଛି ଏକଧାଡ଼ିରେ ରହିଲେ ।

 

ଗୋଟାଏ ଭୟାନକ ଦୃଶ୍ୟ ଆଖିରେ ପଡ଼ିଲା । ବାଘୁଣୀଟା ସେଇଠି ଥାଏ–ମୋ’ଠୁ ପ୍ରାୟ ଆଠଫୁଟରୁ କମ୍ ଦୂରରେ । ପେଟେଇକରି ମୋ ଆଡ଼କୁ ଘୁଷୁରି ଘୁଷୁରି ଆସୁଥାଏ । ମୋ ଦୁଇଆଖି ଉପରେ ତାର ଦୁଇଆଖି ପଡ଼ିଲା । ଆମେ ଭୟରେ ଅଦ୍‌ଭୁତ ଭାବରେ ପ୍ରତିକ୍ରିୟା ପ୍ରକାଶକଲୁ । ସେ ବଣଫଟା ଗୋଟାଏ ଭୟଙ୍କର ଗର୍ଜନ କରି ଡେଇଁପଡ଼ିଲା । ମୋ ଆଙ୍ଗୁଳି ଘୋଡ଼ାରେ ବସିଲା ।

 

ସେ ଦିନର ବାଘୁଣୀର ଗର୍ଜନ–ମୋ ଆଖି ଏବଂ କାନର ଏକଦମ୍ ପାଖରେ ଗୁଳିର ଗର୍ଜନ–ଉଭୟର ଗର୍ଜନ ଓ ଭୟଙ୍କରତା ମୁଁ କେବେହେଲେ ଭୁଲିପାରିବିନି । ଏବେ ମଧ୍ୟ ବେଳେ ବେଳେ ସ୍ଵପ୍ନରେ ସେ କଥା ଆସିଲେ ମୁଁ ଭୟରେ କମ୍ପିଯାଏ ଓ ଅଜ୍ଞାତରେ ଚିତ୍କାର କରିଉଠେ ।

 

ଜୀବଟା ଚାଲାକି କରି କି କୌଶଳ କରୁଥିଲା ଭାବନ୍ତୁ । ସେ କେବେ ସନ୍ଦେହ କରି–ନଥିଲା ଯେ ମୁଁ ତା ଚାଲାକି ଧରିପାରିବି; କିନ୍ତୁ ମୁହଁ ଉପରେ ଗୁଳିର ଗର୍ଜନ ଓ ଅଗ୍ନିବର୍ଷଣ ତା’କୁ କାବୁ କରିଦେଲା । ସେ ଆଉ ଆକ୍ରମଣ କରିବ କ’ଣ ? ଆକ୍ରମଣ ଆତ୍ମକ୍ଷାରେ ପରିଣତ ହେଲା । ସେ ଠିକ୍ ମୋ ମୁଣ୍ଡଉପରେ ଡେଇଁଲା, ତା ପାଦ ମୋ ବନ୍ଧୁକର ଅଗରେ ଜୋରରେ ଧକ୍‌କା ଦେଲା-। ବନ୍ଧୁକଟା ହାତରୁ ଛିଟିକିପଡ଼ିଲା । ତଳ ପାଖଟା ତଳକୁ ଓ ନଳୀପାଖଟା ଉପରକୁ ହୋଇ ବନ୍ଧୁକଟି ଖସିପଡ଼ିଲା ନଈର ବାଲିରେ । ଠିକ୍ ସେଇ ଅଧାଖିଆ ମଡ଼ାର ପାଖରେ ପଡ଼ିଥାଏ । ବାଘୁଣୀ ତିନିଚାରିଟା ଡିଆଁ ମାରି ନାଳ ପାରିହୋଇଗଲା । ତା’ର ଗର୍ଜନ ଆଉ ଶୁଣାଗଲାନି ।

 

ମୁଁ ତ ଛାନିଆ ହୋଇଗଲି । ଆଖିର ପିଛୁଳାକେ ଯାହା ସବୁ ଘଟିଗଲା, ସେଥିରେ ମୁଁ ସ୍ତବ୍‌ଧ । ପର ମୁହୂର୍ତ୍ତରେ ବୁଝିପାରିଲି–ଏଥର ମୁଁ ନିରସ୍ତ୍ର–ମୋ’ର ସାହା ବାହା କେହି ନାହିଁ । ବାଘୁଣୀ ଫେରିଲେ ମୁଁ ଆଉ କିଛି କରିପାରିବିନି । ମୁଁ ନାଳକୁ ଓହ୍ଲାଇ ବନ୍ଧୁକ ଅଣିବି କେମିତି ? ବାଘୁଣୀ ଯଦି ଖଣ୍ଡିଆ ହୋଇ ସେ ପାଖ କୂଳରେ ଲୁଚିଥିବା ସେ ମୋତେ ଆକ୍ରମଣ ନକରି ଛାଡ଼ିବନି । ଆଉ ସେ ସମୟରେ ମୁଁ କୋଉଠୁ ସାହାଯ୍ୟ ପାଇବି ! ଆଉ ଡେରିକରିବା ଭଲ ନୁହେଁ । ପୁଣି ଶୀଘ୍ର ସିଦ୍ଧାନ୍ତ ନନେବା ବିପଜ୍ଜନକ । ଆଗପଛ ନଭାବି ଡେଇଁ ପଡ଼ିଲି ନଈତଳକୁ । ବନ୍ଧୁକଟା ଜାବୁଡ଼ିଧରି ଉଠିଆସିଲି ବିଜୁଳି ବେଗରେ ଉପରକୁ । ପ୍ରତିମୁହୂର୍ତ୍ତରେ ସନ୍ଦେହ କରୁଥାଏ -ମଣିଷ–ମାଂସ–ଲୋଭିଣୀ ସେ ବାଘୁଣୀଟା ଗର୍ଜନ କରି ମୋ ଉପରକୁ ଡେଇଁ ପଡ଼ିବକି ! ମାତ୍ର ସେମିତି କିଛି ହେଲାନି । ମୁଁ ଏ ଯେତେ କଥା କହିଲି, ତା’ଠୁ କମ୍ ସମୟରେ ଆସି ମୋ ଜାଗାରେ ପହଞ୍ଚିଗଲି ।

 

ଖୁବ୍ ଶୀଘ୍ର ଯାହା ପରୀକ୍ଷା କରିବା ସମ୍ଭବ ଦେଖିନେଲି । ବନ୍ଧୁକଟା ତଳେ ପଡ଼ିଲା ସିନା ତା’ର କିଛି କ୍ଷତି ହୋଇନଥାଏ । ଧକ୍‌କାଟାକୁ ଚମତ୍କାର ଭାବେ ବନ୍ଧୁକଟି ସମ୍ଭାଳି ନେଇଥାଏ । କେବଳ ଫୁଟିଥିବା ଗୁଳିର କାଟ୍ରିକ୍ ବଦଳରେ ଆଉ ଗୋଟିଏ ଗୁଳି ଯଥା ସ୍ଥାନରେ ଖଞ୍ଜି ଦେଲି । ମୁଁ ବାଘୁଣୀଟାକୁ ଏତେ ପାଖରୁ ଗୁଳି ମାରିଚି, ମୋ ଗୁଳି ବାଜିଚି ନା ଗୁଳିଟା ବାଏଁ ବାଏଁ ଉଡ଼ିଯାଇଚି ! ତା’ପରେ କିଛି ଗୋଟାଏ କଳା ଧଳା ମିଶା ଜିନିଷ ଦେଖିବାକୁ ପାଇଲି । ମୋ’ଠୁ ପ୍ରାୟ ଦୁଇଫୁଟ ଦୂରରେ ପଡ଼ିଥାଏ ଜିନିଷଟା । ଉଠାଇ ନେଲ–ଦେଖିଲି ବାଘୁଣୀ କାନରୁ ବଡ଼ ଫାଳଟାଏ ଏଇ ଗୁଳିରେ ଉଡ଼ିଯାଇଚି । ହାତକୁ ଉଷୁମ ଲାଗୁଚି । ଆଉ ଚମଡ଼ା ଓ ଲୋମର ଅଧିକତା ହେତୁ ସେମିତି ରକ୍ତ ବହୁ ନଥାଏ ।

 

ମୁଁ ନିରାଶ ଓ ହତୋତ୍ସାହ ହୋଇଗଲି । ବାଘୁଣୀକି ଯୋଉ ଅବସ୍ଥାରେ ପାଇଥିଲି ସେଥିରେ ତାକୁ ମାରିପାରିଲିନି । ଯୋଉ ସାମାନ୍ୟ ଆଘାତ କଲି, ସେ କିଛି ନୁହେଁ । ସେଥିରେ ତା’ର କୌଣସି କ୍ଷତି ହୋଇନି । ଦୁଇ ଚାରିଦିନ ଭିତରେ ସେ ଘା’ ଶୁଖିଯିବ । ମୋ ବୋକାମିର ଫଳ ଏଇୟା ହେବ ଯେ, ସେଇ ମଢ଼ ପାଖକୁ ଦ୍ଵିତୀୟବାର ସେ ଆଉ ଫେରିବନି । ଏଣିକି ସେ ଅଧିକ ଚାଲାକ ହୋଇଉଠିବ, ଅଧିକ ସାବଧାନ ହୋଇଯିବ । ଯେତେବେଳେ ଭୋକଲାଗିବ ସେତେବେଳେ ମଣିଷ ମାରିବ । ମାରିବା ପରେ ପରେ ପେଟଭରି ଖାଇବ, ତା’ପରେ ସେ ମଢ଼ ପଖକୁ ଆଉ ଆସିବନି, ନୂଆ ଶିକାର ଖୋଜିବ । ସେ ଅଧିକ ଭୟାନକ ହୋଇଯିବ, ଅଧିକ ଲୋକଙ୍କୁ ମାରିବ, ଅଧିକ କ୍ଷତି କରିବ । ସାଧାରଣତଃ ଯେତିକି ପ୍ରୟୋଜନ ତହିଁରୁ ଅଧିକ ଲୋକଙ୍କୁ ଶିକାର କରିବ । ସେ ହୁଏତ ତା’ ଶିକାରକ୍ଷେତ୍ର ବଦଳାଇ ଦେବ । ଏଠୁଁ ନୂଆ ଜାଗାକୁ ଯିବ । ସେଠି ଲୋକେ ଜାଣି ନଥିବେ ଯେ ମଣିଷଖିଆ ବାଘୁଣୀ ଅସିଚି । ସେଇ ଅସାବଧାନ ଅବସ୍ଥାରେ ସେ ଅନେକ ଲୋକଙ୍କର ଜୀବନ ନେବ । ସେଠାରେ ଲୋକେ ସହଜରେ ତା’ର ଶିକାର ହୋଇଯିବେ । ସେ ରାତିସାରା ମୁଁ ନିଜକୁ ନିଜେ ଧିକ୍‌‌କାରୁଥାଏ । ତଥାପି ସେଇଠି ବସି ଜଗିଥାଏ, କାଳେ ବାଘୁଣୀ ଫେରିବ । ହେଲେ, ନିରାଶା ଭିତରେ ଆଶା ଖୋଜିବା ଯାହା, ମୋର ବାଘୁଣୀକି ଜଗିବା ସେଇୟା ହେଲା । ବାଘୁଣୀ ଆସିଲାନି । ସକାଳ ହେଲା । ମୋ ଲୋକମାନେ ଆସି ପହଞ୍ଚିଲେ । ଥଣ୍ଡା ଯୋଗୁଁ ମୁଁ ଜଡ଼ସଡ଼ ହୋଇଚି । ନିରାଶାର ଛାପ ମୋ ମୁହଁରେ ପରିସ୍ଫୁଟ । ସେମାନେ ମୋତେ ଦେଖି ସବୁ ଜାଣିପାରିଲେ । ସେମାନେ ଆଣିଥିଲେ ଗରମ ଚା’, ପାଉଁରୋଟି ଏବଂ ଧୂଆଁପତ୍ର । ଗଲା ଅପରାହ୍‌ଣରୁ ମୋ ଉପାସିଆ ପେଟରେ ଏତକ ପଡ଼ିଲା ପରେ ମୁଁ କିଛିଟା ପ୍ରକୃତିସ୍ଥ ହେଲି । ମନରେ ନୂଆ ଆଶା ଜାଗ୍ରତ ହେଲା । ଗଲା ରାତିର ଘଟଣା ନେଇ ମୁଁ ଆଉ ସେତେ ଚିନ୍ତିତ ହେଲିନି । ଅପର ପକ୍ଷରେ ନିଜର ବିଚାରବୁଦ୍ଧିକୁ ପ୍ରଶଂସା କଲି–ନହେଲେ ସାମ୍ନାରେ ପଡ଼ିଥିବା ଶବପରି ମୋ ଅବସ୍ଥା ହୋଇଥାନ୍ତି । ଏତେବେଳକୁ ମୁଁ ମଡ଼ା ହୋଇଥାଆନ୍ତି । ମୋ ଦେହରୁ ଅଧା ବାଘୁଣୀର ପେଟରେ ଥାଆନ୍ତା । ମୁଁ ଯେ ବଞ୍ଚିଯାଇଛି ଏଇଥିପାଇଁ ମନକୁ ବୋଧ ଦେଲି–ଭାଗ୍ୟକୁ ପ୍ରଶଂସିଲି ।

 

ବାଘୁଣୀର ରକ୍ତଚିହ୍ନ ପାଇବା ପାଇଁ ଆମେ ଚେଷ୍ଟା କଲୁ । ମୁଁ ଯାହା ସନ୍ଦେହ କରିଥିଲି ତାହାଇ ହେଲା । ବିଶେଷ କିଛି ରକ୍ତଚିହ୍ନ ମିଳିଲାନି । ପହିଲେ ପହିଲେ ଦୁଇ ଚାରି ଟୋପା ରକ୍ତ । ତା’ପରେ ଗଛ ପତ୍ରରେ ଅସ୍ପଷ୍ଟ ରକ୍ତଚିହ୍ନ । ତା’ପରେ ଅରଣ୍ୟ ମଧ୍ୟରେ ଆଉ କିଛି ଚିହ୍ନବର୍ଣ୍ଣ ନାଇଁ–ସତେ ଯେପରି ଗୋଟାଏ ଅଶୁଭ ସ୍ୱପ୍ନ ପରି ଅନ୍ଧାର ମଧ୍ୟରେ ବାଘୁଣୀର ଅନ୍ତର୍ଦ୍ଧାନ । ମୋ ସାଥୀମାନେ ଆଉ ମୁଁ ବସ୍ତିକୁ ଫେରିଲୁ । ସେଇଠୁ ଫେରିଲୁ ଆଞ୍ଚେଟିକୁ ଓ ପରେ ଗୁଣ୍ଡାଲାମ୍‌କୁ । ଏ ଏକ ନୈରାଶ୍ୟପୁର୍ଣ୍ଣ ଯାତ୍ରା–ଗୋଟାଏ ବୃଥା ପ୍ରୟାସ ।

 

ଗୁଣ୍ଡାଲାମ୍‌ରେ ରହିଲି ଆହୁରି ଦଶଦିନ । ଆଶାଶୂନ୍ୟ ହୋଇ ନ ଥାଏ । ଏଠି ସେଠି ଜାଗା ଦେଖି ମଇଁଷି ପଣ୍ଡା ବାନ୍ଧି ଜଗିଥାଏ । କିଛି ହେଲାନି । ସକାଳ ଓ ଦି’ପହର ଯାକ ଜଙ୍ଗଲ ବୁଲେ । ବାଘୁଣୀର ପଞ୍ଝାଚିହ୍ନ ଖୋଜି ବୁଲେ । ପାଣି ପିଇବା ଜାଗାରେ ଯଦିବସେ । ଦଳ ଦଳ ଲୋକଙ୍କୁ ବିଭିନ୍ନ ଦିଗରେ ପଠାଏ କାଳେ କୋଉଠି ବାଘୁଣୀ ଆତ୍ମପ୍ରକାଶ କରିଛି ଜାଣିବାକୁ । ମୁଁ ଏବେ ଖୁବ୍ ସକ୍ରିୟ ହୋଇଉଠିଥାଏ । ମଣିଷଖିଆ ବାଘକୁ ମୁଁ ଖଣ୍ଡିଆ କରିଚି । ତାର ଲଢ଼ୁଆ ମନକୁ ଆହୁରି ଉସ୍‌କାଇ ଦେଇଚି । ତାକୁ ଚିଡ଼ାଇ ଦେଇଚି । ଏ ଲୋକଙ୍କୁ ରକ୍ଷାକରିବା ମୋର ଦାୟିତ୍ଵ । ଏଇଥିପାଇଁ ଦଶଦିନକାଳ ଖୁବ୍ ଖୋଜାଲୋଡ଼ା କଲି, ମାତ୍ର ଯାହା ସନ୍ଦେହ କରୁଥିଲି ତାହାଇ ଘଟିଲା । ବାଘୁଣୀ ଆମ ସମସ୍ତଙ୍କୁ ଚିତାକାଟିଦେଲା । କୁଆଡ଼େ ଅନ୍ତର୍ହିତ ହୋଇଗଲା, ତାର ପତ୍ତା ପାଇଲିନି । ତେଣୁ ହୋସୁର ଛାଡ଼ି ବାଙ୍ଗାଲୋରର ମୋ ଘରକୁ ଫେରିବାକୁ ଠିକ୍ କଲି ।

 

ଗୁଣ୍ଡାଲାମ୍ ଛାଡ଼ିଲି ଏଗାର ଦିନ ପରେ । ଚାଲି ଚାଲି ଆସିଲି ଆଞ୍ଚେଟି । ଆଞ୍ଚେଟିରୁ ଡେଙ୍କାନିକୋଟା । ଏଇଠୁ ହୋସୁର ଗଲି । ମୋ ସବ୍‌କଲେକ୍ଟର ବନ୍ଧୁଙ୍କୁ ଯାହା ଯାହା ଘଟିଥିଲା କହିଲି । ଆହୁରି ମଧ୍ୟ କହିଲି ଯେ, ବାଘ ମାତିବା ସଙ୍ଗେ ସଙ୍ଗେ ମୁଁ ଯେମିତି ଖବର ପାଏ । ଏ ବାଘକୁ ମାରିବା ଓ ଜନଜୀବନକୁ ରକ୍ଷାକରିବା ମୋର ବ୍ୟକ୍ତିଗତ କାର୍ଯ୍ୟ ବୋଲି ମୁଁ ଜଣାଇଦେଲି ।

 

ଦେଖୁଁ ଦେଖୁଁ ପାଞ୍ଚମାସ ବିତିଗଲା । ସବ୍‌କଲେକ୍ଟର ବନ୍ଧୁଙ୍କ ପାଖରୁ ଏ ମଧ୍ୟରେ ଚାରିଖଣ୍ଡ ଚିଠି ଆସିଥାଏ । ସେ ଚାରୋଟି ମଣିଷ ମରିବା ଖବର ଦେଇଥାଆନ୍ତି; ମାତ୍ର କୌଣସି ସମ୍ବାଦର ଠିକ୍ ଠିକଣା ନଥାଏ । କାବେରୀ ସେପାରିରେ ବାଘ ମାତିଚି–ମହୀଶୂରର ସୀମାରେ ବାଘ ମାତିଚି–ଆହୁରି ଦୂରରେ ବାଘ ମାତିଚି–ଏଭଳି କେତେ ଉଡ଼ା ଖବର ।

 

ହଠାତ୍ ଗୋଟାଏ ଖବର ଆସିଲା । ଏ ପ୍ରକାର ଖବର ମିଳୁ ବୋଲି ମୁଁ ଚାହୁଁ ନଥିଲି; ମାତ୍ର ଖବର ଆସିବ ଜାଣିଥିଲି । ଗୁଣ୍ଡାଲାମ୍‌ରେ ବାଘ ପୁଣି ମାତିଚି । ଏ ଥରକୁ ମିଶାଇ ସେ ଆଠଜଣଙ୍କୁ ଏଇ ଅଞ୍ଚଳରେ ମାରିଲାଣି । ସୁଲେକୁଣ୍ଟାରେ ମନ୍ଦିରଟିଏ ଥାଏ । ସେଠାରେ ପୂଜାରୀ ଗଲା ଚାଳିଶବର୍ଷ ଧରି ପୂଜାକରି ଆସୁଥିଲେ । ସେଇ ପୂଜାରୀକି ବାଘ ଟାଣିନେଇଚି । ଚିଠି ଆସିଲା–ସାଙ୍ଗେ ସାଙ୍ଗେ ଆସନ୍ତୁ ।

 

ସେଠି ପହଞ୍ଚିଲି । ପୂଜାରୀଙ୍କି ଭିଡ଼ିନେଲାବେଳେ କେତେଜଣ ଯାତ୍ରୀ ବି ସେଠି ଉପସ୍ଥିତ ଥିଲେ । ସେମାନଙ୍କ ସାମ୍ନାରେ ବାଘୁଣୀ ବିଚରା ପୂଜାରୀକି ଝାମ୍ପି ନେଲା । ସେଇ ଲୋକମାନଙ୍କ ମଧ୍ୟରୁ କେତେଜଣଙ୍କୁ ଦେଖିବାକୁ ପାଇଲି । ସେମାନେ କହିଲେ–ସେମାନେ ମନ୍ଦିରକୁ ଯାଉଥିଲେ । ଠିକ୍ ମନ୍ଦିର ପାଖରେ ସେମାନେ ପହଞ୍ଚିବା ସଙ୍ଗେ ସଙ୍ଗେ ବାଘର କ୍ରୁର ଗର୍ଜନ ଶୁଣିଲେ । ତା’ପରମୁହୂର୍ତ୍ତରେ ବାଘଟାଏ ପାଖରେ ଥିବା ଅଶ୍ଵତ୍‌ଥ ଗଛ ମୂଳରୁ କୁଦାମାରି ଜଙ୍ଗଲ ଆଡ଼କୁ ଚାଲିଗଲା । ସେ ଲୋକେ ଡରିଗଲେ । ମନ୍ଦିର ଭିତରେ ଆଶ୍ରୟ ପାଇଁ ପଶିବାକୁ ଦଉଡ଼ିଲେ । ସେ ବାଘ ପୂଜାରୀଙ୍କର ମଡ଼ା ବୋହି ଚାଲିଯାଉଥିଲା । ମନ୍ଦିରର ଦ୍ଵାରପାଖରେ ବାଘ ପୂଜାରୀଙ୍କି ଆକ୍ରମଣ କରିଚି । ଅଶ୍ଵତ୍‌ଥ ମୂଳକୁ ବୋହିନେଇଚି ଖାଇବାକୁ । ସେଇଠି ଖାଉଥିଲାବେଳେ ଲୋକେ ଆସିଚନ୍ତି । ଏଇ ହେଲା ଘଟଣାର କ୍ରମ । ବୁଢ଼ାର ଛାତିପାଖରୁ ବାଘ ଖାଇଥାଏ ।

 

ସେ ଲୋକମାନଙ୍କୁ ଜୀବଟାର କାନକଥା ପଚାରିଲି । ମୁଁ ଜାଣିବାକୁ ଚାହୁଁଥିଲି ସେଇ କାନଖଣ୍ଡିଆ ବାଘୁଣୀର ଏ କାମ କି ଅନ୍ୟ କେଉଁ ବାଘର; ମାତ୍ର ଜୀବନ ବଞ୍ଚେଇବାକୁ ଯେଉଁମାନେ ବ୍ୟସ୍ତ ସେମାନେ ବାଘର କାନ ଆଖି ପ୍ରତି ଲକ୍ଷ୍ୟକରିବା ଆଶା ବୃଥା ।

 

ସାଙ୍ଗରେ ତିନିଜଣ ଲୋକ । ମୁଁ ସୁଲେକଣ୍ଟା ଚାଲିଲି । ସେଠି ପହଞ୍ଚିଲାବେଳକୁ ଗୋଧୂଳି ସମୟ । ବାଟର ଶେଷ ଦୁଇମାଇଲ ବଡ଼ କଷ୍ଟରେ ପାରିହେଲୁ । ଦୁଇ ପାଖରେ ପାହାଡ଼-। ରାସ୍ତା ଅଛି ମଝିରେ । ଖାଲି ପଥୁରିଆ । ଘନ ବାଉଁଶବଣ ଦୁଇପାଖରୁ ମାଡ଼ି ରାସ୍ତାକୁ ଘୋଡ଼ାଇ ପକାଇଥାଏ । ପ୍ରତି ମୁହୂର୍ତ୍ତରେ କିଛି ଗୋଟାଏ ଘଟିବାର ଆଶଙ୍କା ଥାଏ; ମାତ୍ର ସେମିତି କିଛି ଘଟିଲାନି । କେବଳ ଗୋଟାଏ ହାତୀର ଗର୍ଜନ ଯାହା ଶୁଣିଥିଲୁ । ସେ ହାତୀଟି ଏଇ ବାଉଁଶ ଜଙ୍ଗଲରେ ରହେ । ଲୋକଙ୍କୁ ଦେଖିଲେ ତଡ଼େ । ଅବଶ୍ୟ ଦଳରେ କମ୍ ଲୋକ ଥିଲେ ସେ ଏମିତି କରେ । ତେବେ ସେ ତ ଅନ୍ୟ ଏକ କାହାଣୀ–ଏ କାହାଣୀ ସଙ୍ଗେ ତାର ସମ୍ପର୍କ ନାଇଁ-

 

ସେ ମନ୍ଦିର ପାଖରେ ସୁବିଧା ନଥିଲା ଜଗିବା ପାଇଁ । ଠିକ୍ କଲୁ ମନ୍ଦିରର ସାମ୍ନାପାଖରେ ରହିବୁ । ମନ୍ଦିରର ଏ ଅଂଶଟି ଆଗକୁ ବାହାରି ଆସିଚି । ସାଧାରଣ ଅବସ୍ଥାରେ ମୋ ସାଙ୍ଗମାନେ ବା ମୁଁ କେହି ସେଠି ରହିବାକୁ ଚାହିଁନଥାନ୍ତୁ । ମାତ୍ର ରାତି ଆସୁଚି । ପୁଣି ମଣିଷଖିଆ ବାଘ ମାତିଚି । ଏଥିରେ ଆଉ କୁଆଡ଼େ ଯିବୁ ନା କୋଉଠି ରହିବୁ ! ମୁଁ ଗୁଳିଭରା ବନ୍ଧୁକ ନେଇ ଜଗିରହିଲି । ଅନ୍ୟ ତିନିଜଣ ପାଖଆଖରୁ କାଠଗଣ୍ଡି ସବୁ ଗୋଟାଇ ଆଣିଲେ । ସେଠି ଶୁଖିଲା କାଠ ଯାହାକୁ ଯେତେ । ସେ ରାତି ଥିଲା ଚନ୍ଦ୍ରଶୂନ୍ୟ–ତେଣୁ ଅନ୍ଧାର । ବନ୍ଧୁ ଚନ୍ଦ୍ରର ଅନୁପସ୍ଥିତିରେ ନିଆଁ ହିଁ ଦେବ ଆମକୁ ଆଲୁଅ । ନିଆଁ ଯୋଗୁଁ ଶୀତରୁ ରକ୍ଷାମିଳିବ । ଏମିତି ଅବସ୍ଥାରେ ମଣିଷଖିଆ ବାଘୁଣୀର ଅପେକ୍ଷାରେ ମନ୍ଦିର ପାଖରେ ବସିରହିବା ଖୁବ୍ ବିପଜ୍ଜନକ ।

 

ଅଳ୍ପ ସମୟ ପରେ ଜଳିଉଠିଲା ନିଆଁ । ନିଆଁ ଆମକୁ ଘେରି ରହିଲା । ସେପାଖରେ ବଣ । ବଣର ଅନ୍ଧାର ଭିତରେ ଦୁଇଫୁଟ ଦୂରରେ ମଧ୍ୟ ସେ ନରଘାତିନୀ ଲୁଚିରହିପାରେ । ମୁଁ ସ୍ଥିରଭାବରେ କାନ ଡେରିଥାଏ । ସମ୍ବରର ଡାକ ଶୁଣିଲି । ହରିଣ ବି ଡାକିଲା; କିନ୍ତୁ ଏ ସବୁ ଡାକର ପୁନରାବୃତ୍ତି ହେଲାନି । ଜାଣିଲି କୌଣସି ବିପଦ ଆଶଙ୍କାରେ ଏମାନେ ତ୍ରସ୍ତ ନୁହନ୍ତି । ଅନ୍ତତଃ ଭାରତୀୟ ଜଙ୍ଗଲର ରାଜା ସେମାନଙ୍କ ଦୃଷ୍ଟିପଥରେ ପଡ଼ିନି । ଅଧରାତି ପରେ ଠିକ୍ କଲୁ ଦୁଇଜଣ ଲେଖାଏଁ ଜଗିବୁ । ଏକାବେଳକେ ତିନିଘଣ୍ଟା । ପହିଲେ ମୁଁ ରହିଲି । ମୋ ସହିତ ଆଉ ଜଣେ ରହିଲେ । ଅନ୍ୟ ଦୁଇଜଣ ଖୁବ୍ ଶୀଘ୍ର ଶୋଇଗଲେ । ଏ ଭିତରେ ସେମିତି କିଛି ଅସ୍ଵାଭାବିକ ଘଟଣା ଘଟିନି । କେବଳ ସେଇ ହାତୀଟି ଥରେ ଆମ ପାଖକୁ ଆସିଥିଲା । ନିଆଁ ଦେଖି ଡରି ପଳାଇଲା । ପ୍ରାୟ ଦୁଇଟା ବେଳକୁ କୁଟୁରାଟାଏ ଡାକିଲା; କିନ୍ତୁ ସେ ଡାକର ପୁନରାବୃତ୍ତି କଲାନି । ଭାବିଲି ଚିତାଟିଏ ଦେଖିଚି କୃଟୁରା । ତିନିଟା ହେଲା । ଶୋଇଥିବା ଦି’ ଜଣଙ୍କୁ ଉଠାଇ ଦେଲି । ଚଟାପଟ ମାଟିରେ ପଡ଼ିଗଲି । ପଡ଼ିଲି ତ ନିଘୋଡ଼ ନିଦରେ ବୁଡ଼ିଗଲି । ସକାଳୁ ବଣ କୁକୁଡ଼ାର ଡାକ ମୋତେ ଉଠେଇଲା । ଉଇଁଆସୁଥିବା ସୂର୍ଯ୍ୟକୁ କୁକୁଡ଼ା ତା’ର ସ୍ଵାଗତ ଜଣାଇ ବନ୍ଦନା ଗୀତ ଗାଉଥିଲା ।

 

ପାଖରେ କୂଅ । କୂଅରୁ ପାଣି ଆସିଲା । ତିଆରି ହେଲା ଗରମ ଚା’ । ଆମର ବୁକୁରେ ଆଣିଲା ନୂଆ ଆଶା–ନୂଆ ଶକ୍ତି । ସେଇ ଅଶ୍ଵତ୍‌ଥ ଗଛର ପାଖକୁ ଗଲି । ବୁଢ଼ା ପୂଜାରୀଙ୍କ ଶରୀରର ଯୋଉତକ ବାକି ଥିଲା ଦେଖିଲି । କିଛି ନାଇଁ କହିଲେ ଚଳିବ–ମାତ୍ର କେତେ ଖଣ୍ଡ ଅସ୍ଥି । ଦିନରେ ଶାଗୁଣା, ରାତିରେ ହେଟା ଓ ବିଲୁଆ ବୁଢ଼ାଙ୍କର ଦିହରେ ଯାହା ଥିଲା, ଚାଟିଚୁଟି ଶେଷ କରି ଦେଇଛନ୍ତି । ସେ ଅସ୍ଥିଗୁଡ଼ିକୁ ଦେଖି ମୋ ମନରେ ଅତୀତଟା ବର୍ତ୍ତମାନ ପାଲଟିଗଲା । ଗଲା ଚାଳିଶବର୍ଷ ଧରି ଏ ମନ୍ଦିରର ସେବା କରିଥିଲେ ଏଇ ବୁଢ଼ା । ଚତୁର୍ଦ୍ଦିଗରେ ଏକ ବଣ ଥିଲା । ବଣର ଏଇ ଦୃଶ୍ୟାବଳୀ ଥିଲା । ଶୁଣୁଥିଲେ ସେ ଏଇ ସମ୍ବର ଓ ହରିଣ ଡାକ । ଆଉ ଆଜି ଅଛି କ’ଣ ! କେଇଖଣ୍ଡ ଅସ୍ଥି ! ସେ ଅଶ୍ଵତ୍‍ଥ ଗଛର କୋରଡ଼ ପାଖରେ ଅବହେଳାର ସାମଗ୍ରୀ ହେଇ ପଡ଼ିଚି ।

 

ଆମେ ଅଶ୍ଵତ୍‍ଥ ଗଛର ଚାରିପାଖକୁ ଆଖି ପକାଇଲୁ–କୋଉଠି ବାଘ ପଞ୍ଝାର ଚିହ୍ନ ମିଳିଯିବ ପରା ! ମିଲିଳାବି । ମାତ୍ର ସେଗୁଡ଼ା ଏଇ ବାଘୁଣୀର ବୋଲି କହିବା ଦୁଷ୍କର ।

 

ନ’ଟା ବେଳକୁ ଗୁଣ୍ଡାଲମ୍ ଆଡ଼କୁ ବାହାରିଲୁ । ଲମ୍ବା ତେଇଶ ମାଇଲ ବାଟ । ସେଠି ପହଞ୍ଚିଲୁ ପାଞ୍ଚଟାବେଳେ । ଏଠି ପଚରାଉଚରା କଲି । ଜଣେ ଲୋକଠୁ ଉପାଦେୟ ଖବରଟାଏ ପାଇଲି । ସେ କହିଲା ଯେ, ସେ ଗାଈ ଜଗେ । ଗଲାଥର ଯୋଉଠି ମୁଁ ପଣ୍ଡାଟାଏ ବାନ୍ଧିଥିଲି, ସେଇଠି ସେ ଗାଈ ଚରାଉଥାଏ । ତା’ ସାଥିରେ ଆଉ ଜଣେ ଗଉଡ଼ ଥିଲା । ସେ ଝାଡ଼ାଗଲା । ମାତ୍ର ବୁଦା ସେପାରିରେ ସେ ଠିକ୍ ବସିବାକୁ ଯାଉଚି ଦେଖାଗଲା ଗୋଟାଏ ବାଘମୁଣ୍ଡ । ସେ ମୁଣ୍ଡରେ କାନଟାଏ ନଥିଲା । ତା’ପରେ ପରେ ସେ ଲୋକ ପାଟିକରିଚି, ମାତ୍ର ସେଇ ମୁହୁର୍ତ୍ତରେ ପଟାପଟାଳିଆ ସେ ଭୟଙ୍କର ଜୀବଟାର ତୀକ୍ଷଣ ଦାନ୍ତ ଲୋକଟିର ବେକ ଚିରିଦେଇଚି । ନିମିଷକ ମଧ୍ୟରେ ଲୋକଟିକୁ ବୋହିନେଇ ମଣିଷଖିଆଟା ଜଙ୍ଗଲ ଭିତରେ ଲୁଚିଗଲା ।

 

ଏଇ ଖବରଟାକୁ ମୁଁ ଚାହିଁ ବସିଥିଲି । ଜାଣିଲି ଏ ହତ୍ୟାକାରୀ ବାଘ ନୁହେଁ–ବାଘୁଣୀ । ସେ ମୋର ପୂର୍ବ ପରିଚିତ । ଏବେ ତା’ର ପୂର୍ବର ଚରାଭୂଇଁକୁ ଫେରିଆସିଚି । ଫେରି ଆସିଚି ଯେ–ମୋ’ର ଯୋଗୁଁ ତା’ର ସାହସ ବଢ଼ିଛି, ସେ ଅଧିକ ଚତୁରୀ ହୋଇଚି ।

 

ଗାଈ ମଇଁଷି ମାରିବା ଖବର କୋଉଠୁ ହେଲେ ପାଇଲିନି । ବାଘୁଣୀ ଏ ପ୍ରକାର ଜୀବ ମାରିବାକୁ ଚାହେଁ ନି । ତେଣୁ ଆଗପରି ମୁଁ ଆଉ ଗାଈଗୋରୁ ବାନ୍ଧି ବାଘୁଣୀକି ମାରିବାର କୌଣସି ଚେଷ୍ଟା କଲିନି । ସେଥିରେ ବହୁ ସମୟ ଓ ଶକ୍ତି ନିଃଶେଷ ହୋଇଥାଏ–ତାହା ପୁଣି ବୃଥାରେ । ତେଣୁ ସ୍ଥିରକଲି ବାଘୁଣୀକି ମୁହାଁମୁହିଁ ଆକ୍ରମଣ କରିବ–ମାରିବି ।

 

ପରବର୍ତ୍ତୀ ଦୁଇଦିନକାଳ ମୁଁ ଜଙ୍ଗଲରେ ଅନ୍ଦିକନ୍ଦି ବୁଲିଲି । ହତ୍ୟାକାରୀଣୀ ସହିତ ଦେଖାସାକ୍ଷାତ ହେଇଯିବ ପରା ! ମାତ୍ର ପ୍ରତିମୁହୂର୍ତ୍ତରେ ଆଶଙ୍କା । ସେ ଆଗରୁ ନୁହେଁ ଯେ ପଛପାଖରୁ ହୁଏତ ମୋ ଉପରକୁ ଝାମ୍ପି ପଡ଼ିବ । ବହୁତ ପଞ୍ଝାଚିହ୍ନ ପାଇଲି । ବିଶେଷରେ ଗୁଣ୍ଡାଲାମ୍ ନଦୀର ଚିକ୍‍କଣ ବାଲି ଉପରେ ବାଘୁଣୀଟା ଅନେକବାର ଯିବା ଆସିବା କରିଚି । ପ୍ରତି ପାଦଚିହ୍ନ ଦେଖିଲାବେଳେ ମୁଁ ନିଜକୁ ଧିକ୍‌କାରୁଥାଏ । ମୋ ଅସାବଧାନତାରୁ ହିଁ ଆହୁରି କେତୋଟି ଅମୂଲ୍ୟ ଜୀବନ ଅପରପୁରକୁ ଚାଲିଯାଇଚି ।

 

ତୃତୀୟ ଦିନର ମଧ୍ୟାହ୍ନ । ଦଳ ବାନ୍ଧିକରି ଲୋକ ଆସି ପହଞ୍ଚିଲେ । ଜ୍ୱାଳାଗିରିରୁ ତିରିଶ ମାଇଲ ଚାଲି ଚାଲି ଆସିଚନ୍ତି । ସେଠା ଜଙ୍ଗଲ ବିଭାଗ ବଙ୍ଗଳାର ଚ‍ଉକିଦାର ମଧ୍ୟ ଏଥର ଶିକାର ହେଇଚି । ବାଘ ବଙ୍ଗଳାଠୁ ମାତ୍ର ଶହେ ଦୂରରେ ତାକୁ ମାରିଚି ଓ ଅଧା ଖାଇଚି ।

 

ମୁଁ ସନ୍ଦେହ କଲି ବାଘୁଣୀ ଏଥର ଆସିବ ସୁଲେକୁଣ୍ଟା ଓ ଗୁଣ୍ଡାଲାମ୍‍କୁ । ବାଘୁଣୀର ବ୍ୟବହାରରୁ ଜଣାଯାଇଥିଲା ଯେ ଶିକାର କରିସାରିଲେ ସେ ସେଇ ଜାଗାରେ ରହୁ ନ ଥିଲା–ଅନ୍ୟ ଏକ ଜାଗାକୁ ଚାଲିଯାଉଥିଲା । ତେଣୁ ବାଘୁଣୀ ସୁଲେକୁଣ୍ଟାକୁ ଫେରିବାର ଯଥେଷ୍ଟ ସମ୍ଭାବନା । ମୋ ସହିତ ସେ ଲୋକମାନେ ଯିବାକୁ ବାହାରିଲେ । ସେମାନେ ତିରିଶ ମାଇଲ ବାଟ ଧାଇଁ ଧାଇଁ ଆସିଥିଲେ–ଖୁବ୍ କ୍ଳାନ୍ତ ଶ୍ରାନ୍ତ–ମାତ୍ର ମୋ ସଙ୍ଗେ ଆହୁରି ପଚିଶ ମାଇଲ ଯିବାକୁ ସେମାନେ ପ୍ରସ୍ତୁତ ଥିଲେ ।

 

ଆମେ ସୁଲେକୁଣ୍ଟାର ସେଇ ମନ୍ଦିର ପାଖରେ ପହଞ୍ଚିଲୁ । ସେତେବେଳକୁ ସୂର୍ଯ୍ୟଙ୍କର ଅସ୍ତଯିବା ସମୟ । ଦିବାଲୋକ ଅପସରି ଯାଉଚି । ଆଗରେ ଅନ୍ଧାର ରାତି । ତେଣୁ ମନ୍ଦିର ଭିତରେ ନିଆଁ ଜାଳିଲୁ । ସେଇଠି ରହିଲୁ । ବେଶ୍ ଅନେକ ଲୋକ । ନିରାପଦ ମନେ ହେଉଥାଏ । ହେଲେ, ଏଠି ଏତେ ଲୋକ ଏକାଠି ଥିବାରୁ ମୋତେ ଅଡ଼ୁଆ ଲାଗୁଥାଏ ।

 

ଏଥର ମାତ୍ର ଆମେ ଶାନ୍ତିରେ ରାତି କାଟି ପାରିଲୁନି । ରାତି ହେଉ ବଣର ଜୀବମାନେ ଅସ୍ଥିର ହୋଇଉଠିଲେ । ଶମ୍ବର, ହରିଣ, କୁଟୁରା ଡାକିଉଠିଲେ । ଆଠଟା ତିରିଶ ବେଳକୁ ମୁଁ ବାଘର ଡାକ ଶୁଣିଲି । ସେ ଡାକଟା ମୋ’ଠୁ ପ୍ରାୟ ଅଧ ମାଇଲ୍ ଦୂର ବୋଲି ମନେହେଲା । ଘଣ୍ଟାକପରେ ଏ ଡାକର ପୂନରାବୃତ୍ତି ଘଟିଲା–ମାତ୍ର ବେଶ୍ ପାଖରୁ ଆସିଲା ପରି ମନେହେଲା । ଏଥର ଜାଣିପାରିଲି–ଏ ଡାକଟା ବାଘୁଣୀର । ସେ ତା’ ସାଥୀ ବାଘକୁ ଡାକୁଚି । ଖୋଜୁଚି ତା’ ବନ୍ଧୁକୁ । ଏ ଭିତରେ ସେ ନିଆଁ ବି ଦେଖିଚି । ମଣିଷମାନଙ୍କ ଗନ୍ଧ ପାଇଚି । ଖାଦ୍ୟ ମିଳିବାର ସମ୍ଭାବନା ତାକୁ ଆଶାନ୍ୱିତ କରାଇଚି । ସେ ମନ୍ଦିରଟାକୁ ଦୁଇବେଢ଼ା କରି ବୁଲିଚି । ବନ୍ଧୁକୁ ପାଇବାର ଆଶା ମଧ୍ୟ କରିଚି । ସେଇଥିପାଇଁ ସେ ସେଇ ବନ୍ଧୁ ମିଳନର ଆଶାତ୍ମକ ଧ୍ୱନି ବି ତୋଳିଚି ।

 

ଏସବୁକୁ ମନେ ମନେ ଅନୁଶୀଳନ କଲି । ବାଘୁଣୀକି କେମିତି ଏଇ ମନ୍ଦିର ପାଖାପାଖି ରଖିହେବ ସେଇ ଚିନ୍ତାରେ ମୁଁ ବୁଡ଼ିଗଲି । ଆଉ ଗୋଟାଏ ବୁଦ୍ଧିକଲି । ପୁରୁଷବାଘର ଡାକପରି ଦୁଇଥର ବୋବାଇଲି । ଠିକ୍ ପର ମୁହୂର୍ତ୍ତରେ ଜଙ୍ଗଲର ରାଣୀ ତାର ଉତ୍ତର ହେଲା । ଏମିତିକା ସେ ଏତେ ପାଖକୁ ପଳାଇଆସି ଏଡ଼େ ଆକୁଳ ଓ ବ୍ୟଗ୍ର ହୋଇ ଡାକିଲା ଯେ, ଆମେ ସବୁ କାଠ ପାଲଟିଗଲୁ । ସେ ଏତେ ପାଖରେ ଅଛି–ଏ ଅବସ୍ଥାରେ ମୋ ଡାକକୁ ଦୋହରାଇବା ଠିକ୍ ନୁହେଁ । ତେଣୁ ମୁଁ ତାର ପୁନରାବୃତ୍ତି କଲିନି । ସେଥିରେ ଜଙ୍ଗଲ ରାଣୀର ସନ୍ଦେହ ହୋଇଥାଆନ୍ତା । ମୋ ସାଙ୍ଗମାନଙ୍କୁ କହିଲି ବେଶ୍ ପାଟିରେ କଥାଭାଷା କରିବାକୁ, ତା’ ସଙ୍ଗେ ବେଶି ନିଆଁ ଜଳିବାକୁ । ନିଆଁ ଖୁବ୍ ଜଳୁଥିଲା । ଏ ଥିଲା ଏକ ଅଦଦ୍ଭୁତ ଓ ଭୟଙ୍କର ପରୀକ୍ଷା । ମୁଁ ଭାବୁଥିଲି ପୁରୁଷବାଘ ସହିତ ସଙ୍ଗମଇଚ୍ଛା ଏବଂ ଖାଇବାକୁ ଇଚ୍ଛା–ବାଘୁଣୀର ଏ ଦୁଇଟି ଆକାଂକ୍ଷା ଓ ପିପାସାର ସୁବିଧା ନେବି । ତା’କୁ କୌଣସି ମତେ ଏଇ ମନ୍ଦିର ପାଖାପାଖିରେ ସକାଳଯାଏ ଅଟକେଇନେବି ।

 

ବେଳ ଉଇଁନି । ଉଷା ଆସିନି । ସେ ବାଘୁଣୀ ପୁଣି ବା ବାଘକୁ ଖୋଜିବା ଛଳରେ ଡାକ ଦେଲା । ଖୁସି ହେଲି । ମୋ କୌଶଳ କାମ କରିଚି । ବାଘୁଣୀ ଏଇ ପାଖରେ ଅଛି । ଖୁବ୍ ଶୀଘ୍ର ମୋ କୌଶଳ ବଢ଼ିଚାଲିଲା । ସୂର୍ଯ୍ୟ ଉଠିଲା । ବେଶ୍ ଆଲୁଅ ହେଲା । ମୁଁ ଆଗର ସେଇ ତେନ୍ତୁଲିଗଛ ପାଖକୁ ଦୌଡ଼ିଲି । ମନେ ମନେ ସେ ଜାଗାର ଚିତ୍ର କରି ନେଇଥାଏ । ଏଇଠି ବାଘୁଣୀ ସେ ପିଲାକୁ ଖାଇଥିଲା । ଏବେ ତା’ ସହିତ ଏଇଠି ମୁକାବିଲା ହେବ ।

 

ତେନ୍ତୁଳିଗଛ ପାଖରେ ପହଞ୍ଚିଗଲି । କିନ୍ତୁ ଅସୁବିଧା ହେଇନି । ବାର ତେରଫୁଟ ଉପରକୁ ଉଠିଲି । ସେଠି ଡାଳସନ୍ଧିରେ ଆରାମଦାୟକ ଜାଗା ବାଛି ବସିଲି । ଏଇଠୁ ରାସ୍ତା ଦୁଇପାଖକୁ ବାରିହୋଇ ଦିଶୁନି ।

 

ମୋ ହୃଦଯନ୍ତ୍ରକୁ ପବନରେ ଭରିନେଇ ଗୋଟାଏ ବାଘର ଡାକ ଛାଡ଼ିଲି–ଠିକ୍ ସେମିତି ବାଘୁଣୀ ପାଇବାକୁ ବାଘଟା ପାଗଳ ହେଇ ଉଠିଛି । ନିରବତା ଛଡ଼ା ଆଉ କୌଣସି ଉତ୍ତର ଆସିଲାନି । ସନ୍ଦେହ ହେଲା, ବାଘୁଣୀ ସେଇ ମନ୍ଦିର ପାଖରେ ଅଛି କି କୁଆଡେ଼ ଯାଇଛି । ହୁଏତ ସେଇଠି ସେ ଛକି ରହିଛି । ଗଲା ରାତିରେ ଯୋଉ ଲୋକମାନେ ଥିଲେ ତା’ ଭିତରୁ ଜଣେ ଲୋକ ଖସିଯାଇଚି–ଏକଥା ସେ ଜାଣିଗଲାଣି ।

 

ମନ୍ଦିର ଛାଡ଼ିବା ଆଗରୁ କାନେ କାନେ କହିଥିଲି–କେହି ଯେମିତି ବାହାରକୁ ଆସିବେନି-। ଝାଡ଼ା ପରିସ୍ରା ପାଇଁ ବାହାରେ ଯିବାର କଥା । ମନ୍ଦିରକୁ ଲାଗି କୁଅଟା । କୂଅରୁ ପାଣି ଆଣିବା ଦରକାର । ଆଉ ଏ ଅବସ୍ଥାରେ କେହି ଯଦି ମୋ କଥା ନ ମାନେ !

 

ମୁଁ ଦ୍ୱିତୀୟରେ ଡାକିଲି । ଉତ୍ତର ନାହିଁ । କିଛି ବେଳ ରହିଗଲି । ତା’ପରେ ଫୁସ୍‌ଫୁସ୍‌କୁ ଫାଟିବା ଯାଏ ଫୁଲେଇ ଗର୍ଜିଲି । ଏଥର ନାମ ହେଲା । ମୋ ଡାକର ତରଙ୍ଗ ବନର ଗଛ ଲତା ବେଦି ବାଘୁଣୀ କାନରେ ବାଜିଲା । ଉତ୍ତରଦେଲା ବାଘୁଣୀ । ଉତ୍ତରଟା ଆସିଲା ସେଇ ମନ୍ଦିରଆଡ଼ୁ-। ମୋ ସନ୍ଦେହଟା କେତେ ଦ୍ଵର ଠିକ୍ ଜାଣିପାରିଲି । ଲୋଭିଣୀଟା ମଣିଷଟାଏ ମାରିବାକୁ ସେ ପାଖରେ ଉଣ୍ଡି ବସିଚି ।

 

କେତେ ମିନିଟ ଗଲା । ଚତୁର୍ଥଥର ପାଇଁ ଡାକ ଛାଡ଼ିଲି । ଭସିଆସିଲା ବାଘୁଣୀର ସ୍ଵୀକୃତି । ସେ ମୋ ଆଡ଼କୁ ଆସୁଥାଏ । ଭାବୁଥାଏ ତା’ର ଅପେକ୍ଷାରେ ରହିଚି ବଣର ରାଜା । ତା’ ସହିତ ମିଳିତ ହେବାର ଆଶାରେ ସେ ଧାଇଁଆସୁଥାଏ ।

 

ଆଉ ଦୁଇ ଡାକ ପକାଇଲି । ଶେଷ ଆହ୍ୱାନର ଉତ୍ତର ପାଇଲି ପ୍ରାୟ ଶହେ ଗଜ ଦୂରରୁ-। ବନ୍ଧୁକ ସଜେଇ ନେଲି । ମୋ’ଠୁ ପ୍ରାୟ ପଚିଶ ଗଜ ଦୂରରୁ ଗୋଟାଏ ଜାଗାକୁ ଲକ୍ଷ୍ୟ କରିଥାଏ । ଭାବୁଥାଏ ତିରିଶ ସେକେଣ୍ଡରୁ କମ୍ ସମୟରେ ବାଘୁଣୀ ସେଇ ଜାଗାରେ ପହଞ୍ଚିଯିବ । ମୁଁ ଘଡ଼ି ଦେଖୁଚି–ଠିକ୍ ସତେଇଶ ସେକେଣ୍ଡ ବେଳକୁ ବାଘୁଣୀ ଆସି ହାଜର । ଆଖିରେ ତା’ର ଖୋଜିବାର ପ୍ରଶ୍ନବାଚୀ–କାହିଁ ତା’ର ବନ୍ଧୁ ! ମୁଁ ଯୋଉଠି ବସିଥିଲି ସେଇଠୁ ତା’ ମୁଣ୍ଡର ସେଇ ଅଧାଛିଣ୍ଡା କାନଟା ଦିଶୁଥାଏ । ଜାଣିଲି, ବହୁ ପରିଶ୍ରମ, ବହୁ କ୍ଳାନ୍ତ ଚେଷ୍ଟାର ପରେ ଏଇ ହତ୍ୟାକାରିଣୀ ମୋ’ ସାମ୍ନାରେ ପହଞ୍ଚିଛି । ଏଥର ତା’କୁ ଛାଡ଼ିବା ଉଚିତ୍ ନୁହେଁ । ମୋ’ର କୌଣସି ତ୍ରୁଟି ରହିବା ଠିକ୍ ନୁହେଁ ।

 

ବାଘୁଣୀ ମାଡ଼ିଆସୁଥାଏ । ଗଳାକୁ ଚାପି ମୁଁ ଗୁଣୁଗୁଣୁ କଲି । ଚମକିଗଲା ବାଘୁଣୀ । ଅଦ୍‌ଭୂତ ବିସ୍ମୟରେ ସେ ଉପରକୁ ଚାହିଁଦେଲା । ପର ସେକେଣ୍ଡରେ ୪୦୫ର ଗୁଳି ତା’ଦୁଇ ଆଖିର ମଝି ଭେଦକଲା । ସେ ଘୁମୁସି ହୋଇ ଆଗରେ ମୋଡ଼ିମାଡ଼ି ହେଇ ପଡ଼ିଲା । ତା’ ଖପୁରିକି ଲକ୍ଷ୍ୟ କରି ଆଉ ଗୋଟାଏ ଗୁଳି ଛାଡ଼ିଲି । ମାତ୍ର ଏ ଗୁଳିର ବ୍ୟବହାର ଥିଲା ପ୍ରୟୋଜନହୀନ । ବରଂ ଏ ଗୁଳିଟା ବାଘୁଣୀର ମୁଣ୍ଡକୁ ନଷ୍ଟକରିଦେଲା । ଗୁଳି କାଢ଼ି ଚମଡ଼ା ଛଡ଼ାଇଲାବେଳେ ବହୁ ଅସୁବିଧା ହେଲା ।

 

ଜ୍ଵାଳାଗିରିର ଏଇ ନିଷ୍ଠୁର ହତ୍ୟାକାରିଣୀ, ମାନବ ଦ୍ଵେଷିଣୀର ଜୀବନ ଏମିତି ଭାବରେ ଶେଷହେଲା । ସେ ମଲା ଗୋଟାଏ ଭୀରୁ କୌଶଳରେ । ତା’ ପରିକା ଜୀବକୁ ମୁଁ ଯେମିତି ମାରିଲି, ସେଥିରେ ମୋ ବିବେକ ମୋତେ ବେଳେବେଳେ ଦଂଶନ କରେ । ତା’ ଭିତରେ ମିଳନେଚ୍ଛା ଜାଗ୍ରତ କରି, ତା’କୁ ଭୁଲାଇ ମାରିବାରେ ବିଶେଷ ବାହାଦୁରୀ ନାହିଁ ।

 

ଆଉ ବେଶି କହିବାର କିଛି ନାଇଁ । ମୋର ସେଇ ଏଗାର ଜଣ ସାଥୀ ଏ ରାତ୍ରିଚରର ମୃତ୍ୟୁରେ ନାଚିଉଠିଲେ । ଗୋଟିଏ ଟାଣ ଗଜା ଗଛ କଟାଗଲା । ଲଇରେ ବାଘୁଣୀର ଗୋଡ଼ ବନ୍ଧାଗଲା । ତାକୁ ବୋହି ଆମେ ସାତ ମାଇଲ ବାଟ ଚାଲିଲୁ । ସେ ଗାଁରେ ପହଞ୍ଚିବା ଯାଏ ଆମେ ଗୋଟିଏ ଲୋକକୁ ବି ଦେଖିପାରିନଥିଲୁ । ବାଘୁଣୀର ଡ‌ରରେ ସମସ୍ତେ କବାଟ କିଳି ଲୁଚି ରହିଥିଲେ । ବାଘୁଣୀ ମରିଚି–ଏ ଖବର ବିଜୁଳି ଗତିରେ ଖେଳିଗଲା । ତା’କୁ ଦେଖିବାକୁ ଲାଗିଗଲା ଭିଡ଼ । ସେମାନଙ୍କର ଅନେକ ଦିନର ଏ ଥିଲା ଶତ୍ରୁ । ସେଇ ଶତୃକୁ ଲୋକେ ଆଖି ପୂରାଇ ଦେଖନ୍ତୁ !

 

ମୁଁ ଟିକେ ଦୂରକୁ ଗଲି । ଗୋଟାଏ ଗଛମୂଳରେ ଚା’ ତିଆରି ହେଲା । ଚା’ ସାଙ୍ଗକୁ କିଛି ଖାନା, ଦୁଇ ପାଇପ୍ ଟବାକୋ । ବେଶ୍ ଆରମ୍ ଲାଗିଲା । ଫେରିଲି ଗାଆଁକୁ । ଆଗ୍ରହୀ ଲୋକଗୁଡ଼ିକ ମୋ ଦୁଇଜଣିଆ ଷ୍ଟୁଡ଼ିବେକ୍‌ରରେ ବାଘୁଣୀଟିକୁ ଚିପିଚାପି ପୁରାଇ ଦେଲେ । ଆତତାୟିନୀର ମୃତ ଶରୀରକୁ ନେଇ ମୁଁ ଘରମୁହାଁ ଆସିଲି । ମନକୁ ଆଶ୍ଵାସନା ଦେଉଥାଏ–ସେ ଦିନ ଯୋଉ ଭୁଲ କରିଥିଲି, ତାକୁ ଆଜି ସମାଧାନ କରିଦେଲି । ଅନେକ ମୃତ୍ୟୁର କାରଣକୁ ଏମିତି ଦୁନିଆଁରୁ ଦୂରେଇନେଲି ।

Image

 

Unknown

ଗୁମାଲାପୁରର ଦୁଷ୍ଟ ଚିତା

 

ଗ୍ରୀଷ୍ମମଣ୍ଡଳର ସବୁ ଜଙ୍ଗଲରେ ଚିତାବାଘ ଦେଖାଯାଆନ୍ତି । ଭାରତୀୟ ଜଙ୍ଗଲରେ ଏହି ପ୍ରାଣୀଟି କେଉଁ ଯୁଗରୁ ରହିଆସୁଛି । ବାଘ ଭାରତକୁ ଉତ୍ତର ଦିଗର ଥଣ୍ଡା ଅଞ୍ଚଳରୁ ବହୁତ ପରେ ଆସିଚି ।

 

ବାଘଠୁ ଚିତା ଆକାରରେ ଛୋଟ, ପୁଣି ବାଘ ତୁଳନାରେ କମ୍ ବଳଶାଳୀ । ତା’ ଛଡ଼ା ଚିତା ମଣିଷକୁ ଡରେ । ତେଣୁ ଲୋକେ ଅନେକ ସମୟରେ ଚିତାବାଘକୁ ସେତେ ଖାତିର କରନ୍ତିନି-। ଫଳରେ ଅନେକ ଲୋକ ଏହା ଦ୍ଵାରା ଖଣ୍ଡିଆ ଖାବରା ହୁଅନ୍ତି, ଏପରିକି ମୃତ୍ୟୁବରଣ କରନ୍ତି । କିନ୍ତୁ ଚତୁର ଶିକାରୀ ଚିତାର ବ୍ୟବହାର ସଂପର୍କରେ ବେଶ୍ ସାବଧାନ ହୋଇଥାଆନ୍ତି । ମଣିଷକୁ ଆକ୍ରମଣ କଲାବେଳେ ଚିତା ତା’କୁ ମାରେନି । ସେ ମଣିଷକୁ କଦର୍ଯ୍ୟ କରି କାମୁଡ଼ି ପକାଏ । ବାଘଠୁଁ ଅପେକ୍ଷକୃତ ଛୋଟ ନଖ ତାର । ନଖରେ ରାମ୍ପୁଡ଼ି ବିଦାରି କ୍ଷତବିକ୍ଷତ କରିପକାଏ । ସେ ଅବସ୍ଥାରେ ଲୋକ ମରିବ ହିଁ ମରିବ ।

 

ଚିତା ମଣିଷଖିଆ ପାଲଟିଗଲେ ତା’ର ଏହି ବ୍ୟବହାରରେ ବି ପରିବର୍ତ୍ତନ ଦେଖାଯାଏ । ଅବଶ୍ୟ ଖୁବ୍ କମ୍ ସ୍ଥଳରେ ଚିତା ମଣିଷମାରୁ ହୁଏ; କିନ୍ତୁ ଥରେ ମଣିଷମାରୁ ହେଲେ, ଅବସ୍ଥା ସାଙ୍ଘାତିକ ହୁଏ । ଜୀବଟା ଗୋଟାଏ ମଣିଷମରା ଯନ୍ତ୍ର ପାଲଟି ଯାଏ । ବାଘଟା ତା’ର ବଡ଼ଭାଇ । କିନ୍ତୁ ସେ ବାଘ ପରି ଭୟଙ୍କର ହୋଇଉଠେ । ଆକୃତି ଛୋଟ, ତେଣୁ ଅତି ଅଦ୍ଭୁତ ଭାବରେ ସେ ଛପିରହେ । ଯୋଉ ଜାଗାରେ କେହି ସନ୍ଦେହ କରିବେନି, ସେଭଳି ଜାଗାରେ ସେ ଲୁଚିଯାଏ । ଭୀଷଣ ଭାବରେ ଧୁର୍ତ୍ତ ଓ ଚାଲାକ ଏ ଜୀବଟା । ଜୀବନ ରକ୍ଷା ପାଇଁ ନିଃଶବ୍ଦରେ ସମସ୍ତଙ୍କ ଆଗୋଚରରେ ଶିକାର ସ୍ଥଳରୁ ଅନ୍ତର୍ହିତ ହୋଇଯାଏ । ପୁଣି ଚିତା ବେଶି ପାଣି ଦରକାର କରେନି । ଏସବୁ ଦିଗରୁ ଚିତାର ସମକକ୍ଷ ଜୀବ ଆଉ ନାଇଁ ।

 

ଏମିତି ଜୀବଟାଏ ଥିଲା–ଗୁମାଲପୁରର ସେଇ ମଣିଷମାରୁ ଚିତାବାଘ । ବୟାଳିଶ ଜଣ ମଣିଷ ଶିକାର କରି ଏ ଚିତା ନୂଆ ରେକର୍ଡ଼ ରଖିଗଲା । ଏତେ ଚତୁର ଆଉ ଧୂର୍ତ୍ତ ଯେ, ମଣିଷର ସବୁ ବୃଦ୍ଧି ବୃତ୍ତିକି ସେ ଫାଙ୍କି ଦେଉଥିଲା । ତାର ଦୁଷ୍ଟ ମା ଓ ଶୈତାନୀ ଉପରେ ଅନେକ ଅଦ୍ଭୁତ କଥା ଶୁଣାଯାଏ । ଦୁଇ ଶହ ପଚାଶ ବର୍ଗ ମାଇଲ୍ ବିରାଟ ଅଞ୍ଚଳରେ ସେ ଗୋଟାଏ ଭୟର ରାଜୁତି ଚଳାଇଥାଏ ।

 

ସଂଧ୍ୟା ହେଲା ସଙ୍ଗେ ସଙ୍ଗେ ଅଞ୍ଚଳ ଗୋଟାରେ ମାଛି ପଡ଼ିଯାଏ । ପ୍ରତି ଘର, କୁଡ଼ିଆର କବାଟ ତାଟି ପଡ଼େ । ଘରର ଭିତର ବାକ୍‌ସ, ବଡ଼ ବଡ଼ ପଥର ସବୁ କବାଟ ପାଖରେ ଜମାହୁଏ । ସକାଳ ହୋଇଯାଏ । ମାତ୍ର ଲୋକେ ନିଜ ଘରେ ସେମିତି ବନ୍ଦୀ ହୋଇ ରହନ୍ତି । ସୂର୍ଯ୍ୟ ଖୁବ୍ ଉପରକୁ ଉଠିଲେ, ଚାରିଆଡ଼େ ଟାଣ ଖରା ହେଲେ, ଲୋକେ ଘରୁ ବାହାରନ୍ତି । ଏ ଅବସ୍ଥା ଅନେକ ଦିନ ଧରି ଚାଲିଲା । ଲୋକଙ୍କ ସ୍ୱାସ୍ଥ୍ୟରକ୍ଷାର ବ୍ୟବସ୍ଥା ଓଲଟ ପାଲଟ ହୋଇଗଲା । କାହାରି ଘରେ ପାଇଖାନାର ବନ୍ଦୋବସ୍ତ ନାଇଁ । ଗାଁ ପାଖରେ ଥିବା ଅନାବାଦୀ ପଡ଼ିଆରେ ସେମାନେ ଝାଡ଼ା ଯାଆନ୍ତି, ଅଥଚ ଚିତାର ଭୟରେ ସେ ଆଡ଼କୁ କେହି ସକାଳୁ ଯିବାକୁ ସାହସ କଲେ ନାହିଁ ।

 

ଏହା ଫଳରେ ଚିତା ଆଉ ବେଶି ମଣିଷ ମାଂସ ପାଇଲାନି । ତା’ ପାଟିରେ ମଣିଷ ମାଂସର ସ୍ଵାଦ ଲାଗିଚି । ସେ ଅଧିକ ସାହସୀ ହୋଇଉଠିଲା । ଦୁର୍ବଳ କାନ୍ଥ କଣାକରି ସେ ପଶିଲା କୁଡ଼ିଆରେ । ଆକ୍ରମଣ କଲା ମଣିଷକୁ । ଭୟରେ କାତର ମଣିଷଟି ପାଟିକରି ଉଠିଲା । ତା’ଉପରେ ଆକ୍ରମଣ ଚଳାଇଲା ଜନ୍ତୁଟା । ମଣିଷର କାତର ଡାକରେ ଗାଆଁ ଥରିଗଲା । ସବୁ ଘରେ ପୁରୁଷ ସ୍ତ୍ରୀ ସେ କାତର ଚିତ୍କାର ଶୁଣିଲେ । ସେମାନେ ଡରରେ ଥରହର । କେହି ବାହାରିଲେନି । ମଣିଷକୁ ଉଠାଇ ନେଇଗଲା ଚିତା । ଏମିତି ଦୁଇ ଦୁଇ ଥର ଘଟିଲା । ଆଉ ଥରେ ସେ ଜୀବଟା କାନ୍ଥ ବିଦାରିଲା । ଛଡ଼ାଇ ଦେଲା ମାଟି ଅଂଶକୁ । ତା’ପରେ ଥିଲା କାଠର ପଟା । ସେ ପଟାକୁ କାଢ଼ି ପାରିଲାନି । ସେଇଠୁ ଚଢ଼ିଲା ଛାତ ଉପରକୁ । ଛାତକୁ ଖସିଲା ଘର ଭିତରକୁ । ସେଥିରେ ଗୋଟି ଗୋଟି କରି ଚାରିଗୋଟି ମଣିଷକୁ ମାରିଲା–ବାପ, ମାଆ, ଦୁଇ ପୁଅ । କାହାକୁ ବୋହି ନେଇ ପାରିଲାନି–ରାଗରେ ସମସ୍ତଙ୍କୁ ମାରିପକାଇଲା । ତା’ପରେ ଉପରକୁ ଉଠି ଅନ୍ଧାର ମଧ୍ୟରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା । ଏମିତି ଭୟଙ୍କର ଥିଲା ସେ ଜୀବଟା ।

 

ଦିନବେଳେ ଗାଁ ଲୋକେ ଟିକେ ଆଶ୍ଵସ୍ତ ଥାଆନ୍ତି । ତଥାପି ଦିନରେ ବି ସେମାନେ ଦଳ ଦଳ ହେଇ ଯାଆନ୍ତି । ସାଥିରେ ଥାଏ ଠେଙ୍ଗା, ବାଡ଼ି, ଟାଙ୍ଗିଆ ଆଦି । ମାତ୍ର ଦିନରେ ସେ କାହାକୁ ଆକ୍ରମଣ କରୁ ନ ଥାଏ । ଅବଶ୍ୟ ସକାଳେ ଗାଁର ଆଖ ପାଖରେ ବୁଲୁଥାଏ ।

 

ଏମିତି ଅବସ୍ଥାରେ ଜିଲ୍ଲାପାଳ ଜେପ୍‌ସନ ଚିଠିଟାଏ ଲେଖିଲେ । ଅନୁରୋଧ ଜଣାଇଲେ ଗାଁଲୋକଙ୍କୁ ଏ ଶୈତାନ କବଳରୁ ରକ୍ଷାକରିବାକୁ । ଖବର ପାଇ ସଙ୍ଗେ ସଙ୍ଗେ ସେ ଗାଁକୁ ଗଲି । ସେଠା ଲୋକଙ୍କ ସଙ୍ଗେ କଥା ଭାଷା ହେଲି । ବିଚାରାଟିମାନେ ନୈରାଶ୍ୟରେ ବିବାକ୍ ଭାଙ୍ଗି ପଡ଼ି ଥାଆନ୍ତି । ଶୈତାନଟା କାଳେ ତାଙ୍କ ଗାଁକୁ ଆସିଚି–ସେଠି ସମସ୍ତଙ୍କୁ ମାରିବ, ତେବେ ଯାଇ ତା’ର ଶାନ୍ତି ଆସିବ । ସେମାନେ ସମସ୍ତେ ମରିବେ, ନ ହେଲେ ସେ ଜିଲା ଛାଡ଼ି ଅନ୍ୟ କୁଆଡ଼େ ପଳାଇଯିବେ । ପ୍ରାଚ୍ୟଦେଶବାସୀମାନଙ୍କ ପରି ଏ ଲୋକେ ନିଜର କର୍ମକୁ ଖାଲି ନିନ୍ଦୁଥାଆନ୍ତି ।

 

ଏମିତି ଅବସ୍ଥାରେ ଏ ଲୋକଙ୍କଠାରୁ ମୁଁ କି ସାହାଯ୍ୟ ପାଆନ୍ତି ? ବରଂ ସେମାନେ ଖୋଲାଖୋଲି ମୋତେ କୌଣସି ପ୍ରକାର ସାହାଯ୍ୟ କରିବାକୁ ମନାକରିଦେଲେ । କହିଲେ ଶୈତାନ ଶୁଣିନେବ । ସେଇଟାତ ଜୀବ ନୁହେଁ–ସେଇଟା ଗୋଟାଏ ପିଶାଚ । ସେ ପ୍ରତିଶୋଧ ନେବ । ସେମାନଙ୍କ ବଂଶ ବୁଡ଼ାଇ ଦେବ । ସତକୁସତ ସେମାନେ ଖୁବ୍ ଚୁପ୍‌ଚାପ୍ କଥାଭାଷା ହେଉଥିଲେ । ବଡ଼ ପାଟିରେ କଥା ହେବାକୁ ବି ସେମାନଙ୍କର ଡର- ପିଶାଚଟା କାଳେ ଶୁଣି ପକାଇବ–ତା’ ହେଲେ ସେ ଲୋକଙ୍କୁ ଚିହ୍ନିବ ଓ ରକ୍ତ ପିଇବ ।

 

ମୋ’ର ଜିଦ୍ ବଢ଼ିଗଲା । ସରଳ ନିରୀହ ଲୋକଗୁଡ଼ିକୁ ନିଶ୍ଚୟ ମୁଁ ରକ୍ଷାକରିବି । ସେମାନେ ମୋତେ ସାହାଯ୍ୟ କରନ୍ତୁ ବା ନକରନ୍ତୁ କିଛି ଯାଏଆସେନି । ଏଇ ଜିଦ୍‌ରେ ମୁଁ କାମ ଆରମ୍ଭ କଲି ।

 

ସେ ରାତିରେ ଚଉକିଟାଏ ନେଇ ଗାଆଁ ମଝିରେ ବସିଲି । ପଛ ପାଖରେ ଥାଏ ଗୋଟାଏ କାନ୍ଥ । କାନ୍ଥଟି ବାରଫୁଟ ଉଚ୍ଚ । କାନ୍ଥ ଉପରେ ଅନେକ ପ୍ରସ୍ତ କଣ୍ଟା ଛାଟି ଦେଇଥାଏ–କାଳେ ପଛ ପାଖରୁ ଚିତାଟା ଡେଇଁବ–ତା’ ହେଲେ କଣ୍ଟା କାଟି ଆସି ପାରିବନି । ରାତିଟା ଥିଲା ଚନ୍ଦ୍ରବିହୀନ । ମାତ୍ର ଆକାଶ ଥିଲା ବେଶ୍ ପରିଷ୍କାର । ପରିଷ୍କାର ଆକାଶ ତଳେ ଅସଂଖ୍ୟ ତାରା । ସେମାନଙ୍କ ଆଲୁଅ ଯଥେଷ୍ଟ ଭାବରେ ଚଉଦିଗକୁ ଆଲୋକିତ କରୁଥାଏ । ଅନ୍ତତଃ ଚିତା ଆସିଲେ ମୁଁ ତାକୁ ଦେଖିପାରିବ–ଏ ଭରସା ଥାଏ ।

 

ସଞ୍ଜବେଳୁ ଗାଁ ପଡ଼ିଗଲା । ଲୋକେ ଜୀବନ ବିକଳରେ ଯେଝା ଘରେ ଢୁକିଗଲେ । ଭିତର ପାଖରୁ କବାଟ କିଳି ରହିଲେ । ଗାଁ ଦାଣ୍ଡଟାରେ ମୁଁ ଥାଏ ଏକା । ଗୁଳି ଭରା ବନ୍ଧୁକଟି ମୋ କୋଳରେ ପଡ଼ିଥାଏ । ପାଖରେ ଥାଏ ଗରମ ଚା’–ଗୋଟାଏ ଫ୍ଲାସ୍କରେ ପୂରା, କିଛି ବିସ୍କୁଟ, ଗୋଟାଏ ଟର୍ଚ, କିଛି ଟବାକୋ ଓ ଦିଆସିଲି । ଏଇସବୁ ତ ମୋ’ର ଅସଲ ସାଥୀ ! ଦିନ ଆସିବା ଯାଏ ଏଇ ସାଥୀମାନଙ୍କ ସହ ମୋତେ ଚଳିବାକୁ ପଡ଼ିବ ।

 

ସଞ୍ଜ ହୋଇଗଲା । କିଛି ସମୟ ବାଦ୍ ପାଗ ଗୋଳମାଳ ହୋଇଗଲା । ତାରାଗୁଡ଼ିକ ସେମିତି ପରିଷ୍କାର ଦିଶୁନଥାନ୍ତି । ଗାଁର ଠିକ୍ ପଶ୍ଚିମକୁ ଲାଗିକରି ଦିଟା ଉଚ୍ଚା ପାହାଡ଼ । ସେ ଦୁଇଟା ଗାଁ ଭିତରର ଅନ୍ଧାରକୁ ବଢ଼ାଇଦେଲେ ।

 

ବନ୍ଧୁକଟାକୁ ଧରିଥାଏ । ଚାରିଆଡ଼କୁ ନିରୀକ୍ଷଣ କରୁଥାଏ । ନିର୍ଜନ ଗାଆଁର ଦାଣ୍ଡ । ଏମୁଣ୍ଡରୁ ସେ ମୁଣ୍ଡଯାଏ ମୋ ଆଖି ବୁଲି ଆସୁଥାଏ । ଏ ଅବସ୍ଥାରେ ଜଙ୍ଗଲଟା ଅନେକ ଭଲ । ସେଠି ବଣର ପ୍ରହରୀସ୍ୱରୂପ ପଶୁ ପକ୍ଷୀ ଅଛନ୍ତି । ସେମାନେ ଏଇ ଛାପମରା ଜୀବ ଗୁଡ଼ାକର ଯିବା ଆସିବା କଥା ଜଣାଇ ଦିଅନ୍ତି–ମୋତେ ଅସୁବିଧା ହୁଅନ୍ତାନି । ଏଠି ଖାଲି ନୀରବତା । ଏହା ଥିଲା ମୃତ୍ୟୁର ଭୟାର୍ତ୍ତ ନୀରବତା । ମନେହେଉଥାଏ, ସାରାଗାଁ ଜନଶୂନ୍ୟ; ଅଥଚ ପ୍ରତି ଘର କବାଟ କିଳା କୋଠରୀ ଭିତରେ ଲୋକେ ଜାଗିବସିଥିଲେ । ସେମାନେ ଖାଲି ଟାକିକରି ବସିଥାଆନ୍ତି–ମୋ’ର ବିକଳ ଆର୍ତ୍ତ–ଚିତ୍କାରକୁ ! ଚିତାର ପାଟିରେ ଆଉ ଜଣେ ମଣିଷର ଜୀବନ ଯିବ ।

 

ସମୟ ବଢ଼ି ଚାଲିଥାଏ । କ୍ରମେ ତାରାଗୁଡ଼ିକ ସଫାହେଇ ଆସୁଥାଆନ୍ତି । ସାତଟା ପନ୍ଦର । ଏବେ ପୂରାପୂରି ନ ହେଲେ ବି କିଛିଟା ଅସ୍ପଷ୍ଟ ଭାବରେ ମୁଁ ଗାଁ ଦାଣ୍ଡଟା ଦେଖି ପାରୁଚି । ମୋର ବିଶ୍ଵାସ ଫେରିଆସିଲା । ଏମିତି ଅବସ୍ଥାରେ ମୁଁ ଆଉ ଗୋଟିଏ ବୁଦ୍ଧି କଲି । ଭାବିଲି ଚିତାଟାକୁ ମୋ ଆଡ଼କୁ ଆକର୍ଷଣ କରିବି । ତେଣୁ ମୁଁ ଜୋର୍ କରି ମିଛରେ ମିଛରେ କାଶିଲି । ମନକୁମନ କଥା ହେଲି । ଭାବୁଥାଏ ପାଖଆଖରେ ଥିଲେ, ଜୀବଟା ଅଲବତ୍‌ ମୋ କଥା, ମୋ ସ୍ଵର ଶୁଣିପାରିବ । ତା’ ହେଲେ ମୋ ଆଡ଼କୁ ମାଡ଼ି ଆସିବ ।

 

ମୋ ପାଠକମାନେ ମନକୁମନ କଥା ହେବାକୁ କେବେ ଚେଷ୍ଟା କରିଛନ୍ତି କି ନାଇଁ ମୁଁ ଜାଣିନି । ମଣିଷଖିଆ ଚିତାକୁ ଆକର୍ଷଣ କରିବାକୁ କେହି ଏମିତି ଆପେ ଆପେ କଥା ହେବା ଆପଣମାନେ କେତେଦୂର ପସନ୍ଦ କରିବେ, ଭାବନ୍ତୁ । ଏମିତି ଯୋଉ ଲୋକ ନିଜେ କଥାହୁଏ, ତା’କୁ ସାଧାରଣତଃ ଲୋକେ କଅଣ ଭାବନ୍ତି ଜାଣିଥିବେ । ଗାଆଁ ଲୋକେ ଘର ଭିତରେ ଥାଇ ଏଇ ନିଜେ ନିଜେ କଥାକୁହା ମଣିଷ ବିଷୟରେ ସେଇୟା ଭାବୁଥିଲେ । କିନ୍ତୁ ଘଣ୍ଟା ଘଣ୍ଟା ଧରି ଏକାକୀ ଆପଣ ! ନିଜକୁ ନିଜେ କେତେ ବା କଥା କହିବେ ! ମୁଁ ତ ଜାଣେ ଏ କାମ ଆଦୌ ସହଜ କାମ ନୁହେଁ । ଏଣେ ପ୍ରତି ମୁହୂର୍ତ୍ତରେ ଜଗି ରହିଥାଏ–ଶୈତାନ ଚିତାଟା ଆସିଗଲା କି ।

 

ନଅଟା ବେଳକୁ ମୁଁ ପ୍ରାୟ ଥକିପଡ଼ିଲି । ଭାବିଲି, ଆଉ ଟିକେ ସାହସ କରେ–ଯାଏ ଦାଣ୍ଡ ଭିତରକୁ–ଚଲାବୁଲା କରେ । କିଛି ବେଳ ଚିନ୍ତାକଲି । ତାପରେ ସେମିତି ନିଜକୁ ନିଜେ କଥା କହି କହି ରାସ୍ତା ଉପରେ ଚାଲବୁଲ କଲି । କିଛି ବାଟ ଯାଏ–ସେପାଖ ଏପାଖ ଚାହେଁ–ପଛକୁ ଚାହେଁ । ମନେହେଲା, ମୁଁ ବିପଦର ମଝିକୁ ଚାଲିଯାଉଚି । ଚିତାଟା ଭୀଷଣ ଭାବରେ ଧୂର୍ତ୍ତ । ତହିଁରେ ଅସାଧାରଣ ଭାବରେ ତା’ର ସାହସ ବଢ଼ିଯାଇଚି । ଯେ କୌଣସି ମଇଳା ଖାତ ପାଖରୁ କିମ୍ବା ଘର ଚାଳରୁ ସିଏ ମୋ’ ଉପରକୁ କୁଦା ମାରିପାରେ । ଏ ଚିନ୍ତା ଆସିବା ସଙ୍ଗେ ସଙ୍ଗେ ମୁଁ ମୋର ଚଲାଚଲି ବନ୍ଦକଲି । ଗତି ବଢ଼ାଇ ଚ‌ଉକି ପାଖକୁ ଫେରିଆସିଲି । ସଙ୍ଗେ ସଙ୍ଗେ ଭାଗ୍ୟକୁ ଧନ୍ୟବାଦ ଦେଲି ଯେ ଜୀଅନ୍ତା ମୁଁ ଫେରିଆସିଚି ।

 

ବେଳ ଚାଲିଥାଏ–ମାତ୍ର ଖୁବ୍ ଧୀର ମନ୍ଥର ଗତିରେ–ସତେ ଯେମିତି ସମୟର ରଥ ଚକ କାଳ–ସ୍ରୋତର ବାଲିରେ ଅଟକି ଯାଇଛି । ବଡ଼ ବିରକ୍ତିକର ଏ ଅବସ୍ଥା । ମଝି ରାତି ହେଲା । ବଡ଼ ଥଣ୍ଡାପଡ଼ିଲା । ପାଖ ଜଙ୍ଗଲ‌ଆଡ଼ୁ ଜୋର୍ ଥଣ୍ଡା ପବନ ବହିବାକୁ ଲାଗିଲା । ଆହୁରି ବେଶି ଥଣ୍ଡା ଲାଗିଲା । ମୋ ପାଖରେ ଥିବା କମ୍ବଳକୁ ଦେହରେ ଘୋଡ଼ାଇ ପକାଇଲି । ଯେତିକି ସମ୍ଭାଳି ପାରିବି ତହିଁରୁ ଅଧିକ ସିଗାରେଟ ପିଉଥାଏ । ଦୁଇଟା ହେଲା, ମନେହେଲା ନିଦ ମାଡ଼ିଆସୁଚି । ଗରମ ଚା’ ବିସ୍କୁଟ୍ ଖାଇଲି । ମୁହଁରେ ବରଫ ପରି ଥଣ୍ଡା ପାଣି ଛାଟିଲି । ବସ ଉଠ ହେଲି । ଏସବୁ କରିବା ଫଳରେ ନିଦ କିଛିଟା ଛାଡ଼ିଗଲା । ଏମିତି ନିଜକୁ ଜାଗ୍ରତ ରଖିବା ଛଡ଼ା ଆଉ ଉପାୟ ନଥାଏ ।

 

ତିନିଟା ତିରିଶ ହେଲା । ଏ ସମୟରେ ଏମିତି ଗୋଟାଏ ଘଟଣା ଘଟିଲା, ଯାହାକି ମୋତେ ଅସୀମ କଷ୍ଟ ଆଣିଦେଲା । କହିଚି ପବନ ଜୋରରେ ବହୁଥିଲା । ତା’ ସହ ଆକାଶଟା ମେଘରେ ଢାଙ୍କି ହେଇଗଲା । ଏଥିରେ ଦୂର କଥା ଛାଡ଼ନ୍ତୁ, ଗଜେ ଦୂରରେ ବି ଚିତାଟା ଥିଲେ ଦେଖି ହେବନି । ବର୍ତ୍ତମାନ ମୁଁ ଗୋଟାଏ ଦୁରୂହ ପରିସ୍ଥିତିରେ ପଡ଼ିଗଲି । ଏବେ ସେ ଜନ୍ତୁର ଦୟା ଉପରେ ମୋତେ ରହିବାକୁ ହେବ । ସେ ଚାହିଁଲେ, ମୋତେ ଖୁବ୍ ସହଜରେ ଆକ୍ରମଣ କରିପାରିବ । ତେଣୁ ପ୍ରତି ଅଧମିନିଟ୍‌ରେ ମୋର ଟର୍ଚ୍ଚ ଜଳିଉଠୁଥାଏ । ଗାଁର ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଆଲୁଅ ଜଳୁଥାଏ-। ଏମିତି କଲେ ମୁଁ ବଞ୍ଚିପାରେ । ମାତ୍ର ଏ କାମ ଫଳରେ ଆଉ ଏକ ଅସୁବିଧା ହୋଇପାରେ–ସେ ଶୈତାନକୁ ଶିକାର କରିବାର ସୁଯୋଗ ମୁଁ ହରାଇପାରେ । ଏହାର ଅନ୍ୟ ଦିଗ ବି ଥାଇ ପାରେ । ସେ ଧୂର୍ତ୍ତ ଚିତାଟା ହୁଏତ ଆଲୁଅ ଦେଖି ମୋ’ ରହିଥିବା ଜାଣିବ–ମୋ’ ଆଡ଼କୁ ଆସିବ–ମୁଁ ତା’କୁ ମାରିବାର ସୁଯୋଗ ସେ ଅବସ୍ଥାରେ ଆସିପାରେ । ମାତ୍ର ଏମିତି ସୁଯୋଗ ଆସିଲାନି । ସାରାରାତି ମୁଁ ଜାଗି ରହିଲି । ସକାଳଯାଏ ସେମିତି ଟର୍ଚ୍ଚ ଜଳାଇ ଅନାଇଁ ରହିଥାଏ ।

 

ତା’ପରେ କାମଦାମ ଚଟାପଟ ସାରିଦେଲି ଆଉ ଶୋଇଗଲି । ଉପରବେଳା ଲୋକମାନଙ୍କ ସଙ୍ଗେ କିଛି କଥାଭାଷା ଚଲାଇଲି । ଲୋକେ ସକାଳୁ ମୋତେ ବଞ୍ଚିଥିବା ଦେଖି ଆଶ୍ଚର୍ଯ୍ୟ ହେଲେ । ମାତ୍ର ଏହାର ଗୋଟାଏ ସୁଫଳ ହେଲା ଯେ, ସେମାନେ ମୋ ଉପରେ କିଛିଟା ଆସ୍ଥା ଜ୍ଞାପନ କଲେ । ମୁଁ ଯେ ନିର୍ଭୀକ ଭାବରେ ଗାଁ ସାରା ରାତିରେ ବୁଲିଚି–ନିଜକୁ ନିଜେ କଥା ହୋଇଚି–ବୋଧହୁଏ ଶୈତାନ ସହିତ ମୁଁ କଥା ଭାଷା ଚଳାଇ ଥିଲି–ତେଣୁ ମୁଁ ସାଧାରଣ ଲୋକ ନୁହେଁ–ଶୈତାନର ମୁକାବିଲା କରିପାରେ–ସୁତରାଂ ପଶୁଟା ବିଷୟରେ ଅଧିକ ସମ୍ବାଦ ଦେବାକୁ ସେମାନେ ସ୍ଵୀକୃତ ହେଲେ । ଜୀବଟାର ଶିକାର କ୍ଷେତ୍ର ଖୁବ୍ ବିସ୍ତୃତ । ଅନେକ ଜାଗାରେ ଜଙ୍ଗଲରେ ରହି ସେ ପାଖର ଗାଁ ଗୁଡ଼ାକ ଥଳାଇ ଦେଇଛି । ମନ‌ଇଚ୍ଛା ମଣିଷ ମାରିଚି । ଗୋଟିଏ ଶିକାର କ୍ଷେତ୍ରରୁ ଅନ୍ୟ ଶିକାର କ୍ଷେତ୍ର ବେଶ୍ ଦୂର । ମୋ’ ଦେଖିବାରେ ଗୋଟାଏ ଗାଁରୁ ପରପର ହୋଇ ଦୁଇଥର ସେ ମଣିଷ ମାରିନି । ଗୁମାଲାପୁରରେ ଗଲା ତିନି ସପ୍ତାହରେ ସେ ମାରିନି । ତେଣୁ ଅନ୍ୟ କୁଆଡ଼କୁ ନଯାଇ, ଏଣେ ତେଣେ ନବୁଲି, ସେଇ ଜାଗାରେ ରହିବାକୁ ଠିକ୍ କଲି । ଏମିତି କ୍ଷେତ୍ରରେ ଚିତାଟା ସହିତ ମୁଲାକାତ ହେବାର ବହୁ ସମ୍ଭାବନା । ତା’ ଛଡ଼ା ମୁଁ ବୁଲିଲେ ଦିନରେ ବୁଲନ୍ତି । ଅଥଚ ସେ ତ ଦିନ ସାରା ଲୁଚି ରହେ । ରାତି ହେଲେ ତା’ ଭିତରେ ଶୈତାନ ମାତେ । ତେଣୁ ଦିନବେଳା ତା’ ସହ ସାକ୍ଷାତର ଆଶା କମ୍ । କହେ ଜଣେ କହିଲା, ପଶୁଟାର ଡାହାଣ ଆଗ ଗୋଡ଼ ଖଣ୍ଡିଏ ହେଇଥିଲା–ତେଣୁ ସେ ପଞ୍ଝା ବୁଲାଇ କରି ପକାଉଥିଲା । ପରେ ମୁଁ ତା’ ପଞ୍ଝାଚିହ୍ନ ଦେଖି ଏହାର ସତ୍ୟତା ପାଇଥିଲି ।

 

ମଧ୍ୟାହ୍ନର ଖାଇବା ସରିଗଲା । ରାତି ପାଇଁ କ’ଣ କରିବି ତା ଭାବିବାକୁ ଲାଗିଲି । ନୂଆ କଥାଟାଏ ମୁଣ୍ଡକୁ ଢୁକିଲା । ଗଲା ରାତିରେ ବହୁ ଅସୁବିଧା ଭୋଗିଥାଏ । ଏ ରାତିରେ ଅନ୍ତତଃ ସେ ସବୁର ପୁନରାବୃତ୍ତି ନ ଘଟୁ । ଠିକ୍ କଲି ଗୋଟାଏ ଘରର କବାଟ ଟିକେ ଖୋଲା ରଖିବି । ଭିତରେ ରଖିଦେବି ଗୋଟାଏ ପ୍ରତିମୂର୍ତ୍ତି । ସେଇଟା ମଣିଷ ଆକୃତିର ହୋଇଥିବ ଓ ମଣିଷ ସଦୃଶ ହୋଇଥିବ । ସେଇ ଘରେ, ସେଇ ପ୍ରତିମୂର୍ତ୍ତିର ପଛରେ ଲୁଚି ରହିବି ମୁଁ । ନିରାପତ୍ତା ପାଇଁ କେତେଟା ବାକ୍‌ସ ରଖିବି ଆଗରେ । ତା’ ହେଲେ ମୋ ଦେହରେ ଥଣ୍ଡା କାଜିବନି–ବେଶ୍ ଉଷୁମରେ ରହିବି । ଜନ୍ତୁଟା ପ୍ରତିମୂର୍ତ୍ତିକୁ ଆକ୍ରମଣ କରିବାକୁ ଆସିବ । ଆକ୍ରମଣ କରିପାରେ । ତା’ହେଲେ ଅଧା ଆଲୁଅ ଅଧା ଅନ୍ଧାର ଭିତରେ ମୁଁ ତାକୁ ଦେଖିପାରିବି । ତେଣିକି ଗୁଳି ଚଳାଇବା ମୋ ପକ୍ଷରେ ସହଜ କଥା ।

 

ଗାଁ ଲୋକଙ୍କୁ ମନକଥା କହିଲେ । ସେମାନେ ଏଥିରେ ଖୁବ୍ ଉତ୍ସାହରେ ମାତିଗଲେ । ସେମାନଙ୍କ ଉତ୍ସାହ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଯୋଉ ଘରୁ ଚିତାଟା ଚାରିଜଣ ମଣିଷକୁ ମାରିଥିଲା, ସେଇ ଘର ମୋ’ କାମ ପାଇଁ ଠିକ୍ ହେଲା । ମଣିଷ ଉଚ୍ଚର ଗୋଟାଏ ପ୍ରତିମୂର୍ତ୍ତି ତିଆରିକରାଇବାରେ ମୁଁ ଲାଗିଲି । ପୁଆଳରେ ଏ ମୂର୍ତ୍ତିଟା କରାଗଲା । ଗୋଟାଏ ମାଣ୍ଡି ବା ତକିଆରେ ତା’ ଗଣ୍ଡି ହେଲା । ତା’ ଦେହରେ ଗୋଟାଏ ଜାକେଟ ଦିଆଗଲା । ଶାଢ଼ୀ ପିନ୍ଧାଇ ଦିଆଗଲା । କବାଟ ପାଖରେ ଏଇ ପ୍ରତିମୂର୍ତ୍ତିଟିକୁ ବସାଇ ଦିଆଗଲା । କବାଟ ଥାଏ ଅଧା ଖୋଲା-। ଘରଟିର ବିପରୀତ କୋଣରେ ମୁଁ ରହିଥାଏ । ଛୋଟ କୋଠରୀଟିର ଲମ୍ବ ହେଉଚି ବାରଫୁଟ । ଓସାର ଏହାର ଦଶଫୁଟ । ଏତେ ପାଖରେ ଏମିତି ଅବସ୍ଥାରେ ବସିଥାଏ, ମନରେ ପୁରା ବିଶ୍ଵାସ ଚିତାକୁ ମାରିବାରେ ସମର୍ଥ ହେବି । କବାଟ ବାଟେ ଅସିଲେ ତ ଦେଖିପାରିବି । ନାହିଁ ତ ଛାତ କି କାନ୍ଥ କଣାକରି ଆସିଲେ ବି ଜନ୍ତୁଟାର ରକ୍ଷା ନାଇଁ । ସେ ଘରର ଦୁଇପାଖରେ ଲୋକ ଥାଆନ୍ତି । ସେମାନଙ୍କୁ କହଲି ଫୁସ୍ ଫୁସ୍ କଥା ଚଳାଇବେ, ତା’ହେଲେ ମଣିଷ ଲୋଭରେ ଚିତା ସେ ପାଖକୁ ଆସିବ । ଆଉ କବାଟ ଅଧା ଖୋଲାଥିବା ଏ ଘରେ ମଣିଷ ଅଛି ଭାବି ପଶିବ । ପାଖ ଘରର ସ୍ତ୍ରୀଲୋକମାନଙ୍କୁ ବେଶି କରି କହିଥାଏ ।

 

ସେ ପାଖ ଘରର ଲୋକେ ଏଥିରେ ରାଜିହେଲେନି । ସେମାନଙ୍କ କଥା ଶୁଣି ଜନ୍ତୁଟା ଯଦି ସେମାନଙ୍କ ଘରେ ପଶେ ! ନାହିଁରେ ବାବା, ଇଏତ ଆ ବଳଦ ମୋତେ ବିନ୍ଧ୍ । ବୁଝାଇଲି, ଡରନି, ମୁଁ ଅଛି । ସେ ଯେମିତି ଘରେ ପଶିବାକୁ ଆରମ୍ଭ କରିବ, ମୁଁ ବନ୍ଧୁକ ଧରି ହାଜର ହେବି । ଖାଲି ରକ୍ଷାକର ବୋଲି ଡାକିବ । ଚିତାତ ଏ ଡାକ ସହିତ ପରିଚିତ । ଆଗରୁ ଅନେକଥର ଏମିତି ଡାକ ଶୁଣି ମଧ୍ୟ ସେ ପଳାଇଯାଇନି । ଏ ପ୍ରକାର ପାଟି ଗୋଳକୁ ଏ ଚିତାର ଖାତିର ନାଇଁ । ଲୋକେ ରାଜିହେଲେ । ମୋ’ କଥା ଅନୁସାରେ ରାତିସାରା ଚେଇଁ ରହି କଥାଭାଷା ହେବାର ଠିକ୍ ହେଲା ।

 

ଛ’ଟା ବେଳକୁ ସବୁ ଠିକ୍‌ଠାକ୍‍ । ସବୁ ଘରର କବାଟ ତାଟି ପଡ଼ିଗଲା । କୋଉଠି ଯେମିତି ତ୍ରୁଟି ନ ରହେ ! ଲୋକେ ସାବଧାନ ହୋଇ ରହିଲେ ଘର ଭିତରେ । ମୁଁ ଯୋଉ କୋଠରୀରେ ଅଛି–ସେ କୋଠରୀ କଥା ତ ଆଗରୁ କହିଚି । ସେ ଘର କବାଟ ଅଧା ମୁକୁଳା । ସ୍ଵାଭାବିକ ଭାବରେ ଆସିଲା ସେ ସନ୍ଧ୍ୟାର ଅନିଶ୍ଚିତ ଗୋଧୂଳି । ତା’ପରେ ଆକାଶରେ ତାରାଙ୍କର ମେଳା । ସେଇ ଅସ୍ପଷ୍ଟ ତାରାଲୋକରେ ଏଇ ପ୍ରତିମୂର୍ତ୍ତିଟି ବେଶ୍ ଦେଖାଯାଉଥାଏ । ଦୁଇପାଖ ପଡ଼ୋଶୀଘରୁ ମଝିରେ ମଝିରେ ଲୋକଙ୍କର ଚାପାଗଳାର କଥା ଶୁଭୁଥାଏ ।

 

ଅସମ୍ଭବ ନିଷ୍କ୍ରିୟତା ମଧ୍ୟରେ ଘଣ୍ଟାଘଣ୍ଟା ଚାଲିଗଲା । ଖୁବ୍ ବ୍ୟସ୍ତ ଲାଗୁଥାଏ । ହଠାତ୍ ଘର ଛାତରେ କିଛି ଗୋଟାଏ ଖସ୍ ଖସ୍ ଶୁଭିଲା । ଜାଗ୍ରତ ହୋଇଗଲି । ମାତ୍ର ଏଇଟା ଥିଲା ଗୋଟାଏ ମୂଷା, ଉପରେ ବୁଲୁ ବୁଲୁ ତଳେ ଖସିପଡ଼ିଲା । ଅଧା ଖୋଲା ଦ୍ଵାରବାଟେ ସେ ଚାଲିଗଲା । ମୁଁ ମୋ ଲୁଚିଥିବା ଜାଗାରୁ ମୂଷାର ଚାଲିଯିବାଟା ସଫା ଦେଖିପାରୁଥାଏ । ଘଟଣାବିହୀନ ଭାବରେ ରାତି ମାଡ଼ିଚାଲିଲା । ଶେଷକୁ ସକାଳ ହୋଇ ଆସିଲା । ଚାରିଆଡ଼ ଟିକେ ଫରଚା ଦିଶିଲା । ମୋ ପଡ଼ିଶାଘରୁ ଆଉ ଲୋକଙ୍କର ଫୁସ୍ ଫୁସ୍ କଥାଭାଷା ଶୁଭୁନି । ସେମାନେ ଶୋଇଗଲେଣି । ନିଦ୍ରାଦେବୀଙ୍କ ଆମନ୍ତ୍ରଣ ଆଗରେ ମଣିଷମାରୁ ଚିତା କିମ୍ବା କୌଣସି ଅଧିକ ଭୟଙ୍କର ଜୀବର ଉପସ୍ଥିତି କିଛି ନୁହେଁ ।

 

ମୁଁ ଜଗିଥାଏ । ମଝିରେ ମଝିରେ ଚା’ ଚାଲିଥାଏ । ସିଗାରେଟ୍ ଓ ପାଇପ୍ ପିଉଥାଏ । ଶେଷକୁ ପ୍ରଭାତ ହେଲା । ଚାରିଆଡ଼ ପୂରା ଉଜ୍ଜଳ ଦିଶିଲା । ମୁଁ ବାଧ୍ୟହୋଇ ସେଇଠି ଶୋଇ ଗଲି । ଏମିତି ଗୋଟାଏ ରାତି ବୃଥା ଅନିଦ୍ରାରେ ଗଲା ।

 

ତା’ ପରଦିନ ସେଇ କଥାକୁ ଦୋହରାଇବାକୁ ଠିକ୍‌କଲି । ମୋ ସାମ୍ନାରେ ଆଉ କୌଣସି ଭଲ ଉପାୟ ନାଇଁ । ମୋ ହିସାବରେ ତ ଚିତା ନିଶ୍ଚୟ ଆସିବ ! ଏଣୁ ସେଇ ଜାଗାରେ ସେଇ ପରିସ୍ଥିତି ମଧ୍ୟରେ ମୁଁ ଜଗିବାକୁ ସ୍ଥିର ନିଶ୍ଚୟ କଲି । ସେ ସବୁର ସ୍ମୃତି ମୋ ମନରେ ଅଲିଭା ହୋଇ ଏଯାଏ ରହିଚି–ଏ ଦୁନିଆଁରୁ ମେଲାଣି ନେବାଯାଏ ସେକଥା ଅଭୁଲା ହୋଇ ରହିବ ।

 

ସେଦିନ ସେମିତି ସନ୍ଧ୍ୟାର ଛ’ ହେଲା । ରାତିର ପ୍ରଥମ ଭାଗଟା ପୂର୍ବରାତିର ପ୍ରଥମଭାଗର ନିଛକ ପୁନରାବୃତ୍ତି ହିଁ ଥିଲା । ଦଉଡ଼ା ଦଉଡ଼ି ହେଉଥିବା ମୂଷାଙ୍କ ଖେଳ ଚାଲିଥାଏ । ଦୁଇପାଖର ଘରୁ ମଝିରେ ମଝିରେ ଚାପା ଗଳାରେ ଭାସିଆସୁଥାଏ ସ୍ଵୀଲୋକମାନଙ୍କ ସ୍ଵର । ଏସବୁଦ୍ଵାରା ରାତିର ନୀରବତାରେ ଯାହା ବାଧା ଆସୁଥାଏ; ନଚେତ୍ ସାରା ଗାଆଁ ଥିଲା ଚୁପ୍‌ଚାପ୍–ନିସ୍ପନ୍ଦ । ହଠାତ୍ ଗୋଟାଏ ବେଳକୁ ଟାଣୁଆ ଥଣ୍ଡା ପବନ ବହିଲା । ମୋ ମୁଣ୍ଡ ଉପର ଛାତରେ ସେ ପବନର ତୀବ୍ର ସଞ୍ଚାର ମୁଁ ଶୁଣିପାରୁଥାଏ–ଜାଣିପାରୁଥାଏ । ଖୁବ୍ ଶୀଘ୍ର ଏ ପବନଟା ଜୋରରେ ବହିଲା । ଶେଷକୁ ବାତ୍ୟା ହୋଇଉଠିଲା । ଆକାଶରେ ଝଡ଼ ଓ ମେଘ । ଯୋଉ ଟିକକ ଆଲୁଅ ଦରମୁକୁଳା ଦ୍ଵାର ପାଖରେ ଥିଲା, ସେତକ କଳା ଅନ୍ଧାର ତଳେ ଲୁଚିଗଲା । ଟୋପା ଟୋପା ପାଣି ପଡ଼ିଲା । ଦେଖୁ ଦେଖୁ ଢୋ ଢୋ ଗର୍ଜନ କରି ମେଘ ଅଜାଡ଼ି ଦେଇ ଚାଲିଲା । ଭାବିଲି–ବିଲେଇ, ବାଘ, ଚିତା ଏମାନେ ଗୋଟିଏ ଜାତିର । ପାଣିକି ଏମାନେ ଭଲପାଆନ୍ତିନି । ଏମିତି ବର୍ଷା ସୁଆତିରେ ଚିତା କ’ଣ ଶିକାର ଖୋଜି ଆସିବ ! ମୋ’ର ଏ ରାତିଟା ବି ଯାଉଚି–କିଛି ମଧ୍ୟ କାମ ହେବନି ।

 

ପଡ଼ିଶା ଘରର ଫୁସ୍‌ଫୁସ୍ କଥା ବି ଶୁଣାଯାଉନି । ହୁଏତ ସେମାନେ ଶୋଇଗଲେ ନତୁବା ଅବିରଳ ବାରିପାତ ଯୋଗୁଁ ସେମାନଙ୍କ ସ୍ୱର ଶୁଭୁନି । କ’ଣ ଭାବି ସେଇ ପ୍ରତିମୂର୍ତ୍ତିଟି ଆଡ଼କୁ ଅନାଇଲି । ଅନ୍ଧାରରେ କିଛି ଦେଖାଯାଉନଥାଏ । ଆଖିର ସବୁ ଶକ୍ତିକି ଲଗାଇଲି । ଅନାଇଲି । କିଛି ଦିଶିଲାନି । ସତ କହିଲେ, ଏ ଭିତରେ ମୁଁ ଟିକେ ଘାଲେଇ ପଡ଼ିଥାଏ । ଆଖି ପଡ଼ିଯାଇଥିଲା । ଗଲା ଦୁଇ ରାତିର ଅନିଦ୍ରା ଓ ଜଗିବା ଯୋଗୁଁ ସେ ରାତିରେ ନିଦ ମାଡ଼ିପଡ଼ୁଥାଏ ।

 

କେତେ ସମୟ ମୁଁ ଶୋଇପଡ଼ିଲି ଜାଣେନି । ହଠାତ୍ ଜାଗିଉଠିଲି । ବୋଧହୁଏ ଅନେକବେଳ ଶୋଇଯାଇଥିଲି । କେମିତି ଗୋଟାଏ ଚମିକିପଡ଼ିଲି । କିଏ ଯେମିତି ମୋତେ ଥରାଇ ଦେଲା । ମୁଁ ଉଠିଲି । ମନହେଲା, ଘଟଣାଟା କିଛି ଭଲ ନୁହେଁ । ସାଧାରଣ ଲୋକ ନିଦରୁ ଉଠିଲେ ଅନେକ କଥା ଭୁଲିଯାଇଥାନ୍ତି । ସଙ୍ଗେ ସଙ୍ଗେ ଅନେକେ ପଛ କଥା ମନେ ପକାଇ ପାରନ୍ତିନି । ମୋ ପ୍ରତି ଏ ନିୟମ ଖାଟେନି । ଜଙ୍ଗଲରେ ଦିନ ଦିନ ଧରି ବୁଲୁଚି । ରାତି କାଟିଚି ବିପଦ ମଧ୍ୟରେ । ତେଣୁ ଶୀଘ୍ର ଶୀଘ୍ର ଚିନ୍ତା କରିବାର ଶକ୍ତି ମୋଠି ତୀବ୍ର । ମୁହୂର୍ତ୍ତକ ମଧ୍ୟରେ ମୁଁ କୋଉଠି ଅଛି, କି ପ୍ରକାର ଅବସ୍ଥାରେ ଅଛି, ଜାଣିନେଲି ।

 

ବର୍ଷା ଥମିଯାଇଚି । ଆକାଶର ଫାଳେ ସଫା । ଦରଖୋଲା କବାଟର ସେ ପାରଟା ବେଶ୍ ପରିଷ୍କାର ଦିଶୁଚି । ସେଇ ପ୍ରତିମୂର୍ତ୍ତିଟି ବସିଚି । ତାପରେ ଦେଖେତ ପ୍ରତିମୂର୍ତ୍ତିଟି ଦୋହଲି ଗଲା । ନିରେଖିକରି ଦେଖିଲାବେଳକୁ ଗୋଟାଏ ଗମ୍ଭୀର ଗର୍ଜନ ସହିତ ଗୋଟାଏ ଜୀବ ଦୂରକୁ ଅପସରିଗଲାଣି । ତାପରେ ଜାଣିଲି କି ଆଶ୍ଚର୍ଯ୍ୟକର ଘଟଣାର ଅଭିନୟ ହୋଇଗଲା । ଚିତାଟା ମଣିଷ ଖୋଜି ଖୋଜି ଆସିଚି । ସେଇଠି ବହୁ ସମୟ ଜଗିଚି । ଘୁଷୁରି ଘୁଷୁରି–ପେଟେଇ ପେଟେଇ ସେ ପ୍ରତିମୂର୍ତ୍ତିର ପାଖକୁ ଆସିଚି । ମଣିଷ ଭାବି ତାକୁ ଆକ୍ରମଣ କରିଚି । ତା ପେଟକୁ ଫାଡ଼ିଦେଇଚି । କିଛି ନ ପାଇ ନିରାଶାର ଗର୍ଜନ ଢାଳି ଏଇ ଫେରିଯାଇଚି ।

 

ମୋ ହାତର ଟର୍ଚ୍ଚ ଜଳିଉଠିଲା । ବାକ୍‌ସର ଦୁର୍ବଳ ଧାଡ଼ିକୁ ଡେଇଁ ମୁଁ ଆଗକୁ ମାଡ଼ିଗଲି-। ଗଲାବେଳେ ସେଇ ପ୍ରତିମୂର୍ତ୍ତିଟିକୁ ମାଡ଼ିପକାଇଲି । ସେଇଟା ତ ଦ୍ଵାରର ବାଟ ଉପରେ ଚିତ ହୋଇ ପଡ଼ିଥାଏ । ଦୁଇ ଦିଗକୁ ଟର୍ଚ୍ଚ ପକାଇଲି–ହେଲେ କିଛି ପାଇଲିନି । ଭାବିଲି, ଚିତାଟା ଏଠି କୋଉଠି ଲୁଚି ରହିଥିବ । ତେଣୁ ଗାଆଁରେ ଏପାଖ ସେପାଖ ବୁଲିଲି । ଭିତରେ ଭିତରେ ଡରୁଥାଏ-। ଯେ କୌଣସି ସମୟରେ ବାଘଟା ମୋ ଉପରକୁ ଡେଇଁଆସି ମୋ ଦଫା ରଫା କରିଦେଇପାରେ-। ମୁଁ ସବୁ ଛାତକୁ ଟର୍ଚ୍ଚ ପକାଇଲି । ସବୁ ସନ୍ଦେହର ଜାଗା ଉପରେ ମୋ ଟର୍ଚ୍ଚର ଆଲୁଅ ପଡ଼ିଲା । ଗଳି କନ୍ଦି ଦେଖିଲି । କୋଉଠି ପାଇଲିନି ମୋ ଶତ୍ରୁକୁ । ଏତିକିବେଳେ ବୁଝିପାରିଲି ଯେ ଜନ୍ତୁଟା ସଇତାନ ପରି ଧୂର୍ତ୍ତ ବୋଲି ଯାହା କୁହାଯାଉଥିଲା, ତାହ ଅକ୍ଷରେ ଅକ୍ଷରେ ସତ । ମୋର ଷଷ୍ଠ ଇନ୍ଦ୍ରିୟ ମୋତେ ନିଦରୁ ଉଠାଇଦେଲାପରି ଚିତାର ଷଷ୍ଠ ଇନ୍ଦ୍ରିୟ ମଧ୍ୟ ତାକୁ ସତର୍କ କରାଇଦେଲା–“ଏ ଜଣେ ସାଧାରଣ ଲୋକ ନୁହେଁ–ଯୋଉ ଲୋକ ଏଠି ଜଗି ବସୁ ବସୁ ଶୋଇଯାଇଚି ସେ ତୋର ଯମ । ଆଉ ଟର୍ଚ୍ଚର ତୀବ୍ର ଆଲୁଅ ତାକୁ ହତଚକିତ କରିପକାଇଚି । ତେଣୁ ଆଖିର ପିଛୁଳାକରେ ଚିତାଟା ଚୁପ୍‌ଚାପ୍, ସବୁରି ଅଗୋଚରରେ ଅଦ୍‌ଭୁତ କୌଶଳର ସହ କୋଉଆଡ଼େ ଲୁଚିଗଲା । ଗୁମାଲପୁରର ସବୁ ଅନ୍ଦି କନ୍ଦି ମୁଁ ଖୋଜିଲି । ମାତ୍ର ଯେପରି ରହସ୍ୟାବୃତ ହୋଇ ସେ ଆସିଥିଲା, ସେପରି ରହସ୍ୟାବୃତ ହୋଇ ସେ ଅନ୍ତର୍ହିତ ହୋଇଗଲା ।

 

ମନ ଭିତରେ ନୈରାଶ୍ୟ, ନିଜ ଉପରେ ବିରକ୍ତି । ମାତ୍ର ପରମୁହୂର୍ତ୍ତରେ କିଏ ଜଣେ ମନ ଭିତରେ କହି ଉଠିଲା–ଏମିତି ଚିତାକୁ ମାରିବୁନି ତ ଆଉ କଣ କରିବୁ ?

 

ପରଦିନ ଜୀବଟାର ପଞ୍ଜାଚିହ୍ନ ଦେଖିବାକୁ ପାଇଲି । ଏତେ ଦିନ ପରେ ପହିଲିବାର ତା ପଦଚିହ୍ନ ଦେଖିଲି । କାଦୁଅ ଉପରେ ଛାପିହେଇ ଦିଶୁଥାଏ । ଡାହାଣ ଗୋଡ଼ର ପଞ୍ଜା ନାଇଁ କହିଲେ ଚଳେ । ଆଉ ବିଚିତ୍ର ଭାବରେ ପାଦ ପକାଇଚି ଜୀବଟା । ଜାଣିଲି, ଏଇ ପାଦରେ ସେ ଆଘାତ ପାଇଚି । ପଙ୍ଗୁ ହୋଇଚି । ସେଥିପାଇଁ ମଣିଷମାରୁ ପାଲଟିଚି ଜୀବଟା । ପରେ ମୁଁ ତା ପାଦକୁ ଦେଖିଚି । ବୋଧହୁଏ ମୋର କଳନାରେ କିଛି ଭୁଲଟାଏ ରହିଯାଇଥିଲା । ଜାଣିଲି, ଗଲାବର୍ଷ କଲେରା ହେଇଥିଲା । ଲୋକ ମଲେ...ମଲେ...ସେମାନଙ୍କ ଶବସବୁ ବଣଜଙ୍ଗଲରେ ଫୋପାଡ଼ି ଦିଆଗଲା । ସେଇ ଶବଗୁଡ଼ାକ ଖାଇଲା ଏ ଚିତା । ମଣିଷ ମାଂସ ପ୍ରତି ତାର ଲୋଭ ବଢ଼ିଲା । ସେ ମଣିଷମାରୁ ହେଲା । ତା ସଙ୍ଗେ ତାର ଏ ଗୋଡ଼ଟା ଆଘାତ ପାଇଲା । ଏ ଗୋଡ଼ଟା ଅକାମି ହେବାରୁ ସେ ଶିକାର କରିବାରେ ଅସମର୍ଥ ହେଲା । ତେଣୁ ସେ ମଣିଷ ଉପରକୁ ଆଖି ପକାଇଲା । ସେଇଠୁ ସେ ହେଲା ଜନଜୀବନର ଅଭିଶାପର କାରଣ, ଏକ ମଣିଷମାରୁ ଜନ୍ତୁ ।

 

ଚିତାବାଘଟା ଖୁବ୍ ଚାଲାକ । ମଣିଷପରି ତା’ର ବୁଦ୍ଧି । ତାହେଲେ ଗୁମାଲାପୁରରେ ତାକୁ ଖୋଜିବାକୁ ମୁଁ ଯୋଉ ଟର୍ଚ୍ଚ ପକାଇଲି ସେଥିରେ ସେ ଡରିଯାଇଥିବ । ଆଉ ସେଠି ମାସକ ଭିତରେ କିଛି କରିବନି–ଗୁମାଲାପୁରରେ ଆଉ ଦେଖାଦେବନି ।

 

ମୁଁ ମନେ ମନେ ଏସବୁ ଭାବିଲାପରେ ସେଇ ଜାଗା ଛାଡ଼ିବାର ସ୍ଥିରକଲି । ତେବେ କୋଉଠିକି ଯିବି ? ଦେବାରାବେତ୍ତା କଥା ମନକୁ ଆସିଲା । ଏଇଠୁ ସେ ଜାଗା ଅଠର ମାଇଲ ଦୂରରେ । ସେଇଠି କେବଳ ପାଞ୍ଚ ଗୋଟି ଶିକାର କରିଚି ଚିତା । ମଝିରେ ସିଧା ବାଗରେ ପାହାଡ଼-। ପୁଣି ମାସକ ଭିତରେ ଚିତା ସେ ଜାଗାକୁ ଯାଇନି । ତେଣୁ ସେଠିକି ଯିବାର ସମ୍ଭାବନା ଖୁବ୍ ବେଶି-

 

ସେଇ ଦିନ ସକାଳବେଳା ଏଗାରଟା ଆଗରୁ ଏ ଜାଗା ଛାଡ଼ିବା ଠିକ୍‌କଲି । ଶୀଘ୍ର ଖାଇନେଲି । ବାଟଟା ବଡ଼ ରଗଡ଼ିଆ । ଦି ଦିଟା ପାହାଡ଼ ଡେଇଁବାକୁ ପଡ଼ିଲା । ଉପତ୍ୟକାର ଧାରେ ଧାରେ ବହୁଚି ପାହାଡ଼ୀ ଝରଣାଟିଏ । ସେଇ ଛୋଟ ଝରଣାର କୂଳେ କୂଳେ ଗୋଟାଏ ପୁରୁଷ ବାଘର ପାଦଚିହ୍ନ ପାଇଲି । ଏହା ହାଲ୍ ପଡ଼ିଚି । ପାଣି କୂଳରେ ପ୍ରାୟ ଦୁଇଶଗଜ ଯାଏ ତାର ପାଦଚିହ୍ନ ପାଇଲି । ବାଘ ଏପାଖରୁ ସେ ପାଖକୁ ଯାଇଚି । ଝରଣା ବାଲିରେ ତା ପାଦ ଦବିଯାଇଚି-। ପାଦଚିହ୍ନରେ ପାଣି ଝରିଚି । ଭୋର ଭୋର ବାଘ ଏ ବାଟେ ଯାଇଚି । ଏଇ ବାଘଟିର ପିଛା କରିବାକୁ ମନ ହେଉଥାଏ; ମାତ୍ର ଆଗକାମ ଆଗ । ହାତରେ ସେ କାମ ଥାଉ ଥାଉ ନୂଆ କାମ ଆଡ଼କୁ ମନବଳାଇବା ଠିକ୍ ବୋଲି ଭାବିଲିନି । ତେଣୁ ସେ ବାଘର କଥା ମନରୁ ଏଲାଗି ଦୂରେଇଦେଲି । ଦେବାରାବେତ୍ତାରେ ପହଞ୍ଚିଲାବେଳକୁ ଉପରବେଳା ପାଞ୍ଚଟା ।

 

ସେଠାର ଲୋକେ କବାଟ ତାଟି ବନ୍ଦକରି ଶୋଇବାକୁ ଯିବାର ସବୁ ଯୋଗାଡ଼ କରି ସାରିଥାଆନ୍ତି । ସେମାନେ ମୋ ସହିତ କଥାଭାଷା ହେବାକୁ ବେଳ ପାଇଲେନି । ମୋ କଥା ପ୍ରତି ମଧ୍ୟ ସେମାନେ ଅଧିକ ଆଗ୍ରହ ଦେଖାଇଲେନି । ଜୋର୍ କରି ସେମାନଙ୍କଠୁଁ ଯେଉଁ କେତେ ଖବର ପାଇଲି, ସେଥିରୁ ଜାଣିଲି ଯେ ବାଘଟା ଯେ କୌଣସି ଦିନ ସେଠାରେ ଦେଖାଦେଇପାରେ । ସେମାନେ କହୁଥିଲେ, ‘‘ମାସକରୁ ଅଧିକ କାଳ ବାଘ ସେ ଗାଆଁକୁ ନଆସି ରହିପାରେନି । ତେଣୁ ସେ ଖୁବ୍ ଶୀଘ୍ର ଆସିବଇ ଆସିବ ।”

 

ସମୟ ଖୁବ୍ କମ୍ । ମୁଁ ତରତର କରି ଚାରିଆଡ଼କୁ ଅନାଇଲି । ପାଖରେ ଥିବା କୁଡ଼ିଆ ଭିତରୁ ସବୁଠୁ ଉଚ୍ଚ କାନ୍ଥ ଥିବା ଜାଗାଟିଏ ବାଛିଲି । ଏଇଠି ବସିବି । ଗୁମାଲାପୁରରେ ପ୍ରଥମ ରାତି ଯେମିତି ଜଗିଥିଲି, ଏଇଠି ସେମ୍‌ତି ଜଗିବି । ପଛ ପାଖରୁ ଆକ୍ରମଣ ହୋଇପାରେ । ଉପରଆଡ଼ୁ ମଧ୍ୟ ସେ ଡର ଅଛି । ସେ ଦୁଇ ଦିଗରେ କଣ୍ଟା ଛାଟିବାକୁ ହେବ । ଗାଁକୁ ଲାଗି ଜଙ୍ଗଲ । ସେଇଠୁ କିଛି କଣ୍ଟା ଅଣାଇଲି । ଯୋଉ ଲୋକ କଣ୍ଟା କାଟି ଗଲା ତା’ ପଛେ ପଛେ ମୁଁ ଗଲି ମୋ ରାଇଫଲ ଧରି । ସେ ଲୋକ ଡରରେ ଛାନିଆ । କାହାରି ମନରେ ପତିଆରା ନାଇଁ ।

 

ଗୁମାଲାପୁରଠାରେ ଦେବରାବେତ୍ତା ଆକାରରେ ଖୁବ୍ ସାନ । ଜଙ୍ଗଲର ଏକଦମ୍ ପାଖରେ ଅବସ୍ଥିତ । ମୋ ଦୃଷ୍ଟିରୁ ଏଇଟା ଗୋଟାଏ ଅନୁକୂଳ ପରିସ୍ଥିତି । ଖୁବ୍ ସୁବିଧାଜନକ, କାରଣ ମଣିଷଖିଆଟା ଜଙ୍ଗଲରେ ଆସିଲାବେଳେ ତା’ ସମ୍ପର୍କରେ ଅନେକ କଥା ଆପେ ଆପେ ଜାଣିହେବ । ଜଙ୍ଗଲରେ ପଶୁପକ୍ଷୀମାନେ ତା’ର ଚାଲିଚଳନ କଥା ବାହାର ଜଗତକୁ ଜଣାଇଦେବେ-। ଯଦି ଶୁଣିବା ଦୂରତାରେ ଥାଏ ତାହାହେଲେ ସେ ସବୁ ସମ୍ବାଦ ମୁଁ ପାଇପାରିବି ।

 

ଚଞ୍ଚଳ ଗତିରେ ରାତି ମାଡ଼ିଆସିଲା । ଆକାଶର ଗୋଟାଏ କୋଣରେ ସରୁ ଦାଆଟିଏ ପରି ଉଠିଲା ଚନ୍ଦ୍ର । ମଝିରେ ମଝିରେ ବଣର ଗଞ୍ଜା ଡାକୁଥାଏ । ପାଖ ବଣରୁ ଆଉ ଗଞ୍ଜାଟାଏ ଉତ୍ତର ଦେଉଥାଏ । କାରୁଣ୍ୟଭରା କଣ୍ଠରେ ମୟୂର ଡାକୁଚି । ଜାଣିଲି ବନ ଦେଶରେ ସବୁ ଶାନ୍ତିରେ ଚାଲିଚି । ରାତି ହୋଇଗଲା । ପାତଳ ତାରାଲୋକରେ ସବୁ ଝାପ୍‌ସା ଦିଶୁଚି । କିଛି ବାରିହେଉନି, କିଛି ସ୍ପଷ୍ଟ ଦିଶୁନି । ଦେବାରାବେତ୍ତାର ଦାଣ୍ଡ ବାଙ୍କି ଯାଇଚି । ସେ ପାଖଟା ଆଦୌ ଦେଖାଯାଉନି । ସାଢ଼େ ଆଠଟା ବେଳକୁ ମାଈ ଶମ୍ବରଟିଏ ବୋବାଇଲା । ତା’ ପରେ ପରେ ସେ ବାରମ୍ବାର ଡାକଛାଡ଼ିଲା । ଏଥିରେ ଥିଲା ସତର୍କତାର ଡାକ । ନିଶ୍ଚୟ ଗୋଟାଏ ଶିକାରୀପଶୁ ଆସିଚି ଏ ଅଞ୍ଚଳଟାକୁ । ଶମ୍ବରଟି ତା’କୁ ଦେଖି ପକାଇଚି । ବଣବାସୀ ଅନ୍ୟ ପଶୁପକ୍ଷୀଙ୍କୁ ସେ ନିଜନିଜର ଜୀବନ ରକ୍ଷା କରିବାକୁ ସାବଧାନ କରାଇଦେଉଚି । ସେଇ ଚିତା ! ନା, ବାଘଟାଏ ! ସମୟ କହିବ; ମାତ୍ର ଏଇ ମୁହୂର୍ତ୍ତ ଲାଗି ଏ ସତର୍କବାଣୀ ମୋ ପାଇଁ ଯଥେଷ୍ଟ ।

 

ଶମ୍ବରୀଟି ତୁନିହେଇଗଲା । ପନ୍ଦର ମିନଟ୍ ପରେ ପୁଣି ଶୁଭିଲା ତା’ର ସତର୍କ ଡାକ । କାନ ଡେରିଲି–ବାଘର ଚାପା ଗର୍ଜନ ଦୁଇଥର ଭାସିଆସିଲା । ତା’ପରେ ପୁଣି ସବୁ ନୀରବ । ଡାକଟା ମିଳନର ନ ଥିଲା–ବରଂ ଥିଲା କ୍ଷୁଧାର । ସେ କହୁଥିଲା ବଣର ରାଜା ତା’ର ଶିକାର ଖୋଜି ବହାରିଚି । ବଣର କୋଉ ପଶୁ ଆଜି ତା’ର ଖାଦ୍ୟ ସାମଗ୍ରୀ ହେବ ସେଥିଲାଗି ସମସ୍ତ ବନବାସୀ ପ୍ରସ୍ତୁତ ରହନ୍ତୁ ।

 

ସମୟ ଗଡ଼ି ଚାଲିଲା । ହଠାତ୍ ଗଳି ତଳପାଖେ କିଛି ଗୋଟାଏ ଚାଲବୁଲ କରୁଥିବା ଆଖିରେ ପଡ଼ିଲା ।

 

ମୁଁ ବନ୍ଧୁକ ସଜାଇ ରଖିଲି । ଜୀବଟା ମୋ ଆଡ଼କୁ ଆସୁଥାଏ । ଏଇଟା କ’ଣ ଚିତା ? ଦାଣ୍ଡର ମଝିରେ ଆସୁଚି । ଚିତା ହେଇଥିଲେ ଏମ୍‌ତି ଖୋଲମ୍‌ଖୋଲା ଆସନ୍ତା ! ଛକାଛକି କରନ୍ତାନି ! ମୋ’ଠୁ ପ୍ରାୟ ତିରିଶିଗଜ ଦୂରରେ ଜୀବଟା ଆସି ପହଞ୍ଚିଗଲାଣି । ତଥାପି ସାହସର ସହିତ ସେ ଆଗେଇ ଆସୁଚି । ଚିତାପରି ସେ ଗୁରୁଣ୍ଡି ଘୁଷୁରି ଛକିକରି ଆସୁନି । ଖୁବ୍ ଦୁର୍ବଳ, ପତଳା ଜୀବଟିଏ । ପ୍ରାୟ କୋଡ଼ିଏ ଗଜ ପାଖକୁ ଆସିଗଲା । ମୁଁ ବନ୍ଧୁକର ବତି ଟିପିଦେଲି ।

 

ମୋ ଟର୍ଚ୍ଚର ଉଜ୍ଜ୍ୱଳ ଆଲୋକରେ ସାମ୍ନାଭାଗ ପରିଷ୍କାର ଦିଶିଲା । ଦେଖିଲି ବୁଲା କୁକୁରଟିଏ । ଅନେକ ଦିନର ଅନାହାର, ଅର୍ଦ୍ଧାହାର । ମଣିଷର ଅବହେଳାରେ ସେ ଦରମଲା ହେଇଚି । ଆଲୁଅ ଆଡ଼କୁ କୁକୁରଟି ସିଧା ଚାହିଁଲା । ହଠାତ୍ କିଛି ବୁଝିପାରିଲନି । ମାତ୍ର ପରମୁହୂର୍ତ୍ତରେ ସେ ତାର ପତଳା ଲାଞ୍ଜଟି ହଲାଇଲା । ସେ ଥିଲା ତା’ର ବନ୍ଧୁତାର ଚିହ୍ନ–ମୁଁ ତମକୁ ମାନିନେବି–ତମର ବିଶ୍ୱାସୀ ହେବି ।

 

ବନ୍ଧୁହୀନ ମୁହୂର୍ତ୍ତରେ ବନ୍ଧୁଟିଏ ! ବେଶ୍ ଭଲ ଲାଗିଲା । ଆଲୁଅ ଲିଭାଇଦେଲି । ହାତରେ ଚୁଟ୍‌କୁଳି ଫୁଟାଇ ପାଟିରେ ଇଶାରା ଦେଇ ତାକୁ ଡାକିଲି । ଡରି ଡରି ସଙ୍କୁଚିତ ହେଇ କୁକୁରଟି ମୋ ପାଖକୁ ଆସିଲା । ଅଦ୍‌ଭୂତ ଭାବରେ ସେ ତା’ର ଲାଞ୍ଜଟା ହଲାଉଥାଏ । ମୋ ପାଖରେ ଥିଲା କିଛି ବିସ୍କୁଟ ଆଉ ପାଉଁରୋଟି । ଖାଇବାକୁ ଦେଲି । ଅସ୍ପଷ୍ଟ ତାରା ଆଲୋକିତ ଆକାଶ ତଳେ ମୋତେ ତା ଆଖି ଦୁଇଟି ସ୍ପଷ୍ଟ ଦେଖାଯାଉନଥାଏ । ମାତ୍ର ତାର ସେ ଆଖିରେ ମୁଁ ପରିଷ୍କାର ଭାବରେ ଗଭୀର କୃତଜ୍ଞତାର ଆଭାସ ଦେଖିପାରିଥିଲି । ବୋଧହୁଏ ଦୁଇ ଦିନ ପରେ ଏଇ ସାମାନ୍ୟ ଖାଦ୍ୟ ପ୍ରଥମ କରି ତା’ ପେଟକୁ ଯାଇଚି । ତା’ପରେ ମୋ ପାଦ ତଳେ ସେ ମୁଣ୍ଡ ଗୁଞ୍ଜି ହେଇ ପଡ଼ିଲା, ଆଉ ଶୋଇଗଲା ।

 

ସମୟ ଗଡ଼ି ଚାଲିଲା । ଅଧରାତି ହେଲା । ଜଙ୍ଗଲରେ ସେ ସୀମାରୁ ଗୋଟାଏ ହୁ–ହୁ ରାବ ଶୁଭିଲା । ଉଲୁକ ବୋବାଉଥାଏ । ଅତି ରହସ୍ୟମୟ, ବିଷାଦମୟ ଏ ବୋବାଳି । ସତେ ଯେପରି କାହାର ମୃତ୍ୟୁ ଘଣ୍ଟା ବଜାଉଚି ପକ୍ଷୀଟା; କିମ୍ବା ସେ ଅଶାନ୍ତ ଆତ୍ମାର ପ୍ରେତ ଗୁଡ଼ିକୁ ଡାକୁଚି-! ସେମାନେ ଏଇ ଅଶୁଭ ମୁହୂର୍ତ୍ତରେ ପୃଥିବୀକି ଓହ୍ଲାଇ ଆସିବେ, ଆଉ ଏଇଠି ବିଚରଣ କରିବେ-!

 

ଗୋଟାଏ ବାଜିଲା । ଦୁଇଟା ହେଲା । ତିନି ହେଲା । କି କଷ୍ଟ ! ବେଳଟା ଖୁବ୍ ଧୀରେ ଧୀରେ ଝୁଲି ଝୁଲି ଚାଲିଚି । ମୋର ଆଖି ଏଣେ ପାଖ ଓ ଦୂରର ସବୁ ଦୃଶ୍ୟ ଦେଖିବାକୁ ଲାଗିଥାଏ-। ଆଖିକି କାଟିଲାଣି । କାନ ବି ଚେଷ୍ଟା କରୁଥାଏ ପ୍ରତିଶବ୍ଦ ଓ ଧ୍ୱନିକି ଶୁଣିବାକୁ । ସେ ମଧ୍ୟ କ୍ଳାନ୍ତ । ଭାଗ୍ୟକୁ ଆକାଶଟା ମେଘ ବିହୀନ ଥାଏ । ଆକାଶରେ ଅଗଣିତ ତାରା । ସେମାନେ ଆକାଶ ଗୋଟା ବିଛେଇ ହୋଇ ବଡ଼ ଚମତ୍କାର ଦିଶୁ ଥାଆନ୍ତି । ଏଇଟା ଦେଖିବା ଭଳି ଆଉ ଉପଭୋଗ କରିବା ପରି ଦୃଶ୍ୟଟାଏ । ଧୂଳିଧୂସରିତ ଧୂମ ଆଚ୍ଛାଦିତ ସହର ବା ନଗରରେ ଏ ଦୃଶ୍ୟ ମିଳିବନି-

 

ଆଉ ତା’ପରେ, ହଠାତ୍‍ ରାତ୍ରିଚର ଚଢ଼େଇଟାଏ ବୋବାଇଉଠିଲା । ଥରେ....ଦିଥର....ତିନିଥର.....ଚାରିଥର ! ଏ ଥିଲା ସତର୍କ ଡାକ । ଗାଁର କୋଉ ପଙ୍କୁଆ ପୋଖରୀ କୂଳରେ ସେ ଡାକୁଥାଏ । ଖୁବ୍ ତରତର ହୋଇ ଡାକିବାରୁ ଜାଣିଲି–ଚଢ଼େଇଟି ଉତ୍ତେଜିତ ହୋଇପଡ଼ିଚି । କ’ଣଟାଏ ଦେଖିଚି । ମୋ ପାଦପାଖରେ ଶୋଇଥିବା କୁକୁରଟି ଚମକି ଉଠିଲା । ସେ ତା’ର ମୁଣ୍ଡ ଟେକିଲା । ସେ ପୁଣି ଶୋଇଗଲା–ସତେ ଯେମିତି ଦୁନିଆଁର କୋଉ କଥାକୁ ତା’ର ପରବାୟ ନାଇଁ ।

 

କିଛି ମିନିଟ୍ ଗଡ଼ିଗଲା । ହଠାତ୍ କୁକୁରଟି ପୂରା ଜାଗି ଉଠିଲା । ତା’ର ନଇଁ ପଡ଼ିଥିବା କାନ ଦୁଇଟା ଠିଆ ହୋଇଗଲା । ମୋ ପାଦ ପାଖରେ ଥାଇ ମଧ୍ୟ ଖୁବ୍ ଜୋର୍‌ରେ ସେ ଥରୁଥାଏ । ତା’ ଗଳାରୁ ଗୋଟାଏ ଚାପା ଲମ୍ବା ଗୁରୁ ଗୁରୁ ଶବ୍ଦ ଆସୁଥାଏ । ମୁଁ ତାକୁ ଲକ୍ଷ୍ୟ କଲି । କୁକୁରଟି ଏକ ଲକ୍ଷ୍ୟରେ ଅନାଇଁ ରହିଥାଏ ସେଇ ଦାଣ୍ଡ ଆଡ଼କୁ–ଯୋଉ ବାଟଟା ପଡ଼ିଥାଏ ଗାଁର ସେଇ ପଙ୍କୁଆ ପୋଖରୀ ଆଡ଼କୁ ।

 

ମୁଁ ବି ସେ ଆଡ଼କୁ ନିରେଖି ଅନାଇଲି । ବହୁ ସମୟ ଧରି ମୁଁ କିଛି ଦେଖିପାରିଲିନି । ମନେହେଲା, ଗୋଟାଏ ଘରର ଗୋଟାଏ କୋଣରେ ଛାଇଟାଏ ପାରିହେଇଗଲା । ସେଇ ଜାଗାଟାକୁ ଭଲକରି ଚାହିଁଲି । ପୁଣି ଦେଖିଲି କିଛି ଗୋଟାଏ ଚଳପ୍ରଚଳ ହେଉଚି । ମାତ୍ର ସେ ଛାଇଟା ବେଶ୍ ପାଖେଇ ଆସିଚି ।

 

ମୋ ବନ୍ଧୁକର ଟର୍ଚ୍ଚ ସୁଇଚ୍ ଉପରେ ବାଁ ବୁଢ଼ା ଅଙ୍ଗୁଳି ଲଗାଇଲି । ଶ୍ୱାସହୀନ ନୀରବତାରେ ମୁଁ ଅପେକ୍ଷା କରି ରହିଥାଏ । ପୁଣି କିଛି ବେଳ କଟିଗଲା । ଏଇ ପାଞ୍ଚ...ଖୁବ୍ ବେଶୀ ହେଲେ ଦଶ ମିନିଟ୍ ହୋଇପାରେ । ତା’ପରେ ଦେଖିଲି ଗୋଟାଏ ଲମ୍ବାଳିଆ ଦେହ ଖୁବ୍ ଶୀଘ୍ର ନିଃଶବ୍ଦରେ ଗୋଟାଏ ଛାତ ଉପରକୁ ଡେଇଁପଡ଼ିଲା । ମୋ’ଠୁ ମାତ୍ର କୋଡ଼ିଏ ଗଜ ହେବ । ଏଠି ଘରର ଚାଳଗୁଡ଼ା ସବୁ ଲଗାଲଗି । ଚିତାଟା ଠିକକରି ନେଇଚି ଚାଳରେ ଚାଳରେ ଆସିବ, ପଛ ପାଖରୁ ମୋ ଉପରକୁ ଡେଇଁପଡ଼ିବ ।

 

ଠିଆ ହୋଇପଡ଼ିଲି । କାନ୍ଥକୁ ଆଉଜିଗଲି । ମୋ ପିଠି ଥାଏ କାନ୍ଥରେ । ଘର ଚାଳର ଓଳିଟା ଠିକ୍ ମୋ ମୁଣ୍ଡ ଉପରେ । ରାସ୍ତା ଆଡ଼କୁ ପ୍ରାୟ ଅଠର ଇଞ୍ଚ ବାହାରି ଯାଇଚି । ରାଫେଲ୍‌କୁ ସଜାଇ ରଖିଥାଏ । ଟ୍ରିଗାର୍ ଉପରେ ଅଙ୍ଗୁଳି । ସୁଇଚ୍ ଉପରେ ବାଁ ବୁଢ଼ା ଆଙ୍ଗୁଳି । ବନ୍ଧୁକ ପ୍ରସ୍ତୁତ ଥାଏ ମୋ’ର ଗୋଟାଏ ପାଖରେ ଉପରକୁ ମୁହଁ କରି... ।

 

କେତେ ମୁହୂର୍ତ୍ତ ପରେ ଗୋଟାଏ ଅସ୍ପଷ୍ଟ ଖସର୍ ଖସର୍ ଶବ୍ଦ । ଶଇତାନଟା କଣ୍ଟା ଆଡ଼ୋଉଚି । ସେ କଣ୍ଟା ମୁଁ ଆଗରୁ ରଖିଥିଲି । ସେ ବୋଧହୁଏ ପାରିଲାନି, କାରଣ ତା’ପରେ ଆଉ ଖସର୍ ଖସର୍ ଶୁଭିଲାନି । ଏବେ ସେ ଜୀବଟା କୋଉଠି ଅଛି ଜାଣିବାର କୌଣସି ଉପାୟ ନାଇଁ ।

 

ତା’ପର ପନ୍ଦର ମିନିଟ୍ ମୋ ଲାଗି ଅତି ବ୍ୟଗ୍ରତାର ସମୟ । ଖାଲି ଚାରିଆଡ଼କୁ ଚାହୁଁଥାଏ । କୋଉ ଦିଗରୁ ଚିତାଟା ମୋ ଉପରକୁ କୁଦି ପଡ଼ିବ କହିହେବନି । ତେବେ ଈଶ୍ୱରଙ୍କୁ ଧନ୍ୟବାଦ–ପାଗ ଖୁବ୍ ସଫା ଅଛି–ରାତିଟା ବେଶ୍ ପରିଷ୍କାର ଅଛି । ହଠାତ୍ କରି ସେଇ କୁକୁରଟି, ଯେ କି ମୋ ପାଦତଳେ ଅସ୍ଥିର ହୋଇ ଉଠିଥିଲା, ରାସ୍ତା ମଝିକି ଚମକିଗଲା । ଯେଉଁ କୁଡ଼ିଆରେ ମୁଁ ଆଶ୍ରୟ ନେଇଥିଲି, ତା’ର ଗୋଟିଏ କୋଣକୁ ଲକ୍ଷ୍ୟ କରି ଜୋର୍‌ରେ ଭୁକି ଉଠିଲା ।

 

ଏଇ ଭୁକିବାଟାଇ ମୋତେ ରକ୍ଷା କରିଦେଲା । ଏହା ଥିଲା ସତର୍କ ଘଣ୍ଟି । ମାତ୍ର ପାଞ୍ଚସେକେଣ୍ଡ ଭିତରେ ଚିତାଟା ମୋ ଉପରକୁ ଡେଇଁପଡ଼ିଲା ସେଇ ଅନ୍ଧାରିଆ କୋଣରୁ । ଟର୍ଚ୍ଚର ସୁଇଚ୍‌କୁ ଚିପିବାକୁ ଏବଂ ମୋ ଅଣ୍ଟା ପାଖରୁ ଗୁଳି କରିବାକୁ ଯାହା ସମୟ ହେଲା । ଚିତାଟାର ଜଳକା ଆଖି ଏବଂ ଏଡ଼େବଡ଼ ଖୋଲା ପାଟି ସେଇ ଆଲୁଅରେ ଦେଖାଗଲା । ୪୦୫ ବୁଲେଟ ଜୀବଟାକୁ ଏକାଥରକେ ଶେଷ କରିଦେଲା । ମାତ୍ର ତାର ଆକ୍ରମଣର ବେଗ ଯୋଗୁଁ ସେ ମୋ ପାଖକୁ ମାଡ଼ିଆସିଲା । ନିଜକୁ ବଞ୍ଚାଇବାକୁ ମୁଁ ଗୋଟାଏ ପାଖକୁ ଘୁଞ୍ଚିଗଲି । ଚିତାଟା କୁଡ଼ିଆର କାନ୍ଥ ଉପରେ ପିଟିହେଇ ପଡ଼ିଲା । ତା’ର ସେଇ ଛାପି ଛାପିକିଆ ଶରୀର ଉପରେ ଲାଗ ଲାଗ ଆଉ ଦୁଇଥର ଗୁଳି ଚଳାଇଲି ।

 

ଛଟ ଛଟ ହେଉ ହେଉ ସେ ଜଡ଼ ହେଇଗଲା । ଖୋଲା ରହିଥିବା ପାଟି ଏବଂ ଲମ୍ବାଲାଞ୍ଜ ଖାଲି ହଲଚଲ ହେଉଥାଏ । ସେଇ ସମୟରେ ମୋ’ର ସେଇ ବୁଲାକୁକୁର ବନ୍ଧୁଟି, ତା’ର ନୂତନ ଆବିଷ୍କୃତ ମାଲିକ ପ୍ରତି ବିଶ୍ୱସ୍ତତାର ଚିହ୍ନ ସ୍ଵରୂପ ପ୍ରବଳ ବେଗରେ ଧାଇଁଗଲା ଏବଂ ମୃତ ଚିତାର ଗଳାରେ ବସାଇଦେଲା ତା’ର ଦୁର୍ବଳ ଦାନ୍ତ ସବୁ ।

 

ଆଉ ଏଇପରି ଗୁମାଲାପୁରର ଚିତ୍ରିତ ଶୈତାନ ଶେଷ ହୋଇଗଲା । ଏ ଚିତାପରି କୌଶଳୀ ଧୂର୍ତ୍ତ ଶୈତାନ୍ ଜୀବର କାହାଣୀ ମୁଁ ଏଯାଏ ଶୁଣିନି ଏବଂ ଭବିଷ୍ୟତରେ ଏ ପ୍ରକାର ଜୀବଟାଏ ଦେଖିବାର ଆଶା ବି କରୁନି ।

 

ପରଦିନ ପ୍ରଭାତରେ ତା’ ଚମଡ଼ା ଉତ୍ତାରିଲୁ । ଦେଖିଲି ତା’ର ଡାହାଣ ପାଦର ପଞ୍ଝା ଗୁଳି ମାଡ଼ରେ ଖଣ୍ଡିଆ ହେଇନି–ତାହା ଭିତରେ ପଶିଚି ଦୁଇଟା ଝିଙ୍କ କାଠି । ଗୋଟିଏ ଅନ୍ୟଠୁ ଏକ ଇଞ୍ଚ ଦୂରରେ ପଶି ଭାଙ୍ଗି ଯାଇଚି । ବହୁ ଦିନ ତଳେ ଏହା ଘଟିଥିବ କାରଣ ପାଦର ସେ ଅଂଶରେ ମୋଟା ଆବୁ ହୋଇଯାଇଥାଏ । ଏଇଥି ପାଇଁ ଚିତାଟା ତାର ସ୍ଵାଭାବିକ ରୀତିରେ ପାଦ ପକାଇ ପାରୁ ନ ଥିଲା । ଏଇ ପାଦର ଅଗରେ ସେ ଚାଲୁଥିଲା ।

 

ସେ ବୁଲାକୁକୁରଟିକି ଘରକୁ ନେଲି । ଗାଧୋଇପାଧୋଇ ତାକୁ ସଫାସୁତୁରା କଲି । ଖାଇବାପିଇବାକୁ ଦେଲି । ତା ନାଁ ଦେଲି ନିପାର । ସେଇଦିନୁ ନିପାର ମୋ ସାଙ୍ଗେ ବହୁଦିନ ରହିଚି-। ତାକୁ ସେଦିନ ଯେଉଁ କେତୋଟି ବିସ୍କୁଟ୍ ଓ ପାଉଁରୋଟି ଦେଇ ତା ଉଦରର କ୍ଷୁଧା ଦୂରକରିଥିଲି, ସେଥିପାଇଁ ସେ ଅଳ୍ପ କେତେଘଣ୍ଟା ଭିତରେ ମୋ ଦାନର ଶ୍ରେଷ୍ଠ ପ୍ରତିଦାନ ଦେଇଥିଲା । ତାରି ଯୋଗୁଁ ସେ ରାତିରେ ମୁଁ ବଞ୍ଚିଗଲି ।

Image

 

ଚମଲା ଉପତ୍ୟକାର ଶତ୍ରୁ

 

ମାନ୍ଦ୍ରଜ ପ୍ରେସିଡ଼େନ୍‌ସିର ଚିତ୍ତୁର ଜିଲ୍ଲା । ଚମଲା ଉପତ୍ୟକା ତାର ଉତ୍ତର–ପୂର୍ବ ସୀମାରେ । ଏହାର ଉତ୍ତରରେ କୁଡ଼ାପା ଜିଲ୍ଲା । ଛୋଟ ଉପତ୍ୟକାଟାଏ । ଏହାର ମୂଳ ଅଂଶଟା ଉତ୍ତର ଆଡ଼କୁ ମାଡ଼ିଯାଇଛି । ବିସ୍ତାର ସାତମାଇଲ ଓ ଲଂବା ପାଂଚ ମାଇଲ ହେବ । ଆଗଆଡ଼କୁ ଇଂରେଜୀ ୱାଇ(Y) ର ହାତ ଦୁଇଟି ମରି ଉପତ୍ୟକାଟା ଉତ୍ତର–ପଶ୍ଚିମ ଓ ଉତ୍ତର–ପୂର୍ବ ଆଡ଼କୁ ଯାଇଛି । ମୂଳ ଉପତ୍ୟକାଠୁ ଖୁବ୍ ଅଣଓସାରିଆ । ଦୁଇଟା ଶାଖା ହାରାହାରି ଚାରିମାଇଲ ଲମ୍ବ । କୁଡ଼ାପାର ଦକ୍ଷିଣ ସୀମାରେ ଠିଆ ହୋଇଥିବା ଗୋଟାଏ ପାହାଡ଼ର ପାଦତଳେ ଏ ଦୁଇ ଶାଖା ସରିଚି ।

 

ଏଇଠି ଗୋଟିଏ ସୁନ୍ଦର ନଈ ବହିଯାଉଛି । ତା ନାଁ କଲ୍ୟାଣୀ । ଉତ୍ତର ପୂର୍ବ ଉପତ୍ୟକାରେ କଲ୍ୟାଣୀ ବହେ । ସେହି ପାହାଡ଼ ତଳୁ ଉଭୟଦିଗରୁ ସେ ଜଳ ପାଏ । ପୁଣି ଏଠି ଦେଖାଦେଉଥିବା ଘନ ବନଭୂମିକୁ ଗୁଡ଼ାଲପେଟା ଓ ଉଂ‌ବାଲମେରୁ କୁହାଯାଏ । ଏଇ ଅଂଚଳରେ ଖରା ଦିନରେ ଖୁବ୍ କାକର ନିର୍ମଳ ପାଣି ମିଳେ । କଲ୍ୟାଣୀ ଦକ୍ଷିଣକୁ ବହି ଯାଇଛି । ସେ ନଗପଟଲାର ଚାଷ ଅଂଚଳରେ ପ୍ରବେଶ କରିଛି । ଏଇଠି ତିଆରି ହୋଇଛି ଗୋଟାଏ ବଡ଼ ହ୍ରଦ । ଏଇ ହ୍ରଦର ଜଳକୁ ଚନ୍ଦ୍ରଗିରିର ପ୍ରାଚୀନ ରାଜାମାନେ ଜଳସେଚନରେ ଲଗାଉଥିଲେ । ପରେ ମହାନ୍ ବୀର ଟିପୁସୁଲତାନ୍ ଏଇଠି ଗୋଟାଏ ବନ୍ଧ ତିଆରିପାଇଁ ଚେଷ୍ଟା କରିଥିଲେ । ଏ ଅଂଚଳ ଖରାଦିନେ ଶୁଖିଯାଏ । ମାଟି ଫାଟି ଆଁ କରେ । ତେଣୁ ଜଳ ଯୋଗଣପାଇଁ ଏହା ଥିଲା ଏକ ମହତ୍ ପ୍ରଚେଷ୍ଟା । ହ୍ରଦର ଦକ୍ଷିଣରେ ଜଙ୍ଗଲ ବିଭାଗର ବଙ୍ଗଳାଟାଏ । ମୋଟା ଛପର । ଜଙ୍ଗଲ ତାକୁ ଘୋଡ଼ାଇ ପକାଇଚି । ପ୍ରାୟ ଦେଢ଼ମାଇଲ ଦୂରରେ ଶୋଇରହିଚି ଆରେପଲ୍ଲୀ ରଙ୍ଗାମପେଟ । ଏ ଗାଁଟି ଏବର ।

 

ଚମଲା ଉପତ୍ୟକା ଗୋଟା ଭୀଷଣ ଜଙ୍ଗଲ ଭରା । ବ୍ରିଟିଶ ଶାସନକାଳରେ ଏହା ଶିକାର ପାଇଁ ସଂରକ୍ଷିତ ଥିଲା । ପଶ୍ଚିମରେ ଅଛି ବାଖରାପେଟ ଅରଣ୍ୟ । ପୂର୍ବକୁ ତିରୁପତି ଅରଣ୍ୟ-। ଏଇ ଅରଣ୍ୟର ଶେଷ ସୀମାରେ ଭାରତର ପ୍ରସିଦ୍ଧ ପୀଠ ତିରୁପତି ଅବସ୍ଥିତ । ଦକ୍ଷିଣରେ ଚନ୍ଦ୍ରଗିରି । ଚନ୍ଦ୍ରଗିରି ପ୍ରାଚୀନ ନଗର । ତା’ର ପୁରୁଣା ଦୁର୍ଗ ପୂର୍ବତନ ରାଜାମାନଙ୍କ ସ୍ମୃତିକୁ ମକ ମୌନ ସମ୍ମାନ ଜଣାଉଚି ।

 

ଚନ୍ଦ୍ରଗିରିର ପାଖଦେଇ ଗୋଟିଏ ମିଟରଗଜ୍ ରେଲ ରାସ୍ତା ତିରୁପତି ଓ ରେନୀଗୁଂ‌ଟାକୁ ଯୋଗକରିଛି । ସେଇଠି ଏହା ମାନ୍ଦ୍ରାଜ ବମ୍ୱେର ବ୍ରଜଗଡ଼ ରେଳପଥ ସହ ମିଶିବ । ଚନ୍ଦ୍ରଗିରି ରେଳଷ୍ଟେସନରୁ ରଙ୍ଗମପେଟକୁ ଶଗଡ଼ରାସ୍ତା । ପ୍ରାୟ ସାଢେ଼ ତିନିମାଇଲ୍ । ଏଇଠୁ ଏ ରାସ୍ତା ଉତ୍ତରମୁହାଁ ହୋଇଚି । ଦେଢ଼ ମାଇଲ ପରେ ନାଗପାଟ୍‌ଲାରେ ପହଞ୍ଚିଛି । ଏଇଠୁ ଏହା ଆହୁରି ଉତ୍ତରକୁ ଯାଇଚି । କ୍ରମେ ଏହା ବନବିଭାଗର ନିଜ ରାସ୍ତା ହୋଇ ଯାଇଚି । ଚମଲା ଉପତ୍ୟକ ଯାଏ ଏ ରାସ୍ତାର ଦୈର୍ଘ୍ୟ ହେଉଚି ସାତମାଇଲ୍‌ । ଏ ଉପତ୍ୟକାର ପୁଲିବନୁଠାରେ ରାସ୍ତା ହଠାତ୍‌ କରି ବନ୍ଦହେଇଚି । ପୁଲିବନୁ ଅର୍ଥ ବାଘର ଗୁହା ।

 

ବନ ବିଭାଗ ଏଠି ଗୋଟାଏ କୂଅ ଖୋଳିଛନ୍ତି । ସେଥିରୁ ବର୍ଷସାରା ପିଇବା ପାଣି ମିଳେ । ଆଉ ସିମେଣ୍ଟ୍‌ର ଦୁଇଟା ବଡ଼ ଘର ତିଆରି ହୋଇଚି । ଏଇଠି ବିଭାଗର ଲୋକେ ବେଳେ ବେଳେ ରହନ୍ତି ।

 

ଉପତ୍ୟକା ଓ ତାର ଶାଖାଗୁଡ଼ିକର ଶୋଭା ଅତ୍ୟନ୍ତ ମନୋରମ । ଅଠରବର୍ଷ ତଳେ ମୁଁ ଏଠିକି ଆସିଥିଲି । ସେତେବେଳେ ଜଙ୍ଗଲ ପଶୁପକ୍ଷୀରେ ଭରପୂର । ଶିକାର ଯାହାକୁ ଯେତେ । ଦଳ ଦଳ ହରିଣ ଖାଇପିଇ ଜଙ୍ଗଲରେ ବୁଲୁଥିଲେ । ସେଥିରେ ଯୋଉ ଶିଙ୍ଗାଳ ସବୁ ଥିଲେ, ସେପରି ହରିଣ ମୁଁ ଦକ୍ଷିଣଭାରତରେ ଅନ୍ୟ କୋଉଠି ଦେଖିନି । ପଶ୍ଚିମରେ ବାଖ୍ରାପେଟ ଉପତ୍ୟକା-। ପୂର୍ବରେ ତିରୁପତି ଉପତ୍ୟକା । ଏ ଉଭୟରେ ବଡ଼ ବଡ଼ ଶମ୍ବର ମାନଙ୍କର ଘର ଥିଲା-। ଜଙ୍ଗଲରେ ସବୁଠି କଳା ଭାଲୁ ଥିଲେ । ପାହାଡ଼ ତଳେ ସେମାନଙ୍କ ସଂଖ୍ୟା ଖୁବ୍ ବେଶି । ପୁଣି ଏଇ ଅଞ୍ଚଳର ଭାଲୁଗୁଡ଼ିକ ଅତ୍ୟନ୍ତ ଭୟଙ୍କର । କୁଟୁରା ଥିଲେ ଅଗଣିତ । ମୟୂର, ବିଭିନ୍ନ ଜାତିର କୁକୁଡ଼ା, ଚିତିରି ଚଢ଼େଇମାନଙ୍କ ସଂଖ୍ୟା ଥିଲା ଅଗଣିତ । ଦକ୍ଷିଣ ଭାରତର କେବଳ ଏଇ ଜଙ୍ଗଲରେଇ ମୁଁ ବଣ କୁକୁଡ଼ାର ଡାକ ଦିନର ମଧ୍ୟଭାଗରେ ଅପରାହ୍‌ଣ ଦୁଇଟାରେ ଏବଂ ସାଢ଼େ ଚାରିଟାରେ ନିୟମିତ ଶୁଣୁଥିଲି । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତରେ ତ ସେମାନେ ନିଶ୍ଚୟ ବୋବାଉଥିଲେ ।

 

ଏଇ ଶାନ୍ତ ବନଭୂମିକି ଆସିଲା ସେଇ ପଟାପଟାରିଆର ଭୟ । ଏକଥା ଘଟିଲା ୧୯୩୭ରେ । ତା’ରି କଥା କହୁଚି । ସାଧାରଣ ଆକାରର ବାଘଟା ତା ପଞ୍ଝା ଚିହ୍ନଗୁଡ଼ାକ ସୁସ୍ଥ ବାଘର ପାଦଚିହ୍ନ ପରି ପରିଷ୍କାର । ସେଥିରୁ ସେ ଯେ କାହିଁକି ମଣିଷମାରୁ ହେଲା ଜାଣିହେବନି । ବାଘଟା ହଠାତ୍ କରି ପହଞ୍ଝିଗଲା । କୋଉଠୁ ଆସିଲା କେହି ଜାଣେନି । ପାଖ ଆଖ ଜଙ୍ଗଲରେ କୌଣସି ମଣିଷଖିଆ ବାଘ ମାତିବା କଥା ମଧ୍ୟ କେହି ଜାଣନ୍ତିନି । ପାଖ ବା ଦୂର ଜଙ୍ଗଲରେ ଏପରି ବାଘର ଶିକାର କଥା କେହି ଶୁଣି ନଥିଲେ । ଅଜଣା ଅଶୁଣା ଭାବରେ ଏଇ ଅବାଞ୍ଛିତ ଜୀବଟି ଆସିଲା ସିନା, ଖୁବ୍ ଶୀଘ୍ର ତା’ ଗୁଣକଥା ଚାରିଆଡ଼େ ପ୍ରଘଟ ହୋଇଗଲା । ଗୁଣ୍ଡାଳପେଟା ପାଖରେ ସେ ଗୋଟାଏ ବାଉଁଶ କଟାଳିକି ମାରିଲା, ଗୋଟାପରେ ଖାଇଗଲା । ଏହାର ତିନିଦିନ ପରେ ନାଗପାଟଲା ପୁଲିବନୁ ବଣହାଟରେ ସେ ଗୋଟାଏ ବାଟୋଇକି ଖାଇଲା । ଶିକାର ଜାଗାରେ ଚତୁର୍ଥ ମାଇଲ ସ୍ତମ୍ଭ ।

 

ଏହାପରେ ତା’ ମାରିବାର ଠିକ୍‌ଠିକଣା ରହିଲାନି । ସାରା ଜଙ୍ଗଲ ସେ ବୁଲିଲା । ବହୁ ଦୂରଯାଏ ଗଲା । ଛ’ ମାସ ଭିତରେ ସାତଟି ମଣିଷ ତା’ର ଶିକାର ହେଲେ । ଅଧିକାଂଶ କ୍ଷେତ୍ରରେ ପୁରା ଖାଇପକାଏ–କୋଉଠି କୋଉଠି ଆଂଶିକ ଖାଏ ।

 

ଦିନକର କଥା । ବାଖ୍ରାପେଟରୁ ଜଣେ ରେଂଜ ଅଫିସର୍ ନାଗାପାଟଲା ଆସୁଥାଆନ୍ତି । ଚମଲା ଉପତ୍ୟକା ଭିତରେ ଯିବାକୁ ହେଲା । ଏ ଉପତ୍ୟକାଟି ତାଙ୍କ ରେଞ୍ଜ ଭିତରେ । ସେଇଟା ଥିଲା ତାଙ୍କର ନିୟମିତ କାମ–ଜଙ୍ଗଲ ବୁଲିବେ, ଦେଖିବେ–ନାଗାପାଟଲାର ବନ ବିଭାଗ ବଙ୍ଗଳାରେ ରହିବେ । ସେଠି ପନ୍ଦରଦିନ ରହିବାର ଇଚ୍ଛା । ପନ୍ଦରଦିନ ଲାଗି ଖାଇବାର ଜିନିଷ ନେଉଥାଆନ୍ତି । ଏକ ବଳଦଗାଡ଼ିରେ ଖାଦ୍ୟଦ୍ରବ୍ୟ, ଲୁଗାପଟା ଆଉ ଆଉ ଦରକାରୀ ଜିନିଷପତ୍ର ଲଦାହୋଇଥାଏ ।

 

ଲକ୍ଷ୍ୟସ୍ଥଳ ଆଉ ଦୁଇମାଇଲ୍‌ ଥାଏ । ଦେଖାଗଲା ଶଗଡ଼ ଆଗରେ ବାଘଟାଏ । ବାଖ୍ରାପେଟ୍ ରୁ ନାଗପାଟଲା ରାସ୍ତାଟା ସଂରକ୍ଷିତ ଜଙ୍ଗଲ ଭିତରେ ଯାଇଚି । ତା’ର ଶେଷ ଦୁଇମାଇଲ୍‌ ଚମଲା ଉପତ୍ୟକାର ଆରମ୍ଭରେ ପଡ଼େ ।

 

ରାସ୍ତା ଆଗୁଳିଚି ବାଘ–ଗାଡ଼ିଆଳ କେମିତି ଗାଡ଼ି ନେବ ? ସେ ଗାଡ଼ି ବନ୍ଦ କଲା । ରେଞ୍ଜ ଅଫିସରଙ୍କୁ ବାଘକଥା କହିଲା । ରେଞ୍ଜ ଅଫିସର ଓ ଜଣେ ଗାର୍ଡ଼ ଗାଡ଼ି ଭିତରେ ବସିଥାଆନ୍ତି । ଗାଡ଼ି ଉପରେ ତଲେଇ ଅଛି । ତେଣୁ ସେ ଦୁହେଁ ବାଘଟାକୁ ଦେଖି ପାରିନଥିଲେ ।

 

ତିନିଜଣ ମିଶି ଜୋର୍ ପାଟିକଲେ । ବାଘ ବାଟ ଛାଡ଼ିଦେଲା । ରାସ୍ତା ପାଖରେ ଟିକେ ଖୋଲାଜାଗା ଥାଏ । ବାଘଟା ସେଇ ପାଖକୁ ଗଲା । ଭିତରୁ ଥାଇ ଦି’ ଜଣଯାକ ଲୋକ ବାଘଟାକୁ ପରିଷ୍କାର ଦେଖିପାରୁଥାଆନ୍ତି । ବାଘକୁ ପାରିହେଇ ଗାଡ଼ି ଚାଲିଥାଏ । ଖୁବ୍ ଅଳ୍ପ ଦୂରରେ ବାଘଟା ଥାଏ । ହଠାତ୍ ଗାର୍ଡ଼଼ର ମନ କ’ଣ ହେଲା କେଜାଣି, ସେ ଗାଡ଼ିରୁ ତଳକୁ ଡେଇଁପଡ଼ିଲା । ସେ ତା’ ହାତ ହଲାଇ ପାଟି କରିବାକୁ ଲାଗିଲା । ତା’ର ଉଦ୍ଦେଶ୍ୟ ଥାଏ–ବାଘଟାକୁ ଡରାଇ ତଡ଼ିଦେବ; କିନ୍ତୁ ଏହାହିଁ ତାର କାଳହେଲା । ଆଖିର ପିଛୁଳାକେ ବାଘଟା କୁଦିପଡ଼ିଲା ଓ ତା’ ପାଟିରେ ଗାର୍ଡ଼କୁ ଧରି ବଣ ଭିତରେ ଲୁଚିଗଲା । ଘଟଣାଟା ଏମିତି ବିଜୁଳି ବେଗରେ ଘଟିଲା ଯେ, ରେଞ୍ଜ ଅଫିସର କ’ଣ କରିବେ ଭାବିବାକୁ ବେଳ ପାଇଲେନି । ପାଖରେ ଅସ୍ତ୍ରଶସ୍ତ୍ର ନଥାଏ । ସେ କ’ଣ କରିପାରିଥାଆନ୍ତେ ଅବା ?

 

ନାଗପାଟଲାକୁ ଖୁବ୍ ତରତରରେ ଗାଡ଼ି ଚଳାଇନେଲେ ସେମାନେ । ତା’ ପରଦିନ ସକାଳେ କେତେ ଲୋକଙ୍କୁ ଡକାଇଲେ । ସେମାନଙ୍କ ହାତରେ ଠେଙ୍ଗା, ଟାଙ୍ଗିଆ, ଭାଲ ଆଦି ଥାଏ-। ସେମାନେ ବାହାରିଲେ ହତଭାଗ୍ୟ ଗାର୍ଡ଼ଟିକୁ ଖୋଜି–ସତରେ ତା’କୁ ଖୋଜିବାକୁ ନୁହଁ ଯେ–ତା’ ମୃତ ଦେହର କିଛି ଯଦି ରହିଥିବ, ସେଇ ଅଂଶକୁ ଖୋଜିବାକୁ ବାହାରିଲେ ବୋଲି କହିଲେ ଠିକ୍ ହେବ ।

 

ସେମାନେ ବହୁତ ଖୋଜିଲେ । ଶେଷରେ ଗୋଟାଏ ଗହ୍ଵର ମଧ୍ୟରେ ତା’ର ଅବଶିଷ୍ଟାଂଶ ମିଳିଲା । ଅବଶିଷ୍ଟାଂଶ କହିଲେ ଥିଲା ସେଇ ହତଭାଗ୍ୟ ଲୋକଟିର ଖାଲି ମୁଣ୍ଡଟି, ହାତ ଦୁଇଟି, ପାଦ ଦୁଇଟି । ଆଉ ଥିଲା ରକ୍ତବୋଳା ଛିଣ୍ଡି ଯାଇଥିବା ଖାକି ପୋଷାକ ଏବଂ ସାବ୍‌ଜା ପଗଡ଼ି । ଏଥିରୁ ସେ ସେଇ ଲୋକ ବୋଲି ଜଣାପଡ଼ୁଥିଲା । ଏତକ ମିଳିଲା ସେଇ ରାସ୍ତାଠୁ ପ୍ରାୟ ଫର୍ଲଙ୍ଗେ ଦୂରରେ ।

 

ଏ ଘଟଣାରେ କର୍ମକର୍ତ୍ତାମାନଙ୍କର ମନ ବିବ୍ରତ ହୋଇଗଲା । ବିଭିନ୍ନ ଖବରକାଗଜରେ ଏ ସମ୍ବାଦ ବାହାରିଲା । ଏ ଭୟଙ୍କର ନରଖାଦକକୁ ମାରିବାକୁ ପୁରସ୍କାର ଘୋଷଣା କରାଗଲା । ସେ ଆଖପାଖର କଥା ମାନ୍ଦ୍ରାଜ ସହରର ଅନେକ ସାହସୀ ଶିକାରୀ ବାହାରି ଆସିଲେ । ଉପତ୍ୟକା ସେମାନଙ୍କ ପାଦଶବ୍ଦରେ ପ୍ରତିଧ୍ୱନିତ ହେଲା; ମାତ୍ର ଏ ଲୋକଙ୍କ ଗହଳ ଚହଳ ସତେ ଯେମିତି ବାଘଟାକୁ ସତର୍କ କରିଦେଲା । ସେ ଯେମିତି ଭାବରେ କୋଉଠୁ ଆସିଥିଲା, ସେମିତି ଭାବରେ କୁଆଡ଼େ ଅଦୃଶ୍ୟ ହୋଇଗଲା । ଉପତ୍ୟକା ଗୋଟାକୁ ଖିନ୍‌ଭିନ୍ କରି ଖୋଜାଗଲା–ହେଲେ, ପତ୍ତା ମିଳିଲାନି ତା’ର । ବୋଧହୁଏ ବାଘଟା ପାହାଡ଼ ଡେଇଁ କୁଡ଼ାପ୍‌ପା ଜିଲ୍ଲାକୁ ପଳାଇଗଲା, ଅଥବା ବାଖ୍ରାପେଟ୍ ବା ତିରୁପତି ଜଙ୍ଗଲକୁ ଖସିଗଲା । ଅଞ୍ଚଳ ସାରା ସଭିଏଁ ସଜାଗ ହୋଇଗଲେ–ମାତ୍ର ଦୁଇ ମାସ ଧରି ବାଘର ଚିହ୍ନବର୍ଣ୍ଣ ମିଳିଲାନି ।

 

ତା’ପରେ ଆଉ ଦିନକର କଥା । ସେ ଥିଲା ଜଣେ ରେଲୱେ ଗାଙ୍ଗର ଶ୍ରମିକ । ମାମାନ୍ଦର ପାଖରେ ରେଳରାସ୍ତା ସେ ଦେଖୁଥାଏ । ମାନ୍ଦ୍ରାଜ ବମ୍ବେ ରେଳପଥର ଏଇଟା ଗୋଟାଏ ଶାଖା ପଥ । ବେଶ୍ ବିସ୍ତୀର୍ଣ୍ଣ ଉପତ୍ୟକାରେ ଘନ ଅରଣ୍ୟ ମଧ୍ୟରେ ଅବସ୍ଥିତ ଏ ରେଳପଥ । ଚମଲା ଉପତ୍ୟକାରୁ ଅଠର ମାଇଲ ଦୂର–ଉତ୍ତର ପୂର୍ବରେ ଯାଇଚି । ଚାରିପାଖ ଘେରି ରହିଚି ପାହାଡ଼ମାଳା । ସେ ପେଟ୍ରୋଲ କେନ୍ଦ୍ରକୁ ଆସିଲାନି । ଦିନେ ଦି ଦିନ ଗଲା । କେହି ତା’ର କଥା ଭାବିଲେନି, ତା’ କଥା କେହି ମନେପକାଇଲେନି । ପ୍ରାଚ୍ୟ ଦେଶରେ ଏ ପ୍ରକାର ଅନୁପସ୍ଥିତିଟା ଗୋଟାଏ ଗତ–ଗୋଟାଏ ସାମାନ୍ୟ ଘଟଣା । ମାତ୍ର ତା’ପରେ ବି ଲୋକଟିର ଦେଖା ମିଳିଲାନି । ଏଥର ଲୋକଙ୍କର ଚେତା ପଶିଲା । ସେଇଠୁ ଗୋଟାଏ ଅନୁସନ୍ଧାନ ଦଳ ପଠାଗଲା । ଲୋକଟିକି ଖୋଜି ବାହାର କରିବା ଥିଲା ଏ ଦଳର ଲକ୍ଷ୍ୟ ।

 

ସେମାନେ ରେଳପଥର ଧୀରେ ଧୀରେ ଚାଲିଲେ । ହଠାତ୍ ଗୋଟାଏ ବଡ଼ ହାତୁଡ଼ି ପାଇଲେ । ହାତୁଡ଼ିଟା ରେଳପଥ ପାଖରେ ପଡ଼ିଥାଏ । ସେମାନେ ଚିହ୍ନିଲେ, ଏଇ ହାତୁଡ଼ିଟା ତା’ର-। ଗ୍ୟାଙ୍ଗର୍ ମାନଙ୍କୁ ଏଇ ପ୍ରକାର ହାତୁଡ଼ି ଦିଆଯାଇଥାଏ । ସେମାନେ ଏଥରେ କାଠ କିଳା ଫିଟି ରାସ୍ତା ଠିକ୍ କରନ୍ତି । ଟାଣ ମାଟି । ଶୁଖିଲା । ସୂର୍ଯ୍ୟ ତାପରେ ଭାଜି ହେଇ ଯାଇଚି । ସେଠି କୌଣସି ସଙ୍ଘର୍ଷ ବା ଧସ୍ତାଧସ୍ତିର ଚିହ୍ନ ନଥାଏ । ମାତ୍ର ଅଳ୍ପ ଦୂରରେ ଦେଖାଗଲା କେତେ ବିନ୍ଦୁ, ରକ୍ତର ଚିହ୍ନ । ସେଇ ଚିହ୍ନ ପୁଣି ଯାଇଥାଏ ପାଖରେ ଥିବା ଗୋଟାଏ ପାହାଡ଼ ଆଡ଼କୁ ।

 

ସେଇ ଶୁଖିଲା ରକ୍ତ ଚିହ୍ନକୁ ଡଗରାଇ ଅନୁସନ୍ଧାନ ଚାଲିଲା । ସେମାନେ ଏଥର ପାଇଲେ ପଟେ ଚପଲ–ଦେଶୀ ତିଆରି ଚପଲଟା । ସେଇ ଲୋକଟି ପିନ୍ଧୁଥିଲା–ଚପଲଟା ସାରା ରକ୍ତ, ଆଉ ପାଖର ଗଛ ବୁଦାର ପତ୍ରସବୁ ରକ୍ତରଙ୍ଗା । ଆଉ ଟିକେ ଆଗରେ ଶୁଖିଲା କଅଁଳ ବାଲିର ଏକ ଅଣଓସାର ଶଯ୍ୟା । ସେଠି ବାଘ ପାଦର ଚିହ୍ନ ମିଳିଲା ।

 

ବର୍ତ୍ତମାନ ଜଣାଗଲା ଲୋକଟି ଜଙ୍ଗଲରେ ବାଟବଣା ହେଇନି କି ହଜିଯାଇନି–ତା’କୁ ବାଘ ଟାଣିନେଇ ହଜମ୍ କରିଚି । ଚମଲା ଉପତ୍ୟକାର ସେଇ ବାଘର କାଣ୍ଡ ଆଗରୁ ସମସ୍ତେ ଜାଣିଥିଲେ । ତେଣୁ ସିଦ୍ଧାନ୍ତ ହେଲା, ଏହା ସେଇ ଶୈତାନର କାମ । ମାତ୍ର ଯେତେ ଖୋଜିଲେ ବି ସେଇ ଲୋକର ଆଉ କିଛି ଚିହ୍ନ ମିଳିଲାନି ।

 

ଏହି ଘଟଣାର ପରେ ପରେ ଆଉ ଦୁଇଟି ହତ୍ୟା ଘଟିଗଲା । ଗୋଟାଏ ଘଟିଲା ସେଭିଗୁଣ୍ଟାରେ । ମାମାନ୍ଦରଠୁ ଏ ଜାଗାଟାର ଦୂରତା ଏଗାର ମାଇଲ–ଉତ୍ତର ପଶ୍ଚିମରେ । ଅନ୍ୟଟି ଘଟିଲା ଉମ୍ବାଲମେରୁରେ । ଚମଲା ଉପତ୍ୟକାରେ ପହଞ୍ଚିବା ଆଗରୁ ଏହାହିଁ ହେଉଚି କଲ୍ୟାଣୀ ନଦୀର ଜଳ ଅବବାହିକାର ମୂଳ ।

 

ଏତିକିବେଳକୁ କୋଉ କାମରେ ମୁଁ ଯାଇଥାଏ ମାନ୍ଦ୍ରାଜ । ସେଠି ମୁଖ୍ୟ କଞ୍ଜରଭେଟର୍‌ଙ୍କୁ ଦେଖାକରିବାକୁ ଗଲି । ସାଲେମ୍ ଜିଲାରେ ପୋଚର ବା ବିନା ଲାଇସେନ୍‌ସରେ ଶିକାର ଚଳାଇଥିବା ଲୋକମାନେ ଖୁବ୍ ଜନ୍ତୁ ଶିକାର ଚଳାଇଥାଆନ୍ତି । ସେମାନଙ୍କର ଏଇ କାମ ବିରୁଦ୍ଧରେ ସେ ମହାଶୟଙ୍କୁ ଜଣାଇବା ଥାଏ ମୋ’ର ଇଚ୍ଛା । କଥା ଛଳରେ ସେ ଏଇ ବାଘର ଅତ୍ୟାଚାର କଥା ଜଣାଇଲେ । ତା’ପରେ ମୋତେ ଅନୁରୋଧ କଲେ, ବାଘଟାକୁ ଖତମ କରିବାର ପ୍ରଚେଷ୍ଟା ନେବାକୁ ।

 

ସୁଯୋଗକୁ ମୋ’ର ପୂର୍ବ ବର୍ଷ ସବୁର ପ୍ରିଭିଲେଜ୍ ଛୁଟି ଥାଏ । ମୁଁ ସେ ଛୁଟିର ଉପଯୋଗ କରି ନ ଥାଏ । ବେଶ୍ କିଛି ମାସର ଛୁଟି ଜମା ଥାଏ । ଭାବିଲି ସେ ଛୁଟିରୁ ମାସଟିଏ ଏ କାମରେ ଲଗାଇବି । ବାଙ୍ଗାଲୋରକୁ ଲେଉଟି ଆସିଲି । ଏ ଅଭିଯାନ ଲାଗି ନାନା ଜିନିଷ ଯୋଗାଡ଼ରେ ଲାଗିଗଲି । ପ୍ରାୟ ଦଶଦିନ ପରେ ପହଞ୍ଚିଲି ନାଗପାଟଲା ବନ ବିଭାଗ ବଙ୍ଗଳାରେ । ଚମଲା ଉପତ୍ୟକାର ଏ ମଣିଷମାରୁକୁ ମାରିବା ପାଇଁ ଏହି ଜାଗାକୁ ମୁଁ ମୋ କାର୍ଯ୍ୟକ୍ରମର କେନ୍ଦ୍ର ଭାବରେ ବ୍ୟବହାର କରିବାକୁ ଠିକ୍ କରି ନେଇଥାଏ ।

 

କାମର ବିଭିନ୍ନ ପର୍ଯ୍ୟାୟକୁ ମନେ ମନେ ଭାଗକରିନେଲି । ପହିଲେ ଏ ଅଞ୍ଚଳରୁ ସମ୍ବାଦ ସଂଗ୍ରହ ହେବ । ଚମଲା ଉପତ୍ୟକାରେ ଯୋଉଠି ସବୁ ହତ୍ୟା ହୋଇଚି ସେ ଜାଗାଗୁଡ଼ିକୁ ନିଜେ ଦେଖିବି । ତା’ହେଲେ ସେସବୁ ଜାଗାରେ ହତ୍ୟାର କାରଣ ବିଷୟରେ ଗୋଟାଏ ଧାରଣ କରିପାରିବି । ହୁଏତ ଏଥିରେ ବାଘର ଗତିପଥଟା ମିଳିଯାଇପାରେ । ଏତକ ହେଲେ, ସେଇ ବାଟକୁ ଜଗିବି । ମାତ୍ର ଶେଷକଥାଟି ମୁଁ କରିପାରିଲିନି । ମୋ ବିଚାରରେ ଜାଣିଲି, ବାଘର ପ୍ରକୃତି ଖୁବ୍ ବିଚିତ୍ର । ତା’ର କୌଣସି ନିର୍ଦ୍ଦିଷ୍ଟ ଦାଣ୍ଡି ନାଇଁ । ସେ ମନଇଚ୍ଛା ଯୁଆଡ଼େ ପାରେ ସିଆଡ଼େ ବୁଲେ । ସୁବିଧା ଉଣ୍ଡୁଥାଏ । ମଣିଷ ପାଇଲେ ଘୋଷାରି ମାରେ । ଖାଇସାରିଲେ ପାହାଡ଼ ଚଢ଼େ । ମାମାନ୍ଦୁର ଅଥବା କୁଡ଼୍‌ଡ଼ପା ଜିଲାକୁ ପଳାଏ ।

 

ଚାରିଗୋଟି ପଣ୍ଡା କିଣିଲି । ଏଥିଲାଗି ମୋତେ ବେଶି କଷ୍ଟ କରିବାକୁ ହେଇନି । ଏଗୁଡ଼ିକୁ ବେଶ୍ ଛଡ଼ା ଛଡ଼ା କରି ବିଭିନ୍ନ ଜାଗାରେ ବାନ୍ଧିଲି । ଗୋଟାଏ ଗୁଣ୍ଡାଲପେଣ୍ଟାରେ, ଗୋଟାଏ ଉମ୍ବାଲମେରୁରେ, ତୃତୀୟଟି ନରସିଂହ ଚେରୁଭ ବୋଲି ଗୋଟିଏ ପାଣି ଜାଗାରେ । ଚତୁର୍ଥଟି ବନ୍ଧା ହେଲା ରାଗିମାଙ୍କୋନାର ଝରଣା ପାଖରେ । ନରସିଂହ ଚେରୁଭୁ ନାଗପାଟଲା ପୁଲିବନୁ ଜଙ୍ଗଲ ରାସ୍ତାରେ । ଏଇଠି ଯୋଉ ମାଇଲ୍ ଖୁଣ୍ଟି ଅଛି–ସେଥିରେ ଲେଖାଅଛି ଚାରି । ରାଗିମାଙ୍କୋନାର କଲ୍ୟାଣୀ ନଦୀର ଉପନଦୀ । ତିରୁପତି ଜଙ୍ଗଲ ଆଡ଼ୁ ଆସିଚି । ରାସ୍ତାଠୁ ଦୁଇମାଇଲ ଦୂର–ପୂର୍ବରେ ।

 

ନରସିଂହ ଚେରୁଭୁର ପଣ୍ଡା ଦୁଇଦିନ ପରେ ମଲା । ସେଠି ଯାଇ ପହଞ୍ଚିଲି । ଦେଖିଲି ସେ କାମ ଗୋଟାଏ ମସ୍ତବଡ଼ ଜଙ୍ଗଲୀ ଚିତାବାଘର । ସେଠି ବାଘର ପାଦଚିହ୍ନ ପାଇଲିନି । ଦେଖିଲି ଚିତାଟା ମୋ’ର ପଟେ ପଣ୍ଡାକୁ ମାରିଚି–ଆର ଗୁଡ଼ିକୁ ବି ମାରିପାରେ । ସେମିତି ହେଲେ ମୋର ବହୁତ ପଇସା ବରବାଦ ହେବ । ମୁଁ ବହୁତ କ୍ଷତି ସହିବି । ଠିକ୍ କଲି ଏ ଅନୁପ୍ରବେଶକାରୀକି ଖତମ୍‌କରେ । ସେଇ ମଢ଼ ପାଖରେ ଜଗିଲି । ସେ ଦିନ ସଞ୍ଜରେ ୬ ଟା ୪୫ ମିନିଟରେ ଚିତାଟାକୁ ମାରିଲି ।

 

ସେଇଠୁ ଆଉପଟେ ପଣ୍ଡା କିଣିଲି । ସେଇ ଜାଗାରେ ନରସିଂହ ଚେରୁଭୁରେ ଯତ୍ନରସହିତ ଜନ୍ତୁଟିକି ବାନ୍ଧିଲି ।

 

ଗୋଟାଏ ସପ୍ତାହ କଟିଲା । ସେ ବଙ୍ଗଳାରେ ସେମିତି ସେମିତି ବେଳ କାଟୁଥାଏ । ବାଘର କୌଣସି ଖବର ଅନ୍ତର ନାଇଁ । କାମ ନାଇଁ । ଖାଲି ଖାଲି ବସି କାଳ କାଟୁଥାଏ । ବେଳେ ବେଳେ ସକାଳେ ବା ସଞ୍ଜରେ ଜଙ୍ଗଲ ବୁଲିଯାଏ । ଯାଏ ବହୁତ ବାଟ–କାଳେ ମଣିଷ ମାରୁଟା ସଙ୍ଗେ ଦେଖାହେବ । ଏମିତି ଆଠଦିନ ଗଲା । ନବମ ଦିନ ସକାଳ ହେଲା । ପୁଲିବନୁ ଆଡ଼କୁ ସକାଳୁ ସକାଳୁ ଷ୍ଟୁଡ଼ିବେକ୍‌ରଟା ଛୁଟାଇଦେଲି । ଭାବୁଥାଏ ସେ ପାଖରେ ଗାଡ଼ି ରଖିବି–ତା’ ପରେ ପାଦରେ ବାଘଟାକୁ ଖୋଜି ବାହାରିବି । ଦେଖିଲି ବାଘ ପାଦର ଚିହ୍ନ । ଏଠି ରାସ୍ତାର ମାଇଲ ଷ୍ଟୋନ୍ ହେଉଚି ଷଷ୍ଠ ମାଇଲ୍ ଷ୍ଟୋନ୍ । ବାଘଟା ରାସ୍ତା ମଝିଦେଇ ପୁଲିବନୁ ସେପାଖକୁ ଯାଇଚି । ଏଯାଏ ନରଖାଦକଟାର ପାଦଚିହ୍ନ ସମ୍ପର୍କରେ ମୋ’ର ନିର୍ଦ୍ଦିଷ୍ଟ ଧାରଣା ନ ଥାଏ । ତେଣୁ ଠିକ୍ ଭାବେ ଜାଣିପାରିଲିନି–ବାଘଟା ସେଇ ହତ୍ୟାକାରୀ କି ନା । ହୋଇପାରେ ଗୋଟାଏ ସାଧାରଣ ବାଘ ଚଲାବୁଲା କରିଚି । ରାସ୍ତା ପାଖରେ ବାଲି ପଡ଼ିଥାଏ । ସେଥିରେ ବାଘଟାର ପାଦଚିହ୍ନ ପରିଷ୍କାର ବାରିହେଉଥାଏ । ମୁଁ ସେ ସବୁକୁ ଭଲ ଭାବେ ପରୀକ୍ଷା କଲି । ଜାଣିଲି–ଚିହ୍ନଗୁଡ଼ାକ ଗୋଟାଏ ଅଣ୍ଡିରା–ବାଘର । ତା’ଛଡ଼ା ଆଉ ଅଧିକ ସମ୍ବାଦ ଜାଣିପାରିଲିନି ।

 

କାର୍ ଛାଡ଼ିଦେଲି ପୁଲିବନୁରେ । ପାଦରେ ଚାଲି ଚାଲି ଆଗେଇଲି । ଗଲି ପୂର୍ବଦିଗର ଉପତ୍ୟକା ଅଞ୍ଚଳକୁ । କଲ୍ୟାଣୀ ନଦୀ ଏ ଜଙ୍ଗଲୀ ରାସ୍ତାକୁ ବହୁ ଜାଗାରେ କାଟିଚି । ଦେଖିଲି ଏ ରାସ୍ତାରେ ରାସ୍ତାରେ ବାଘଟା ମୋ ଆଗେ ଆଗେ ଯାଇଚି । ସେଇଦିନ ଗୁଣ୍ଡାଲପେଣ୍ଟା ଗଲି । ଗଲି ଉମ୍ଵାଲମେରୁ । ଆଶା ଥାଏ, ବନ୍ଧା ହୋଇଥିବା ମଇଁଷିକି ବାଘ ମାରିଥିବ । ଦେଖିଲି ସେ ଦୁଇଟି ଅକ୍ଷତ ଅଛନ୍ତି । ସେମାନଙ୍କ ଆଗରେ ବଡ଼ ଗଦା ପାଳ, ନଡ଼ା ଛାଡ଼ି ଦେଇଥିଲି–ତା’ହେଲେ ସେମାନେ ମଜାରେ ଖାଦ୍ୟ ଖାଇ ରହିବେ–ପାଟି କରିବେନି କି ପଘା ଛିଣ୍ଡାଇ ପଳାଇବାର ଚେଷ୍ଟା କରିବେନି । ସତକୁସତ ସେମାନେ ପେଟେ ପେଟେ ପୁଆଳ ନଡ଼ା ଖାଇ ପାକୁଳି ମାରୁଥାଆନ୍ତି–ସତେ ଅବା ଏ ଦୁନିଆରେ କିଛି ଘଟିନି ।

 

ମଧ୍ୟାହ୍ନର ଆହାର ସାରିଦେଲି । ଉପରବେଳା ପୁରୁଣା କାମକୁ ଧରିଲି । ବାଘର ପାଦଚିହ୍ନ ଖୋଜିବା ଯୋଉଠି ଛାଡ଼ିଥିଲି ସେଇଠୁ ପୁଣି ଖୋଜିବାରେ ଲାଗିଲି । କିଛି ବାଟ ଏ କାମରେ ଆଗେଇଲି । ତା’ପରେ ଅସୁବିଧା ହେଲା । ଦୁଇ ପାଖରେ ଘନ ବାଉଁଶ ବଣ । ତା’ ଭିତରେ ବାଘର ପାଦଚିହ୍ନ କେଉଁଠି ହଜିଗଲା–ମୁଁ ଆଉ ପାଇଲିନି । ଫେରିଲି । ପୁଲିବନୁରେ ପହଞ୍ଚିଲାବେଳକୁ ରାତି ବେଶ୍ ହୋଇଯାଇଥାଏ । ଅଧମାଇଲ ଯାଇଚି–ଗୋଟାଏ ଭାଲୁକୁ ଦେଖିଲି-। ରାତିର ଏ ସମୟରେ ଭାଲୁ ବାହାରେନି–ସେଦିନ କେମିତି ସଅଳ ଭାଲୁ ଆଜ୍ଞା ବାହାରି ପଡ଼ିଥିଲେ । ଗୋଟାଏ ବଡ଼ ଉଇହୁଙ୍କା ପାଖରେ ସେ ଠିଆହୋଇଥାଏ । ତା’ ନାକ ସାହଯ୍ୟରେ ହୁଙ୍କାକୁ ସେ କଣା କରିଥାଏ । ସେ କଣାରେ ମୁହଁ ଭରିଦିଏ । ତା’ପରେ ଜୋର୍ ପ୍ରଶ୍ଵାସ ମାରେ । ଭିତରୁ ଟାଣିହେଇ ଆସନ୍ତି ଟାଙ୍କୁ । ଉଇଛୁଆ ଟାଙ୍କୁ ସବୁ ତା’ ପାଟିରେ ପଡ଼ନ୍ତି । ଦୂରରୁ ଯିଏ ଦେଖିବ, ଭାବିବ ଗୋଟାଏ କଳା ଲୋକ ଠିଆ ହୋଇଚି । ତା’ ସଙ୍ଗେ ସଙ୍ଗେ ସେ ଏକ ବିକଟ ଶବ୍ଦ କରୁଥାଏ–ମନେହେବ ହଜାର ହଜାର ମହୁମାଛି ଗର୍ଜନ କରୁଛନ୍ତି ଓ ସେମାନଙ୍କ ଗୁଞ୍ଜନ ସହ ଗୋଟାଏ ବଡ଼ ବ୍ଳଡ଼୍‌ହାଉଣ୍ଡ୍ କୁକୁର ରଡ଼ିଛାଡ଼ୁଚି–ଏ ଦୁଇଟି ଶବ୍ଦର ମିଶାମିଶି ଶବ୍ଦ କରୁଚି ଭାଲୁ ।

 

ମୁଁ ଭାଲୁଟିର ଖୁବ୍ ପାଖକୁ ଚାଲିଆସିଲିଣି । ତେବେ ବି ସେ ଦେଖିନଥାଏ ମୋତେ । ତା’ କାମରେ ସେ ବୁଡ଼ିଯାଇଥାଏ । ତା’ର ଅଧିକ ପାଖକୁ ମୁଁ ଯାଇପାରିଥାଆନ୍ତି । ମାତ୍ର ନିଜକୁ ମୁଁ ରୋକିନେଲି । ସେ ଯୋଉ ମୁହୂର୍ତ୍ତରେ ଜାଣିବ ଯେ ମୁଁ ତା’ର ଏତେ ନିକଟରେ–ସେ ଯଦି ମୋତେ ଆକ୍ରମଣ କରେ ! ମୁଁ ତ ତାକୁ ଗୁଳିକରିବି ହିଁ କରିବି; ମାତ୍ର ତା’ ସହିତ ତ ମୋ’ର କୌଣସି କଳି ହେଇନି । ସେଭଳି ଜୀବଟାକୁ ମାରି କ’ଣ ଲାଭ ମୋ’ର ହେବ ? ଗୁଳିର ଶବ୍ଦରେ ନିସ୍ତରଙ୍ଗ ଜଙ୍ଗଲଟା ଶବ୍ଦକମ୍ପିତ ହୋଇଯିବ । ପଶୁ ପକ୍ଷୀମାନେ ହୁରୁଡ଼ିବେ । ବାଘଟା ବି ତରକିଯାଇପାରେ । ତେଣୁ ଭାଲୁଠୁ ପ୍ରାୟ ଚାଳିଶ ଫୁଟ ଦୂରରେ ଠିଆହେଲି । ଜୋର୍‌ରେ କାଶିଲି । ଭାଲୁ ତା’ର ଶବ୍ଦ ବନ୍ଦକରିଦେଲା । ସେ ଜାଣିପାରିଲା ମଣିଷ ଜଣେ ପାଖରେ ଅଛି । ସେ ବୁଲିପଡ଼ିଲା । ପଛ ଗୋଡ଼ରେ ଠିଆହେଇ ସେ ସିଧା ମୋତେ ଚାହିଁରହିଲା । ତା’ ମୁହଁଟାକୁ ଦେଖିବାର କଥା ! ଓଃ ! ସେଥିରେ କୋଉ ଭାବ ଦେଖିବ ! ସେଥିରେ ଥାଏ ରାଗ, ବିରକ୍ତି, ଭୟ, ଆଶଙ୍କା । ଆଉ ମୁହଁଯାକ ଲେପାହେଇଚି ମାଟି । ତା’ ପଛ ପାଦକୁ ଆହୁରି ଉଚ୍ଚା କରି ସେ ମୋ ଆଡ଼କୁ ନିର୍ନିମେଷ ନୟନରେ ଚାହିଁରହିଥାଏ । ଡରୁଥାଏ । ସେ ବୋଧହୁଏ ମୋ ଆଡ଼କୁ ଝପଟିଆସିବ । ମୋ ଉପରେ ଆକ୍ରମଣ ଚଳାଇବ । ସ୍ୱଭାବତଃ ଏ ଭାଲୁଜାତି ସେୟା କରିଥାଆନ୍ତି । ମାତ୍ର ତା’ର ସଦ୍‌ବୁଦ୍ଧି ଆସିଲା । ସେ ତା’ର ଚାରିପାଦ ବ୍ୟବହାର କଲା । ଖୁବ୍ ଜୋର୍‌ରେ ଦଉଡ଼ି ପଳାଇଲା । ଉଫ୍... ଉଫ୍...ଉଫ୍ ! ! ଗର୍ଜୁଥାଏ । ଏମିତି ଜୋର୍‌ରେ ଦଉଡ଼ୁଥାଏ ଯେ, ମନେହେବ ବଡ଼ କଳା ପେଣ୍ଡୁଟାଏ ଗଡ଼ିଯାଉଚି ।

 

ତା’ ପରଦିନ ବଡ଼ି ଭୋରରୁ ମୁଁ ପୁଲିବନୁରେ ପୁଣି ପହଞ୍ଚିଲି । ରାସ୍ତାରେ ଫେରନ୍ତି ବାଘର ପାଦଚିହ୍ନ ପାଇଲିନି । ଭାବିଲି ସେ ବୋଧହୁଏ ଉତ୍ତର–ପୂର୍ବ ଉପତ୍ୟକାରେ କୋଉଠି ରହିଗଲା । ହୋଇପାରେ, ପାହାଡ଼ର କୋଉଠି ଲୁଚିଗଲା ।

 

କାର୍‌କୁ ସେଇଠି ଛାଡ଼ିଲି । ଚାଲିଲି ଗୁଣ୍ଡାଲପେଣ୍ଟା । ଦେଖିଲି ପଣ୍ଡାଟି ସେମିତି ଅଛି । ସେମିତି ସେ ନିର୍ବିକାର ଭାବରେ, ନିଶ୍ଚିନ୍ତରେ ଚୋବାଉଚି ପୁଆଳ । ସେଇଠୁ ଗଲି ଭମ୍ବାଲ ମେରୁ । ଏଠି ପାଇଲିନି ପଣ୍ଡାଟିକୁ । ପରୀକ୍ଷାରୁ ଜଣାଗଲା, ଏହାକୁ ବାଘ ମାରିଚି, ତା’ପରେ ତାକୁ ଘୋଷାରିନେଇଚି । ଖୁବ୍ ଟାଣଥିଲା ରସିଟା । ମାତ୍ର ଥରକର ଝିଙ୍କାରେ ଛିଣ୍ଡି ଯାଇଚି ସେଇଟା ।

 

ଘୋଷରା ଚିହ୍ନକୁ ଡଗରାଇବା ସହଜ । ପ୍ରାୟ ଶହେ ଗଜ ଯାଇଚି ଆଖି ପଡ଼ିଲା ଗୋଟାଏ କୁଆ ଉପରେ । ସେ ଏକା ଥାଏ । ଗଛର ଗୋଟାଏ ନୁଆଣିଆ ଡାଳରେ ବସିଥାଏ । ଚାହୁଁଥାଏ ତଳକୁ । ସେ ଚାହାଣିରେ ଥାଏ କିଛି ପାଇବାର ଆଶା ।

 

ଏଥିରୁ ଗୋଟାଏ କଥା ହୋଇପାରେ–ବାଘଟା ସେଇଠି ଅଛି, ମଢ଼କୁ ଜଗିରହିଚି । ବାଘ ନଥିଲେ ତା’ର ବ୍ୟବହାର ଓ ଚାହାଣି ଅଲଗା ହୋଇଥାଆନ୍ତା । ସେ ତଳକୁ ଖସି ଯାଇ ଥାଆନ୍ତା, ଖାଉଥାଆନ୍ତା ମଢ଼ ।

 

କାଉଟି ଯୋଉ ଗଛରେ ବସିଥାଏ ସେଠୁ ତଳକୁ ଖସାଣି । ସେଠି ଅନେକ ବଡ଼ ବଡ଼ ଘାସବୁଦା । ମାଟି ଦବିଯାଇଚି । ଘଞ୍ଚ ବୁଦା ସେ ଜାଗାକୁ ଘୋଡ଼ାଇ ରଖିଚି । ସେଇ ବୁଦା ପାଖାପାଖି ତେବେ ରହିଚି ବାଘ, ରହିଚି ମଢ଼–ତା’ର ଖାଦ୍ୟ ।

 

ସିଧାସଳଖ ବୁଦା ପାଖକୁ ଯିବା ଠିକ୍ ହେବନି । ବାଘଟା ମୋ ଯିବା ଖବର ପାଇଯିବ । ପଳାଇ ଯାଇପାରେ । ନାଇଁ ଯଦି ମଣିଷଖିଆ ହେଇଥିବ, ସେ ମୋ ଉପରେ ଆକ୍ରମଣ କରିବ । ଏ ଘାସବୁଦା ଆଦି ମୋତେ କିଛି ସାହାଯ୍ୟ କରିପାରିବନି । ମୁଁ ଖୁବ୍ ପାଖରେ ଅଛି କିନା–ତା’ ଉପରେ ଗୁଳି ଚଳାଇ ପାରିବିନି ।

 

ତେଣୁ ମୁଁ ପଛେଇ ପଛେଇ ପ୍ରାୟ ପଚାଶ ଗଜ ଘୁଞ୍ଚିଲି । ବର୍ତ୍ତମାନ ଅନ୍ୟ ଦିଗରୁ ବୁଲିକରି ସତ୍ୟାସତ୍ୟ ଜାଣିବାର କୌଶଳ ପାଞ୍ଚିଲି । ହୁଏତ ଜାଗାଟାର ବିପରୀତ ଦିଗରୁ ଅନାଇଲେ ବାଘର ଉପସ୍ଥିତି କଥା ଜଣାପଡ଼ିବ ।

 

ଏଠି ମୋତେ ଅଚାନକ ସାହାଯ୍ୟ ମିଳିଲା । ଗୋଟାଏ ନାଳ ଉତ୍ତର–ପୂର୍ବରୁ ଉତ୍ତର–ପଶ୍ଚିମକୁ କର୍ଣ୍ଣ ଭାବରେ ଯାଇଥାଏ । ନାଳଟା ଥାଏ ଶୁଖିଲା । ବର୍ଷାଦିନେ କଲ୍ୟାଣୀ ନଦୀରେ ପାଣି ଢାଳେ ଏ ନାଳ । ଗୋଡ଼ ଚିପି ଚିପି ଗଲି । ଆଙ୍ଗୁଠି ଅଗରେ ଠିଆହେଲି । ଦେଖିଲି ବାଘଟା ଯୋଉଠି ଲୁଚିଛି, ସେ ବୁଦାଟା ମୋର ଛାତିଏ ଉଚ୍ଚା ହେବ । ଖୁବ୍ ସତର୍କ ହେଇ ଆହୁରି ପଚିଶ ଗଜ ଗଲି । ଡାହାଣ ପାଖ କୂଳ ଚଢ଼ିଲି । ଯାହା ଭାବିଥିଲି ସେୟା ପାଇଲି । ସେ ବୁଦାଟା ବେଶି ଦୂରରେ ନଥାଏ । ମୋ ଆଗରେ ଗୋଟାଏ ଛୋଟ ତେନ୍ତୁଳି ଗଛ ଥାଏ । ସେଇ ଗଛ ଆଡ଼କୁ ଗୁରୁଣ୍ଡି ଗଲି । ଧୀରେ ଧୀରେ ଗଛ ଉପରକୁ ଉଠିଲି । ଉହୁଙ୍କିଲି ସେଇ ବୁଦା ଆଡ଼କୁ ।

 

କିନ୍ତୁ ଏତେ ଚେଷ୍ଟାର ଫଳ ବୃଥାହେଲା । ସେଠାରୁ ମୁଁ କିଛି ଦେଖିପାରିଲିନି–ଏମିତିକି ସେ କାଉଟିକୁ ବି ଦେଖିହେଲାନି । କୁଆଟି ଗଛର ନୀଚା ଡାଳରେ ବସିଥାଏ । ସେ ଡାଳ ଓ ମୋ’ ମଝିରେ ବୁଦା । ତେଣୁ ବାଘଟା ସେଠି ଅଛି କି କୁଆଡ଼େ ଚାଲିଗଲାଣି ଜାଣିବାର କିଛି ଉପାୟ ନଥାଏ ।

 

ତଥାପି ମୁଁ ସେଇଠି ସେମିତି ଛପି ରହିଥାଏ । ଭାବୁଥାଏ, ଜଙ୍ଗଲ ଓ ତା’ର ଅଧିବାସୀମାନେ ମୋତେ ବାଘର ଗତିବିଧି କଥା ଜଣାଇଦେବେ । ଏତେବେଳକୁ ସୂର୍ଯ୍ୟ ବେଶ୍‍ ଉପରକୁ ଉଠିଗଲେଣି । ଜାଣେ, ବାଘ ଆଉ ରହିପାରିବନି । ପେଟେ ଖାଇଚି । ଏଥର ସେ ପାଣି ପିଇବା ଦରକାର । ଶୋଷ ମାରିବାକୁ ସେ ଉମ୍ବେଲମେରୁର କୌଣସି ପାଣିଘାଟକୁ ଯିବ ।

 

ତା’ପରେ ଗୋଟାଏ ମାଙ୍କଡ଼ର ଏକ ବିଚିତ୍ର ଶବ୍ଦ ଶୁଣିଲି–ହା...ହା...ହାର୍....ହାର୍... ! ! ମୋ’ଠୁ ବାଁପାଖରେ ଶହେଗଜ ଦୂରରୁ ସେ ଶବ୍ଦ ଆସୁଥାଏ । ବାରମ୍ବାର ଏମିତି ଶବ୍ଦ ସେ କରୁଥାଏ-। ମାଙ୍କଡ଼ଟିଏ ଚିକ୍ ଚିକ୍ ବୋବାଉଥାଏ ।

 

ତା’ହେଲେ ବାଘ ବାହାରିଲା । ଜଙ୍ଗଲର ପହରାବାଲା ହେଉଚି ମାଙ୍କଡ଼ । ମାଙ୍କଡ଼ ତା’କୁ ଦେଖିଚି ।

 

ଏଇ ମାଙ୍କଡ଼–ବିଶେଷରେ ହନୁ ମାଙ୍କଡ଼ ବାଘର ପରମ ଶତ୍ରୁ । ଯୋଉମାନେ ଭାରତୀୟ ଜଙ୍ଗଲରେ ଶିକାର କରନ୍ତି ବା ଏ ଦେଶର ଜୀବଜନ୍ତୁମାନଙ୍କ ବିଷୟରେ କିଛି ଜାଣନ୍ତି, ସେମାନଙ୍କୁ ଏ ସମ୍ପର୍କରେ ନ କହିବା ଭଲ । ଏଇ କଳାମୁହାଁ ମାଙ୍କଡ଼ଗୁଡ଼ିକର ଲାଞ୍ଜ ଖୁବ୍ ଲମ୍ବା । ଏମାନେ ଦଳରେ ରହନ୍ତି । ଗଛରୁ ଗଛରୁ ଡିଆଁ ମାରନ୍ତି । ବଣର ଫଳମୂଳ ଖାଆନ୍ତି । ବିଭିନ୍ନ ପ୍ରକାରର କୀଟପତଙ୍ଗ ଖାଆନ୍ତି । ମାଙ୍କଡ଼ ମାଂସ ଖାଇବାକୁ ବାଘ ପାଟିରୁ ଲାଳବହେ । ଚିତା ମଧ୍ୟ ଲାଳଗଡ଼ାଏ । ଜଙ୍ଗଲୀ ଲୋକେ ମଧ୍ୟ ମାଙ୍କଡ଼ ମାରି ଖାଆନ୍ତି । ଯୁଗ ଯୁଗ ଧରି ଏଇମାନେ ହନୁର ଶତ୍ରୂ । ଶତ୍ରୁମାନଙ୍କ ସହିତ ସେ ଲଢ଼ି ଆସିଚି । ଏ ଅଭିଜ୍ଞତାରୁ ସେ ଶିଖିଚି । ହନୁଦଳ ଗୋଟାଏ ହନୁକୁ ସବୁବେଳେ ପ୍ରହରୀପରି ଜଗାଇଥାଏ । ସେ ପାଖଆଖରେ ସବୁଠୁ ଡେଙ୍ଗାଗଛର ଟିପରେ ବସିଥିବ । ଦେଖୁଥିବ, ବାଘ କି ଚିତା କୋଉଠି ଛକିଚି । ଯେଉଁ ସମୟରେ ସେ ଜଗୁଆଳିର କାମ କରୁଥାଏ, ସେ ଆଉ କିଛି କରେନି । ଖାଏନି । ନିବିଷ୍ଟ ଭାବରେ ଜଗିରହିଥାଏ । ଆନମନା ହୁଏନି-। ଆମେ ମଣିଷମାନେ ହନୁଠାରୁ ଏତକ ଶିଖିବା ଉଚିତ । ସେ ଜଣେ ତା’ରି ଉପରେ ଦଳର ସମସ୍ତଙ୍କ ଜୀବନ ନିର୍ଭର କରୁଚି । ଦଳର ଛୁଆ, ମାଈମାଙ୍କଡ଼ ସମସ୍ତେ ତା’ରି ସତର୍କତା ଯୋଗୁଁ ବଞ୍ଚିବେ । ଅସାବଧାନ ହେଲେ ସବୁ ଯିବେ । ତା’ ଗୋଷ୍ଠୀର ବିଲୋପ ଆସିବ । ଜଙ୍ଗଲକୁ ଯାଆନ୍ତୁ ଦେଖିବେ ସବୁଠୁ ଉଚ୍ଚା ଗଛରେ ସେ ବସିଥିବ । ସବୁ ଆଡ଼କୁ ତନ୍ନ ତନ୍ନ କରି ଖୋଜିଲା ଆଖିରେ ପରୀକ୍ଷା କରିନେଉଥିବ । ବଡ଼ ତୀକ୍ଷ୍‌ଣ ତା’ର କଳା ଆଖିର ଦୃଷ୍ଟି । କୋଉଠି କିଛି ହଲିଗଲେ ସେ ଜାଣିପାରିବ । ଆଉ ଜଣେ ପହରାବାଲା ନଆସିବାଯାଏ ସେମିତି ସେ ଜଗିଥିବ–ତା ଦଳକୁ ଖବର ଦେଉଥିବ । ଖାଇବନି–ବସି ରହିଥିବ ।

 

ହନୁମାନେ ଖୁସିରେ ଖେଳନ୍ତି । ସେ ସମୟରେ ସାଧାରଣତଃ ସେମାନେ ହୁଁ–ହୁଁ ଡାକନ୍ତି-। ସେ ଡାକରେ ଜଙ୍ଗଲ ପ୍ରତିଧ୍ଵନିତ ହୋଇଉଠେ । ବିପଦର ସନ୍ଦେହ ହେଲେ, ବିପଦ ବୋଲି ଜାଣିଲେ, ସେମାନେ ଡାକିବେ ହୋ...ହୋ...ହାର୍... ହାର୍... !! ଏ ଡାକର ବାରମ୍ବାର ପୁନରାବୃତ୍ତି ହୁଏ । ହନୁଦଳ ଏ ସମ୍ବାଦ ପାଇଲେ ତ ସମସ୍ତେ ବଡ଼ ବଡ଼ ଗଛ ଚଢ଼ି ଆତ୍ମରକ୍ଷାର ବ୍ୟବସ୍ଥା କରନ୍ତି-

 

ହନୁମାନେ ଖୁବ୍ ଚାଲାକ । ମାତ୍ର ବାଘ ଓ ଚିତାମାନଙ୍କ କୌଶଳ ତହିଁରୁ କିଛି କମ୍ ନୁହେଁ । ସେମାନେ ଯେ ବଞ୍ଚିବେ ! ଆଉ ସେଥିପାଇଁ ଲୋଡ଼ା ଖାଦ୍ୟ–ମାଙ୍କଡ଼ ଖାଦ୍ୟ ମିଳିଲେ ଆହୁରି ଭଲ । ସତର୍କ ଡାକ ଶୁଣିଲେ, ଚିତା ବା ବାଘ ଥିବା ଜାଣିଲେ, ମାଙ୍କଡ଼ମାନେ ଗଛରେ ଚଢ଼ିଯିବେ । ତେଣୁ ସେମାନେ ମଧ୍ୟ ନୂଆ କୌଶଳ ଖଞ୍ଜନ୍ତି । ସେମାନେ ଲକ୍ଷ୍ୟ କରନ୍ତି କୋଉ ଗଛରେ ମାଙ୍କଡ଼ମାନେ ଚଢ଼ିଛନ୍ତି । ସେମାନେ ତା ମୂଳକୁ ଯାଆନ୍ତି । ସେଠି ଭୀଷଣ ଗର୍ଜନ କରନ୍ତି । ଡିଆଁ ଡେଇଁ କରନ୍ତି । ଏପରିକି ପାଖରେ ଥିବା ଡାଳକୁ ଧରି ଚଢ଼ିବାର ଛଳନା କରନ୍ତି । ସେମାନଙ୍କର ସେ ଗର୍ଜନରେ ବଣଭୂଇଁ ଥରିଉଠେ । ରକ୍ତ ପାଣି ଫାଟିଯାଏ । ମାଙ୍କଡ଼ମାନେ ତ ଗଛର ଟିପରେ ଥାଆନ୍ତି–ସେଠିକି ବାଘ କେବେହେଲେ ପହଞ୍ଚିପାରିବନି । ସେଠି ସେମାନେ ରହିଲେ ଖୁବ୍ ନିରାପଦ । ମାତ୍ର ସେମାନେ ସେଠି ସ୍ଥିର ହେଇ ରହନ୍ତିନି । ତଳେ ଭୀମ ଗର୍ଜନ ଛାଡ଼ି ପଟାପଟାଳିଆ ବା ଛାପିଛାପିକିଆ ଜୀବଟା ଏଡ଼େ ପାଟି ଖୋଲି ସେମାନଙ୍କ ଆଡ଼କୁ ଡେଇଁଆସୁଚି । ବିଚରା ମାଙ୍କଡ଼ମାନଙ୍କର ନାଡ଼ି ଛାଡ଼ିଯାଏ । ସେମାନେ ଅସ୍ଥିର ହୁଅନ୍ତି । ଭାବନ୍ତି ଆଉ ଗୋଟାଏ ଗଛକୁ ଯିବେ । ସେଇଠୁ ସେମାନେ ଡେଇଁପଡ଼ନ୍ତି । ଜୀବନବିକଳରେ ଡିଆଁ ଡେଇଁ ବେଳେ ନିଶ୍ଚୟ ଗୋଟାଏ ନା ଗୋଟାଏ ତଳକୁ ଖସିପଡ଼ନ୍ତି । ସେ ହୁଏ ବାଘର ଆହାର ।

 

ଆଚ୍ଛା, ମୁଁ ମୂଳ ଧାରାରୁ ଦୂରେଇଗଲି । ଏଥର ଫେରିଯାଏ । ହଁ, ମୁଁ ଶୁଣିଲି ମାଙ୍କଡ଼ ଡାକ ! ହା–ହାର୍–ହାର୍ !

 

ଗଛରୁ ଓହ୍ଲାଇଲି । ଆଗକୁ ଚାଲିଲି । ଯୋଉ ଦିଗରୁ ମାଙ୍କଡ଼ ଡାକ ଶୁଭୁଥିଲା ସେଇ ଆଡ଼କୁ ବନ୍ଧୁକ ସଜାଇ ପ୍ରାୟ ଗୁରୁଣ୍ଡି ଗୁରୁଣ୍ଡି ଚାଲିଥାଏ ।

 

ବାଘଟା ପେଟେ ଖାଇଚି । ସେ ଆଉ ମାଙ୍କଡ଼ ଖାଇବାକୁ ଚାହିଁ ନପାରେ । ବୋଧହୁଏ ବାଘଟା ପାଣି ପିଇବାକୁ ଚାହିଁଚି । ସେ ଯାଉଚି ପାଣିଘାଟ ଆଡ଼କୁ । ଏ ପାଖରେ ଖୁବ୍ ବଡ଼ ବଡ଼ ଘାସ ଆଉ କଣ୍ଟା ବୁଦା । ତା ଭିତରେ ଯିବା ଆସିବା କରିବା ବଡ଼ କଷ୍ଟକର । ତେଣୁ ମୋର ଆଗେଇବା ଖୁବ୍ ମନ୍ଥର ।

 

ପ୍ରାୟ ଅଧା ଫର୍ଲ୍ଂ ଖୁବ୍ ଜାଗତିଆରିରେ ଗଲି । ସେଇ ସମୟରେ ଶିମିଳିଗଛ ଉପରେ ବସି ମାଙ୍କଡ଼ ପ୍ରହରୀ ମୋତେ ଦେଖିପକାଇଲା । ଏଥର ତାର ଦୁଇଟି ଶତ୍ରୁ । ଏ ଦୁଇଟିର ଗତିବିଧି ସେ ଲକ୍ଷ୍ୟ କରିବ । ମୁଁ ବି ତା ଉପରେ ନଜର ଦେଇଥାଏ । ସେ ଯୋଉଆଡ଼କୁ ଚାହୁଁଚି, ସେଇ ଦିଗ ଜାଣିପାରିଲେ ବାଘର ଉପସ୍ଥିତି ଜଣାପଡ଼ିବ । ମୋ ଗୋଇଠି ଉପରେ ବସିଗଲି । ସ୍ଥୂଳତଃ, ମୁଁ ଘାସ ଭିତରେ ଘୋଡ଼େଇ ହୋଇଗଲି ।

 

ମାଙ୍କଡ଼ଟି ମୋ ଆଡ଼କୁ ଚାହୁଁଥାଏ, ବାଁଆଡ଼କୁ ଚାହୁଁଥାଏ । ଏମିତି ବାରମ୍ବାର ଦୃଷ୍ଟି ଅଦଳବଦଳ କରି ସେ ତାର ଆସନ୍ନ ବିପଦର ଦିଗ ନିର୍ଦ୍ଦେଶ କରୁଥାଏ ।

 

ବର୍ତ୍ତମାନ ଜାଣିଲି ଯେ ସେ ଆମକୁ ଉଭୟଙ୍କୁ ନଜର କରୁଚି । ବାଘଟା ବର୍ତ୍ତମାନ ମୋ ଆଗରେ ଅଛି; ବୋଧହୁଏ ଶହେଗଜ ଆଗରେ । ଉଠିପଡ଼ିଲି । ଲଇଁକରି ବାଘ ଯୋଉ ଦିଗରେ ଅଛି ବୋଲି ସନ୍ଦେହ କଲି ସେ ଦିଗକୁ ମାଡ଼ିଚାଲିଲି । ଖୁବ୍ ବେଗରେ ଚାଲୁଥାଏ । ମାଙ୍କଡ଼ଟା ଏବେ ଘାବରାଇଗଲାଣି । ମୁଁ ତା ଜାତିଭାଇକି ମାରିବାକୁ ଯାଉଚି କି ବାଘର ପିଛା ଧରିଚି ସେ ବୁଝିପାରୁନଥାଏ । ଏଥର ତା ସତର୍କ ଡାକ ଦୁଇଗୁଣ ହୋଇଗଲା । ତାର ଧ୍ଵନି ତ୍ଵରାନ୍ୱିତ ହେଲା । ଏଥିରେ ମୋର ବ୍ୟଗ୍ରତା ବଢ଼ିଗଲା । ବାଘଟା ମାଙ୍କଡ଼ର ଡାକ ବି ଶୁଣିଚି । ସେ ନିଶ୍ଚୟ ସେ ଡାକର ମାନେ ବୁଝୁଚି । ମାଙ୍କଡ଼ଜାତି ପାଇଁ କିଛି ଗୋଟାଏ ନୂଆ ବିପଦ–ତା ପାଇଁ ବି ନୂଆ ବିପଦ ହୋଇଥିବ ।

 

ମୋ ଅନୁମାନ ସତ ହେଲା । ମୁଁ ପ୍ରାୟ ଶହେ ଗଜ ଖୁବ୍ ଶୀଘ୍ର ପାରିହେଇଗଲି । ମୋର ହିସାବକୁ ଆଉ ପଚିଶ ଗଜ ପରେ ବାଘ ସହିତ ମୁଲାକାତ ହୋଇଯିବ । ତେଣୁ ମୁଁ ଖୁବ୍ ସାବଧାନ ହେବା ଆବଶ୍ୟକ । ପଛ ପାଖରେ ଥିବା ସେଇ ପ୍ରହରୀ ହନୁ ଆଡ଼କୁ ଅନାଇଦେଲି । ସେ ମୋତେ ଏକଲୟରେ ଚାହିଁଥାଏ । ଜାଣିଲି, ବାଘ ଆଉ ମୁଁ ତା ଦୃଷ୍ଟିର ଗୋଟାଏ ସୀମାରେଖାରେ ଅଛୁ ।

 

ଘାସ ଭିତରେ ଲୁଚିଗଲି । ଦୁଇ ପାଖକୁ ଲକ୍ଷ୍ୟ କଲି । ଆଗକୁ ଓ ପଛକୁ ଚାହିଁଲି । କେତେଟା କଣ୍ଟାଗଛର କଟାହୋଇଥିବା ମୂଳ ଆଉ ଡେଙ୍ଗା ଡେଙ୍ଗା ଘାସ । ଘାସଗୁଡ଼ାକ ଚାରିଫୁଟ ଲେଖାଏଁ ଉଚ୍ଚ । ଏତିକିବେଳେ ମୋ ବାମ ପାଖରେ ଘାସ ହଲିବା ଜାଣି ପାରିଲି । ମୋଠୁ ପ୍ରାୟ ତିରିଶ ଗଜ ଦୂରରେ । ଟିକେ ଉଠିପଡ଼ିଲି । ଭଲକରି ଦେଖିନିଏ । ବାଘଟା ମୋତେ ଦେଖିପକାଇଲା । ଧିମା ଗଳାରେ ଗୁରୁଗୁରେଇଗଲା ସେ । ଦୁଇଟା ଡିଆଁ–ତାପରେ ସେ ଉଭାନ୍ ।

 

ଜାଣିଲି ବାଘଟା ଖସିଗଲା । ଏଥର ତାକୁ ଡଗରାଇବାର କୌଣସି ମାନେ ନାହିଁ । ସେଥିରେ ସଫଳତାର ଆଶା ଖୁବ୍ କମ୍–ବିପଦ ବେଶି । ଆଗକୁ ପଛକୁ ଚାହିଁଚାହିଁ ମୁଁ ପଛେଇଲି । କୋଉ ମୁହୂର୍ତ୍ତରେ ସେ ମୋ ଉପରକୁ କୁଦିପଡ଼ିବ କିଏ ଜାଣେ ! ଯୋଉଠି ମଢ଼ ଥିଲା ସେଠିକି ଗଲି-। ମଢ଼ଟିର ଅଧା ଯେମିତି ଥିଲା ସେମିତି ଅଛି । ଘାସ ଉପରେ ବାଁପଟ ମାଡ଼ି ପଡ଼ିଚି । ତା’ଉପରେ ଗୋଟାଏ ପୁରୁଣା ଆମ୍ବଗଛ । ଶାଗୁଣା ଓ କୁଆମାନେ ଦେଖିବା ସହଜ ନୁହେଁ ।

 

ଖୁବ୍ ଶୀଘ୍ର ମୋତେ ଗୋଟାଏ ସିଦ୍ଧାନ୍ତ ନେବାକୁ ହେବ । ବାଘଟା ମୋତେ ଦେଖି ପକାଇଚି । ତଥାପି ମଢ଼ ପାଖକୁ ସେ ଫେରିପାରେ । ମୁଁ ଯଦି ମଢ଼ ପାଖରେ ବସିଯାଏ ! ରାତିରେ ବସିବାଲାଗି ଯୋଉ ପ୍ରସ୍ତୁତି ସେତକ କରିବି । ଟର୍ଚ୍ଚ ନାଇଁ । କମ୍ବଳ ନାଇଁ । କିଛି ଖାଦ୍ୟ ବି ନାଇଁ । ଯଦି ବସିଚି, ଗଛରେ ବସିବି ରାତିସାରା । ସକାଳଯାଏ ସେଠି ବସିବାକୁ ହେବ । ଚନ୍ଦ୍ର ନାଇଁ । ଦରକାର ହେଲେ ଗାଢ଼ ଅନ୍ଧାରିଆ ଜଙ୍ଗଲରେ ବାଟ ବାରି ପୁଲିବନୁକୁ ଆସିବା ସମ୍ଭବପର ହେବନି-। ପୁଲିବନୁରେ ପରା ମୋ ଷ୍ଟୁଡ଼ିବେକର ଛାଡ଼ିଚି ! ଏ କ୍ଷେତ୍ରରେ ମୁଁ ତ ପୁରା ବାଘର କରୁଣା ଉପରେ ରହିବି । ପୁଣି ପାହାଡ଼ ଆଡ଼ୁ ଥଣ୍ଡା ପବନ ବହିବ । ବଡ଼ କଲବଲରେ କଟିବ ଏ ରାତିଟା । ଭାବିଲି, କାରକୁ ଯିବ । ଦରକାରୀ ଜିନିଷପାତି ନେଇ ଆସିବି । ଯୋଉ ବାଟରେ ଗଲେ ବି ପଡ଼ିବ ଚାରି ମାଇଲ୍‌ । ଏ ଯିବା ଭିତରେ ମଣିଷମାରୁଟା ଯଦି ଆସେ ! ମଢ଼ଟାକୁ ଆଉ କୁଆଡ଼େ ନେଇଯାଏ ?

 

ମୋ ସୁଖ ସୁବିଧା ପାଣିରେ ପଡ଼ୁ–ମୁଁ ଜଗିବି–ଏତକ ସ୍ଥିର କଲି । ଆମ୍ବ ଗଛରେ ଚଢ଼ିଲି-। ତା’ର ଦ୍ୱିତୀୟ ଡାଳସନ୍ଧିରେ ବସିଲେ । ଆଉଜିବାକୁ ପଛ ପାଖରେ ଡାଳଟାଏ ଅଛି । ବେଶ୍ ସୁବିଧାଜନକ ବୋଲି ମନେହେଉଥାଏ । ଜୋତା କାଢ଼ିନେଲି । ଚକା ପକାଇ ବସିଲି । ବନ୍ଧୁକଟାକୁ ଡାଳରେ ଡେରିଦେଲି । ବାଁ ପାଖରେ ମଢ଼–ବେଶ୍ ସଫା ଦିଶୁଚି । ଆଗରେ ଗୋଟାଏ ଡାଳ ଛେକିଚି । ଡାହାଣ ପଟ ଅନୁସାରେ ବାଘଟାକୁ ମାରିବା ସମ୍ଭବ ନୁହେଁ । ପଛ ପାଖେ ତ ଡାଳ–ସେ ଦିଗରୁ ବାଘ ଉପରକୁ ଗୁଳି ଚଳାଇବା ଆଦୌ ସହଜ ନୁହେଁ । ମାଟି ଉପରୁ ପ୍ରାୟ ପନ୍ଦର ଫୁଟ ଉପରେ ଅଛି । ବାଘଟା ଏତେ ଉଚ୍ଚକୁ ଡେଇଁପାରିବନି । ନିରାପଦ ଉଚ୍ଚତା । ଯଦି ଆସେ–ଗଛ ଚଢ଼ିବାର ଚେଷ୍ଟାକରେ, ସିଧାସଳଖ ଗୁଳି ଖାଇବ ।

 

ଅପରାହ୍ନରେ ୧୨. ୫୦ । ସେତେବେଳକୁ ମୁଁ ଗଛ ଚଢ଼ିଲି । ମୋ ଶିକାର ଜୀବନରେ ଏହାଇ ଥିଲା ସବୁଠୁ ଥଣ୍ଡା ସବୁଠୁ ଅସହ୍ୟ କଷ୍ଟପୂର୍ଣ୍ଣ ରାତି ।

 

୭. ୩୦ ଯାଏ ଅପରାହ୍‌ଣଟା କିମିତି କଟିଲା ସେ କଥା କହିବିନି । ଦିନର ପକ୍ଷୀମାନେ ଓ କୁକୁଡ଼ାମାନେ ମେଲାଣି ଡାକଦେଇ ଶୋଇବାକୁ ଗଲେ । ମାଙ୍କଡ଼ମାନେ ତ ଦଳଦଳ ନେଇ କେତେବେଳୁ ଚାଲିଯାଇଥିଲେ । ମଣିଷ ଓ ବାଘ ଉଭୟେ ସେମାନଙ୍କର ପରମ ଶତ୍ରୁ । ସେମାନେ ଯୋଉଠି ଅଛନ୍ତି ମାଙ୍କଡ଼ ସେଠି କ’ଣ କେବେ ରହନ୍ତେ ? ମୁଁ ସଂପୂର୍ଣ୍ଣ ଏକା । ରାତ୍ରିକର ପକ୍ଷୀଟାଏ ଥରେ ଅଧେ ବୋବାଇଲା । ମୁଁ ଯୋଉ ଗଛରେ ବସିଥିଲି ସେଇଠି ଚକ୍କର ଦେଲା । ତା’ପରେ ଚୁକୁ...ଚୁକୁ...ଚୁକୁ...ବୋବାଇଲା । ଏଇ ସମୟରେ ମୋ ଶିକାରୀ ଜୀବନରେ ସବୁଠୁ ଏକ ଅଦ୍ଭୂତ ଘଟଣା ଘଟିଲା । ଭାରତର ଜଙ୍ଗଲରେ ବୁଲୁଥିଲା ବେଳେ ଖୁବ୍ କମ୍ ଶିକାରୀଙ୍କ ଭାଗ୍ୟରେ ଏ ଅଭିଜ୍ଞତା ଆସିଥିବ ।

 

ଶିକାରୀମାନେ କହିବାର ଶୁଣିଚି–ବହିରେ ବି ପଢ଼ିଚି–କୌଣସି କୌଣସି ଅଞ୍ଚଳରେ ବାଘଟା ଶମ୍ବରପରି ବୋବାଏ । ସେ ବୋବାଇଲେ ଠିକ୍ ଅଣ୍ଡିରା ଶମ୍ବର ଡାକିଲା ପରି ଜଣାପଡ଼ିବ-। ସେଥିରେ ସେଇ ଜାତିର ପଶୁଗୁଡ଼ିକ ହୁରୁଡ଼ି ଯିବେନି । ମାଈ ଶମ୍ବର ତ ତା’ ଆଡ଼କୁ ଟାଣିହେଇ ଆସିବେ । ତା’ହେଲେ ଯାହା ହେବ ଭାବନ୍ତୁ । ମାତ୍ର ଏ କଥାକୁ ମୁଁ ଗୁଲି ଗପ ବୋଲି ଭାବୁଥିଲି-। ମୋ ଜୀବନରେ ତ ବହୁ ଜଙ୍ଗଲ ବୁଲିଛି, ବହୁ ବାଘର ସାମ୍ନା କରିଚି–ମାତ୍ର ବାଘ ଶମ୍ବର ପରି ଡାକିବା କେବେ ଶୁଣିନି ।

 

ସେଦିନ ସଞ୍ଜର ୬.୪୫ । ଆଲୁଅ ଅପସରି ଯାଉଚି । ହଠାତ୍‌ ଧାଙ୍କ୍ କରି ଶବ୍ଦଟାଏ ହେଲା । ଭାବିଲା ଅଣ୍ଡିରା ଶମ୍ବରଟାଏ ! କୋଉଠୁ ଆସିଲା ! ମୋ ଚିନ୍ତାଧାରାରେ ପ୍ରଶ୍ନବାଚୀ ଟାଣି ପରେ ପରେ ବୁଦା ଭିତରୁ ବାହାରି ଆସିଲା ଯୋଉ ଜୀବଟା–ସେଇଟା ଶମ୍ବର ନଥିଲା–ସେଇଟା ଥିଲା ସେଇ ବାଘ ।

 

ସେଠି ଶମ୍ବର ରହିପାରେନି । ବାଘଟାର ଆଗରେ ଶମ୍ବରଟାଏ ରହିବ କେମିତି ? ତା’ ଛଡ଼ା ଶମ୍ବରର ଟାଣ ଖୁରାର ଶବ୍ଦ ତ ଶୁଣିଥାଆନ୍ତି ! ଶମ୍ବରଟା କ’ଣ ବାଘକୁ ଡାକି କହନ୍ତା–ଆ, ମୋତେ ଖା ! ସେଇ ଧାଙ୍କ ଡାକ ଛଡ଼ା ଆଉ କିଛି ଶବ୍ଦ ମୁଁ ଶୁଣିନି । ତା’ ପରେ ପରେ ବାଘ ଆସିଲା । ତେଣୁ ବାଘ ଯେ ଏକପ୍ରକାର ଶବ୍ଦ କରିଚି, ସେଥିରେ ସନ୍ଦେହ ନାଇଁ ।

 

ତେବେ ଏମିତି ବୋବାଇଲା କିଆଁ ? ସେ ତ ଆଗରୁ ପେଟ ପୂରାଇ ଖାଇଚି–ଆଉ ଶମ୍ବର କି ଶମ୍ବରୀ ଡାକିବାର କୌଣସି କାରଣ ନ ଥିଲା । ତା’ଛଡ଼ା ସେ ଜାଣେ, ତା’ ଶିକାରର ଅଧା ଅଛି । ଏ କଥାର କାରଣ ବାଛିବା ଗୋଟିଏ ଗହନ କଥା । ତେଣୁ ଆପଣମାନେ ଭାବନ୍ତୁ, ସେ ଏମିତି ବୋବାଇଲା କାହିଁକି । ମୁଁ ନିଜେ ଯେତେବେଳେ ଏ ଡାକ ଶୁଣିଲି, ମୋର ପୂର୍ବ ଧାରଣା ବଦଳିଗଲା । ଜାଣିଲି, ବାଘ ଶିକାର ପାଇଁ ହେଉ ବା ଅନ୍ୟ କୌଣସି କାରଣରୁ ହେଉ, ଏପରି ଅନୁକରଣ କରି ଡାକିପାରେ ।

 

ଜୀବଟା ମଢ଼ ଆଡ଼କୁ ଗଲା । ତା’ପରେ ଡାଳର ସେ ପାଖରେ ଲୁଚିଗଲା । ଏତିକିରେ ମୁଁ ମୋ ରାଇଫଲ୍ ସଜାଇନେଲି । ତା’ପରେ ମୋର ବାମ ପଟକୁ ସେ ଘୁଞ୍ଚିଗଲା । ତା’ ପାଟିରେ ସେ ମଢ଼ଟାକୁ ଧରିଚି । ମୋ ଗୁଳି ଫୁଟିଲା । ତା’ର ବାଁ କାନ୍ଧ ଉପରେ ବାଜିଲା ଗୁଳି । ସେ ବୁଲିପଡ଼ିଲା । ଆଉ ପରେ ପରେ ମୋର ଦ୍ୱିତୀୟ ଗୁଳି ବାଜିଲା ତା’ ବେକରେ । ବାଘଟା ଘିଡ଼୍‍ ଘାଡ଼୍‍ ତଳେ ଖସିପଡ଼ିଲା । ମିନିଟିଏ ଦୁଇ ମିନିଟ୍ ପାଇଁ ସେ ଛଟଛଟେଇଗଲା–ତା’ପରେ ଅଚଳ ହୋଇଗଲା ।

 

ବାଘ ତ ମଲା–ଏଥର ମୋର ଆଉ ଡର କଅଣ ? ମୁଁ ଯାଏ କାର୍ ପାଖକୁ । ଅନ୍ଧାର ଯେମିତି ହେଇଚି, ବାଟ ପାଇବି ତ ! ନା...ନା, ମହରଗରୁ ଯାଇ କାନ୍ତାରରେ ପଡ଼ିପାରେ । ମାତ୍ର ସେଇ ଥଣ୍ଡାରେ ଥର ଥର ଖାଲି ପେଟରେ ରାତି ଗୋଟାକ ସେଇ ଗଛରେ ଏକାକୀ କାଟିହେବ କି-? କ’ଣ ଭାବିଲି, ଗଛକୁ ଓହ୍ଲାଇଲି । ବାଘ ଆଡ଼କୁ ଗଲିନି–ଚାଲିଲି କଲ୍ୟାଣୀ ନଦୀ ଆଡ଼କୁ । ଆଶା ଥାଏ, ଅନ୍ଧାର ଭିତରେ ବି ବାଟ ଖୋଜି ହେବ । କିନ୍ତୁ ସେଇ ଡଗରବାଟରେ ଯିବନି–ଯିବି କଲ୍ୟାଣୀ ନଦୀର ଶେଯରେ । ଅବଶ୍ୟ ସେମିତି ଯାଇଥିଲେ ଚାରି ମାଇଲ ହୁଅନ୍ତା–ନଦୀଶଯ୍ୟାରେ ଚାଲିଲେ ଛ’ ମାଇଲ ହେବ । ହେଉ । ଏ ବାଟରେ ଅନ୍ତତଃ ପୁଲିବନୁରେ କାର୍ ନିକଟରେ ପହଞ୍ଚିହେବ । ସେ ବାଟରେ ଗଲେ ଜଙ୍ଗଲରେ କୋଉଠି ବଣା ହେଇଯିବି–ରାତି ସାରା ବୁଲିବା ସାରହେବ ।

 

ଅନ୍ଧାର ରାତିରେ କଲ୍ୟାଣୀ ନଦୀର ଗର୍ଭରେ ଚାଲିବା ସତକୁ ସତ ଗୋଟାଏ ଦୁଃସ୍ଵପ୍ନ ହୋଇଗଲା । ନଈରେ ଅନେକ ଗୋଲ ପଥର । ପାଦ ପଡ଼ିଲେ ଖସିଲା । ପ୍ରତି ପଦରେ ଏ ବିପଦ ଥାଏ । ତା’ଛଡ଼ା ନଦୀ ଭିତରେ ଅନେକ ଖୁଣ୍ଟା । ସେଥିରେ ଝୁଣ୍ଟୁଥାଏ । ମୋ ନଳିପୁଟିଆର ଚମଡ଼ା ପ୍ରାୟ ଉତୁରିଗଲା । ସବୁବେଳେ ବନ୍ଧୁକଟିକୁ ଟେକି ଧରିଥାଏ । ସେ ଯେ ମୋର ଅମୂଲ୍ୟ ନିଧି ! ତାକୁ ରକ୍ଷା କରିବାକୁ ହେବ । ଦୁଇ ତିନିଥର ପଡ଼ି ଯାଇଚି । କୋଉ ମୁହୂର୍ତ୍ତରେ ଗୋଡ଼ ଭାଙ୍ଗିବ କହିହେବନି । ଖୁବ୍ ସାବଧାନ ହୋଇ ଚାଲିବାକୁ ହେଲା । ତରତର ହେଲେ ଯାହାପାରି ତାହା ଘଟିପାରେ । ବହୁ କଷ୍ଟରେ ଆସି ପୁଲିବନୁରେ କାର୍ ପାଖରେ ପହଞ୍ଚିଲି । ସେତେବେଳକୁ ଘଡ଼ିରେ ଏଗାରଟା ଦଶ । ମୋଟରେ ନେଲା ଦୀର୍ଘ ଚାରିଘଣ୍ଟା ।

 

ମୁଁ ନାଗପାଟଲାକୁ ଗାଡ଼ି ଫେରାଇଲି । ଆପଣ ଭାବୁଥିବେ, ସେ ସମୟରେ ମଣିଷଖିଆ ବାଘଟାଏ ମାରିଚି ଭାବି, ମୁଁ ନିଜକୁ ନିଜେ ଗର୍ବ ଅନୁଭବ କରୁଥିବି । ଏ ବାଘ ଶିକାରରେ ମୋର କୌଣସି ଆତ୍ମସନ୍ତୋଷ ନଥାଏ । ଅନେକ କାରଣରୁ ଏ ପ୍ରକାର ଚିନ୍ତା ଆସୁଥାଏ । ସନ୍ଦେହର ପ୍ରଥମ କାରଣ–ବାଘଟା ପଣ୍ଡା ମାରିଚି । ଜନ୍ତୁଟା ମାରି ସେଇଠି ବହୁ ସମୟ ରହିଚି । ମୋତେ ଦେଖି ସେ ଡରି ପଳାଇଚି । ମଡ଼ା ପାଖରୁ ଗଲାବେଳେ ମୁଁ ତାକୁ ଗୋଡ଼ାଇଚି–ଅଥଚ ସେଇ ମଡ଼ା ପାଖକୁ ସେ ପୁଣି ଆସିଚି । ଶେଷରେ ସେ ଗୋଟାଏ ଅଣ୍ଡିରା ଶମ୍ବରର ଡାକ ଦେଇଚି । ଏସବୁ କାରଣକୁ ଗୋଟି ଗୋଟି କରି ଭାବିଲେ ବା ସାମଗ୍ରିକ ଭାବେ ବିଚାରକଲେ, ଜଣାଯିବ ଯେ, ଏ ବାଘ ମଣିଷଖିଆ ନୁହେଁ–ସେ ଗୋଟିଏ ସାଧାରଣ ବାଘ । ପଶୁ ମାରି ଖାଏ । ଏକଥା ଯେତେ ଭାବିଲି, ମୋ’ ମନରେ ସନ୍ଦେହ ସେତେ ବଢ଼ିଲା । ମୁଁ ଯେ ମଣିଷଖିଆ ବାଘକୁ ମାରିପାରିନି–ଏକଥା ସେତେ ବେଶି ଦୃଢ଼ ହେଲା । କଲ୍ୟାଣୀ ନଦୀରେ ବାଟ ବାରିବାରି ଚାଲୁଥିବାବେଳେ, ଯାହାହେଉ ଏ ଭାବନା ମନକୁ ଆସିନି । ମାତ୍ର ଏବେ ଜାଣୁଚି, ମୁଁ କି ଭୁଲି କରିଥିଲି । ଯଦି ସେଇ ସମୟରେ ମଣିଷମାରୁଟା ପହଞ୍ଚି ଯାଇ ଥାଆନ୍ତା ! ତା’ର ମାନେ ମୁଁ ସଂପୂର୍ଣ୍ଣ ସେଇ ନରଖାଦକର ଦୟା ଉପରେ ରହିଥିଲି ।

 

ତା’ପରଦିନ ଦଳେ ଲୋକଙ୍କୁ ନେଇ ସେଠିକି ଗଲି । ବାଘଟାକୁ କାର୍‌ରେ ଚଢ଼େଇ ନାଗପାଟଲାକୁ ଆଣିଲି । ସାଧାରଣ ଲୋକେ ଖୁବ୍ ଖୁସି ହେଲେ ମଣିଷମାରୁଟା ମରିଚି । ତା’ ଚମଡ଼ା ଉତାରିବା ଆଗରୁ ପରୀକ୍ଷା କଲି । ନିପୁଣ ଜୀବଟି–ପୁରୁଷଟାଏ–ଚମତ୍କାର ଚମଡ଼ା । ବଢ଼ିଆ ଦେହ । ଏଥର ମୋ ସନ୍ଦେହ ପକ୍‌କା ହେଲା–ମୁଁ ଅସଲ ବାଘକୁ ଶିକାର କରିନି ।

 

ସେଇ ସଂଜରେ ବାଙ୍ଗାଲୋର ଫେରିଲି । ତା’ ଆଗରୁ ଚିତ୍ତୁର୍‌ଠି କଲେକ୍ଟରଙ୍କୁ ଭେଟି ଥାଏ । ତାଙ୍କୁ ମୋ ସନ୍ଦେହ କଥା ଜଣାଇଲି । କହିଲି, ‘ମଣିଷ ମାରିବା ସଙ୍ଗେ ସଙ୍ଗେ ମୋତେ ଜଣାଇବେ ।

 

ସେଇ ଦିନଠୁ ଏକାଦଶ ଦିନର ଅପରାହ୍‌ଣ । ପାଇଲି ତାଙ୍କର ତାର । ସଂରକ୍ଷିତ ଜଙ୍ଗଲ ପାଖରେ ସ୍ତ୍ରୀଲୋକଟିଏ ଘାସ କାଟୁଥିଲା । ନାଗପାଟଲାଠୁ ମାଇଲିଏ ହେବ । ଚମଲା ଉପତ୍ୟକାର ସୀମା । ବାଘ ତାକୁ ଉଠାଇନେଇଚି ।

 

ମୁଁ ହାରିଚି । ଭୁଲ ବାଘକୁ ମାରିଚି । ଅସଲ ମଣିଷମାରୁକୁ ଅଧିକ ମଣିଷ ମାରିବାକୁ ଛାଡ଼ି ଦେଇ ଆସିଚି ।

 

ଡେରି ନକରି ତା’ପରଦିନ ବହାରିଗଲି । ସେଦିନ ଅପରାହ୍‌ଣର ଶେଷ ଭାଗରେ ପହଞ୍ଚିଲି ସେଇ ଛୋଟ ବଙ୍ଗଳାରେ ।

 

ସକାଳୁ ସକାଳୁ ସନ୍ଧାନରେ ବାହାରିଲି । ଯୋଉଠୁ ବାଘ ତା’ ଶିକାରକୁ ଟେକିଚି, ଦେଖିଲି । ସ୍ତ୍ରୀଲୋକଟି ଘାସ କାଟି ବାନ୍ଧୁଥାଏ । ତା’ପରେ ସେ ମୁଣ୍ଡକୁ ଟେକି ଘରକୁ ବୋହିଆଣିବ-। ଗୋଟାଏ ଗଛମୂଳେ ସେ ବନ୍ଧାବନ୍ଧି କରୁଥାଏ । ବାଘ ଝାମ୍ପ ମାରିଚି । ପାଖ ଜଙ୍ଗଲରେ ଶୈତାନଟା ବେଳ ଉଣ୍ଡି ବସିଥିଲା । ତା ପାଖରେ ପ୍ରାୟ ଶହେ ଗଜ ଦୂରରେ ଥାଏ ଏ ସ୍ତ୍ରୀଟିର ସଙ୍ଗିନୀ । ସେ ତାର ବୁକୁଫଟା କରୁଣ ଚିତ୍କାର ଶୁଣିଚି । କ’ଣ ହେଲା ଭାବି ଦେଖେ ତ ବାଘଟା ତା’କୁ ବୋହି ଜଙ୍ଗଲକୁ ପଳାଇଯାଉଚି । ସେ ନାଗାପାଟଲା ଗଲା । ଲୋକଙ୍କୁ ଏ ଖବର ଜଣାଇଲା-। ସେ ଖବର ଗଲା ରଙ୍ଗମପେଟ୍ । ରଙ୍ଗମ୍‌ପେଟରୁ ଚନ୍ଦ୍ରଗିରି । ଚନ୍ଦ୍ରଗିରି ତହସିଲଦାର ଏ ଖବର ପଠାଇଲେ କଲେକ୍ଟରଙ୍କୁ । ସେ ମୋତେ ତାରଦ୍ୱାରା ଜଣାଇଲେ ।

 

ବାଘଟାକୁ ଡରାଇବାର ଚେଷ୍ଟା ହୋଇନି । ସ୍ତ୍ରୀଲୋକଟିକି ଉଦ୍ଧାର କରିବାର ଚେଷ୍ଟା ବି ହେଇନି । ଘଟଣାଟା ଘଟିଥିଲା ତିନିଦିନ ତଳେ । ମାଟି ଶୁଖିଲା । ଏତେ ଶୁଖିଲା ଯେ ସେଥିରେ ବାଘ ଯିବାର କୌଣସି ଚିହ୍ନ ନାଇଁ । ଗୋଟାଏ ବଡ଼ ଅର୍ଦ୍ଧବୃତ୍ତର ଆକାର ଧରି ଆମେ ଖୋଜାଖୋଜି ଚଳାଇଲୁ । ସ୍ତ୍ରୀଲୋକଟିର ଶାଢ଼ି ମିଳିଲା–ତା’ ଦିହରୁ ଖସି ପଡ଼ି ଥିଲା । ବାଘ ଧରିଥିବା ଜାଗାରୁ ପାଏ ମାଇଲ ଦୂରରେ ଶାଢ଼ି ମିଳିଲା । ରକ୍ତଦାଗ ପାଇଲୁନି । ବାଘ ଯୋଉ ତଣ୍ଟିରେ ଧରିଥିଲା ସେ ଆଉ ଛାଡ଼ିନି–ଛାଡ଼ିଥିଲେ ରକ୍ତ ପଡ଼ିଥାଆନ୍ତା । ତା’ ଛଡ଼ା ସେ ବିଚାରୀ ଯେ ଥରଟିଏ ମାତ୍ର ଡାକିଥିଲା–ତେଣୁ ତା ତଣ୍ଟିକି ବାଘ କାମୁଡ଼ିଧରିବା ପ୍ରମାଣିତ ହେଉଚି ।

 

ତା’ର ଆଉ କୌଣସି ଅଂଶ ଆମେ ଖୋଜି ପାଇପାରିଲୁନି ।

 

ଫେରିଲି ଗାଁକୁ । ଆଉ ତିନିଟି ପଣ୍ଡା ଆଣିଲି । ଆଗଥର ଏଇ ତିନିଟିକି ଥୋପ ଭାବରେ ଲଗାଇଥିଲି । ଚତୁର୍ଥଟି ମରିଥିଲା । ଏ ତିନିଟି ବଞ୍ଚିଥିଲେ । ଚତୁର୍ଥ ମାଇଲ ଖୁଣ୍ଟି ପାଖରେ ରାସ୍ତାକୁ ଲାଗି ବାନ୍ଧିଲି ଗୋଟିଏକୁ । ଗୋଟିଏ ବାନ୍ଧିଲି ପୁଲିବନୁରେ । ଶେଷଟିକି ବାନ୍ଧିଲି ନାଗପାଟଲାଠୁ ଦୁଇ ମାଇଲ ଦୂରରେ–କଲ୍ୟାଣୀନଦୀର ଶଯ୍ୟାରେ । କଲ୍ୟାଣୀ ଏଇଠୁ ଖୁବ୍ ଅଳ୍ପ ଦୂରରେ–ଚାଷଜମି ମଝିରେ ବହିଯାଇଚି ।

 

ପରଦିନ ସକାଳ । ଦେଖିଲି ତିନୋଟିଯାକ ପଣ୍ଡା ନିଖୁଣ ଅଛନ୍ତି । ମାତ୍ର ପୁଲିବନୁ ଜଙ୍ଗଲ ରାସ୍ତାରେ ବାଘର ଖୋଜ ପଡ଼ିଚି । ବାଘଟା ତୃତୀୟ ମାଇଲଖୁଣ୍ଟିଠି ହିଁ ରାସ୍ତା ଉପରେ ଯାଇଚି–ମୋର ପଣ୍ଡାଟିର ପାଖରେ ଯାଇଚି–ତା’କୁ ଛୁଇଁନି । ରାସ୍ତାରେ ରାସ୍ତାରେ ଯାଇଚି ଷଷ୍ଠ ମାଇଲଖୁଣ୍ଟି ଯାଏ । ପୁଲିବନୁ ପହଞ୍ଚିବାର ଅଳ୍ପ ଦୂର ଆଗରୁଏଇଠି ସେ ରାସ୍ତା ଛାଡ଼ିଚି । ପୂର୍ବରେ ଗୋଟାଏ ବଡ଼ ପାହାଡ଼ । ପଥୁରିଆ । ତିରୁପତି ଜଙ୍ଗଲରୁ ବାହାରିଆସିଚି । ବାଘ ଯାଇଚି ସେଇ ପାହାଡ଼ ଆଡ଼କୁ । ପାହାଡ଼ଟାର ନାଁ ହନୁପର୍ବତ ।

 

ବାଘର ଖୋଜଚିହ୍ନ ବେଶ୍ ପରିଷ୍କାର ଦିଶୁଚି । ସେଥିରେ କୌଣସି ଦୋଷ ଥିଲା ପରି ମନେହେଲାନି । ପୁଣି ଜୀଅନ୍ତା ପଣ୍ଡାଟାର ଖୁବ୍ ପାଖରେ ବାଘ ଯାଇଚି । ବାଘ ଖୋଜ କହୁଚି, ସେଇଠି ବାଘଟା ଟିକେ ଅଟକିନି ମଧ୍ୟ । ମଣିଷମାରୁ ବାଘର ବ୍ୟବହାର ଠିକ୍ ଏମିତି । ମନରେ ଟିକେ ଆନନ୍ଦ ଆସିଲା । ତା’ହେଲେ ଏଇଟା ସେ ଶୈତାନ୍ ନରଖାଦକ । ବର୍ତ୍ତମାନ ଏତେ କଷ୍ଟ ଏତେ ଖୋଜିବା ପରେ ମିଳିଚି ତା’ର ସନ୍ଧାନ ।

 

କହିଚି–ବାଘ ହନୁପର୍ବତ ଆଡ଼କୁ ଗଲା । ହେଇପାରେ ଗଛଲତାଘେରା କୋଉ ଛାୟାଶୀତଳ ଗୁହାରେ ସେ ବିଶ୍ରାମ ନେବାକୁ ଯାଇଥିବ, କିମ୍ବା ପର୍ବତ ତଳେ ତଳେ ଗୁଣ୍ଡାଲପେଣ୍ଟା ବା ଉମ୍ଵାଲମେରୁ ଆଡ଼କୁ ଯିବାର ବି ସମ୍ଭାବନା ଅଛି । ଦ୍ଵିତୀୟ ଲକ୍ଷ୍ୟରେ ଯାଇଥିଲେ ପାହାଡ଼ଠୁ ଅନେକ ଦୂରକୁ ଯାଇଥିବ । ଯାହାହେଲେ ବି ସେଇ ରାସ୍ତାରେ ବାଘ ଯେ ଲେଉଟି ଆସିବ, ସେ ପ୍ରକାର ସମ୍ଭାବନା କରାଯାଇ ନ ପାରେ । ତଥାପି ଜହ୍ନରାତିରେ ଯଥେଷ୍ଟ ଆଲୁଅ ମିଳିବ; ତେଣୁ ସେଇ ବାଟରେ ଜଗିବାକୁ ଭାବିଲି । ଯଦି ସେ ଆସିଯାଏ, ତା’ ସହିତ ଚିହ୍ନାପରିଚୟ ହେଇଯିବ ଓ ହତ୍ୟାକାରୀର ଶାସ୍ତିବିଧାନ କରିବାକୁ ମୋତେ ସୁଯୋଗ ମିଳିବ ।

 

ଚତୁର୍ଥ ମାଇଲଖୁଣ୍ଟଠି ଯୋଉ ପଣ୍ଡାଟିକି ବାନ୍ଧିଥିଲି, ତାର ପ୍ରାୟ ୧୫୦ ଗଜ ଦୂରରେ ଗୋଟାର ବଡ଼ ଶାଗୁଆନ ଗଛ । ଏ ଜାତିର ଗଛଗୁଡ଼ିକ ସିଧା ସିଧା ବଢ଼ନ୍ତି । ଏ ଗଛଟିର ମଧ୍ୟ ସେଇ ଅବସ୍ଥା । ତା’ ଉପରକୁ ଉଠିବା ସହଜ ନୁହେଁ; ମାତ୍ର ତା’ ମୂଳରେ ବସିଗଲି । ତା’ ଗଣ୍ଡିରେ ଆଉଜିଥାଏ । ମୋ ପଣ୍ଡାଟି ପରିଷ୍କାର ଦିଶୁଚି । ଦୁଇ ଦିଗରେ ବାଟ ମଧ୍ୟ ପରିଷ୍କାର ଦିଶୁଚି । କହିଚି ଜହ୍ନରାତି । ପୂର୍ଣ୍ଣିମା ପାଖ । ପଣକଲି, ବେଶ୍ ଏମିତି ବସି ବସି ବାଘଟା ସହିତ ମୁକାବିଲା କରିନେବି । ଚାରିପାଖରେ ପ୍ରାୟ ଶହେଗଜ ଯାଏ କୌଣସି ଗଛବୁଦା ନାହିଁ । ନିକଟରେ ଜଙ୍ଗଲ ପୋଡ଼ିଥିଲା । ସବୁ ପୋଡ଼ି ସଫାହେଇଯାଇଚି ।

 

୫ଟା ବେଳକୁ ମୁଁ ସେ ଜାଗାକୁ ଆସିଗଲି । ଅନ୍ଧାର ଆସିଗଲା । ତା’ ସଙ୍ଗେ ସଙ୍ଗେ ଚନ୍ଦ୍ର ମଧ୍ୟ ପୂର୍ବଦିଗର ଗଛ ଶିଖ ଉପରେ ଉଠି ତାର ରୂପେଲି କିରଣ ବିଂଛିଦେଲା ନିଶୂନ ବନଭୁଇଁରେ । ଚାରିଆଡ଼ ବେଶ୍ ଦେଖାଯାଉଚି । ଦିନବେଳା ଏ ଜାଗାକୁ ବାଛିଥିଲି । ବେଶ୍ ନିରାପଦ ବୋଲି ଭାବିଥିଲି । ରାତିରେ କେମିତି ମାଡ଼ି ମାଡ଼ି ପଡ଼ୁଚି । ବାଘ ଯଦି ଛକିକରି ମୋ ଉପରେ ଆକ୍ରମଣ ଚଳାଏ ! କୋଉ ଦିଗରୁ ଆସିବାର ସମ୍ଭାବନା ? ପଛରୁ ଆସିବ ! ସାଧାରଣ ବୁଦ୍ଧି ଖେଳାଇ ଦେଖିଲି, ଏଇଟା ସମ୍ଭବ ହେବନି । ବାଘ ମୋ ଗଳା ଶୁଣିଲେ କି ମୋତେ ଦେଖିଲେ ଯାଇ ମୁଁ ସେଠି ଥିବା ଜାଣିବ । ବାଘଜାତିର ଘ୍ରାଣଶକ୍ତି ନାଇଁ କହିଲେ ଚଳେ । ସେ ଶୁଙ୍ଘିକରି ମୋ ଉପସ୍ଥିତି ଜାଣିପାରିବନି; କିନ୍ତୁ ତାକୁ ଶୁଣାଇବା କି ମୋ ଉପସ୍ଥିତି ଜଣାଇବା ପାଇଁ ମୋ ଦିଗରୁ ଚେଷ୍ଟାହେଲେ ଯାଇ ହେବ । ଏତକ ଭାବିଲି, ଆଉ ପିଠିକି ଗଛଟିର ଗଣ୍ଡିରେ ଭରାଦେଇ ସେଇଠି ବସିରହିଲି । ସେଠି ସିଗାରେଟ୍ ପିଇଲିନି କି କିଛି ଖାଇଲିନି । ଏସବୁ କଲେ ମୋ ଉପସ୍ଥିତି ଜଣାପଡ଼ିଯିବ । ରାତି ପାହିଲା ପାହିଲା ବେଳକୁ ଭୋର ସକାଳରେ ପାହାଡ଼ ଆଡ଼ୁ ଖୁବ୍ କାଲୁଆ ଶୀତଳ ପବନ ବହେ । ଦିହ ଥରିଉଠେ । ସେଥିପାଇଁ ଭଲକରି ଗରମ ପୋଷାକ ନେଇଥାଏ । ସେ ରାତିରେ ଜଙ୍ଗଲଟା ଭୀଷଣ ଚୁପ୍‌ଚାପ୍ ଥିଲା । ସେଇଥିରୁ ଜାଣିଲି ବାଘ ଆଖପାଖରେ ନାଇଁ । ଅନୁମାନ ଅନୁସାରେ ସକାଳକୁ ଖୁବ୍ ଥଣ୍ଡା ପଡ଼ିଲା । ଶିଶିର ବିନ୍ଦୁଗୁଡ଼ାକ ଥପ୍ ଧପ୍ ପଡ଼ୁଥାଏ । ମୋ ଲୁଗାପଟା ସବୁ ତିନ୍ତିଗଲା । ବନ୍ଧୁକର ଦେହସାରା ଶିଶିର । ପାଣି ଧାର ବହୁଥାଏ ବନ୍ଧୁକରୁ ।

 

ବହୁଥର ପଣ୍ଡା ଛୁଆଟି ଆଡ଼କୁ ଅନାଁଇଚି । ତାର ହାବଭାବ ମୋତେ ଅନେକ ଇଙ୍ଗିତ ଦେବ । ରାତିର ପ୍ରଥମ ଅଂଶରେ ସେ ନିଶ୍ଚିନ୍ତରେ ଘାସ ଖାଉଥାଏ । ତା’ପାଇଁ ମୁଁ ଅନେକଟା ଘାସ ଦେଇଥାଏ । ଯେମିତି ଥଣ୍ଡା ପଡ଼ିଲା, ସେ ଶୋଇଗଲା । ଶୋଇଗଲେ ମାଟିରୁ କିଛି ଉଷୁମ ପାଇବ ପରା !

 

ସକାଳ ହେଲା । ରାତିସାରା ଉଜାଗର ଥିବା ବିଚରା ଶିକାରୀର ହତାଶିଆ ଜୀବନରେ ଆସିଲା କିଛି ଆଶ୍ୱାସନା । ଚଞ୍ଚଳ ପାଦ ପକାଇ ଚାରିମାଇଲ ଦୂରରେ ଥିବା ନାଗପାଟଲା ଗଲି । ଧୋଇଧାଇ ହେଲି । କିଛି ମାଂସ, ଅଣ୍ଡା, ଗରମ ଚା’ ଖାଇଲି । ଦୁଇଘଣ୍ଟା ନିଦ ବେଶ୍ ମୋତେ ଗୋଟାଏ ନୂଆ ମଣିଷ କରିଦେଲା । ନୂଆ ଅଭିଯାନ ପାଇଁ ମୁଁ ନିଜକୁ ପ୍ରସ୍ତୁତ କରିନେଲି ପୁଣି ।

 

ପୁଲିବନୁ ଯାଏ ମୋଟରରେ ଗଲି । ସାଙ୍ଗରେ ଦୁଇଜଣ ବାଟଦେଖାଳି । ଆମ ଗାଡ଼ି ଖୁବ୍ ଧୀର ମନ୍ଥର ଗତିରେ ଚାଲିଥାଏ । ସେ ଲୋକ ଦି’ ଜଣ ରାସ୍ତାର ଉଭୟ ଦିଗକୁ ଲକ୍ଷ୍ୟ କରୁଥାଆନ୍ତି । ନା, ବାଘଟା ଫେରିନି । କଲ୍ୟାଣୀ ନଦୀ ପାଖରେ ପହଞ୍ଚିଲି । ଆଖ ପାଖରେ ପରୀକ୍ଷା ଚଳାଇଲୁ । ଉତ୍ତର–ପୂର୍ବରେ ମାଇଲିଏ ବାଟ ଗଲୁ । ଉତ୍ତର–ପଶ୍ଚିମରେ ବି ମାଇଲିଏ ଦେଖିଲୁ । କୋଉଠୁ ବାଘର ଖୋଜ ଚିହ୍ନ ଦେଖିଲୁନି । ତା’ହେଲେ ବାଘ ରାତିରେ ସେ ବାଟେ ଫେରିନି ।

 

ମଧ୍ୟାହ୍ନ ବେଳକୁ ପୁଲିବନୁ ଲେଉଟିଲୁ । ସେଇଠି ବସି ସିଗାରେଟ୍ ଟାଣିଲି । ରାତିରେ କଣ କରିବି ସେ ଯୋଜନା ଚାଲିଥାଏ ।

 

ମୁଁ ଯୋଉଠି ବସିଥାଏ, ସେଇଠୁ ଦୁଇ ଫର୍ଲଂ ଦୂରରେ ଗୋଟାଏ ତେନ୍ତୁଳି ଗଛ । ଗୋଟିଏ ଦୋ’ଛକି ପାଖରେ ଗଛଟା ଥାଏ । ସେ ପାଖରୁ ଗୋଟାଏ ବାଟ ପଡ଼ିଚି ପୁଲିବନୁକୁ । ଆର ଶାଖାଟି ଯାଇଛି ଉମ୍ବାଲମେରୁ ଓ ପାହାଡ଼କୁ । ଶୁଣିଚି ସେ ଗୋଟାଏ ଶୁଭଗଛ । ସେଇ ଗଛରୁ ଅନେକ ବାଘ ମରାଯାଇଚନ୍ତି । ମୁଁ ନିଜେ ତ ଗୋଟାଏ ଚିତାବାଘ ଅଠରମାସ ତଳେ ମାରିଥିଲି । ସେ ଗଛର କଥା ଯେମିତି ମନକୁ ଆସିଲା, ଠିକ୍ କରିନେଲି ସେଇ ହେବ ମୋ’ର ଜଗିବାର ଜାଗା । ଏଠି ତଳେ ବସି ବାଘଟା ସଙ୍ଗେ ଲଢ଼ିବା ନିହାତି ବିପଦଜନକ । ସେଠି ଗଛ ଉପରେ କିଛି ଦିନ ବସି ବାଘକୁ ଜଗାଯାଇପାରେ । ଅନ୍ତତଃ ଯୋଉ କେତେ ଦିନ ଭଲ ଚନ୍ଦ୍ର କିରଣ ମିଳବ, ସେ ଦିନତକ ସେଠି ବସିବାରେ ଆପତ୍ତି କଣ ?

 

ମୋ’ ବିଚାର କଥା ସାଥୀ ଜଣଙ୍କୁ କହିଲି । ଆଗଥର ଯୋଉ ଡାଳରେ ବସିଥିଲି, ସେଠି ମଞ୍ଚା ତିଆରି କରିବାକୁ ଚାଲିଲି । ସେମାନେ ଜିନିଷପାତି ନେଇ ଗଛରେ ଚଢ଼ିଲେ । ମୁଁ ଗଛମୂଳେ ଶୋଇଗଲି । ପ୍ରାୟ ଅଧଘଣ୍ଟାଏ ପରେ ସେମାନେ ମୋତେ ଉଠାଇଲେ । ସେମାନଙ୍କ ହାତଗଢ଼ା ନୂଆ ମଞ୍ଚାଟିକି ଦେଖାଇଲେ । ତା’ପରେ ଆଉ ଯୋଉଠି ଯାହା ବାକିଥିଲା ଠିକ୍ ଠାକ୍ କରିଦେଲେ-

 

ମୋ’ ଷ୍ଟୁଡ଼ିବେକରରେ ମୁଁ ସବୁବେଳେ ଗୋଟାଏ ଦଉଡ଼ି ଖଟିଆ ନେଇଥାଏ । ଏଇଟା ଭାଙ୍ଗି ହୁଏ । ସହଜରେ ସଜାଡ଼ିହୁଏ । ଅଭିଜ୍ଞତାରୁ ଶିଖିଚି ମଞ୍ଚା ତୋଳିବାରେ ଏ ଖଟିଆଟି ଭଲ କାମ କରେ । ଖୁବ୍ ହାଲ୍‌କା । ବେଶ୍ ଟାଣ । ଚଳପ୍ରଚଳରେ କି ଘୁଞ୍ଚାଘୁଞ୍ଚିବେଳେ କିଛି ଶବ୍ଦ ହୁଏନି । ବସିବାକୁ ବେଶ୍ ଆରାମପ୍ରଦ । ସବୁଠୁ ବଡ଼ କଥା, ଏହା ସାହାଯ୍ୟରେ ଗଛରେ ଖୁବ୍ ଶୀଘ୍ର ଭଲ ମଞ୍ଚାଟିଏ ତିଆରି ହୋଇଯାଏ ଓ ପତ୍ର ଗହଳରେ ଲୁଚାଇ ହୁଏ । ପୁଣି ବାହାର କରିହୁଏ । ତା ପରେ ଜିନିଷଟିକୁ ସହଜରେ ନିଆଅଣା କରିହୁଏ । ଦାମ୍ ଖୁବ୍ ଶସ୍ତା ।

 

ଏଇ ଖଟିଆଟି ଦୁଇଟା ଡାଳ ଉପରେ ପଡ଼ିଲା । ମୋଟା ସୂତା ଦଉଡ଼ିରେ ବନ୍ଧାଗଲା । ଏ ଦଉଡ଼ି ବି ମୁଁ ସାଙ୍ଗରେ ନେଇଥାଏ । ଛୋଟ ଛୋଟ ଡାଳରେ ଜାଗାଟାକୁ ଘୋଡ଼ାଇ ଦିଆଗଲା । ସବୁ ଆଡ଼ୁ ଏମିତି ଘୋଡ଼ାଇ ଦିଆଗଲା ଯେ, ମୁଁ ତା’ ଭିତରେ ସହଜରେ ଲୁଚି ରହିଗଲି । ତା’ ଭିତରେ କଣା ଥାଏ । ତା’ ସାହାଯ୍ୟରେ ମୁଁ ଅନାଇଁ ବାଟ ଯୋଉଠି ଦୁଇଭାଗ ହେଇଚି, ସେ ଆଖ ପାଖ ଦେଖିପାରୁଥାଏ । ପୁଲିବନୁ ଓ ଉମ୍ବାଲମେରୁ ଆଡ଼କୁ ପ୍ରାୟ ଶହେଗଜଯାଏ ସହଜରେ ଦେଖି ହେଉଥାଏ । ମୋ’ ପଛପାଖେ ମଧ୍ୟ ସେମିତି ଫାଙ୍କଟାଏ । ନାଗପାଟଲା ଆଡ଼କୁ ଯାଇଥିବା ରାସ୍ତାରେ ଶହେଗଜଯାଏ ସେପାଖେ ସହଜରେ ଦେଖିହେଉଥାଏ ।

 

ଏ ସବୁ ଦେଖି ମୋ’ ମନ ଖୁସିହୋଇଗଲା । ସେ ଦୁଇ ଜଣଙ୍କୁ ଧରି ନାଗପାଟଲାକୁ କାର୍ ରେ ଫେରିଲି । ଆଚ୍ଛାକରି ମଧ୍ୟାହ୍ନ ଆହାର କଲି । ଚାରିଟାଯାଏ ଶୋଇଗଲି । ଉଠିଲାବେଳକୁ ପାଣି ବୋତଲ, ପାଉଁରୋଟି, ଚା’ ସବୁ ପ୍ରସ୍ତୁତ । ମୋ ଷ୍ଟୁଡ଼ିବେକ୍‌ରରେ ଏକକ ବୋଝାଇଲି । ପିଲାଦିନୁର କୂଅ ପାଖରେ କାରଟିକୁ ଲୁଚାଇରଖିଲି । ଗଛ ପାଖକୁ ଚାଲି ଚାଲି ଗଲି-। ସଞ୍ଜ ଛ’ଟା ଆଗରୁ ମୁଁ ଥିଲି ଗଛ ଉପରେ-

 

ରାତିର ଏଗାରଟା ଯାଏ ନିର୍ବିଘ୍ନରେ, ନିଃଶବ୍ଦରେ କଟିଗଲା । କେତେବେଳେ କେମିତି ଜଙ୍ଗଲରୁ ଶବ୍ଦଟାଏ ଶୁଭୁଥିଲା–ମାତ୍ର ସେ ସବୁ ଅତି ସାଧାରଣ ଓ ସ୍ଵାଭାବିକ ଥିଲା । ହଠାତ୍‌ ଉମ୍ବାଲମେରୁ ଆଡ଼ୁ ଗୋଟାଏ ଶବ୍ଦ ଭାସିଆସିଲା–‘ଆ...ହା ! ଆ...ହା !’ ଥିଲା ସେ ଶବ୍ଦ । ସତେ ଯେମିତି ଦି’ଜଣ ଲୋକ କରତୁଛନ୍ତି । କରତ ଟାଣିବାର ଓ ଖସାଇବାର ଶବ୍ଦ ସହିତ ଲୋକମାନଙ୍କ ଜୋର୍ ନିଃଶ୍ୱାସ ମାରିବା ମିଶିଗଲା ପରି ଏ ଆବାଜ୍‌ ହେଉଥାଏ । ଏଥିଲା ଗୋଟାଏ ଚିତାର ଡାକ-

 

ଆଉ ରାସ୍ତାର ବାଙ୍କ ପାଖରେ ସେ ଦେଖାଦେଲା । ଖୁବ୍ ମନୋହର ତା’ର ରୂପ । ବଡ଼ ଅଣ୍ଡିରାଟାଏ । ଦେହରେ ଚକା ଚକା କଳାଚିହ୍ନ ଗୁଡ଼ିକ ଉଜ୍ଜ୍ୱଳ ଚନ୍ଦ୍ରକିରଣରେ ଫିଟି ଦିଶୁଥାଏ । ମୁଁ ଯୋଉ ଗଛରେ ବସିଥିଲି, ସେଇ ଆଡ଼କୁ ସେ ଆସିଲା । ମୋ’ ମଞ୍ଚାତଳେ ଗଲା । ତା’ପରେ ଜଙ୍ଗଲରେ ଲୁଚିଗଲା । ମୁଁ ତାର ପ୍ରତିଟି ଗତିବିଧିକି ଦେଖୁଥାଏ । ମନରେ ଅପାର ଆନନ୍ଦ ଫୁଲକିଉଠୁଥାଏ । ମାରିବାକୁ ମନ ହେଲାନି । ଡରିଲି, କାଳେ ବାଘଟା ତରକିଯିବ ।

 

ସେ ରାତିରେ ଆଉ ସେମିତି କିଛି ଘଟିଲାନି । ତା’ପର ରାତି ତ ଆହୁରି ଶୂନ୍ୟ ।

 

ସେଦିନ ସକାଳୁ ଆସି ମୁଁ ସାଙ୍ଗେ ସାଙ୍ଗେ ଶୋଇଯାଇଥାଏ । ଦଶଟାବେଳକୁ ଲୋକ ମୋତେ ଉଠାଇଦେଲେ । ସକାଳେ ସକାଳେ ପ୍ରାୟ ଏଇ ଅଧଘଣ୍ଟା ତଳେ ବାଘ ଗୋଟାଏ ମଇଁଷିଆଳକୁ ମାରିଥାଏ ।

 

ତରତର ହୋଇ ପୋଷାକ ଗଳାଇ ପକାଇଲି । ଧରିଲି ବନ୍ଧୁକଟା । ସେ ମଇଁଷାଳର ଭାଇ ଆସିଥାଏ । ତା’ ସହିତ ତା’ର ତିନିଚାରି ଜଣ ସାଙ୍ଗ ବି ଥାଆନ୍ତି । ସେ ସମସ୍ତଙ୍କ ସହିତ ପୁଲିବନୁ ରାସ୍ତାରେ ଆସିଲି । ପ୍ରାୟ ମାଇଲକର ତିନିଚତୁର୍ଥାଂଶ ପାରିହୋଇଥାଏ । ଏଇଠୁ ଆମେ ଡାହାଣକୁ ଗଲୁ । ଆମେ ଏବେ କଲ୍ୟାଣୀର ତଟଦେଶରେ ପହଞ୍ଚିଲୁ । ଲୋକଟି ଏଇ ପାଖ ଆଖରେ ମଇଁଷି ଚରାଉଥଲା । ବାଘଟା ବୋଧହୁଏ ଜୋଉ ବୁଦା ଉଢ଼ାଳରେ ଲୁଚି ରହିଥିଲା । ଏଠି ନଦୀର ଉଭୟ ତଟରେ ଅନେକ ଲତା ବୁଦା । ବୁଦା ଉହାଡ଼ରୁ ସେ କୁଦାମାରିଚି ମଇଁଷିଆଳ ଉପରକୁ । ସେ ପାଟିକରି ଉଠିଚି । ତା’ ଭାଇ ଅଳ୍ପଦୂରରେ ଥିଲା । ଅମାନିଆ ଏକେଣା ମଇଁଷିଗୁଡ଼ିକୁ ସେ ଘଉଡ଼ାଇ ଆସୁଥାଏ । ସେ ଶୁଣିଲା ଏ ଶବ୍ଦ । ସେ ସମସ୍ତ ଘଟଣା ତା’ ଆଖିଆଗରେ ଘଟିଗଲା । ବାଘଟା ଶିକାରର କାନ୍ଧକୁ କାମୁଡ଼ିଥାଏ–ଆଉ ତା’କୁ ଘୋଷାରୁଥାଏ ସେଇ ବୁଦା ଆଡ଼କୁ ଯୋଉଠୁ ସେ ଡେଇଁଥିଲା । ତେଣୁ ଲୋକଟି ପାଟିକରିବାକୁ ସୁବିଧା ପାଇଲା । ତା’ ଭାଇ ଗାଁକୁ ଦଉଡ଼ିଲା । ସେଠି ଲୋକଙ୍କୁ କହିଲା । ତା’ପରେ ବଙ୍ଗଳାକୁ ଆସିଲା–ଉଠାଇଲା ମୋତେ ।

 

ଆମେ ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚିଲୁ । ବାଘ କେମିତି ଆସିଚି ଜଣାପଡ଼ିଗଲା । ପୁଣି କେମିତି ସେ ଲୋକଟିକି ଘୋଷାରିଚି, ତା’ ମଧ୍ୟ ଜଣାଗଲା । ମଇଁଷିଆଳର ପଗଡ଼ି ଖସି ପଡ଼ିଥାଏ ଲମ୍ବା ଲମ୍ବା ଘାସ ଉପରେ । ଆମେ ସେ ଘାସପୂର୍ଣ୍ଣ ଅଞ୍ଚଳ ପାରିହେଲୁ । ଏଥର ଶୁଖିଲା ଜାଗା । ଲୋକଟି ବୋଧହୁଏ ଖସିଯିବାକୁ ଖୁବ୍ ଛାଟିପିଟି ହେଇଚି । ନତୁବା ସେ ଖୁବ୍ ପାଟିକରିଚି । ବାଘ ବିରକ୍ତ ହେଇଚି । ଏଠି ସେ ଲୋକଟିକୁ ତଳେ ଥୋଇଚି–ଆଉ ତା’ ଗଳାକୁ କାମୁଡ଼ିଧରିଚି । ଏଇଠୁ ରକ୍ତ ଛିଟିକା ପଡ଼ିଚି । ଟାଣିବା ଦାଗ ବି ଦିଶୁଚି । ନଦୀର ଶଯ୍ୟାରେ ବାଲି ଭରିଚି । ବାଘ ମଣିଷଟିକୁ ବୋହି ନେଲାବେଳେ ତା’ ପାଦ ଘୁଷୁରି ଘୁଷୁରି ଯାଇଚି । ବାଲିରେ ସେ ଚିହ୍ନ ପଡ଼ିଚି । ବାଘ ସେ ପାଖ ତଟକୁ ଯାଇଚି । ସେ ତଟଦେଶ ବଣର ସବୁଜିମାକୁ ପିନ୍ଧି ଗହଳିଆ ହୋଇଚି ।

 

ଆମେ ଏଥର ସାବଧାନ ହୋଇଗଲୁ । ସତର୍କ ଭାବରେ ଚାଲିଥାଉ । ଗହଳ ଲତାବୁଦାର ଅଞ୍ଚଳ ପାରିହେଲୁ । ପହଞ୍ଚିଲୁ ଘାସପୂର୍ଣ୍ଣ ଅଞ୍ଚଳରେ । ଏ ପାଖରେ ଅନେକ ସବାଇ ଘାସ । ସେଇ ଘାସ ଉପରେ ବାଘଟା ମଡ଼ାକୁ ଘୋଷାରି ଘୋଷାରି ନେଇଚି । ଘାସଗୁଡ଼ିକ ଆମ ଯିବା ପର୍ଯ୍ୟନ୍ତ ବି ମୁଣ୍ଡ ସିଧାକରି ଉଠିପାରି ନ ଥାଆନ୍ତି । ପାହାଡ଼ର ଢାଲୁରାସ୍ତା ଦେଇ ଆମେ ଗୋଟାଏ ଛୋଟ ମୁଣ୍ଡିଆରେ ପହଞ୍ଚିଲୁ । ଏଇଠି ମାଟି ହଠାତ୍ କରି କଟିଯାଇଚି । ତଳେ ଅଛି ସାନ ଝରଣାଟିଏ । ଏ ଝରଣା ତଳକୁ ବହିଯାଇ ମିଶିଚି କଲ୍ୟାଣୀରେ । ଅନୁମାନ କଲି, ବାଘ ତା’ର ଆହାର ପାଇଁ ବୋଧହୁଏ ଏଇ ଝରଣାର କେଉଁ ନିଭୃତ ସ୍ଥାନ ବାଛିନେଇଛି । ହେଇପାରେ, ଏଇ ମୁହୂର୍ତ୍ତରେ ସେ ଭୋଜନରେ ବ୍ୟସ୍ତ ଅଛି ।

 

ସିଧାସଳଖ ଝରଣା ଆଡ଼କୁ ଯିବାଟା ଉଚିତ ମଣିଲିନି । ଯେତେ ସତର୍କ ହେଲେ ବି ଚାରିଆଡ଼େ ଯୋଉ ଗଛଲତା, ତା’ ଭିତରେ ଗଲାବେଳେ ଶବ୍ଦ ହେବ । ବାଘ ଶୁଣିପାରିବ । ଜାଣିବ ତା’ ପଛରେ ଲୋକ ଗୋଡ଼ାଇଚନ୍ତି । ସେ ଅବସ୍ଥାରେ ମଣିଷମାରୁ ବାଘ ଭୀଷଣ ହିଂସ୍ର ହୋଇଉଠେ-। ତା’ ଛଡ଼ା ତାର ଲୁଚିବାର ସବୁ ସୁବିଧା ଅଛି । ସେ ହୁଏତ ତା’ ଅଧାଖିଆ ଶିକାରକୁ ଛାଡ଼ି ଆମ ଉପରେ ଆକ୍ରମଣ ଚଳାଇପାରେ, ଅଥବା ଶିକାରକୁ ଧରି ଖସି ପଳାଇଯାଇପାରେ । ସେଇ ପାଖରେ ମଡ଼ାକୁ ଜଗି ରହି ସେ ଲଢ଼େଇ କରିପାରେ ମଧ୍ୟ । ସବୁଠୁ ବିପଦର କଥା ଯେ, ସେ ନିଜେ ଛକି ରହି ପଛରୁ ଆଗରୁ ବା ଯେ କୌଣସି ପାର୍ଶ୍ଵରୁ ମୋତେ ଆକ୍ରମଣ କରିପାରେ । ତେଣୁ ସମୁଦାୟ ପରିବେଶଟାକୁ ଅନୁଧ୍ୟାନ କରିନେଲି । ସିଧା ନ ଯାଇ ଡାହାଣ ପାଖରେ ତୀର୍ଯ୍ୟକ୍ ରାସ୍ତା କାଟି ଚାଲିଲି । ସେ ଝରଣାର ତଳକୁ ପ୍ରାୟ ପାଏ ମାଇଲ୍ ଗଲି । ବାଲିରେ ଉପର ଆଡ଼କୁ ଚାଲିଲି-। ବାଲିରେ ଚାଲିଲେ ଅନ୍ତତଃ ଶବ୍ଦ ହେବନି, କାରଣ ମୁଁ ଗୋଡ଼ ଚାପି ଚାପି ଚାଲିବି । ଏମିତି ଭାବରେ ବାଘଟା ତା’ ଶିକାର ପାଖରେ ଥିବାବେଳେ ମୁଁ ହଠାତ୍ କରି ସେଠି ପହଞ୍ଚି ଯିବାର କଳ୍ପନା କଲି ।

 

ଯୋଉ ପାହାଡ଼ ଚଢ଼ିଥିଲି, ସେଇ ପାହାଡ଼ରେ ପଛକୁ ଖସିଲି । ତା’ର ସେ ପାଖରେ ଦୁଇଗୁଣ ବାଟ କାଟି ଚାଲିଲି । ଉଦ୍ଦେଶ୍ୟ ନାଳଟିର ଶଯ୍ୟାଠାରୁ ମୁଁ ଅନେକ ଦୂରରେ ରହେ । ଏମିତି ଅବସ୍ଥାରେ ଯଥାସମ୍ଭବ ଶୀଘ୍ର ଗତିରେ ମୁଁ ମାଡ଼ିଚାଲିଲି । ପ୍ରାୟ ଏକ ଫର୍ଲଂ ପାରିହେଲି । ତା’ପରେ ପାହାଡ଼କୁ ଡେଇଁ ମୁଁ ଝରଣାର ଗତିପଥ ଠଉରକଲି । ବୁଦାବଣ ଗୁଡ଼ିକର ଗୋଟାଏ କଳନା କଲି । ତା’ପରେ ଅଧା ଡାହାଣକୁ ଖସିଲି । ପୁଣି ଫର୍ଲଙ୍ଗେ ତଳକୁ । ବାଲୁକାଭରା ନଦୀର ପେଟରେ ପହଞ୍ଚି ମୁଁ ଠିଆ ହେଇଗଲି । ଟିକେ ପ୍ରଶ୍ଵାସ ନିଏ ! ରାଇଫଲ୍‌ କୁ ସଜାଇ କାନ୍ଧକୁ ଉଠାଇଲି । କୋମଳ ବାଲିରେ ଗୋଡ଼ ଚାପି ଚାପି ଚାଲିଲି । ଯଥାସମ୍ଭବ ଝରଣାର ମଝିରେ ଯାଉଥାଏ । ଉଭୟ ପାଖରେ ଅନେକ ଲତାବୁଦା, ସେ ସବୁର ପାଖ ମାଡ଼ୁ ନଥାଏ ।

 

ସେ ଅଦ୍ଭୁତ ଯାହାର କଥା ମୋ’ର ସର୍ବଦା ସ୍ମରଣ ରହିବ । କେତେକ ଜାଗାରେ ଝରଣାଟି ମାତ୍ର ଦଶଗଜ ଓସାର । ଖୁବ୍ ବେଶିରେ ଏହାର ଓସାର ତିରିଶ ଗଜ । ପ୍ରତିଟି ଲତା ବୁଦାକୁ ଦେଖୁଥାଏ । ଚାରିଆଡ଼କୁ ସତର୍କ ଦୃଷ୍ଟି ରଖି ପାଦ ଚାପି ଚାଲିଥାଏ । ମଝିରେ ମଝିରେ ଅଟକିଯାଏ–କିଛି ଆବାଜ ପାଇବି କି ? ମାତ୍ର ସେ ଗଭୀର ନୀରବତାକୁ ଭାଙ୍ଗିଲାପରି କ୍ଷୁଦ୍ରତମ ଶବ୍ଦ ବି ହେଉନଥାଏ । ମନେହେଉଥାଏ ସେ ଗୋଟାଏ ଭୟଙ୍କର ମୃତ୍ୟୁ ସାମ୍ରାଜ୍ୟ । ଗୋଟିଏ ଜୀଅନ୍ତା ଖବର ଟିକିଏ ହେଲେ ଶବ୍ଦ ଶୁଣନ୍ତି କି ! ଶୁଣନ୍ତି କି ଝିଙ୍କାରିର ଝିଁ ଝିଁ କିମ୍ବା ପକ୍ଷୀର କୂଜନ ! ମନରେ କେତେ ଆବେଗ ! ସମ୍ପୂର୍ଣ୍ଣ ନିରବତା ମୋତେ ଆବୃତ କରି ରଖିଥାଏ । ମଝିରେ ମଝିରେ ଖାଲି ମୋ’ ପାଦ ଶବ୍ଦର କ୍ଷୀଣ ଧ୍ଵନି ଶୁଣୁଥାଏ । ବାଲି ଉପରେ ଏମିତି ଚାଲିଥାଏ ।

 

ଏ ପ୍ରକାରେ ବୋଧହୁଏ ଅଧା ଫର୍ଲଂ ଖଣ୍ଡେ ଯାଇଥିବି । ଝରଣା ଏଇଠି ଟିକେ ବାଁ’କୁ ବାଙ୍କି ଯାଇଚି । ଠିକ୍ ବୁଲାଣି ପାରିହେବା ଆଗରୁ କେଜାଣି କାହିଁକି ମୁଁ ଟିକେ ଠିଆ–ହେଇ ପଡ଼ିଲି, ଆଉ କିଛି ଗୋଟାଏ ଶୁଣିବାର ଚେଷ୍ଟାକଲି । ଏଇ ଠିଆହେବାଟା ମୋ ପକ୍ଷରେ ଖୁବ୍ ମଙ୍ଗଳକର ହେଲା । କାରଣ ଠିକ୍ ପର ମୁହୂର୍ତ୍ତରେ ବାହାରିପଡ଼ିଲା ସେ ମଣିଷମାରୁ । ପାଟିରେ ସେ ବୋହିଚି ମଣିଷର ଶବକୁ । ମୋ’ଠୁ ଠିକ୍ ୨୫ ଗଜ ଦୂର ।

 

ମୁଁ ବିସ୍ମିତ ହୋଇଗଲି । ସେ ବି । ଆମ ଉଭୟଙ୍କ ପାଇଁ ଏ ସାକ୍ଷାତ ଥିଲା ଖୁବ୍ ଅଚାନକ–ଖୁବ୍ ବିସ୍ମୟଜନକ । ବାଘଟା ଜାଣିଥିଲା ଯେ ତା’ ପଛରେ ଲୋକ ଜଗିଛନ୍ତି । ସେ ତେଣୁ ଖାଇନି ଭଲକରି । ଚୁପ୍‌ଚାପ୍ ତା’ ଶିକାରକୁ ସେ ଝରଣାର ତଳ ପାଖରୁ ଖୁବ୍ ଦୂରକୁ ନେବାର କୌଶଳ କରୁଥିଲା । ମୁଁ ଖୁବ୍ ସାବଧାନତା ସହ ଏ ପର୍ଯ୍ୟନ୍ତ କାମ କରି ଆସିଚି; କିନ୍ତୁ ମୁଁ କେବେ ଭାବିପାରିନଥିଲି ବାଘଟାକୁ ଏମିତି ଅବସ୍ଥାରେ, ଏତେ ବେଗି ଦେଖି ପାରିବି ବୋଲି । ଠିକ୍ ହଜିଲା ବଳଦ ଖୋଜିଲାଠାରେ ପରି ଅଜଣା ଅଶୁଣା ଭାବରେ ନୀରବରେ ତା’ ସହ ଦେଖା ସତରେ ମୋ’ର କଳ୍ପନାର ବାହାରେ ଥିଲା ।

 

ଆମ ଉଭୟଙ୍କ ପାଇଁ ନୀରବତା ଏବଂ କର୍ମଶୂନ୍ୟତା ଥିଲା ଖୁବ୍ କ୍ଷଣିକ । ବାଘ ତା’ ଶିକାରକୁ ଫିଙ୍ଗି ଦେଲା । ସେ ତା’ ମୁଣ୍ଡକୁ ଠିକ୍ ତା’ ଆଗ ଗୋଡ଼ ତଳକୁ ନେଇଗଲା । ପଛ ପାଖରୁ ତା’ର ପଛ ଗୋଡ଼ ଦୁଇଟି ଆଗ ଗୋଡ଼ ଆଡ଼କୁ ଟାଣିଆଣିଲା । ଲାଞ୍ଜ ଠିଆ କରିଦେଲା । ମୋ’ ଉପରକୁ ଲମ୍ଫ ଦେବାର ପ୍ରଥମ ପ୍ରସ୍ତୁତି । ଠିକ୍ ସେହି ମୂହୁର୍ତ୍ତରେ କଥା କହି ଉଠିଲା ମୋ’ର ରାଇଫଲ୍ । ଗୁଳି ବାଜିଲା ଜୀବଟା ଉପରେ । ପରେ ପରୀକ୍ଷା କରି ଦେଖିଲି ଦୁଇ ଆଖିର ଠିକ୍ ମଝିରୁ ଅଧା ଇଞ୍ଚ ତଳକୁ ବାଜିଚି । ତା’ ଶିକାର ଉପରେ ଝୁଣ୍ଟି ପଡ଼ି ସେ ମୋ’ ଅଡ଼କୁ ଭୀଷଣ ଗର୍ଜନ କରି ମାଡ଼ିଆସିଲା । ଗୋଟାଏ କଡ଼କୁ ଡେଇଁ‌ ପଡ଼ି ମୁଁ ସେଇ ପଟା ପଟା ଜୀବଟା ଉପରେ ଗୁଳି ପରେ ଗୁଳି ଚଳାଇଲି । ମୋର ସମସ୍ତ ଗୁଳି ସରିସିବା ଯାଏ ମୁଁ ଗୁଳିକରୁଥାଏ । ମୋ’ପାଦ ପାଖରେ ଶୈତାନଟା ଖସିପଡ଼ିଲା । ତା କପାଳ ଫାଟିଯାଇଥାଏ । ସେଥିରୁ ପିଚ୍‌କାରି ପରି ରକ୍ତଛିଟା ଚାରି ଆଡ଼କୁ ପଡ଼ୁଥାଏ ।

 

ଗଭୀର ଉତ୍ତେଜନାର ପ୍ରତିକ୍ରିୟା ମୋତେ ପର ମୁହୂର୍ତ୍ତରେ ଦୋହଲାଇଦେଲା । ମୁଁ ଥରିଉଠିଲି । ମୁଁ ପ୍ରାୟ ସଂଜ୍ଞାଶୂନ୍ୟ ହୋଇପଡ଼ିଲି । ଟଳି ଟଳି କୌଣସି ମତେ ଆର କୂଳକୁ ଗଲି । ମୁଁ ଗୋଟାଏ ଟାଣୁଆ ଲୋକ । ମୋ’ ଦେହରେ ବେଶ୍‌ ବଳ । ମନରେ ତହିଁରୁ ଅଧିକ ବଳ । ପ୍ରାୟ ମୁହୂର୍ତ୍ତେ ଦି’ମୁହୂର୍ତ୍ତ ପାଇଁ ମୁଁ ମୃତ ପ୍ରାୟ ହୋଇଗଲି । ମାତ୍ର ମୋ’ର ପୂର୍ବ ଶକ୍ତି ମୁଁ ଖୁବ୍ ଶୀଘ୍ର ଫେରି ପାଇଲି । ମୋ’ ସଙ୍ଗରେ ଯେଉଁମାନେ ଆସିଥିଲେ, ସେମାନଙ୍କୁ ଛାଡ଼ି ଆସିଥିଲି ଦୂରରେ...କଲ୍ୟାଣୀର କୂଳରେ । ସେମାନଙ୍କ କାନରେ ବାଜିଲା ଏ ଗୁଳିର ଶବ୍ଦ–ଗୋଟାଏ ନୁହେଁ...ଏକାବେଳେ ଲାଗ ଲାଗ ପାଞ୍ଚଟା । ସେମାନେ ଜାଣିଲେ–ମଣିଷ ଖିଆଟାର ମାଣକ ପୂରିଗଲା ।

 

ଏଇଠି ଗୋଟିଏ କଥା କହିଦିଏ । ମୋ’ ଗୁଳି ଯଦି ଆଉ ଅଧଇଞ୍ଚ ଉପରକୁ ବାଜି ଥାଆନ୍ତା । ବାଘଟା ସେଇଟି ଟଳି ପଡ଼ି ଥାଆନ୍ତା । ସେ କ୍ଷେତ୍ରରେ ଗୁଳି ତା ମସ୍ତିଷ୍କର ମଝିକି ଭେଦି ଥାଆନ୍ତା । ମାତ୍ର ଗୁଳି କରିବାରେ ଯୋଉ ସାମାନ୍ୟ ଟିକେ ଭୁଲ ହେଲା, ତା’ ଫଳରେ ଏମିତି ଘଟିଲା ।

 

ଆମେ ବାଘଟାର ଚମଡ଼ା ଉତାରି ଦେଲୁ । ତା ପୂର୍ବରୁ ଓ ତା’ ପରେ ଖୁବ୍ ପୁଙ୍ଖାନୁପୁଙ୍ଖ ଭାବରେ ତା’କୁ ପରୀକ୍ଷା କରିଥିଲୁ । ତା’ର କୌଣସି ଖୁଣ ନ ଥିଲା । ଦେହଗଠନରେ କୌଣସି ଦୋଷ ତ୍ରୁଟି ଥିଲେ ବାଘ ମଣିଷଖିଆ ହୁଏ । ସେ ଥିଲା ଗୋଟାଏ ପୂର୍ଣ୍ଣାଙ୍ଗ, ପୂର୍ଣ୍ଣ ବୟସ୍କ ବାଘ । ସେ ବଣର ଜୀବଜନ୍ତୁ ମାରି ଖୁବ୍ ଆନନ୍ଦରେ ଚଳି ପାରିଥାଆନ୍ତା । ତା’ ନ ହେଲେ ବି ଗାଈ ଗୋରୁ ଧରି ଥାଆନ୍ତା; ମାତ୍ର ଏ ଦୁଇଟି କୌଣସି ପ୍ରକାର ମାଂସ ତା’ର ପସନ୍ଦ ହେଲାନି । ମଣିଷ ମାଂସ ପ୍ରତି ସେ ଲୋଭେଇଲା । ଶେଷରେ ମଣିଷ ହାତରେ ସେଇଥିପାଇଁ ମଲା । ଅବଶ୍ୟ, ମୋତେ ମଧ୍ୟ ପ୍ରାୟ ମାରିଥିଲା ଜାଣନ୍ତୁ । କେଉଁ ଦେଶରୁ ସେ ଏ ଜଙ୍ଗଲକୁ ଆସିଲା କେହି ଜାଣେନି–ମାତ୍ର ଯେତେବେଳେ ତାକୁ ଏପରି ଏକ ଦେଶକୁ ପଠାଇ ଦିଆଗଲା ଯୋଉଠି କେହି ଫେରି ପାରିବନି, ଲୋକମାନଙ୍କର ଆନନ୍ଦର ସୀମା ରହିଲା ନାହିଁ ।

Image

 

Unknown

ହୋସଦୁର୍ଗା ହୋଲାଲକେରେର ନରଖାଦକ

 

ମହୀଶୂର ସେତେବେଳେ ଦେଶୀୟ ରାଜ୍ୟ ଥାଏ । ହୋଲାଲକେରେ ତା’ର ଉତ୍ତର ସୀମାନ୍ତର ଶେଷ ଜିଲା ଚିତାଲ ଦୁର୍ଗର ଦ୍ୱିତୀୟ ବୃହତ୍ତମ ସହର–ମାନ୍ଦ୍ରାଜ୍ ପ୍ରେସିଡ଼େନ୍‌ସିର ବେଲାରି ଜିଲାର ଉତ୍ତର–ପୂର୍ବରେ । ପୁଣି ଉତ୍ତର–ପଶ୍ଚିମରେ ସେକାଳ ବମ୍ବେର ସୀମାନ୍ତ । ଏ ଅଞ୍ଚଳରେ ମଣିଷଖିଆ ବାଘର ଖୁବ୍ ଉତ୍ପାତ । ବିଶ୍ଵାସ କରାଯାଏ, ଏ ବାଘ ଗୁଡ଼ାକର ବଂଶଗତ ଗୁଣ ହେଉଚି ମଣିଷ ମାଂସ ଖାଇବା ।

 

ପ୍ରାୟ ଦଶ ବର୍ଷ ତଳେ ଏ ଅଞ୍ଚଳରେ ବାଘ ମଣିଷ ମାରିବାର ଅନେକ ସମ୍ବାଦ ଅଛି । ଏଥିପାଇଁ ମହୀଶୂର ଗେଜେଟ୍‌ରେ ବିଜ୍ଞାପନ ବାହାରିଲା । ବଡ଼ ଜୀବ ମାରିବାର ବନ୍ଧୁକ ଲାଇସେନ୍‌ସ ନଥାଇ ମଧ୍ୟ ଏଠାର ବାଘମାନଙ୍କୁ ନିକାଶ କରିବାର ଥିଲା ଏ ବିଜ୍ଞାପନ ।

 

ସେ ସମୟରେ ବାଙ୍ଗାଲୋରରେ ଥାଆନ୍ତି ଅଙ୍ଗସ୍ ମାକ୍‌ଟାଭିଶ୍ । ସେ ଏବଂ ତାଙ୍କ ଶ୍ରୀମତୀ ଉଭୟେ ଶିକାରପ୍ରିୟ । ବାଘ ମାରିବାକୁ ବଡ଼ ମନ । ବିଶେଷରେ ମଣିଷ ଖିଆଟାଏ ମାରିବାକୁ ସେମାନେ ଜିଦ୍ କରି ଥାଆନ୍ତି । ଏ ଖବର ପରେ ଦିହେଁ ଯାକ ମୋ’ ପାଖକୁ ଆସିଲେ । ପ୍ରସ୍ତାବ କଲେ : ଆମେ ତିନିଜଣ ଏକାଠି ହେବା । ମଣିଷଖିଆ ମାରିବାକୁ ପ୍ରାୟ ଚାରି ସପ୍ତାହ କାଳ ସମୟ ଦେବା ।

 

ରାଜିହେଲି । ମାକ୍‌ଟାଭିଶ୍‌ଙ୍କ କାର୍ ଠିକ୍ ହେଲା । ଆମେ ବାଙ୍ଗାଲୋରରୁ ଚିତାଲ ଦୁର୍ଗ ଗଲୁ । ଚିତାଲ ଦୁର୍ଗ ଜିଲାର ନାମ । ସଦର ମହକୁମାର ମଧ୍ୟ ସେଇ ନା । ସେଠି ଜିଲା ବନପାଳଙ୍କ ସହିତ ଦେଖାକଲୁ । ତାଙ୍କଠୁ ବିଭିନ୍ନ ସମ୍ବାଦ ସଂଗ୍ରହ କଲୁ । ବାଘ ନିକଟରେ କୋଉଠି ମଣିଷ ମାରିବା ଆଦି ଖବର ଏକାନ୍ତ ଦରକାର ।

 

ଏ ଅଫିସ୍‌ର ଜଣକ ଖୁବ୍ ସହଯୋଗ କଲେ । ଆମକୁ ଯାବତୀୟ ସମ୍ବାଦ ଯୋଗାଇ ଦେଲେ । ସେଠାର ନରଖାଦକର କର୍ମକ୍ଷେତ୍ର ଚିତଲ ଦୁର୍ଗ ସହରଠୁ ହୋଲାଲକେରେ ଯାଏ ବିସ୍ତୃତ-। ହୋଲାଲକେରେ ଦକ୍ଷିଣ–ପଶ୍ଚିମ ଦିଗରେ ଦଶ ମାଇଲ ଦୂର ଏବଂ ଦକ୍ଷିଣରେ ନଅ ମାଇଲ ଦୂରରେ ହୋସଦୁର୍ଗା ଛୋଟ ଗାଁଟିଏ । ସେ ଗାଁରେ ବାଘ ଦୁଇଟା ମଣିଷ ମାରିଥାଏ ଏବେ ଏବେ-

 

ହୋସଦୁର୍ଗାରୁ ଖବର ମିଳିଲା ଯେ ବାଘଟା ଆହୁରି ପୂର୍ବକୁ ମାତିଚି । ସେଠାରେ ମାରିକାନାଭେ ବା ବାଣୀ ବିଳାସ ବୋଲି ଗୋଟିଏ ବଡ଼ ଜଳାଶୟ ଅଛି । ଏଇଟା ଗୋଟାଏ ହ୍ରଦ । ସେଥିରେ ଅନେକ ବଡ଼ ମାଛ ଓ କୁମ୍ଭୀର । ତା’ରି କୂଳେ କୂଳେ ବାଘ ମାତିଥାଏ । ଚିତାଲ ଦୁର୍ଗ ସହର ଯାଏ ସେପଟେ ବୁଲି ବୁଲି ବାଘ ଆସେ । ସେ ପୁଣି କହିଲେ ଯେ ବାଘଟା ଗୋଟାଏ ଭଙ୍ଗା ପୁରୁଣା ଦୁର୍ଗରେ ରହେ । ସେ ଦୁର୍ଗର ନାଁ ଯୋଗୀ ମାଠ । ସହରର ଦକ୍ଷିଣରେ ଏହା ଅବସ୍ଥିତ ।

 

ଯୋଗୀମାଠ ବିଷୟରେ ମୋର ଅନେକ ଧାରଣା ଥିଲା । ସେଠି ଅନେକ ସମୟରେ ଭାଲୁ ରହୁଥିଲେ । ଚିତାମାନେ ମଧ୍ୟ ତା’କୁ ଘର କରିଥିଲେ । ବାଘ ବି ବେଳେବେଳେ ରହୁଥିଲେ । ଆମେ ବିଭିନ୍ନ ଆଲୋଚନା କଲୁ । ଠିକ୍ କଲୁ ହୋଲାଲକେରେ ଓ ହୋସ ଦୁର୍ଗକୁ ଯିବୁ । ସେଇଠୁ ରହି ଆମେ କାମ କରିବୁ । ସେଇ ଜାଗାଟା ମଝାମଝି ହେବ । ଚାରିଆଡ଼ର ଖବର ଉପରେ ଆମେ କାମ କରିବୁ ।

 

ପରଦିନ ବଡ଼ିସକାଳ । ଆମେ ହୋଲାଲକେରେ ବାହାରିଲୁ । ସେଠି ଘଣ୍ଟାକରେ ପହଞ୍ଝଲୁ । ଏଠି ବାଘଯୋଗୁଁ ଲୋକେ ଛାନିଆ । ତା’ ଡରରେ କାହାରି ମନରେ ଶାନ୍ତି ନ ଥାଏ । ସେ ଲୋକେ ଆମକୁ ଅନେକ ଗପ ଶୁଣାଇଲେ । କେତେ ଲୋକ ଓଲଟା ଓଲଟା କଥା କହିଲେ । କାହାରି କଥା କାହାରି ସହିତ ମିଳୁନଥାଏ । ପାଳଗଦା ଭିତରୁ ଛୁଞ୍ଝି କାଢ଼ିବାକୁ ହେବ । ସବୁକଥା ଶୁଣିଲୁ । ମୋଟାମୋଟି ଜାଣିପାରିଲୁ, ଯୋଉଠି କେହି କେବେହେଲେ ଆଶା କରି ନ ଥିବ, ସେଇଠି ମଧ୍ୟ ବାଘଟା ଦେଖାଦିଏ । ଆଉ ଗୋଟାଏ କଥା ଶୁଣିଲୁ, ସେ ଗୋଟାଏ ଖଜୁରୀ ବଣରେ ନିୟମିତ ଦେଖାଦିଏ । ସେଠି ଅନେକ ଖଜୁରୀ ଗଛ । ଲାଣ୍ଟାନା ଓ ବିଭିନ୍ନ ଜାତିର ଅନେକ ବୁଦା । ହୋଲାଲକେରେଠାରୁ ହୋସଦୁର୍ଗାକୁ ଯୋଉ ବାଟ ଯାଇଚି, ତା’ର ଉଭୟ ପଟରେ ଏ ଖଜୁରୀ ବଣ-। ହୋଲାଲକେରେର ମୁଣ୍ଡରୁ ଆରମ୍ଭ । ଲୋକେ ଆହୁରି କହିଲେ ଯେ ଏ ରାସ୍ତାରେ ବାଘର ପାଦଚିହ୍ନ ପ୍ରତିଦିନ ଦେଖାଯାଏ । ଆମେ ଯଦି ସେ ନଅମାଇଲ ମୋଟରରେ ଏପାଖୁ ସେପାଖ ରାତିରେ ଯିବାଆସିବା କରୁ ବାଟ ମଝିରେ ବି ବାଘର ଦର୍ଶନ ହେଇଯାଇପାରେ ।

 

ଆମେ ସେଇଦିନ ସଞ୍ଜରେ ବାହାରିଲୁ । ସେ ସମୟକୁ ଘଡ଼ିରେ ବାଜିଥାଏ ସାତଟା । ହୋଲାଲକେରେଠୁ ପ୍ରାୟ ମାଇଲିଏ ଆଗକୁ ଯାଇଚୁ–ଖଜୁରି ଗଛର ପତ୍ରସବୁ ଦେଖାଗଲା । ଗଛଗୁଡ଼ିକର ଆବଡ଼ାଖାବଡ଼ା ଗଣ୍ଡିଗୁଡ଼ିକ ଦିଶୁନଥାଏ । ବୁଦା ଓ ଲଟାଳିଆ ଗଛ ଏଗୁଡ଼ିକୁ ଘୋଡ଼ାଇ ପକାଇଥାଏ । ଏଇଠୁ ଆମେ ଖୁବ୍ ଧୀରେ ଧୀରେ ମୋଟର ଚଳାଇଲୁ । ସ୍ପଟ୍ଲାଇଟ୍ ଚାରିଆଡ଼କୁ ପକାଉଥାଉ । କାର୍ର ଇଞ୍ଜିନ ଆଲୁଅରେ ଆଗସାରା ଆଲୋକିତ । ହଠାତ୍‌ ଗୋଟାଏ ଗଛ ଉପରେ ଦୃଷ୍ଟି ପଡ଼ିଲା । କଳା ବାଳବାଳୁଆ ଲୋକଟାଏ କିଏ ଗଛ ଉପରେ ଗଢ଼ିଚି । ଆମର ଡାହାଣ ପାଖେ ପନ୍ଦରଫୁଟିଆ ଗୋଟାଏ ଗଛର ଅଗରେ ବସିଚି ଲୋକଟା । ସେଠାରେ ପେନ୍ଥା ପେନ୍ଥା କୋଳି । ହଳଦିଆ–ଦରପାଚିଲା ଛୋଟ କୋଳିସବୁ କଣ୍ଟା କଣ୍ଟା ବାହୁଙ୍ଗା ତଳେ ଓହଳିଚି । ମଣିଷଟାଏ ପରି ଦିଶୁଥାଏ ଏ ଜୀବଟା ସେ ସବୁକୁ ଖାଇଯାଉଚି ।

 

ଆମେ କାର୍ ପାଖକୁ ନେଲୁ । ଗାଡ଼ି ରୋକିଲୁ । ସେ ଅଦ୍‌ଭୁତ ଜୀବଟା ଓହ୍ଲାଇ ପଡ଼ିଲା-। ସେ ଆଗରେ ଠିଆହେଲା, ତା’ ପରେ ପଳାଇଲା । ମୋ’ ସାଙ୍ଗ ଦି’ଜଣ ତା’କୁ ଏକ ଅଦ୍‌ଭୁତ ମଣିଷ ଭାବିଥିଲେ । ଏବେ ଦେଖିଲେ ସେ ଥିଲା ଏକ କଳାଭାଲୁ । ଆମେ ତା’ର ଖଜୁରିକୋଳିଖିଆ ଭାଙ୍ଗି ଦେଲୁ । ମୁଁ ପ୍ରଥମରୁ ଏ ଜୀବକୁ ଭାଲୁ ବୋଲି ଜାଣିଥିଲି । ମୋ ସାଙ୍ଗମାନଙ୍କୁ ସେ କଥା କହିନଥାଏ । ଉଦ୍ଦେଶ୍ୟ–ସେମାନେ ନିଜକୁ ନିଜେ ଦେଖି, ଲକ୍ଷ୍ୟକରି ଶିଖନ୍ତୁ । ଶ୍ରୀମତୀ ମାକ୍‌ଟାଭିସ୍ ତାଙ୍କର ୩୦୦୬ ସ୍ପିଙ୍ଗ୍ ଫିଲ୍‌ଡ଼ ରାଇଫଲ୍ ଚଳାଇଲେ । ଗୁଳିଟା ଭାଲୁର ଉପରେ ବାଜିଲା । ଧପ୍ ! ତା’ ମଲାଦେହଟା ଲୋଟିଗଲା ମାଟି ଉପରେ ।

 

ଆମେ ହୋସଦୁର୍ଗାକୁ ଗଲୁ । କିଛି ଦେଖିଲୁନି । ହୋଲାଲକେରେକୁ ଫେରିଲୁ । ଦୁଇ–ଦୁଇ ଥର ଯିବା ଆସିବା ହେଲା–କିଛି ଆଖିରେ ପଡ଼ିଲାନି । କେବଳ ଶେଷଥର ଲେଉଟାଣି ବେଳେ ଗୋଟାଏ ଗଧିଆ ବାଘ ଭାଲୁର ମଢ଼ ପାଖରେ ଦେଖିଲୁ । ଭାବିଲୁ ସେମିତି ପଡ଼ିଥିଲେ ଭାଲୁର ମଢ଼ଟି ନଷ୍ଟହୋଇଯିବ । ତା’କୁ ତିନିଜଣ ମିଶି ଉଠାଇଲୁ । ବହୁ କଷ୍ଟରେ ମାକ୍‌ଙ୍କ କାର୍‌ର ଇଞ୍ଜିନ୍‌ ଓ ପ୍ରଥମ ମଡ୍‌ଗାଡ୍‌ ପାଖରେ ରଖିଲୁ । ଭାଲୁର ବାଳ ଖୁବ୍ ଲମ୍ବା–ମାତ୍ର ବଡ଼ ଖସଡ଼ା । ଭାଲୁର କୌଣସି ଅଂଶକୁ ଅନେକ ସମୟ ଯାଏ ଧରି ହେବନି । ତାହାକୁ ଉଠାଇବାକୁ ଚେଷ୍ଟାକଲେ ଲୋମସବୁ ଖସିଯିବ ।

 

ପରଦିନ ସକାଳ । ହେଲାଲକେରେର ଭ୍ରମଣକାରୀ ଡାକବଙ୍ଗଳା । ଆମେ ସେଇଠି ଚା’ ଖାଉଥାଉ । ତା’ ସହିତ ମାଂସ ଓ ଅଣ୍ଡା । ଶ୍ରୀମତୀ ମାକଟାଭି୍ଶଙ୍କ କୁଶଳୀ ହାତର ସ୍ପର୍ଶରେ ଜଳଯୋଗର ବ୍ୟବସ୍ଥା ଚମତ୍କାର ହୋଇଥାଏ । ଠିକ୍ କଲୁ ଭାଲୁର ଚମଡ଼ା ଉତାରିନେବୁ । ତା’ପରେ ଆମେ ଯିବୁ ହୋସଦୁର୍ଗା । ଏବେ ନିକଟରେ ମରାହୋଇଥିବା ମଣିଷ ଦୁଇଟି ବିଷୟରେ ଅଧିକ ସମ୍ବାଦ ସଂଗ୍ରହ କରିବୁ ।

 

ଦିନବେଳା ସେଇ ଖଜୁରି ବୋରି ବାଟେ ଗଲୁ । ରାତିବେଳା ଏଠାର ବୁଦା ବଣ ବିଷୟରେ ନିର୍ଦ୍ଦିଷ୍ଟ ଧାରଣା ହୋଇନଥିଲା । ଦିନରେ ଦେଖିଲୁ କି ଘଞ୍ଚ ସେ ବୁଦାଗୁଡ଼ାକ । ସେ ଭିତରେ ବାଘ ସହିତ ମୁକାବଲା କରିବା ଆଦୌ ସହଜସାଧ୍ୟ ନୁହେଁ ।

 

ହୋସ୍‌‌ଦୁର୍ଗାରେ ଆଗର ଗପ ଶୁଣିଲୁ । ପ୍ରଥମଟା ଘଟିଥିଲା ତିନିସପ୍ତାହ ଆଗେ । ସେ ଥିଲା ଗୋଟିଏ ଝିଅ । ବୟସ ହେବ ଏଗାର । ତାଲୁକ ଅମିଲଦାର୍‌ର ଲେଖାଯୋଖା ଜ୍ଞାତି । ଝିଅଟି ଓ ତା’ ବାପା ମା’ ଗାଁର ଶେଷାଂଶରେ ରହନ୍ତି । ସଞ୍ଜ ଆଠଟା । ସେ ବାହାରକୁ ଆସିଚି–ତା’ପରେ ସେ ଆଉ ଫେରିନି । ସେ କୌଣସି ଶବ୍ଦ କରିପାରିନି । ସେ ପାଖର କଠିନ ମାଟିରେ କୌଣସି ପାଦଚିହ୍ନ ବି ନାହିଁ । ବାପ ମାଆ ଶଙ୍କିତ ହୋଇପଡ଼ିଲେ । ଗାଁଲୋକଙ୍କୁ ଉଠାଇଲେ । ଦୁଇଘଣ୍ଟା ଭିତରେ ପ୍ରାୟ ପଚାଶ ଲୋକ ବାହାରି ପଡ଼ିଲେ । ସେମାନଙ୍କ ହାତରେ ଲଣ୍ଠନ, କୁରାଢ଼ି, ଠେଙ୍ଗା ଆଉ ଦୁଇଟି ଦେଶୀ ନଳୀ । ସେଦିନର ରାତି ଥିଲା ଅନ୍ଧାର ରାତି । ସେମାନେ ଝିଅଟିର କୌଣସି ପତ୍ତା ପାଇଲେନି । ତା’ ପରଦିନ ପୁଣି ଚେଷ୍ଟା ଚାଲିଲା । ସେ ଜାଗାରୁ ଅଧମାଇଲ୍ ଦୂରରେ ସେ ପିନ୍ଧିଥିବା ଅନ୍ତର୍ବାସର ଛିଣ୍ଡା ଅଂଶ ମିଳିଲା । ସେ ହତଭାଗିନୀ କ୍ଷୁଦ୍ରା ବାଳିକାଟିର ଆଉ କୌଣସି ଚିହ୍ନବର୍ଣ୍ଣ ମିଳିଲାନି ।

 

ଦ୍ୱିତୀୟ ହତ୍ୟା ହୋଇଥିଲା ବାରଦିନ ତଳେ । ମାରିକାନାରେ ଜଳଭଣ୍ଡାର ଏଠୁ ପାଞ୍ଚ ମାଇଲ୍‌ । ସେଇଟା ଅଛି ପୂର୍ବକୁ । ସେଇ ହ୍ରଦର କୂଳକୁ ଯୋଉ ରାସ୍ତା ଛୁଇଁବି ତା’ର ମଝାମଝି ହେବ । ସେଇଠି ଗୋଟାଏ ଝରଣା ଅଛି । ପୁଣି ରାସ୍ତା ପାଖରେ ଏ ଝରଣାର ବେଶ୍ ଗୋଟାଏ ଗହୀରିଆ ଗଣ୍ଡ ଅଛି । ଏଇ ଦହକୁ ବ୍ୟବହାର କରୁଥିଲେ ସେ ଗାଁର ଦୁଇ ଜଣ ଭାଇ । ସେମାନେ ଗାଁର ଧୋବା । ଏଇଠି ସେମାନେ ଲୁଗାପଟା କାଚନ୍ତି । ତିନୋଟି ଗଧପିଠିରେ ସେମାନେ ଲୁଗାପଟା ନିଆଅଣା କରନ୍ତି । ସେଦିନ ସଞ୍ଜ ୫ଟା ହେବ । ଲୁଗା କଚା ସରିଗଲା । କଚାଲୁଗା ସବୁ ଗଧ ଉପରେ ରଖି ସେମାନେ ଫେରୁଥିଲେ ଘରକୁ । ଏଇ ଜୀବଗୁଡ଼ିକ ତ ସେମାନଙ୍କର ସର୍ବସ୍ୱ । ସେମାନେ ଗଧଗୁଡ଼ିକର ଖୁବ୍ ଦେଖାଶୁଣା କରନ୍ତି । ସେଦିନ ଜଣେ ଭାଇ ଚାଲୁଥାଏ ଆଗରେ । ଜଣେ ଥାଏ ଗଧଗୁଡ଼ିକ ପଛରେ । ସେମାନେ ହୋସ୍‌ଦୁର୍ଗାଠାରୁ ପ୍ରାୟ ମାଇଲିଏ ଦୂରରେ ଥାଆନ୍ତି । ହଠାତ୍ ବାଘଟାଏ ବାହାରି ଆସିଲା । ଆଗଭାଇଟିକି ଧରି ଚମ୍ପଟକଲା । ପଛରେ ଥାଉ ତା’ ଭାଇ ଏସବୁ ଦେଖିଲା । ତା ବୁଦ୍ଧି ବଣା ହେଇଗଲା । ସେ ଆଗକୁ କ’ଣ ଯିବ–ପଛକୁ ଫେରିଗଲା ସେଇ ଦହ ପାଖକୁ ।

 

ରାତି ଆସି ଆଠ ହେଲା । ଭାଇ ଦିହେଁ କି ଗଧ ଫେରିଲେନି । ଦୁଇ ଜାଆ ଗାଁସାରା କହି ବୁଲିଲେ । ଦଶଟା ବେଳକୁ ଷାଠିଏ ଲୋକ ବାହାରିଲେ । ସେଇପରି ଲଣ୍ଠନ, ଲାଠି, କୁରାଢ଼ି ଓ ଆଗରେ ଦୁଇଟି ଦେଶୀ ନଳୀ ।

 

ବାଟ ମଝିରେ ସେମାନେ ଗୋଟାଏ ଗଧକୁ ଦେଖିଲେ । ଗଧଟି ଶୋଇଥାଏ ନିର୍ବିକାର ଭାବରେ । ପିଠିରେ ବନ୍ଧାଥାଏ ସଫା ଲୁଗାର ବୁଜୁଳି । ଆଗକୁ ଗଲେ । ଦହଠୁ ଫର୍ଲଙ୍ଗେ ଏପାଖେ–ସେମାନେ ଦେଖିଲେ ସେଇ ପଳାଇଯାଇଥିବା ଲୋକଟିକି । ସେ ଲୋକଟିର ସାମ୍ନାରେ ବାଘ ତା’ ଭାଇକି ବୋହିନେଇଗଲା । ଚାରିପାଖେ ଜଙ୍ଗଲ । ସେ କ’ଣ କରିବ ଏକାକୀ ! ସେ ଲୋକଟି ଅର୍ଦ୍ଧଚେତନାହୀନ ହୋଇପଡ଼ିଥାଏ । ପାଟି ଖୋଲା । ସେଥିରୁ ଲାଳ ବାହାରୁଥାଏ । ଆଖି ଉପରକୁ–ପିଛଡ଼ା ପଡ଼ୁନଥାଏ । ପ୍ରାୟ ଘଣ୍ଟାଏ ପରେ ସେ ଲୋକର ଚେତା ଆସିଲା । ସେ ସ୍ପଷ୍ଟଭାବରେ ସେଇ ଭୟଙ୍କର ଖବର କହିଲା । ତାକୁ ଧରି ଲୋକମାନେ ଆକ୍ରମଣ ଜାଗାକୁ ଗଲେ-। ଯାହିତାହି ଖୋଜାଖୋଜିଟାଏ ହେଲା । କିନ୍ତୁ ଲୋକଟିର କିଛି ପତ୍ତା ମିଳିଲାନି । ସେମାନେ ପରଦିନ ଖୋଜିବେ କହି ଫେରି ଆସିଲେ ।

 

ଦିନବେଳା ଅବଶ୍ୟ ସେମାନେ ପୁଣି ଖୋଜିବାକୁ ଆସିଲେ । ଖିନିଭିନି କରି ଖୋଜାଚାଲିଲା । ସେ ଲୋକଟିର ଛିଣ୍ଡା କପଡ଼ା ମିଳିଲା । ମିଳିଲା ରକ୍ତର ଦାଗ । ଶେଷରେ ମିଳିଲା ହତଭାଗାର ଦରଖିଆ ଶବଟା । ରାତାରାତି ବାଘଟା ତା’ର ତିନିଚତୁର୍ଥାଂଶ ଖାଇସାରିଥାଏ; ବାକି ଥିଲା ତା’ର ମୁଣ୍ଡଟି, ଦୁଇବାହୁ, ଗୋଟାଏ ଗୋଡ଼ ଆଉ ଗୋଟାଏ ପାଦ । ଏ ସବୁ ଏକାଠି କରାଗଲା । ହୋସଦୁର୍ଗକୁ ପୋଡ଼ିବାକୁ ଅଣାଗଲା । ରାସ୍ତାଠୁ ଫର୍ଲଙ୍ଗେ ଦୂରରେ ଆର ଗଧ ଦୁଇଟି ଚରୁଥିଲେ ।

 

ଆଉ ଗୋଟାଏ ଖବର ମିଳିଲା । ଚାରିଦିନ ତଳେ ଗୋଟାଏ ବଳଦଗାଡ଼ି ଯାଇଥାଏ । ସେଥିରେ ଯୋଚାଥିଲେ ହଳେ ବଳଦ । ସେମାନେ ହୋଲାଲକେରେ ଯାଉଥାଆନ୍ତି । ସମୟ ହେବ ତିନିଟା । ହୋସଦୁର୍ଗାଠୁ ପ୍ରାୟ ତିନିମାଇଲ ଦୂର । ବାଘଟାଏ ସେମାନଙ୍କୁ ଆକ୍ରମଣ କଲା । ସେ ଗାଡ଼ିର ଗାଡ଼ିଆଳ ଡେଇଁପଡ଼ିଲା । ପ୍ରାଣବିକଳରେ ଦଉଡ଼ି ଦଉଡ଼ି ବୁଲିବୁଲି ଗାଁରେ ପହଞ୍ଚିଲା ।

 

ପରଦିନ ସକାଳେ ଦଳେ ଲୋକ ଗଲେ । ସେମାନେ ଦେଖିଲେ ଜୁଆଳିରେ ବନ୍ଧାହେଇ ଗୋଟାଏ ବଳଦ ଠିଆହେଇ ରହିଚି । ପଚାଶଗଜ ଦୂର ହେବନି । ସେଇଠି ପଡ଼ିଚି ଆର ବଳଦଟି । ବାଘ ସେ ବଳଦଟିକି ମାରିଚି । ଜୁଆଳିରୁ କାଢ଼ି ନେଇଚି । ସେଇଠି ପକାଇ ଖାଇଚି । ବଳଦର ଅନ୍ୟ ସାଙ୍ଗଟି ଏ ଭୟଙ୍କର ଦୃଶ୍ୟ ଦେଖୁଥିଲା ଚିତ୍ରପ୍ରତିମା ପରି ।

 

ଏ ଖବର ସାଙ୍ଗକୁ ଆଉ ଏକ ସମ୍ବାଦ ବି ମିଳିଲା । ହୋସଦୁର୍ଗାରେ ଥାଏ ଗୋଟିଏ ଭ୍ରମଣକାରୀ ବଙ୍ଗଳା । ସେଠାରେ ଦୁଇଜଣ ଶିକାରୀ ଆସି ରହିଥାଆନ୍ତି । ଏ ବଙ୍ଗଳାକୁ ନେଇ ହୋସଦୁର୍ଗା ଗାଁ ଖୁବ୍ ଗର୍ବକରେ; ଅଥଚ ସେ ବଙ୍ଗଳାରେ ଥାଏ ଗୋଟିଏ କୋଠରି । ସେ ଶିକାରୀ ଦୁଇଜଣ ପାଞ୍ଚଦିନ ଆଗରୁ ଆସି ପହଞ୍ଚିଥାଆନ୍ତି ।

 

ଆମ ଆଗରୁ ସେ ଦୁଇଜଣ ଆସିଛନ୍ତି । ମଣିଷମାରୁଟାକୁ ମାରିବା ପାଇଁ ଆମ ଦୁଇଦଳ ଭିତରେ କୌଣସି ପ୍ରତିଦ୍ୱନ୍ଦ୍ଵିତା ହେବା ଠିକ୍ ହେବନି ବୋଲି ଆମେ ଭାବିଲୁ । ପୁଣି ବହୁ ଲୋକରେ ମୂଷା ମରେନି–ଏକଥା ଗୋଟାଏ ପୁରୁଣା ପ୍ରବଚନ । ଏକାଧିକ ଶିକାରୀ ଥିଲେ ଜନ୍ତୁଟାକୁ ହୁରୁଡ଼ାଇଦେବେ ସିନା; ମାରିବା ସମ୍ଭବ ନୁହେଁ । ଅପର ପକ୍ଷରେ ବାଘ ଶିକାର କରୁ କରୁ ଶିକାରୀ ଶିକାର କରିବାର ଭୟ ବି ଅଛି ।

 

ପ୍ରାୟ ଦଶଟାବେଳ ସୁଦ୍ଧା ଏସବୁ ସମ୍ବାଦ ଆମେ ସଂଗ୍ରହ କରିନେଲୁ । ଭାବୁଥିଲୁ ହୋଲାଲ୍ କେରେକୁ ଫେରିଯିବା ଭଲ ହେବ । ଠିକ୍ ସେଇ ସମୟରେ ଆମର ସେଇ ଶିକାରୀ ଦୁଇବନ୍ଧୁ ହାଜର ହୋଇଗଲେ । ଦିହିଁଙ୍କର ଗଜା ବୟସ । ଶିକାର ବିଷୟରେ ଅଭିଜ୍ଞତା ସେତେ ନ ଥାଏ; ମାତ୍ର ମନରେ ଥାଏ ସାହସ ଓ ନୂତନ ବିପଦକୁ ମୁକାବିଲା କରିବାର ଦୃଢ଼ ପ୍ରତିଜ୍ଞା । ସେମାନେ ନିଜକୁ ନିଜେ ଆସି ନିଜର ପରିଚୟ ଦେଲେ । ଆମେ ଯୋଉ ସମ୍ବାଦ ସଂଗ୍ରହ କରିସାରିଥିଲୁ ସେଇ କଥା ସବୁ ବର୍ଣ୍ଣନା କରିଗଲେ । ଧୋବାକୁ ଯୋଉଠି ବାଘ ଧରିଥିଲା, ସେଇଠି ସେମାନେ ଦୁଇଦିନ ହେଲାଣି ଗୋଟିଏ ପଣ୍ଡା ବାନ୍ଧିଥିବା କଥା ବି କହିଲେ । ପ୍ରଥମ ରାତିରେ କିଛି ଘଟିନି । ସେମାନଙ୍କର କୁଲିମାନେ ଏବେ ଗତରାତିର କଥା ବୁଝିବାପାଇଁ ଯାଇଛନ୍ତି ।

 

ଆମ୍ଭେମାନେ ଏ ଦୁଇ ତରୁଣଙ୍କର ଶୁଭମନାସି–ସେମାନଙ୍କ କାମରେ ଆମେ ବାଧା ନ ଦେଇ ଫେରିଯିବୁ ବୋଲି ମଧ୍ୟ କହିଲୁ । ଆମ କଥା ସେମାନେ ଶୁଣିବାକୁ ତିଆର ନଥିଲେ । ସେମାନେ ଭାବିଲେ, ସେ ଦୁଇଜଣଙ୍କ ଯୋଗୁଁ ଆମେ ଫେରିଯାଉଛୁ । ଏ ଗୋଟାଏ ପ୍ରତିଦ୍ୱନ୍ଦ୍ଵିତାମୂଳକ କାମରେ ଅକଶ ସାଧିଲା ପରି ହେଉଚି । ତେଣୁ ଆମକୁ ରହିବାକୁ ସେମାନେ ଅନୁରୋଧ କଲେ–“ଏଇ ବଙ୍ଗଳାରେ ରହନ୍ତୁ । ଆମେ ତ ବେଲାରିରୁ ଆସିଚୁ, କାଲି ପଅରଦିନ ଆଡ଼କୁ ଆମେ ଫେରିଯିବୁ । ”

 

ଏମିତି କଥାଭାଷା ଭିତରେ ସେମାନଙ୍କ ଲୋକ ଆସି ପହଞ୍ଚିଗଲେ । ଖବର ମିଳିଲା, ସେଇ ରାତିରେ ପଣ୍ଡାଟି ମରାହୋଇଚି । ବାଘ ମଢ଼ର ଅଧା ଖାଇଚି ।

 

ପିଲା ଦୁଇଟି ଖୁବ୍ ଭଲ ପ୍ର‌କୃତିର । ସେମାନଙ୍କ ମଧ୍ୟରେ ଅନ୍ୟମାନଙ୍କୁ ସେବାକରିବା ଓ ସନ୍ତୋଷ ଦେବାର ପ୍ରବଳ ଆଗ୍ରହ । ଆମକୁ କହିଲେ ମଢ଼ ଜଗି ବସିବାକୁ । ଆମେ ରାଜି ହେବୁନି । ରାଜି ହେବା ଉଚିତ ହେଇନଥା’ନ୍ତା ।

 

ସମସ୍ତେ ମିଳିମିଶି ମଧ୍ୟାହ୍ନ–ଭୋଜନ ଶେଷକୁଲୁ । ତା’ପରେ ସେମାନଙ୍କ ସହିତ ମଢ଼ ପଡ଼ିଥିବା ଜାଗାକୁ ଗଲୁ । ଉଦ୍ଦେଶ୍ୟ ସେମାନଙ୍କୁ କିଛି ପରାମର୍ଶ ଦେବା ଦରକାର ପଡ଼ିଲେ, ଦେବୁ । ସେଠାରେ ପହଞ୍ଚି, ମୁଁ ସେମାନଙ୍କର ଅନଭିଜ୍ଞତାର ବିଭିନ୍ନ ନମୁନା ପାଇଗଲି । ପଶୁଟିକି ସେମାନେ ଗୋଟିଏ ପଥରପୂର୍ଣ୍ଣ ଜାଗାରେ ବାନ୍ଧିଥିଲେ । ଜାଗାଟା ଖାଲ‌ ଖମା ପୂର୍ଣ୍ଣ, ଯାହି–ତାହି ଦ‍ଉଡ଼ିରେ ଥୋପ ବନ୍ଧା ହୋଇଥିଲା । ଫଳରେ ବାଘ ସେ ଦ‍ଉଡ଼ିକି ଛିଣ୍ଡାଇ ଦେଲା ଖୁବ୍ ସହଜରେ । ବାଘ ଶିକାରକୁ ଖୁବ୍ ଦୂରକୁ ନେଇଯାଇଚି । ସେଠି ଆହୁରି ଅସୁବିଧା ଜାଗାରେ ଖାଇଚି । ସେମାନେ ଯୋଉ ଗଛକୁ ମଂଚା କରିବାର ଚିନ୍ତା କରିଥିଲେ, ସେଠାରୁ ଏବେ ମଢ଼ ଅନେକ ଦୂର ହେଇଗଲା । ପୁଣି ସେଠାରୁ ବାଘର ଗତିବିଧି ଉପରେ ନଜର ଦେବା ଆଦୌ ସମ୍ଭବପର ହେବନି ।

 

ବର୍ତ୍ତମାନ ମଢ଼ ଯୋଉଠି ଅଛି, ବାଘ ସେଠିକୁ ଦୁଇଟି ବିଭିନ୍ନ ଦିଗରୁ ଯିବାର ସମ୍ଭାବନା-। ଯଦି ଏ ବାଘ ପ୍ରକୃତ ମଣିଷଖିଆ ହୋଇଥାଏ, ତେବେ ଧୋବା ମରାଯାଇଥିବା ବାଟ‌ଆଡ଼ୁ ସେ ଏଠାକୁ ଆସିବ । ଆଉ ଅନ୍ୟ ଦିଗଟି ହେଲା, ପାହାଡ଼ର ସେପାରରୁ ଆସିପାରେ । ପାହାଡ଼ଟା ପ୍ରାୟ ପାଏମାଇଲ୍‌ ଦୂରରେ ଅଛି । ମଢ଼ର ଦକ୍ଷିଣ ପୂର୍ବରେ ପାହାଡ଼ । ସେଠାରେ ପୁଣି ଦୁଇଟା ଖୁବ୍ ବଡ଼ ବଡ଼ ପଥର ଅଛି । ଏ ଦୁଇଟା ପଥର ଏମିତି ଭାବରେ ଅଛି ଯେ, ସେଇଥିରୁ ଏ ଦୁଇଟି ଦିଗ କଥା କହିଲି । ସେ ଉଭୟ ପତରରୁ ହିଁ ମଢ଼ ଭିନ୍ନ ଭିନ୍ନ ଦିଗରୁ ଦିଶୁଚି ।

 

ତରୁଣ ଶିକାରୀ ଦୁହେଁ କହିଲେ ଯେ ସେ ଦୁଇ ପଥର ହେବ ସେମାନଙ୍କ ଜଗିବାର ଜାଗା । ପ୍ରତ୍ୟେକେ ଗୋଟିଏ ପଥର ପାଖରେ ରହିବେ । ମୁଁ କହିଲି, “ଏଇଟା ମଣିଷଖିଆ ବାଘ ହୋଇଥାଇପାରେ । ତେଣୁ ସେମାନେ ପଥର ଉପରେ ଯଥେଷ୍ଟ କଣ୍ଟାଛାଟିଦେବେ, ତା’ ତଳେ ବସିବେ । ଏ କଥାକୁ ସେମାନେ ପସନ୍ଦ କରିପାରିଲେନି । ସେମାନେ ଠିକ୍ କଲେ ମାଟି ଉପରେ ବସିବେ–ପିଠି ରହିବ ପଥର ଆଡ଼କୁ ।

 

ଆମେ ଆଉ ବେଶି ଯୁକ୍ତିତର୍କ କଲୁନି । ତଥାପି କେତେକ କଣ୍ଟା କାଟି ଅଣାଇଲୁ । ସେମାନଙ୍କୁ ସେ କଣ୍ଟାବୁଦାର ପଛରେ ରଖାଇଲୁ । ଆମେ ବଙ୍ଗଳାକୁ ଫେରିଲୁ । ସେତେବେଳକୁ ଚାରିଟା । ଆସିଲା ସିନା, ମନଟା ଗୋଳେଇ ଘାଣ୍ଟି ହେଉଥାଏ । ଗଜା ପିଲା ଦୁଇଟା । କିଛି ବୁଝୁନାହାନ୍ତି । କ’ଣ ଯଦି ହୋଇଯାଏ ! ଏଇ ପାଖାପାଖିରେ ରହିଲେ ଭଲ ହୁଅନ୍ତା ! ନା, ବାଘଟା ଯଦି ମୋତେ ଦେଖି ହୁରୁଡ଼ି ଯାଏ ! ତା’ ଛଡ଼ା ସେ ପିଲାଏ ମୋତେ ସନ୍ଦେହ କରିପାରନ୍ତି । ମୋ’ ରହିବାଟାକୁ ସେମାନେ ଠିକ୍‍ଭାବେ ଗ୍ରହଣ କରିନପାରନ୍ତି ! ଏମିତି ସନ୍ଦେହ ଭିତରେ ଆମେ ବିଦାୟ ନେଇ ଆସିଲୁ । ସେଇ ଶୁଭେଚ୍ଛା ସେମାନଙ୍କ ମଧ୍ୟରୁ ଜଣକପାଇଁ ଯେ ଶେଷବାଣୀ ହେବ, ଏ କଥା ଆମେ କେବେହେଲେ ଭାବୁନଥିଲୁ ।

 

ସନ୍ଧ୍ୟାରେ ବଙ୍ଗଳାରେ ଗୁଡ଼ାଏ ଚା’ ପିଇଲୁ । ବହୁତ ଧୂମପାନ ହେଲା । ଗାଁର ଲୋକମାନଙ୍କୁ ଡାକି ବାଘ ବିଷୟରେ ଆହୁରି ଅନେକ ପଚରାଉଚରା କଲୁ । ଦକ୍ଷିଣ–ପଶ୍ଚିମରୁ ଟାଣୁଆ ପବନ ବହୁଥାଏ । ତେଣୁ ଜଙ୍ଗଲରେ ଗୁଳି ଫୁଟିଲେ ଆମେ ଶୁଣିବା ସମ୍ଭବ ହେବନି । ସେମାନେ ଆମଠୁ ଥାଆନ୍ତି ପ୍ରାୟ ମାଇଲିଏ ଦୂରରେ । ଆମେ ବେଗାବେଗି ଖାଇଦେଇଥାଉ । ଶ୍ରୀମତୀ ଓ ଶ୍ରୀ ମାକ୍‌ଟାଭିଶ୍‌ ଶୀଘ୍ର ଶୋଇବାକୁ ଚାଲିଗଲେ । ମୋ ମନରେ ଶାନ୍ତ ନ ଥାଏ । ଠିକ୍ କଲି, ବାରନ୍ଦାରେ ବସିବି । ଜଙ୍ଗଲ କ’ଣ କହିବ, ଶୁଣିବି ।

 

ରାତି ପ୍ରାୟ ଏଗାରଟା । ତା’ର ଘଣ୍ଟାଏ ଆଗରୁ ଗାଁ ଶୋଇଯାଇଚି । ବାହାରେ ଏକା ବସି ବସି ବିରକ୍ତ ଲାଗୁଥାଏ । ଶୋଇବାକୁ ଯିବାର ଉପକ୍ରମ କରୁଚି, ହଠାତ୍ ଜଙ୍ଗଲ ଭିତରେ କେମିତି ଗୋଟାଏ ଶବ୍ଦ ଶୁଭିଲା–ସତେ ଯେମିତି କିଏ ପଡ଼ିଉଠି ଧାଇଁପଳାଉଚି । ସେ ଜାଗା ଛାଡ଼ିଲାବେଳେ ଯୋଉ ସନ୍ଦେହ କରିଥିଲି, ସେକଥା ଏବେ ଫଳିଲା କି ? ତରତର ହୋଇ ମୋ ବନ୍ଧୁକ, ଟର୍ଚ୍ଚ ଧରି ଦ‍ଉଡ଼ିଲି ସେଇ ଶବ୍ଦ ଆଡ଼କୁ । କିଏ ସିଏ ଦ‍ଉଡ଼ି ଯାଉଚି ?

 

ଦେଖିଲି ସେ ହେଉଚି ଇନ୍‌ସ । ଦୁଇଜଣ ତରୁଣ ଶିକାରୀଙ୍କ ମଧ୍ୟରେ ଇନ୍‌ସ ବଡ଼ । ତା’ କପଡ଼ା ସବୁ ଚିରିଯାଇଚି । ଝାଳରେ ସେ ଗୋଟାପଣେ ଓଦା । ମଦୁଆ ପରି ତା’ ପାଦ ଅସ୍ଥିର । ଚାଲିପାରୁନି । ସତେ ଯେମିତି ଦେହ ହାତ ତା’ର ମିଳେଇଯାଉଚି । ସେ ବାରମ୍ବାର ପଛକୁ ଚାହୁଁଥାଏ–ସତେ ଯେମିତି କିଏ...ଭୁତ କି ପ୍ରେତଟାଏ ତାକୁ ଗୋଡ଼ାଉଚି । ସେ ଛାନିଆଁ ହେଇଯାଇଥାଏ । ସେ ଝୁଣ୍ଟି ପଡ଼ୁଥାଏ । ମୁଁ ତାକୁ ଧରିନେଲି । ମୋ କାନ୍ଧ ଉପରେ ତାର ମୁଣ୍ଡ ରଖି ଜାବୁଡ଼ି ଧରିଲି, ତା’ ସାଙ୍ଗରେ କ’ଣ ହେଲା ବୋଲି ପଚାରିଲି । ସେ କିଛି ବୁଝିପାରିଲାନି । ତା’ର କଥା କହିବା ଶକ୍ତି ବି ନଥାଏ । ବହୁତ ପରେ ଥଙ୍ଗେଇ ଥଙ୍ଗେଇ କହିଲା, “ବା...ଘ... ତାକୁ ଧ‍ଇଲା...ବୋହିନେଲା...ଓ ! ଓଃ ! ଓଃ... ।” ମୋ’ର କାନ୍ଧ ଉପରେ ମୁହଁ ରଖି ସେ ପିଲାଟିଏ ପରି ବୋବାଳିଛାଡ଼ିଲା ।

 

ତାକୁ ବଙ୍ଗଳାକୁ ବୋହିନେଲି । ଉଠାଇଲି ମାକ୍‌ଟାଭିଶ୍‌ ଓ ତାଙ୍କ ସ୍ତ୍ରୀଙ୍କୁ । ଇନ୍‌‌ସକୁ ଟାଣୁଆ ବ୍ରାଣ୍ଡି ପିଆଇଦେଲି । ତା’ ଉପରେ ଗୁଡ଼ାଏ କମ୍ବଳ ଆଦି ଘୋଡ଼ାଇ ଶୁଆଇଦେଲୁ । ସେ ଏବେ ଅଶ୍ଵତ୍‌‌ଥପତ୍ର ପବନରେ ଥରିଲାପରି ଥରୁଥାଏ । ତା’ ମନ ଭିତରେ ସେ ଭୟଙ୍କର ଦୃଶ୍ୟ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଶ୍ରୀମତୀ ମାକ୍‌ଟାଭିଶ୍‌ ତା’ ହାତ ଦୁଇଟିକି ଘଷୁଥାଆନ୍ତି । ଆମେ ଚାହିଁରହିଥାଉ ତା’ଠୁ ସେଇ ରୋମାଞ୍ଚକର କାହାଣୀ ଶୁଣିବାକୁ ।

 

ଇନ୍‌ସ ଥିଲା ପଥପାର୍ଶ୍ଵର ପଥର ତଳେ । ସାଙ୍ଗ ଟଡ୍‌ ଥିଲା ପାହାଡ଼ ପାଖର ତଳେ । ସଞ୍ଜ ହେଇନଥାଏ । ଇନ୍‌ସ ଦେଖିଲା କ’ଣ ଗୋଟାଏ ଲମ୍ବା ନାଲି ଜିନିଷ ସେ ଦିଗ ବୁଦା ଆଢ଼ୁଆଳରେ ଗତିକଲା । ସେଇଟା ଟଡ଼୍‌ର ପଛପାଖ ବୁଦାରେ ଲୁଚିଗଲା । ସେ ପାଖେ ମାଟି ପାହାଡ଼ ଆଡ଼ୁ ତଳକୁ ଖସିଆସିଚି । ଟଡ଼୍‌କୁ ଏକଥା ଜଣାଇବାର ଉପାୟ ନଥିଲା । ଟଡ଼୍‌ ଏକଥା ଆଦୌ ଜାଣେନି । ସେ ଯୋଉଠି ବସିଥିଲା ସେଠିକି ଏ ସବୁ କିଛି ଠିକ୍ ଦେଖାଯାଉ ନଥିଲା । ଇନ୍‌ସ ସେ ଦିଗର ଗଛ ବୁଦାକୁ ନଜର ରଖିଥାଏ–ମାତ୍ର କିଛି ଦେଖାଯାଉନଥିଲା ।

 

ତା’ପରେ ଆସିଲା ଅନ୍ଧାର । ବଡ଼ କଷ୍ଟରେ ଦଶଟାଯାଏ ବିତିଗଲା । ଛାଇ ଅନ୍ଧାର ଭିତରେ ମଢ଼ଟା ଦେଖାଯାଉନଥାଏ । ତାରାଗୁଡ଼ିକର ଆଲୁଅ ଇନ୍‌ସ ପାଇଁ ଯଥେଷ୍ଟ ନଥିଲା । କେବଳ ଖୁବ୍ ପାଖ ପାଖ ଜିନିଷକୁ ସେ ଦେଖିପାରୁଥିଲା । ହଠାତ୍ କଅଣ ଗୋଟାଏ ପଡ଼ିବାର ଶବ୍ଦ ହେଲା । ଶୁଭିଲା କିଛି ଗୋଟାଏ ଘୋଷାରି ନେବାର ଶବ୍ଦ, ପୁଣି ହାଡ଼ ଚୋବାଇବାର ଶବ୍ଦ । ଇନ୍‌ସ ଜାଣିପାରିଲା ଯେ ବାଘ ମଢ଼ ପାଖକୁ ଫେରିଚି, ମାଂସ ଖାଉଚି । ଭାବିଲା, ଟଡ୍ ଗୁଳିକରିବ । ତା’ଠୁ ମଢ଼ଟା ଯେତିକି ଦୂରରେ–ଇନ୍‌ସ୍‌ଠୁ ବି ସେତିକି ଦୂରରେ । ସେ ଯେତେବେଳେ ଶୁଣିପାରୁଚି ବାଘର ହାଡ଼ ଚୋବାଇବାଟା, ଟଡ୍ ବି ତ ଜାଣିପାରୁଥିବ !

 

କିନ୍ତୁ ଟଡ୍ ନୀରବ କାହିଁକି ? କିଛି ଘଟୁନି ଯେ ! ଟଡ୍ ନିଷ୍କର୍ମୀ ହେଇ ବସିରହିଲା କାହିଁକି ?

 

ଇନ୍‌ସ ଭାବିଲା, ବନ୍ଧୁ ତା’ର ବୋଧହୁଏ ଶୋଇଯାଇଚି–ତେଣୁ ସେ ଗୁଳି ଚଳାଇବ । ବାଘ ଅଧା ଖାଇଥିବା ମଢ଼ଟା ଯୋଉ ଦିଗରେ ଅଛି, ସେଇ ଆଡ଼କୁ ଲକ୍ଷ୍ୟରଖି ସେ ରାଇଫଲ୍‌ର ବତି ଜଳାଇଦେଲା । ଦେଖାଗଲା ଗୋଟାଏ ବଡ଼ ବାଘ ପଣ୍ଡା ମଢ଼ର ଅବଶିଷ୍ଟାଂଶ ଖାଇବାରେ ଲାଗିଚି ।

 

ସେଇ ସମୟରେ ଟଡ୍ ଆଡ଼ୁ ଭାସିଆସିଲା ଗୋଟାଏ ମର୍ମବିଦାରକ ଚିତ୍‌କାର । ସେ ଦିଗରୁ ଶୁଭିଲା ଗୋଟାଏ ଭୟଙ୍କର ଗର୍ଜନ, ଗଁ... ଗଁ... ଶବ୍ଦ । ତା’ପରେ ଗୋଟାଏ କ୍ରନ୍ଦନ । ତା ପରେ ସବୁ ନୀରବ । ୟା ଭିତରେ ଇନ୍‌ସ ତା’ ରାଇଫଲ୍ ବତିର ସ୍ଥାନ ବଦଳାଇଦେଲା । ସେ ବତି ଚଳାଇଦେଲା ଟଡ୍‌ର ଜାଗାକୁ । ସେ କେବଳ ଦେଖିଲା ବାଘଟାଏ ମଢ଼ ଛାଡ଼ି ବୁଦାଗହଳରେ ଲୁଚିଯାଉଚି ।

 

ଟଡ୍‌ର କୌଣସି ଚିହ୍ନବର୍ଣ୍ଣ ସେ ପାଇଲାନି । ତା’ ବନ୍ଧୁର ନାଁ ଡାକି ଡାକି ସେ ଦଉଡ଼ିଗଲା ଟଡ୍‌ ଯୋଉଠି ବସିଥିଲା ସେଇଠିକି । ଟଡ୍‌ର ରାଇଫଲ୍, ପାଣିବୋତଲ, ଅଧାଖିଆ ପାଉଁରୋଟି ତଳେ ପଡ଼ିଥିଲା; ମାତ୍ର ସେ ଦେଖାଯାଉ ନଥିଲା । ମଣିଷଖିଆଟା ତା’ ବନ୍ଧୁକୁ ନେଇଗଲା–ଏଇ ଚିନ୍ତାରେ ସେ ପାଗଳ ହେଇଗଲା । ସେ ପାଖ ଲତା ବୁଦା ଖୋଜିପକାଇଲା । ଏମିତି ଖୋଜାଖୋଜିରେ ସେ ବାଟ ବଣା ହୋଇଯାଏ । ସେଇ ଅବସ୍ଥାରେ ସୌଭାଗ୍ୟକୁ ସେ ହୋସଦୁର୍ଗା ପଥରେ ପଡ଼ିଯାଏ–ତା’ ପରେ ତୀବ୍ରଗତିରେ ସେ ଧାଇଁଆସେ ।

 

ଇନ୍‌ସ କଥାରୁ ଜାଣିଲି, ବାଘ ଗୋଟିଏ ନୁହେଁ–ଦୁଇଟି । ଗୋଟିଏ ହେଉଚି ଗୋରୁଖିଆ–ଆରଟି ହେଉଚି ମଣିଷଖିଆ । ମଣିଷଖିଆଟା ଖୁବ୍ ଚତୁର । ସେ ମଣିଷମାଂସଲୋଭୀ-। ହେଇପାରେ ଏ ଦୁଇଟାଯାକ ସ୍ତ୍ରୀ ପୁରୁଷ । ହେଇନପାରନ୍ତି ବି ! ମୋ ଜୀବନରେ ଏମିତି ଅଦ୍‌ଭୂତ ଯୋଡ଼ି ମୁଁ ଦେଖିନଥିଲି । ଆଉ ହେଇପାରେ, ଗୋଟାଏ ମା’ର ସେମାନେ ଦୁଇଟା ଛୁଆ । ଗୋଟାଏ ସ୍ଵଭାବତଃ ମଣିଷମାଂସଖିଆ–ଆରଟା ଗାଈମରା । ଗାଈମରାଟା ଯେହେତୁ ଖୁବ୍ ବଡ଼–କାରଣ ଇନ୍‌ସ ଦେଖିଚି–ମଣିଷମାରୁଟା ବି ବଡ଼ ହେଇଥିବ । ମାତ୍ର ଅନ୍ୟ ବାଘଟାକୁ ସେ ଦେଖିନି ।

 

ପନ୍ଦର ମିନିଟ୍ ମଧ୍ୟରେ ଆମେ ଗାଁଲୋକଙ୍କୁ ଉଠାଇପକାଇଲୁ । ସେମାନଙ୍କ ମଧ୍ୟରୁ କୋଡ଼ିଏ ଜଣଙ୍କୁ ବାଛିଲୁ । ଏ ଲୋକମାନେ ବଡ଼ କୁନ୍ଥୁ କୁନ୍ଥୁ ହୋଇ ବାହାରିଲେ । ରାତିରେ ମଣିଷଖିଆ ବାଘ ପଛରେ ଯିବାକୁ କେତେଜଣ ରାଜିହେବେ ! ଏଥର ମଧ୍ୟ ସେଇ ଦେଶୀବନ୍ଧୁ କବାଲା ଦୁଇଜଣ ଆଗୁଆ ହୋଇ ବାହାରିଲେ । ଆମେ ନେଲୁ ଲଣ୍ଠନ, ଲାଠି ଦର୍ଚ୍ଛ । ଆଦି । ଶ୍ରୀମତୀ ମାକ୍‌ଟାଭିଶ୍ ଚାହୁଁଥିଲେ ଆମ ସଙ୍ଗରେ ଆସିବାକୁ । ଜିଦ୍ କଲା ଇନ୍‌ସ । ଆମେ ସେମାନଙ୍କୁ ମନାକଲୁ । ଇନ୍‌ସର ସମସ୍ତ ଶରୀର ଅବଶ ହୋଇପଡ଼ିଥିଲା । ତାକୁ ସଙ୍ଗରେ ନେବାର କୌଣସି କାରଣ ନ ଥିଲା । ମୁଁ ଓ ମାକ୍‌ଟାଭିଶ୍ ଏଇ ଅନୁସନ୍ଧାନରେ ବାହାରିଲୁ । ସାଙ୍ଗରେ ଆମର ଥିଲେ ଏଇ ଗାଁଲୋକେ । ଆଉ ଥିଲା ଅବଶ ଇନ୍‌ସ । ଇନ୍‌ସକୁ ରୋକିପାରିଲୁନି-

 

ଖୋଜାଖୋଜି ଚଳାଇଲାବେଳେ ଟଡ଼୍‌ର ପଟେ ଜୋତା ପାଇଲୁ । ରବର ସୋଲ୍ ଲାଗିଚି–ବାଁ ପାଦର । ଯୋଉଠୁ ଏ ଜୋତା ପାଇଲୁ, ସେଇଠୁ ବାଘର ଗନ୍ତବ୍ୟସ୍ଥଳ ଠିକ୍ କରିବାରେ ଅସୁବିଧା ହେଲାନି । ବାଘଟା ଟଡ଼୍‌କୁ ବୋହି ନେଇ ନିକଟର ପାହାଡ଼ ଆଡ଼କୁ ଯାଇଥିଲା । ସେ ଆସିଥିଲା ସେହିଆଡ଼ୁ ତ ! ଆମେ ବେଗି ବେଗି ପାଦ ଚଳାଇଲୁ । ପହଞ୍ଚିଲୁ ଗୋଟାଏ ଜାଗାରେ, ଯୋଉଠି ପଶୁଟା ଶିକାରକୁ ତା’ର ପ୍ରଥମଥର ପାଇଁ ଥୋଇଥିଲା । ସେଇ ସମୟରେ ଇନ୍‌ସ ଗୁଳି ଫୁଟାଇବା ଓ ପାଟିତୁଣ୍ଡ କରିବାଯୋଗୁଁ ବାଘ ସତର୍କ ହେଇଯାଇଚି ଏବଂ ଆହୁରି ଆଗକୁ ଯାଇଚି । ଏଇଠୁ ରକ୍ତଧର ଦେଖିଲୁ । ଏ ଧାର ଯାଇଥିଲା ମୁଣ୍ଡିଆ ତଳ ଯାଏ । ସେଇଠୁ ପୁଣି ଡାହାଣ ଆଡ଼କୁ ପଡ଼ିଥାଏ ।

 

ମାକ୍ ଟାଭିଶ୍ ଓ ମୁଁ ଅନୁସନ୍ଧାନକାରୀ ଦଳର ଅଗ୍ରଣୀ ଭାବରେ ଚାଲିଥାଉ । ପ୍ରତି ମୁହୂର୍ତ୍ତରେ ଆକ୍ରମଣର ଡର ଥାଏ । ଖୁବ୍ ସତର୍କ ହେଇ ପ୍ରାୟ ୩.୩୦ ବେଳକୁ ଫ୍ରେଡ୍ ଟଡ୍‌ର କିଛି ଅଂଶ ପାଇଲୁ । ତା’ ଶବର ଅର୍ଦ୍ଧାଂଶ ବାଘ ଖାଇସାରିଥାଏ । ବଡ଼ ଭୀଷଣ ଓ ଭୟଙ୍କର ସେ ଦୃଶ୍ୟ ! ଇନ୍‌ସ ଏ ଦୃଶ୍ୟ ଦେଖି ସମ୍ଭାଳି ପାରିଲାନି–ସେ କାନ୍ଦିଲା । ପ୍ରତିକ୍ରିୟାରେ ଥରିଉଠିଲା ତା’ର ସମଗ୍ର କଳେବର । ଶେଷକୁ ସେ ଚେତାହାରି ତଳେ ପଡ଼ିଗଲା । ହୋସଦୁର୍ଗାକୁ ଫେରିଲାବେଳକୁ ୬ ଟା । ଇନ୍‌ସର ଆଉ କିଛି ନ ଥାଏ କହିଲେ ଚଳେ । ତାହା ଥିଲା ଆମ ସମସ୍ତଙ୍କ ପାଇଁ ଏକ ଭୟଙ୍କର ଓ କରୁଣ ରାତ୍ରି ।

 

ଫ୍ରେଡ୍ ଟଡ୍‌ର ଯାହା କିଛି ସଂଗ୍ରହ କରିଥିଲୁ, ମାକ୍‌ଟାଭିଶଙ୍କ କାର୍‌ରେ ଜମାଇଲୁ । ମୁଁ ଇନ୍‌ସକୁ ବସାଇଲି ଟଡ୍‌ର କାର୍‌ରେ । ଆମେ ଚିତାଲ ଦୂର୍ଗରେ ପହଞ୍ଚିଲାବେଳକୁ ନଅଟା । ଲୋକାଲ ଫଣ୍ଡ୍ ହସପିଟାଲରେ ଇନ୍‌ସକୁ ଭର୍ତ୍ତି କରିଦେଲୁ । ଏ ପ୍ରକାର ଘଟଣାରେ ଅନେକ ସରକାରୀ ନୀତି–ନିୟମ । ସେ ସବୁପ୍ରକାର ଖବର ଅନ୍ତର ବୁଝୁ ବୁଝୁ ଅପରାହ୍‌ଣ ବିତିଗଲା । ଆମେ ହୋସଦୁର୍ଗାକୁ ଫେରିଆସିଲାବେଳକୁ ସୂର୍ଯ୍ୟାସ୍ତ ହୋଇସାରିଥିଲା । ସେଇ ଭ୍ରମଣକାରୀ ବଙ୍ଗଳା ଏବେ ଖାଁ ଖାଁ ଲାଗୁଚି । ମନରେ ଗଭୀର ଅବଶୋଷ–ଅନେକ ଯନ୍ତ୍ରଣାର ସ୍ଵର । ଭାଙ୍ଗି ଯାଇଥାଏ ହୃଦୟ । ଲିଭିଯାଇଥାଏ ମନର ସମସ୍ତ ସରାଗ । ତା’ ସଙ୍ଗେ ସଙ୍ଗେ ମୁଣ୍ଡ ଟେକିଥାଏ ଏକ ତୀବ୍ର ପ୍ରତିହିଂସାର ସାଲିସବିହୀନ ଶପଥ ।

 

ଶ୍ରୀମତୀ ମାକ୍‌ଟାଭିଶ୍‌ଙ୍କର ଅତୁଳନୀୟ ଧୈର୍ଯ୍ୟ । ସେ ଏ ସମସ୍ତ ଦୁର୍ଦ୍ଦଶା ଓ ଦୁର୍ଘଟଣାକୁ ସାହସର ସହିତ ସମ୍ଭାଳି ନେଇଥାଆନ୍ତି । ଦୀର୍ଘ ଚବିଶଘଣ୍ଟା ସେ ଆମମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଅନେକ ସାହାଯ୍ୟ କରିଥିଲେ ।

 

ତା’ ପରଦିନ ଖୁବ୍ ସକାଳୁ ଆମେ ଉଠିପଡ଼ିଲୁ । ଧାଇଁଲୁ ସେ ଦୁଃଖାବହ ଘଟଣାଟି ଘଟିଥିବା ଜାଗାକୁ । ସେଠି ଆମେ ପ୍ରାୟ ତିନିଚାରି ଘଣ୍ଟା ଲାଗି ସମସ୍ତ ଘଟଣାଟିର ଆଦ୍ୟପ୍ରାନ୍ତ ଠିକ୍ କରିପାରଲୁ । ସେଠାର ମାଟି ଖୁବ୍ ଟାଣ । ବିଗତ ଅନେକ ସପ୍ତାହ ଧରି ବର୍ଷା ହୋଇନଥାଏ । ମଣିଷଖିଆଟାର ପାଦଚିହ୍ନ ପାଇଲୁନି । ତେଣୁ ସେଇଟା ସମ୍ପର୍କରେ କୌଣସି ସମ୍ବାଦ ସଂଗ୍ରହ କରିହେଲାନି । ସେଇଟା ବାଘ କି ବାଘୁଣୀ, କେତେ ବଡ଼ ଆଦି ଜାଣିବା ନିହାତି ଦରକାର । ଇନ୍‌ସ ଗୋରୁମରାର ଯେଉଁ ବର୍ଣ୍ଣନା ଦେଲା, ସେଥିରୁ ଜାଣି–ହେଲା ଯେ, ସେଇଟା ଥିଲା ପୁରୁଷ ବାଘ । ମଣିଷଖିଆଣ ତେଣୁ ସମ୍ଭବତଃ ବାଘୁଣୀ । ଅବଶ୍ୟ ବାଘ ସହିତ ସେ ବାଘୁଣୀ ନିଶ୍ଚୟ ରହିବ, ଏକଥାଟା ନିହାତି ସତ ବୋଲି କହିହେବନି ।

 

ନରହନ୍ତା ବାଘ ବିଷୟରେ ଆପାତତଃ ଆଉ କୌଣସି ସମ୍ବାଦ ନ ପାଇବାରୁ ଆମେ ରକ୍ତାଧାରକୁ ଅନୁସରଣ କରି ଚାଲିଲୁ । ଯୋଉଠି ଟଡ୍‌ର ଅର୍ଦ୍ଧଭୁକ୍ତ ଶବକୁ ଆବିଷ୍କାର କରିଥିଲୁ ସେଇଠି ପହଞ୍ଚଲୁ । ମାତ୍ର ନରଭକ୍ଷୀର ଗୋଟିଏ ହେଲେ ପାଦଚିହ୍ନ ପାଇଲୁନି । ଆମେ ଆହୁରି ଅନୁସନ୍ଧାନ ଚଳାଇଲୁ; ମାତ୍ର ମାଟିର କଠିନତା ମଧ୍ୟରେ ସମସ୍ତ ଚିହ୍ନ ଲୁଚିରହି ଗୋଟାଏ ଅଗମ୍ୟ ରହସ୍ୟରେ ପରିଣତ ହୋଇଥାଏ । ଆମର ସମସ୍ତ ବୁଦ୍ଧି ହାର ମାନିଲା । ଆମେ ନିର୍ଦ୍ଧିଷ୍ଟ ଭାବରେ ଜାଣିପାରିଲୁନି ସେଇଟା ବାଘ ନା ବାଘୁଣୀ; ପୁଣି ତାର ଆକାର–ପ୍ରକାର କ’ଣ ।

 

ଆମର ଅନୁପସ୍ଥିତିରେ ଶାଗୁଣାମାନେ ପଣ୍ଡାଟାର ଯାହା କିଛି ଥିଲା ଶେଷ କରିଦେଲେ-। ତେଣୁ ସବୁ ଦୃଷ୍ଟିରୁ ଆମକୁ ସବୁକାମ ମୂଳରୁ କରିବା ପ୍ରୟୋଜନ ପଡ଼ିଲା ।

 

ଆଲୋଚନା କଲୁ । ସ୍ଥିର ହେଲା ନୂଆ ଥୋପ ବନ୍ଧାହେବ । ଯୋଉ ମୂଳ ବାଟ ପାଖରେ ଧୋବା ମରିଥିଲା, ସେଇ ପାଖରେ ଏହାକୁ ବାନ୍ଧିବାକୁ ହେବ । ସେଇଠି ମାକ୍‌ଟାଭିଶ୍ ଜଗିବେ । ଆଉ ମୁଁ–ମୁଁ ବାଛିନେଇଚି ଟଡ୍ ବସିଥିବା ପଥରକୁ । ଏହା ହିଁ ମୋଟାମୋଟି ଆମର ଯୋଜନା ଥିଲା । ଆମେ ଭାବୁଥାଉ, ବାଘହଳକ ଏକାବେଳକେ ଆସିଲେ ଗୋରୁମରାଟା ପଣ୍ଡାକୁ ମାରିବ । ମଣିଷମରା ହୁଏତ ମାଂସର ଲୋଭ ସମ୍ଭାଳିନପାରି ସେଥିରୁ କିଛି ଉଦରସ୍ଥ କରିବ । ତା’ହେଲେ ମାକ୍‌ଟାଭଶ୍ ଗୁଳି କରିବାର ସୁବିଧା ପାଇବେ । ଧରାଯାଉ, ନରଭକ୍ଷୀଟା ଆହାରରେ ଯୋଗଦେଲାନି, ତେବେ ସେ ତ ସେଇ ପାଖରେ ଥିବ । ମୁଁ ପାହାଡ଼ପାଖିଆ ପଥରରେ ଥିବି । ଏଇ ବାଟରେ ସେ କାଲି ଯାଇଚି । ପୁଣି ପଣ୍ଡାଟା ଯୋଉଠି ବନ୍ଧାଯିବ, ସେ ଜାଗାଟା ସହିତ ଏ ଜାଗାର ଗୋଟାଏ ସମ୍ପର୍କ ଅଛି । ମୁଁ ବାଘକୁ ଏଇଠୁ ଦେଖିପାରିବି । ଆଉ ସେ ଏଇ ପାଖବାଟେ ମଧ୍ୟ ଯାଇପାରେ । ତା’ହେଲେ ମୁଁ ସେ ନରଭକ୍ଷୀର ଶବ୍ଦ ଶୁଣିପାରିବି ଏବଂ ଦେଖିପାରିବି ମଧ୍ୟ ।

 

ମାକ୍ କୋଉଠି ବସିବେ–ଏ ଗୋଟାଏ ପ୍ରଶ୍ନ ହେଇ ଠିଆହେଲା । ନିକଟରେ ସେମିତି ଗଛ ନାଇଁ । ଭାବିଲୁ ଗୋଟାଏ ଗାତ ଖୋଳିବୁ । ତା’ ଉପରେ ଗୁଡ଼ରନ୍ଧା ତାୟା ଓଲଟାଇ କରି ଘୋଡ଼ାଇଦେବୁ । ଏଇପ୍ରକାର ପାତ୍ରଗୁଡ଼ାକ ଖୁବ୍‌ ବଡ଼ ବଡ଼ ଥାଳିପରି । ଏଗୁଡ଼ିକ ଛ’ରୁ ଆଠ ଫୁଟ ବ୍ୟାସର । ଗଭୀରତା ପ୍ରାୟ ଅଠର ଇଞ୍ଚ । ଲୁହାପାତକୁ ପିଟିକରି ଏଗୁଡ଼ିକ ତିଆରିହୁଏ । ପ୍ରତ୍ରି ଲୁହାପାତର ମୋଟାଇ ପ୍ରାୟ ଏକଅଷ୍ଟମାଂଶ ଇଞ୍ଚ । ଆଖୁଶାଳରେ ଖାଇ ଥାଏ । ସେଇଠି ଆଖୁ ପେଡ଼ାହୁଏ । ଆଖୁପଣା ଏ ପ୍ରକାର ପାତ୍ରରେ ତଳାଯାଏ । ତଳେ ନିଆଁ ଜାଳି ଏ ପଣା ବା ଆଖୁରସକୁ ଗରମ କରାଯାଏ । ଶେଷରେ ଆଖୁରସରୁ ପାଣି ଅଂଶ ମରିଯାଏ–ରହେ ଖାଲି ଗୁଡ଼ । ଏ ଗୁଡ଼ ଘନୀଭୂତ ହୁଏ । ତାକୁ ଖଣ୍ଡ ଖଣ୍ଡ କଟାଯାଏ । ସ୍ଥାନୀୟ ଭାଷାରେ ଏହାକୁ ‘ଜାଗେରୀ’ କହନ୍ତି । ଅନ୍ୟଠି ଏହାକୁ ଗୁଡ଼ପିଠା ବା ଧୂସରଚିନି ବା ମାଟିଆ ଚିନି କହନ୍ତି । ଦକ୍ଷିଣ ଭାରତରେ ମଫସଲରେ ଚିନି ବଡ଼ ମହଙ୍ଗା । ଅନେକ ସମୟରେ ଚିନି ମିଳେନି । ସେ ଅଞ୍ଚଳର ଅନେକ ଗାଁରେ ଆଖୁଚାଷ ଅଛି । ଆମେ ହୋସଦୂର୍ଗା ଆଖପାଖରେ ଏମିତି ଅନେକ ଗାଁ ଏବଂ ଏଇ ମାଟିଆ ଚିନିର ଗୁଡ଼ତାୟା ଦେଖିଥିଲୁ । ଏ ପାଖ ଲୋକେ ମାଟିଆ ଚିନି ହିଁ ଖାଆନ୍ତି । ତେଣୁ ଏଇ ଗୁଡ଼ ତାୟାର ବହୁଳ ବ୍ୟବହାର ।

 

ଆମେ ଗାଁକୁ ଗଲୁ । ପ୍ରାୟ ଛ’ ସାତଜଣ ଲୋକ ଲଗାଇ ଏମିତି ଗୁଡ଼ତାୟା କେତେଟା ଅଣାଇଲୁ । ଆଣିଥିଲୁ ଛୋଟକାଟର ତାରପୋଲିନ୍‌ଟିଏ ମଧ୍ୟ । ମାକ୍‌ଟାଭିଶ୍‌ଙ୍କ କାର୍‍ରେ ଆଣିଲୁ ରାତିର ବ୍ୟବହାର ପାଇଁ ଆହୁରି କେତେକ ଜିନିଷପତ୍ର । ମାଟି ଖୋଳି ଗାତ କରିଥିଲୁ । ତା’ ଉପରେ ଉବୁଡ଼ାଇ କରି ଏ ତାୟାକୁ ରଖିଦେଲୁ । ଚାରୋଟି ବିଭିନ୍ନ ଜାଗାରେ ରଖିଲୁ ଚାରୋଟି ପଥର, ତା’ହେଲେ ତାୟା ଟେକିହେଇ ରହିବ, ଭିତରକୁ ପବନ ଯିବ, ପୁଣି ଭିତର ପାଖରୁ ବାହାରକୁ ଦେଖିହେବ । ଏ ଫାଙ୍କା ପ୍ରାୟ ଛ ଇଞ୍ଚ ଓସାର । ଏବାଟରେ ଗୁଳି ମଧ୍ୟ ମାରିହେବ । ତାୟା ଉପରେ ତାରପୋଲିନ ବିଛାଇଦେଲୁ । ତା’ ଉପରେ ଗାତରୁ ବାହାରିଥିବା ବାଲିମାଟି ବିଛାଇଦେଲୁ । ସେଥିରେ ଘାସ ପତ୍ର କଣ୍ଟା ଆଦି ପକାଇଦେଲୁ । ବାହାରୁ ଦେଖିଲେ ସହଜରେ ଜାଣିହେବନି । ମନେହେବ ସେଇ ଏକା ପଡ଼ିଆଭୂଇଁ । ଆମେ ଏଥିରେ ବହୁତ ପରିଶ୍ରମ କଲୁ । ପ୍ରକୃତରେ ଦୂରରୁ ସହଜରେ ଏ ଗାତ ସମ୍ପର୍କରେ କେହି କିଛି ଜାଣିପାରିବନି ।

 

ମାକ୍ ଭିତରେ ପଶିବାକୁ ବାହାରିଲେ । ଏଇ ସମୟରେ ଗୋଟାଏ ନୂଆ ଅସୁବିଧା ଦେଖାଦେଲା । ତାଙ୍କର ସ୍ତ୍ରୀ ତାଙ୍କ ସହିତ ସେ ଖାତ ଭିତରେ ରହିବାକୁ ଚାହିଁଲେ । ଆମେ ଦିହେଁ ତାଙ୍କୁ ବହୁତ ବୁଝାଇଲୁ । ବୁଝାଇ ବୁଝାଇ ଥେୟାହେଲୁ । ସେ ମାନିଲେନି । ଭାରି ଜିଦ୍ ଧରି ବସିଲେ । ଶେଷରେ ଲୋକମାନଙ୍କ ସାହାଯ୍ୟରେ ଗୁଡ଼ରାନ୍ଧିବା ପାତ୍ରଟାକୁ ଗୋଟାଏ ଦିଗରୁ ଟେକିଲି । ସ୍ଵାମୀ ସ୍ତ୍ରୀ ଦିହେଁ ତା ଭିତରେ ପଶିଲେ । ତା’ପରେ ଆମେ ସବୁକଥା ପୁଣି ସଜାଇଦେଲୁଁ-। ମୁଁ ଭାବିଲି, ତା’ ଭିତରେ ଏ ବ୍ୟବସ୍ଥା ବେଶ୍ ନିରାପଦ ହେବ । ଏଇ ଓଲଟାଇ ରଖାଯାଇଥିବା ଗୁଣ୍ଡରନ୍ଧା ପାତ୍ରଟି ସେମାନଙ୍କର ଗୋଟାଏ ରକ୍ଷାକବଚ ପରି କାମ କରିବ । ଥୋପଟିକୁ ବନ୍ଧାଗଲା । ମୋ ଜାଗାକୁ ଯିବା ଆଗରୁ ମାକ୍ ସହିତ ମୋର କେତେକ ବିଷୟ ଉପରେ ଆଲୋଚନା ହେଇଗଲା । ଦରକାର ହେଲେ ଆମେ ପରସ୍ପରକୁ ତିନିଥର ସୁସୁରି ବଜାଇ ଡାକିବୁ ।

 

ମୋ ପଥର ଉପରକୁ ଉଠିଲି ସଞ୍ଜ ପାଞ୍ଚରେ । ସେଇଠି ମଜାରେ ବସିଗଲି । କ’ଣ କ’ଣ ଘଟୁଚି ଦେଖିବାକୁ ବାକି ରହିଲା । ମନେ ପଡ଼ୁଚି, ସେ ପଥରଟା ଖୁବ୍ ଭୀଷଣ ଭାବରେ ଗରମ ହେଇ ଯାଇଥିଲା । ଦିନସାରା ଖରା ଖାଇ ସେଇଟା ଖଇ ଫୁଟୁଥିଲା । ମୋତେ ବଡ଼ କଷ୍ଟ ଲାଗୁଥାଏ ।

 

ଘଣ୍ଟା ପରେ ଘଣ୍ଟା ମାଡ଼ି ଚାଲିଲା । କୋଉଠି କିଛି ସୋର ଶବ୍ଦ ନଥାଏ । ମନେ ହେଲା, ଜଙ୍ଗଲଟା ଯେମିତି ଜୀବନ ଶୂନ୍ୟ ! ସେଠି ଯେମିତି କୌଣସି ଜୀବ ଜନ୍ତୁ ନାହାନ୍ତି ! ଏମିତିକି ଯୋଉ ରାତ୍ରି ବିହଙ୍ଗଗୁଡ଼ିକ ପ୍ରହରକୁ ପ୍ରହର ବୋବାଇ ଉଠନ୍ତି, ସେ ସମୟରେ ସେମାନେ ବି ଅନୁପସ୍ଥିତ ଥିଲେ । ଏ ନୀରବତା ଥିଲା ପୂର୍ଣ୍ଣ, ପୁଣି ଗଭୀର । ଆକାଶରେ ଯୋଉ ତାରା ଗୁଡ଼ିକ ଥିଲେ, ସେମାନେ ମୋ ଉପରେ ଏକ ପ୍ରକାର ରହସ୍ୟାବୃତ୍ତ ନୀରବ ଚାହାଣି ଢାଳୁଥିଲେ । ମୋ ମନରେ ପ୍ରେଡ୍ ଟଡ଼୍‌ର ଦୁର୍ଭାଗ୍ୟ ଚିତ୍ର ନାଚି ଉଠିଲା । କ’ଣ ହେଲା ସେ ବିଚରାର !

 

ଅର୍ଦ୍ଧରାତ୍ରି ପାରି ହେଇଗଲା । ହଠାତ୍ ମୁଁ ଦୁଇଥର ସୁସୁରି ଶୁଣିଲି । ଜାଣିଲି ମାକ୍ ସହିତ କଥା ହେବାର ଏ ଶବ୍ଦର ଅର୍ଥ କ’ଣ । ସେ ଅସୁବିଧାରେ ପଡ଼ିଛନ୍ତି । ମାତ୍ର କି ପ୍ରକାର ଅସୁବିଧା ? ମୋ ପଥରକୁ ଓହ୍ଲାଇ ଆସିଲି । ଟର୍ଚ୍ଚ ଜାଳିଲି । ସତର୍କତାର ସହ, ଯୋଉଠି ମାକ୍ ଏବଂ ତାଙ୍କ ସ୍ତ୍ରୀ ରହିଥିଲେ, ସେ ଆଡ଼କୁ ଆଗେଇଲି । ଯୋଉଠି ଆମ ଥୋପ ପଣ୍ଡାଟି ବନ୍ଧା ହୋଇଥିଲା, ସେଠି ସେ ଦିହିଁକି ଦେଖିଲି । ପଣ୍ଡାଟି ଥାଏ ଜୀବନ୍ତ, ମାତ୍ର ସେଠାରେ ଥିବା ପାତ୍ରଟି ଓଲଟି ପଡ଼ିଥାଏ । ସେମାନେ ମୋତେ ଏକଥା ବୁଝାଇଦେଲେ ।

 

ପ୍ରାୟ ଅଧ ରାତି ଯାଏ ସେମାନେ କିଛି ଶୁଣି ନଥିଲେ, କିଛି ଦେଖି ନଥିଲେ । ମାକ୍ ଆଗରେ ବସିଥିଲେ । ତାଙ୍କ ଆଗରେ ଥିଲା ପଣ୍ଡାଟି । ମାକ୍‌ଙ୍କ ପଛରେ ବସିଥିଲେ ତାଙ୍କ ସ୍ତ୍ରୀ । ହଠାତ୍ ସେ ଶୁଣି ପାରିଲେ ପାଖରେ ଏକ ଅସ୍ପଷ୍ଟ ଶବ୍ଦ । ସେ ଶବ୍ଦଟା ତାଙ୍କର ପଛ ପାଖକୁ ଆସିଥିଲା । ସେ ଘଟଣାଟା ଜାଣିବାକୁ ଚେଷ୍ଟା କଲେ । ପାତ୍ରଟି ଓ ମାଟି ମଧ୍ୟରେ ଯୋଉ ଫାଙ୍କ ଥିଲା, ସେଇବାଟେ ସେ ବାହାରକୁ ଚାହିଁଲେ । ସେ ପ୍ରଥମେ କିଛି ଦେଖି ପାରିଲେନି । ତା’ପରେ ସେ ପୁଣି ଚାହିଁଲେ । ଗୋଟାଏ କ’ଣ ପଥର ପରି ଦିଶୁଚି । କ’ଣ ଗୋଟାଏ ସେ ! ମନେ ପକାଇଲେ । କାହିଁ, ସଞ୍ଜବେଳେ ସେଠି ତ ପଥର ନଥିଲା ! ସେଇ କଣାର ଖୁବ୍ ପାଖକୁ ସେ ମୁହଁ ନେଲେ–ଚାହିଁଲେ । ଦେଖିଲେ ବାଘଟାଏ ଶୋଇଚି । ତା ପେଟଟା ଏମିତି ଦିଶୁଚି । ତା’ର ପାଦଗୁଡ଼ାକ ଲମ୍ବାଇ ଦେଇ ଜୀବଟା ଆରାମ କରୁଚି । ତାଙ୍କ ଆଖିର ଖୁଦ୍ ପାଖରେ ଅଛି ତା’ର ଆଗ ଗୋଡ଼ ଦୁଇଟା । ତାଙ୍କର ଅନ୍ତରାତ୍ମା ଥରି ଉଠିଲା । ସେଇ ଥରାଣକୁ ସେ ଦମନକଲେ । ତାଙ୍କ ସ୍ୱାମୀଙ୍କି ସେ ବାରମ୍ବାର ହାତରେ ଠେଲି ବାଘ କଥା ଜଣାଇବାକୁ ଚେଷ୍ଟା କଲେ । ମାତ୍ର ମାକ୍ ଯେମିତି ଭାବରେ ବସିଥିଲେ, ସେଥିରେ ସେ କିଛି ଦେଖି ପାରୁ ନଥିଲେ । ଜଣକର ବସିବା ପାଇଁ ଯୋଉ ଖାତଟା ଖୋଳା ଯାଇଥିଲା, ସେଥିରେ ଦୁଇଜଣ ବସିଚନ୍ତି । ସେ ବୁଲି ପାରୁ ନାହାନ୍ତି । ଶ୍ରୀମତୀ ମାକ୍ ଥରକୁ ଥର ଚିମୁଟୁଚନ୍ତି । ସେ କ’ଣ କଥାଟାଏ କହିବାକୁ ଚାହୁଁଛନ୍ତି ।

 

ଶେଷକୁ କଥାଟା କଣ ଜାଣିବାକୁ ସେ ବୁଲିବାକୁ ଚେଷ୍ଟା କଲେ । ତାଙ୍କ ରାଇଫଲ୍‌ର ଅଗଟି ପାତ୍ରର ଗୋଟାଏ ପାଖରେ ବାଜିଲା । ସଙ୍ଗେ ସଙ୍ଗେ ଧାତୁ ବାଜିବାର ଟଣ୍ କରି ଗୋଟାଏ ଅସ୍ପଷ୍ଟ ଶବ୍ଦ ହେଲା । ସେଇ ଯଥେଷ୍ଟ । ଉପରେ ଶୁଭିଲା ‘ଉଫ୍’ ! ତା’ପରେ କ’ଣଟାଏ ଖସି ପଡ଼ିବାର ଶବ୍ଦ । ବାଘଟା ଡେଇଁ ପଡ଼ିଲା । ମାକ୍ ଜାଣିଲେ ସେମାନଙ୍କ ଲୁଚିବାଟା ଧରା ପଡ଼ିଗଲା । ଆଉ ଲୁଚି ଲାଭନାଇଁ । ଚତୁର ବାଘ ଆଉ ଆସିବନି ।

 

ଆମେ ଦିହେଁ ସାମାନ୍ୟ କଥାଭାଷା ହେଲୁ । ଆଉ ଏଠି ରହିବା କିଆଁ ! ଆମେ ହୋସ୍ ଦୁର୍ଗା ବଙ୍ଗଳାକୁ ଯିବାକୁ ସିଦ୍ଧାନ୍ତ କଲୁ । ପଣ୍ଡାଟା ଯୋଉଠି ବନ୍ଧାଥିଲା ସେଇଠି ରହିଲା । ଭାବିଲୁ, ଭବିଷ୍ୟତର କୌଶଳ କଥା ପରେ ଭାବିବୁ ।

 

ତା’ପର ସକାଳୁ ଭୋର ଭୋର ଲୋକ ପଠାଇଲି । କହିଥାଏ ପଣ୍ଡାଟିକୁ ନେଇ ଯିବାକୁ-। ସେମାନେ ଆସି ଖବର ଦେଲେ ଯେ ବିଚରା ପଶୁଟିକି ମାରି ବାଘମାନେ ପୂରା ଖାଇଦେଇଛନ୍ତି-। ଆମେ ସେଠିକୁ ଦଉଡ଼ିଲୁ । ଦେଖିଲୁ କଥାଟା ପୂରାପୂରି ସତ । ତା’ର ମୁଣ୍ଡ ଓ ଖରା ଗୁଡ଼ିକ ଖାଲି ଥାଏ; ବାକି ଏତେ ବଡ଼ ପଣ୍ଡାଟାକୁ ବାଘ ପୂରା ଖାଇଦେଇ ଥାଆନ୍ତି । ସେଠାରେ ପରୀକ୍ଷା ଚଲାଇଲୁ । ଜାଣିଲୁ ଦୁଇଟା ବାଘ ଖାଇଛନ୍ତି । ଖୁବ୍ ପାଖାପାଖି ହେଇ ଖାଇଚନ୍ତି । ସେ ପାତ୍ରଟା ଓଲଟିପଡ଼ି ସେଇଠି ରହିଥାଏ । ସେମାନେ ସେଥିରେ ଆଦୌ ଡରିଯାଇନାହାନ୍ତି ।

 

ଏସବୁ ଘଟଣାରୁ ବର୍ତ୍ତମାନ ଗୋଟାଏ ସିଦ୍ଧାନ୍ତ ନିଆଯାଇ ପାରିବ ଯେ–ମଣିଷଖିଆ ବାଘଟା ଗୋରୁମରା ବାଘ ମଧ୍ୟ । ସୁବିଧା ପାଇଲେ ସେ ଗୋରୁ ମାରେ । ଆଉ ଗୋଟାଏ କଥା ବି ହେଇପାରେ । ବୋଧହୁଏ ତିନିଟା ବାଘ ଅଛନ୍ତି । ତହିଁରୁ ଗୋଟାଏ ନରଖାଦକ–ଦୁଇଟି ଗୋରୁମରା ।

 

ସେଇ ଗୋଟିକ ଯୋଜନାରେ ଆଗାମୀ ରାତିରେ କାମ କରିବାକୁ ସ୍ଥିରକଲୁ । ନୂଆ ଥୋପ ବାନ୍ଧିବୁ–ସେଇ ବାଟରେ...ଏକ ଚତୁର୍ଥାଂଶ ମାଇଲ ଦୂରରେ । ତା’ରି ପାଖରେ ଗୁଡ଼ସିଝା ପାତ୍ରର ପୁରୁଣା କୌଶଳ ବି ଖଞ୍ଜାଯିବ । ଏଥର ଖାତ ବଡ଼ ହେବ । ସେ ଖାତରେ ରହିବୁ ମାକ୍ ଓ ମୁଁ । ବହୁତ କଷ୍ଟରେ ଶ୍ରୀମତୀ ମାକ୍‌ଙ୍କୁ ମନାଇବାରେ ସେ ବଙ୍ଗଳାରେ ରହିବାକୁ ରାଜିହେଲେ । ଖାତ ଉପରେ ରହିଲା ଗୁଡ଼ରନ୍ଧା ପାତ୍ରଟା । ତା’ ଉପରେ ତାରପୋଲିନ୍ । ତାରପୋଲିନ୍ ଉପରେ ବାଲି, ମାଟି, ଗୋଡ଼ି, ଘାସ, କଣ୍ଟା ଆଦି ଆଦି । ମାଟି ସହିତ ଠିକ୍ ମିଶି ଯାଇଚି–ସତେ ଯେମିତି ମାଟିରୁ ଅଳ୍ପ ଉଚ୍ଚ କୁଦଟିଏ ।

 

ମାକ୍ ଓ ମୁଁ ରାତିପରେ ରାତି ହେଇ ତିନିରାତି ସେଇ ଖାତରେ ବସିଲୁ । କୌଣସି ରାତିରେ କିଛି ଦେଖିନୁ । କିଛି ଶୁଣିନୁ ମଧ୍ୟ । ଚତୁର୍ଥଦିନ ସକାଳ । ପ୍ରାୟ ଦଶଟା । ଆମେ ବଙ୍ଗଳାରେ ଟିକେ ଗଡ଼ପଡ଼ ହେଉଥାଉ । ଖବରଟାଏ ଆସିଲା ଯେ ବାଘ ମଣିଷ ମାରିଚି । ହୋଲାଲକେରେଠାରୁ ଏକ ମାଇଲ୍ ଦୂରରେ ଏ ଘଟଣା ଘଟିଥାଏ । ଯୋଉ ଖଚ୍ଚୁରି ବଣରେ ଆମେ କିଛିଦିନ ଆଗରୁ ଭାଲୁକୁ ମାରିପକାଇଥିଲୁ, ସେଇ ବଣରେ–ଆଉ ପ୍ରାୟ ସେଇ ଜାଗାରେ ।

 

କାର୍ ନେଇ ସେ ଜାଗାକୁ ଦ‌ଉଡ଼ିଲୁ । ବିରକ୍ତ ଲାଗିଲା ଯେ–ଶବଟା ସେଠି ନଥିଲା । ହତଭାଗ୍ୟ ଲୋକଟିର ଜ୍ଞାତି କୁଟୁମ୍ବ ତା’ର ଶବକୁ ସେଠାରୁ ଉଠାଇନେଇ ଦାହକ୍ରିୟା କରି ଦେଇଛନ୍ତି । ଆମର ଗୋଟାଏ ସୁଯୋଗ ଗଲା । ନରଭୋଜୀଟା ଶବ ପାଖକୁ ଲେଉଟିବାର ଅନେକ ସମ୍ଭାବନା ଥିଲା ।

 

ଆମେ ନୂଆ ଯୋଜନା କଲୁ । ହୋଲାଲକେରେର ଗୋଟାଏ ପଣ୍ଡା ଆଣିଲୁ । ବାଘ ଯୋଉଠି ମଣିଷକୁ ମାରିଥିଲା, ସେଇଠୁ ପଚିଶ ଗଜ ଦୂରରେ ପଣ୍ଡାଟିକୁ ବାନ୍ଧିଲୁ । ଏ ଜାଗାରେ ପାଖରେ ଗଛଟିଏ । ସେଇଠୁ ଏ ଜାଗାଟି ବେଶ୍ ଦେଖିହୁଏ । ସେଇ ଗଛରେ ମୁଁ ମଞ୍ଚା ବାନ୍ଧିଲି । ମାକ୍ ଟିକେ ଶାନ୍ତ ଦେଖାଯାଉଥିଲେ । ଗଲା ଚାରିଦିନ ରାତି ଉଜାଗର ତାଙ୍କୁ ହାଲିଆ କରି ପକାଇଥାଏ । ସେ କହିଲେ, ସେ ବିଶ୍ରାମ ନେବେ–ମୁଁ ବସିବି ମଞ୍ଚାରେ ।

 

ପୁଣି ସେଇକଥା । ରାତିଟା ଘଟଣାବିହୀନ ହୋଇଗଲା । ପରଦିନ ଛ‍ଅଟାରେ ମୁଁ ହୋଲାଲକେରେ ଫେରିବାକୁ ବସିଲି । ମନଟା ଭାଙ୍ଗି ଯାଇଥାଏ । ନୈରାଶ୍ୟ, ବିରକ୍ତି ଓ କ୍ଳାନ୍ତି ମିଶି ମନର ସବୁ ଉତ୍‌ସାହକୁ ଖତମ କରିଦେଇଥାନ୍ତି । ଭାବିଲି ପଣ୍ଡାଟିକି ଫଟାଇ ଆଣେ । ଲୋକ ଗଲେ । ସେମାନେ ଅଧଘଣ୍ଟା ଭିତରେ ଫେରିଆସିଲେ । କହିଲେ, ସେମାନେ ତାକୁ ଠିକ୍ ଫିଟାଇବା ଆରମ୍ଭ କରିଛନ୍ତି, ଅଳ୍ପ ଦୂରରେ ଗୋଟାଏ ବାଘ ଘାଉଁ ଘାଉଁ କଲା । ସେଇଠି ତାକୁ ଛାଡ଼ି ସେମାନେ ଯିଏ ଯୁଆଡ଼େ ପଳାଇଗଲେ ।

 

ଆମେ କାର୍ ଭିତରକୁ ଡେଇଁପଡ଼ିଲୁ । ଗଲୁ ସେଇ ଜାଗାକୁ । ପଣ୍ଡାଟି ବଞ୍ଚିକରି ରହିଚି । ଖୁବ୍ ଆଶ୍ଚର୍ଯ୍ୟ ଲାଗିଲା । ଲୋକେ ଡରରେ ପଳାଇଗଲା ପରେ ବାଘ ପଣ୍ଡାଟିକି ମାରି ଦେବାର ବହୁତ ଆଶଙ୍କା ଥିଲା । ମାକ୍‍ଙ୍କୁ କହିଲି ସେ ଫେରିଯିବେ । ମୁଁ ଚଢ଼ିଲି ମଞ୍ଚାରେ । ଆସିବ କି ଫେରି ବାଘଟା !

 

କିଛି ହେଲାଣି । ଦିନର ଗୋଟାଏ ବେଳକୁ ମୋତେ ଭୀଷଣ ଭୋକ ହେଲା । ନିଦରେ ଆଖି ମାଡ଼ିପଡ଼ିଲା । ମୁଁ ମଞ୍ଚାରୁ ଓହ୍ଲାଇଗଲି । ଖୋଲିଦେଲି ପଣ୍ଡାଟିକି । ହୋଲାଲକେରେ ଅଭିମୁଖରେ ଚାଲିଲି ।

 

ସେ ରାତିରେ ଆମେ ପଣ୍ଡାଟିକି ସେଇ ଜାଗାରେ ପୁଣି ବାନ୍ଧିଲୁ । ମୁଁ ମଞ୍ଚାରେ ବସିଲି । ମାକ୍ ଓ ତାଙ୍କର ଶ୍ରୀମତୀ ଗଲେ ହୋସ୍‌ଦୁର୍ଗା । ସେଇଠି ବି ଆଉ ଗୋଟେ ଥୋପ ଥାଏ । ତା’ ପାଖରେ ସେଇ ଗୁଡ଼ରନ୍ଧା ତାୟା ଓ ଖାତ । ସେଠି ମୁଁ ଏହା ଆଗରୁ ଲାଗ ଲାଗ ତିନିରାତି ବସି ନିରାଶ ହେଇଥିଲି । ସେଇ ଖାତରେ ସେ ଦୁଇପ୍ରାଣୀ ବସିଲେ । ସେଇ ନାସ୍ତିର ପୁନରାବୃତ୍ତି–ଘଟଣାବିହୀନ ରାତି । ସକାଳୁ ସେମାନେ ମୋ ପାଖକୁ ଧାଇଁଲେ । ମୁଁ ବି କ୍ଳାନ୍ତ ଓ ନିରାଶ । ହୋଲାଲକେରେ ବଙ୍ଗଳାରେ ବିଶ୍ରାମ ନେଲୁ, ଖାଇସାରି ଶୋଇଗଲୁ ।

 

ଉପରବେଳା ଚାରିଟା । ଆମ ବଙ୍ଗଳାରେ ଖୁବ୍ ପାଟିଗୋଳ ହେଲା । ନିଦ ଆମର ଭାଙ୍ଗିଗଲା । ଆମେ ଉଠିପଡ଼ିଲୁ । ଆମ ବାରନ୍ଦାରେ ଅନେକ ଲୋକ । ସେମାନଙ୍କୁ ଟିକେ ଶୃଙ୍ଖଳିତ କରିନେଲୁ । ତା’ପରେ ଖବର ନେଲୁ । ପ୍ରାୟ ବାରଜଣଯାଏ ଲୋକ ହୋଲାଲକେରେ ଛାଡ଼ିଥିଲେ ମଧ୍ୟାହ୍ନ ନ ହେବା ଆଗରୁ । ସେମାନେ ଚିତାଲଦୁର୍ଗା ହାଟକୁ ପଲେ ଗୋରୁ ନେଉଥାନ୍ତି । ଉଦ୍ଦେଶ୍ୟ ଥାଏ ସଞ୍ଜହେବାର ଅନେକ ଆଗରୁ ଏ ଦୂରତାଟା ପାରି ହୋଇଯିବେ । ହୋଲାଲକେରେଠାରୁ ପ୍ରାୟ ତିନିମାଇଲ୍ ପାରି ହୋଇଥାଆନ୍ତି–ଗୋଟିଏ ଗୋରୁ ପଲରୁ ଫିଟିଗଲା । ସେ ରାସ୍ତାରୁ ପ୍ରାୟ ପଚିଶଗଜ ଜଙ୍ଗଲ ଭିତରକୁ ପଶିଯାଇଥାଏ । ଲୋକଜଣେ ଗଲା ଗୋରୁଟିକୁ ଅଡ଼ାଇ ଆଣିବାକୁ । ବାଘଟାଏ ତାକୁ ମାଡ଼ିବସିଲା । ସେ ବାଘଟା ଠିକ୍ ରାସ୍ତାକଡ଼ର ଗୋଟାଏ ବୁଦା ଆଢ଼ୁଆଳରେ ଥିଲା-। ଜଣାଯାଉଚି ସେ ଅନେକବେଳୁ ଏମାନଙ୍କ ପିଛା କରିଥିଲା । ସୁବିଧା ଉଣ୍ଡୁ ଥିଲା । ମାଡ଼ିବସିଲା । ସମସ୍ତଙ୍କ ଆଖି ଆଗରେ ବାଘଟା ମଣିଷଟିକୁ ବୋହିନେଲା । ଏତେଗୁଡ଼ାଏ ଲୋକ ଭୟରେ କାଠ ହୋଇ ପଡ଼ିଲେ । ସେମାନେ ବାଘର କିଛି କରିପାରିଲେନି ।

 

କଥା ହେଉଚି–ବାଘଟା ମଝିରେ ଦେଖାଦେବାରୁ ସେ ଲୋକଟି ତା’ ସାଙ୍ଗମାନଙ୍କ ପାଖକୁ ଫେରିପାରିଲାନି । ତେଣୁ ସେ ନିକଟର ଗୋଟାଏ ବଡ଼ ପଥର ଉପରକୁ ଦ‌ଉଡ଼ିଗଲା । ବାଘ ବି ସେଇ ପଥରକୁ ଡେଇଁଲା । ତା’ ଆଗ ପଞ୍ଝା ଲୋକଟିର ପଚାରେ ବସାଇ ଟାଣିନେବାକୁ ଚେଷ୍ଟାକଲା । ପ୍ରାଣବିକଳରେ ସେ ଲୋକଟି ଖୁବ୍ ପାଟିକରୁଥାଏ । ସେଇ ପଥର ପାଖରେ ଥାଏ ଗୋଟିଏ ଗଛ । ସେ ପଥରରୁ ଉଁହିକିପଡ଼ି ସେ ଗଛର ଗୋଟାଏ ଡାଳ ଧରିପକାଇଲା । ଭାବିଲା ଏମିତି ହୁଏତ ବାଘ ତାକୁ ଟାଣି ନେଇପାରିବନି ।

 

ଲୋକଟି ବାଘର ପ୍ରଥମ ଆକ୍ରମଣରୁ ରକ୍ଷାପାଇଗଲା । ବାଘଟା ମାଟି ତଳକୁ ଡେଇଁ ଆସିଲା । ତା’ ନଖରେ ଲୋକଟିର ଚମଡ଼ାଗୁଡ଼ାକ ଲାଗିଥାଏ । ପାଚିଲା କଦଳୀରୁ ଚେପା ଅଧା ଛଡ଼ାଇଲେ ଯେମିତି ଦିଶେ, ଏବେ ଚମଡ଼ା ଛାଡ଼ି ସେ ଲୋକଟିର ଦେହର ସଂଯୁକ୍ତ ଅଂଶଟି ସେମିତି ଦିଶୁଥାଏ ।

 

ବାଘର କ୍ରୋଧ ଚଢ଼ିଗଲା । ଆଉ ମଣିଷଟି ଦେହରୁ ରକ୍ତ ଝରୁଚି । ସେଇ ରକ୍ତ ସେ ପିଅନ୍ତା । ରକ୍ତଲେଭୀଟା ଦ୍ଵିତୀୟ ଚେଷ୍ଟା ଚଳାଇଲା । ଏଥର ତା’ର ଦି’ଟା ଯାକ ଆଗ ପଞ୍ଝା ଲୋକଟିର ପିଠି ଉପରେ ବସାଇ ତା’କୁ ଟାଣିବାକୁ ଲାଗିଲା । କେତେ ବା ଶକ୍ତି ଜଣେ ମଣିଷର ! ସେ ଖସିପଡ଼ିଲା । ବାଘଟା ତାର ବେକମୂଳରେ ଦାନ୍ତ ଡେଇଁ ପଡ଼ିଲା । ଧାଇଁଲା ଅରଣ୍ୟ ଭିତରକୁ-

 

ସେ ଜାଗାରେ ପହଞ୍ଚିବାକୁ ଆମକୁ କେତେ ମିନିଟ୍ ମାତ୍ର ଲାଗିଲା । ଏ ଦୁଃଖାନ୍ତକ ଘଟଣାର ଚିହ୍ନ ସେ ଜାଗାରେ ଯେତେ ତେତେ ଦେଖାଯାଉଥାଏ । ଚମଡ଼ାର ଅନେକ ଟୁକୁରା ପଡ଼ିଥାଏ । ଧରିଥିବା ଡାଳରେ ତା ନଖ ଲାଗିଥାଏ । ପ୍ରାଣାନ୍ତକ ଚେଷ୍ଟା ଥିଲା ତାର–କେମିତି ହେଉ ନରଭୋଜୀଟି ମୁଁହିରୁ ସେ ରକ୍ଷାପାଇଯାଉ । ଅନେକ ଆଡ଼େ ରକ୍ତ ଛିଟିକା ପଡ଼ିଥାଏ । ବାଘ ତା’କୁ ଯୋଉଠିକି ବୋହିନେଲା, ସେଠିକି ରକ୍ତରେ ଧାରା ପଡ଼ିଥାଏ ।

 

ଆମେ ତରତରରେ ଏଇ ଧାରାକୁ ଡଗରାଇ ଗଲୁ । ଘନଜଙ୍ଗଲଭରା ଗୋଟାଏ ଉପତ୍ୟକା ଆଡ଼କୁ ରକ୍ତଧାରା ପଡ଼ିଥାଏ । ସେତେବେଳକୁ ସଞ୍ଜ ପାଞ୍ଚ । ଆମ ହାତରେ ଠିକ୍ ଘଣ୍ଟାଏ ଅଛି । ତା’ ପରେ ସଞ୍ଜ ହୋଇଯିବ । ଅନ୍ଧାର ଆସିଯିବ । ଆମେ ଶିକାରରେ ଛିଣ୍ଡା କପଡ଼ା ଦେଖିଲୁ, ଆଉ ଦେଖିଲୁ ରକ୍ତ ପଡ଼ି କଳାପଡ଼ିଯାଇଥିବା ଗୋଟିଏ ଜାଗା । ବାଘ ଏଇଠି ବୋଧହୁଏ ମଡ଼ାଟାକୁ ରଖିଥିଲା ।

 

ଏମିତି ଭାବରେ ଆମେ ଛଅ ଫର୍ଲଂ ପାରିହୋଇଗଲୁଣି । ଆମେ ଆଗକୁ ବାହାରି ପଡ଼ିଥିବା ଗୋଟାଏ ବଡ଼ ପଥର ଦେଖିଲୁ । ସେ ପଥରକୁ ଘେରି ରହିଥାଏ ଅନେକ ବୁଦା । ମୁଁ ଆଶ୍ଚର୍ଯ୍ୟ ହେଲି ଯେ ଶିକାରଟା ଖାଇବାକୁ ବାଘ ଏଯାଏ ଅଟକିନି । ଏ ତ ନିଛାଟିଆ ଅପନ୍ତରା ଜାଗା । ବାଘଟା ଏଇଠି ଖାଇବ । ମୋ ମନର ଏମିତି ଭାବନା ଚାଲୁଥିଲାବେଳେ ପଛପାଖରୁ ଶୁଣାଗଲା ଗୋଟାଏ ଗମ୍ଭୀର ଗର୍ଜନ । ସଙ୍ଗେ ସଙ୍ଗେ ପଥରଟାଏ ଗଡ଼ିଗଲା, ଆଉ ଆମେ ତାକୁ ଦେଖିବା ଆଗରୁ ବାଘ ଡେଇଁ ପଳାଇଲା । ସେ ପାଖକୁ ଆମେ ଫେରି ପଡ଼ିଲୁ । ଦେଖିଲୁ ଶବଟିକୁ-। ତା’ ର ଏକତୃତୀୟଂଶ ଖିଆସାରିଚି । ବାଘ ଠିକ୍ ସେଇଠି ଖାଇବା ଆରମ୍ଭ କରିଥିଲା । ଏହା ଇ ତ ଥିଲା ମୋର ଅନୁମାନ ! ଶବଟି ତା ନିଜ ରକ୍ତରେ ଲଥପଥ ହୋଇଯାଇଥାଏ ।

 

ସମୟ ଚାଲିଯାଉଥାଏ । ପାଖରେ କୌଣସି ବଡ଼ ଗଛ ନାହିଁ । କୋଉଠି ବସିବି ? ଦେଖିଲି ସେ ପାଖରେ ଅଛି ଗୋଟାଏ ବଡ଼ ପଥର । ପ୍ରାୟ ବାରଫୁଟ ଉଚ୍ଚ । ତିନିଦିଗରୁ ପଥରଟା ପ୍ରାୟ ସିଧାସିଧା ଉଠିଚି । ତେଣୁ ବାଘ ଡେଇଁ ଜଣକୁ ଆମନ୍ତ୍ରଣ କରିପାରିବନି । ଚତୁର୍ଥ ପାଖଟି କ୍ରମେ ଖସାଣିଆ । ପୁଣି ଏ ଖସାଣିଆ ପାଖଟି ଶବଆଡ଼କୁ ମୁଁହି କରିନି । ବରଂ ଗୋଟାଏ ସମକୋଣରୁ ଟିକେ ବଡ଼ କୋଣ ଆଙ୍କିଲାପିରି ସେ ଶବଠୁ ପଥରଟି ଥାଏ । ଯଦି ମୁଁ ପଥର ଉପରେ ବସିଯାଏ, ମୋତେ ଦୁଇଟା ଦିଗକୁ ସତର୍କ ଦୃଷ୍ଟି ହେବାକୁ ହେବ । ତଳେ ଅଛି ସେ ଶବ । ଡାହାଣ ପାଖରେ କ୍ରମନିମ୍ନ ପଥରର ଖସାଣି ଅଂଶ । ବାଘଟା ହୁଏତ ଏଇ ବାଟେ ମୋ ଆଡ଼କୁ ଧାଇଁଆସିପରେ । ମୋ ପଛପାଖଟା ବେଶ୍ ନିରାପଦ । ସେଠି ପଥରଟା ଛିଡ଼ିପଡ଼ିଚି । ବାଘ ଡେଇଁଲେ ବି ସହଜରେ ପହଞ୍ଚିପାରିବନି, କାରଣ ବାଘକୁ ସେ କ୍ଷେତ୍ରରେ ପୁରା ବାରଫୁଟ ଡେଇଁବାକୁ ହେବ । ସେ ଡେଇଁଲା ବେଳେ ଧରିବାପାଇଁ ତାକୁ ଆଶ୍ରୟ ମିଳିବନି । ସେ ତଳକୁ ଖସିପଡ଼ିବ । ସେ ସମୟରେ ତା’ ଉପରେ ଗୁଳି ଚଳାଇବାକୁ ମୋତେ ଯଥେଷ୍ଠ ବେଳ ମିଳିବ । ମୋ ମତରେ ବାଘ ପରି ଚାଲାକ ଜୀବ ଏ ପ୍ରକାର ବିପଦ କେବେହେଲେ ବରଣ କରିବନି ।

 

ପଥରର ଖସାଣି ପାଖରେ ବିଭିନ୍ନ ପଥର ଓ ବୁଦାକୁ ପରୀକ୍ଷା କରିନେଲି । ତା’ ପରେ ପଥରର ଉପରକୁ ଗଲି । ମାକ୍‌ଙ୍କୁ କହିଲି, ହୋଲାଲ୍ କେରେଠୁ ହୋସଦୁର୍ଗା ବାଟରେ ସେ ରାତିରେ ଚାରି ପାଞ୍ଚଥର ଗାଡ଼ି ଚଳାଇ ଯିବା ଆସିବା କରିବେ । ବାଘଟା କାଳେ ମଢ଼ ଛାଡ଼ିଦେଇ ସେ ବାଟରେ ଆଉ କୁଆଡ଼କୁ ଯିବ ତ ଦେଖା ହୋଇ ଯିବ ।

 

ବନ୍ଧୁମାନେ ଚାଲିଗଲେ । ମୁ ରହିଲି ସେଠି । ତଳେ ଅଧାଖିଆ ଶବ । ଘଣ୍ଟା ଘଣ୍ଟା ବେଳ ଚାଲିଗଲା । ଏ ଭିତରେ ମୋ ଡାହାଣ ପାଖର ସେଇ ଖସାଣି ପାଖକୁ ମୁଁ ଖାଲି ନିବିଷ୍ଟ ଭାବରେ ଅନାଇଁ ଦେଖୁଥାଏ । ସେ ପାଖରେ ଅଦୂରରେ ଜଙ୍ଗଲ । ଅନ୍ଧାର ତାକୁ ଘୋଡ଼ାଇ ରଖିଥାଏ । ଅସ୍ପଷ୍ଟ ପୃଷ୍ଟ ଭୂମି ଉପରେ ଜଙ୍ଗଲଟା ମଳାଏ ଅନ୍ଧାର ପରି ଦିଶୁଥାଏ । ସେଥିରେ ହାତୀଠାରୁ ଛୋଟ କୌଣସି ପ୍ରାଣୀ ବି ଚିହ୍ନିବା ସମ୍ଭବ ନୁହେଁ । ଅନ୍ଧାର ଯୋଗୁଁ ମୋ ବାପଖରେ ପଡ଼ିଥିବା ଶବ ଟି ବି ଦେଖାଯାଉ ନଥାଏ ।

 

ପ୍ରାୟ ଦଶଟା ରାତି । ମାଇଲିଏ ଖଣ୍ଡେ ଦୂରରେ ଗୋଟାଏ ଶମ୍ଭର ବୋବାଳି ଛାଡ଼ିଲା । ଏହାର ପଛେ ପଛେ ଶୁଭିଲା ବାଘର ଏକ ଅନୁଚ୍ଚ ଗର୍ଜନ । ପୁଣି ସେ ଗର୍ଜନର ଆଉ ଏକ ଉତ୍ତର ଭାସି ଆସିଲା ଆମେ ଯୋଉ ରାସ୍ତାରେ ଆସିଥିଲୁ ସେଇ ଦିଗରୁ ।

 

ଏଇ ନୀରବ ମୁହୂର୍ତ୍ତଗୁଡ଼ିକରେ ଘଟଣାଟି ସେମିତି ଜଟିଳ ବୋଲି ଭାବିଥିଲି, ସେଇଟା ସେଥିରୁ ଅଧିକ ବୋଲି ଜଣାପଡ଼ିଗଲା । ଏ ସ୍ଥଳରେ ଅନ୍ୟୁନ ଦୁଇଟି ବାଘ ମାତିଛନ୍ତି । ତିନୋଟି ବି ହୋଇପାରେ । ଏମାନଙ୍କ ଭିତରେ ଗୋଟାଏ ଅଛି ମଣିଷମାରୁ । ସେଇଟା ଭୟଙ୍କର ଭାବରେ ଦୁଃସାହସୀ, ନିର୍ଦ୍ଦୟ । ଅନ୍ୟଟି ଗୋରୁମରା । ସେ ବି ଏକାପ୍ରକାର ସାହସୀ, ଦୁର୍ଦ୍ଧାନ୍ତ ଓ ଧୂର୍ତ୍ତ । ପୁଣି ଏଥିରୁ ଆଉ ଗୋଟାଏ କଥା ବି ଠିକ୍ । ଉଭୟେ ଦରକାର ବେଳେ ଗୋରୁମାରା ବା ମଣିଷମାରୁ ହୋଇପାରନ୍ତି । ତା ଛଡ଼ା ଅନ୍ୟ ଗୋଟାଏ ବାଘ ବି ମାତି ଥିବାର ସନ୍ଦେହ । ସେଇଟା ହୁଏତ ମଣିଷଖିଆ, ନୁରୁବା ଗୋରୁମାରା ବା ଉଭୟ ପ୍ରକୃତିର । ପାଗ ଶୁଖିଲା । ମାଟି କଠିନ । ତେଣୁ ଏଯାଏ ଏ ବାଘ ମାନଙ୍କ ପ୍ରକୃତି ଜାତି ଇତ୍ୟାଦି ସମ୍ପର୍କ ସେମାନଙ୍କ ଖୋଜଚିହ୍ନରୁ କିଛି ଧରା ପଡ଼ିଲାନି ।

 

ବାଘଗୁଡ଼ାକ ଡାକିବା ବନ୍ଦକରିଦେଲେ । ପୁଣି ଗଭୀର ନୀରବତା । ମଝିରେ ମଝିରେ ଗଛଗହଳରୁ ଝିଙ୍କାରିର ଝିଁ ଝିଁ ଡାକ ଶୁଭୁଥାଏ ପୁଣି କୋଉ ଦୂର ଡାଳରୁ ପେଚାର ଡାକ । ମଝିରେ ମଝିରେ ଝଲକାଏ ଦମକା ପବନ ବହୁଥାଏ । ରାକ୍ଷସ ପରିକା ବଡ଼ ବଡ଼ ଗଛର ଡାଳଗୁଡ଼ାକ ଦୋହଲାଇ ସୁ ସୁ ଶବ୍ଦ କରିଥାଏ । ଖୁବ୍ ଦୂରରୁ ସମୁଦ୍ର ସେମିତି ଗର୍ଜନ କରେ ସେମିତି ସେ ଶବଦ୍-

 

ହଠାତ୍ ଏକ ଘଟଣା ଘଟିଲା । ଆଗରୁ କୌଣସି ସତର୍କ କି ସାବଧାନ କରାଇ ଦେବାର ସଂକେତ ନ ଥିଲା । ମୋ ପଛପାଖ ପଥରରେ କ’ଣ ଗୋଟିଏ ପଡ଼ିବାର ଭୁସ୍ ଶବଦ୍ । ତା’ପରେ ପଥରସବୁ ବିଦାରିବା ଓ ଗଡ଼ାଇବାର ଭୟଙ୍କର ଧ୍ଵନି । ତା’ ସହିତ ଗୁଁ ଗୁଁ ଗର୍ଜନ ମିଶିଚି । ତା’ପରେ ଆଉ ଗୋଟାଏ ଶବଦ । ବାଘଟା ତଳେ ଖସି ପଡ଼ିଲା । ମୁଁ ସେ ଦିଗକୁ ଚାହିଁ ତାକୁ ଠାବ କରିବା ଆଗରୁ ସେ ଅନ୍ତର୍ହିତ ହୋଇଗଲା । ନରଖାଦକଟା ଯାହା ଆଶା କରାଯାଉନଥିଲା, ତାହା କରି ପକାଇଚି । ସେ ମୋତେ କୌଣସି ମତେ ଦେଖି ନେଇଚି । କୁଦା ମାରିଚି ପଥର ଉପରକୁ । ହେଲେ, ବାରଫୁଟ ଉଚ୍ଚକୁ ସେ ଡେଇଁପାରୁଚି କେମ୍‍ତି ? ତେଣୁ ପଥରର କିଛି ଉଚ୍ଚକୁ ଡେଇଁ ପଥରକୁ ଧରିବାର ବୃଥା ଚେଷ୍ଟା କରିଚି । ତା’ପରେ ଖସି ପଡ଼ିଚି । ମୋ ସୌଭାଗ୍ୟକୁ ଅଳ୍ପ କେତେ ଇଞ୍ଚରେ ସେ ମୋତେ ଛୁଇଁପାରିଲାନି । ସେ ତଳେ ପଡ଼ିଲା; ମୁଁ ବଞ୍ଚିଗଲି ।

 

ରାତିର ବାକି ସମୟତକ ମୁଁ ଜାଗ୍ରତ ରହିଲି–ଆଉ ଗଡ଼ପଡ଼ କି ବିଶ୍ରାମ ନାଇଁ । ମାତ୍ର ଆଉ କିଛି ଘଟିଲାନି । ତା’ ପରଦିନ ସୂର୍ଯ୍ୟ ବେଶ୍‌ ଅନେକ ଉପରକୁ ଉଠିଯାଏ ମୁଁ ସେଇ ଉଚ୍ଚା ପଥର ଉପରେ ହିଁ ବସିରହିଥାଏ । ମଣିଷମାରୁଟା ଯେ କୌଣସି ବୁଦା ଆଢ଼ୁଆଳରେ ଛକିଥିବାର ଭୟ । ସେ ମୋର ଉପସ୍ଥିତି କଥା ଜାଣେ । ଏ ଅବସ୍ଥାରେ ତା’ଉପରେ କୌଣସି ବିଶ୍ୱାସ ନାହିଁ । ମାତ୍ର ସୌଭାଗ୍ୟକୁ ଆଉ କିଛି ଘଟିନି । ମୁଁ ବେଶ୍ ନିରାପଦରେ ରାସ୍ତାକୁ ଆସିଲି । ସେଠି ମାକ୍ କାର୍ ଧରି ଅପେକ୍ଷାରେ ଥିଲେ । ରାତିସାରା ହଲାଲକେରେ ଓ ହୋସଦୁର୍ଗା ରାସ୍ତାରେ କାର୍ ଦଉଡ଼ାଇ ସେ ବାଘର କୌଣସି ସନ୍ଧାନ ପାଇନଥିଲେ । ବଡ଼ ନିରାଶ ଓ କ୍ଲାନ୍ତ ହୋଇପଡ଼ିଥାନ୍ତି ମାକ୍ । ବସିଲି ତାଙ୍କ କାର୍‌ରେ ।

 

ଆମେ ବଙ୍ଗଳାରେ ପହଞ୍ଚିଗଲୁ । ସଙ୍ଗେ ସଙ୍ଗେ କେତେଜଣ ଲୋକଙ୍କୁ ପଠାଇଲି । କହିଲି, ମଣିଷ ଉପରେ କିଛି ଡାଳପତ୍ର ଘୋଡ଼ାଇ ଦେବାକୁ । ତା’ ନ କଲେ ଶାଗୁଣା ଲାଗିବେ–ମଡ଼ାଟାକୁ ଖାଇଯିବେ । ଭାବୁଥାଏ ସେଇ ରାତିରେ ପୁଣି ସେଇ ପଥର ଉପରେ ବସିବି–କାଳେ ସେ ନରଭୋଜୀ ଆସିବ । ଏସବୁ ପରାମର୍ଶ ଅନୁସାରେ ଲୋକମାନେ ଠିକ୍ ବାହାରୁଛନ୍ତି, ମୃତଲୋକଟିର ଜ୍ଞାତ ମାନେ ପହଞ୍ଚିଗଲେ । ସେମାନେ ଦାବୀ କଲେ ଶବଟିର ଅବଶିଷ୍ଟାଂଶ ନେବାକୁ । ସେମାନଙ୍କୁ ବହୁତ ବୁଝାଶୁଝା କାଲି । ମୋ କଥାରେ କାନଦେଲେନି । ବଡ଼ ଜିଦ୍ ଧରିବସିଲେ । ତେଣୁ ବିଚରା ଲୋକଟିର ହତ୍ୟାର ଯେଉଁ ପ୍ରତିଶୋଧ ମୁଁ କଳ୍ପନା କରିଥିଲି, ସେ କଥା ବ୍ୟର୍ଥହୋଇଗଲା ।

 

ଏ ଘଟଣାର ଦୁଇଘଣ୍ଟା ପରେ ଆଉ ଦଳେ ଲୋକ ଆସି ପହଞ୍ଚିଲେ । ସେମାନେ କହିଲେ ଯେ ଆମେ ଗୁଡ଼ରନ୍ଧା ତାୟା ପାଖରେ ଯୋଉ ପଣ୍ଡାଟିକୁ ବାନ୍ଧିଥିଲୁ ସେ ନିହିତ ହୋଇଛି ।

 

ସେ ସନ୍ଧ୍ୟାରେ ମାକ୍ ଓ ମୁଁ ସେଇ ଖାତରେ ବସିଲୁ । ରାତି ପ୍ରାୟ ଅଧାବେଳକୁ ଗୋଟାଏ ବାଘ ସେ ପାଖେ ଚଲାବୁଲା କରୁଥିବାର ସଙ୍କେତ ପାଇଲୁ । ବାଘଟା ଅନୁଚ୍ଚ ସ୍ଵରରେ ହେଣ୍ଟାଳୁଥାଏ । ପ୍ରତି ମୁହୂର୍ତ୍ତରେ ଆମେ ତାକୁ ଅପେକ୍ଷା କରି ରହିଥାଉ କେତେବେଳେ ସେ ମଢ଼ ପାଖକୁ ଆସିବ । କିନ୍ତୁ ସେ ଆସିଲାନି । ପ୍ରାୟ ପଇଁଚାଳିଶ ମିନିଟ୍ ଧରି ସେ ଜାଗାର ଚାରିପାଖରେ ଘେରାମାରିବାରେ ଲାଗିଲା । ଜଣାଗଲା ଆମେ ଯେ ମଢ଼କୁ ଯଗିଚୁ ଏ କଥା ସେ ଜାଣିପାରିଚି । ହଠାତ୍ ମାକ୍‌ଙ୍କ ମନକୁ ଗୋଟାଏ ଦୁଃସାହସିକ ଚିନ୍ତା ଜୁଟିଲା । ସେ କହିଲେ, ସେ ନିଜେ ସେ ଜାଗା ଛାଡ଼ି ଚାଲିଯିବେ । ବାଘ ଭାବିବ ମଢ଼କୁ ଆଉ କେହି ଜଗିନାହାନ୍ତି । ତା’ହେଲେ ବାଘ ଠକିଯିବ ଓ ମଡ଼ା ପାଖକୁ ଆସିବ ମୁଁ ତାକୁ ମାରିପାରିବି ।

 

ଏ କୌଶଳଟି ଠିକ୍ କାମ କରିବାର ବହୁ ସମ୍ଭାବନା ଥିଲା । ଆପଣମାନେ ଜାଣନ୍ତି, ଆଗରୁ ଏମିତି ଗୋଟାଏ ଘଟଣା ଘଟିଥିଲା । ଆମେ ଖାତ ଛାଡ଼ି ଚାଲିଯାଇଥିଲୁ । ବାଘ ଆସି ପଣ୍ଡାଟିକି ମାରି ଖାଇଗଲେ । ମାତ୍ର ଏଥିରେ ମାକ୍‌ଙ୍କ ଉପରେ ଭୀଷଣ ବିପଦର ଆଶଙ୍କା ବି ଥାଏ-। ଯୋଉ ବାଘଟା ଘୁରାଘୁରି କରୁଚି ସେଟା ମଣିଷଖିଆ ହୋଇପାରେ କିମ୍ବା ତା’ ସହିତ ମଣିଷଖିଆଟା ଥାଇପାରେ । ଏମିତି ଘଟଣା ତ ଆଗରୁ ଘଟିଚି । ମୁଁ ତାଙ୍କୁ ଏ ସବୁ କଥା ବୁଝାଇଲି-। ମାକ୍ ଥିଲେ ସ୍ମାର୍ଟ ଖୁବ୍ ସାହସୀ । ତେଣୁ ମୋ’କଥା ସେ ସହଜରେ ମାନିନେଲି । କହିଲି ଅନ୍ଧାରରାତିରେ ମଣିଷମାରୁ ସହିତ ଏମିତି ଖେଳିବା ଅର୍ଥ ମୃତ୍ୟୁକୁ ସିଧାସଳଖ ଡାକି ଆଣିବା । ବହୁତ କଷ୍ଟରେ ସେ ମୋ’କଥା ଶୁଣିଲେ । ଏ ଭୟଙ୍କର ଦୁଃସାହସରୁ ନିବର୍ତ୍ତିଲେ ।

 

ଏ ଭିତରେ ବାଘଟା ସେଇ ପାଖଆଖରେ ଖୁବ୍ ଲୁଚିଛପି ବୁଲାବୁଲି କାଲା । ମାତ୍ର ସକାଳ ହେବା ପରେ ଜଙ୍ଗଲ ଭିତରେ ଲୁଚିଗଲା । ଆମେ ହୋସଦୁର୍ଗାର ସେଇ ଛୋଟ ବଙ୍ଗଳାକୁ ଫେରିଆସିଲୁ । ଆମର ଅନ୍ୟ ଏକ ବିଫଳରାତ୍ରି ଏମିତି କଟିଗଲା ।

 

ତା’ପରେ ପରେ ଦୁଇଦିନ ଦୁଇରାତି କଟିଲା । ଆମେ ହୋଲାଲକେରେ ଓ ଚିତାଲଦୁର୍ଗ ରାସ୍ତାରେ ଶିକାରୀ ଆଲୁଅ ପକାଇ ବହୁତ ସନ୍ଧାନ ଚଳାଇଲୁ । ବାଘଟାକୁ ଦେଖିବାର ଆଶାରେ ବହୁ ଚେଷ୍ଟାକଲୁ । ତା’ସହିତ ଭେଟ ହେଲାନି ।

 

ଚତୁର୍ଥ ଦିନର ସକାଳ । ବେଶ୍ ଭୋର ଭୋର । ଦଳେ ଲୁମ୍ବାନୀ କାଠକଟାଳୀ ପହଞ୍ଚିଲେ । ସେମାନେ କହିଲେ, ସେମାନେ ଆଗ ରାତିରେ ଚାରିମାଇଲ୍ ଦୂରରେ ରହିଥିଲେ । ସେମାନଙ୍କ ଚାରିପାଖରେ ପାଞ୍ଚଟା ଶଗଡ଼ଗାଡ଼ି ରଖି ମଝିରେ ବଳଦଗୁଡ଼ିକ ବାନ୍ଧଥିଲେ, ଆଉ ଗୋଟାଏ ବଡ଼ ନିଆଁ କରି ସେମାନେ ରହିଥିଲେ । ଅଧାରାତିକି ନିଆଁ ଟିକେ କମିଗଲା । ଗୋଟାଏ ବାଘ ଶଗଡ଼ତଳେ ଗଳିଆସି ଗୋଟାଏ ବଡ଼ ବଳଦକୁ ଆକ୍ରମଣକଲା । ଏଥିରେ ଅନ୍ୟ ବଳଦମାନେ ବୋବାଳି ଛାଡ଼ିଲେ । ଲୋକେ ଉଠିପଡ଼ିଲେ । ସେମାନେ ବାଘଉପରକୁ ନିଆଁ ଖୁଣ୍ଟା ଫିଙ୍ଗିଲେ । ବାଘଟା ପଳାଇଲା । ବଳଦର ଗଳାକୁ ବାଘ କଣା କରିଛି, ଭୀଷଣ ଭାବରେ କ୍ଷତବିକ୍ଷତ କରିଚି । ମାତ୍ର ବଳଦଟି ବଞ୍ଚିଚି । ସକାଳେ ସେମାନେ ଚାରିଟା ଶଗଡ଼ ନେଇ ହୋସଦୁର୍ଗା ଆସିଛନ୍ତି । ଏ ବଳଦଟି ତ ଆଉ ଶଗଡ଼ ଟାଣିପାରିବନି, ତେଣୁ ତା’ର ଶଗଡ଼ଟା ଜଙ୍ଗଲରେ ରହିଯାଇଚି ।

 

ଏ ଲୁମ୍ବାନୀମାନଙ୍କ ଭିତରେ ଜଣେ ଲୋକ ଥାଏ–ଏ ଜଙ୍ଗଲଟାକୁ ସେ ତା’ ହାତରେ ପଦ୍ମର ରେଖାପରି ଜାଣେ । ସାରା ଜଙ୍ଗଲ ବିଷୟରେ ସେ ଟିକିନିକି କରି ଜାଣେ । ସେ କହିଲା ଯେ ଛ’ମାଇଲ ଦୂରରେ ଅଛି ଗୋଟିଏ ଛୋଟ ଝରଣା । ଜଙ୍ଗଲର ମଝାମଝି ହେବ । ସେଠି ଅନେକ ବଡ଼ ବଡ଼ ଗଛ । ସେ ଝରଣାଟି ଗୋଟାଏ ବଡ଼ ଦହରେ ପଡ଼ିଚି । ଦହର ଚାରିପାଖେ ପାହାଡ଼ ଓ ବଡ଼ ବଡ଼ ଗଛ । ଏଇ ପାହାଡ଼ରେ ବାଘଗୁଡ଼ା ରହନ୍ତି । ଆଜିକାଲି ଖରାଦିନ । ଖରାର ମଧ୍ୟାହ୍ନରେ ସେମାନେ ଝରଣା ଓ ଦହପାଖରେ ଛାଇରେ ରହନ୍ତି । ସଂଧ୍ୟାରେ ଶିକାର ଖୋଜି ବାହାରିବା ଆଗରୁ ସେମାନେ ଝରଣାର ପାଣି ପିଅନ୍ତି ।

 

ସେ ଲୋକଟା ଯାହା ସବୁ କହୁଥାଏ, ସେଥିରେ କିଛି ମିଛ ନଥାଏ । ସେ ଜଣେ ଚୋରାଶିକାରୀ । ତା’ଛଡ଼ା ସେ ଜଣେ ଚୋରା ମଦବେପାରୀ । ବାବୁଲ ଗଛର ଛାଲିରୁ ସେ ଏକପ୍ରକାର ମଦ ରାନ୍ଧେ । ସେ ମଦକୁ ଦେଶୀ ଲୋକେ ‘ଅର୍କ’ କହନ୍ତି । ସେ ଏ ଦୁଇପ୍ରକାର ବ୍ୟବସାୟ ଚଳାଏ । ସତ କହିବାକୁ ଗଲେ, ସେ ଜାଗାକଥା ପ୍ରାୟ ଅନେକେ ଜାଣିନଥିଲେ । ଯୋଉ ଜଣେ ଦି’ଜଣ ଜାଣିଥିବେ, ବାଘମାନଙ୍କ ଡରରେ ସେଠାକୁ କେହି ଯାଉନଥିବେ । ଏ ପ୍ରକାର କଥାର ଫଳ ଏଇୟା ହେଲା–ଆମେ ଠିକ୍ କଲୁ, ମାକ୍‌ ଓ ମୁଁ ସେ ଲୋକକୁ ସଙ୍ଗରେ ନେଇ ସେଇ ଦହପାଖକୁ ଯିବୁ । ସେଠାରେ ସଂଧ୍ୟା, ରାତି ଓ ପରଦିନ ସକାଳ କଟାଇବୁ ।

 

ଉପରବେଳା ତିନିଟା । ଆମେ ସେ ଜାଗାରେ ପହଞ୍ଚିଗଲୁ । ଏମିତିକା ବାଘ ଜାଗା ମୁଁ ଆଉ କୋଉଠି ଦେଖିନି । ଛୋଟ ଦହଟାଏ । ଚାରିପାଖରେ ପାହାଡ଼ । ପାହାଡ଼ ସବୁ ଗଡ଼ି ଆସିଚି । ଯୋଉ ଛୋଟ ଝରଣାଟି ଦହରେ ପଡ଼ିଚି, ତା’ କୂଳଯାକ ବାଘ ପାଦ ଚିହ୍ନରେ ଭରା । ଯିବା ଆସିବା, ଡିଆଁ ଡେଇଁ କରିବା ବାଘ ଖୋଜ ପରୀକ୍ଷା କଲୁ । ଜାଣିଲୁ ଗୋଟାଏ ବଡ଼ ବାଘ ଆଉ ବଡ଼ ବାଘୁଣୀ-। ଆକାର ପ୍ରକାରରୁ ଭାବିଲୁ ବାଘଟା ଗୋରୁମରା । ତା’ହେଲେ, ତା’ ସାଥୀ ବାଘୁଣୀଟି ନିଶ୍ଚୟ ନରଖାଦକ । ଅବଶ୍ୟ ଆଉ ଅନ୍ୟ ଗୋଟାଏ ବାଘ ଥିଲେ କଥାଟା ନିଆରା ହୋଇପାରେ ।

 

ଗୋଟାଏ ବଡ଼ ପାହାଡ଼ୀ ଆମ୍ବଗଛ । ଗଛଟି ଦହ ଉପରେ ଉଠିଚି । ଯୋଉଠି ଝରଣାଟି ଦହରେ ମିଶିଚି, ସେଇଠି । ତା’ର ତଳଡାଳଟା ପ୍ରାୟ ପନ୍ଦର ଫୁଟ ଉଚ୍ଚରେ ଅଛି । ଆମ ସାଥୀରେ ଆମର ଛୋଟ ଖଟିଆଟି ଥାଏ । ଆମେ ସବୁବେଳେ ଏଥିପାଇଁ ଏ ମଂଚାଟାକୁ ସାଙ୍ଗରେ ଆଣିଥାଉ-। ଡାଳ‌ଉପରେ ମଞ୍ଚାବାନ୍ଧାଲୁ । ପ୍ରାୟ ସାଢ଼େ ଚାରିଟାବେଳକୁ ଆମେ ତିନିଜଣ ଗଛ ଉପର ମଞ୍ଚାରେ । ବିଚରା ଲୁମ୍ବୀନୀଟିକୁ ଏକାକୀ ଲେଉଟାଇଦେବାକୁ ସାହସ ହେଲାନି । ବାଟରେ ତା’କୁ ବାଘ ଖାଇଯିବାର ପୂରା ଭୟ ଥାଏ ।

 

ସାତଟାବେଳକୁ ଚାରିଆଡ଼ ଅନ୍ଧାର । ପୁଣି ଏ ଗଛଟା ବଡ଼ ଝଙ୍କାଳିଆ । ତେଣୁ ଅନ୍ଧାର ଆହୁରି ବହଳ ହୋଇଥାଏ । ଏ ପାଖକୁ ବଣର ଜୀବଜନ୍ତୁ ପ୍ରାୟ ଆସନ୍ତିନି । ବଣର ରାଜା ଯୋଉପାଖରେ ରହେ ସେ ପାଖକୁ କିଏ ବା ଆସିବ ? ଘଣ୍ଟା ପରେ ଘଣ୍ଟା ବିତୁଥାଏ, କୋଉଠି କିଛି ସୋରଶବ୍‌ଦ ନଥାଏ । କେତେବେଳେ କେମିତି ଦୂରରେ ଶମ୍ବରଟାଏ କି ହରିଣଟାଏ ବୋବାଉଥାଏ-

 

ଏମିତି ସକାଳ ଚାରି ହେଲା । ଆମେ ଗୋଟାଏ ଅନୁଚ୍ଚ ଗାଉଁ ଗାଉଁ ଶବ୍‌ଧ ଶୁଣିଲୁ । ଆମ ସାମ୍ନାରେ ଅନେକ ବାଉଁଶଗଛ । ମାଟି ଉପରେ ଅନେକ ବାଉଁଶପତ୍ର । ସେଇ ପତ୍ର ଉପରେ ବାଘର ଭାରୀ ଚାଲି ଶୁଭିଲା । ଅନେକ ମିନିଟ୍ ବିତିଗଲା । ସେଇ ଘନ‍ଅନ୍ଧାର ଭିତରେ ଆମେ ଆଉ କିଛି ଦେଖିପାରିଲୁନି । ତା’ପରେ ଦହର କୂଳରେ ପାଣି ଛଲ୍‌କିବା ଶୁଭିଲା । ଆମର ଡାହାଣରୁ ଏ ଶବ୍‌ଦ ଆସୁଥାଏ ।

 

ସମୟ ଆସିଚି । ଆମେ ଆଗରୁ କଥାହେଇଥିବା ଅନୁସାରେ ମୁଁ ମାକ୍‍ଙ୍କୁ ଇଶାରାକଲି–ସେ ଗୁଳିକରନ୍ତୁ । ମୁଁ ମଧ୍ୟ ବନ୍ଧୁକ ଟେକି ଧରିଥାଏ–ଦରକାର ହେଲେ ଦ୍ଵିତୀୟବାର ଗୁଳିକରିବ । ମାକ୍‌ ବନ୍ଧୁକ ବତି ଦେଲେ । ତଳକୁ ଉଜ୍ଜ୍ୱଳ ଆଲୋକଧାରା ଝରିପଡ଼ିଲା । ଦେଖିଲୁ ଗୋଟାଏ ବିରାଟ ବାଘ ଦହକୂଳରେ ଶୋଇ ପାଣି ପିଉଚି ।

 

ଜନ୍ତୁଟା ଉପରକୁ ଅନାଇଁଲା । ତା’ ଆଖି ଦୁଇଟା ଜଳୁଥାଏ–ସତେ ଅବା ଦୁଇଟା ଜଳନ୍ତା ଗୋଲାକାର ରଡ଼ନିଆଁ । ଆଉ ମାକ୍‍ ଗୁଳିକରେ । ବାଘଟା ଭୀଷଣ ଗର୍ଜନକରି ଡେଇଁପଡ଼ିଲା । ମୁଣ୍ଡ ତଳକୁ କରି ସେ ମାଟିରେ ଗଡ଼ିପଡ଼ିଲା । ପଡ଼ିଲାବେଳେ ପିଠିଟା ତଳେ କଚାଡ଼ିହେଲା । ହେଣ୍ଟାଳ, ଭୀଷଣ ଗର୍ଜନ, ସବୁ ଏକାଠି ମିଶିଯାଇଥାଏ । ମାକ୍ ଆଉ ଦୁଇଟା ଗୁଳି ଚଳାଇଲେ । ବାଘଟା ମାଟିକାମୁଡ଼ି ଦହ ଆଡ଼କୁ ଗଡ଼ିଗଲା । ଅଧା କାଦୁଅରେ ଲଟପଟହେଇ ସ୍ଥିର ହେଇଗଲା ।

 

ସକାଳହେଲା । ଆମେ ତଳକୁ ଉତୁରିଲୁ । ଦେଖିଲୁ ସେ ଯୋଡ଼ିରୁ ମାକ୍ ପୁରୁଷଟିକି ଖତମ୍ କରିଦେଇଛନ୍ତି । ପ୍ରକୃତରେ ଦେଖିବାଭଳି ଜନ୍ତୁଟାଏ । ଯେ କୌଣସି ଶିକାରୀ ଏମିତି ଜନ୍ତୁଟାଏ ଶିକାରକଲେ ଆନନ୍ଦିତ ହେବ । ମାତ୍ର ଆମେ ଯେତେ ଖୁସିହେବାର କଥା ସେତେ ଖୁସି ହେଇପାରିଲୁନି । ଅସଲ ଶୈତାନଟା ଯେ ରହିଗଲା ! ମଣିଷମାରୁ ! ମାକ୍‍ଙ୍କ ପ୍ରଥମ ଗୁଳିଟା ଠିକ୍ ନାକ‍ଉପରେ ବାଜିଚି । ଏଥିରେ ଉପର ଦାନ୍ତ ଧାଡ଼ି ଓ ତାଳୁ ଛତ୍ର ଚାଉଳ ହେଇଯାଇଚି । ତା’ପରେ ଗୁଳିଟା ଗଳାଭେଦିଚି, ସେଥିପାଇଁ ଆମେ ଗଁ ଗଁ ଗର୍ଜନ ସହିତ ଗଳ ଗଳ ଶବ୍‍ଦ ଶୁଣିଥିଲୁ । ତାଙ୍କର ଦ୍ଵିତୀୟଗୁଳି ବାଘର ଡାହାଣ କାନ୍ଧ ଭେଦିଚି । ସେଇଟା ତଳ ପେଟକୁ ଯାଇଚି । ତୃତୀୟଗୁଳିଟି ଲକ୍ଷ୍ୟହୀନ ହୋଇଯାଇଚି ।

 

ତା’ପର ଚାରିଦିନର ଘଟଣା ନ କହିବା ଭଲ । ସେ ଭିତରେ ସେମିତି ଉଲ୍ଲେଖଯୋଗ୍ୟ ଘଟଣା ନଥିଲା । ସ୍ଥାନୀୟ ଲୋକେ ଭାବିଲେ ଆମେ ନରଭୋଜୀକୁ ମାରିଚୁ । ସେମାନେ ଆମକୁ ବଧାଇ ଜଣାଇଲେ । ଆମର ଅଜସ୍ର ପ୍ରଶଂସା କଲେ । କେତେକ ଲୋକ ମତଦେଲେ ଯେ, ଏଇ ଗୋଟାଏ ବାଘ ଗୋରୁମାରୁଥିଲା ଓ ମଣିଷ ବି ମାରୁଥିଲା; କିନ୍ତୁ ସେମାନଙ୍କଠାରୁ ଆମେ ଅଧିକ ଜାଣିଥିଲୁ । ତେଣୁ ସେ ଆଖପାଖରେ ଆମେ ରହିଲୁ । ପ୍ରତି ମୁହୂର୍ତ୍ତରେ ଆମେ ମଣିଷମାରୁର ଖବରପାଇଁ ଟାକିରହିଥାଉ । ବାଘୁଣୀଟାର ସାଥୀ ମରିଚି, ଏଥିରେ ସେ ସେଇ ଅଞ୍ଚଳ ଛାଡ଼ି ଚାଲିଯାଇପାରେ । ସେମିତିହେଲେ ଏପାଖେ ହଠାତ୍ ମଣିଷମାରିବା ଖବର ମିଳିନପାରେ । ମାତ୍ର ଅଞ୍ଚଳ ଛାଡ଼ି ନଗଲେ ସେ ନିଶ୍ଚୟ ମଣିଷ ମାରିବ । ଚାରିଦିନ ଚାରିରାତି ଖାଲି ଏଇ ବାଘୁଣୀଟାକୁ ଖୋଜିବାରେ ଗଲା । ଚିତାଲଦୁର୍ଗଯାଏ ରାତିସାରା କାର୍‌ ଦ‌ଉଡ଼ାଉ । ଯେତେ ଯେତେ ପାହାଡ଼ିଆ ଜଙ୍ଗଲ ବାଟ ଅଛି, ସେସବୁ ଖୋଜୁଥାଉ କାଳେ ବାଘୁଣୀ କି ଭେତିଯିବୁ । ମାତ୍ର ବିଫଳ ହେଲା ସବୁ-

 

ପଞ୍ଚମଦିନ ସକାଳ ହେଲା, ମଧ୍ୟାହ୍ନ ଏଇ ହେବ । ଆମେ ଯୋଉ ସମ୍ବାଦ ଚାହିଁଥିଲୁ, ପାଇଲୁ । ଚିତାଲଦୁର୍ଗର ଅମିଲଦାର ତିନି ଜଣ ଡାକୁଆ ପଠାଇଥିଲେ । ସେମାନେ ଆମକୁ କହିଲେ ସେ ଆଗ ସନ୍ଧ୍ୟାରେ ପିଲାକୁ ବାଘ ବୋହିନେଇଚି । ଯୋଗୀମାଠ ପାଖାପାଖି ଥିବା ପାହାଡ଼ତଳେ ଗୋଟିଏ କୁଡ଼ିଆରେ ଏ କାଣ୍ଡ ଘଟିଚି । ଆଗକୁ ଯୋଗୀମାଠ କଥା କହିଛି । ବିତାଲଦୁର୍ଗ ସହରର ଦକ୍ଷିଣରେ ଯୋଗୀମାଠ, ପରିତ୍ୟକ୍ତ ପୁରୁଣା ଦୁର୍ଗଟାଏ ।

 

ଆମେ ସେ ଜାଗାକୁ କାର୍ ଚାଲାଇ ଗଲୁ । ଦେଖିଲୁ ସେ କୁଡ଼ିଆ । ଠିକ୍ ବେଳବୁଡ଼ିକୁ ସେ କୁଡ଼ିଆର ଦ୍ଵାରପାଖକୁ ବାଘଟା ପିଲାଟିକୁ ଉଡ଼ିନେଇଥାଏ । କୁଡ଼ିଆର ଦକ୍ଷିଣାଆଡ଼ଟା ଖାଲି । ତେଣୁ ବାଘଟା ପାହାଡ଼ଆଡ଼କୁ ଶିକାରକୁ ନେଇଚି ଭାବିବା ଯଥାର୍ଥ । ଏହାଇ ସେ ଗାଁଲୋକେ କହୁଥିଲେ । ହୋଇପାରେ, ପୁରୁଣା ଦୁର୍ଗ ଭିତରେ ବାଘ ଏବେ ସୁଦ୍ଧା ଶିକାରକୁ ଲୁଚାଇ ରଖିଥିବ ।

 

ବାଟ ଖୋଜି ଖୋଜି ମୁଁ ଉପରଆଡ଼କୁ ଆଗେଇଲି । ଠିକ୍ ପାଞ୍ଚଟା ପରେ ସେଇ ଭଙ୍ଗା ଦୂର୍ଗରେ ପହଞ୍ଚିଲି । ଦୁର୍ଗର କାନ୍ଥଗୁଡ଼ିକ ଅନେକଦିନରୁ ଭାଙ୍ଗିରୁଜି ଗଲାଣି । ଗୋହିରା ଗଛ ଏବଂ ନାନା ବଣବୁଦାରେ ଦୁର୍ଗ ଏବଂ ଗଡ଼ଖାଇ ପରିପୂର୍ଣ୍ଣ । ଏଇଠି ମୋ’ ସାଙ୍ଗରେ ଥିବା ଚାରିଜଣ ଲୋକ କହିଲେ ଯେ ସେମାନେ ବାହାରେ ରହିବେ । ସେମାନେ ମୋ’ ଫେରିବାକୁ ଅପେକ୍ଷା କରି ରହିବେ । ସେମାନେ ପାଖରେ ଥିବା ଗୋଟାଏ ବଡ଼ ଉଦୁମ୍ଵର ଗଛରେ ଚଢ଼ି ରହିବା ଠିକ୍ ହେଲା । ଏ ଗଛରେ ଚେରସବୁ ଗଡ଼ର କଣ୍ଟା ଫଟାଇ ଭିତରକୁ ଯାଇଥିଲା । ଗଛଟା ଯେମିତି ଉଚ୍ଚା ସେମିତି ବଡ଼ ଓ ଝଙ୍କାଲିଆ ।

 

ଖୁବ୍ ସତର୍କତା ସହ ଯାଉଥାଏ । ସବୁବେଳେ ଭଙ୍ଗାପାଚେରୀ ଉପରେ ଉପରେ ଚାଲୁଥାଏ । ଏଥିରେ ବିଭିନ୍ନ ବୁଦାଠାରୁ ମୁଁ ଉପରେ ରହିବି । ସେ ବୁଦା କଣ୍ଟା ଲଟାରେ ଏମିତି ଘଞ୍ଚ ହୋଇଥାଏ ଯେ, ତଳକୁ ଚାହିଁ ଦେଖିବା ସମ୍ଭବନଥାଏ । ବାଘଟା ଯଦି ଏକଗଜ ଦୂରରେ ଲୁଚିଥବ ତାହେଲେ ବି ଦେଖିହେବନି ।

 

ମୋର ଆଗେଇବା ଖୁବ୍ ଧୀର ଓ ଶ୍ରମସାପେକ୍ଷ । କାନ୍ଥର ସେ ମୁଣ୍ଡରେ ପହଞ୍ଚିଲାବେଳକୁ ମୁଁ ଝାଳରେ ପୂରାପୂରି ତିନ୍ତିଯାଇଥାଏ । ହାଲିଆରେ ସିଁ ସିଁ ନିଶ୍ଵାଃସ ଛାଡ଼ୁଥାଏ । ଖୁବ୍ କ୍ଳାନ୍ତ ହୋଇପଡ଼ିଥାଏ । ଏତେବେଳକୁ ସୂର୍ଯ୍ୟ ପଶ୍ଚିମ ଦିଗ୍‌ବଳୟ ଖୁବ୍ ପାଖରେ ଥାଏ । ଦିଶୁଥାଏ ଗୋଟିଏ ସୁନ୍ଦର ସୁନାପେଣ୍ଡୁ ପରି ।

 

ବହୁ ବର୍ଷ ଆଗକୁ ମୁଁ ଏଇ ଗଡ଼କୁ ଆସିଥିଲି । ବର୍ତ୍ତମାନ ମୁଁ ଯେଉଁ ଅଂଶରେ ଅଛି ତା’ର ସାମ୍ନାରେ ଦିନେ ଅନେକ ଅନ୍ଧାର କୋଠରୀ ଥିଲା । ସେ କୋଠରୀ ଗୁଡ଼ିକରେ ଝରକା ନଥିଲା, ଥିଲା ଖାଲି ମୋଟା ମୋଟା କାନ୍ଥ ଭାଙ୍ଗି ଗଦାହେଇଯାଇଥାଏ । ତେଣୁ ଆଗକୁ ଯିବା ବଡ଼ କଷ୍ଟପ୍ରଦ ଏବଂ ଏକପ୍ରକାର ଅସମ୍ଭବ ହୋଇଥାଏ । ତଳେ ଥିବା ବୁଡ଼ାଗୁଡ଼ିକ ଭିତରେ ଯିବାକୁ ମୁଁ ପସନ୍ଦ କରୁନଥାଏ । ମାତ୍ର ଅବିକା ଅବସ୍ଥା ଅଲଗା । ମୋତେ ସେଇ ବୁଦାଗୁଡ଼ିକ ଭିତରେ ଗତି କରିବାକୁ ହେବ, ନହେଲେ ମୋତେ ପଛକୁ ଫେରିବାକୁ ପଡ଼ିବ । ପ୍ରାୟ ଶହେଗଜ ଦୂରରେ ଭଙ୍ଗା ପାଚେରୀ ପୁଣି ମିଳିବ । ଏଣେ ସମୟ ନାହିଁ । ଯାହା କରିବି ଶୀଘ୍ର କରିବି । ଭାବିଲ ବୁଦା ଭିତରବାଟେ ଯାଏ-। ଏଥିରେ ବିପଦର ସମ୍ଭାବନା ଖୁବ୍ ବେଶି । ଯାହାହେଉ ପଛେ ଫେରିବାଟା ଭଲ ଦିଶିବନି-। ମୁଁ ଏଥର ବୁଦା ଆଡ଼େଇ ଆଡ଼େଇ ଚାଲିଲି । ଯଥାସମ୍ଭବ ନିଃଶବ୍ଦରେ ଚାଲିଥାଏ । ମାତ୍ର ନୀରବତା ଆଉ ସମ୍ଭବ ହେଲାନି । ମୋ’ ଲୁଗାପଟାର ଅନେକ କଣ୍ଟା ଲାଗିଲା । ସେ କଣ୍ଟା ଛଡ଼ାଇବା ଦରକାର । ତେଣୁ ଶବ୍ଦଶୂନ୍ୟତା ରହିଲାନି । ବରଂ ପ୍ରତି ମୁହୂର୍ତ୍ତରେ ମୁଁ ବେଶ୍ ଶବ୍ଦ ଗୁଡ଼ାଏ କରିବାକୁ ବାଧ୍ୟହେଉଥାଏ ।

 

ଏଥର ମୁଁ ସେଇ ଅନ୍ଧାର କୋଠରୀଗୁଡ଼ିକରେ ଭଙ୍ଗାଅଂଶରେ ପାଖକୁ ଆସିଯାଇଚି । ଆଉ ଏ ଯୋଗୀମାଠର ଯଦି କୌଣସି ଅଂଶରେ ମଣିଷମାରୁଟା ଲୁଚିଥାଏ, ତେବେ ଏହାହିଁ ହେଉଛି ସେ ଜାଗା । ଏମିତି ଅବସ୍ଥାରେ ହଠାତ୍ ମୋ’ ଦେହରେ ଏକ ଶିହରଣ ଖେଳିଗଲା । ମୋ’ର ଷଷ୍ଠ ଇନ୍ଦ୍ରୀୟ କାମ କଲା । ମୁଁ ଜାଣିଲି ପ୍ରକୃତରେ ମୁଁ ଜନ୍ତୁଟାର ଖୁବ୍ ପାଖରେ ପହଞ୍ଚିଯାଇଚି । ମନେହେଲା, ବାଘ ମତେ ଅନିଷା କରି ରହିଚି, ଯେ କୌଣସି ମୁହୂର୍ତ୍ତରେ ସେ ମୋତେ ଆକ୍ରମଣ କରିବ । ତେଣୁ ଏ ବୁଦାଗହଳରୁ ମୁଁ ଶୀଘ୍ର ବାହାରିଯିବା ଦରକାର । ମୋ’ ମନ ମୋତେ ବାରମ୍ଵାର ଏ ଦିଗରେ ସତର୍କ କରାଇ ଦେଉଥାଏ । ମୁଁ ଥରେଅଧେ ସେ କଥା ଉପରେ ଜୋର୍ ଦେଲିନି । ମାତ୍ର ମନଟା ଏମିତି ଲାଗିଲା ଯେ, ମୁଁ ଖୁବ୍ ଶୀଘ୍ର ଉଚ୍ଚତର ଜାଗାଆଡ଼କୁ ଚାଲିଲି-

 

ତିରିଶି ଗଜ–କୋଡ଼ିଏ ଗଜ–ପନ୍ଦର ଗଜ–ତା’ପରେ ଗୋହିରା ଗଛର ସେ ପାଖୁଁ ଗାଉଁ ଗାଉଁ ଗର୍ଜନ ସହ ଦେଖାହେଲା ଗୋଟାଏ ବାଘର ମୁହଁ । ତା’ ନ ପଛକୁ ହେଇଚି । ମୋ ଉପରକୁ ଲମ୍ପ ଦେବାର ପୂର୍ବ ସୂଚନା । ଏଡ଼େ ଆଁ କରିଥାଏ ତା’ ଦାନ୍ତ ଗୁଡ଼ାକ ଫିଟି ଦିଶୁଥାଏ ।

 

ବାଘଟା କୁଦାମାରିବାକୁ ଆରମ୍ଭ କରିଚି–ମୋ’ ଗୁଳି ଛୁଟିଲା । ତାର ପୂରା ମେଲା ପାଟି ଭିତରେ ଗୁଳି । ଉଚ୍ଚା ଜାଗାକୁ ଯିବା ଚେଷ୍ଟାରେ ମୁଁ ପ୍ରାୟ ଅନ୍ଧ ହୋଇଗଲି । ଗୋହିରାକଣ୍ଟାରେ ମୋ’ ଲୁଗାପଟା ଚିରିଗଲା । ମୋ ଦେହସାରା କଣ୍ଟା ଚିରି ପକାଇଲା । ମୋ’ ପଛପାଖେ କ’ଣ ଘଟିଗଲା ମୁଁ ଜାଣେନି ।

 

ବାଘଟାର ମୁଣ୍ଡ ଉପରଟା ଛତ୍ରଚାଉଳ ହେଇଯାଇଥାଏ । ମାତ୍ର କ୍ରୋଧଜର୍ଜର ହିଂସ୍ର ଜନ୍ତୁଟା ମୋତେ ଧରିବାକୁ ମାଡ଼ିଆସୁଥାଏ । ପ୍ରାୟ ପନ୍ଦର ଗଜ ପାର ହେଇ ମୁଁ ଠିକ୍ ସମୟରେ ବୁଲିପଡ଼ିଲି । ଜୀବଟା ମୋଠୁ ମାତ୍ର ଦୁଇଗଜ ଦୂରରେ ଥାଏ । ତା’ ଖପୁରିର ଫାଳେ ନଥାଏ । ସେଠି ଥାଏ ଏକ ବଡ଼ ଲାଲ ଗାତ । ମୁଁ ଡରରେ ଛାନିଆଁ ହେଇ ଗଲି । ମୁଁ ଲାଗ ଲାଗ ଚାରିଥର ଗୁଳି ଚଳାଇଦେଲି ତା’ ଉପରକୁ । ବାଘର ଅସ୍ତିତ୍ଵ ରହିଲାନି । ସେଇଟା ଗୋଟାଏ ପାଖକୁ ତଳିପଡ଼ିଲା । ଭଙ୍ଗା କାନ୍ଥରେ ଗୋଟାଏ ଗଦା ଉପରେ ଥର ଥର ମୁଁ ବସିପଡ଼ିଲି । ସଂଜ୍ଞାହୀନ ପ୍ରାୟ ହୋଇଗଲି । ଭୀଷଣ ଅସୁସ୍ଥ ।

 

ପ୍ରାୟ ଦଶ ମିନିଟ୍ ପରେ ମୁଁ ପ୍ରକୃତିସ୍ଥ ହେଲି । ମୋ’ ଶକ୍ତି ଫେରିଆସିଲା । ମୁଁ ଉଠି ଠିଆହେଲି । ମୋ’ ପାଖରେ ଥିବା ବାଘର ଶବଟା ରକ୍ତରେ ଭାସୁଥାଏ । ସେ ଆଡ଼କୁ ଆଦୌ ଅନେଇଲିନାଇଁ । ବଡ଼ ପାଚେରିର ବାକି ଅଂଶରେ ଚାଲି ଚାଲି ମୁଁ ଗଡ଼ଟାରୁ ପୂରା ପରିକ୍ରମା କଲି । ଯାଇ ପହଞ୍ଚିଲି ସେଇ ଡିମିରି ଗଛଠି ।

 

ସେମାନେ ବାଘର ଭୀଷଣ ଗର୍ଜନ ଶୁଣିଥିଲେ । ପୁଣି ଶୁଣିଥିଲେ ଲାଗ୍ ଲାଗ୍ ଗୁଳିର ବର୍ଷଣ । ତେଣୁ ସେମାନେ ଭାବିନେଲେ ସେ ବାଘ ମୁହଁରେ ମୁଁ ଯାଇଚି । ସେ ଅବସ୍ଥାରେ ସେମାନଙ୍କର କ’ଣ କର୍ତ୍ତବ୍ୟ, ସେମାନେ ସେଇ ଦ୍ଵନ୍ଦ୍ଵରେ ପଡ଼ିଥିଲେ । କେହି କେହି କହୁଥିଲେ ନିଜ ନିଜ ଘରକୁ ଧାଇଁ ପଳାଇଯିବାକୁ । ଆଉ କେହି କହୁଥିଲେ ଅନ୍ଧାରରେ ଫେରିଯିବାଟା ନିରାପତ ହେବନି–ସମ୍ଭବ ବି ହେବନି–ତେଣୁ ସେଇ ଗଛରେ ରାତି କାଟିବେ । ମୁଁ ଯେ ବଞ୍ଚିକରି ଫେରିବି, ଏକଥା ସେମାନେ କେବେହେଲେ କଳ୍ପନା କରି ପାରିନଥିଲେ ।

 

ସେମାନଙ୍କୁ ଡାକିଲି । ମୁଁ ସେମାନଙ୍କୁ ଧରି ଫେରିଲି । ପ୍ରାୟ ଏକ ଫର୍ଲଂ ବାଟ ପାରିହୋଇଥାଏ, ଦେଖିଲି ମାକ୍‌ଙ୍କୁ । ତାଙ୍କ ସହିତ ଆଉ ଦୁଇଜଣ ଲୋକ । ସେ ଯୋଉଠି ବସିଥିଲେ, ସେଠିକି ମୋର ଲାଗ୍‌ଲାଗ୍ ଗୁଳି ମାରିବାର ଶବ୍‌ଦ ଶୁଭିଥିଲା । ସେ ମୋର ଅନ୍ତରଙ୍ଗ ବନ୍ଧୁ । ତେଣୁ ପ୍ରକୃତ ବନ୍ଧୁ ପରି ସେ ଧାଇଁଆସୁଥାଆନ୍ତି–ବିପଦବେଳେ ବନ୍ଧୁର ସାହାଯ୍ୟପାଇଁ । ମୋର ପୋଷାକପତ୍ର ଛିଣ୍ଡା, ମୋର ଦେହ କଣ୍ଟାରେ କ୍ଷତବିକ୍ଷତ । ଏହା ଦେଖି ତାଙ୍କ ମୁହଁରୁ ହସ ଲିଭିଗଲା । ସେ ଲାଲମୁହଁଟା ଧଳାହୋଇଗଲା । ପାଗଳ ପରି ଛୁଟିଆସିଲେ ସେ । କୁଣ୍ଢେଇନେଲେ । ତାଙ୍କର ସନ୍ଦେହ ହେଲା–ବାଘ ମୋତେ ରାମ୍ପୁଡ଼ି ବିଦାରି ପକାଇଚି ।

 

ସେଇଠି ମୁଁ ଚକାପକାଇ ବସିପଡ଼ିଲି । ସିଗାରେଟ୍ ଧରାଇଲି । ଧୂଆଁ ଛାଡ଼ୁ ଛାଡ଼ୁ ଯାହା ଯାହା ଘଟିଥିଲା ବର୍ଣ୍ଣନା କଲି । ସେ ମୋତେ ସହସ୍ର ବଧାଇ ଜଣାଇଲେ । ସିଗାରେଟ୍ ପିଉ ପିଉ କହିଲି, ‘ବନ୍ଧୁ, ସିଗାରେଟ୍ ଆଉ ଥରେ ପିଇବି ଏ ଆଶା ମୋର ନ ଥିଲା । ସେଇ ଲାଲଟକଟକ ଭୟଙ୍କର ମୁହଁଟାରେ ହିଂସା ଓ ମୃତ୍ୟୁର ପରୱାନା ଏତେ ନିକଟକୁ ଆସିଯାଇଥିଲା !”

 

ସେଇ ରାତିରେ ଆମେ ବାଘଟାକୁ କାର୍‌କୁ ଆଣି ବାନ୍ଧିଲୁ । ତାକୁ ଚିତାଲଦୁର୍ଗ ସହରକୁ ନେଲୁ । ଆମେ ଯାହା ସବୁ ଭାବୁଥିଲୁ ସେସବୁ ସତ ହେଲା । ସେ ଜୀବଟା ଥିଲା ବାଘୁଣୀଟାଏ । ସେ ପୁଣି ପ୍ରକୃତରେ ଅଳ୍ପ ନରଖାଦକ । ସେଇ ପିଲାଟିକୁ ସେ ମାରିଥିଲା । ମୋ’ ପ୍ରତି ତା’ର ଯୋଉ ରାଗ...ଏଇସବୁ କାରଣରୁ ଇ ହୋଇଥିଲା । ତା’ପର ଭୋର ସକାଳୁ ସକାଳୁ ଆମେ ବାଘୁଣୀଟାର ଚମଡ଼ା ଉତାରୁଥାଉ । ଅମିଲଦାର ଆସି ପହଞ୍ଚିଲେ । ତାଙ୍କର ଛୋଟ ପ୍ରିୟ ଜ୍ଞାତିଟିକୁ ଯୋଉ ଜୀବ ମାରିଚି, ତାକୁ ଦେଖିବାକୁ ସେ ମନ କରିଥିଲେ । ଫରେଷ୍ଟ ଅଫିସର୍ ତଥା ଆହୁରି ଶହ ଶହ ଅଧିବାସୀ ମଧ୍ୟ ଆସିଥିଲେ । ଆମେ ସେଇ ସନ୍ଧ୍ୟାରେ ବାଙ୍ଗାଲୋର ପଥରେ ବାହାରିଲୁ–ସାଙ୍ଗରେ ଆଉ ଦୁଇଟା ବାଘର ଚମଡ଼ା ନେଇ । ଏପ୍ରକାର ଯୋଡ଼ି ଆମେ ଆଗରୁ ଦେଖିନଥିଲୁ–ଶୁଣି ବି ନ ଥିଲୁ । ଅତି ଆଶ୍ଚର୍ଯ୍ୟ ଏ ଯୋଡ଼ି–ଗୋଟିଏ ନରଭୋଜୀ–ଗୋଟାଏ ଗୋରୁଭୋଜୀ !

 

ବାଘୁଣୀର ଚମଡ଼ା ଛଡ଼ାଉଥିଲାବେଳେ ମୁଁ ଭାବୁଥାଏ–ଏଇଟା ମଣିଷଖିଆ ଶୈତାନୀ ହେଲା କିଆଁ ? ତା’ ଦିହରେ କିଛି ଖୁଣ ନାହିଁ କିଆଁ ? କହୁଥିଲି–ଏ ଜିଲାରେ ପୁରୁଷ ପୁରୁଷ ଧରି ମଣିଷଖିଆ ବାସ ରହିଆସିଛନ୍ତି । ଏ ବାଘୁଣୀଟା ସେଇ ଗୋଷ୍ଠୀର । ତା ରକ୍ତରେ ମଣିଷ ମାରିବାର ଧାରା ରହିଥିଲା । ମାକ୍ ଯୋଉ ବଡ଼ ବାଘଟି ମାରିଥିଲେ ତା ବିଷୟରେ ବି ଏ ପ୍ରକାର ଗୋଟିଏ ଅଭିମତ ଦିଆଯାଇପାରେ । ସେଇଟା ଥିଲା ଗୋଟାଏ ସାଧାରଣ ବାଘ । ସେ ଗୋରୁ ମାରୁଥିଲା । ମଣିଷ ମାଂସ ସେ ଚାଖିନଥିଲା ।

 

ନଭେମ୍ବରରୁ ଜାନୁୟାରୀ–ଏ ତିନିମାସ ବାଘମାନଙ୍କର ସଙ୍ଗମ ସମୟ । ବାଘୁଣୀଟା ଏ ସମୟର ଶେଷାଂଶରେ ବାଘକୁ ଭେଟିଚି । ତେଣୁ ତା’ ସହିତ ବେଶି ସମ୍ପର୍କ ରଖିପାରିନି । ତା’ର ମଣିଷ ମାରିବା ଦୁର୍ଗୁଣରେ ସେ ବାଘକୁ ସଂକ୍ରମିତ କରିପାରିନି । ଏ ବାଘୁଣୀର ପିଲା ହେଇଥିଲେ ସେ ମଣିଷମାରିବା ଶିଖାଇଥାଆନ୍ତା ସେମାନଙ୍କୁ । ତା’ହେଲେ ସେ ଜିଲାରେ ମଣିଷଖିଆ ବାଘର ବଂଶ ବଢ଼ିଥାଆନ୍ତା ।

 

ଆମେ ଆଉ ଏକ ବାଘର ଉପସ୍ଥିତି ଥିବା ସନ୍ଦେହ କରିଥିଲୁ । ବିଦାୟ ନେଲାବେଳେ ସେଠାର ସମସ୍ତ ଅଫିସର୍ ଓ ଲୋକଙ୍କୁ ଏ ସନ୍ଦେହ କଥା ମଧ୍ୟ ପ୍ରକାଶ କରିଥିଲୁ । ଅନୁରୋଧ ଥିଲା, ସେ ପ୍ରକାର କୌଣସି ମଣିଷ ମାରିବା ଘଟିଲେ, ଆମମାନଙ୍କୁ ଶୀଘ୍ର ଜଣାଇବେ । ମାତ୍ର ଏହା ପରେ ଆମେ ସୁଖବରସବୁ ପାଇଲୁ । ବାଘୁଣୀର ମୃତ୍ୟୁ ପରେ ସେଠୁ ଆଉ ବାଘ ମଣିଷ ମାରିବା ଖବର ଆସିନି । ତେଣୁ ଆମେ ଜାଣିଲୁ ସେଇ ବାଘୁଣୀ ଏତେସବୁ ନରହତ୍ୟା କରିଥିଲା । ଯୋଗୀମାଠର ବାସିନ୍ଦା ଏ ବାଘୁଣୀର ମୃତ୍ୟୁରେ ଫ୍ରେଡ୍‌ ଟଡ୍‌ ଏବଂ ତା’ର ଉଦରସ୍ଥ ହୋଇଥିବା ଅନ୍ୟମାନଙ୍କ ମୃତ୍ୟୁର ପ୍ରତିଶୋଧ ହୋଇଗଲା ।

Image

 

Unknown

ପାନାପତ୍ତିର ପାଗଳ ହାତୀ

 

ସେ ଥିଲା ଛୋଟ ଜୀବଟିଏ । ଛୋଟମାନେ ତା’ ଜାତିର ଅନ୍ୟ ଜୀବମାନଙ୍କ ତୁଳନାରେ ଛୋଟ । ସାଢ଼େ ସାତଫୁଟ ଉଚ୍ଚ । ମୁଁ ତାର ଆଗାପାଦର ମଡ଼ା ମାପିଚି । ଛୋଟ ଚିହ୍ନଗୁଡ଼ିଏ । ଭାରତର ସାଧାରଣ ହାତୀ ଏହାଠୁ ପ୍ରାୟ ବଡ଼ । ତେଣୁ ତା’ର ଆକାର ପ୍ରକାର ନ ଥିଲା । ଏଥିରେ ତା’ର ଯୋଉ ହାନିହୋଇଥିଲା, ସେ ସବୁକୁ ସେ ଅସୁଲ କରିଥିଲା ତାର ସାହସ ଦ୍ଵାରା । ଖୁବ୍ ଧ୍ରୁର୍ତ୍ତ, ଖୁବ୍ ସାହସୀ । ମଣିଷ ଜାତି ପ୍ରତି ତାର ଅସମ୍ଭବ ଘୃଣା । ତେଣୁ ମଣିଷ ଜାତିକି ସୁବିଧା ପାଇବା ମାତ୍ରକେ ଖତମ୍ କର–ଏହାର ଥିଲା ଏ ହାତୀର ଜିଦ୍, ପଣ ଓ ଲକ୍ଷ୍ୟ ।

 

ଏକଦାନ୍ତିଆ । ସେ ଦାନ୍ତ ପୁଣି ମାତ୍ର ଅଠରଇଞ୍ଚର । ଅନ୍ୟ ଦାନ୍ତଟି ଭାଙ୍ଗି ଛୋଟ ହୋଇ ଯାଇଥାଏ । ଲୋକେ କହନ୍ତି କାବେରୀ କୂଳରେ ଥିବା ହାତୀଦଳର ଦଳପତି ବଡ଼ ଦନ୍ତାହାତୀ ଏ ଦାନ୍ତଟିକୁ ଭାଙ୍ଗି ଦେଇଚି । ସେ ଥିଲା ସେଇ ଦଳରେ । ଦଳର ଅନ୍ୟ ହାତୀମାନଙ୍କ ତୁଳନାରେ ସେ ଥିଲା ଟିକେ ଦୁଃସାହସୀ; ତା’ ସହିତ ମିଶିଥିଲା ଅନେକ ଆକାଂକ୍ଷା । ବୋଧହୁଏ ସେ ଆଶାକରୁଥିଲା ଦନ୍ତା ଦଳପତି ପରି ଦଳ ତା’ କଥାରେ ଚଳୁ । ସେ ପୁଣି ଦଳରେ ଥିବା ହାତୁଣୀମାନଙ୍କ ଉପରେ ଆଖି ପକାଇଲା; ତା’ ମଧ୍ୟ ଦଳପତି ମହାଶୟଙ୍କ ଆଗରେ । ଦଳପତି ରାଗରେ ଗର୍ଜନ କଲା । ସେଥିରେ ତା’ର କିଛି ଅଦଳବଦଳ ହେଲାନି । ସେ ହାତୁଣୀମାନଙ୍କ ପ୍ରତି ତାର ସ୍ନେହ ଜଣାଇଲା । ଦଳପତି ତାକୁ ତଡ଼ିଦେବାକୁ ଚେଷ୍ଟାକଲା । ସେ ତା’ର ପ୍ରତିରୋଧ କଲା । ସେ ଯୁଦ୍ଧ ଘୋଷଣା କଲା ।

 

ଉଭୟଙ୍କ ମଧ୍ୟରେ ଲଢ଼େଇ ହେଲା । ଦଳପତି ଥିଲା ଅଭିଜ୍ଞ । ଦେହରେ ତାର ଅନେକ ବଳ । ସେ ସମସ୍ତ ତାର ଅନୁକୂଳ ହେଲା । ଛୋଟହାତୀ ହାରିଲା । ଖୁବ୍ ମାଡ଼ ଖାଇଲା । ଖଣ୍ଡିଆ ଖାବରା ହେଲା । ତା’ ଦିହର ଦୁଇ ପାଖ କଣାହେଇଚି । ଦଳପତିର ଶକ୍ତିଶାଳୀ ଦାନ୍ତ ତା’କୁ କ୍ଷତବିକ୍ଷତ କରିଚି । ନିଜ ଦାନ୍ତରୁ ଗୋଟାଏ ଏ ଯୁଦ୍ଧରେ ଭାଙ୍ଗିଚି । ସେ ବହୁ କଷ୍ଟ ପାଇଚି । ଅନେକଦିନ ଧରି ତାର ଦାନ୍ତ ପୀଡ଼ାହୋଇଚି ।

 

ଏମିତି ନିରାଶ ହୋଇ, ଅପମାନ ପାଇ ସେ ଦଳର ପାଖାପାଖି ଅନେକଦିନ ବୁଲାବୁଲି କରିଚି । ମାତ୍ର ଦିନକପାଇଁ ସେ ଦଳ ଭିତରକୁ ଯାଇନି । ସେ ଯେ ଦଳରୁ ବିତାଡ଼ିତ ! ଭୟାନକ ଦଳପତି ତାକୁ ଗୋଡ଼େ ଗୋଡ଼େ ଜଗିଚି । ଦଳକୁ ଗଲେ ମାରିଗୋଡ଼ାଇଚି । ପାଖରେ ପୁରାଇଦେଉନି । ସେ ଏକାକୀ । ସେ ସଙ୍ଗହୀନ । ତା ମନଟା ରାଗରେ କୁହୁଳୁଚି । ସେ ଦୁନିଆଁଟାକୁ ବିଷ ମଣୁଚି ।

 

ଏମିତି ଅବସ୍ଥାରେ ସେ ଆଉ ଦଳର ପଛରେ ବି ଯାଉନି । ସେ ଏବେ ବହୁତ ସମୟ ଏକା ରହୁଚି, ଏକା ବୁଲୁଚି । ଦିନେ ସେ ଯାଉଥାଏ ଗୋଟାଏ ଜଙ୍ଗଲୀ ଶଗଡ଼ ରାସ୍ତାରେ । ହଠାତ୍ ବୁଲାଣି ପାଖରେ ଗୋଟାଏ ଶଗଡ଼ସହ ମୁହାଁମୁହିଁ ହୋଇଗଲା । ଶଗଡ଼କୁ ଟାଣୁଥିଲେ ଦୁଇଟି ପୋଢ଼ । ଶଗଡ଼ଟା ଭରାଥିଲା ସଜକଟା ବାଉଁଶରେ । ବାଉଁଶ କାଟିଥିଲା କଣ୍ଟ୍ରାକ୍‌ଟର । ତା’ ମୁଣ୍ଡକୁ ରାଗ ଚଢ଼ିଗଲା । ଦୁନିଆଁରେ ସେ କେଡ଼େ ହୀନିମାନିଆ ହୋଇଯାଇଚି ! ଏଇ କଥା ଭାବି ସେ ପାଗଳ ହୋଇଗଲା । ଧାଇଁଗଲା ଶଗଡ଼ ଆଡ଼କୁ । ଗାଡ଼ିଆଳ ଡେଇଁପଡ଼ିଲା । ସେ କୋଉଆଡ଼େ ଧାଇଁ ପଳାଇଗଲା । ମାତ୍ର ବିଚରା ପୋଢ଼ ଦୁଇଟି କୁଆଡ଼େ ଯିବେ ? ସେମାନେ ଜୁଆଳିରେ ବନ୍ଧା । ଶଗଡ଼ରେ ଅନେକ ବାଉଁଶ । ଓଜନିଆ ଭଡ଼ା । ପୁଣି ଗାଡ଼ିଆଳ ନାଇଁ । ସେମାନେ ସ୍ତମ୍ଭୀଭୂତ ହୋଇଗଲେ । ସେମାନେ ଠିଆହୋଇ ରହିଲେ । ଗଁ ଗଁ ବୋବାଇଲେ ।

 

ପାଗଳ ହାତୀଟା ଗାଡ଼ିଉପରେ ଆକ୍ରମଣ ଚଳାଇଲା । ବାଉଁଶ ଓ ଗାଡ଼ିକି ଦିଆସିଲି କାଠି ଭାଙ୍ଗିଲାପରି ଦଳିଦେଲା । ତା’ପରେ ତା’ ଦୃଷ୍ଟି ପଡ଼ିଲା ପୋଢ଼ଦି’ଟା ଉପରେ । ଗୋଟାଏ ପୋଢ଼ର ଲମ୍ବ ଶିଙ୍ଗକୁ ଧରି ସେ ଉଠାଇନେଲା । ରାସ୍ତାପାଖରେ ଗୋଟାଏ ବଡ଼ ହୁଡ଼ାଥାଏ । ସେ ହୁଡ଼ା ଉପରେ ସେ ପୋଢ଼ଟିକୁ କଚାଡ଼ିଦେଲା । ପରଦିନ ଦେଖାଗଲା, ପୋଢ଼ଟିର ଶିଙ୍ଗ ମୂଳରୁ ଉପୁଡ଼ିପଡ଼ିଚି–ତା’ ଦେହର ଅସ୍ଥି ସବୁ ଭାଙ୍ଗି କୁଟୁକୁଟା । ଆର ପୋଢ଼ଟିକୁ ହାତୀ ତା’ର ରକ୍ତାକ୍ତ ଦାନ୍ତରେ ଆକ୍ରମଣ କରିଥିଲା । ମାତ୍ର ସେ ଜୀବଟା ପ୍ରାଣଭୟରେ ଭଙ୍ଗା ଶଗଡ଼ଫାଳକ ନେଇ ଦଉଡ଼ି ପଳାଇଲା–ତା’ ସାଙ୍ଗ ପୋଢ଼ଟିପରି ସେ ମଲାନି–ସେ କୌଣସିମତେ ରକ୍ଷା ପାଇଗଲା ।

 

ହାତୀଟାର ମନରେ କେମିତି ଗୋଟାଏ ଅହଙ୍କାର ଆସିଲା । ସେ ହାରିପାରେନି–ଜିଣିପାରେ ବି । ସେ ମାଡ଼ଖାଇଲେ ବି ଅନ୍ୟ କେତେକ ଜୀବକୁ ମାଡ଼ ବି ଦେଇପାରେ । ସେଇ ଭାବନାରେ ହାତୀଟା ଅଧିକ ଦୁଷ୍ଟ ହୋଇଉଠିଲା । ତା’ପରେ ବହୁ ପଥଚାରିଙ୍କି ସେ ହଇରାଣ କରିଚି । ଅନେକ ଲୋକ ତା’ ଓଜନିଆ ପାଦତଳେ ପେଷିହେଇଯାଇଚନ୍ତି । ଆଉ କେତେକ ତା’ର ଶକ୍ତିଶାଳୀ ଶୁଣ୍ଢରେ ଉତ୍ତୋଳିତ ହୋଇ କରୁଣ ଚିତ୍କାର କରୁ କରୁ ପାଖର କୌଣସି ଗଛର ଗଣ୍ଡିରେ ଛେଚାଖାଇ ପଞ୍ଚତ୍ଵ ପାଇଚନ୍ତି ।

 

ଆକସ୍ମିକ ଭାବରେ ଏ ଦୁଷ୍ଟ ହାତୀସହ ମୋର ଦେଖାସାକ୍ଷାତ ହୁଏ । କାବେରୀ କୂଳରେ ହୋଗେନାଇକାଲ୍ । ପାନାପତିଠାରୁ ଚାରିମାଇଲ୍ ଦୂର । ସପ୍ତାହର ଶେଷରେ ମୁଁ ସେଠାକୁ ମାଛ ମାରିବାପାଇଁ ଯାଇଥାଏ । ଭାବୁଥାଏ ସୁବିଧା ମିଳିଲେ କୁମ୍ଭୀରଟାଏ ମାରିବି । କେହି କେହି କହିଥିଲେ ଶୈତାନଟା ସେ ପାଖେ ନ ଥିଲା । ସେ ଜଙ୍ଗଲକୁ ଗୋଟାଏ ହାତୀଦଳ ଚରିଆସିଥିଲା । ଦଳ ଆସିବାରୁ ଏ ହାତୀଟା ନଦୀ ଡେଇଁ କୋଏମ୍ବାଟୁର ଜିଲା ଆଡ଼କୁ ପଳାଇଯାଇଥିଲା ।

 

ଦ୍ଵିତୀୟଦିନର କଥା । ସେ ଦିନ ଭଲ ମାଛ ମିଳିନି । ବଡ଼ ଖରାପ ଲାଗୁଥାଏ । ମୁଁ ଫେରିଥାଏ ଅରଣ୍ୟର ବିଶ୍ରାମଶାଳାକୁ–ଚା’ ପାନପାଇଁ । ହଠାତ୍ ବଙ୍ଗଳା ପାଖରେ ରାବ ଶୁଭିଲା ଗୋଟାଏ ମୟୂରର । ଲୋଭେଇ ଉଠିଲା ମୋ’ର ମନ । ଭାବିଲି ମୟୂରଟାଏ ମିଳିଗଲେ ରାତିରେ ଭୋଜନପାଇଁ ଭଲ ମାଂସପୋଡ଼ା ହେବ ।

 

ଶଟ୍‌ଗନ୍‌ରେ ଏକନମ୍ବର ଗୁଳିରୁ ଦୁଇଚାରିଟା ଭରିଦେଲି । ଲମ୍ବ ବାଗରେ ଜଙ୍ଗଲ ପାରି ହେଇ ଗୋଟାଏ ଖୋଲାଜାଗାରେ ପହଞ୍ଚିଲି । ସେଓ ପାଖରେ ମୟୁର ବୋବାଉଥାଏ । ସାବଧାନତାର ସହ ମୁଁ ଶିକାର ଖୋଜୁଥାଏ । ଏମିତି ଯାଉ ଯାଉ ମୁଁ ଚିନାର ନଦୀର ଶୁଖିଲା ଶଯ୍ୟାରେ ଆସି ପହଞ୍ଚିଯାଇଥାଏ । ଚିନାର କାବେରୀର ଏକ ଉପନଦୀ । ସେଇଠୁ ପ୍ରାୟ ମାଇଲିଏ ତଳେ ଚିନାର ମିଶିଥାଏ କାବେରୀରେ ।

 

ଜୋତାରେ ମୋର ରବର ସୋଲ୍ । ନରମବାଲିରେ କୌଣସି ପ୍ରକାର ଶବଦ ହେଉ ନ ଥାଏ । ମୟୁର ତା’ର ଡେଣା ଝାଡ଼ୁଥାଏ–ସେ ପାଖ ତୀରରେ କୋଉ ଏକ ଜାଗାରେ । ମୁଁ ତା’ ଡେଣାର ଫଡ଼୍‌ଫଡ଼୍ ଶବ୍‌ଦ ଶୁଣିପାରୁଥାଏ । ଗୋଡ଼ ଚାପି ଚାପି ମୁଁ ମୟୁରର ପିଛା କରୁଚି ହଠାତ୍ ଏକ ତୀବ୍ର ତୂରୀର ଶବ୍ଦରେ ମୋ କାନ ଅତଡ଼ା ପଡ଼ିଗଲା । ପ୍ରାୟ ପଚାଶ ଗଜ ଦୂରରୁ ଧାଇଁଆସୁଥାଏ ହାତୀଟା । ମୁଁ ତା’ର ଆକ୍ରମଣର ଲକ୍ଷ୍ୟସ୍ଥଳ ।

 

ସେ ମୋ ଆଡ଼କୁ ମାଡ଼ିଆସୁଥାଏ । ମୁଁ କ’ଣ ତା’ ଆଗରୁ ଦଉଡ଼ି ପଳାଇଯାଇ ପାରିବି ! ମୋର ସେ ପ୍ରକାର ଚେଷ୍ଟା ନିଷ୍ଫଳ ହେବ । ହାତୀଗୁଡ଼ାକ ଖୁବ୍ ଶୀଘ୍ର ଅନେକ ପଥ ଅତିକ୍ରମ କରିପାରନ୍ତି । ତହିଁରେ ପୁଣି ମୋ ବାଟ ଥିଲା କଣ୍ଟକଗୁଳାକୀର୍ଣ୍ଣ । ତେଣୁ ମୁଁ ପଳାୟନର ବ୍ୟର୍ଥ ଚେଷ୍ଟା କଲିନି । ଅପରପକ୍ଷରେ ତା ଶୁଣ୍ଢକୁ ଲକ୍ଷ୍ୟକରି ମୁଁ ଧାଏଁ ଧାଏଁ ଗୁଳି ଚଳାଇଲି । ସେ ଜୀବଟା ମୋ’ଠୁ ମାତ୍ର ତିରିଶଗଜ ଦୂରରେ ଥାଏ ।

 

ଗୁଳିର ଘନ ଘନ ଗର୍ଜନରେ ବଣଭୂଇଁ ଥରିଗଲା । ହାତୀଟା ମଧ୍ୟ ଡରିଗଲା । ତା’ ଛଡ଼ା ତା’ ଥୋଡ଼ପାହାରରେ ଗୁଳି ବାଜିଥାଏ । ତେଣୁ ସେ ଅଳପ ସମୟ ପାଇଁ କିଂକର୍ତ୍ତବ୍ୟ ବିମୂଢ଼ ହୋଇପଡ଼ିଲା । ଏ ଭିତରେ ମୁଁ ମୋର ପରିଚିତ ବାଟକୁ ଫେରିଗଲି । ତା’ପରେ ଦେ ଦଉଡ଼ି । ସେ ପ୍ରକାର ଦଉଡ଼ ମୋ ଜୀବନରେ ମୁଁ କେବେ କରିନି । ଆଜି ଭାବିଲେ ମୁଁ ଆଶ୍ଚର୍ଯ୍ୟ ହୁଏ, ଏତେ ଜୋର୍ ମୁଁ ଦଉଡ଼ିପାରିଲି କେମିତି ! ବଙ୍ଗଳାରେ ପହଞ୍ଚିଲି । ଧରିଲି ମୋର ରାଇଫଲ୍ । ଲୋଉଟିଲି ସେଇ ବାଟରେ । ମାତ୍ର ସେ ଜାଗାରେ ଆଉ କିଛି ଦେଖି ପାରିଲିନି । ବଜ୍ଜାତ୍ ହାତୀଟା ସେଠି ନ ଥିଲା । ସେଇଟା ବିପରୀତ ଦିଗରେ ଯାଇ ଜଙ୍ଗଲ ଭିତରେ ଲୁଚିଯାଇଥିଲା । ତା’ର ପିଛା କରିବାକୁ ମୋ ମନ ବଳିଲାନି । ରାତି ଯେ ଆଗରୁ ମାଡ଼ିଆସୁଥାଏ !

 

ପରଦିନ ବାଙ୍ଗାଲୋର୍ ଫେରିବା କଥା । ସେଠି ବହୁତ କାମ ଥାଏ । ତେଣୁ ହାତୀଟାର ମୁକାବିଲା କରିବାକୁ ପ୍ରବଳ ଆଗ୍ରହ ଥିଲେ ବି ମୁଁ ଆଉ ରହିପାରିଲିନି । ତେଣୁ ପ୍ରଥମପାଳି ଲଢ଼େଇରେ ମୁଁ ପଛଘୁଞ୍ଚାଦେଲି । ପାନାପତ୍ତିର ଶୈତାନ ହାତୀକୁ ଏପାଳିର ମୁକାବିଲାରେ ଜୟଲାଭର ଗୌରବ ଦେବାକୁ ପଡ଼ିଲା ମୋତେ ।

 

ଏ ଭିତରେ ସରକାର ଦୁଷ୍ଟ ହାତୀଟାର ଦୌରାତ୍ମ୍ୟରେ ଅତିଷ୍ଠ ହୋଇପଡ଼ିଥିଲେ । ସେମାନେ ଏହାକୁ ଏକ ଅଦରକାରୀ ଭୟଙ୍କର ଜୀବ ବୋଲି ଘୋଷଣାକଲେ; କାଗଜପତ୍ରରେ ଲେଖି ବିଜ୍ଞାପନ ଦେଲେ । ଡେଙ୍ଗୁରା ଓ ଟମ୍ ଟମ୍ ବଜେଇ ଜଣାଇଲେ ଏବଂ ଏହାକୁ ମାରିଦେବାପାଇଁ ପାଞ୍ଚଶହ ଟଙ୍କାର ଗୋଟାଏ ପୁରସ୍କାର ମଧ୍ୟ ଦେବାକୁ ଅଙ୍ଗୀକାର କରିଥିଲେ ।

X X X

ସେଇ ଅଞ୍ଚଳର ଜଣେ ସାହସୀ ଶିକାରୀ ସେ । ଜଣେ ଭାରତୀୟ । ହାତୀଟାକୁ ଖତମ୍‌କରି ପୁରସ୍କାର ପାଇବାକୁ ସେ ଅଣ୍ଟାଭିଡ଼ି ବାହାରିଲେ । ତାଙ୍କ ଅଜିଯାନର କାହାଣୀ ମୁଁ ପରେ ଶୁଣିଲି । କଥାଟା ଏଇପରି–

୫୦୦ ଦୁଇନଳିଆ ବ୍ଳାକ୍ ପାଉଡ଼ର ଏକ୍‌ସପ୍ରେସ୍ ରାଇଫଲ ତାଙ୍କର । ସେଇଟା ଥିଲା ଗୋଟାଏ ପୁରୁଣା ଅସ୍ତ୍ର । ତାକୁ ସାଙ୍ଗରେ ନେଇ ସେ ପାନାପତ୍ତିରେ ପହଞ୍ଚିଲେ । ସେଇଠି ଶୁଣିଲେ ହାତୀଟା ଓ୍ଵାଦାପତ୍ତି ଜଙ୍ଗଲ ଅଞ୍ଚଳରେ ବୁଲୁଚି । ସେଇ ଚିନାର ନଦୀ, ଯାହାର କୂଳରେ ମୁଁ ସେଦିନ ଶୈତାନର ପାଦତଳେ ପ୍ରାୟ ମରଣୋନ୍ମୁଖୀ ହୋଇଥିଲି, ଏଇ ବଣକୁ ସୁନ୍ଦରଭାବରେ ପରିକ୍ରମା କରିଚି–ଅଙ୍କେଇ ବଙ୍କେଇ ବହିଯାଇଚି । ଏହା ଉତ୍ତର–ପଶ୍ଚିମରେ ଓ୍ଵାଦାପତ୍ତି ସଂରକ୍ଷିତ ଅରଣ୍ୟର ସୀମା ନିର୍ଦ୍ଦେଶ କରାଏ । ଏହାର ଅପର ତୀର ପେନ୍ନାଗ୍ରାମ ବ୍ଳକ୍‌ର ସୀମାନା ।

ଏ ଶିକାରୀ ଭଦ୍ରଲୋକ ଶୈତାନ ହାତୀଟାକୁ ଠାବ କରିବାପାଇଁ ଦୁଇଦିନ କାଳ କାଟିଲେ, ମାତ୍ର ବିଫଳ ହେଲେ । ତୃତୀୟ ରାତି ସେ କ୍ୟାମ୍ପରେ କଟାଉଥାଆନ୍ତି । ପେନ୍ନାଗ୍ରାମ ବ୍ଳକ୍‌ର ଅରଣ୍ୟ ମଧ୍ୟରେ ପ୍ରାୟ ଦୁଇମାଇଲ ଭିତରେ କ୍ୟାମ୍ପ । ଏଠାରୁ ଚିନାର୍ ଟିକେ ଦୂର । ଓ୍ଵାଦାଦଲି ବି ଦୂର । ହାତୀଟା ସେ ଅଞ୍ଚଳ ଛାଡ଼ି ଏ ପାଖକୁ କେବେ ଆସି ନଥିଲା ବୋଲି ଲୋକେ କହିଥିଲେ । ମାତ୍ର ଶିକାରୀଟି ସତର୍କତା ଅବଲମ୍ବନ କରିବାକୁ ତାଙ୍କ ସାଙ୍ଗମାନଙ୍କୁ କହିଥାଆନ୍ତି । ସେମାନେ ସେମାନଙ୍କର ଦୁଇ କ୍ୟାମ୍ପ ଚଉକତିରେ ନିଆଁ ଜାଳିଥାଆନ୍ତି । ତା’ଛଡ଼ା ସେମାନଙ୍କୁ ସେ ଯଥେଷ୍ଟ କାଠ ଜମାଇବାକୁ ବି କହିଥାଆନ୍ତି । ତା’ହେଲେ ଯୋଉମାନେ ରାତିରେ ପହରା ଦେବେ, ସେମାନେ ନିଆଁକୁ ବେଶଭାବରେ ଜଳାଇ ରଖି ପାରିବେ ।

ସେଦିନ ସେ ସମୟଟା ଥିଲା ସମ୍ପୂର୍ଣ୍ଣ ଶାନ୍ତ । ବିପଦର କୌଣସି ଆଶଙ୍କା ନଥିଲା । ତେଣୁ କ୍ୟାମ୍ପ ଭିତରେ ଶିକାରୀ ଶୋଇପଡ଼ିଲେ । ତାଙ୍କର ସାଙ୍ଗମାନେ ବି ଶୋଇଗଲେ ।

ସକାଳର ପ୍ରଥମଭାଗରେ ଏଇ ଶାନ୍ତ ବାତାବରଣକୁ ଅଶାନ୍ତି ଘୋଟିଆସିଲା । ଅଶାନ୍ତିର ଚିତ୍ର ନେଇ ଆସି ପହଞ୍ଚିଥିଲା ନିଜ ଏଇ ହାତୀ । ବୋଧହୁଏ ନିଆଁ ମଉଳିଯାଇଥିଲା, ଖାଲି ରଡ଼ଗୁଡ଼ିକ ଥିଲା । ସାଧାରଣତଃ ଅନ୍ୟ ଜୀବଜନ୍ତୁ କି ହାତୀ ନିଆଁର ପାଖ ମାଡ଼ନ୍ତିନି; ମାତ୍ର ଆଗରେ ଧଳା ତମ୍ବୁ ! ଏ ଜନ୍ତୁଟାର ମନରେ ଧ୍ଵଂସର ପ୍ରବଳ ପିପାସାକୁ ଉତ୍ତେଜିତ କରିଦେଲା । ସେ ନିଆଁ ଘେରକୁ ପରୀକ୍ଷାକଲା । ଗୋଟାଏ ସ୍ଥାନରେ ସାବଧାନହୋଇ ନିଆଁ ଘେର ପାରିହେଲା । ସେଇଠି ନିଆଁ ନଥିଲା । କ୍ରୋଧୋନ୍ନତ୍ତ ଭୟଙ୍କର ଗର୍ଜନକରି ସେ ତମ୍ବୁ ଉପରେ ମାଡ଼ିବସିଲା ।

ତମ୍ବୁର ଲୋକମାନେ ଏ ଶବ୍ଦ ଓ ବିକଟାଳ ଗର୍ଜନରେ ଉଠିପଡ଼ିଲେ । ପାଗଳ ହାତୀଟା ସେମାନଙ୍କ ଉପରକୁ ମାଡ଼ିଆସୁଚି ଜାଣି ଯିଏ ଯୁଆଡ଼େ ପାରିଲେ ପଳାଇଲେ । ସେଇ ଧଳା ତମ୍ବୁରେ ବାସକରୁଥିବା ସେଇ ହତଭାଗ୍ୟ ଶିକାରୀ ତାଙ୍କର ପୁରୁଣା ଏକ୍‌ସପ୍ରେସ୍‌‌କୁ ବ୍ୟବହାର କରିବାର ସୁବିଧା ପାଇପାରିଲେନି । ଜମ୍ବୁଟା ତାଙ୍କ ଉପରେ ଭାଙ୍ଗି ପଡ଼ିଲା । ହାତୀଟା ତମ୍ବୁକୁ ଦଳିମକଚିଦେଲା । ତା’ପରେ ତମ୍ବୁଟାକୁ ଟୁକୁରା ଟୁକୁରା କରି ଚିରିଲା । ଏମିତି ଚିରୁଥିଲା ବେଳେ ସେ ଦେଖିପାରିଲା ଶିକାରୀକି । ସେତେବେଳକୁ ସେ ବଞ୍ଚିଥିଲେ କି ମରିସାରିଥିଲେ କେହି ଜାଣେନି-। ଶୁଣ୍ଢରେ ଗୁଡ଼େଇ ସେ ଶିକାରୀକୁ ବୋହିନେଲା ନିକଟବର୍ତ୍ତୀ ଜଙ୍ଗଲକୁ–ସତେ ଯେମିତି ତାହା ଥିଲା ବିଜୟର ଚିହ୍ନ । ଜଙ୍ଗଲ ପାଖରେ ଥାଏ ଗୋଟାଏ ଖୋଲାଜାଗା, ସେଇଠି ସେ ଲୋକଟିକୁ ମାଟିରେ ପକାଇ ଦଳିଲା । ଏମିତି ଦଳିଲା ଯେ ଲୋକଟିର କୌଣସି ଚିହ୍ନ ରହିଲାନି । ହାତ ଗୋଡ଼ ସବୁ ମିଶିଗଲା ବଣଭୂଇଁର ଧୂଳିବାଲି ସହିତ । ଏ ସବୁ ମିଶି ତାହା ହୋଇଗଲା ମାଂସ ରକ୍ତ ଧୂଳିବାଲିର ଏକ ପିତୁଳା । ଶେଷକୁ ମଣିଷ ରକ୍ତର ଗନ୍ଧ ତାକୁ ଭଲଲାଗିଲାନି । ସେ ପିଣ୍ଡୁଲାଟାକୁ ଫିଙ୍ଗି ଦେଲା–ଫେରିଗଲା ୱାଦାପତ୍ତି ଜଙ୍ଗଲର ସାନ୍ଧ୍ରତା ଭିତରକୁ ।

ସରକାରଙ୍କ କାନକୁ ଏକଥା ଗଲା । ଏଥର ପୁରସ୍କାର ପରିମାଣ ଦୁଇଗୁଣ ହୋଇଗଲା–ଯିଏ ଜନ୍ତୁଟାକୁ ମାରିବ ସିଏ ଏକହଜାର ଟଙ୍କା ପାଇବ । ଏଇ ଅବସ୍ଥାରେ ମୁଁ ବାହାରିଲି ଦ୍ଵିତୀୟବାର ଲଢ଼େଇକୁ ।

 

ପାନାପତ୍ତିରେ ପହଞ୍ଚିଲି । ପ୍ରଥମେ ସେଇ ଦୁଃଖାନ୍ତକ ଘଟଣା ଘଟିଥିବା ଜାଗାକୁ ଗଲି । ଜନ୍ତୁଟାର କି ଦୁଃସାହସ–ସେ ଅଗ୍ନି ଘେରକୁ ଡେଇଁଯାଇଚି ! ମୁଁ ଆଶ୍ଚର୍ଯ୍ୟରେ ଚମକି ଉଠିଲି । ଯେଉଁ ଜାଗାରେ ସେ ଲୋକଟିକି ଦଳିମକଚି ମାଟିରେ ମିଶାଇ ଦେଇଥିଲା, ସେ ଜାଗାରେ ସ୍ପଷ୍ଟ ଚିହ୍ନ ଥାଏ, ମାତ୍ର ମଡ଼ାର କୌଣସି ଅଂଶ ନଥାଏ–ଶାଗୁଣା ସବୁ ସାରିଦେଇ ଥାଆନ୍ତି ।

 

ପାନାପତ୍ତିରେ ଫେରିଲି । ଜଣେ ଗୋରୁ ରଖୁଆଳ ସହିତ ଦେଖାକଲି । ହାତୀଟାକୁ ଠାବ କରିବାରେ ତା’ର ସାହାଯ୍ୟ ମାଗିଲି । ସେ ସେଇ ବଣ ବିଷୟରେ ପୋଖତ ଲୋକ । ପୁଣି ପଶୁଙ୍କୁ ଡଗରାଇବାରେ ମଧ୍ୟ ତାର ବହୁତ ଅଭିଜ୍ଞତା ଥାଏ ।

 

ଆମେ ଚିନାରର ବାଲୁକାଶଯ୍ୟା ଦେଖିଲୁ । ସେଠି ଯିବାଆସିବାର ଅନେକ ହାତୀଖୋଜ ଚିହ୍ନ । ଏଥିରୁ କୋଉଟା ଏ ପାଗଳର ସେଇଟାକୁ ଖୋଜିବା ବଡ଼ କଷ୍ଟକର କଥା । କୋଉ ଖୋଜକୁ ଡଗରାଇବୁ ! ତା’ଛଡ଼ା ହାତୀ କ’ଣ ସେ ପାଖାପାଖି ଅଛି ! ବୋଧହୁଏ ସେ ଏପାଖ ଛାଡ଼ି ଅନ୍ୟତ୍ର ଚାଲିଗଲାଣି । ହୁଏଇ ସେ ୱାଦାପତ୍ତି ଜଙ୍ଗଲ ଭିତରକୁ ପଶିଚି, କିମ୍ବା ଛୋଟ ପାହାଡ଼ ଡେଇଁ ମୂଳ କାବେରୀ ନଦୀ ଆଡ଼କୁ ଯାଇଚି । କିନ୍ତୁ ଠିକ୍ କରିପାରିଲୁନାହିଁ ।

 

ଚିନାର ଝରଣାର କୂଳେ କୂଲେ ତଳଆଡ଼କୁ ୱାଦାପତ୍ତିର ତଟଦେଶ ଏକ ଜାତିର ଫୁଲଗଛରେ ପୂର୍ଣ୍ଣ । ପ୍ରାୟ ଦୁଇମାଇଲଯାଏ ଏ ଫୁଲବଣ ଲମ୍ବିଚି ତ । ଖୁବ୍ ଡେଙ୍ଗା ଗଛ । ଅଗରେ କଅଁର, ଅଖୁଗଛର ଚଅଁରପରି ଦିଶେ । ସ୍ଥାନେ ସ୍ଥାନେ ଏ ଗଛଗୁଡ଼ିକ ଦଶଫୁଟ ଉଚ୍ଚହୁଏ । ଆମ୍ବଗଛର ଫୁଲଠୁଁ ଏ ଫୁଲ ଅଧିକ ସୁନ୍ଦର–ଅଧିକ ବଡ଼ । ସକାଳୁ ଏ ଫୁଲ ଗୁଡ଼ିକରେ କାକର ବିନ୍ଦୁ, ଲାଗିଥାଏ । କଅଁଳ ସୂର୍ଯ୍ୟକିରଣ ତା’ଉପରେ ପଡ଼େ, ଖୁବ୍ ସୁନ୍ଦର ଦିଶେ । ମାତ୍ର ବର୍ତ୍ତମାନ ଏ ଶୋଭାକୁ ଉପଲବ୍‌ଧି କରିବାପାଇଁ ସୁଯୋଗ ନାଇଁ–ବେଳ ନାଇଁ । ଏହାର ସମସ୍ତ ସୌନ୍ଦର୍ଯ୍ୟ ସମସ୍ତ ଶୋଭା ଆଜି ନଷ୍ଟ ହୋଇଯାଇଚି ବୋଲି ଲୁହାଯାଇପାରେ । ସେଠି ସେ ଫୁଲବଣରେ ପଶିବ କିଏ ? ସେଠି ଭୟ ବସା ବାନ୍ଧିରହିଚି । ଜୀବନ ସେଠି ମରଣ ଭୟରେ ତ୍ରସ୍ତ । ସେଠି ଡାଳଗୁଡ଼ିକ ଏତେ ପରିମାଣରେ ଓ ଏମିତି ଛନ୍ଦାଛନ୍ଦି ଭାବରେ ଉଠିଚି ଯେ ଆଗରେ ଏକଗଜରୁ ଅଧିକ ଦୂରରେ କ’ଣ ଅଛି କେହି ଦେଖିପାରିବନି । ଏ ଫୁଲବଣରେ ଯିବାକୁ ହେଲେ ଗୋଟାଏ ହାତରେ, ବେଳେବେଳେ ଉଭୟ ହାତରେ ଗଛଗୁଡ଼ିକୁ ଆଡ଼େଇବାକୁ ପଡ଼ିବ । ହାତରେ ବନ୍ଧୁକ ଥିଲେ ଗୋଟିଏ ହାତରେ ଧରିବ–ଆର ହାତରେ ଗଛ ଆଡ଼େଇବ । ହୁଏତ ପଲେ ହାତୀ ସେଠି ଲୁଚି ରହି ଥିବେ । ସେ ପଲର ଏକଦମ୍ ପାଖକୁ ଆସି ଛୁଆଁ ନଛୁଆଁ ନହେବା ଯାଏ, ସେମାନେ ଯେ ଅଛନ୍ତି ଜଣେ ଜାଣିପାରିବନି । ସେ ଦୁଷ୍ଟ ହାତୀ ଏ ବଣରେ ବହୁଥର ଯିବାଆସିବା କରିଚି । ତା’ ପାଦତଳେ ଅନେକ ଗଛ ଦଳିମକଚି ଯାଇଚି, ଅନେକ ଗଛ ନଇଁଯାଇଚି । ମାତ୍ର ଖୁବ୍ ଶୀଘ୍ର ରାତିରେ ଗଛଗୁଡ଼ିକ ପୂର୍ବ ଅବସ୍ଥାକୁ ଫେରିଆସିବାରେ ଲାଗିଯାଆନ୍ତି । ହୁଏତ କିଛି ଦିନ ପରେ କେତେକ ପୁରା ଠିଆହୋଇଯାଆନ୍ତି ।

ଏଇ ତୃଣଜାତୀୟ ଗଛଗୁଡ଼ିକର ଶଯ୍ୟା ପୁଣି ୧୦୦ରୁ ୨୦୦ ଗଜ ଓସାର । ଚିନାର ନାଳ ପାଖରେ ପାହାଡ଼ । ଚାରିଆଡ଼େ ବଡ଼ ବଡ଼ ବାଉଁଶବୁଦା । ସେ ବାଉଁଶ ବି ଖୁବ୍ ଉଚ୍ଚା–ଖୁବ୍ ମୋଟା । ସେ ବୁଦାଗୁଡ଼ିକ ବଡ଼ ଆକାରର । ଆଗର ଫୁଲବନରେ ବୁଲିବା ଯେମିତି ବିପଦପୂର୍ଣ୍ଣ, ଏ ବାଉଁଶବଣରେ ଯିବାଅସିବା କରିବା ସେମିତି ନିରାପଦ ନୁହେଁ । ଚାରିଆଡ଼େ ଅନେକ ବାଉଁଶ ପଡ଼ିଥାଏ । ସେମାନଙ୍କର ଗୋଜିଆ ଅଗ ଯୋଗୁଁ ଯିବା ଓ ଫେରିବା ସମ୍ଭବ ହେଉନଥାଏ । ଉପରେ ବାଉଁଶର ଡାଳ । ପକ୍ଷୀର ପରପରି ସେଗୁଡ଼ିକର ଅସଂଖ୍ୟ ପତ୍ର । ମୁଣ୍ଡ ଉପରେ ସୁନ୍ଦରଭାବେ ସେ ବାଉଁଶଗଛ ଗୁଡ଼ିକ ନଇଁପଡ଼ିଥାଏ, ବଙ୍କେଇ ଯାଇଥାଏ । ବଣରେ ପବନ ବହେ-। ସେଥିରେ ବାଉଁଶଗଛଗୁଡ଼ିକ ଲହସି ଲହସି କେଁ କେଁ ଶବ୍ଦ କରି ଦୋହଲୁଥାନ୍ତି ।

ହାତୀଟାକୁ ଖୋଜିବାରେ ଆମେ ଚାରିଦିନ କାଳ କାଟିଲୁ । ବହୁ କଷ୍ଟ ଭିତରେ ବାଉଁଶ ଓ ଲମ୍ବାଘାସର ବଣରେ ବହୁତ ଚେଷ୍ଟା କରିଚୁ । ପାହାଡ଼ମାଳାର ଉଠାଣି ଗଡ଼ାଣିରେ ବୁଲିଚୁ । କାବେରୀ କୂଳରେ ଭ୍ରମଣ କରିଚୁ । କଳକଳ ଧ୍ଵନି କରି କାବେରୀ ଧାଇଁଯାଉଚି ହୋଗେନାଇକେଲ୍ ଆଡ଼କୁ । ସେଠି ଜଳପ୍ରପାତ ସୃଷ୍ଟି କରିଚି କାବେରୀ । ଆମେ ବୁଲୁଥିବା ଅଞ୍ଚଳଠୁ ମେଟୁର ବନ୍ଧ ହେଉଚି ପଇଁତିରିଶ ମାଇଲ । ସେଇଠୁ ତଳକୁ ଏରୋଡ଼ର ସମତଳ ଭୂଇଁ ଓ ତ୍ରିଚିନାପଲ୍ଲୀ ନଗରୀ । ଶେଷରେ କାବେରୀ ମିଶିଚି ବଙ୍ଗୋପସାଗରରେ । ଏତେ ବୁଲାବୁଲି ଭିତରେ ଦୁଷ୍ଟ ହାତୀଟାର ସଜ ପାଦଚିହ୍ନ ଆମେ କୋଉଠି ବି ଦେଖିନୁ ।

ପଞ୍ଚମ ଦିନର ଉପରବେଳା ଭାବିଲି କାବେରୀର ଉପର ଆଡ଼କୁ ଯାଏ–ହୁଏତ ଜନ୍ତୁଟାର କୌଣସି ଚିହ୍ନ ମିଳିପାରେ । ବହୁ କଷ୍ଟ ଭିତରେ ତିନିମାଇଲଯାଏ ପାରିହେଲୁ । କୂଳର ଦୁଇ ପାଖରେ ବଡ଼ ବଡ଼ ମୋତିଗଛ । ଏଡ଼େ ଏଡ଼େ ଚେର ସେ ଗଛର । ସେଇ ଚେରରେ ଚଢ଼ି ଚଢ଼ି ଆମେ ଚାଲିଯାଉ । ମଝିରେ ମଝିରେ ସେଇ ଘାସର ବଡ଼ ବଡ଼ ଚେକା । ହଠାତ୍ ହାତୀର ସଜ ପାଦଚିହ୍ନ ପାଇଲୁ । ସେଥିରୁ ସ୍ପଷ୍ଟ ଜଣାଗଲା ଯେ ଜନ୍ତୁଟା ସେଇ ସକାଳେ ନଦୀ ପାରିହୋଇଚି; କୋଏମ୍ୱାଟୁର ଜିଲ୍ଲା ଆଡ଼କୁ ଯାଇଚି । ସ୍ଥୂଳଭାବରେ ମାପରୁ ଦେଖିଲି ଦୁଷ୍ଟ ହାତୀଟାର ପାଦଚିହ୍ନ ସହ ଏ ଚିହ୍ନଗୁଡ଼ାକ ପ୍ରାୟ ସମାନ ।

ଡଗରାଇବା ଏଥର ସହଜ ମନେହେଲା । ଏଣିକି ନିର୍ଦ୍ଦିଷ୍ଟ ପାଦଚିହ୍ନକୁ ଅନୁସରଣ କରିବାକୁ ହେଉଚି । ବାଉଁଶ ଓ ଘଞ୍ଚ ଲତାବୁଦା ଭିତରେ ହାତୀଟାର ପାଦ ଚିହ୍ନ ବେଶ୍ ବାରିହେଇ ପଡ଼ିଚି ।

ଗୋଟିଏ ଛୋଟ ମୁଣ୍ଡିଆ ଆଡ଼କୁ ଏ ଚିହ୍ନ ଯାଇଥାଏ । ମୁଣ୍ଡିଆଟିର ଶିଖରରେ ହାତୀର ମଳ ଦେଖିଲୁ–ସଜ ମଳ–କିନ୍ତୁ ଗରମ ନ ଥାଏ । ତେଣୁ ଜୀବଟା ଯେ ବେଶ୍ ଦୂରରେ ଅଛି ଜାଣିପାରିଲୁ । ଆମେ ଆଗକୁ ଚାଲିଲୁ । ପହଞ୍ଚିଲୁ ଉପତ୍ୟକାର ତଳେ । ଏଠି ଆହୁରି ସଜ ମଳ ଦେଖିଲୁ । କିନ୍ତୁ ସେଥିରେ ବି ଉଷୁମ ନ ଥାଏ । ଆମର ଶିକାରଟି ଯେ ଆହୁରି ଦୂରରେ ଅଛି ଜଣାପଡ଼ିଲା ।

ପାଖର ଗଡ଼ାଣି ପାରିହେଲୁ । ପାରହେଲୁ ଆହୁରି ଦୁଇଟି ମୁଣ୍ଡିଆ । ଏତିକିବେଳେ ଦେଖିଲୁ ହାତୀଟା ବୁଲିପଡ଼ିଚି–କାବେରୀର ତଳ ଆଡ଼କୁ ଯାଇଚି ।

ଆମର ଡରହେଲା ଜନ୍ତୁଟା କାବେରୀ ପାରହୋଇ ପଳାଇ ଯାଇଚି । ଆମେ ଗତି ବଢ଼ାଇ ଦେଲୁ । ଏଥର ପୁଣି ଗଦାଏ ମଳ । ମଳ ପାଖରେ ମୂତ୍ର । ମୂତ୍ରରେ ମାଟି ଭିଜି ଯାଇଚି । ଏଥର ମଳ ପରୀକ୍ଷା କଲୁ । ଜଣାଗଲା ଉଷୁମ ଅଛି । ତା’ହେଲେ ହାତୀଟା ବେଶି ଦୂରରେ ନାହିଁ–ଆଉ କାବେରୀ ତ ଏଇ ପାଖରେ !

ଆମେ ଆହୁରି ଚଞ୍ଚଳ ହୋଇ ଉଠିଲୁ । ଆମର ଏ ଚାଲିକୁ ଦଉଡ଼ କୁହାଯାଇପାରେ । କେତେ ଶୀଘ୍ର ଡଗରାଇ ନଦୀ ଆଡ଼କୁ ଧାଇଁଯିବୁ–ସେଇ ଚେଷ୍ଟା । ଚାରିପାଖେ ଭଙ୍ଗାଡ଼ାଳ । ହାତୀଟାର ପାଦ ଚିହ୍ନରେ ପାଣି ଭରୁଚି । ଲକ୍ଷ୍ୟ କଲି, ନଦୀ ପାଖେଇ ଆସିଲାବେଳକୁ ସେ ଖାଇବାରେ ବେଶି ମନ ଦେଇନି–ଏଠି ଖାଇଚି...ସେଠି ଖାଇଚି ।

ହଠାତ୍ ମାଟି ତଳକୁ ନଇଁଯାଇଚି, ଆଉ ଶୁଭୁଚି ଜଳର କଳଧ୍ୱନି । ଆମେ ତା’ହେଲେ ନଦୀର ତଟଦେଶକୁ ଆସିଗଲୁ । ସାମ୍ନାକୁ ଚାହିଁଲି, ଡାଳସନ୍ଧିରେ ଝଲ ଝଲ ଦିଶିଲା ଜଳରେଖା । ଏଥର ସାବଧାନ ମୁହୂର୍ତ୍ତ ଆସିଗଲା । ଆମେ ଧୀରେ ଧୀରେ ସତର୍କତାର ସହ ଆଗେଇଲୁ । ବାଲି ବେଶ୍ କୋମଳ । ତାପରେ ଲକ୍ଷ୍ୟ କଲୁ, ହାତୀ ତା’ର ମନ ବଦବଦଳାଇ ଦେଇଚି । ସେ କାବେରୀ ପାରିହେଇନି–ଉପର ଆଡ଼କୁ ଉଠିଚି । ସେ ପାଖରେ ଘାସପୂର୍ଣ୍ଣ ତୀରଦେଶ । ଏଣୁ ଏଣିକି ଯୋଉ ପାଦଚିହ୍ନ ଦେଖିଲୁ–ସେଗୁଡ଼ାକ ଏକାନ୍ତ ତାଜା ଥିଲା । ତା ପାଦତଳେ ଅନେକ ଘାସ ନଇଁ ମାଟିରେ ମିଶି ଯାଇଥାଏ । ସେଥିରୁ ଭୁଟୁ ଭୁଟି ବାହାରୁଥାଏ ।

ଆମେ ଆହୁରି ଦେଢ଼ଶହ ଗଜ ଗଲୁ । ଦେଖିଲୁ ଗୋଟାଏ ଖାଡ଼ି ପରିକା ଜାଗା । ଏଇଠି ପାଣି ଫିଙ୍ଗିବାର ଓ ଶୁଣ୍ଢରେ ପବନ ଛାଡ଼ି ଫୁତ୍‌କାର କରିବାର ଶବ୍‌ଦ ଶୁଣିଲୁ । ହାତୀଟା ଗାଧୋଉଚି ।

ଭାଗ୍ୟ ତ–ପବନଟା ସେ ଦିଗରୁ ଆସୁଥାଏ । ଆମେ ସାମ୍ନାର ଡାଳପତ୍ର ଆଡ଼େଇ ଆଗକୁ ଚାହିଁଲୁ । ଦେଖିଲୁ ହାତୀଟାଏ କଡ଼ମାଡ଼ି ପଡ଼ିଚି । ତା ମୁହଁଟା ସେଆଡ଼କୁ । ଆମ ଆଡ଼କୁ ପଛ ।

 

ଏ ଅବସ୍ଥାରେ ହାତୀଟାକୁ ଚିହ୍ନିବା କଷ୍ଟ । ହୁଏତ ସେଇ ଦୁଷ୍ଟ ହାତୀ ହୋଇନପାରେ । ଏ ପାଖରେ ଅନେକ ହାତୀ । ନିରୀହ ହାତୀଟାଏ ବି ହୋଇପାରେ । ତେଣୁ ଆମେ ଛକିରହିଲୁ ।

 

ପ୍ରାୟ ପାଞ୍ଚମିନିଟ୍ କଟିଲା । ଅଚାନକ ହାତୀଟା ଉଠିଲା । ସେ ପାଖକୁ ଯିବାର ଉପକ୍ରମ କଲା । ତଥାପି ଆମେ ତାର ମୁଣ୍ଡପାଖ ଦେଖିପାରିନୁ–ଦେଖିପାରିନୁ ତା’ର ଦୁଇଟା ଦାନ୍ତ କି ଗୋଟାଏ ।

 

ଶୀଘ୍ର କିଛି ଗୋଟାଏ କରିବାକୁ ହେବ । ହାତୀଟା ସେ ପାଖର ଘନ ଗଛବୁଦା ଅଞ୍ଚଳରେ ପହଞ୍ଚିଗଲେ ସବୁ ମାରାଯିବ । ତେଣୁ ମୁଁ ବୁଢ଼ା ଅଂଗୁଳିରେ ଦୁଇଟା ଚୁଟୁକୁଲି ଫୁଟାଇଲି । ଏଇ ଟିକକ ଶବ୍ଦ ହାତୀର ସୂକ୍ଷ୍ମ ଶ୍ରୁତିଶକ୍ତିରେ ଧରାପଡ଼ିଗଲା । ପାଣିକାଟି ସେ ବୁଲି ପଡ଼ିଲା । ଆମର ସାମ୍ନାରେ ସେଇ ଦୁଷ୍ଟହାତୀ ଠିଆ–ଗୋଟାଏ ଭଲଦାନ୍ତ, ଆର ଦାନ୍ତଟା ଭଙ୍ଗା–ମୁଣ୍ଡ କେବଳ ଅଛି । ସେକେଣ୍ଡକ ମଧ୍ୟରେ ତା’ର ଛୋଟ ଆଖି ଦୁଇଟିରେ ସେ ଆମକୁ ଠାବ କରିନେଲା । ତା’ର ଶୁଣ୍ଢ ଭିତର ଆଡ଼କୁ ବାଙ୍କିଗଲା । ସେ ଉପରକୁ ମୁହଁ କରି ଆଗକୁ ଧାଇଁଗଲା । ତା’ର ଛୋଟ ଲାଞ୍ଜଟି ପଛପାଖେ ହାସ୍ୟକର ଭାବେ ନାଚୁଥାଏ । ସେ ଭୀଷଣ ଗର୍ଜନ କରୁଥାଏ । ସେ ଗର୍ଜନରେ ପୂରିଥାଏ ହିଂସା ଓ ଘୃଣା । ଜଳ କାଟି ସେ ଆଉ ଏକ ହତ୍ୟାକାଣ୍ଡପାଇଁ ଭୀଷଣ କ୍ରୋଧରେ ମାଡ଼ି ଆସିଲା ।

 

ମୋ’ର ୪୦୫ କଥା କହିଲା । ସେଇ ଓଜନିଆ ଗୁଳିଟା ବଙ୍କା ହେଇଥିବା ଶୁଣ୍ଢତଳେଯାଇ ତା’ କଣ୍ଠରେ ଗଳିଗଲା । ସେଇଠି ଜନ୍ତୁଟା ପଥରପରି ସ୍ଥିର ହୋଇଗଲା । ତା କଣ୍ଠନଳୀରୁ ଛିଟିକି ପଡ଼ିଲା ରକ୍ତଧାରା । ହାତୀଟା ଟିକେ ବୁଲିଗଲା । ଆଉ ଦୁଇଟା ଗୁଳି ଧାଏଁ ଧାଏଁ ଛୁଟିଲା । ସେଥିରୁ ଗୋଟାଏ ତା’ କାନମୂଳରେ ବାଜିଲା ଓ ଗୋଟାଏ ବାଜିଲା ଗଜକପାଳର ସେଇ ଅଳ୍ପ ନଇଁ ଯାଇଥିବା ଭଉଁରି ଜାଗାରେ । ଏ ଦୁଇଟାଯାକ ଜାଗା ହାତୀର ମରମଜାଗା ।

 

ବିରାଟ ଦେହଟା ତା’ର ପ୍ରବଳ ବେଗରେ ଥରିଉଠିଲା । ଥରି ଥରି ଖସି ପଡ଼ିଲା ଖାଡ଼ିର ଅଗଭୀର ଜଳ ଉପରେ । ବଡ଼ ଏକ ତରଙ୍ଗ ଉଠିଲା, ଆଉ ସେ ଜଳ ରକ୍ତିମ ହୋଇଗଲା । ଏତିକିବେଳେ ଶେଷ ଅପରାହ୍‌ଣର ସୂର୍ଯ୍ୟକିରଣ ପୋନାଚିମାଲାଇ ପର୍ବତମାଳାର ସେ ପାରିରେ ଶେଷହୋଇ ଯାଉଥାଏ । ପୋନାଚିମାଲାଇ କୋଏମ୍ବାଟୁର ଜିଲାରେ । ଆକାଶଟା କମଳାରଙ୍ଗ ହୋଇଥାଏ । ସେଇ କମଳାରଙ୍ଗ ଉପରେ ସେତେବେଳେ ଦିନାନ୍ତ ସୂର୍ଯ୍ୟର ନାଲି ଛିଟା ଉକୁଟି ଉଠୁଥାଏ ।

Image

 

ସେଗୁର୍‌ର ମଣିଷମାରୁ

 

ଦକ୍ଷିଣ ଭାରତର ନୀଳଗିରି ପର୍ବତମାଳାର ଉତ୍ତର–ପୂର୍ବାଞ୍ଚଳର ପାଦଦେଶରେ ସେଗୁର୍-। ଏ ପର୍ବତମାଳାର ସୌନ୍ଦର୍ଯ୍ୟ ଅପୂର୍ବ । ନୀଳଗିରିର ଶିଖରଦେଶରେ ଉତ୍‌କାମଣ୍ଡ; ସମୁଦ୍ରପତ୍ତନଠାରୁ ପ୍ରାୟ ୭,୫୦୦ ଫୁଟ୍ ଉଚ୍ଚ । ଲୋକେ ଏହାକୁ ଆଦରରେ ଶୈଳନିବାସମାନଙ୍କର ରାଣୀ ବୋଲି କହନ୍ତି । ଭାରତର ସବୁଆଡ଼ୁ ଏଠାକୁ ଲୋକ ଆସନ୍ତି । ଉତ୍‌କାମଣ୍ଡ ଖୁବ୍ ଚମତ୍‌କାର ଜାଗା । ସେଠି ସବୁଜାତିର ବିଲାତି ଫୁଲଗଛ ବଢ଼ିପାରେ । ବିଲାତି ଫଳ ବି ହୋଇଥାଏ । ସେଠି ଅନେକ ଇଉକାଲିପଟସ, ଫର୍ ଏବଂ ପାଇନ୍ ଗଛ । ପବନରେ ଡାଳ ହଲାଇ ଏ ଗଛଗୁଡ଼ିକ ଅପୂର୍ବଭାବରେ ଦର୍ଶକକୁ ମୁଗ୍‌ଧ କରନ୍ତି । ପୁଣି ପବନରେ ଏ ସମସ୍ତ ଗଛର ସୁଗନ୍ଧ ଆମ ପାଇଁ ଅବିସ୍ମରଣୀୟ ହୋଇଥାଏ । ଏହାର ଜଳବାୟୁ ଯେମିତି ସ୍ୱାସ୍ଥ୍ୟକର; ସେମିତି ହୃଦ୍ୟ । ଅଥଚ ଏଇ ପାହାଡ଼ର ତଳେ ଭୀଷଣ ଗ୍ରୀଷ୍ମ । ସେଥିରେ ମଣିଷ ଅଥୟ ହୋଇପଡ଼େ ।

 

ଉତ୍‌କାମଣ୍ଡକୁ ଉଟୀ ବୋଲି ବି କହନ୍ତି । ଉଟୀରୁ ତଳକୁ ଘାଟିରାସ୍ତା, ବାର ମାଇଲ ଲମ୍ବା-। ଏଠି ଆଗେ ଇଂରେଜ ବାସିନ୍ଦାମାନେ କୋକି ଶିକାର କରୁଥିଲେ । କୋକି ନହେଲେ ବିଲୁଆ ମାରୁଥିଲେ । ସେଗୁର ଆଡ଼କୁ ଏ ରାସ୍ତାଟି ହଠାତ୍ ଖସିପଡ଼ିଚି । ଏଠି ଘନଜଙ୍ଗଲ ଚାରିଆଡ଼କୁ ଘେରିରହିଚି । ରାସ୍ତା ଏମିତି ଅସୁବିଧା ଯେ ଖୁବ୍ ଉଚ୍ଚଶକ୍ତିର ମୋଟର୍‌କାର୍ ନ ହେଲେ ଉଠିହେବନି କି ଯାଇହେବନି । ସେଗୁର୍‌ଠାରେ ରାସ୍ତା ଦୁଇ ଭାଗ ହେଇଚି । ଘନ ବନ ମଧ୍ୟରେ ଗୋଟାଏ ଶାଖା ଉତ୍ତରପଶ୍ଚିମଆଡ଼କୁ ଯାଇଚି–ମହବନହାଲା ଏବଂ ମାସିନିଗୁଡ଼ି ଗାଆଁକୁ ପାରିହେଇଚି–ଯାଇଚି ମୂଳ ଟ୍ରଙ୍କ ରୋଡ଼ରେ ମିଶିବାକୁ । ବାଙ୍ଗାଲୋର ଏବଂ ମହୀଶୂର ଏହି ରାସ୍ତାଯୋଗୁଁ ଉଟୀ ସହିତ ସଂଯୁକ୍ତ ହୋଇଚି । ଆର ଶାଖାଟି ଘୋର ଜଙ୍ଗଲବାଟେ ଯାଇଚି । ଏହା ଯାଇଚି ପୂର୍ବଆଡ଼କୁ-। ନୀଳଗିରିର ପାଦ ତଳେତଳେ ପ୍ରାୟ ନଅ ମାଇଲ ଏ ରାସ୍ତାରେ ଗଲେ ଆନାଇକୁଟିର ବନବିଶ୍ରାମାଗାର ପଡ଼େ । ଏ ପାଖରେ ଦୁଇଟି ଚିରସ୍ରୋତା ନାଳ ଅଛି । ସେ ଦୁଇଟି ହେଲା ସେଗୁର୍ ଓ ଆନାଇକୁଟି । ଏ ଦୁଇଟିଯାକ ନୀଳଗିରିରୁ ବାହାରିଛନ୍ତି । ଘନ ଜଙ୍ଗଲ ମଧ୍ୟରର ଏ ଦୁଇଟିଯାକ ବହିଯାଇ ମୟୂର ନଦୀରେ ମିଶିଛନ୍ତି । ଏ ଦୁଇଟି ପ୍ରାୟ ପନ୍ଦରମାଇଲ ତଳେ ମୟୂର ନଦୀରେ ନିଜର ଜଳକୁ ଢାଳିଛନ୍ତି । ମୟୂର ନଦୀକି ମହୀଶୂର ନଦୀ ବି କହନ୍ତି । ଏହା ମହୀଶୂରର ଉତ୍ତର ସୀମା ନିର୍ଦ୍ଦେଶ କରେ । ଏ ନଦୀର ଆରପାରରେ କୋଏମ୍ବାଟୁର । ମାଲବାରଓ୍ଵାଡ଼୍‌ର ଚିରହରିତ୍ ବନ ଏ ସମଗ୍ର ଅଞ୍ଚଳକୁ ଘୋଡ଼ାଇରଖିଚି ।

 

ମହୀଶୂର, ମାଲବାର, ନୀଳଗିରି ଅଞ୍ଚଳରୁ ଆସନ୍ତି ଏଠିକି ଅନେକ ଶିକାରଯୋଗ୍ୟ ପଶୁ–ପକ୍ଷୀ । ଯୋଉ ଦିଗରୁ ଆସିଲେ ବି ଶିକାର ଅନେକ ସଂଖ୍ୟାରେ ମିଳିଥାଏ । ଏଠି ଅନେକ ହାତୀ, ଚିତା, ଶମ୍ବର, ଚିତ୍ରହରିଣ ଓ ଅନ୍ୟଜାତିର ପଶୁ ।

 

ଆନାଇକୁଟୀର ବନବିଭାଗ ବଙ୍ଗଳାଟି ଗୋଟିଏ ପାହାଡ଼ ଉପରେ ତିଆରି ହୋଇଚି । ତାକୁ ଘେରି ବହିଯାଉଚି ଆନାଇକୁଟି ଝରଣା । ଖରାଦିନେ ଏ ଗୋଟାଏ ଅସ୍ଵାସ୍ଥ୍ୟକର ଜାଗା । ମାଲେରିଆ ମଶାର ଗୁଣୁଗୁଞ୍ଜନ ଓ ତୀବ୍ରଦଂଶନ ପଥିକକୁ ବା ପରିଦର୍ଶକକୁ ହଇରାଣ କରିଦିଏ । ଆଉ ବ୍ଳାକ୍ ଓ୍ଵାଟର ଫିଭର୍ ବା କଳାଜରର ବଡ଼ କାରଣ ଏ ମଶା । ଶୀତ ଦିନରେ ଏହା ସ୍ୱର୍ଗ । ସକାଳଗୁଡ଼ିକ ଖୁବ୍ ନିର୍ମଳ । ପରିଷ୍କାର ଆକାଶତଳୁ ଝରିପଡ଼େ ସୂର୍ଯ୍ୟକିରଣ । ଜଙ୍ଗଲ ଭ୍ରମଣ ଓ ହାଇକିଂ ପାଇଁ ଚମତ୍କାର ସୁଯୋଗ ମିଳେ । ଅପରାହ୍‌ଣ ସାମାନ୍ୟ ଭାବେ ଥଣ୍ଡା ସନ୍ଧ୍ୟାଟା ଭୀଷଣ ଥଣ୍ଡା । ରାତି ବଢ଼ିବା ସଙ୍ଗେ ସଙ୍ଗେ ପାହାଡ଼ ଉପରେ ଥଣ୍ଡା ପବନ ବହେ । ଏ ପବନଟା ବରଫପରି । ଏଣେ ଜଙ୍ଗଲରୁ ବହେ ଉଷୁମ ହାଓ୍ୟା । ରାତିଗୁଡ଼ା ଏତେ ଥଣ୍ଡା ଯେ କହିହେବନି କି ସହିହେବନି । ସେ ସମୟରେ ବଙ୍ଗଳାରୁ ବାହାରିହୁଏନି । ବଙ୍ଗଳା ଭିତରେ ଜାକିଜୁକି ହୋଇ ରହିବାଛଡ଼ା ଆଉ ବାଟ ନ ଥାଏ । ସେ ଭିତରେ ପୁଣି ନିଆଁ ଜଳାଯାଇଥାଏ । ଏଠି ପ୍ରକୃତ ଖ୍ରୀଷ୍ଟମାସର ଅନୁଭୂତି ଆସେ । ଆଗରେ ଜଳନ୍ତା ନିଆଁ । ନିଆଁରେ ବଡ଼ ବଡ଼ କାଠଗଣ୍ଡି ଜଳୁଥିବ । ସାଙ୍ଗରେ କେତେଜଣ ସାଙ୍ଗସାଥୀ । ହୁଏତ ହିମାଳୟର ତୁଷାର ମଣିଷକଥା ପଡ଼ିଚି । କେହି ହୁଏତ କୌଣସି ଭୂତର କଥା କହୁଚି । ଲୋମ ଟାଙ୍କୁରିଯାଉଚି–ତଥାପି ଗପ ଚାଲିଚି । ଏ ଗୋଟାଏ ବିଚିତ୍ର ଅନୁଭୂତି । ଏମିତିକି ବଙ୍ଗଳାର ହତା ଭିତରେ ବୁଲୁଥାଆନ୍ତି ହାତୀ, ବାଘ ବା ଚିତାବାଘ । ସେମାନେ ସେପାଖେ ହେଣ୍ଟାଳୁଛନ୍ତି ବା ଗର୍ଜୁଛନ୍ତି । ବଙ୍ଗଳା ଭିତରେ ନିଆଁ ପାଖରେ ଦୁଇଦୁଇଟା କମ୍ବଳ ତଳେ ଜାକିଜୁକି ହୋଇ ଶୋଇରହିଥିବା ଲୋକଟି ଭାବୁଥାଏ ଏଇ ଯେ ଗ୍ରୀଷ୍ମମଣ୍ଡଳୀୟ ଅରଣ୍ୟ ମଧ୍ୟରେ ସେ ରହିଚି, ସେ ବଞ୍ଚିରହିଚି ।

 

ଏମିତିକା ସେ ଜଙ୍ଗଲ । ସେ ଜଙ୍ଗଲ ମୋର ଅତି ପ୍ରିୟ । ସେଇଠି ଅନେକ ଛୋଟ ବଡ଼ ଘଟଣା ମୋ ଜୀବନରେ ଘଟିଯାଇଚି । ଆଜିଠୁ ଅନେକଦିନ ତଳେ ସେଗୁଡ଼ିକ ଘଟିଚି । ମାତ୍ର ଏବେ ମଧ୍ୟ ସେଗୁଡ଼ିକ ମୋ ସ୍ମୃତିପଟରେ ଜୀବନ୍ତ ।

 

ଗୋଟିଏ ଅନୁଭୂତି କହେ । ଭାରତରେ ଅନେକ ବଳିଆ । ସେମାନେ ଦଳ ଦଳ ହେଇ ବୁଲନ୍ତି । ଦଳରେ ତିନିରୁ ତିରିଶିଯାଏ ରହନ୍ତି । ମହୀଶୂର ଓ କୋଏମ୍ବାଟୁରଆଡ଼ୁ ସେମାନେ ଏ ଅରଣ୍ୟକୁ ଆକ୍ରମଣ କରନ୍ତି । ମହୀଶୂରରେ ଏମାନେ ବହୁସଂଖ୍ୟାରେ ଥାଆନ୍ତି । କୋଏମ୍ବାଟୁରରେ ତ ଆହୁରି ଅଧିକ । ଏ କୁକୁରମାନେ ବଣ୍ୟପଶୁଙ୍କର ବଡ଼ ଶତ୍ରୁ । ଏମାନେ ବଣ୍ୟ ପଶୁଙ୍କୁ ଧ୍ୱଂସ କରିପକାନ୍ତି । ବିଶେଷରେ ଶମ୍ବର ଓ ହରିଣଙ୍କୁ ସାରିଦିଅନ୍ତି । ଜୀଅନ୍ତା ଜୀବଗୁଡ଼ିକର ମାଂସ ଛିଣ୍ଡାଇ ଖାଇଯାଆନ୍ତି । ଏ ଜଙ୍ଗଲରେ ତଥା ଅନ୍ୟ ଜଙ୍ଗଲରେ ଶମ୍ବରକୁ ବଳିଆ ଆକ୍ରମଣ କରିବା ମୁଁ ନିଜ ଆଖିରେ ଦେଖିଚି । ଦଳେ କୁକୁର ଶମ୍ବରକୁ ତଡ଼ିବେ । ଆଉ କେତେଟା ବଳିଆ ଦୁଇ ପାଖରେ ଆଗକୁ ଦଉଡ଼ିବେ । ସେମାନେ ଆଗରେ ଛକି ରହିଥିବେ, ଆଉ ଶମ୍ବରଟିର ଆରଆଡ଼ୁ କାମୁଡ଼ିବେ-। ଶିକାରବେଳେ ଏମାନେ ପକ୍ଷୀର ସ୍ୱର ପରି ସିଟି ମାରନ୍ତି । ଆଗର କୁକୁର ଶମ୍ବରର ଆଖି ଖୋଳିଦେବେ । ତା’ ଗୋଡ଼କୁ ଛିଣ୍ଡାଇଦେବ । ଶମ୍ବରଟି ପଡ଼ିଯାଏ, ଛଟପଟ ହେଉଥାଏ । ଏମାନେ ତା’ ଜୀଅନ୍ତା ଦେହରୁ ପୁଳାପୁଳା ମାଂସ କାମୁଡ଼ି ଖାଉଥିବେ । ଥରେ ଶମ୍ବରଟାଏ ଏମିତି ପଲେ ବଳିଆଙ୍କ ହାବୁଡ଼ରେ ପଡ଼ିଲା । ବିଚରା ବିକଳରେ ଗୋଟାଏ ପୋଖରୀ ଭିତରେ ପଶିଗଲା-। କୁକୁରମାନେ ତାର ପେଟ ଚିରି ଦେଇ ଥାଆନ୍ତି । ତା’ର ଅନ୍ତବୁଜୁଳା ବାହାରି ପଡ଼ିଥାଏ । ଛୋଟ ଅନ୍ତନଳୀ ଖସିଆସି କୋଡ଼ିଏ ଫୁଟଯାଏ ଲମ୍ବିଥାଏ । ଜୀବନବିକଳରେ ଶମ୍ବରଟି ପାଣିରେ ପଶିଥାଏ । ଶମ୍ବରମାନେ ବଡ଼ ଚେମେଡ଼ିଆ ଜୀବ । ବଡ଼ ଟାଣୁଆ । ଖୁବ୍ କଷ୍ଟ ସହିପାରନ୍ତି । ବଳିଆ ସେମାନଙ୍କୁ ପୂରା ମାରନ୍ତିନି-। ପୁଳା ପୁଳା ମାଉଁସ ଟାଣି ଖାଆନ୍ତି । ବଡ଼ କଲବଲ ଏ ମରଣ–ଦେଖିହୁଏ ନାହିଁ ।

 

ସେ ଥିଲା ସଞ୍ଜର ପାଞ୍ଚଟା ସମୟ । ବଙ୍ଗଳାଠୁ ମାଇଲିଏ ଦୂରରେ ଥାଏ । ସେପାଖରେ ଗୋଟାଏ ବିଚିତ୍ର ଉଦ୍‌ଭିଦ ପାଇଲି । ତାକୁ ଲକ୍ଷ୍ୟ କରୁଥାଏ; ପରୀକ୍ଷା କରୁଥାଏ । ଛୋଟ ଛୋଟ ତାରାପରି ତା’ର ଫୁଲ । ହଠାତ୍ ଶୁଭିଲା ଗୋଟାଏ ଗୋଳମାଳିଆ ଶବ୍‌ଦ । ମୁଁ ସଙ୍ଗେ ସଙ୍ଗେ ଶବ୍‌ଦଟାର ଅର୍ଥ ବୁଝିପାରିଲାନି । ସେଥିରେ ପଶୁର ଚିତ୍‌କାର, କୁକୁରର ହୁଁ ହୁଁ, ଉଫ୍ ଉଫ୍ ଓ ଭୀଷଣ ଗର୍ଜନ ମିଶିଥାଏ । ଏ ଶବ୍‌ଦଗୋଳକୁ ମନେ ମନେ ତଉଲାତଉଲି କଲି । ତା’ପରେ ଜାଣିଲି ଏ ବଳିଆମାନଙ୍କ କାଣ୍ଡ–ବଣୁଆ ବାର୍‌ହା କି ଭାଲୁକୁ ଦଉଡ଼ାଇଛନ୍ତି । ହାତରେ ବନ୍ଧୁକ ଥାଏ-। ଶବ୍‌ଦଗୋଳ ଆଡ଼କୁ ଲକ୍ଷ୍ୟକରି ଦଉଡ଼ିଲି । ପ୍ରାୟ ଫର୍ଲଂଟାଏ ଯାଇଚି–ହଠାତ୍ ଗୋଟାଏ ଗୋଛା ପାଖରୁ ଦଉଡ଼ିପଳାଇଲା ଗୋଟାଏ ବାଘୁଣୀ । ତା’ ପଛରେ ଛ’ଟାଯାଏ ବଳିଆ । ମୁଁ ଲୁଚିଗଲି ଗୋଟାଏ ବଡ଼ ଗଣ୍ଡି ତଳେ । ଆଗରେ ମୋ’ର ସଂଗ୍ରାମ ଚାଲିଲା ।

 

ବାଘୁଣୀର ଚାରିପାଖରେ ଘେରିଗଲେ ବଳିଆମାନେ । ବାଘୁଣୀଟି ରାଗରେ ଭୟଙ୍କର ହେଣ୍ଟାଳ ଛାଡ଼ୁଥାଏ । ପ୍ରତିଟି ମୁହୂର୍ତ୍ତରେ ପଛପାଖରୁ ବଳିଆଟାଏ ବାଘୁଣୀକି କାମୁଡ଼ିବାକୁ ଚେଷ୍ଟାକରେ । ବାଘୁଣୀ ବୁଲିପଡ଼େ । ଫଳରେ ସେ ଘିର ଘିର ଘୂରୁଥାଏ । ଛୋଟ ଆକ୍ରମଣକାରୀଟିକୁ ଟିକି ଟିକି କରିବାକୁ ବାଘୁଣୀ ମାଡ଼ିଆସେ । ସେଇ ମୁହୂର୍ତ୍ତରେ ଆଉ ଦୁଇଟା ବଳିଆ ତାକୁ ଆକ୍ରମଣ କରିବେ । ଏମିତି ଲଢ଼େଇ ଚାଲିଥାଏ । ଦେଖିଲି, ବାଘୁଣୀଟା ଥକା ହେଇଗଲେଣି । ଖୁବ୍ ଶୀଘ୍ର ସେ କ୍ଳାନ୍ତ ହେବଇ ହେବ ।

 

ଏ ସମୟରେ ସବୁବେଳେ ବଳିଆମାନେ ଖୁବ୍ ପାଟିଗୋଳ କରୁଥାଆନ୍ତି । ସେତେବେଳେ ଏହାର କାରଣ ଜାଣି ନ ଥିଲି; ପରେ ଜାଣିଲି । ଏମାନେ ମୂଳ ଦଳରୁ ବାହାରି ଆସିଥାଆନ୍ତି । ଅସଲ ଦଳ ଜାଣେନି ଏମାନେ ଏଠି ବାଘ ଶିକାର କରୁଛନ୍ତି । ତେଣୁ ପାଟି ଚାଲିଚି-। ଶୀଘ୍ର ପକ୍ଷୀର ସିଟି ବାଜିଲା ପରି ଶବ୍ଦ ଶୁଭିଲା । ପର ମୁହୂର୍ତ୍ତରେ ବୀର ଦର୍ପରେ ପଲକଯାକ ମାଡ଼ିଆସିଲେ । ଏଣେ ବାଘୁଣୀର ରାଗ କହିଲେ ନ ସରେ । ସେ ଜାଣିଗଲା ଏ ଛଅଟିର କାରସାଦି । ରାଗରେ ସେ ଗୋଟାଏ ବଳିଆକୁ ମାଡ଼ିବସିଲା । ବଳିଆର ମେରୁଦଣ୍ଡ ଭାଙ୍ଗିଗଲା । ସେଇଟା ସେଇଠି ମରିଗଲା । ଆଉ ଗୋଟାଏ ବଳିଆକୁ ଆକ୍ରମଣ କଲା ବାଘୁଣୀ; ମାତ୍ର ସେ ଖସିଗଲା । ବାଘୁଣୀକି ସୁବିଧା ମିଳିଲା । ସେ ଡିଆଁମାରି ଆଗକୁ ପଳାଇଗଲା । ମାତ୍ର ବଳିଆ ଛାଡ଼ୁଛନ୍ତି କୋଉଠି ! ପାଞ୍ଚଟି ଯାକ ବଳିଆ ତା’ ପଛେ ପଛେ ଗୋଡ଼େଇଗଲେ । ବାଘୁଣୀ ଓ ପାଞ୍ଚଟି ବଳିଆ ଠିକ୍ ସେ ଜାଗାରୁ ଯାଇଛନ୍ତି–ମୂଳ ଦଳଟି ହାଜର ହେଇଗଲା । ଗଣିଲି–ସେଥିରେ ଥିଲେ ତେଇଶଟି । ସେମାନେ ମୋ’ରି ପାଖରେ, ଏମିତିକି ମୋତେ ଛୁଇଁ–ମୋ ସହିତ ଘଷିହେଇ ଦଉଡ଼ିଯାଉଥିଲେ । ମୋ ପ୍ରତି ସେମାନଙ୍କର ନଜର ନ ଥାଏ । ଆଉ ଧସ୍ତାଧସ୍ତି କି ଦଉଡ଼ାଦଉଡ଼ିର ଶବ୍ଦ ଶୁଭିଲାନି । ଆଗରେ କେବଳ ପଡ଼ିଥାଏ ସେଇ ମଲା ବଳିଆଟି ।

 

ଏ ସମସ୍ତ ଘଟଣାରେ ମୁଁ ଏତେ ମଜ୍ଜି ଯାଇଥାଏ ଯେ, ବାଘକୁ କି ତା’ର ଆକ୍ରମଣକାରୀ ବଳିଆମାନଙ୍କୁ ଫାୟାର କରିବାକୁ ଭୁଲିଯାଇଥାଏ ।

 

ପରଦିନ ପ୍ରଭାତରେ ମୁଁ ଅନୁସନ୍ଧାନକାରୀମାନଙ୍କୁ ପଠାଇଲି । ବଡ଼ କୌତୁହଳ ଜାଗିଥାଏ–କ’ଣ ହେଲା ଶେଷରେ । ସେ ଲୋକମାନେ ପ୍ରାୟ ମଧ୍ୟାହ୍ନରେ ଫେରିଲେ । ସଙ୍ଗରେ ଥାଏ ବାଘ ଚମଡ଼ାର କେତେ ଖଣ୍ଡ ଛୋଟ ଟୁକୁରା । ସେ ଜାଗାରୁ ପାଞ୍ଚ ମାଇଲ ଦୂରରେ ବଳିଆମାନେ ବାଘୁଣୀକି ଗୋଟାଏ ଜାଗାରେ କାବୁ କରି ଜୀଅନ୍ତା ଖାଇଦେଇଥିଲେ । ଶେଷ ଯୁଦ୍ଧରେ ପାଞ୍ଚୋଟି ବଳିଆ ବି ମରିଥିଲେ । ମାତ୍ର ବିଜେତାମାନେ ବାଘୁଣୀକି ପୁରା ଖାଇଦେଇଥିଲେ । ସଙ୍ଗେ ସଙ୍ଗେ ମୃତ ସାଙ୍ଗମାନଙ୍କର ଦେହରୁ କିଛି କିଛି ଖାଇ ପଳାଇଥିଲେ ।

 

ଏ ଅଞ୍ଚଳରେ ତିନୋଟି ପାହାଡ଼ିଆ ଜାତିର ଲୋକ ରହନ୍ତି । ସେଥିରୁ ଗୋଟିଏ ହେଉଚି ବାଡ଼ଗା । ଏମାନେ ମହୀଶୂରର ଲୋକ । ମୁସଲମାନ ଆକ୍ରମଣ ବେଳେ ଜଙ୍ଗଲକୁ ଆଶ୍ରୟ ଖୋଜି ପଳାଇଗଲେ; ଜଙ୍ଗଲୀ ହୋଇଗଲେ । ଏବେ ବାଡ଼ଗାମାନଙ୍କ ଭିତରେ ଅନେକ ଲୋକ ବେଶ୍ ବିତ୍ତଶାଳୀ । ସେମାନଙ୍କର ନିଜର ଜମିଜମା ଅଛି । ପଲପଲ ଗାଈ ଅଛନ୍ତି । ଅଧା ବଣୁଆ ମଇଁଷି ବି ପାଳନ୍ତି । ଏ ମଇଁଷିଗୁଡ଼ିକର ଖୁବ୍ ଲମ୍ବା ଶିଙ୍ଗ ।

 

ଦ୍ଵିତୀୟ ଜାତିର ଲୋକ ହେଲେ କେଶବା । ଏମାନଙ୍କ ସଂଖ୍ୟା ସବୁଠୁ ଅଧିକ । ମାତ୍ର ଏମାନେ ତିନିଜାତିରେ ସବୁଠୁ ଅଳସୁଆ । ଏମାନେ ବାଡ଼ଗାମାନଙ୍କ ପାଖରେ କାମ କରନ୍ତି । ସେମାନଙ୍କ ଗାଈ ମଇଁଷି ଚରାନ୍ତି । ସେମାନଙ୍କ ବିଲରେ ହଳ କରନ୍ତି ।

 

ତୃତୀୟ ଜାତିର ଲୋକ ହେଲେ କାରଂବା । ଏମାନେ ସୀମିତ ସଂଖ୍ୟାର ଲୋକ । ଏମାନେଇ ପ୍ରକୃତରେ ଏ ଅଞ୍ଚଳର ପ୍ରଥମ ବାସିନ୍ଦା । ଏବକୁ ସେମାନେ ବଣୁଆ ଗିରିଜନ ହେଇଗଲେଣି । ସେମାନେ ବଣ ଉପରେ ନିର୍ଭର କରନ୍ତି । ବଣରୁ ମହୁ ସଂଗ୍ରହ କରନ୍ତି । ବଣର ଫଳମୂଳ ଖାଆନ୍ତି । ବେଳେବେଳେ ବଣୁଆ ଜୀବଙ୍କୁ ଫାଶରେ ପକାଇ ଧରନ୍ତି । ମାତ୍ର ଏଇ କାରମ୍ବାମାନେ ବଡ଼ ଅନୁସନ୍ଧାନୀ ହୁଅନ୍ତି । ଶିକାର ବେଳେ ଡଗରାଇବାରେ ସେମାନେ ଅଦ୍ଭୁତ କାମ ଦେଖାନ୍ତି । କୋଏଁବାଟୁରର ଶୋଲାଗା ଏବଂ ସାଲେମ୍‌ର ପୂଜାରୀମାନଙ୍କ ପରି ଏମାନେ ପ୍ରକୃତିର ଅସଲ ସନ୍ତାନ । ସେମାନେ ପ୍ରକୃତରେ ଜଙ୍ଗଲରେ ଜନ୍ମ ନିଅନ୍ତି । ବଢ଼ନ୍ତି ପ୍ରକୃତିର କୋଳରେ । ଶେଷରେ ସେଇଠି ସେମାନେ ମାରନ୍ତି ।

 

ମୁଁ ଏବେ ପାଠକମାନଙ୍କୁ ଏ ଅଞ୍ଚଳର ଭୂଗୋଳ ଓ ପ୍ରାକୃତିକ ପରିବେଶ କଥା କହିଲିଣି-। ଏ ସମ୍ପର୍କରେ ଆହୁରି ଅନେକ କଥା କହିବାର ଅଛି । ମାତ୍ର ସେ ସବୁରେ ମୁଁ ଆଉ ଅଧିକ ସମୟ ବ୍ୟୟ କରିବିନି । ଏବେ ମୁଁ ସେଗୁର୍‌ର ନରଖାଦକ କଥା ସିଧା କହୁଚି ।

 

ଲୋକେ କହନ୍ତି ଏ ବାଘଟା ନୀରବ ଉପତ୍ୟକାର ଜଙ୍ଗଲଆଡ଼ୁ ଆସିଥିଲା । ନୀରବ ଉପତ୍ୟକା ମାଲାବାରୱାନାଦ ଜିଲାରେ, ନୀଳଗିରି ପର୍ବତମାଳାର ଦକ୍ଷିଣ–ପଶ୍ଚିମ ମୁଖର ବିପରୀତ ଦିଗରେ । ଏଠି ଅନେକ ହାତୀ । ଏ ହାତୀମାନଙ୍କ ମଧ୍ୟରେ ଅନେକ ପାଗଳା ବା ଦୁଷ୍ଟ ହାତୀ । ଏଠି ମଧ୍ୟ ଅନେକ ଗୟଳ । କହିବାକୁ ଗଲେ, ଏଠି ବେଶି ବାଘ ରହନ୍ତିନି । ହଠାତ୍ ନୀରବ ଉପତ୍ୟକାରେ କେତେଜଣ ମଣିଷ ମଲେ ବାଘମୁହଁରେ । ତାପରେ ସବୁ ବନ୍ଦ । ସେଇଠୁ ଆରମ୍ଭହେଲା ଗୁଡ଼ାଲୁରରେ । ଟିକାକାଡ଼ୁଠାରୁ ଗୁଡ଼ାଲୁର କୋଡ଼ିଏ ମାଇଲ ଦୂର । ତା ପରେ ମାସିନିଗୁଡ଼ି । ଶେଷରେ ସେଗୁର ଓ ଆନାକୁଟିରେ । ବାଘ ଏଠିକି କେମିତି ଆସିଲା ଓ କାହିଁକି ଆସିଲା, କେହି କହିପାରିବନି । ଆସିଲାବେଳେ ସେ ଗୋଟା ନୀଳଗିରିକି ବୁଲିବୁଲି ଆସିବାଟାଇ ବଡ଼ ବିଚିତ୍ର କଥା ଥିଲା ।

 

ଖରାଦିନର ମଝାମଝି ହୋଇଥାଏ । ବାଘଟା ଖୁବ୍ ରକ୍ତମୁହାଁ ହୋଇ ଉଠିଚି । ସେଗୁର୍‌ରେ ଗୋଟାଏ ମାରି ସପ୍ତାହକ ମଧ୍ୟରେ ଆନାଇକୁଟିରେ ଗୋଟାଏ ମାରିଥାଏ । ଏଇ ସମୟରେ ମୁଁ ପହଞ୍ଚେ । ଶେଷ ଶିକାର ହୋଇଥାଏ ଜଣେ କେଶବା । ସେ ଥିଲା ଗାୟାଳ । ଏଇ ଅଧାବଣୁଆ ମଇଁଷି ନେଇ ଦୁଇ ମାଇଲ ଦୂରରେ ଚରାଏ । ମୟୂର ନଦୀ ଆଡ଼କୁ ମୁହାଁଇଲାବେଳେ ଆନାକୁଟି ନଈର ଯୋଉ ତଟଦେଶ–ତାରି ତୀର ତାର ଗୋଚର କ୍ଷେତ୍ର । ବାଘଟା ଛକି ଛକି ଆସି ମଇଁଷିଆଳକୁ ଆକ୍ରମଣକଲା । ପାଖରେ ଯେ ମଇଁଷି ଥିଲେ ସେମାନଙ୍କୁ ସେ ଖାତିର କଲାନି ।

 

କହିଚି, ଏମାନେ ଅରଣା ମଇଁଷି । ଯଦି କେହି ଜଣେ ଅଚିହ୍ନା ପହଞ୍ଚିଲା କଥା ସରିଲା । ତାକୁ ସେମାନେ ଆକ୍ରମଣ କରିବେ ହିଁ କରିବେ । ଜଣେ ଇଉରୋପୀୟ ପହଞ୍ଚିଲେ, ତା ଦଶା ନୟାଂତ ହୋଇଯିବ । ଅପରିଚିତ ପାଇଁ ଏମାନେ ଭୀଷଣ ଓ ଭୟଙ୍କର ହୋଇ ଉଠନ୍ତି । ବାଘକୁ ଦେଖି ସେମାନେ ସମସ୍ତେ ତା ଉପରେ ଆକ୍ରମଣ କଲେ । ନିରୁପାୟ ବାଘ ମଲାଲୋକକୁ ଛାଡ଼ି ପଳାଇଲା ।

 

ସେ ରାତିରେ ମଇଁଷିଆଳ ଫେରିଲାନି । ତା ମଇଁଷିପଲ ବି । ତେଣୁ ପରଦିନ ସକାଳେ ଖୋଜିବା ପାଇଁ ଲୋକେ ଗଲେ । ସେ ନ ଫେରିବାର କାରଣ ଜଣାପଡ଼ିଗଲା । ମଲା ଲୋକଟିକୁ ଖୋଜି ପାଇବାରେ ବେଶି ପରିଶ୍ରମ ପଡ଼ିଲାନି । ତାକୁ ଘେରି ରହିଥିଲେ ମଇଁଷିଗୁଡ଼ିକ । ସେମାନେ ଚରୁଥିଲେ । ବାଘଟା ଫେର ମଡ଼ାକୁ ନେଇପାରିନି । ଶବଟିର ପରୀକ୍ଷା, ସେ ଜାଗାରେ ବାଘର ପାଦଚିହ୍ନ, ଆକ୍ରମଣ କରିଥିବା ମଇଁଷିମାନଙ୍କ ମଡ଼ାଚିହ୍ନ ଆଦିରୁ ମୁଁ ଉପର ଘଟଣାଟି ବର୍ଣ୍ଣନା କରିଚି-

 

ସେଗୁରରେ ବାଘ ମାରିଥିଲା ଜଣେ ନାରୀକି । ସେ ବିଚାରୀ ପାଣିମାଠିଆ ଧରି ସେଗୁର୍ ନଦୀକି ଯାଇଥିଲା–ଘରପାଇଁ ପାଣି ଆଣିଲେ ପରିବାରର ସମସ୍ତେ ଚଳିବେ । ବାଘ ତାକୁ ସିଧା ବୋହି ନେଇ ଯାଇଥିଲା । ତାର ଶିକାରର ଚିହ୍ନ ଥିଲା ସେଇ ଭଙ୍ଗା ମାଠିଆ, ପାଣି କୂଳରେ ଓ ବାଲିରେ ବାଘର ପଞ୍ଝାଚିହ୍ନ, କେତେ ବିନ୍ଦୁ ରକ୍ତ । ନାରୀଟିକୁ ବୋହି ନେଲା ବେଳେ କଣ୍ଟାରେ ଲାଗି ତା ଶାଢ଼ି ଛିଣ୍ଡିଯାଇଥିଲା । ତା ମୁଣ୍ଡରୁ କେଇକେରା କେଶ ଛିଣ୍ଡିଥିଲା । ସେସବୁ ମିଳିଥାଏ ।

 

ଦୁଇଟି ଯାକ ଜାଗାକୁ ଗଲି । ଉଭୟ ସ୍ଥାନରେ ବାଘର ଯେଉଁ ମାପ ପାଇଲି ସେଥିରୁ ଜାଣିଲି–ବାଘଟା ଛୋଟ, ପୁରୁଷ, କଞ୍ଚାବୟସ ।

 

ଖବର ମିଳିଲା ଯେ ବାଘଟା ସେଗୁର୍ ଓ ଆନାଇକୁଟି ମଧ୍ୟରେ ଖୁବ୍ ଯିବା ଆସିବା କରୁଚି । ଏ ପ୍ରାୟ ଦଶ ମାଇଲ ଲମ୍ବ ଜଙ୍ଗଲୀ ରାସ୍ତା । ଏ ରାସ୍ତାର ଧାରେ ଧାରେ ବାଘ ପାଦର ଅନେକ ଚିହ୍ନ ମିଳୁଚି । ବିଶେଷରେ ସେ ଉଭୟ ସ୍ଥାନର ନିକଟରେ ବହୁ ପାଦଚିହ୍ନ । ଭାବିଲି, ଏ ରାସ୍ତାର ବିଭିନ୍ନ ଜାଗାରେ ବସିବି । ମୋ ପ୍ରସ୍ତୁତିର ଲମ୍ବା ଚଉଡ଼ା ବର୍ଣ୍ଣନା ଦେଉନି । ସେ ପ୍ରକାର ବର୍ଣ୍ଣନାରେ ପାଠକ ଆନନ୍ଦ ପାଇବେନି । ତେବେ କହିରଖେ, ଉଭୟ ଜାଗାର ନିକଟରେ ମୁଁ ଜଗିଲି-। ମାତ୍ର ବାଘର କୌଣସି ଚିହ୍ନବର୍ଣ୍ଣ ପାଇଲିନି ।

 

ଏମିତି ଛ’ ଦିନ ଗଲା । ସପ୍ତମ ରାତ୍ରିରେ ସେଗୁର୍‌ଠାରୁ ପ୍ରାୟ ଦେଢ଼ମାଇଲ୍ ଦୂରରେ ଗୋଟାଏ ଗଛରେ ବସିଥିଲି । ସେ ନିଷ୍ଫଳ ପ୍ରତୀକ୍ଷା ପରେ ସକାଳୁ ବଙ୍ଗଳାକୁ ଫେରିଲି । ବଙ୍ଗଳା ତ ମୋର ମୁଖ୍ୟ କର୍ମକେନ୍ଦ୍ର ଥାଏ । ଖବର ପାଇଲି ଜଣେ କାରୁମ୍ବାଲୋକ ଜଙ୍ଗଲକୁ ଯାଇ ଫେରିନି । ସେ ଯାଇଥିଲା ମହୁ ଭାଙ୍ଗି । ସେ ପାଖର ନୀଳଗିରି ପର୍ବତମାଳା ତଳେ ଗୋଟାଏ ପର୍ବତ । ତା ନାଁ ମହୁପର୍ବତ । ସେଠି ପର୍ବତ ଖୋଲରେ ବାଘୁଆ ମହୁମାଛିମାନଙ୍କର ବଡ଼ ବଡ଼ ଫେଣା । ତା ଘରଠୁ ପ୍ରାୟ ଚାରିମାଇଲ୍ ଦୂର । ଗଲାଦିନ ସକାଳୁ ଯାଇ ସେ ଫେରିନଥାଏ ।

 

ସଙ୍ଗେ ସଙ୍ଗେ ଖୋଜିବା ଲୋକ ଯୋଗାଡ଼ କଲି । ସେ ଦଳରେ ଥିଲେ କୋଡ଼ିଏ ଲୋକ-। ମୁଁ ଗଲି ସେମାନଙ୍କ ସଙ୍ଗେ । ଏ ପାଖେ ମଣିଷମାରୁ ବାଘ ମାତିଚି । ଲୋକମାନଙ୍କୁ ନେଇ ଜଙ୍ଗଲକୁ ଯିବା କିଛି କମ୍ କଥା ନୁହେଁ । ତେଣୁ ମୁଁ ଦଳଟିକୁ ଚାରିଭାଗ କରିଦେଲି । ପ୍ରତି ଭାଗରେ ରହିଲେ ପାଞ୍ଚଜଣ । ଆମେ ମଲା କାରୁମ୍ବାକୁ ଖୋଜିବାରେ ଲାଗିଲୁ । ମଧ୍ୟାହ୍ନ ବେଳକୁ ଖବରମିଳିଲା । ତା ଶବ ନାଳ ବାଲିରେ ପଡ଼ିଥାଏ । ସେଠିକି ଗଲି । ଲୋକଟିକୁ ତଣ୍ଟି କଣା କରି ହତ୍ୟା କରାଯାଇଚି । ପାଖରେ ତାର ପଡ଼ିଥାଏ କିରାସିନି ଟିଣ । ଏଇ ଡବାରେ ସେ ମହୁ ଆଣିଥାଆନ୍ତା । ସେ ଡବାରେ ମଧ୍ୟ ଅନେକ ମହୁ ଥିଲା । ମହୁ ଢଳିଯାଇଥାଏ । ସେ ମହୁର ଚାରିପାଖେ ଅସଂଖ୍ୟ ପିମ୍ପୁଡ଼ି ଲାଗିଥାଆନ୍ତି । ସେଥିଯୋଗୁଁ ସେ ପାଖସାରା କଳା ଦିଶୁଥାଏ । ଏ ପିମ୍ପୁଡ଼ିଗୁଡ଼ିକ କଳା ।

 

ଲୋକେ କହିଲେ ବାଘ ମାରିଚି । ମୁଁ ବି ଭାବିଲି ବାଘ ମାରିଚି । ମାତ୍ର ଏ ନିର୍ଜନ ଜାଗା-। ବାଘ ଶିକାରକୁ ଖାଇଲାନି କିଆଁ ? ଏକଥା ମୋ ମନକୁ ବାରମ୍ବାର ଆସିଲା । ତେଣୁ ବାଘର ମଡ଼ାଚିହ୍ନ ପାଇଁ ଅନୁସନ୍ଧାନ ଚଳାଇଲି । ମାତ୍ର ଖୁବ୍ ଶୀଘ୍ର ମୁଁ ଜାଣିପାରିଲି ଏଥର ହତ୍ୟାକାରୀ ବାଘ ନୁହେଁ–ସେ ଗୋଟାଏ ମାଈଭାଲୁ । ସାଙ୍ଗରେ ତାର ଛୁଆଥିଲେ । ମଣିଷ ପାଦଚିହ୍ନପରି ପାଦଚିହ୍ନ ଦେଖିଲି । ତା ପାଖରେ ଟିକ ମଣିଷଛୁଆର ପାଦଚିହ୍ନ ପରି ଦାଗ । ଜାଣିଲି ମାଈଭାଲୁ ଓ ଛୁଆଭାଲୁଙ୍କ ପାଦଚିହ୍ନ ।

 

ମାଈଭାଲୁଟି ତା’ ଛୁଆମାନଙ୍କ ସଙ୍ଗେ ଶୋଇଥିଲା, କିମ୍ବା ସେମାନଙ୍କୁ ନେଇ ଏ ନାଳ ପାରିହେଉଥିଲା । ସେଇ ସମୟରେ ମହୁ–ସଂଗ୍ରହକାରୀ କାରୁମ୍ବାଟି ମୁଁହାମୁହିଁ ପଡ଼ିଯାଇଚି । ଭାଲୁର ଶୁଣିବା ଶକ୍ତି ବି କମ୍ । ଦେଖିବା ଶକ୍ତି ବି କମ୍ । ତେଣୁ ମଣିଷର ଯିବା ଆସିବା ସେ ସହଜରେ ଜାଣିପାରେନି । ଅନେକ ସମୟରେ ମଣିଷ ତାର ଏକଦମ୍ ପାଖରେ ପହଞ୍ଚିଯାଏ–ତେବେ ବି ସେ ଜାଣିପାରେନି । ଭାଲୁର ବ୍ୟବହାର କଥା କେହି ଜାଣିପାରିବେନି । କେତେବେଳେ ରାଗେ, କେତେବେଳେ କଣ କରେ ଜାଣିବା କଷ୍ଟ । ଖୁବ୍ ପାଖାପାଖି ହେଲେ ଭାଲୁକୁ କିଛି ଚିଡ଼ାଅ ବା ନଚିଡ଼ାଅ, ସେ ଆକ୍ରମଣ କରେ । ଭାଲୁଟା ଡରକୁଳା । ପୁଣି ଶୀଘ୍ର ଉତ୍ତେଜିତ ହୋଇପଡ଼େ; ତେଣୁ ସେ ଆଖିବୁଜା ଆକ୍ରମଣ କରେ । ଏ କ୍ଷେତ୍ରରେ ଠିକ୍ ସେଇୟା ହୋଇଚି । ପିଲାଏ ଅଛନ୍ତି । କାଳେ ମଣିଷ ଭାଲୁଛୁଆଙ୍କର କିଛି କ୍ଷତି କରି ପକାଇବ, ଏଇ ଚିନ୍ତାରେ ମାଆ ଭାଲୁ ଉତ୍‌କ୍ଷିପ୍ତ ହୋଇଚି । ରାଗରେ ଓ ଭୟରେ ପିଲାଙ୍କୁ ରକ୍ଷାକରିବାର ଅଭିଳାଷରେ ସେ କାରୁମ୍ବାକୁ ଆକ୍ରମଣ କରିଚି । ତା ଗଳା ଫୁଟାଇ ଦେଇଚି; ମାତ୍ର ସଙ୍ଗେ ସଙ୍ଗେ ସେ ଜାଗା ଛାଡ଼ି ପଳାଇଚି ।

 

ଭାବିଲି ବୋକା ଜୀବଟା ଭାଲୁ । ସେ ପୁଣି ତା ଛୁଆକୁ ରକ୍ଷାକରିବା ଇଚ୍ଛାରେ ମଣିଷଟିକୁ ମାରିଦେଇଚି । ତାକୁ ମାରିବନି । ତେଣୁ ଫେରିଆସିଲି ବଙ୍ଗଳାକୁ । ମୋ ପଛେ ପଛେ ଆସିଲେ ଚାରିଜଣ କାରୁମ୍ବା । ସେମାନେ କହିଲେ ସେମାନେ ତ ସେଇ ଆଡ଼କୁ ମହୁଭାଙ୍ଗି ଯିବେ–ସେ ସମୟରେ ସେଇ ଭାଲୁ ସେମାନଙ୍କୁ ଆକ୍ରମଣ କରିବ । ତେଣୁ ସେ ଭାଲୁକୁ ଖତମ୍ କରିଦେବା ଉଚିତ । ତାକୁ ମାରିଦେବାକୁ ସେମାନେ ଲଗାଇଲେ ।

 

ମୋର ଇଚ୍ଛା ନଥିଲା । ଖାଲି ଏଇ ଚାରିଜଣଙ୍କୁ ଖୁସି କରିବାକୁ ମୁଁ ବାହାରିଲି । ଦଳର ଆଉମାନଙ୍କୁ ବିଦା କରିଦେଲି । ଏ ଚାରିଜଣଙ୍କ ସହ ଭାଲୁର ପାଦଚିହ୍ନ ଡଗରାଇ ଚାଲିଲି ।

 

ନାଳ ପାଖେ ପାଖେ ଏ ଚିହ୍ନ ପଡ଼ିଥିଲା । ତାପରେ ବଡ଼ନଈ ଆଡ଼କୁ ଯାଇଥାଏ । ଶ୍ରୀମତୀ ଭାଲୁ ଓ ତାଙ୍କର ଛୁଆଏ ସେମିତି ଯାଇ ଅରଣ୍ୟ ଭିତରକୁ ଚାଲିଯାଇଥାଆନ୍ତି । ସେଇଠୁ ସେ ଅନେକ ପଥର ଡେଇଁ ସେ ଉପରକୁ ଚଢ଼ିଥାଏ । ପାହାଡ଼ ଭିତରେ ଅନେକ ଗୁହା, ଫାଟ ଓ ଖୋଲ । ଭାଲୁମାନେ ସେଇଠି ରହନ୍ତି । ଆଉ ସେଠି ବାଘୁଆ ମହୁମାଛି ଫେଣା ବାନ୍ଧେ । ଖୁବ୍ ବଡ଼ ବଡ଼ ଏ ଫେଣା । ଗୋଟାଏ ଗୋଟାଏ ଫେଣା ପାଞ୍ଚଫୁଟ ଲମ୍ବ, ତିନିଫୁଟ ଓସାର ଓ ଫୁଟକରୁ ଅଧିକ ମୋଟା ହେବା ମୁଁ ଜାଣେ । ଏମିତି ବିରାଟ ବିରାଟ ଫେଣାରେ ଅସଂଖ୍ୟ ମାଛି ରହନ୍ତି ।

 

ଏ ପାଖର ମାଟି ଖୁବ୍ ଟାଣ । ଖୁବ୍ ପଥୁରିଆ । ମୋ ଆଖିରେ ଭାଲୁର କୌଣସି ପାଦଚିହ୍ନ ପଡ଼ୁ ନଥାଏ । କାରୁମ୍ବାମାନେ କିନ୍ତୁ ଭିନେ ମଣିଷ । ମୋଠୁ ସେମାନେ ଅଧିକ ଜଙ୍ଗଲ ବିଷୟରେ ଅଧିକ ଅଭିଜ୍ଞ । ମୋ ଆଖିଠୁ ସେମାନଙ୍କ ଆଖି ଅଧିକ ତୀକ୍ଷ୍‌ଣ । ଶିକାର ଡଗରାଇବାରେ ସେମାନେ ପ୍ରକୃତରେ ଖୁବ୍ ନିପୁଣ । ଦୁଇଘଣ୍ଟାରୁ ଅଧିକ କାଳ ସେମାନେ ମୋତେ ବାଟ କଢ଼େଇ ନେଲେ । ଆମେ ପାହାଡ଼ ଡେଇଁଲୁ । ପାହାଡ଼ ପାଦଦେଶର ଅଧିତ୍ୟକା ପାରିହେଲୁ । ପାରିହେଲୁ ଦୁଇ ପାହାଡ଼ ମଧ୍ୟର ଉପତ୍ୟକା । ଅନେକ ଛୋଟ ମୁଣ୍ଡିଆ ଡେଇଁଲୁ । କୋଉଠି ପଥରଟାଏ ଓଲଟିଯାଇଚି, କୋଉଠି ପତ୍ର ଛିଣ୍ଡିଚି, କୋଉଠି ମାଟି ଖୋଳାଯାଇଛି, ସବୁ ସେମାନଙ୍କ ଆଖିରେ ପଡ଼ୁଥାଏ । ଭାଲୁର ଯିବା ବାଟ ଏମିତି ଭାବରେ ସେମାନେ ଡଗରାଇ ଚାଲୁଥିଲେ ।

 

ଶେଷକୁ ଆମେ ଗୋଟାଏ ପାହାଡ଼ ଗୁମ୍ଫାରେ ପହଞ୍ଚିଲୁ । ସେଠି ପଥରଟା ଆଗକୁ ବାହାରି ଆସିଥାଏ । ସେ ଗୁମ୍ଫାରେ ଥିଲା ତେଇଶିଟା ବାଘୁଆ ମହୁଫେଣା । ସେମାନେ କହିଲେ, ସେଇ ଗୁମ୍ଫାରେ ରହୁଥିଲା ସେ ମାଈଭାଲୁ ଆଉ ତାର ଛୁଆ ।

 

ଗୁମ୍ଫାର ମୁଁହଠୁ ଆମେ ଦଶଗଜ ଦୂରରେ ଥାଉ । କହିଲି, ସେ ଗୁମ୍ଫା ଭିତରକୁ ପଥର ଫିଙ୍ଗିବାପାଇଁ । ଦୀର୍ଘ କୋଡ଼ିଏ ମିନିଟ୍ ଧରି ସେମାନେ ଏକାଦିକ୍ରମେ ପଥର ଫୋପାଡ଼ିଲେ । ସେ ଦିଗରୁ ଗୋଟାଏ କ୍ଷୁଦ୍ର ଶବ୍ଦ ମଧ୍ୟ ବାହାରି ଆସିଲାନି । କାରୁମ୍ବାମାନେ ଶୁଖିଲା ଘାସର ଗୋଟାଏ ବେଣ୍ଟି କଲେ । ସେଥିରେ ନିଆଁ ଲଗାଇଲେ । ଗୁମ୍ଫା ଭିତରକୁ ଫିଙ୍ଗିଦେଲେ । ତେବେ ବି କିଛି ଫଳ ହେଲାନି । ଶେଷକୁ ସେମାନେ ପାଞ୍ଚଟା ବେଣ୍ଟି ତିଆରି କଲେ । ସେଥିରୁ ଗୋଟାକୁ ଜଳାଇଲି । ଜଣେ କାରୁମ୍ବା ସେ ନିଆଁ ଧରିଥାଏ । ତା ସହ ମୁଁ ଆଗେଇଲି । ଅନ୍ୟ କାରୁମ୍ବାମାନେ ଖାଲି ଘାସ ବେଣ୍ଟି ଧରିଥାଆନ୍ତି । ସେମାନେ ଆସୁଥାଆନ୍ତି ମୋ ପଛରେ ।

 

ଗୁହାଟି ଛୋଟା ଖାଲିପଡ଼ିଥିଲା । ଗୁହାବାସିନୀ ଶ୍ରୀମତୀ ଭାଲୁ ଓ ତାଙ୍କର ପିଲାଏ ଗୁହା ଶୂନ୍ୟ କରି ଅନ୍ୟତ୍ର ଗମନ କରିଥିଲେ । ଖୁବ୍ ଆଗରୁ ଯାଇନଥିଲେ–ବୋଧହୁଏ ଆମମାନଙ୍କ ଆସିବା ଜାଣି ଡରରେ ପଳାଇ ଯାଇଥିଲେ । ମୁଁ ଏଥିରେ ମନେ ମନେ ଖୁସି ହେଲି । କହିଚି ତ, ଆଗରୁ ଏ ଭାଲୁ ସହ ମୋର ଶତ୍ରୁତା ନ ଥିଲା । ତାକୁ ପାଇଥିଲେ ହୁଏତ ମାରିଥାଆନ୍ତି । ବିଚରା ଛୁଆଗୁଡ଼ିକ ଛେଉଣ୍ଡ ହୋଇଥାଆନ୍ତେ ।

 

ଏ ଭିତରେ ଆମର ପ୍ରଥମ ଓ ଦ୍ଵିତୀୟ ଘାସ ବେଣ୍ଟି ଜଳିଗଲା । ଆମେ ତୃତୀୟ ହୁଳା ଜାଳିଲୁ । ଏ ସମୟରେ ଜଣେ କାରୁମ୍ବା ଗୋଟିଏ ଅଦ୍‌ଭୁତ ଜିନିଷ ଆବିଷ୍କାର କଲା । ଭାରତୀୟ ଜଙ୍ଗଲରେ ଏ ଜିନିଷଟି ଏକ ଅଦ୍‌ଭୁତ ବସ୍ତ୍ର । ସେ କଥା ମୁଁ ଆଗରୁ ଶୁଣିଥିଲି । ମାତ୍ର ସେ ବିଷୟରେ ମୋର ବହୁ ଅବିଶ୍ଵାସ ଥିଲା । ଭାବୁଥିଲି–ଏ ଗୋଟାଏ ମିଛ କଥା ।

 

ଗୁମ୍ଫାରେ ସେ ଗୋଟାଏ ଜିନିଷ ପାଇଲା । ସେମାନେ ତାକୁ କହନ୍ତି ଭାଲୁରୋଟି । ଗୋଟାଏ ପ୍ରାୟ ବୃତ୍ତାକାର ଜିନିଷ । ଦଶଇଞ୍ଚ ଓସାର ଓ ଏକଇଞ୍ଚ ମୋଟା ହବ । ମଳିଛିଆ କଳା ଓ ହଳଦିଆ ରଙ୍ଗର । ଅଳ୍ପ ଅଠାଳିଆ । ଲୋକେ କହନ୍ତି ମାଈଭାଲୁ ପଣସ, ବଣୁଆ ଆତ ଓ ମହୁଫେଣା ଖାଏ । ଏସବୁକୁ ସେ ଗୋଟିଏ ପରେ ଗୋଟିଏ କରି ଖାଏ । ତାପରେ ଗୁହାକୁ ଆସି ସବୁ ବାନ୍ତି କରେ । ସେଇ ବାନ୍ତିକି ସେ ଏମିତି ରୋଟିପରି କରିଥାଏ, ତା ଉଦ୍ଦେଶ୍ୟ ତା ପିଲାଏ ତିରୋଟବେଳେ ଖାଇବେ ।

 

ଭାଲୁର ଦିହସାରା ଲମ୍ବା ଲମ୍ବା ବାଳ । ତେଣୁ ବାଘୁଆ ମହୁମାଛି ତାକୁ ଆକ୍ରମଣ କଲେ ବି କିଛି ହୁଏନି । ଅଥଚ ସେଇ ମହୁମାଛି ମଣିଷକୁ ବିନ୍ଧିଲେ ମଣିଷ ମରିଯିବାର ଭୟ ଅଛି । ଭାଲୁ ଅପୂର୍ବ ଦକ୍ଷତାରେ ଗଛ ଚଢ଼େ–ଆତ ଖାଏ ସେ ମଧ୍ୟ ମହୁଫେଣା ଭାଙ୍ଗି ମହୁ, ଫେଣା, ମହୁମାଛି ଡିମ୍ଵ ଆଦି ସବୁ ଖାଇଯାଏ । ଲୋକେ କହନ୍ତି ଯୋଉ ଗୁହାରେ ମାଈଭାଲୁ ଓ ତା’ ଛୁଆ ରହିବେ, ସେଇଠି ଏମିତି ଦଶବାରଟା ରୋଟି ମିଳିବ । ଏ କ୍ଷେତ୍ରରେ ଆମେ ଗୋଟାଏ ପାଇଲୁ । ହେଲେ, ମୋ ଶିକାରୀ–ଜୀବନକାଳ ମଧ୍ୟରେ ମୁଁ ଏମିତି ରୋଟି ଗୋଟାଏ ବି କେବେ ଆଗରୁ ଦେଖିନଥିଲି । ତେଣୁ କୌତୂହଳ ଜାଗିଉଠିଲା । କାରୁମ୍ବାମାନେ କହିଲେ ଯେ ସେ ରୋଟି ଖୁବ୍ ସ୍ଵାସ୍ଥ୍ୟକର ଖାଦ୍ୟ । ସେମାନେ ତହିଁରୁ ଖଣ୍ଡେ ମୋତେ ଯାଚିଲେ । ଧନ୍ୟବାଦ ଜଣାଇ ମୁଁ ମନାକଲି । ସେମାନେ ନିଜ ନିଜ ଭିତରେ ସମାନ ଭାବରେ ବାଣ୍ଟି ଖୁବ୍ ଆନନ୍ଦରେ ଖାଇଲେ ।

 

ଆମେ ତ ଗୁହାର ମୁହଁରେ ବସିଥିଲୁ–ସେ ନିଆଁ କି ବେଣ୍ଟିରେ ଥିବା ଧୂଆଁ ବା ଆମମାନଙ୍କ ପାଟିତୁଣ୍ଡ ସେମାନଙ୍କୁ ବିରକ୍ତି କଲା, ମୁଁ ଜାଣିନି–ମାତ୍ର ଅଚାନକ କେତୋଟି କଳା କଳା ମାଛିର ଘୁଁ ଘୁଁ ଶବ୍‌ଦ ଶୁଣାଗଲା ଓ ସେମାନେ ଆମ ଚାରିପାଖେ ଗର୍ଜିବା ଆରମ୍ଭ କରିଦେଲେ । ଆମେ ଦଉଡ଼ିବାକୁ ଲାଗିଲୁ । ଆଉ ସେ ବାଘମହୁମାଛିଗୁଡ଼ାକ ଫେଣା ଛାଡ଼ି ଆମ ଉପରେ ମାଡ଼ିପଡ଼ିଲେ ।

 

ମୁହୂର୍ତ୍ତକ ଭିତରେ ଆମେ ଜୀବନମୂର୍ଚ୍ଛା ଦଉଡ଼ା ଆରମ୍ଭକଲୁ । କାରୁମ୍ଭାମାନେ ମୋଠୁ ଅଧିକ କ୍ଷିପ୍ର । ସେମାନେ ସବୁବେଳେ ମୋ ଆଗରେ ଥାଆନ୍ତି । ତାଛଡ଼ା ବନ୍ଧୁକଟା ମୋତେ ବୋହିବାକୁ ପଡ଼ୁଥାଏ । ଏ କ୍ଷିପ୍ରତାରେ ମୋର ସେମିତି କିଛି ହାନି ହେଇନି । ମୋ ଦିହରେ ଯେଉଁ କପଡ଼ା ଥିଲା, ସେତକ ମୋତେ ବହୁତ ସାହା ହେଲା । ମୋ ବେକ ଓ ଗୋଡ଼ ପୁଟିଆରେ ମହୁମାଛି ଦଂଶନ କଲେ । ଆମେ ପ୍ରାୟ ଅଧମାଇଲିଏ ପରେ ସେମାନଙ୍କ ଆକ୍ରମଣରୁ ରକ୍ଷାପାଇଲୁ । ସେତେବେଳେ ଗଣିଲି–ମୋତେ ଦଂଶନ କରିଥିଲେ କୋଡ଼ିଏଟା–ସେମାନଙ୍କୁ ପ୍ରାୟ ଚାଳିଶିଟା ଲେଖାଏଁ । ସେମାନଙ୍କ ଦେହରେ ତ ଏତେ ଲୁଗାପଟା ନାଇଁ ! ଏମ୍‍ତି ଭାବିରେ ଯୋଉ କାମଟା ଦୁଃଖାନ୍ତକ ଭାବେ ଆରମ୍ଭ ହେଇଥିଲା, ସେଇଟା ଶେଷ ହେଲା ହାସ୍ୟାତ୍ମକ ରୂପରେ । ମାତ୍ର ସେ ଥିଲା ଅନେକ ଅଭିଜ୍ଞତାର ଦିନ । ଆମେ ଆଗଠୁ ଅଧିକ ଜ୍ଞାନୀ ଓ ଅଭିଜ୍ଞ ହୋଇଗଲୁ ।

 

ସେଇଦିନ ସଞ୍ଜ ଆଠଟାରେ ମୁଁ ସେଗୁର୍‌କୁ ଯିବାକୁ ବାହାରିଲି । ମୋ ଷ୍ଟୁଡ଼ିବେକରୁକୁ ଧୀରେ ଧୀରେ ଚଳାଉଥାଏ । ଜଣେ କାରୁମ୍ଭା ମୋ ପାଖରେ ବାସି ଫ୍ଲାସ ଆଲୁଅ ରାସ୍ତାରେ ଦୁଇ ପାଖରୁ ପକାଉଥାଏ । ଉତ୍ତର ପୂର୍ବ ଦିଗରେ ଆମେ ଏମ୍‌ତି ଛ’ମାଇଲ ଗଲୁ । ବାଟରେ କିଛି ଦେଖିନୁ । ମହବନହାଲା ଓ ମାସିନିଗୁଡ଼ି ପାରିହେଲୁ । ଆହୁରି ଚାରିମାଇଲ ସାର ଢିପ୍‍ପାକାଡ଼ଠୁଁ ଜଙ୍ଗଲ ଚୌକ ପହଞ୍ଝଲୁ । ଫେରିବା ଆଗରୁ ଆମେ ଏଇଠି ଘଣ୍ଟାଏ କଟାଇଲୁ । ଢିପ୍ପାକାଡ଼ଠୁଁ ତିନିମାଇଲ ଦୂରରେ ଦଳେ ଗୟଳ ହାବୁଡ଼ିଲେ ।

 

ଗାଡ଼ି ସେମିତି ସେମାନଙ୍କ ପାଖକୁ ଯାଇଚି ଗୟଳଗୁଡ଼ିକ ଜୋର୍‌ରେ ପଳାଇଗଲେ । ମାସିନଗୁଡ଼ି ଓ ସେଗୁର୍ ମଧ୍ୟରେ ଆମେ ଅନେକ ହରିଣ ଦେଖିଲୁ । ଆନାଇକୁଟି ଯିବାକୁ ଗାଡ଼ି ବୁଲିବାବେଳେ ରାସ୍ତାରେ ଦେଖିଲୁ ଗୋଟାଏ ହାତୀ, ଠିକ୍ ରାସ୍ତାର ମଝିରେ ଠିଆ ହୋଇଥାଏ । ଶକ୍ତିଶାଳୀ ଟର୍ଚ୍ଚର ଆଲୁଅରେ ତା’ର ଧଳାଦାନ୍ତ ଚିକ୍‌ଚିକ୍ କରୁଥାଏ । ଆମେ ହର୍ଣ୍ଣ ବଜାଇଲୁ । ହାତୀଟା ମୁହଁ ବୁଲାଇ ବନମଧ୍ୟରେ ଅଦୃଶ୍ୟ ହୋଇଗଲା । ଆମେ ଆନାଇକୁଟି ବନ ବଙ୍ଗଳାରେ ପହଞ୍ଝଲୁ...କାହିଁ ମଣିଷମାରୁଟାର ତ ଦେଖାମିଳିଲାନି !

 

ପରଦିନ ପ୍ରଭାତ ବେଶ୍ ଉଜ୍ଜ୍ୱଳ ହୋଇଆସିଲା । ମୋ କାରୁଂବା ସାଥି ସହ ପୁଣି ଖୋଜିବା ଆରମ୍ଭ କଲି । ଆମେ ଉତ୍ତରକୁ ଗଲୁ । ପ୍ରାୟ ନଅମାଇଲ୍‌ ଦୂରରେ ମୟୂର ନଦୀ । ଏ ଦିଗରେ ମଧ୍ୟ ବାଘର ଦେଖାମିଳିଲାନି । ଗୋଟାଏ ବଡ଼ ଜଙ୍ଗଲୀ ଚିତାବାଘର ପାଦଚିହ୍ନ ଦେଖିଲି । ଏ ଚିହ୍ନ ମୟୂର ଆଡ଼କୁ ଯାଇଥିବା ଗଡ଼ାଣିରେ ମିଳିଲା । ତା’ ଚାଲିବାରୁ ଜାଣିଲି ଗୋଟାଏ ବଡ଼ ଚିତା–ଛୋଟ ବାଘୁଣୀଟାଏର ଆକାର ହେବ । ଏଇ ଚିତାଟାର ପଛେ ପଛେ ଲାଗିଥିଲେ ଭଲ ଶିକାର ଓ ଟ୍ରଫିଟାଏ ହୋଇଥାଆନ୍ତା । କିନ୍ତୁ ସେ ଦିଗକୁ ମନ ବଳାଇଲିନି । ଅପରାହ୍‌ଣ ଅନେକ ଗଡ଼ିଗଲା ବେଳକୁ ଆମେ ଫେରିଲୁ । ଖୁବ୍ ପରିଶ୍ରମ କରିଥିଲୁ । ବଡ଼ କ୍ଲାନ୍ତ ଲାଗୁଥାଏ । ନିରାଶ ବି-। ଏତେ ଖୋଜାଖୋଜି, ଏତେ ବୁଲାବୁଲି ସବୁ ବୃଥା ।

 

ସେ ରାତିରେ ପୁଣି ଢିପାକାଡ଼ୁକୁ ଯାତ୍ରା କଲି । ସେଠୁ ଫେରିଲି ବି । ଫେରିଲାବେଳକୁ କେବଳ ଦେଖିଲି ଗୋଟାଏ ଏକେଣା ଶମ୍ବର ।

 

ପରଦିନ ବଡ଼ିଭୋରରୁ ପୁଣି ଗୋଟାଏ ଅନୁସନ୍ଧାନ ପର୍ବ ଚଳାଇଲି । କାରୁଂବାଟି ଥାଏ ସାଙ୍ଗରେ । ଏଥର ଦକ୍ଷିଣ–ପୂର୍ବ ଦିଗରେ ନୀଳଗିରିକି ଯାତ୍ରା । ପ୍ରାୟ ଚାରିମାଇଲ୍‌ ଗଲୁ । ଗୋଟାଏ ମାଈଗୟଳ ମରିଚି । ତା’କୁ ପରୀକ୍ଷା କଲି । ଦେଖିଲି ରାଣୀକ୍ଷେତ ବେମାରିରେ ମଇଁଷିଟି ମରିଯାଇଚି । ବନବିଭାଗ ଦୁଇ ତିନିମାସ ତଳେ ସରକାରଙ୍କୁ ଜଣାଇଥିଲେ ଯେ ଦାଡ଼ଗାମାନେ ଜଙ୍ଗଲରେ ଏ ରୋଗ ସଂକ୍ରମଣ କରାଇଛନ୍ତି । ସେମାନେ ମଇଁଷି ଚରାନ୍ତି । ସେ ମଇଁଷିଙ୍କ ରୋଗ ଗୟଳକୁ ବ୍ୟାପିଚି । ଏ ଘଟଣାଟି ତା’ର ପ୍ରମାଣ ।

 

ସେଇ ଅପରାହ୍‌ଣରେ ଗୋଟାଏ ଖବର ଆସି ପହଞ୍ଚିଲା–ବାଘ ଜଣେ ସ୍ତ୍ରୀଲୋକକୁ ମାରିଚି । ଘଟଣାଟା ବଡ଼ ରାସ୍ତାରେ ଘଟିଚି, ସେଗୁର୍ ନଦୀରେ ମହାବନହଲା ନାଳ ମିଶିବା ଆଗରୁ ଯୋଉ ପୋଲ ପଡ଼େ ସେଇଠି । ମୋଟର ଚଳାଇ ସେଠି ପହଞ୍ଚିଲି । ଲୋକେ ମୋତେ ନିର୍ଦ୍ଦିଷ୍ଟ ଜାଗାଟି ଦେଖାଇଦେଲେ । ଗାଈ ମଇଁଷିଙ୍କି ସେ ନାରୀଟି ପାଣି ଦେଉଥିଲା । ବାଘ ଲୁଚି କରି ଥିଲା, ତା’କୁ ବୋହିନେଲା ।

 

ପ୍ରକୃତରେ କୌଣସି ଲୋକ ନିର୍ଦ୍ଦିଷ୍ଟ ଭାବରେ ଘଟଣାଟା ଦେଖିନଥିଲେ । ସେ ପାଖରେ ଅବଶ୍ୟ ଅନେକ ଲୋକ ଥିଲେ; କାରଣ ସେଠି ଗୋରୁ ଓ ମଇଁଷି ଗୋଠ ପଡ଼ିଥିଲା । ଲୋକମାନେ ପୋଲ ପାଖରେ ଥିଲେ । ସେ ପାଖରେ ରାସ୍ତାର ବାଙ୍କ ପାଖେ ବୋଧହୁଏ ବାଘ ଲୁଚିଥିଲା । ବିଚାରୀ ଖୁବ୍ ପାଟି କରିଥିଲା, ମାତ୍ର ଅଳ୍ପ ସମୟ ପରେ ଚୁପ୍ ହୋଇଯାଇଥିଲା । ସେଠି ଥିଲେ ପାଞ୍ଚଜଣ ରଖୁଆଳ, ସେମାନେ ମହବନହଳାକୁ ଦଉଡ଼ିଗଲେ, ସେଠାରୁ ଆଉ ଛ’ଜଣ ଲୋକଙ୍କୁ ଡାକିଆଣିଲେ । ସେମାନଙ୍କ ମଧ୍ୟରେ ହତଭାଗୀର ସ୍ଵାମୀ ନ ଥାଏ । ସେମାନେ ସେ ଜାଗାକୁ ଗଲେ, ସେ ଧରିଥିବା ଟୋକେଇ ପାଇଲେ । ସେଠାର ନରମା ମାଟି ଉପରେ ବାଘପାଦର ଚିହ୍ନ ଦେଖିଲେ, ତା’ପରେ ସେମାନେ ସମସ୍ତେ ମହବନହଲାକୁ ଫେରି ଆସିଲେ, ପରଦିନ ବଡ଼ିଭୋରରୁ ମୋ ପାଖକୁ ଖବର ଆଣିଲେ–ଆସିଲେ ଅନାଇକୁଟିକୁ । ଦଶମାଇଲ୍ ବାଟ ସେମାନେ ଚାଲି ଚାଲି ଆସିଛନ୍ତି । ସେମାନେ ଜାଣିଥିଲେ ଯେ ସେ ବାଘର ଶିକାର ପାଇଁ ମୁଁ ସେଇଠି ଅଛି ।

 

ଯୋଉଠି ନାରୀଟି ଉପରେ ପ୍ରକୃତ ଆକ୍ରମଣ ହୋଇଥିଲା ଆମେ ସେଇ ଜାଗାକୁ ଗଲୁ-। ମୋର ଅଭିଜ୍ଞ କାରୁମ୍ବାର ସାହାଯ୍ୟରେ ଆମେ ବାଘର ଶିକାର ନେବା ବାଟ ଖୋଜିପାଇଗଲୁ । ଏଥର ବାଘକୁ ଡଗରାଇବା କଥା । ମୋ ସାଥିରେ ଥିବା ଲୋକଗୁଡ଼ିକୁ ଚାଲିଯିବାକୁ କହିଲି । ସେମାନଙ୍କ ସହିତ ସେ ନାରୀଟିର ସ୍ଵାମୀକି ବି ଚାଲିଯିବାକୁ ନିର୍ଦ୍ଦେଶ ଦେଲି । ସେ ଲୋକଟି ମୋତେ ଅନୁରୋଧ କଲା ମୃତ ନାରୀଟିର ଯଥାସମ୍ଭବ କେତେଖଣ୍ଡ ଅସ୍ଥି ଆଣିଦେବାକୁ–ତା’ରି ସାହାଯ୍ୟରେ ସେ ଶୁଦ୍ଧି କ୍ରିୟା କରିବ ।

 

ମୋ କାରୁମ୍ବା ସାଥୀଟି ନିର୍ଭୁଲଭାବରେ ବାଘର ଚିହ୍ନ ବାରି ବାଟ କଢ଼ାଇଲା । ମୋ’ପକ୍ଷରେ ସେ ଚିହ୍ନସବୁ ପାଇବା ଏକପ୍ରକାର ଅସମ୍ଭବ ହୋଇଥାଆନ୍ତା । ବାଘଟା ନୀଳଗିରି ପର୍ବତର ଏକ ପୁରୁଣା ଅଞ୍ଚଳ ଆଡ଼କୁ ଉଚ୍ଚା ପାହାଡ଼ ଆଡ଼କୁ ଯାଇଥାଏ । ସେ ପାହାଡ଼ଟା ରାସ୍ତା ସହିତ ପ୍ରାୟ ସମାନ୍ତରଭାବେ ଉଠିଚି । ରାସ୍ତାଠୁ ପ୍ରାୟ ଦୁଇମାଇଲ ଦୂର । ଅନେକ ବର୍ଷ ଆଗେ ମୁଁ ସେଇ ପାହାଡ଼କୁ ଯାଇଥିଲି । ଗୋଟିଏ ଭଲ ଗୟଳ ମୁଣ୍ଡ ପାଇବା ସେ ସମୟରେ ମୋର ଲକ୍ଷ୍ୟ ଥିଲା । ଜାଣିଥିଲି ଯେ, ପାହାଡ଼ର ପାଦଦେଶରେ ଖରିଘାସ ଭରିଚି, କ୍ରମେ ଉପରକୁ ଏ ଘାସ କମିଯାଇଚି । ସେ ଭିତରେ ବାଘ କି ଶିକାରକୁ ଖୋଜି ପାଇବାର ସୁବିଧା ଖୁବ୍ କମ୍ ।

 

ଏହି କାମରେ ମୋ ସାଥୀ କାରୁମ୍ବା କିନ୍ତୁ ପଛଘୁଞ୍ଚା ଦେବାର ଲୋକ ନୁହେଁ । ଆମେ ପ୍ରାୟ ମାଇଲିଏ ବାଟ ଖୋଜି ଖୋଜି ପାରିହେଲୁ । ଏ ସମୟରେ ସ୍ତ୍ରୀଲୋକର ଶାଢ଼ି ପାଇଲୁ । ଶାଢ଼ିଟା ଗୋଟାଏ ବୁଦାରେ ଲାଗିଥାଏ । ଏହାର ଅଳ୍ପ ଦୂର ପରେ ବାଘର ମନ ପରିବର୍ତ୍ତନ ହେଇଚି-। ସେ ଡାହାଣଆଡ଼କୁ ଚାଲିଚି, ଠିକ୍ ପାହାଡ଼କୁ ସମାନ୍ତର କରି ଯାଇଚି । ଏବେ ପାହାଡ଼ ଖୁବ୍ ପାଖରେ । ତା’ପରେ ପୁଣି ପଛକୁ ଫେରିଚି, ଯାଇଚି ମହବନହଲା ନାଳ ଆଡ଼କୁ । ଆମେ ଚିହ୍ନ ଖୋଜି ଚାଲିଲୁ, ପହଞ୍ଚିଲୁ ନାଳରେ । ନାଳଟା ଏଠି ଗଭୀର ଉପତ୍ୟକା ମଧ୍ୟରେ ପ୍ରବେଶ କରିଚି । ସେଠି ଥୁଣ୍ଟା ବାଉଁଶ ମୂଳରେ ଅନେକ କଣ ଶାଖାପ୍ରଶାଖା ମେଲି ଜାଗାଟାକୁ ଗହଳିଆ କରିଦେଇଚି-। ଶାଗୁଣାମାନଙ୍କର ତୀବ୍ର ଚିତ୍‌କାର ଏବଂ ସେମାନଙ୍କର ଭାରି ଡେଣାର ଶବ୍‌ଦ ଆମ ମନରେ ଆଶାର ଆଲୋକ ଆଣିଦେଲା–ଆମେ ବୋଧହୁଏ ଶବର ଠିକଣା ପାଇଯିବୁ । ସତକୁସତ ଖୋଜାଖୋଜି କରିବାର ଅଳ୍ପ ସମୟ ପରେ ଆମେ ଶବଟିର ଅବଶିଷ୍ଟାଂଶ ପାଇଲୁ । କେତେକ ବାଉଁଶ ଖୁଣ୍ଟା ତଳେ ବାଘ ଶିକାରକୁ ରଖିଥିଲା । ବାଘ ଯାହା ଖାଇବାର ଖାଇସାରିଥିଲା, ବାକି ଯାହା ଥିଲା, ଶାଗୁଣାମାନେ ଭୋଜି କରିଦେଇଛନ୍ତି । ମୁଣ୍ଡ ଅଲଗା ହେଇ ପଡ଼ିଥାଏ । ଆଖି ଖୋଳା ସରିଥିଲା । ପକ୍ଷୀଏ ସେ କାମ କରିଥିଲେ । ମୁହଁର ମାଉଁସ ବି ସେମାନେ ଖାଇଦେଇଥିଲେ । ଏଇ ଅବସ୍ଥାରେ ଖପୁରିଟା କି ଭୟଙ୍କର ଦିଶୁଥିବ ଭାବନ୍ତୁ ! ତା’ ହାତ, ଗୋଡ଼ର ପାଦ, ଚୁଡ଼ି, ରୁପାର ନୁପୁର ଆଦି ମୁଁ ସଂଗ୍ରହ କଲି । ଘାସରେ ବାନ୍ଧିଲି, ଏସବୁ ତା ସ୍ଵାମୀକୁ ନେଇ ଦେବାକୁ ମୁଁ କଥା ଦେଇଥିଲି । କାରୁମ୍ବା ସାଙ୍ଗକୁ ଏହା ଧରିବାକୁ କହିବାରୁ ବଡ଼ ଅନିଚ୍ଛାରେ ସେ ଧରିଲା । ଏଠି ଜଗିବସିବା ଖାଲି ସମୟ ନଷ୍ଟ ହେବ; କାରଣ ବାଘ ଏଇ ଅଳ୍ପ ଛାଡ଼ିଯାଇଥିବା ମାଉଁସ ଲାଗି ସେ ଜାଗାକୁ ଫେରିବା କଥା ମିଛ ।

 

ସେ ଦିନ ମୁଁ କାର୍ ଚଳାଇ ବହୁବାର ଯିବା ଆସିବା କଲି–କିଛି ଲାଭ ହେଲାନି । ପରଦିନ ଗୋଟାଏ ଗଜା ପଣ୍ଡା ଆଣିଲି । ମହବନହଲା ନାଳର ବାଂକ ଜାଗାରେ ପଣ୍ଡାଟିକୁ ବାନ୍ଧିଲି-। ସେଇ ଜାଗାରେ ନାରୀଟି ଆକ୍ରାନ୍ତ ହୋଇଥିଲା । ଜାଣିଥିଲି, ସେଇ ଜାଗାକୁ ବାଘ ପୁଣି ଆସିବା କଥା ସୁଦୂରପରାହତ । ତେଣୁ ସେଠି ମଞ୍ଚା ପକାଇ ଜଗିବାକୁ ମୁଁ ଇଚ୍ଛା କଲିନି । ଭାବୁଥାଏ, ଏ ପାଖଆଖରେ ବାଘ ଯଦି ପୁଣି ମାରେ; ସେଇ ମଢ଼ ପାଖରେ ଜଗିବି ।

 

ମୋର ଏ ପ୍ରକାର କଳ୍ପନା–ଜଳ୍ପନା ଭୁଲ ହୋଇଗଲା । ପରଦିନ ଅପରାହ୍‌ଣ ଆଗରୁ ଲୋକ ମୋ ପାଖକୁ ଆସିଲେ । ଶୁଣିଲି, ବାଘ ସେ ପଣ୍ଡାଟିକି ମାରିଚି । ଅଧା ଖାଇଚି । ତିନିଟା ବେଳକୁ ମୋ ମଞ୍ଚା ଲାଗିଗଲା । ମାଟିରୁ ପ୍ରାୟ ପନ୍ଦରଫୁଟ ଉଚ୍ଚ । ମୁଁ ସେଇଠି ବସିଲି ।

 

ନାଲି ରଙ୍ଗର ଗୋଟାଏ ବଡ଼ ନେଉଳ ପହିଲେ ମଢ଼ ପାଖରେ ପହଞ୍ଚିଲା ସେ ଦିନ । ପ୍ରାୟ ୫।୩୦ ରେ ସେ ଆସିଲା । ସେ ଆଗେ ଧୀରେ ଧୀରେ ଡରି ଡରି ଖୁମ୍ପୁରି ଖୁମ୍ପୁରି ଖାଇଲା । ତା’ ପରେ ବଡ଼ ମୁଣ୍ଡାଏ ମାଂସ ଧରି ଛିଣ୍ଡାଇ ନେଲା । ସନ୍ଧ୍ୟା ୬ଟାବେଳକୁ ସେ ପେଟଫଟା ଖାଇସାରିଥିଲା । ତା’ପରେ ସେ ବାହାରିଗଲା । ହୁଏତ ଏମିତି ପରିମାଣରେ ଭଲ ଖାଦ୍ୟ ଖାଇଥିବାରୁ ସେ ରାତି ସେ ଅନେକ ସ୍ଵପ୍ନରେ କଟାଇବ ଅଥବା ଅତ୍ୟଧିକ ଖାଇଥିବାରୁ ଅଜୀର୍ଣ୍ଣ ଭୋଗିବ ।

 

ଗୋଧୂଳି ଆସିଲା । ଦିନଟା ଛାଇ ଦିଶିଲା । ସେଗୁଡ଼ାକ ଥିଲେ ବିଲୁଆ । ଖୁବ୍ ଡରି ଡରି ସେମାନେ ମଢ଼ ପାଖକୁ ଆସିଲେ । ତା’ପରେ ଶୁଙ୍ଘିଲେ । ଚାରି ଆଡ଼କୁ ଡରି ଡରି ଦେଖୁଥାଆନ୍ତି । ତା’ପରେ ଡରି ପଳାଇଯାଉଥାଆନ୍ତି । ପେଟରେ ପ୍ରବଳ ଭୋକ ଜଳୁଚି । ସାମ୍ନାରେ ଖୁବ୍ ଭଲ ଖାଦ୍ୟ ଅଛି । ସେମାନେ ଡରରେ ସିନା ଏପଟ ସେପଟ ହେଉଛନ୍ତି ! ଏମିତି ଚାରିଥର ପଳାଇବା ଓ ଲେଉଟିବା ପରେ ଶେଷକୁ ସେମାନେ ସାହସ ପାଇଲେ । ମଡ଼ା ଖାଇବା ଠିକ୍ ଆରମ୍ଭ କରିଛନ୍ତି ଖସ୍‌ଖସ୍ ଶବ୍ଦ ଶୁଭିଲା । ପର ନିର୍ମିଷରେ ବିଲୁଆମାନେ କୁଆଡ଼େ ଅଦୃଶ୍ୟ ହେଇଗଲେ ।

 

ଭାବିଲି ବାଘ ଆସିବାର ଏ ଏକ ନିଶ୍ଚିତ ସୂଚନା । ହଠାତ୍ ଗୋଟାଏ ଧୂସର ଜୀବ ଗୁରୁଣ୍ଡି ଗୁରୁଣ୍ଡି ମଢ଼ଆଡ଼କୁ ଗଲା । ଏଇ ବାଘ ! ନିଜ ଶିକାର ପାଖକୁ ଏମିତି ଭାବରେ ଆସୁଚି ! ନା, ଏ ନୁହେଁ ବାଘ । ସେଇଟା ହେଟା । ବିଲୁଆମାନଙ୍କ ବଡ଼ଭାଇ ସେ । ସେମାନେ ଯେମିତି ଭାବରେ ଡରି ଡରି ସତର୍କ ଭାବରେ ମଢ଼ ପାଖକୁ ଯାଇଥିଲେ, ସେ ବି ସେମିତି ଗଲା ।

 

ଅନେକ ଥର ସେ ଆଇଁଷିଣିଆ ଗନ୍ଧ ବାରୁଥାଏ । ତରକି ତରକି ସେ ବାଁ ଓ ଡାହାଣ ପାଖକୁ ଦେଖିଥାଏ । ଉଦ୍‌ଗ୍ରୀବ ହୋଇ ଚାହୁଁଥାଏ । କେତେଥର ସେ ଶିହରି ଉଠିଚି । ମଢ଼ର ଚାରିପାଖେ ସେ ଅନେକବାର ବୁଲିଗଲା । ପାଖକୁ ଯିବ କି ନଯିବ ! ସେଠି କିଛି ବିପଦର ଆଶଂକା ଅଛି ତ ! ସେ ଏମିତି ଘୂରି ମଢ଼ରୁ ପୁଳାଏ ମାଉଁସ ଖାଇଦେଲା । ତାପରେ ପୁଣି ଦୂରେଇଗଲା । ପୁଣି ମଢ଼କୁ ଘେରା ମାରିଲା–କାଳେ ଅସଲ ମାଲିକ ତାକୁ ଦେଖିନବ ! ପ୍ରାୟ ଅଧଘଣ୍ଟାଏ ଧରି ଏମିତି ଘେରା ମାରିବା ପରେ ସେ ଭୟଶୂନ୍ୟ ହୋଇଗଲା ।

 

ତା ପରେ ସେ ଖାଇବା ଆରମ୍ଭ କଲା । ମାତ୍ର ଦଶମିନିଟ୍ ପରେ ଆଓଁ...ଆଓଁ ଶୁଭିଲା । ବାଘଟାଏ ଚାରିଥର ଗର୍ଜିଉଠିଲା । ରାତିର ନିରୋଳା ପରିବେଶ ବାଘର ଏ ଗର୍ଜନରେ ଥରିଉଠିଲା-। ଚାବୁକ୍ ମାଡ଼ ଖାଇଲା ପରେ ହେଟା ଚମକି ଉଠିଲା । ଯାଦୁ କଲାପରି ଏକ ନିମିଷକ ଭିତରେ ସେ କୁଆଡ଼େ ଉଭେଇଗଲା ।

 

ମୁଁ ପ୍ରସ୍ତୁତ ହୋଇଗଲି । ଜଙ୍ଗଲର ରାଜା ଆସୁଚି । ତାକୁ ସ୍ଵାଗତ କରିବାକୁ ହେବ । ସେଥିପାଇଁ ତ ମୋର ରାତ୍ରି ଜାଗରଣ ! ଘଣ୍ଟା ଘଣ୍ଟା ବିତିଗଲା । ସେ ଆସିଲା ନାହିଁ । କ୍ରମେ ରାତି ଆହୁରି ବଢ଼ିଗଲା । ଏମିତିକି ପାହାନ୍ତ ପ୍ରହର ହେଲା । ବାଘଟା ଆସିଲାନି । କାହିଁକି ଆସିଲାନି କେଜାଣି ! ଏ ସମୟରେ ପ୍ରବଳ ଶିଶିର ପଡ଼ିବା ଆରମ୍ଭ କଲା । ଖରାଦିନ । ତଥାପି ଥଣ୍ଡାରେ ମୋ ଗୋଡ଼ହାତ କୋଲମାରିଯାଉଥାଏ । ମଞ୍ଚାରୁ ଓହ୍ଲାଇବାକୁ ସାହସ କଲିନି । ଏ ଥଣ୍ଡାରେ ଓହ୍ଲାଇବା ସମ୍ଭବ ନୁହେଁ । ସେଇଠି ଜାକିଜୁକି ହେଇ ପଡ଼ି ରହିଥାଏ । ମନଟା ନୈରାଶ୍ୟଜର୍ଜର । ବାଘ ଉପରେ ଖୁବ୍ ରାଗୁଥାଏ । ମାତ୍ର ବାଘ ସେଦିନ କାହିଁକି ମଢ଼ ପାଖକୁ ଆସିଲାନି ଆଜି ବି ମୁଁ ସେ କାରଣ ଖୋଜି ପାଇନି । ଏ ଏକ ଅସମାହିତ ରହସ୍ୟ ହୋଇ ରହିଗଲା । ଦିନ ପୂରା ହେବା ପରେ ମୁଁ ମଞ୍ଚାରୁ ଓହ୍ଲାଇଲି ।

 

ପରଦିନ ସାରା ବିଶ୍ରାମ । ରାତିରେ ମୋଟରଚାଳନା ଚାଲିଥାଏ । ଟିପ୍‌‌ପାକଡ଼ୁକୁ ଯିବା ଓ ଫେରିଆସିବା–ରାତି ସାରା ଚାଲିଥାଏ । ବାଘର କିଛି ଚିହ୍ନ ମିଳିଲାନି । ଆନାଇକୁଟି ପାଖରେ ଯୋଉଠି ରାସ୍ତା ବାଙ୍କିଚି, ସେଇଠି ଗୋଟିଏ ଛୋଟ ପୋଲ । ଥରେ ସେଠି ଛୋଟ ଚିତାଟାଏ ଡେଇଁପଡ଼ିଲା ଏବଂ ସେପାଖ ଗାତରେ ଛକି ରହିଲା । କାର୍ ସେପାଖେ ଗଲାବେଳେ ସେ ତାର ଉଜ୍ଜଳ ଆଖିରେ ସ୍ପଟ୍‌ଲାଇ‌ଟ୍‌କୁ ଚାହିଁ ରହିଲା । ତାକୁ ମୁଁ ଛୁଇଁବାକୁ ମନକଲିନି । ସେ ଜଙ୍ଗଲର ଜୀବ–ଜଙ୍ଗଲରେ ରହୁ ସୁଖରେ ।

 

ତା’ ପର ସପ୍ତାହ କିଛି ଘଟିଲାନି । ଭାବିଲି ଏ ବାଘଟାକୁ ମାରିବା ଆଶାରେ ଏମିତି ବେକାର ହୋଇ ପଡ଼ିରହିବା ବୃଥା–ବାଙ୍ଗାଲୋର୍ ଫେରିଯିବା ଉଚିତ । ମାତ୍ର ଭାବିଲି ଏ କାମରୁ ନିବୃତ୍ତ ହେବା ଆଗରୁ ଆଉ ତିନିଦିନ ଅଧିକା ମୁଁ ଦେବି । ପ୍ରଥମ ଦିନ ଘଟଣା ବିହୀନ ହୋଇ ଶେଷହେଲା । ଦ୍ଵିତୀୟ ଦିନର ମଧ୍ୟାହ୍ନ । ବାଡ଼ଗା ଜାତିର ପିଲାଟିଏ । ତା ବାବା ଥାଆନ୍ତି ଜଙ୍ଗଲ ଭିତରେ । ସେଠି ଗାଈ ଜଗିଥାଆନ୍ତି । ପିଲାଟି ବାବାର ଭାତ ନେଉଥିଲା । ବାଘ ତାକୁ ମାରିଲା ।

 

ମୋ ସହିତ ଯୋଉ କାରୁମ୍ବାମାନେ ଥିଲେ ସେମାନଙ୍କୁ ନେଇ ମୁଁ ସେ ଜାଗାକୁ ଧାଇଁଲି । ସେଗୁର୍ ନଈର ସେପାରିକୁ ବାଘ ତାକୁ ବୋହିନେଇଚି । ସେଠାରୁ ଉତ୍ତର ଦିଗକୁ ଜଙ୍ଗଲ ଭିତରକୁ ନେଇଯାଇଚି । ବିଳମ୍ବ ନ କରି ଆମେ ତାର ଅନୁସରଣ କଲୁ । ଦେଖିଲୁ ବାଘ ମଢ଼କୁ ଅଧା ଖାଇ ନାଳ ପାଖରେ ଲୁଚାଇରଖିଚି ।

 

ଦୁର୍ଭାଗ୍ୟକୁ ପିଲାଟିର ବାବା ଆସି ପହଞ୍ଚିଗଲେ । ସେ ଖଣ୍ଡିତ ଦରଖିଆ ଶବଟାକୁ ନେବାକୁ ଚାହିଁଲେ । ଯୁକ୍ତିତର୍କ ଖୁବ୍ ଚାଲିଲା–ଶବ ସେଇଠି ରହୁ–ମୁଁ ତା ପାଖରେ ଜଗିରହେ–ମୋର ଏଇ କଥାକୁ ସେ ସହଜରେ ଗ୍ରହଣ କଲେନି । ଏମିତି ଲମ୍ବା ଘଣ୍ଟାଏ କାଳ ଚାଲିଗଲା । ଶେଷରେ ରାଜିହେଲେ ସେ ।

 

ସେ ପାଖଆଖରେ ଭଲ ପଥର କି ଗଛ ନଥାଏ । ଗଛଟାଏ ନା ହେଲେ ମଞ୍ଚା ବାନ୍ଧିବା ସୁବିଧାଜନକ ହେବନି । ତା ହେଲେ ମୁଁ ରହିବି କୋଉଠି ! ଆମେ ଶବଟିକୁ ପ୍ରାୟ ପଚାଶଗଜ ଦୂରକୁ ନେଇଗଲୁ । ସେଠି ଗୋଟାଏ ବାଉଁଶବୁଦା ଥାଏ । ସେଇଠି ଯାହିତାହି କରି ମଞ୍ଚାଟିଏ ତିଆରିହେଲା । ମୁଁ ଗୋଟାଏ କଟା ବାଉଁଶଗଛର ସାହାଯ୍ୟରେ ସେଠିକି ଗଲି । ଦେଖିଲି ବଡ଼ ଅଦ୍‌ଭୁତ ମଞ୍ଚା । ଟିକେ ପବନରେ ବି ଦୋହଲୁଚି । ମୁଁ ଟିକେ ହଲଚଲ ହେଲେ ଭୀଷଣ କେଁ କେଁ ଶବ୍ଦ ହେଉଚି । ପୁଣି ମୋଠୁ ଶବଟି ଥାଏ ତିରିଶଗଜ ଦୂରରେ । ଶବଟିକୁ ମୁଁ ଠିକ୍ ଭାବେ ଓ ସଷ୍ଟଭାବେ ଦେଖି ପାରୁ ନ ଥାଏ । ମୋ ଆଗରେ କେତେଟା ବାଉଁଶଗଛ ଥାଏ । ତେଣୁ ପରିଷ୍କାର ଭାବେ ଦେଖିବା ସମ୍ଭବ ହେଉନଥାଏ ।

 

ଯାହାହେଉ, ସେଇ ମଞ୍ଚାରେ ବସିରହିଲି । ଜଗିବାର ଆରମ୍ଭଟା ନୀରସ । ଗୋଟାଏ ପଶୁ କି ପକ୍ଷୀର ଦେଖନାଇଁ । କେବଳ ମୟୁରଟି ନାଳର ସେ ପାରିରେ କୋଉ ଉଚ୍ଚ ଜାଗାରେ ଓହ୍ଲାଇଲାବେଳେ ବୋବାଇ ଉଠିଥିଲା । ସେଇଠୁ ସେ ଚାଲିଆସିଲା ନାଳ ଆଡ଼କୁ । ହଠାତ୍କରି ଦରଖିଆ ମଣିଷର ଶବଟିକୁ ସେ ଦେଖିଲା । ଚମକିଉଠିଲା ସେ ମୟୁର । ଡେଣା ପିଟି ସେ ବୋବାଇ ବୋବାଇ ଉଡ଼ିଆସିଲା । ଉଡ଼ିଗଲା ଠିକ୍ ମୋ ମୁଣ୍ଡ ଉପରେ । ତାର ଇନ୍ଦ୍ର ନୀଳ ପକ୍ଷୀଗୁଡ଼ିକ ଉପରେ ଦିନାନ୍ତ ସୂର୍ଯ୍ୟର ଲାଲ୍ କିରଣ ଗୋଟିଏ ବିଚିତ୍ର ଜ୍ୟୋତି ଲେସିଦେଇଥାଏ । ଦୂରରୁ ଦେଖିଲେ ମନେହେବ ଗୋଟାଏ ଉଲ୍‌କା ଜଙ୍ଗଲ ଭିତରେ ପହଁରିଯାଉଚି ।

 

ନଅଟା । ବାଘର ଉପସ୍ଥିତି ସମ୍ପର୍କରେ ମୁଁ ସଚେତନ ହୋଇଉଠିଲି । ଯୋଉଠି ଶବଟା ଥିଲା ସେଇ ପାଖରୁ ଭସିଆସିଲା ବାଘର ଅନୁଚ୍ଚ ଡାକ । ବାଘ ଖୋଜୁଚି ତା ଖାଦିକୁ । ମନେ ମନେ ନିଜକୁ ଦୋଷିଲି । ପରମୁହୂର୍ତ୍ତରେ ପୁଣି ଏ ଅଭିଯୋଗକୁ ଖଣ୍ଡନ କଲି–ସୁବିଧା ସେଠି ନ ଥିବାରୁ ମଢ଼କୁ ସ୍ଥାନାନ୍ତରିତ କରାଯାଇଚି । ଏହା ଛଡ଼ା ଅନ୍ୟ କୌଣସି ଉପାୟ ଯେ ନ ଥିଲା !

 

ମଣିଷମାରୁ ବାଘ ଖୁବ୍ ଚତୁର । ମଣିଷ ଖାଇବା ପରେ ବାଘ ହେଉ କି ଚିତା ହେଉ, ଅସାଧାରଣ ଭାବରେ ଚାଲାକ ହୋଇଉଠେ । ବିଭିନ୍ନ ଅଭିଜ୍ଞତାରୁ ସେ ସତର୍କ ହୁଏ । ସେଥି ସହିତ ସେ ବଡ଼ ଭୀରୁ ମଧ୍ୟ ହୋଇପଡ଼େ । ସାଧାରଣତଃ ସେ ଗୋଟିକିଆ ଲୋକକୁ ଆକ୍ରମଣ କରେ । ତା’ ମଧ୍ୟ ସାଙ୍ଗେ ସାଙ୍ଗେ କରେନି । ଗୋଟିଏ ମଣିଷକୁ ମାରିବା ଆଗରୁ ସେ ବହୁ ସମୟ ଧରି ଛକାପଞ୍ଝା କରିବ । ତା’ ପଛେ ପଛେ ଗୋଡ଼ାଇବ । ଯେତେବେଳେ ଦେଖିବ କୌଣସି ଲୋକ ପାଖରେ ନାହାନ୍ତି, ସେ ଶିକାର ଉପରକୁ ଲମ୍ଫ ମାରିବ । ମୁଁ ମଣିଷଦଳ ଭିତରୁ ମଣିଷ ନେବା ଜାଣିନି; ବରଂ ଶିକାରକୁ ଆକ୍ରମଣ କଲାବେଳେ କୋଉ ଜଣେ କି ଦି’ ଜଣ ପାଟିକଲେ କି ପ୍ରତିଆକ୍ରମଣ କଲେ ମଣିଷଖିଆ ବାଘଟା ଭୟରେ ପଳାଇ ଯିବାର ଅନେକ ସମ୍ବାଦ ଅଛି । ଏହାଛଡ଼ା ଏ ଜୀବଗୁଡ଼ାକର ଗୋଟାଏ ଷଷ୍ଠ ଇନ୍ଦ୍ରିୟ ବି ଅଛି । ତା’ ଫଳରେ କୋଉ ଲୋକ ହାତରେ ଅସ୍ତ୍ରଶସ୍ତ୍ର ଅଛି, କାହା ପାଖରେ ନାଇଁ–ସେମାନେ ଜାଣିପାରନ୍ତି ଏବଂ ସେଇ ଅନୁସାରେ ବ୍ୟବହାର ବି କରନ୍ତି । ନିରସ୍ତ୍ର ଲୋକକୁ ସେମାନେ ଆକ୍ରମଣ କରନ୍ତି । ଅସ୍ତ୍ରଧାରୀଠୁ ସେମାନେ ଦୂରରେ ରହନ୍ତି । ଖୁବ୍ ଲୋଡ଼ା ନ ହେଲେ, କେବେହେଲେ ଅସ୍ତ୍ରଧାରୀମାନଙ୍କ ମୁହାଁମୁହିଁ ହୁଅନ୍ତି ନାଇଁ । ଅସ୍ତ୍ରଧାରୀ ତା’କୁ ଗୋଡ଼େଇ ଗୋଡ଼େଇ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ କାବୁ କରିବାକୁ ଚେଷ୍ଟାକଲେ ସେ ବାଧ୍ୟହୋଇ ଆକ୍ରମଣ କରିଥାଏ ।

 

ଏଇ ମଣିଷଖିଆ ବାଘଟି ଏମିତି ଗୋଟାଏ ଚତୁରତା ଲାଭକରିଥିଲା । ସେ ସିଧାସଳଖ ମଡ଼ା ପାଖକୁ ଆସିଲା । ତା’ର ସନ୍ଦେହ ଆସିଲା–ଘଟଣାଟା କିଛି ସୁବିଧାଜନକ ନୁହେଁ । ସେ ଏବେ ଶବଟିଠାରୁ ବହୁତ ଦୂରତା ରଖି ଅରଣ୍ୟ ମଧ୍ୟରେ ଘୂରିବାକୁ ଲାଗିଲା । କେବେହେଲେ ମଢ଼ର ପାଖକୁ ଆସିଲାନି । ମଝିରେ ମଝିରେ ଗାଉଁ ଗାଉଁ ହେଉଥାଏ–ଖୁବ୍ ଅନୁଚ୍ଚ ଭାବରେ–ସତେ ଯେମିତି ସେ ଦୁର୍ଭାଗ୍ୟ ବିରୁଦ୍ଧରେ ନମ୍ର ଅଭିଯୋଗ ବାଢ଼ୁଥାଏ । କେତେ କଷ୍ଟରେ ସେ ଶିକାର ପାଇଥିଲା । ସେ ଶିକାର ମନ୍ଦ ବିଧି ନେଇଗଲା ! ଦୀର୍ଘ ଘଣ୍ଟାଏ ଧରି ସେ ଏମିତି ବୋବାଇ ବୋବାଇ ଶବଟିର ପରିକ୍ରମା କଲା । ମାତ୍ର ବାଘଟା ଶବଠୁ ସବୁବେଳେ ଦୂରରେ ରହିଥାଏ । ଶେଷରେ ସେ ଭାବିଲା ଯେ ଶବଟି ତା’ ପାଇଁ ନିଷିଦ୍ଧ ଫଳ । ସେ ଏଥର ଦକ୍ଷିଣ ଆଡ଼କୁ ମୁହାଁଇ ଚାଲିଗଲା । ତା’ ଗଳାର ସେଇ କରୁଣ ଅଭିଯୋଗ ବାଣୀ ମୁଁ ଆଉ ଶୁଣିପାରିଲିନି । ସେ ତା’ର ଆଶ୍ରୟସ୍ଥଳୀକୁ ଚାଲିଗଲା ।

 

ବାଘ ଯେ ମୋତେ ଫାଙ୍କି ଦେଇ ଚାଲିଗଲା, ଏଥିରେ ମୁଁ ଅଧିକ ସକ୍ରିୟ ହୋଇଗଲି । ମୋ ମନରେ ଗୋଟାଏ ଭୀଷଣ ପ୍ରତିଶୋଧପରାୟଣ ଶିକାରୀ ପ୍ରବୃତ୍ତି ଜାଗିଉଠିଲା । ମୁଁ ଶପଥ କଲି–ନା...ନା, ଏହାକୁ ଛାଡ଼ିବିନି । ଏଇ ବାଘକୁ ମାରିବାପାଇଁ ଦରକାର ହେଲେ ଆହୁରି ପନ୍ଦର ଦିନ ରହିବି ।

 

କାରୁମ୍ଭାମାନଙ୍କ ସହିତ କଥାଭାଷା ଚଳାଇଲି । ସେମାନେ କହିଲେ ଯେ ଆନାଇକୁଟୀ, ସେଗୁର, ମହବନଭାଲାରୁ ଜଙ୍ଗଲ ଆଡ଼କୁ ଯୋଉ ରାସ୍ତା ସବୁ ଯାଇଚି, ସେଇ ରାସ୍ତାରେ କାର୍ ଚଳାଇ ଜଗିଲେ ବାଘ ସହିତ ଦେଖାସାକ୍ଷାତ୍‌ ହେଇପାରେ । ମୁଁ ବଡ଼ରାସ୍ତାରେ ବହୁଥର କାର ଚଳାଇ ଯିବା ଆସିବା କରିଚି । ସେଥିରେ ବିଫଳ ହେଇଚି । ଆଗର ଯେଉଁ ତିନୋଟି ଜାଗାର ନାଁ କହିଲି, ସେଇ ଜାଗାରୁ ଯେଉଁ ରାସ୍ତା ଯାଇଚି ସେଥିରେ କାର ସହଜରେ ଯାଇପାରେନି । ତେଣୁ ଗୋଟିଏ ବଳଦଗାଡ଼ି ଭଡ଼ା ଆଣିଲି । ଭାବିଲି ନିତି ରାତିରେ ସେଇ ରାସ୍ତାରେ ଯିବାଆସିବା କରିବି-। କେଶବା ଜାତିର ଗାଡ଼ିଆଳ । ଖୁବ୍ ସାହସୀ । ସାଙ୍ଗରେ ଥାଆନ୍ତି କାରୁମ୍ବା ଦୁଇଜଣ । ସେମାନେ ସବୁବେଳେ ମୋ ସଙ୍ଗେ ରହିବେ ।

 

ତିନିଟା ରାତି ଏମିତି ଚାଲିଲା । ଆମେ କେବଳ ଶମ୍ବର ଏବଂ ହରିଣ ଗୁଡ଼ିଏ ଭେଟିଲୁ । ତୃତୀୟ ରାତିରେ ଦେଖିଲୁ ଗୋଟାଏ ହାତୀ । ଆମମାନଙ୍କୁ ସେ ବ୍ୟସ୍ତତାରେ ପକାଇଦେଲା । ଏଇ ଜାଗାରେ ଅନାଇକୁଟି ନଦୀ ଉପରେ ରାସ୍ତା ଯାଇଚି । ଗାଁଠୁ ଦୁଇ ମାଇଲ ଦୂର । ଗୋଟିଏ ବିରାଟ ମୋତି ଗଛର ତଳେ ସେ ଠିଆ ହୋଇଥିଲା–ସତେ ଯେମିତି ଗୋଟାଏ ବଡ଼ ପାହାଡ଼ । ଆମେ ହଠାତ୍‌ କରି ତା’କୁ ଦେଖିପାରିନଥିଲୁ; କାରଣ ହାତୀଟା ଥିଲା ନିଶ୍ଚଳ । ଆମ ସାଙ୍ଗରେ କାର୍ ବ୍ୟାଟେରୀ ଥାଏ । ସିଲ୍‌ଡ୍‌ ବିମ୍ ସ୍ପଟ୍‌ଲାଇଟ୍‌ରୁ ମୁଁ ତାକୁ ଅଲଗା କରିଦେଇଥିଲି । ଉଦ୍ଦେଶ୍ୟ ଜରୁରୀ ଅବସ୍ଥାରେ ତା’ର ବ୍ୟବହାର ହେବ । ସାଧାରଣ ଭାବରେ ଆଲୁଅ ପାଇଁ, ଜଙ୍ଗଲରେ ଆଖି ଉପରେ ଆଲୁଅ ପକାଇବାକୁ, ଆମେ ଦୁଇଟା ଟର୍ଚ୍ଚ ବ୍ୟବହାର କରୁଥାଉ । ସେଥିରୁ ସାତସେଲିଆଟି ପ୍ରଥମ ପ୍ରକାର କାମରେ ଓ ପାଞ୍ଚସେଲିଆଟି ଦ୍ଵିତୀୟ ପ୍ରକାର କାମରେ ବ୍ୟବହାର କରୁଁ ।

 

ଆମେ ନଦୀ ପାରହେଉଥାଉ । ଗାଡ଼ିଟା ନଦୀର ମଝିରେ ଥାଏ । ବଳଦଗୁଡ଼ିକ ସେ ବଡ଼ ବଡ଼ ଚକ ଦୁଇଟାକୁ ସରୁ ବାଲିଭିତରେ ଟାଣିନେବାକୁ ଭୀଷଣ ଚେଷ୍ଟା ଚଳାଇଥାଆନ୍ତି । ଆମେ ତ ଏଣେତେଣେ ଟର୍ଚ୍ଚ ପକାଉଥାଉ । ହାତୀଟା ଏଥିରେ ଚମକିଗଲା । ରାଗିଗଲା ବି । ପ୍ରଳୟର ସଙ୍କେତ ସ୍ୱରୂପ ଏକ ଭୟାନକ ଗର୍ଜନ ତୋଳିଲା । ଆମ ଆଡ଼କୁ ପାଣି କାଟି ମାଡ଼ିଆସିଲା । ସିଲ୍‌ଡ୍‌ବିମ୍‌କୁ ଜଳାଇଲି । ତା’ର ଉଜ୍ଜ୍ଵଳ ଆଲୁଅ ଫିଟିପଡ଼ିଲା । ସେତେବେଳେ ସେ ଆମଠୁ ତିରିଶଫୁଟ ଦୂରରେ ଥାଏ । ହଠାତ୍‌ କରି ଏତେ ଉଜ୍ଜ୍ଵଳ ଓ ତୀବ୍ର ଆଲୁଅ ଯୋଗୁଁ ଜୀବଟା କାବାହୋଇଗଲା । ସେ ଏପଟ ସେପଟ ପାଦ ପକାଇଲା । ମନେ ମନେ ତୁଳନା କରୁଥାଏ–ଭାବୁଥାଏ କ’ଣ କରିବ–ଆମକୁ ଆକ୍ରମଣ କରିବ କି ପଛଘୁଞ୍ଚା ଦେଇ ପଳାଇଯିବ । ଆମେ ସମସ୍ତେ ଏକସ୍ଵରରେ ପାଟି କଲୁ । ସବୁ ଆଲୁଅ ଜଳାଇ ତା’ ଆଡ଼କୁ ପଳାଇଲୁ । ଏଥିରେ ସେ ବୁଲିପଡ଼ିଲା । ଗର୍ଜନକରି ସେ କଳା ଅରଣ୍ୟ ମଧ୍ୟକୁ ପଳାଇଲା । ଖୁବ୍ ରାଗିଯାଇଥିଲା ।

 

ତା ପରେ ଆହୁରି ତିନିରାତି । ସେମିତି ଅରଣ୍ୟ ପଥରେ ଶଗଡ଼ ଚଳାଇ ଆମେ ଖୋଜି ଚାଲିଥାଉ । ମାତ୍ର ବାଘ ସହିତ ଦେଖାହେଲାନି ।

 

ସପ୍ତମ ଦିନର ସକାଳ । ସେ ଦିନ ବାଘ ଗୋଟିଏ ପିଲାକୁ ହତ୍ୟା କରିଥାଏ । ପିଲାଟିର ବାବା ଥିଲେ ଆନାଇକୁଟିର ଫରେଷ୍ଟ ଗାର୍ଡ଼ । ପିଲାଟିର ବୟସ ଅଠର ବର୍ଷ । ଦିନର ନଅଟା ବେଳକୁ ଚାରିଆଡ଼େ ସ୍ପଷ୍ଟ ସୂର୍ଯ୍ୟକିରଣ ବିଛେଇ ହୋଇ ପଡ଼ିଥାଏ । ନିଜର ଘର ଛାଡ଼ି ବାଳକଟି କିଛି ବାଟ ଯାଇଥାଏ । ସେ ବାଟରେ ଗଲେ ନଦୀ ପଡ଼େ । ଆଉ ମୁଁ ଯେଉଁ ବଙ୍ଗଳାରେ ଥାଏ ସେଇ ବଙ୍ଗଳା ପଡ଼େ । ସେତେବେଳକୁ ମୁଁ ଶୋଇଯାଇଥାଏ । ଅନେକ ରାତିର ଅନିଦ୍ରାକୁ ଏମିତି ଭାବରେ ସହି ସମ୍ଭାଳି ନେବାକୁ ପଡ଼େ । ପିଲାଟିର ଗୋଟିଏ କୁକୁର ଥାଏ । ଏ କୁକୁରଟି ଗାଁକୁ ପଳାଏ, ବଙ୍ଗଳାକୁ ପଳାଏ–ତେଣୁ ସେଇ କୁକୁରକୁ ଡାକିବାକୁ ସେ ଯାଇଥାଏ । ତା’ ଘରଠୁ ପ୍ରାୟ ଅଧମାଇଲ ଦୂରରେ ବଙ୍ଗଳା । ପ୍ରତିଦିନ ରୁଟି ଆଦିରୁ କିଛି ଅଂଶ ମୁଁ କୁକୁରଟିକୁ ଦିଏ । ସେଇ ଲୋଭରେ ସେ ଆସେ । ସେ ଦିନ କୁକୁରଟିକୁ ଖୋଜି ଆସି ସେ ପିଲାଟି ଫେରିଲାନି ।

 

ତା’ ବାବା ସେଇ ଫରେଷ୍ଟଗାର୍ଡ଼ ଭାବିଲେ ପିଲାଟି ମୋ ସଙ୍ଗେ କଥାଭାଷା କରୁଚି । ତେଣୁ ଘରୁ ଅନୁପସ୍ଥିତ ରହିବାକୁ ସେ ଗୁରୁତ୍ୱ ଦେଲେନି । ଏ ଭିତରେ ମଧ୍ୟାହ୍ନ ହେଲା । ଘରେ ସମସ୍ତଙ୍କର ଖାଇବାର ବେଳ ହେଲା । ପିଲାଟି ଏଯାଏ ଆସିଲାନି । ତା’ ବାବା ଭାବିଲେ ସେ ବଙ୍ଗଳାକୁ ଆସିବେ–ନେଇଯିବେ ପିଲାଟିକୁ । ସେଇ ଉଦ୍ଦେଶ୍ୟରେ ସେ ଆସନ୍ତି । ନଦୀଠୁ ପ୍ରାୟ ଫର୍ଲଙ୍ଗଟିଏ ଦୂରରେ ସେ ପିଲାଟିର ଟୋପି ପାଇଲେ । ଏଥିରେ ସେ ଘାବରାଇ ଗଲେ । ପିଲାଟିର ନାଁଧରି ବଡ଼ପାଟିରେ ଡାକପକାଇଲେ । ସେ ଡାକର ଉତ୍ତର ଆସିଲାନି । ସେ ମୋ ପାଖକୁ ଦ‌ଉଡ଼ି ଦ‌ଉଡ଼ି ଆସିଲେ । ଉଠାଇଲେ ମୋତେ । ଟୋପିଟିକୁ ମୋତେ ଦେଖାଇଲେ ।

 

ଭାବିଲି ପିଲାଟି ଉପରେ ନିଶ୍ଚୟ ବିପଦ ପଡ଼ିଚି । ଧରିଲି ବନ୍ଧୁକ–ଗଲି ସେଇ ଜାଗାକୁ । ସାଙ୍ଗରେ ପିଲାଟିର ବାବା । ଆମେ ଖୋଜାଖୋଜି କଲୁଁ । ସେଇ ଜାଗାରୁ ଦଶଗଜ ଦୂରରେ ଗୋଟାଏ ବୁଦା । ପିଲାଟିର ପଟେ ଚପଲ ସେଇଠୁ ପାଇଲୁ । ଏଥର ଜାଣିଲି ସବୁ ଶେଷ ହୋଇଯାଇଚି । ସେଇଠି ଛିଡ଼ାହୋଇ ରହିଲି । ଲୋକଟି ଖୁବ୍ କାନ୍ଦୁ ଥାଆନ୍ତି । କହିଲି–ବେଗି ଗାଆଁକୁ ଯାଅ । ମୋର ସାଙ୍ଗ କାରୁମ୍ବାମାନଙ୍କୁ ଡାକିଆଣ । ମାତ୍ର ପନ୍ଦର ମିନିଟ ଭିତରେ ସେମାନେ ଆସି ପହଞ୍ଚିଲେ । ଆମ କାମ ଆରମ୍ଭ କରିଦେଲୁ ।

 

ପିଲାଟି ବେଶ୍ ସାହସର ସହିତ ସଂଘର୍ଷ କରିଚି । ବୋଧହୁଏ ପାଟି ବି କରିଚି । ମାତ୍ର ପାଖରେ କେହି ନ ଥିଲେ–କିଏ ଶୁଣିବ ! ଯୋଉଠୁ ଆମେ ଚପଲ ପାଇଲୁ–ସେଇଠୁ କେତେ ଗଜ ଦୂରରେ ବାଘଟା ପିଲାଟିକୁ ତଳେ ପକାଇ ଦେଇଥିଲା । ତାକୁ କୁଟକୁଟା କରି କାମୁଡ଼ି ପକାଇଥିଲା-। ସେଠି ରକ୍ତଛିଟିକା ଚାରିଆଡ଼େ ପଡ଼ିଥାଏ । ଘାସରେ ରକ୍ତର ଅନେକ ଦାଗ । କେତେ ବର୍ଗଗଜ ଧରି ଘାସ ରକ୍ତାକ୍ତ ହୋଇ ପଡ଼ିଥାଏ । ତା’ପରେ ଶିକାରକୁ ଧରି ବାଘଟା ଆଗେଇଚି । ଶିକାର ଦେହରୁ ରକ୍ତର ଦାଗ ବହି ବାଘର ଗତିପଥକୁ ଦେଖାଇଦେଉଚି ।

 

ଏଇଠି ନଦୀ ଉତ୍ତର–ପଶ୍ଚିମ ଆଡ଼କୁ ବହିଯାଇଚି । ବାଘଟା ମଧ୍ୟ ସେଇଆଡ଼କୁ ଯାଇଥାଏ । ଆମେ ଆଗେଇଲୁ । ଏଥର ଘନଜଙ୍ଗଲରେ ପହଞ୍ଚିଲୁ । ନଦୀର ଉଭୟ ପାଖକୁ ଘନ ଗଛଲତା ଢାଙ୍କି ଦେଇଚି । ଏଥିରେ ବି ରକ୍ତଚିହ୍ନ ପରିଷ୍କାର ଦିଶୁଥାଏ । ଅନେକ ବୁଦାଗଛର ପତ୍ରରେ ରକ୍ତ ଲେସି ହୋଇଥାଏ । ବାଘ ମୁହଁରେ ଶିକାରକୁ ଧରି ଚାଲିଥାଏ ।

 

ନଦୀକୂଳର ପଙ୍କରେ ଆମେ ହତ୍ୟାକାରୀ ବାଘଟାର ପାଦଚିହ୍ନ ପାଇଲୁ । ପାଣି ବେଶି ନ ଥାଏ । ପାଣି ଲଙ୍ଘି ବାଘ ସେ କୂଳକୁ ଯାଇଚି । ସେ ଦିଗରେ ଖସାଣି । ଖସାଣି ଶେଷରେ ଅନେକ ବଣୁଆ ବରକୋଳି ଗଛ । ତା’ ଆଗରୁ ଆମେ ପିଲାଟିର ଅଭୁକ୍ତ ଅଂଶ ପାଇଲୁ । ବାଘ ତାକୁ ଅଧାଅଧି ଖାଇଦେଇଥାଏ । ବଡ଼ ଭୟଙ୍କର ସେ ଦୃଶ୍ୟ । ପଥମଧ୍ୟରେ ହଠାତ୍‍ କରି ଏତେ ରକ୍ତ କାହିଁକି ପଡ଼ିଥିଲା, ଏବେ ଜଣାଗଲା । ଯେତେବେଳେ ପିଲାଟିକୁ ବାଘ ବୋହିନେଉଥିଲା, ସେତେବେଳେ ବି ସେ ବଞ୍ଚିଥିଲା । ସେ ବୋଧହୁଏ ଚିତ୍କାର କରୁଥିଲା । ନିଜକୁ ବଞ୍ଚାଇବା ଲାଗି ବାଘ ସହିତ ସଂଘର୍ଷ କରୁଥିଲା । ଏଥିରେ ବାଘ ରାଗିଚି । ତାକୁ ମାଟି ଉପରେ ଫିଙ୍ଗି ଦେଇଚି । ତା ଆଗ ପଞ୍ଝାରେ ପିଲାଟିର ମୁଣ୍ଡ ଉପରେ ଆକ୍ରମଣ କରିଚି । ଖପୁରି ଫାଟିଚି । ଅଣ୍ଡା ଫାଟିଗଲେ ଯେପରି ଭିତର ଅଂଶ ବାହାରିଆସେ ତାର ସେଇ ଅବସ୍ଥା ହୋଇଚି । ଖପୁରିର ଖୋଳ ଦେଖାଯାଉଚି । ବାଘର ଆକ୍ରମଣରେ ପିଲାଟିର ଗୋଟାଏ ଆଖି ବାହାରିଆସିଥାଏ ।

 

ପିଲାଟିର ବାପାଙ୍କ ଦୁଃଖ ଓ କାନ୍ଦ ଆମ ସମସ୍ତଙ୍କର ଅନ୍ତର ଫଟାଇଦେଉଥାଏ । ପୁଅର ପାଦ ଦୁଇଟି ଧରି ମାଟିରେ ଗଡ଼ୁ ଥାଆନ୍ତି । ଦରଖିଆ ଶବଟାକୁ ଧରି ବିକଳ ଭାବରେ ଚୁମା ଦେଉଥାଆନ୍ତି । ମାଟି ବିଦାରି ସେ ପାଗଳ ପରି ତାଙ୍କ ନିଜ ମୁଣ୍ଡରେ ବାଲିଧୂଳି ଅଜାଡ଼ୁ ଥାଆନ୍ତି । ମୁଣ୍ଡ କୋଡ଼ୁ ଥାଆନ୍ତି । ଈଶ୍ଵରଙ୍କୁ ଡାକି ଶୈତାନ ବାଘ ଉପରେ ଅଭିଶାପ ଦେଉଥାଆନ୍ତି ଓ ତା’ ଉପରେ ପ୍ରତିଶୋଧ ନେବାକୁ ସେ ପ୍ରାର୍ଥନା କରୁଥାଆନ୍ତି ।

 

ଆମେ ତାଙ୍କୁ ଟେକାଟେକି କରି ବହୁକଷ୍ଟରେ ଅଲଗା କଲୁ । କହିଲୁ, ସେ ଯେତେ ବେଶି ପାଟିତୁଣ୍ଡ କରିବେ ସେତେ ଡେରି ହେବ । ବାଘଟା ପାଟିଗୋଳ ଶୁଣି ତରକିଯିବ ଓ ଆମେ ତାକୁ ମାରିବାର ସୁଯୋଗ ସେତିକି ଦୂରେଇଯିବ । ସେ ବିଚରା ପାଟିକରି କାନ୍ଦିବା ବନ୍ଦକଲେ । ମାତ୍ର ତାଙ୍କ ଆଖିରୁ ଲୁହଧାର ବହିଯାଉଥାଏ । ସେ ଖାଲି କୋହରି କୋହରି ଲୁହ ଢାଳୁଥାଆନ୍ତି ।

 

ପିଲାଟିର ଶବଟି ଥାଏ ଗୋଟାଏ ବରକୋଳି ବୁଦାରେ । ତା’ ପାଖରେ ଥାଏ ଗୋଟାଏ ଜାମୁଗଛ । ଠିକ୍ କଲି ସେଇ ଜାମୁଗଛରେ ମଞ୍ଚା ବାନ୍ଧିବି । ମୁଁ ପିଲାଟିର ବାପା ଓ କାରୁମ୍ବା ଦୁଇଜଣଙ୍କୁ ବଙ୍ଗଳାକୁ ଫେରାଇଦେଲି । କାରୁମ୍ବାମାନଙ୍କୁ କହିଲି ମଞ୍ଚା ବାନ୍ଧିବାର ସେ ଛୋଟ ଖଟିଆଟିକୁ ଶୀଘ୍ର ନେଇଆସିବାକୁ । ସେମାନେ ସେଠାରୁ ଚାଲିଯିବା ସଙ୍ଗେ ସଙ୍ଗେ ମୁଁ ସେ ଗଛ ଉପରକୁ ଉଠିଗଲି । ଏଥିରେ ମୋର ଦୁଇଟି ଲକ୍ଷ୍ୟ ପୂରଣ ହୋଇଥିଲା । ବଣରେ ଥାଏ ଏକା–କାଳେ ବାଘ ଆସିବ–ତା’ହେଲେ ସେ ମୋତେ ଆକ୍ରମଣ କରିପାରିବନି । ପୁଣି ମୁଁ ଗଛ‌ଉପରେ ଥିଲେ ବାଘକୁ ମାରିପାରିବି ।

 

ଘଣ୍ଟାକ ଭିତରେ କାରୁମ୍ବା ଦୁଇଜଣ ଫେରିଆସିଲେ । ସେମାନେ ବଡ଼ କୌଶଳର ସହ ସେଇ ଗଛରେ ଖଟିଆଟିକୁ ବାନ୍ଧିଦେଲେ । ମାଟି ଉପରୁ ପ୍ରାୟ ପନ୍ଦରଫୁଟ ଉପରେ ମଞ୍ଚାଟି ବନ୍ଧାହୋଇଥାଏ । ବାଘ ମାରିବାକୁ ହେଲେ ଏହା ହିଁ ମଞ୍ଚାର ଉଚ୍ଚତା ହୋଇଥାଏ । ସେମାନେ ମୋର ପାଣିବୋତଲ ଓ ଘୋଡ଼ାଇହେବାର ଚଦର ଆଣିଥାଆନ୍ତି । ଅପରାହ୍‌ଣ ଗଡ଼ିଯିବା ଆଗରୁ ମୁଁ ମଞ୍ଚା ଉପରେ ବସିସାରିଥାଏ । ମନରେ ବଡ଼ ଆଶା ଥାଏ ଯେ ବାଘଟାକୁ ଏଥର ମାରିପାରିବି ।

 

ସଞ୍ଜ ଆସିଲା । ରାତି ହେଲା । ବାଘର କିଛି ଚିହ୍ନବର୍ଣ୍ଣ ନାଇଁ । ହଠାତ୍‌ ତୋଫାନ ଆସିଲା । ବର୍ଷା ହେଲା । ଭାରତବର୍ଷର ଜଳବାୟୁର ଏ ଏକ ଗୁଣ । ଖରାଦିନେ ଥାଏ ଥାଏ ହଠାତ୍‌ ଟାଣ ଅସରାଏ ବର୍ଷା ହୋଇଯାଏ । ବିଜୁଳି ଥରକୁଥର ଚମକିଲା । ସାରା ବଣ ଆଲୁଅରେ ଭରିଯାଉଥାଏ । ସେ ଆଲୁଅରେ ବଣର ଅନ୍ଦିକନ୍ଦି ଫିଟି ଦିଶୁଥାଏ । ତଳେ ବରକୋଳି ବୁଦାତଳେ ପଡ଼ିଥାଏ ଶବଟି । ତାହା ମୁଁ ପରିଷ୍କାର ଭାବରେ ଦେଖିପାରୁଥାଏ । ଘଡ଼ଘଡ଼ି ମାରୁଥାଏ । ପାଖ ପାହାଡ଼ ସେ ଘଡ଼ଘଡ଼ି ଶବ୍ଦର ପ୍ରତିଧ୍ଵନିରେ ଥରିଉଠୁଥାଏ । ଆଉ ପରେ ପରେ ଆସିଲା ବର୍ଷା । ପ୍ରବଳ ବର୍ଷା ଖାଲି ଅଜାଡ଼ି ପକାଉଥାଏ ଅସରା ଅସରା ପାଣି । ତା’ ସାଙ୍ଗକୁ ଅନେକ କୁଆପଥର ଝାଡ଼ୁଥାଏ ।

 

ମିନିଟକ ଭିତରେ ମୁଁ ପୂରାପୂରି ତିନ୍ତିଗଲି । ବର୍ଷା ଚାଲିଥାଏ । ମୋ’ରି ଆଖି ଆଗରେ ପାହାଡ଼ରୁ ଝରିଚାଲିଥାଏ ପାଣି । ସେ ପାଣିରେ ନାଳଟା ପୂରିଗଲା । ଅଳ୍ପ ସମୟ ପରେ ନାଳ ପାରିହେବାର ସବୁ ବାଟ ବନ୍ଦ ।

 

ରାତି ଅଧ ପାରିହେବାକୁ ବସିଲା । ତଥାପି ଏ ଭୟଙ୍କର ଅବସ୍ଥାରେ କିଛି ଅଦଳବଦଳ ନାଇଁ । ତା’ପରେ ବର୍ଷା କମିଲା । ମାତ୍ର ଝିପିଝିପି ଚାଲିଥାଏ । ଏହାପରେ ଖୁବ୍ କାଲୁଆ ଥଣ୍ଡା ପବନ ଫିଟିଲା । ଶେଷକୁ ଝିପିଝିପି ବର୍ଷା ବନ୍ଦ ହେଲା । ମାତ୍ର ପବନ–ନୀଳଗିରି ଓ ତା’ର ଘନ ଅରଣ୍ୟରୁ ସେଇ ଥଣ୍ଡା ଜାଡ଼ୁଆ ପବନ ବହୁଥାଏ । ଏଥର ମୋର ଲୁଗାପଟା ଶୁଖିବାକୁ ଲାଗିଲା । ମୋ ଚମ ଭିତରକୁ ଥଣ୍ଡା ପଶିଲା । ମୋ ଦିହ ଶୀତରେ ଥରିବାକୁ ଲାଗିଲା । ମୁଁ ସେ ଥଣ୍ଡା ସହିପାରୁନଥାଏ ।

 

ମୁଁ ଫେରିଯିବାକୁ ଭାବୁଥାଏ । ଡଜନେଖଣ୍ଡେ ମଣିଷଖିଆ ମୋ ବାଟ ଆଗୁଳିଥିଲେ ବି ମୁଁ ଚିନ୍ତିତ ହୋଇନଥାଆନ୍ତି । ମାତ୍ର ନଈଟା ଯେ କୂଳ ଖାଉଚି ! ସେଥିରେ କୂଳ ଅକୂଳ ଜଣାପଡ଼ୁନି-। ଭଉଁରୀ ଖେଳି ପାଣି ସୁଅ ଚାଲିଚି । ଖୁବ୍ ଗର୍ଜନ କରୁଚି ନଈଟା । ଉପୁଡ଼ି ପଡ଼ିଥିବା ଅନେକ ଗଛ, ଭଙ୍ଗା ଡାଳ, ଅନେକ କାଠଗଣ୍ଡି ଓ ନାନାପ୍ରକାର ଆବର୍ଜନା ସେ ସୁଅରେ ଭାସିଯାଉଚି-। ଏଣେ ମେଘ–ଅନ୍ଧାର । ତା ଭିତରେ ନଈ ପାରି ହେବାର ଚେଷ୍ଟା ଅର୍ଥ ବୁଡ଼ିମରିବା । କିଛି ନ ହେଲେ କୋଉ କାଠଗଣ୍ଡିରେ ମୁଣ୍ଡ ଛେଚିହୋଇ ମୃତ୍ୟୁ ହେବ ।

 

ଏତିକିରେ ମୋ ଦୁଃଖ ସରିଲାନି । ଭୀଷଣ ଥଣ୍ଡା । ନିଦ ନାଇଁ । ତିନ୍ତିଚି । ଏଥିରେ ସାରା ଦିହରେ ଭୀଷଣ ଘୋଳା ବିନ୍ଧା ଆରମ୍ଭ ହୋଇଗଲା । ଭୀଷଣ କମ୍ପ ଆସିଲା । ଜାଣିଲି ମାଲେରିୟା ବିଜେକଲେ । ଦାନ୍ତକୁ ଦାନ୍ତ ଠକ୍ ଠକ୍ ବାଜୁଥାଏ । ଭୀଷଣ ତାତି ଓ ଜ୍ୱର । ଘଣ୍ଟାକ ଭିତରେ ମୁଁ ପ୍ରାୟ ପ୍ରଳାପ କରିବା ଅବସ୍ଥାକୁ ଆସିଗଲି । ଏଭଳି ପ୍ରତିକୂଳ ପରସ୍ଥିତିରେ ବାଘକୁ ମାରିବା ପାଇଁ ମୋର କୌଣସି ଆଗ୍ରହ ରହିଲାନି । ସେ ଭୟଙ୍କର ରାତିର ବାକିଟା କେମିତି କଟିଲା ମୁଁ ଜାଣିପାରିଲିନି । ମୁଁ ଯେ ମଞ୍ଚା ଉପରୁ ତଳେ କେମିତି ପଡ଼ିଲିନି–ଏହାଇ ବଡ଼ ଆଶ୍ଚର୍ଯ୍ୟର କଥା ।

 

ତା’ ଆରଦିନ ସକାଳ ଆଠଟା ପରେ କାରୁମ୍ବା ଦିହେଁ ପହଞ୍ଚିଲେ । ସେତେବେଳକୁ ମୋ ଦିହ ତାତିରେ ଖଇଫୁଟୁଥାଏ । ମୋର ଚେତନା ନଥାଏ । ସେମାନେ କୌଣସିମତେ ମୋତେ ନଈ ପାରିକରାଇନେଲେ । ବଙ୍ଗଳାରେ ସେମିତି ଅଚେତ ଅବସ୍ଥାରେ ଶୁଆଇଦେଲେ । ଦୀର୍ଘ ଅଠଚାଳିଶ ଘଣ୍ଟା ମୋର ଅଧା ଚେତା, ତାତି, ଜ୍ୱର ଭିତରେ କଟିଲା । ଗୁଡ଼ାଏ ପାଲୁଡ୍ରିନ୍‌ ମୋତେ ଗିଳିବାକୁ ହୋଇଥିଲା । ଫଳରେ ତୃତୀୟଦିନ ଜ୍ୱର କମିଲା ।

 

ଏହାପରେ ନିଉମୋନିଆ ହେବା କଥା । ମାତ୍ର ଈଶ୍ୱର ଜାଣନ୍ତି ଏ ଅବସ୍ଥାରୁ ମୁଁ ରକ୍ଷା ପାଇଲି କେମିତି ।

 

ତୃତୀୟ ଦିନକୁ ଦିହ ଟିକେ ଭଲହେଲା । ମୁଁ କଥାଭାଷା କଲି । ଲୋକମାନେ ସେତିକିବେଳେ କହିଲେ ଯେ ବାଘଟା ହୁଏତ ଝଡ଼ି ପରେ ସେ ଜାଗାକୁ ଆସିଥିଲା ଏବଂ ତା’ର ଶିକାରକୁ ନେଇ ଚାଲିଗଲା । ଆଉ ସେତିକିବେଳେ ସେଇ ଗଛ ଉପରେ ମୁଁ ଶୀତରେ ଥରୁଥିଲି, ଜରରେ କୋହରୁଥିଲି । ଏଥିରେ ମୋର ଈଶ୍ୱରଙ୍କ ଉପରେ ଅଧିକ ଭକ୍ତି ବଢ଼ିଗଲା । ସେ ଅବସ୍ଥାରେ ଯଦି ମୁଁ ତଳକୁ ଖସିପଡ଼ିଥାଆନ୍ତି–ମୁଁ ବାଘର ଏକ ତାଜା ଶିକାର ହୋଇଥାଆନ୍ତି ସିନା ! ଭଗବାନ୍‌ ମୋତେ କେଡ଼େ ବଡ଼ ବିପଦରେ ସାହା ହୋଇଅଛନ୍ତି !

 

ତା’ପର ଦୁଇଦିନ ମୁଁ ବିଶ୍ରାମ ନେଲି । ଦେହର ଘୋଳାବିନ୍ଧା, ଜ୍ଵର ଓ ଦୁର୍ବଳତା ମୋର ସବୁ ବଳ ସାରିଦେଇଥାଏ । ତା’ରି ଭିତରେ କିନ୍ତୁ ବାଘଟାର ମୁକାବିଲା କରିବାକୁ ମୁଁ ବଳ ସଂଗ୍ରହ କରୁଥାଏ । ଅପେକ୍ଷା କରିଥାଏ ବାଘର ନୂଆ ଶିକାରକୁ । ବିଳମ୍ୱରେ ହେଲେ ବି ବାଘ ନିଶ୍ଚୟ କୋଉଠି ମଣିଷ ମାରିବ । ତୃତୀୟ ଦିନ ତିନିଟା ପଣ୍ଡା କିଣିଲି । ଆନାଇକୁଟି, ସେଗୁର୍, ମହବନଲାରେ ବାନ୍ଧିଲି । ତା’ପର ଦିନ ସକାଳେ ସେସବୁ ବଞ୍ଚିଥିବା ଦେଖିଲି । ଦେହରେ ବଳ ଆସିଯାଇଥାଏ । ଜଙ୍ଗଲ ବୁଲିବା ଆରମ୍ଭ କରିଦେଲି । ସକାଳବେଳା ଆନାଇକୁଟିର ଆଖପାଖ ବୁଲେ । ରାତିରେ ତିପ୍‌ପାକାଡ଼ୁକୁ ଯାଏ ଓ ଫେରେ । ଉଦ୍ଦେଶ୍ୟ ଥାଏ–ମଣିଷମାରୁଟାର ସାକ୍ଷାତ ହୋଇଯିବ ପରା !

 

ଦୁଇଦିନ ପରେ ମୋ ଦୁର୍ଭାଗ୍ୟର କିଛି ଉନ୍ନତି ହେବାର ସୂଚନା ମିଳିଲା । ସେଇ ସକାଳେ ମୁଁ ଆଉ ଗୋଟାଏ ନୂଆ କଥା କଲି । ଭାବିଲି ସେଗୁର୍ ନଦୀର ତଳଆଡ଼କୁ ଯାଏ । କାରୁମ୍ବାମାନଙ୍କୁ ଧରି ସେଗୁର୍ ଗାଁକୁ କାର୍ ଚଳାଇ ଗଲି । ସେଠାରେ ଗୋଟାଏ ବଡ଼ କଦଳୀ ବନ ଥାଏ । ସେଇଠି କାର୍‌କୁ ଛାଡ଼ି ଦେଲି ।

 

ସେଗୁର୍ ଗାଁରୁ ତଳକୁ ଗୋଟାଏ ସନ୍ତସନ୍ତିଆ ଅଞ୍ଚଳ ଥାଏ । ତାକୁ ଲୋକେ ଗୟଳଭୂଇଁ କହନ୍ତି । ଆଗେ ସେ ପାଖରେ ଅନେକ ଗୟଳ ରହୁଥିଲେ । ଏଇଠୁ ଅଧମାଇଲ ଦୂରକୁ ଘଞ୍ଚ ବାଉଁଶବଣ । ସେଗୁର୍ ନଦୀର ଉଭୟ ତୀର ବାଉଁଶବଣରେ ଭରା । ଏ ସ୍ଥାନ ହାତୀମାନଙ୍କର ବଡ଼ ପ୍ରିୟସ୍ଥଳୀ । ଶମ୍ବରମାନେ ମଧ୍ୟ ଏ ଜାଗାକୁ ଖୁବ୍ ଭଲପାଆନ୍ତି । ବାଘ ବେଳେବେଳେ ଗଡ଼େ ।

 

ପ୍ରାୟ ଆଠଟା ତିରିଶ । ସକାଳ । ଆମେ ବାଉଁଶବଣରେ ହାଲ୍ କରି ପଶିଥାଉ । ହଠାତ୍ ସେପାଖ ନଈକୂଳ ଆଡ଼ୁ ମାଈ ଶମ୍ବରଟିଏ ଡାକିଉଠିଲା । ତା’ ପରେ ପରେ ଅଣ୍ଡିରା ଶମ୍ବରର କର୍କଶ ଡାକ । ମୁଁ ଓ କାରୁମ୍ବାମାନେ ଘାସ ଭିତରେ ଲୁଚିଗଲୁ । ଏ ପାଖେ ଅନେକ ବଡ଼ ବଡ଼ ଘାସ–ସହଜରେ ଜଣେ ଲୁଚିଯିବ । ସେ ଦୁଇଟି ଜୀବ ଥରକୁଥର ଡାକିବାକୁ ଲାଗିଲେ । କିଛି ଗୋଟାଏ ଜୀବ ଦେଖି ସେମାନେ ସତର୍କ ଡାକ ଛାଡ଼ୁଛନ୍ତି ।

 

ପ୍ରଥମେ ଭାବିଲି, ବୋଧହୁଏ ସେମାନେ ଆମକୁ ଦେଖିପକାଇଛନ୍ତି । ତା’ ନ ହେଲେ ଆମ ବାସନା ବାରିପାରିଛନ୍ତି । ସେଇଥିପାଇଁ ସେମାନେ ଏମିତି ଉତ୍ତେଜିତ ଭାବରେ ବୋବାଉଛନ୍ତି-। ମାତ୍ର ଦେଖିଲି, ପବନଟା ଶମ୍ବରମାନଙ୍କ ଆଡ଼ୁ ଆମ ଦିଗକୁ ଆସୁଚି–ତେଣୁ ସେମାନେ ଆମର ବାସନା ବାରିବା ସମ୍ଭବ ନୁହେଁ । ପୁଣି ସେମାନେ ଆମକୁ ଦେଖିପାରି ନଥିବେ । ସେମାନେ ଆମଠୁ ଦୂରରେ ଅଛନ୍ତି । ସେମାନେ ଓ ଆମ ମଧ୍ୟରେ ଅନେକ ବାଉଁଶବୁଦା । ଆମେ ଖୁବ୍ ଧୀରେ ଧୀରେ ନିଃଶବ୍ଦରେ ଯାଉଥାଉ–ତେଣୁ ଆମକୁ ଦେଖିବା ମିଛ । ସେ ପାଖରେ ଆଉ କୋଉ ଲୋକର ଗତାଗତ ନାଇଁ । ମଣିଷମାରୁ ବାଘର ଡରରେ ଲୋକେ ଛାନିଆଁ–ସେପାଖକୁ କେହି ଆସନ୍ତିନି । ତେଣୁ ସେ ଦିଗରେ କୌଣସି ମଣିଷ ଦେଖିବା ମଧ୍ୟ ସମ୍ଭବ ନୁହେଁ । ତା’ହେଲେ ସେମାନେ ନିଶ୍ଚୟ ବାଘ ଅବା ଚିତା ଦେଖିଛନ୍ତି, ନହେଲେ ସେମିତି ଜୀବର ବାସନା ପାଇଛନ୍ତି ।

 

ଆମେ ସେଠାର ଘାସବୁଦା ଭିତରେ ଲୁଚିରହିଥାଉ । ପ୍ରାୟ ଦଶମିନିଟ୍ ଯାଏ ସ୍ଥିର ଅବିଚଳ ହୋଇ ରହିଚୁ–ହଠାତ୍‌ ଶମ୍ବର ଖୁରାର ଶବ୍ଦ ଶୁଭିଲା । ନଈ ପେଟର ପଥର ଉପରେ ଅତର୍ଛ ଖୁରା ପିଟି ସେ ଆମରି ଆଡ଼କୁ ଧାଇଁଆସୁଚି । ତା’ ପଛରେ ଧାଇଁ ଆସୁଚି ଶମ୍ବରୀଟିଏ । ଆଉ ଆମେ ଠିକ୍ ଯୋଉଠି ଥିଲୁ ସେଇ ପାଖରେ ବାଉଁଶବୁଦାର ସେ ପାରିରେ ସେମାନେ ଲୁଚିଗଲେ ।

 

ଆମେ ସେମିତି ଚୁପଚାପ, ସେମିତି ନୀରବରେ ବସିଥାଉ । ତା’ପରେ ଦେଖିଲୁ ବିପରୀତ ଦିଗରୁ ବାଉଁଶବୁଦା ଉଢ଼ାଳରୁ ବାହାରି ଆସୁଚି ବାଘଟାଏ । ବଡ଼ ନିଃଶବ୍ଦ...ଶାଂତ... ! ଖୁବ୍ ସାହାସ ତା’ର । ପୁଣି ବଡ଼ ସୁନ୍ଦର ଦିଶୁଚି । ସେ ନଦୀଆଡ଼କୁ ଗଡ଼ାଣିରେ ଆସୁଚି । କିଛି ଦ୍ୱିଧା ସନ୍ଦେହ ନାଇଁ ତା’ର । ସେ ପାଣିରେ ପଶିଲା । ପାଣି ଛାତିଏ ହେଉଚି । ସେ ପାଣି କାଟି କାଟି ଆସୁଚି ।

 

ମୁଁ ଏ ପାଖରୁ ତା’ର ସବୁ ଗତିବିଧି ଲକ୍ଷ୍ୟ କରୁଥାଏ । ତା’ ବାମପାଖ କାନ୍ଧଉପରକୁ ଲାଖକରି ଗୁଳି ଟିପିଲି । ସେ ପଛକୁ ଡେଇଁ ପଡ଼ିଲା । ଗଁ ଗଁ ଗର୍ଜୁଚି । ତା’ପରେ ଏକ ପାଖିଆ ଗଡ଼ିପଡ଼ିଲା । ମୋର ବିପରୀତ ଆଡ଼କୁ ତାର ମୁହଁ । ଯୋଉଁ କୂଳଆଡ଼ୁ ଆସିଥିଲା ସେଇ ଆଡ଼କୁ ମୁହଁ ଥାଏ । ଲୁଚାଜାଗାରୁ ବାହାରି ଆସିଲି । ଆଗକୁ ପ୍ରାୟ ଚାଲିଶଗଜ ଧାଇଁଗଲି । ଏଥର ତା’ ମୁହଁର ଗୋଟାଏ ଅଂଶ ଦିଶୁଚି । ମୁହଁର ଅନେକ ଅଂଶ ପାଣିରେ ବୁଡ଼ିଯାଇଚି । ଏଠି ମୁଁ ପ୍ରାୟ ପନ୍ଦର ମିନିଟ୍ ଯାଏ ଅଟକି ରହିଲି । ଦରକାର ହେଲେ ଆଉ ଗୋଟାଏ ଗୁଳି ଚଳାଇବି । ମାତ୍ର ସେ ପ୍ରକାର କୌଣସି ଗୁଳି ଚଳାଇବା ଦରକାର ହେଲାନି । ବାଘଟି ମରିସାରିଥାଏ ।

 

କହିଚି, ମଣିଷଖିଆଟାର ପାଦ ମାପ ମୁଁ ନେଇଥିଲି । ଆଗରେ ମରି ପଡ଼ିଚି ବାଘଟାଏ-। ଏହାର ପାଦ ସହ ଆଗ ମାପକୁ ମିଳାଇଲି । ଠିକ୍ ମିଳିଗଲା । ତା’ ହେଲେ ଏତେ କ୍ଳାନ୍ତି ପରେ, ଏତେ ରାତି ଉଜାଗର ଓ କଷ୍ଟ ସହିଲା ପରେ, ମୁଁ ସେଗୁର୍ ର ସେଇ ମଣିଷଖିଆ ବାଘଟାକୁ ମାରିଚି-

 

ସେ ମଣିଷମାରୁ ହେଲା କିଆଁ ? ଦେଖିଲି ବାଘଟିର ଗୋଟିଏ ଆଖି ନାଇଁ । ସେ ଆଖିର ଡୋଳାଟା କୁଆଡ଼େ ହଜିଗଲାପରି ହୋଇଚି । ଚମଡ଼ା ଉତ୍ତାରିଲାବେଳେ ଖୁବ୍ ସାବଧାନ ହେଇ ଛଡ଼ାଇବାକୁ ହେଲା । ସେ ସମୟରେ ଆଖି ନଷ୍ଟ ହେବାର କାରଣ କ’ଣ ହୋଇପାରେ ଭାବୁଥାଏ । ଗୋଟାଏ ଛୁରୀ ସାହାଯ୍ୟରେ ଆଖିଟାକୁ ଖୋଳିଲି । ତା’ ଭିତରୁ ବାହାରିଲା ଗୁଳିଟାଏ-

 

ସେ ନରଭୋଜୀ ହେବାର କାରଣ ଏଇଠି । କୋଉ କୁଦି ବାଣୁଆ ଦେଶୀ ବନ୍ଧୁକ ନେଇ ବିଚରାକୁ ଗୁଳିକରିଚି ମାଲବାର ୱାନାଦର ନୀରବ ଉପତ୍ୟକାରେ । ଗୁଳିଟା ପଶିଚି ତା’ ଆଖିରେ । ସେ ହୋଇଚି ଅନ୍ଧ । ସେ ବହୁ କଷ୍ଟ ପାଇଚି । ନିରାଶ ହୋଇଚି । ତାର ସାଧାରଣ ଶିକାରକୁ ଧରିବାରେ ସେ ହେଇଚି ଅକ୍ଷମ । ଫଳରେ ଯୋଉ ମଣିଷ ତାକୁ ଅନ୍ଧକରିଚି, ସେ ମଣିଷଜାତି ଉପରେ ସେ ପ୍ରତିଶୋଧ ନେଇଛି ।

Image

 

Unknown

ୟେମ୍ମାୟଦୋଦ୍‌ଦିର ନରଭୋଜୀ

 

ମହୀଶୂର ରାଜ୍ୟର କାଦୁର ଜିଲ୍ଲାରେ ଏ ଜଙ୍ଗଲ । ଏହାକୁ ୟେମ୍ମାୟଦୋଦ୍‌ଦି କହନ୍ତି । ଏହାର ଚାରିପାଖେ ପାହାଡ଼ । ସବୁଠୁ ବଡ଼ ପାହାଡ଼ର ନାଁ ହୋଗାରଖାନ୍ । ବାବାବୁଦାନ ପର୍ବତମାଳାର ପୂର୍ବାଂଶରେ ଏ ପାହାଡ଼ । ବାବାବୁଦାନ ପ୍ରାୟ ଛ’ହଜାର ପାଞ୍ଚଶ’ ଫୁଟ ଉଚ୍ଚ । ଏ ଅଞ୍ଚଳର ଦକ୍ଷିଣ ସୀମାରେ ହ୍ରଦଟିଏ । ବଡ଼ ଚମତ୍‌କାର ଏ ହ୍ରଦଟି । ନାଁ ତା’ର ମାଦକ । ତା’କୁ ଘେରି ରହିଚି ବନାଚ୍ଛାଦିତ ପାହାଡ଼ଶ୍ରେଣୀ । ଛୋଟ ଝରଣାଟିଏ ବହିଯାଉଚି ସେପାଖରେ । ସେ ଝରଣାସହ ସମାନ୍ତର ଧାରାରେ ଅଛି ଗୋଟିଏ ସଡ଼କ । ସଂକୀର୍ଣ୍ଣ ପାହାଡ଼ି ରାସ୍ତା । ଉତ୍ତର–ପୂର୍ବ ଆଡ଼କୁ ପ୍ରାୟ ଦଶମାଇଲ ଯାଇଚି ଜଙ୍ଗଲୀ ରାସ୍ତାଟି । ବିରୁର ସହରଠୁ ତିନି ମାଇଲ୍ ଦୂରରେ ଗୋଟିଏ ଛୋଟ ହ୍ରଦ । ସେଇ ହ୍ରଦରେ ଏଇ ଝରଣାଟି ପଡ଼ିଚି ।

 

ଏ ଅଞ୍ଚଳରେ ଅନେକ ବଣୁଆ ପଶୁପକ୍ଷୀ । ଗୋସଂପଦରେ ପୁଣି ଆହୁରି ସମୃଦ୍ଧ । ଗୋରୁ ଗାଈଗୁଡ଼ିକ ଦିନରେ ପଶନ୍ତି ଏଇ ବଣରେ । ଚରନ୍ତି ଦିନସାରା । ସଞ୍ଜବେଳକୁ ବାହାରି ଆସନ୍ତି ବିରୁର୍ ।

 

ତେଣୁ ଏ ଆଖପାଖରେ ବାଘ ରହିବାରେ କିଛି ବିସ୍ମୟ ନାଇଁ । ଏ ଅଞ୍ଚଳକୁ ବାଘ ଗଡ଼ନ୍ତି-। ପହିଲେ ସେମାନେ ବଣୁଆ ପଶୁ ଲୋଭରେ ଆସନ୍ତି । ଏଠି ଶମ୍ବର, ଚିତ୍ରହରିଣ, ବାର୍‌ହା ଦଳ ଦଳ । ଏ ପଶୁଶିକାରରୁ ବାଘ ଗୋରୁ ଧରେ । ଗୋରୁ ମାରିବା ସହଜ । ବଣୁଆ ଜୀବ ପରି ଗାଈ ଗୋରୁ ସେମିତି କିଛି ଲଢ଼େଇ କରନ୍ତିନି କି ଦଉଡ଼ି ପାରନ୍ତିନି । ସେ ପାଖର ଗାୟାଳ ଓ ଗୋରୁମାଲିକମାନେ ଖୁବ୍ ଅଯତ୍ନଶୀଳ । କୋଉ ଗୋରୁ ଅଇଲା ନଇଲା ସେମାନେ ଖୋଜନ୍ତିନି-। ଏମିତି ଗୋଟାଏ ଦିନ ଯାଏନି–ଯୋଉଦିନ ବଢ଼ିଆ ଛଡ଼ାଟାଏ କି ଦାମୁଡ଼ିପଟେ ବାଘ ପାଟିରେ ପଡ଼େନି । ବିରୁର୍‌ର ବସ୍ତି ସୀମାରେ ପୁଣି ଚିତାର ନାଟ ଲାଗିଥାଏ । କୁକୁର, ଛେଳି, ମେଣ୍ଢା, ବାଛୁରୀ ସବୁ ସେ ସଫା କରେ ।

 

ପ୍ରକୃତରେ ଏଇ ଛୋଟ ମାଂସାଶୀ ଜୀବଗୁଡ଼ିକ ଖୁବ୍ ବେଶି ସଂଖ୍ୟାରେ ନ ଥାଆନ୍ତି । ଏମାନଙ୍କ ବଡ଼ଭାଇ ଶ୍ରୀମନ୍ ବ୍ୟାଘ୍ରରାଜ ଚିତାର ସଂଖ୍ୟାରୁ ଅଧିକ ଭାବରେ ଥାଆନ୍ତି । ଚିତା ଗୁଡ଼ିକ ସହରତଳିରେ ମାତିଥାଆନ୍ତି । ବାଘର ଶିକାର କ୍ଷେତ୍ରରୁ ଏମାନେ ସବୁବେଳେ ଦୂରରେ ରହନ୍ତି; କାରଣ ବେଳେବେଳେ ଏମାନେ ବି ବାଘର ଶିକାର ହୋଇଯାଆନ୍ତି ।

 

୧୯୪୬ର ପ୍ରଥମ ଭାଗ । ଏ ଅଞ୍ଚଳରେ ବାଘଟାଏ ଦେଖାଦେଲା । ସେ ଥିଲା ଗୋଟାଏ ସ୍ୱାଭାବିକ ପ୍ରକୃତିର ଜୀବ । ଧୀରେ ତା’ ବ୍ୟବହାର ବଦଳିଲା । ବାଛୁରୀ ଛେଳି ଉପରେ ସେ ଆଖି ପକାଇଲା । ସଞ୍ଜବେଳେ ଗୋରୁ ଛେଳି ଫେରନ୍ତି । ବିରୁରର ସହରତଳି ଅଞ୍ଚଳରେ ସେ ଏ ମାରଣ ଆରମ୍ଭ କଲା । ସମସ୍ତେ ଭାବିଲେ ଚିତାବାଘ ଏ କାମ କରୁଚି । ବଡ଼ ବାଛୁରୀ ମାରିଲାବେଳେ ବେକ ଭାଙ୍ଗି ମାରେ । କେବଳ ଏଇତକ ବାଘର ଚିହ୍ନ । ବଡ଼ ଚିତାମାନେ ବେଳେବେଳେ ଏମିତି ଶିକାର କରନ୍ତି । ତେଣୁ ଲୋକେ ଏସବୁ ବାଘର କାମ ବୋଲି ଭାବିବେ କିଆଁ ? କିନ୍ତୁ ଥରେ ଗାୟାଳଜଣେ ତା’କୁ ଆବିଷ୍କାର କଲା । ବାଘ ଗୋଟାଏ ଛଡ଼ାକୁ ମାରିବା ସେ ଦେଖିପାରିଲା । ଲୋକେ ଜାଣିଲେ ସହରତଳିରେ ମାତିଥିବା ହତ୍ୟାକାରୀ ଜୀବଟି ଚିତା ନୁହେଁ... ବାଘ ।

 

ଏଇ ବାଘଟା ଖୁବ୍ ଶୀଘ୍ର ବଢ଼ିଚଲିଲା । ସେ ଯୁଆନ୍ ହେଲା । ଦେଶୀ ବିଦେଶୀ ଶିକାରୀମାନେ ତାକୁ ମାରିବାକୁ ବହୁ ଚେଷ୍ଟା ଚଳାଇଲେ । ଅଦ୍‌ଭୁତ ଭାବରେ ସବୁରି ଗୁଳିମୁହଁରୁ ସେ ରକ୍ଷାପାଇଯାଉଥାଏ । ଏଣେ ଚତୁରତା ଓ ସାହସରେ ସେ କୁଶଳୀ ହୋଇଉଠୁଥାଏ । ଅଠରମାସ ଭିତରେ ସେ ଏକ ଶୈତାନ ପାଲଟିଗଲା । ଗାୟାଳମାନଙ୍କର ସେ ହେଲା ପରମ ଶତ୍ରୁ-। ସପ୍ତାହରେ ଦୁଇଥର ବା ତିନିଥର ସେ ଗୋରୁ ମାରେ । ସବୁଥର ଖୁବ୍ ଭଲ ଜାତିଆ ଛଡ଼ା କି ଦାମୁଡ଼ି ମାରେ ।

 

୧୯୪୮ର ଶେଷଆଡ଼କୁ । ସାଥିରେ କେତେକ ସାଙ୍ଗ । ମୁଁ ଚାଲିଲି ୟେମ୍ମାୟଦୋଦ୍‌ଦି । ଉଦ୍ଦେଶ୍ୟ ଶିକାର କରିବା । ସାଙ୍ଗରେ ବନ୍ଧୁ ଆଲ୍‌ଫି ରବଟସନ୍ । ତାଙ୍କର ଖୁବ୍ ଶୀଘ୍ର ଇଂଲଣ୍ଡ ଫେରିଯିବାର କଥା ।

 

ମୁଁ ସେଇ ବାଘର କଥା ଶୁଣିଥାଏ । ଭାବୁଥାଏ ଏ ବାଘକୁ ରବଟସନ୍ ସହଜରେ ମାରିପାରିବେ । ଖାଲି ଦେଖିବାର କଥା ବାଘଟା ହାଲରେ ଗୋରୁ ମାରିଥିବ । ଆମେ ବେରୁର୍‌ରେ ଥିବାବେଳେ ଏହା ଘଟିଲେ ସୁବିଧା ହେବ ।

 

ବାଙ୍ଗାଲୋର୍‌ରୁ ମୋଟର୍‌ରେ ଗଲୁ । ୧୩୪ ମାଇଲ୍ ଦୂର । ଦୁଃଖର କଥା, ମୋତେ ଅଫିସ୍‌ରେ ଟିକେ ଅଟକାଇଦେଲେ । ତେଣୁ ଆମେ ଡେରିରେ ବାଙ୍ଗାଲୋର୍ ଛାଡ଼ିଲୁ । ବନ୍ଧୁଙ୍କ କାର୍‌ରେ ଯାଉଥାଉ । ରାସ୍ତାଟା ଭଲ ନୁହେଁ । ବାଙ୍ଗାଲୋରଠୁ ୮୭ ମାଇଲ୍‌ରେ ତିପ୍‌ତୁର । ସେଇଠି ଗୋଟାଏ ଦୁର୍ଘଟଣା ହେଲା । ବନ୍ଧୁ ଗାଡ଼ି ଚଳାଉଥାନ୍ତି । ଆଗ ଚକଟା ଗୋଟାଏ ପଥର ଚଟାଣ ଉପରେ ଚଢ଼ିଗଲା । ଚକ ଯିବା ପରେ ପରେ ସେ ଚଟାଣଟା ଠିଆହେଇଗଲା; କାରଣ ତା’ ଥିଲା ଖଣ୍ଡେ ପଥର ମାତ୍ର । ପଥରଟା ପେଟ୍ରୋଲ ଟାଂକିରେ ବାଡ଼େଇହେଲା । ସେଥିରେ ଏକ ଇଞ୍ଚର 1/9 ଲମ୍ବାର ଗୋଟାଏ ଛୋଟ କଣା ହୋଇଗଲା । ଏହାର ପରିମାଣରେ ଆଠ ଗାଲନ୍ ଗାସୋଲିନ୍ ରାସ୍ତାରେ ଉପରେ ବୋହିଗଲା । ଶେଷକୁ ଗାଡ଼ିଟା ଅଚଳ ହେଲା ।

 

ଆମ ପାଖରେ ଅଧିକ ପେଟ୍ରୋଲ ନଥାଏ । ମାତ୍ର ଥାଏ ଗୋଟାଏ ପ୍ରାଇମସ୍ ଷ୍ଟୋଭ୍ । ଏଥିପାଇଁ ଦୁଇ ବୋତଲ ପାରାଫିନ୍ ତେଲ କିଣାହୋଇଥାଏ । ପାଦଚାଳିତ ପମ୍ପର ରବର ନଳଟାର ଗୋଟାଏ ମୁଣ୍ଡ ପାରାଫିନ୍ ବୋତଲରେ ଦେଲୁ । ଅନ୍ୟ ମୁଣ୍ଡଟି କାର–ବୋରେଟର୍ ସହ ସଂଯୁକ୍ତ ନଳରେ ଯୋଡ଼ିଦେଲୁ । ଅବଶ୍ୟ ପ୍ରଥମେ ସାଇଫନ୍–ଫିଡ଼୍ ଆରମ୍ଭ କରିଦେଇଥାଉ । ତେଣୁ ତିପ୍‌ତୁରକୁ ଯିବାକୁ ଯୋଉ ଅଳ୍ପ କିଛି ବାଟ ରହିଥାଏ, ଏମିତିଭାବରେ ସେତକ ପାରିହେବାର ଚେଷ୍ଟା ଚାଲିଥାଏ । ପହଞ୍ଚିଗଲୁ ବି । ଏଠି ଗୋଟାଏ ପାରାଫିନ୍ ଟିଣ ସଂଗ୍ରହ କଲି । ତାରି ଗୋଟାଏ ପାଖ ନେଇ ଟାଙ୍କି ମରାମତି କଲୁ ।

 

ବର୍ତ୍ତମାନ ଅସଲ ପ୍ରଶ୍ନ ହେଲା ଜାଳେଣିର । ଆଗକୁ ଯିବୁ । ଆମେ ଗୋଟାଏ ପେଟୋଲ ଷ୍ଟେସନକୁ ଗଲୁ । ଏ ସହରରେ ଏହାଇ ଏକମାତ୍ର ପେଟ୍ରୋଲ୍ ଯୋଗାଣ କେନ୍ଦ୍ର । ସେ ଆମକୁ ଜଣାଇଲେ ଯେ ଗତ ଦିନଠୁ ପେଟ୍ରୋଲ୍ ସରିଯାଇଚି । ପରଦିନ ଅପରାହ୍‌ଣ ପୂର୍ବରୁ ମିଳିବନି ।

 

ମନେହେଲା ତିପ୍‌ତୁର୍‌ରେ ଅନେକ ସମୟ ଧରି ରହିବାକୁ ଦୈବ ଯେପରି ଆମକୁ ବାଧ୍ୟ କରୁଚି । ସହରରେ ଗୋଟିଏ ଦୁଇଟି ଲରୀ । ଶୋଇଥିବା ଡ୍ରାଇଭରମାନଙ୍କୁ ଉଠାଇଲୁ । ମାତ୍ର ଏକ ଗ୍ୟାଲନ୍ ପେଟ୍ରୋଲ୍ ପାଇଁ ଆମେ କଳ୍ପନାତୀତ ପଇସା ଦେବାକୁ ପ୍ରସ୍ତୁତ ଥାଉ । ସେତିକି ପେଟ୍ରୋଲ ହେଲେ ଆର୍ସିକେରେକୁ ଯାଇ ପାରିବୁ । ଆର୍ସିକେରେ ସେ ଜାଗାରୁ ଷୋହଳ ମାଇଲ । ସେ ସହରରେ ବର୍ମାସେଲ୍‌ର ପେଟ୍ରୋଲ ପମ୍ପ ଥାଏ । ଆମେ ସେଠୁ ପେଟ୍ରୋଲ୍ ପାଇବାରେ ଆଶାୟୀ ଥାଉ । ମାତ୍ର ସମସ୍ତେ କହିଲେ ଯେ, ସେ ସମସ୍ତେ ପେଟ୍ରୋଲ ଅଭାବରେ ଚାଲିଚନ୍ତି । ଆଗାମୀ ଦିନର ଅପରାହ୍‌ଣକୁ ସେମାନେ ଅପେକ୍ଷା କରି ରହିଥା’ନ୍ତି–କେତେବେଳେ ନୂଆ ଷ୍ଟକ୍ ଆସିବ ।

 

ଏ ପରିସ୍ଥିତି ବଡ଼ ନିରାଶାଜନକ । ଶେଷକୁ ମୁଁ ଗୋଟାଏ ଅଦ୍‌ଭୁତ କାମ କରିବାର କଳ୍ପନା କଲି । ରାତି ସାଢ଼େତିନି । ତିପ୍‌ତୁର ସହର ଶୋଇଯାଇଥାଏ । ଘୁମନ୍ତ ସହର ପରି ବିବେକ ଓ ନୀତି ମଧ୍ୟ ମୋ ଭିତରେ ଶୋଇଗଲା । ମୁଁ ଆଲଫିଙ୍କୁ କହିଲି ସେଇ ପାରାଫିନ୍ ଟିଣଟି ଧରିବାକୁ-। ମୁଁ ଧରିଲି ସେଇ ପମ୍ପଦେବାର ଆସବାବପତ୍ର । ତା’ ପରେ ଆମେ ଦିହେଁ ତିପ୍‌ତୁର ସହରର ନୀରବ ଗଳିରେ ବୁଲିଗଲୁଁ । ଗୋଟାଏ ଏକେଣା ଗଳିରେ ଆମେ ପୁରୁଣା ଏ ମଡ଼େଲ୍ ଫୋର୍ଡ଼ ଗାଡ଼ିଟିଏ ଦେଖିଲୁ । ଗାଡ଼ିଟି ଭଙ୍ଗାଦଦରା । ଆଲ୍‌ଫିଙ୍କୁ କହିଲି ସତର୍କ ଭାବରେ ଜଗିରହିବାକୁ–ଗାଡ଼ିର ମାଲିକ କାଳେ ଉଠିବ । ମୁଁ ନିଃଶବ୍ଦରେ ଗାଡ଼ି ଆଡ଼କୁ ଚାଲିଲି । ବନେଟ୍ ପାଖେ ପହଞ୍ଚିଲି । ସେ ଗାଡ଼ିର ଜାଳେଣି ଟାଂକିର ଘୋଡ଼ଣିକି କାଢ଼ିଲି । ରବର ନଳୀଟିଏ ସେ ଟାଂକିରେ ଭରିଦେଲି । ସାଇଫୋନ୍ କଲି । ମୋ’ ଦୁଇ ଆଣ୍ଠୁ ଭିତରେ ଥାଏ ପାରାଫିନ୍‌ର ଟିଣ । ସେଇ ମୂଲ୍ୟବାନ୍ ପେଟ୍ରୋଲ୍‌ରୁ ପ୍ରାୟ ଗୋଟାଏ କ୍ୱାର୍ଟ ଟାଣିଲି ।

 

ଦ୍ଵିତୀୟ ଥର ସେମିତି କଲି । ସେଥର ବି ଗୋଟାଏ କ୍ୱାର୍ଟ ପେଟ୍ରୋଲ ଆଣିଲି । ସେ ସବୁକୁ ପାରାଫିନ୍ ତେଲରେ ମିଶାଇ ଆମେ ଗଲୁ ଆର୍ସିକେରେ । ଏଇଠି ଆମେ ପେଟ୍ରୋଲ୍ ପାଇଲୁ ।

 

ଏ ପ୍ରକାର ଅସୁବିଧା ଯୋଗୁଁ ଲକ୍ଷ୍ୟସ୍ଥଳ ବିରୁରରେ ଆମେ ସକାଳ ସାଢ଼େ ସାତ ଯାଏ ବି ପହଞ୍ଚିପାରିଲୁନି । ଆମେ ସହର ଛାଡ଼ି ପ୍ରାୟ ଦୁଇ ମାଇଲ ଯାଇଥାଉ । ଗୋଟାଏ ଖୋଲା ପଡ଼ିଆରେ ଅନେକ ଶାଗୁଣା ଦେଖିଲୁ । ମୋ ବନ୍ଧୁ ତା’ର ଗୋଟାଏ ଫଟୋଗ୍ରାଫ୍ ନେଲେ । ମୁଁ ଓହ୍ଲାଇପଡ଼ିଲି । କାହିଁକି ଏତେ ଶାଗୁଣା ଜମାହେଇଛନ୍ତି ! ସେଇ କାରଣ ଅନୁସନ୍ଧାନରେ ଲାଗିପଡ଼ିଲି । ଦେଖିଲି ଚିତାଦ୍ଵାରା ଗୋଟାଏ ଅଧାବଡ଼ ଦାମୁଡ଼ି ନିହତ ହେଇଚି । ରାସ୍ତାକୁ ଅଲଗା କରି ରଖିଥିବା ବାଡ଼ବୁଦାର ଠିକ୍ ପାଖରେ ଚିତାଟା ବାଛୁରୀଟିକୁ ମାରିଚି ।

 

ସେଇଟା ଯେ ଚିତାର କାଣ୍ଡ, ସେଥିରେ ସନ୍ଦେହ ନଥାଏ । ମଲା ବାଛୁରୀର ଗଳାରେ ଦାନ୍ତଚିହ୍ନ ଦେଖିଲି । ଚିପି ମାରିବାର ଲକ୍ଷଣ । ବେକର ମଧ୍ୟଦଣ୍ଡ ଅଖୁଣ ଅଛି–ତାକୁ ଭଙ୍ଗାଯାଇନି । ବାଘ ବେକ ମୋଡ଼ି ଏ ଦଣ୍ଡ ଭାଙ୍ଗିଦିଏ । ତା’ ଛଡ଼ା ବାଛୁରୀର କୋଷଟିକୁ ଶିକାରୀ ପଶୁ ଖାଇଚି । ଅନ୍ତନଳୀ ସବୁ ଶବ ଭିତରେ ସେମିତି ଅଛି । ଏଥିରୁ ଚିତା ଯେ ଏ ବାଛୁରୀଟିର ହତ୍ୟାକାରୀ, ତାହା ସ୍ଥିରୀକୃତ ହୋଇଗଲା । ବାଘ ବଡ଼ ପରିଷ୍କାର ଜୀବ । ବାଘ ଜୀବକୁ ଖାଇବା ଆଗରୁ ପେଟ ଚିରେ-। ପେଟର ଅନ୍ତନଳୀ ଓ ମଳଭାଣ୍ଡକୁ ଅତି କମ୍‌ରେ ଦଶଫୁଟ ଦୂରକୁ ବୋହିନିଏ । ଏପରି କ୍ଷେତ୍ରରେ ତା’ ଆହାରରେ ମଡ଼ାର ମଳ ପଡ଼େନି–ମାଂସ ନିର୍ମଳ ରହେ ।

 

ସେ ଦିଗରେ ବିଳମ୍ବ ହୋଇଥିଲା । ଆମେ ହଇରାଣ ହୋଇଥିଲୁ । ତେଣୁ ଭାଗ୍ୟ ଆମ ପ୍ରତି ବେଗି ପ୍ରସନ୍ନ ହେଲା । ଆମେ ଖୁବ୍ ଖୁସି ହୋଇଗଲୁ । ଶାଗୁଣାଗୁଡ଼ିକୁ ତଡ଼ିଦେଲୁ । ମଢ଼ ଉପରେ ଘୋଡ଼ାଇଦେଲୁ ତାଳପତ୍ର । ସେଇ ବାଡ଼ବୁଦାରେ ମୁଁ ଲୁଚିବାର ଜାଗା କରିନେଲି । ମଢ଼ର ଖୁବ୍ ପାଖରେ ରହି ଚିତାକୁ ମାରିବାର କୌଶଳ ପାଞ୍ଚିଲୁ । ଏଥିରେ ମୋ ଅପେକ୍ଷା ଆଲଫି ବହୁତ ଖୁସି ହେଲେ । ସେ ଭାବିଲେ ଗତରାତିର ସବୁ ଦୁଃଖ ଦୂର ହେଇଯିବ–ଯଦି ସେ ଚିତାଟାକୁ ଶିକାର କରିପାରିବେ ।

 

ସେଇଠୁ କିଛି ଦୂର ଗଲୁ । ସେଠି ଖିଆପିଆ କଲୁ । ଶୋଇଲୁ । ରାତିପାଇଁ ତିଆରି ହୋଇଗଲୁ । ସଞ୍ଜର ପାଞ୍ଚ ହେଲା । ଆମେ ଆମର ସେଇ ଲୁଚିବା ଜାଗାକୁ ଫେରିଆସିଲୁ । ଶବ ଉପରୁ ଡାଳପତ୍ର କାଢ଼ିଦେଲୁ । ଆଲଫି ନିଜେ ସେ କୁଡ଼ିଆରେ ଲୁଚି ରହିଲେ । ସାଥିରେ ରାଇଫଲ୍, ଟର୍ଚ୍ଚ, ଚଦର ଓ ପାଣି ବୋତଲ । କାର୍ ଧରି ମୁଁ ବିରୁର୍ ଯିବାକୁ ତିଆରି ହେଉଥାଏ, ହଠାତ୍ ଜଣେ ଗାୟାଳ ଧାଇଁ ଧାଇଁ ଆସି ପହଞ୍ଚିଗଲା । ତା’ ଗାଈକି ଏଇ ଅଧ ଘଣ୍ଟା ହେଲା ବାଘ ମାରିଦେଇଚି–ସେ ଜାଗାରୁ ପ୍ରାୟ ମାଇଲିଏ ଦୂରରେ ।

 

ମୁଁ ଆଲଫିଙ୍କୁ ପଚାରିଲି–ସେ ଚିତାକୁ ଜଗିବେ କି ବାଘ ପଛରେ ଦଉଡ଼ିବେ । ଏଠି ଚିତା ନିଶ୍ଚୟ ଆସିବାର ସମ୍ଭାବନା । ସେଠି ସବୁ ଅନିଶ୍ଚିତ । ସେ କ୍ଷେତ୍ରରେ ମୋର ମତ କ’ଣ ହେଇଥା’ନ୍ତା ! ମୁଁ ବୋଧହୁଏ ବାଘ ପାଇଁ ଯାଇଥାନ୍ତି । ସେ ବି ସେଇୟା କଲେ । ତେଣୁ ଆମେ ଆଉ ସେ କୁଡ଼ିଆରେ ରହିବାର କୌଣସି କାରଣ ପାଇଲୁନି । ଯାହା ଯାହା ଜିନିଷ ସେଠି ଥିଲା ସେ ସବୁକୁ ବୋହିନେଇ କାର୍‌ରେ ରଖିଲୁ । ଆମେ ଅଧମାଇଲ ଯିବା ପରେ ଗାୟାଳ ଗାଡ଼ି ବନ୍ଦ କରିବାକୁ କହିଲା । ଆମେ ଓହ୍ଲାଇ ପଡ଼ିଲୁ । ଗାୟାଳଟି ବଣ ଭିତରକୁ ଚାଲିଲା । ଆମେ ତା’ ପଛେ ପଛେ ଚାଲିଲୁ ।

 

ଆମକୁ ବେଶୀ ଦୂର ଯିବାକୁ ହେଲାନି । ପ୍ରାୟ ତିନି ଫର୍ଲ° ପରେ ଆମେ ମଲା ଜୀବଟି ପାଖରେ ପହଞ୍ଚିଲୁ । ଗୋଟିଏ ଖୁବ୍ ସୁନ୍ଦର କଳା ଗାଈ । ଦୁଧିଆଳୀ ଗାଈଟି । ବେକ ଭାଙ୍ଗିଯାଇଛି-। କାନରୁ ନାଳ ଆସୁଚି । ବାଘ କଳେ ବି ଖାଇନି । ଗାୟାଳ ପାଟିଗୋଳ କରିଚି । ଗାଈମାନଙ୍କ ସହିତ ଚରୁଥିଲେ ମଇଁଷି । ମଇଁଷିମାନେ ଆକ୍ରମଣ କରିଛନ୍ତି; ତେଣୁ ବାଘ ଡରିକି ପଳାଇଯାଇଚି ।

 

ଛଅଟା ହେଲାଣି । ଅନ୍ଧାର ବେଗି ବେଗି ମାଡ଼ି ଆସୁଚି । ଦୁର୍ଯୋଗକୁ ନିକଟରେ ବଡ଼ ଗଛ ନଥାଏ । ଆମେ ହତାଶ ହେଲୁ । ଏଥର ବାଘକୁ ମାରିବାକୁ ହେଲେ ଖୋଲା ପଡ଼ିଆରେ ବସିବାକୁ ହେବ । ନହେଲେ, ମଡ଼ା କୁ ଛାଡ଼ି ଫେରିବା ଉଚିତ । ଖୋଲା ପଡ଼ିଆରେ ବାଘ ସହିତ ମୁହାଁମୁହିଁ ଲଢ଼ିବା କେବେ ନିରାପଦ ନୁହେଁ ।

 

ମଡ଼ାକୁ ଛାଡ଼ି ଯିବା ଶୁଣି ଆଲଫି ସହିପାରିଲେନି । ତେଣୁ ଗାୟାଳଟିର ସାହାଯ୍ୟରେ ଗୋଟାଏ ଯାହିତାହି କୁଡ଼ିଆ କରାଇ ନେଲି । ଛଅଟା ତିରିଶ ବେଳକୁ ଆମେ ସବୁ କୁଡ଼ିଆ ଭିତରେ ରହିଲୁଣି ।

 

ଅନ୍ଧାର ଘୋଟିଗଲା । କ୍ରମେ ଏ ଅନ୍ଧାର ଘନେଇ ଆସୁଥାଏ । ମାତ୍ର ପନ୍ଦର ମିନିଟ୍ ଭିତରେ ଅବସ୍ଥା ଏମିତି ହେଲା ଯେ ମଲା ଗାଈଟିର ସ୍ଥୁଳ ରୂପରେଖ ବି ଦେଖାଗଲାନି; ଅଥଚ ଗାଈଟି ଥିଲା ପଚିଶଗଜ ଦୂରରେ । ସେଇଟା ଥିଲା ଚନ୍ଦ୍ରବିହୀନ ରାତି । ମାତ୍ର ପରିଷ୍କାର ଆକାଶ ତଳେ ଅନେକ ତାରାର ମିଞ୍ଜି ମିଞ୍ଜି ଆଲୁଅ । ଚାରିଆଡ଼କୁ ବେଶ୍ ଆଲୋକିତ କରୁଥାଏ । ତଥାପି ମଢ଼ଟି ଆମେ ଦେଖି ପାରୁ ନ ଥାଉ ।

 

ଘଣ୍ଟାଏ ଗଲା । ପ୍ରାୟ ଅଧମାଇଲ ଦୂରରୁ ଶୁଣାଗଲା ଭେରେଣ୍ଡାର ଅଶୁଭ ଭୟଙ୍କର ଡାକ । ଏଇ ବିଲୁଆ ବିଷୟରେ ଅନେକ କଥା ଶୁଣାଯାଏ, ଅନେକ କଥା କୁହାଯାଏ । ବିଲୁଆଗୁଡ଼ା ସାଧାରଣତଃ ଗାଁ ଓ ସହର ପାଖରେ ଦଳ ଦଳ ହୋଇ ବୁଲନ୍ତି । ସେଇଠି ସେମାନେ ଖାଦ୍ୟ ଖୋଜନ୍ତି । ସାଧାରଣତଃ ସେମାନଙ୍କର ଦଳପତି ଅନୁସରଣ କରି ସେମାନେ ବୋବାଳି ଛାଡ଼ନ୍ତି । ଉ...ଉ... ଉ... ! ଉ... ହ୍ଵେ... ! ଉ... ହ୍ଵେ... ! ଉ... ହ୍ଵେ... ହ୍ଵେ... ! ହ୍ଵେ... ! ହ୍ଵେ... ରେ ! ହ୍ଵା ! ହ୍ଵା ! ବା ହୁକେ ହୋ ! ହୁକେ ହୋ... ହୋ... ହୋ... ହୁକେ... ହୁକେ !

 

ଏଇ ଏକେଣା ବିଲୁଆର କଥା ଅଲଗା । ସେ ପ୍ରକୃତରେ ବିଲୁଆଟାଏ । ବିଲୁଆର ରୂପ ଭେକ, ପ୍ରକୃତି । ତା’ର ଡାକ କିନ୍ତୁ ବିଲୁଆ ଡାକଠୁ ଭିନେ । ଲମ୍ବାଳିଆ ସ୍ୱରରେ ସେ ଡାକ ଛାଡ଼େ...ଭେ... ଭେ... ! ସେଇଟା ଭେରେଣ୍ଡାର ଡାକ । ଏ ଡାକ ସହିତ ଅନେକ ଅନ୍ଧବିଶ୍ୱାସ, ଗପ ଓ ଜଙ୍ଗଲ କାହାଣୀର ସମ୍ପର୍କ ଅଛି । ଏଥିରୁ ଯୋଡ଼ିଏ କଥା ମିଳେ । ସାଧାରଣତଃ ଏ ବିଲୁଆ ବାଘ ବା ଚିତାର ସାଙ୍ଗ । ମୁଖ୍ୟତଃ ବାଘର ସାଥୀ । ବାଘକୁ ସେ ମଡ଼ା ପାଖକୁ ଡାକିନିଏ । ବାଘ ମଢ଼ ଖାଇ ସାରିଲେ ଯାହା ଛାଡ଼ିଯାଏ ସେଥିରୁ କିଛି ଏ ଭେରେଣ୍ଡା ଖାଏ । ଆଉ ଗୋଟିଏ କଥା–ଶିକାରୀ ବାଘର ସେ ସହଚର ହୋଇଥାଏ । ମାତ୍ର ତା’ଠୁ ନିରାପଦ ଦୂରରେ ରହି ସେ ଯିବା ଆସିବା କରେ । ଏଥିରେ ସେ ତା’ଖାଦ୍ୟ ରୀତିମତ ସଂଗ୍ରହ କରିନିଏ । ଯାହା ହେଉନା କାହିଁକି, ଭେରେଣ୍ଡାର ଡାକ ମାନେ ବାଘ ଆସୁଚି । ଏକଥାକୁ ମୁଁ ବହୁବାର ପରୀକ୍ଷା କରି ଦେଖିଚି । ଜଙ୍ଗଲରେ ବୁଲିଲା ବେଳେ ଯେବେ ଭେରେଣ୍ଡା ଡାକେ ତା’ ପାଖରେ ଗୋଟାଏ ଚିତା ବା ଗୋଟାଏ ବାଘ ଥିବାର ପ୍ରମାଣ ପାଇଚି ।

 

ତେଣୁ ଏ ଭେରେଣ୍ଡା ଡାକ ଶୁଣି ଆମର ମନେହେଲା, ଗୋରୁମରା ବାଘଟା ଏଇ ଆସିଗଲା । ପ୍ରାୟ ଦଶମିନିଟ୍ ଗଲା । ଯୋଉଠି ମଢ଼ ଥିଲା ସେଇ ଦିଗରେ ଟିକେ ଦୂରରେ ଆମେ ଆଉଁ... ଆଉଁ... ଶୁଣି ପାରିଲୁ । ବାଘଟା ଆସିଗଲା । ମୁଁ ଧୀରେ ଆଲ୍‌ଫିଙ୍କ ଗୋଡ଼କୁ ଟିପିଦେଲି । ମାତ୍ର ସେ ବି ଜାଗି ରହିଥିଲେ । ବେଳ ଗଡ଼ି ଗଲା । ଆମେ ଟିକେ ଖୁଡ଼୍‌ ଖାଡ଼୍ ଶୁଣିଲୁ, ଆଉ କିଛି ଗୋଟାଏ ପଡ଼ିବା ଓ ଟାଣିବାର ଶବ୍ଦ ବି ଶୁଣିଲୁ ।

 

ଆଲଫି ଟର୍ଚ୍ଚର ସୁଇଚ୍ ଚିପିଲେ । ତୋଫା ଆଲୁଅ ବିଛାଡ଼ି ହୋଇ ପଡ଼ିଲା । ଦୁର୍ଯୋଗକୁ ମଡ଼ାଟାର ସ୍ଥିତି କଥା ସେ ଠିକ୍ ଭାବେ ଜାଣି ପାରିଲେନି । ତେଣୁ ଟିକେ ବାଁପାଖରେ ଦୂରକୁ ଆଲୁଅ ପକାଇଲେ । ବାଘ ପାଇଁ ଏତକ ଯଥେଷ୍ଟ । ସେ ତରକିଗଲା.... ଗର୍ ର... ଗର୍ ର କରି ବାଘ ଡେଇଁପଡ଼ିଲା ଓ ବୁଦାଗହଳରେ ଲୁଚିଗଲା ।

 

ଆମେ ଆଉ ଘଣ୍ଟାଏ ଜଗିଲୁ । ମାତ୍ର ମୁଁ ଜାଣିଲି ଆମେ ଖାଲି ସମୟ ନଷ୍ଟ କରୁଚୁ ବାଘ ଆଉ ଲେଉଟିବନି । କିଛି ବେଳ କଟିଗଲା । ଆମେ ଗୋଟାଏ ଅସ୍ପଷ୍ଟ ଡାକ ଶୁଣିଲୁ... ଆଁ... ଉଁ... ! ଆଁ... ଉଁ... ଆଁ... ! ଉଁ... ଉଁ... ଉଁ... ! ! ଆମକୁ ସେଇଠି ଛାଡ଼ିଦେଇ ବାଘ ମାଇଲିଏ ଦୂରରେ ପାହାଡ଼ ନାସି ପାରିହେଇଗଲା ।

 

ବାଧ୍ୟହେଇ ଆମେ ଜିନିଷପତ୍ର ଗୋଟାଇଲୁ । କାର୍ କୁ ଫେରିଲୁ । ମାତ୍ର ଦେଖିଲୁ ଆଲଫି ସୁଇଚ୍‌ର ଚାବି କୋଉଠି ନା କୋଉଠି ରଖିଦେଇଛନ୍ତି । ଆମେ କେବଳ ଖୋଜି ଲାଗିଲୁ । ପାଇଲୁନି । ସେଇ ସମୟରେ ଲିଙ୍ଗଧାଲିରୁ ବିରୁର୍‌କୁ ଯାତ୍ରୀ ନେଇ ବସ୍‌ଟିଏ ଆମ ବାଟରେ ଗଲା । ଏଥିରେ ଆଲଫି ଚାବି ପାଇଗଲେ । ବସ୍ ପରେ ଆମେ କାର୍ ଚଳାଇଲୁ ।

 

ଯୋଉ ଜାଗାରେ ଆମେ ଚିତାକୁ ମାରିବାକୁ କୁଡ଼ିଆ ତିଆରି କରିଥିଲୁ ସେଇଠି ପହଞ୍ଚିଲୁ-। ଆଶ୍ଚର୍ଯ୍ୟର କଥା, ବସ୍‌ର ଆଲୁଅରେ ଚିତାଟା ମଢ଼ ଖାଉଚି ଦେଖିଲୁ । ବସ୍‌ର ଡ୍ରାଇଭର୍ ବ୍ରେକ୍ କଷି ଗାଡ଼ି ବନ୍ଦକଲା । ପଛପାଖେ ଧୂଳିର ବିରାଟ ମେଘ ଉଠିଲା । ସେଥିରେ ଆମେ ଘୋଡ଼େଇହୋଇଗଲୁ ।

 

ଆମେ କାର୍‌ରୁ ଓହ୍ଲାଇପଡ଼ିଲୁ । ବସ୍ ରେ ସିଧା ସିଧା ଯାଇ ପହଞ୍ଚିଲୁ । ଦେଖିଲୁ ଏ ଗୋଳମାଳ ଭିତରେ ଚିତାଟା ପଡ଼ିଆ ଆଡ଼କୁ ଖସିଯାଉଚି । ଆଲଫି ଗୁଳି କଲେ । ଜୀବଟା ଏକ ବିରାଟ ଲମ୍ପ ଦେଲା । ଚିତ୍‌କାର କଲା ଆର୍‌ର୍‌ର୍ ଆଆହା ! ତାପରେ ବିଜୁଳିପରି କୁଆଡ଼େ ଉଭାନ୍ ହେଇଗଲା ।

 

ଆମେ ଯେ ଭୁଲ୍‌ କରିଚୁ–ଏକଥା ବହୁ ବିଳମ୍ବରେ ବୁଝିପାରିଲୁ । ଆଲ୍‌ଫି ଚୁପ୍‌ଚାପ୍ ସେଇ କୁଡ଼ିଆ ଜାଗାକୁ ଯାଇଥାଆନ୍ତେ । ମୁଁ ବସ୍ ପଛେ ପଛେ କାର୍ ଚଳାଇ ଯାଇଥାଆନ୍ତି । ଚିତାଟା ଗାଡ଼ି ଦୁଇଟି ଚାଲିଯିବା ପରେ ମଢ଼ ପାଖକୁ ଫେରିଥାଆନ୍ତା । ଆଲଫି ସହଜରେ ଚିତାକୁ ମାରିପାରିଥାଆନ୍ତେ । ଘଟଣାଗୁଡ଼ିକ ଏମିତି ଭାବରେ ବହିଗଲା ଯେ ସେ ମୋ ସହ ପରାମର୍ଶ କରିପାରିଲେନି । ଆଉ ଏବେ ଜଙ୍ଗଲରେ ରହିଲା ଗୋଟାଏ ଆହତ ଖଣ୍ଡିଆ ଚିତା ।

 

ମାତ୍ର ଢଳିଗଲା ଦୁଧ ଉପରେ ଦୁଃଖ କରି କି ଲୁହ ବୁହାଇ କିଛି ଲାଭ ନାଇଁ । ତେଣୁ ଆମେ ଭ୍ରମଣକାରୀ ବଙ୍ଗଳାକୁ ଫେରି ରାତି କାଟିବାକୁ ଠିକ୍ କଲୁ । ପରଦିନ ସକାଳେ ଆମେ ସେଇ ଜାଗାକୁ ଫେରିଆସିଲୁ । ଚାରିଆଡ଼କୁ ଆଖି ପକାଇଲୁ । ଅସ୍ପଷ୍ଟ ରକ୍ତ ଦାଗ ଦେଖିଲୁ । ପଡ଼ିଆର ଶେଷଆଡ଼କୁ ଏ ଦାଗ ସ୍ପଷ୍ଟ ଜଣାପଡ଼ିଲା । ଯେତିକି ଆଗକୁ ଗଲୁ ସେତେ ବେଶି ରକ୍ତଦାଗ ଦେଖିଲୁ । ଏ ପ୍ରକାର ରକ୍ତଚିହ୍ନ ଯୋଗୁଁ ଆମେ ଟିକେ ଚିନ୍ତାରେ ପଡ଼ିଗଲୁ । ଚିତାଟାର ଗୋଟାଏ ପାଖରେ ଗୁଳି ବାଜିଚି । ତେଣୁ ରକ୍ତ ବହି ଦିହରେ ଧାର କାଟି ତଳେ ପଡ଼ିବାକୁ ସମୟ ଲାଗିଚି । ପଡ଼ିଆର ସାମନା ଆଡ଼କୁ ରକ୍ତ ବହିବା ଓ ତଳକୁ ଝରିପଡ଼ିବା ସହଜ ହୋଇଚି । ତା ପରେ ରକ୍ତ ଝରିଚାଲିଚି । ଚିତାଟା ଯୋଉ ଆଡ଼କୁ ଯାଇଚି ସେ ଦିଗରେ ଅନେକ ଲାଣ୍ଟାନା ଓ କଣ୍ଟାବୁଦା । ହାତରେ ଡାଳ ଆଡ଼େଇ ଗୁରୁଣ୍ଡି ଗୁରୁଣ୍ଡି ନଗଲେ ଆଗକୁ ଯିବା ସହଜ ନୁହେଁ । ଦେଖିଲୁ ଗୋଟାଏ ପୁରୁଣା ବାର୍‌ହା ଦାଣ୍ଡି ଯାଇଚି । ସେଇ ଦାଣ୍ଡିରେ ବହୁତ ରକ୍ତଦାଗ ମିଳିଲା । ତା’ହେଲେ ଚିତା ସେଇ ବାଟରେ ଯାଇଚି ।

 

ହାତ ଓ ଆଣ୍ଠୁ ସାହାଯ୍ୟରେ ମୁଁ ବାଟ କରି ଆଗେଇଲି । ମୁଁ ଧରିଥାଏ ୪୦୫ ଉଇଁଚେଷ୍ଟର୍ ବନ୍ଧୁକ । ଆଲଫି ଗୋଟାଏ ଦିଗରୁ ଆସୁଥାଆନ୍ତି । ଏମିତି କରିବାର କାରଣ ଅଛି । କାଳେ ସେ ଦିଗରୁ ଚିତା ଆକ୍ରମଣ କରିବ, ସେଥିପାଇଁ ସତର୍କ ହେବା ପ୍ରୟୋଜନ । ଏମିତି ଛକାଛକି ହେଇ ଆମେ ପ୍ରାୟ ପଞ୍ଚସ୍ତରୀ ଗଜ ଯାଇଥାଉ । ଆମେ ଜାଣୁନି ସେ ପାଖ ବୁଲାଣିଠି ଚିତାଟା ଲୁଚିଚି । ସେ ଆମକୁ ଆକ୍ରମଣ କରିବାକୁ ଠିକ୍ କରିନେଲା । ମୁଁ ପ୍ରସ୍ତୁତଥିଲି । ସେ ଆକ୍ରମଣ କରିବା ଆଗରୁ ମୁଁ ଗୁଳି ଚଳାଇଲି । ଗୁଳି ତାର ଖପୁରି ଫଟାଇଦେଲା । ମସ୍ତିଷ୍କର ଦହି ବାହାରିଆସିଲା । ସେ ମୋରି ସାମ୍ନାରେ ମରି ପଡ଼ିଲା । ଖପୁରିର ଦହିଗୁଡ଼ାକ ଚାରିଆଡ଼େ ବିଛେଇ ହେଇ ପଡ଼ିଗଲା ।

 

ଆମେ ବିରୁର୍‌ରେ ପୂରା ଦଶଦିନ ରହିଲୁ । ସେ ଭିତରେ ଗୋଟାଏ ବାଘଖିଆ ଘଟଣା ଘଟିଲା–ସେଇଟା ଥିଲା ସପ୍ତମ ଦିନର ପୂର୍ବାହ୍ନ ୟେମ୍ମାୟାଦୋଦ୍‌ଦିର ନଈ କୂଳରେ ଛ ମାଇଲ୍ ଦୂରରେ । ଆମେ ଖବର ପାଇ ସେଠାକୁ ଗଲାବେଳକୁ ସଞ୍ଜ ପଡ଼ିସାରିଥାଏ । ଶାଗୁଣାମାନେ ମଢ଼ଟିକୁ ସେତେବେଳକୁ ସଫା କରି ସାରିଥିଲେ । ମଢ଼କୁ ରକ୍ଷାକରିବାକୁ ଆଗରୁ କୌଣସି ବ୍ୟବସ୍ଥା ହୋଇନଥିଲା । ମଢ଼ଠୁ ପ୍ରାୟ ଚାଳିଶ ଗଜ ଦୂରରେ ଥାଏ ଗଛଟିଏ । ଆଲ୍‌ଫି ସେ ଗଛରେ ମଝିରାତିଯାଏ ଜଗିଲେ । ବାଘ ଆସିଲାନି ।

 

ତାପରେ ଆଉ କିଛି ଘଟିନି । ତେଣୁ ଏକାଦଶ ଦିନ ସକାଳୁ ଆମେ ଚାଲିଲୁ ବାଙ୍ଗାଲୋର୍ ପଥରେ ।

 

ଏ ଭିତରେ ଆଉ କିଛି ସମୟ ବହିଗଲା । ଥରେ ଅନ୍ଧାର ରାତି ହୋଇଥାଏ । ଦଳେ କାର୍ ଶିକାରୀ ଲିଙ୍ଗାଧାଲ୍ଲୀରୁ ବିରୁର୍ ରାସ୍ତାରେ ଗାଡ଼ି ଚଳାଇ ଯାଉଥିଲେ । କାର୍ ଶିକାରୀ କଥାଟା ବୁଝାଇଦିଏ । ଏ ଶିକାରୀମାନେ କାର୍‌ରୁ ସ୍ପଟ୍‌ଲାଇଟ୍ ବ୍ୟବହାର କରି ଗୁଳିଚଳାନ୍ତି । କାର୍‌ରୁ ସାଧାରଣତଃ ତଳକୁ ଓହ୍ଲାଇ ସେମାନେ ଶିକାର କରନ୍ତି ନାହିଁ । ପଶୁ ଡଗରାଇବା, ବଡ଼ ବଡ଼ ଜନ୍ତୁ ଶିକାର କରିବାର କୌଶଳ, ଜଙ୍ଗଲର ଶୋଭା, ପ୍ରକୃତିମାତାର ଆକର୍ଷଣ ଆଦି କଥା ସେମାନେ କିଛି ଜାଣନ୍ତି ନାହିଁ । ସେସବୁ ଜାଣିବାକୁ ବି ସେମାନଙ୍କର ସେମିତି କିଛି ଆଗ୍ରହ ନଥାଏ । ସେମାନଙ୍କ ସିଲ୍‌ଡ଼୍ ବିମ୍‌ରୁ ସ୍ପଟ୍ ଲାଇଟ୍ ଫିଙ୍ଗି ରାସ୍ତାକଡ଼ର ଜଙ୍ଗଲକୁ ତୀବ୍ର ଆଲୁଅରେ ଉଛୁଳାଇଦେବା, ଯୋଉ ଆଖି ଖୋଜି ପାଇଲେ ତା ଉପରକୁ ଗୁଳି ଉପରେ ଗୁଳି ବର୍ଷା କରିବାରେ ସେମାନଙ୍କର ଆନନ୍ଦ । ସେମାନେ ଜନ୍ତୁଟା କଣ, ମାଈ କି ଅଣ୍ଡିରା, ଛୁଆ କି ବୁଢ଼ା କିଛି ବିଚାରନ୍ତି ନାଇଁ । ଶିକାରଟା ଗୋଟାଏ ମଉଜ । ସତେ ଯେମିତି ଗୁଡ଼ାଏ ଜନ୍ତୁଙ୍କୁ ମାରି ନଷ୍ଟ କରିଦେଲେ ବା ଖଣ୍ଡିଆ ଖାବରା କରିଦେଲେ ସେମାନଙ୍କ ଆନନ୍ଦର ଭଣ୍ଡାରଟା ପୂରିଯିବ ! ସତ କହିଲେ, ଏସବୁ ଆଇନବିରୋଧୀ କାମ । ମାତ୍ର ସେ ପ୍ରକାର କାମ ଘଟିଥାଏ ।

 

ଏମିତି ଏ ଦଳଟି ପ୍ରାୟ କିଛି ବାଟ ଗଲେ । ବିରୁର୍‌କୁ ଆଉ ଚାରିମାଇଲ ଥାଏ । ସେମାନେ ଦୁଇଟା ବଡ଼ ନିଆଁରଡ଼ ପରି ଦୁଇଟା ଆଖି ଦେଖିଲେ ।

 

ଧାଏଁ ଧାଏଁ ଦୁଇଟା ଗୁଳି ଛୁଟିଲା । ଗର୍ଜନ କରି ଡେଇଁପଡ଼ିଲା ଯେଉଁ ଜୀବଟି, ସେ ଥିଲା ଗୋଟାଏ ବାଘ । ତାର ତଳ ପାଟି ଉଡ଼ିଯାଇଥିଲା ଗୋଟାଏ ଗୁଳିରେ । ଆର ଗୁଳିଟି ଶୂନ୍ୟେ ଶୂନ୍ୟେ ଛୁଟିଥିଲା । ଜୀବଟାର କଣ ଘଟିଲା ସେ କଥା କାର୍ ଶିକାରୀମାନେ ଭାବିଲେ ନାହିଁ । ପରଦିନ ସେ ଜାଗାକୁ ଆସି ବିଚରା ଜୀବଟିକୁ ଏ ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ସେମାନେ ଚେଷ୍ଟା କରି ନଥିଲେ । ବରଂ ସେ ରାତିରେ ଆହୁରି ଆଖି ଦେଖି ଶିକାର ପାଇଁ ସେମାନେ ଆଗେଇଥିଲେ ।

 

ଆହତ ବାଘଟି ପରବର୍ତ୍ତୀ ଦୁଇମାସକାଳ ଅକୁହା ଯନ୍ତ୍ରଣା ପାଇଥିବ । କିଛି ତ ଖାଇ ପାରି ନ ଥିବ–ତା ପରେ ଘାଆ ଭଲ ହୋଇଗଲା ପରେ ଅବସ୍ଥା ଦୟନୀୟ ହୋଇଉଠିଥିବ । ତା ଶିକାରକୁ ସେ ଧରି ପାରୁ ନଥିବ । ଏମିତିକି ଗାଈଗୋରୁ ମଧ୍ୟ ଧରି ପାରିନଥିବ । କି ବିକଳ ଅବସ୍ଥା-!

 

ଏମିତି ତିନିମାସ ଗଲା । ବଣରେ ଦଳେ ଛେଳି ଚରୁଥିଲେ । ସେଥିରୁ ଗୋଟାଏ ଛେଳି ଧରିବାକୁ ସେ ଚେଷ୍ଟା କଲା । ସେଥିପାଇଁ ସେ ବହୁତ ଛକାଛକି କରିଚି । ବହୁତ ସମୟ ଅପେକ୍ଷା କରିଚି । ସେ ପାଖରେ ମଣିଷଟାଏ ଅଛି ପରା ! ସେ ଛେଳିଆଳ । ସେ ଦେଖିଲେ ସବୁ ସଇଲା । ତାରି ଅଗୋଚରରେ ଛେଳିଟାକୁ ବୋହିନେବ । ବାଘ ମାଡ଼ି ବସିଚି ଛେଳିଟାଏ ଉପରେ । ଅଦୂରରେ ଥିଲା ଛେଳିଆଳ । ଖୁବ୍ ସାହସୀ ସେ । ଫିଙ୍ଗିଲା ତାର ଠେଙ୍ଗାକୁ । ବାଘର ଦିହରେ ବାଜିଲା ଠେଙ୍ଗାଟା । ବାଘ ରାଗିଲା । ଲେଉଟିପଡ଼ିଲା ସେ । ସେ ଆକ୍ରମଣକାରୀକୁ ଆଗ ଗୋଡ଼ ଦିଟାରେ ଚାପୋଡ଼ ପକାଇଲା । ହତଭାଗ୍ୟ ଲୋକଟିର ଖପୁରି ଉଡ଼ିଗଲା । ଲୋକଟି ବିକଳରେ ପାଟିକଲା । ଆଉ ଥରେ ଥାପଡ଼ ବାଜିଲା । ଅଣ୍ଡାର କେଶର ପରି ଲୋକଟିର ମୁଣ୍ଡର ଦହି ସବୁ ବିଂଛିହୋଇଗଲା ।

 

ସେଇଠି ସେଇ ମୁହୂର୍ତ୍ତରେ ତା’ ଜୀବନ ଶେଷ ହୋଇଗଲା । ଏବେ ବାଘର ଆଗରେ ଦୁଇଦୁଇଟା ମଢ଼–ଗୋଟାଏ ଛେଳି–ଗୋଟାଏ ମଣିଷ । ବାଘ କାହାକୁ ଖାଇବ ! ମଣିଷର ଶବକୁ ଖାଇବାରେ ସେ କୁଣ୍ଠିତ ହେଇଚି । ମାତ୍ର ତା’ର ଖପୁରି ଫାଟି ଯୋଉ ରକ୍ତ ବହିଆସୁଚି ତା’କୁ ଚାଟିଚି ସେ । ତା’ ପରେ ସେ ଯାଇଚି ଛେଳିପାଖକୁ । ଧରିଚି ଛେଳିର ବେକ । ବୋହି ନେଇଚି ଜଙ୍ଗଲ ଆଡ଼କୁ । ମାତ୍ର କିଛି ଦୂର ଯିବା ପରେ ସେ ଛେଳିର ମଢ଼କୁ ପକାଇଦେଇଚି–ଫେରିଆସିଚି ଛେଳିଆଳ ପାଖକୁ । ତା’ କାନ୍ଧ ଧରି ସେ ଜଙ୍ଗଲ ଗର୍ଭକୁ ପଳାଇଚି । ବୋଧହୁଏ ସେ ତୁଳନା କରିନେଲା ଛେଳି ଓ ଛେଳିଆଳ ଭିତରେ କାହାର ମାଂସ ଓ ରକ୍ତ ଅଧିକ ସୁଆଦିଆ ।

 

ଏଇପରି ଜନ୍ମନେଲା ୟେମ୍ମାୟଦୋଦ୍‌ଦିର ମଣିଷଖିଆ ବାଘ । ତା’ର ଭୟରେ ଦିନେ ସମସ୍ତେ ଭୀତତ୍ରସ୍ତ ହେଲେ । ଏଇପରି ଏକ ଭୟର ଅଧ୍ୟାୟ ଆରମ୍ଭହେଲା । ତା’ ପରେ ୨୫୦ ବର୍ଗମାଇଲ ମଧ୍ୟରେ ମୃତ୍ୟୁର ଲୀଳା ଚାଲିଲା । ବିରୁର୍ ଲିଙ୍ଗାଧାଲ୍ଲିଠାରୁ ଉତ୍ତରରେ ଭାଗବଦକାଟେ ଯାଏ, ପଶ୍ଚିମରେ ସାନ୍ତାଭେରି ପାରିହେଇ ବାବାବୁଦାନ ପର୍ବତମାଳା ଯାଏ–ପୁଣି ଦକ୍ଷିଣରେ ଆଇରନ୍‌କେରେ ହ୍ରଦ ପାରିହେଇ ସାକ୍ରେପାଟନା ପର୍ଯ୍ୟନ୍ତ ଏ ଅଞ୍ଚଳ ପରିବ୍ୟାପ୍ତ ।

 

ବାଘଦ୍ୱାରା ନରହତ୍ୟା ସଂଖ୍ୟା ଭୟାନକ ଭାବରେ ଏଇ ଅଞ୍ଚଳରେ ବଢ଼ିଚାଲିଲା । ପୁଣି ଏ ହତ୍ୟା ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟକ୍ରମରେ ଘଟିଚାଲିଲା । ସବୁ କ୍ଷେତ୍ରରେ ବାଘର ଆଗ ଗୋଡ଼ର ଆକ୍ରମଣ । କୋଉଠି କାମୁଡ଼ାରେ ମୃତ୍ୟୁ ଘଟିନି । ବିଭିନ୍ନ ମଡ଼ାକୁ ପରୀକ୍ଷାକରି ଦେଖାଗଲା ବାଘ କୌଣସିଠାରେ ତାର ମୁହଁର ତଳପାଟି ବ୍ୟବହାର କରିପାରିନି । ମାରିଦେଇ ଦ୍ଵିତୀୟବାର ନରଭୋଜୀ ବାଘ ଲେଉଟି ଆସିନି । ସବୁ କ୍ଷେତ୍ରରେ ପାଟିର ଉପର ମାଢ଼ିରେ ଏକ ବିଚିତ୍ର ଭାବରେ ରେଗେଡ଼ି ମାଂସ ଖାଇବାର କୌଶଳ ।

 

ଏ ନରଭୋଜୀ ଦେଖାଦେବା ପରେ ପରେ ଆଉ ଗୋଟିଏ କଥା ଘଟିଲା । ଯୋଉ ବାଘ ୟେମ୍ମାୟଦୋଦ୍ଦି ଓ ଲିଙ୍ଗାଧାଲ୍ଲି ଅଞ୍ଚଳରେ ଗୋରୁ ମାରୁଥିଲା, ତା’ର କାର୍ଯ୍ୟକଳାପ ହଠାତ୍ କରି ବନ୍ଦହୋଇଗଲା; ଅର୍ଥାତ୍ ଗୋରୁ ମାରିବା ବନ୍ଦ । ଏଥିରୁ ଗୋଟିଏ ସିଦ୍ଧାନ୍ତ ହେଲା–ଯେଉଁ ବାଘ ଗୋରୁ ମାରୁଥିଲା, ସେ ବାଘ ମଣିଷମାରୁ ପାଲଟିଯାଇଚି । କାର୍ ଶିକାରୀ–ମାନଙ୍କ କଥା ଅନେକ ଦିନ ଯାଏ ଅଜ୍ଞାତ ରହିଥାଏ । ଦିନେ ସେ ଦଳର ଜଣେ ଲୋକ ନିଜର ବାହାଦୂରି ବଖାଣିବା ଛଳରେ କହିଲା ଯେ ସେମାନେ ବିରୁର ଲିଙ୍ଗାଧାଲ୍ଲି ଅଞ୍ଚଳରେ ଗୋଟାଏ ବାଘକୁ ଗୁଳିମାରି ଘାଇଲା କରି ଛାଡ଼ିଦେଇଛନ୍ତି । ଉପରେ ଯେଉଁ ଘଟଣାବଳୀ ବର୍ଣ୍ଣନା କରାଯାଇଚି, ତାହାସବୁ ପରବର୍ତ୍ତୀ କାଳରେ ଜଣାପଡ଼ିଥିଲା ।

 

କହିଚି ତ ନରଭୋଜୀ ଏ ବାଘଟା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ନିୟମିତ ଭାବରେ ଶିକାର କରୁଥାଏ । ଯେଉଁ ଜାଗାଗୁଡ଼ିକର ନାଁ କହିଚି, ସେଇ ଅଞ୍ଚଳର ପାଖାପାଖି ସେ ମଣିଷ ମାରୁଥାଏ । ଖବରକାଗଜରୁ ଏ ବାଘର ମଣିଷ ମାରିବା ଘଟଣା, ତାରିଖ, ବ୍ୟବହାର ଆଦି ସଂଗ୍ରହ କଲି । ଜାଣିଲି ଏହାର ଶିକାରକ୍ଷେତ୍ର ନିର୍ଦ୍ଦିଷ୍ଟ ଏବଂ ଚଳପ୍ରଚଳର ବାଟ ମଧ୍ୟ ନିର୍ଦ୍ଦିଷ୍ଟ ।

 

ସେ ପାଖରେ ହୋଗାରଖାଁ ପର୍ବତ । ଏହାର ଉଚ୍ଚତା ପ୍ରାୟ ୪,୫୦୦ ଫୁଟ । ଏ ପର୍ବତକୁ ଲାଗି ଅନେକ ପାହାଡ଼ । ସେଇ ପର୍ବତକୁ କେନ୍ଦ୍ର କରି ବାଘର ଶିକାର କ୍ଷେତ୍ର ବିସ୍ତୃତ । ଏ ଅଞ୍ଚଳ ଘୋର ଜଙ୍ଗଲପୂର୍ଣ୍ଣ । ଲୋକବସତି ପ୍ରାୟ ନାଇଁ । ତେଣୁ ଠିକ୍ କଲି, ଏଇ ପାହାଡ଼ ଅଞ୍ଚଳରେ ବାଘ ରହୁଥିବ । ବାଘ ବିଷୟରେ ଆହୁରି ଖବର ପାଇଲି । ଏ ଅଞ୍ଚଳରେ ବାଘର ଗର୍ଜନ ଶୁଭେ । ପ୍ରତି ତିନିଚାରି ମାସରେ ବାଘ ତା’ ନିର୍ଦ୍ଦିଷ୍ଟ ଦାଣ୍ଡିରେ ଯାଏ, ନିର୍ଦ୍ଦିଷ୍ଟ ସ୍ଥାନକୁ ଲେଉଟିଆସେ । ଏ ଭିତରେ ସେ ସତେଇଶ ଜଣ ମଣିଷଙ୍କୁ ମାରି ସାରିଥାଏ ।

 

ଏସବୁ ଖବର ସଂଗ୍ରହ ପରେ ମୁଁ ବାଘଟାକୁ ମାରିବା କଥା ହାତକୁ ନେଲି । ସେଥିପାଇଁ ମୁଁ ହୋଗାରହାଲ୍ଲି ଗାଁକୁ ବାଛିଥାଏ । ଏ ଗାଁଟି ହୋଗାର ଖାଁ ଚୂଡ଼ାଠୁଁ ମାତ୍ର ସାଢ଼େ ତିନି ମାଇଲ୍ ଦୂର-। ପାହାଡ଼ର ଗଡ଼ାଣିଆ ପାଦଦେଶରେ ଗାଁଟି; ବିରୁର ଓ ଲିଙ୍ଗାଧାଲ୍ଲିର ମଝାମଝି ଜାଗାରେ ଅବସ୍ଥିତ-। ତା’ ଛଡ଼ା ଏ ଅଞ୍ଚଳ ଗୋଟାକଯାକ ମୋର ଖୁବ୍ ପରିଚିତ । ଏ ପାଖର ଲୋକେ ମୋତେ ଭଲଭାବେ ଜାଣନ୍ତି । ସେମାନେ ମୋ କାମରେ ସାହାଯ୍ୟ କରିବାର ପୂରା ଆଶା ଥାଏ । ମୋ ବିଚାର ଅନୁସାରେ ହୋଗାରଖାଁ ପାହାଡ଼ଟା ବାଘର ଘର ହେଲେ, ଏଇ ଗାଁଠୁଁ ବଳି ଭଲ ଜାଗା ଆଉ କୋଉଠି ମିଳିବ ? ସବୁଠୁ ବଡ଼ କଥା ଥିଲା, ଏ ଗାଁରୁ ବାଘ ପ୍ରତି ତିନିଚାରି ମାସରେ ଜଣକୁ ମାରିଥାଏ । କହିବାକୁ ଗଲେ, ଏଠି ନରଭୋଜୀ ବାଘଟା ସହ ମୁଲାକାତ ହେବାର ବହୁ ସମ୍ଭାବନା ଥାଏ ।

 

ମନେ ମନେ ବାଘର ଶିକାର ସମୟକୁ ହିସାବ କଲି । ତା’ର ତିନିମାସିଆ ହତ୍ୟା ଯୋଜନା ଅନୁସାରେ ପ୍ରାୟ ପନ୍ଦର ଦିନ ସମୟ ହାତରେ ଥାଏ । ମୁଁ ସେ ଗାଁରେ ପହଞ୍ଚି ଗଲି । ଏ ସମୟ ଭିତରେ ଗାଁଲୋକଙ୍କ ସହ ଅଧିକ ବନ୍ଧୁତା ଜମାଇନେଲି । ବାଘର ମଣିଷ ମାରିବା ସମ୍ପର୍କରେ ଆହୁରି ଅଧିକ ଖବର ଅନ୍ତର ସଂଗ୍ରହ କରିନେଲି ।

 

ଗାଁଟା ବେଶ୍ ବଡ଼ । ଲୋକସଂଖ୍ୟା ସେମିତି ବେଶି ଅବଶ୍ୟ ନୁହେଁ । ଘରଗୁଡ଼ିକ ସ୍ଥାୟୀ ପ୍ରକୃତିର । ଏ ପାଖରେ ବହୁତ ନାଲି ପଥର ମିଳେ । ସେଇ ନାଲି ପଥରରେ ଘରଗୁଡ଼ିକ ତିଆରି । ଏ ପଥରଗୁଡ଼ିକ ଏଣେତେଣେ ବହୁ ପରିମାଣରେ ପଡ଼ିଥାଏ । ହାତ ପାପୁଲି ଆକାରର ପଥରଠାରୁ ଆରମ୍ଭକରି ବଡ଼ ବଡ଼ ଖଣ୍ଡ ପଥର ମିଳେ । ହୋଗାରହାଲ୍ଲି ପୁଣି ଏକ ପୁରୁଣା ଗାଁ । ଏଠି ଦୁଇଟି ପୁରୁଣା ମନ୍ଦିର ଅଛି । ଏ ମନ୍ଦିରଗୁଡ଼ିକ ଖୁବ୍ ମଜଭୁତ ଭାବରେ ତିଆରି । ଏ ଗାଁର ପଶ୍ଚିମ, ଦକ୍ଷିଣ–ପଶ୍ଚିମ ଓ ଉତ୍ତର–ପଶ୍ଚିମରେ ଘନ ବୁଦା ଅରଣ୍ୟ । ଏ ଅରଣ୍ୟ ହୋଗାରଖାଁକୁ ଲାଗିଚି । ଦକ୍ଷିଣରେ ଗୋଟିଏ ସୁନ୍ଦର ବଡ଼ ହ୍ରଦ । ସେ ହ୍ରଦରେ ଶୀତଦିନେ ହଂସ ହଂସରାଳି ଓ ଅନ୍ୟାନ୍ୟ ପକ୍ଷୀ ବହୁ ସଂଖ୍ୟାରେ ଦେଖାଯାଆନ୍ତି । ଏହାର ଦକ୍ଷିଣକୁ ଗୋଟାଏ ରାସ୍ତା । ରାସ୍ତାଟା ଯାଇଚି ୟେମ୍ମାୟଦୋଦ୍‌ଦି ନାଳକୁ । ରାସ୍ତାର ଦୈର୍ଘ୍ୟ ପ୍ରାୟ ତିନି ମାଇଲ । ଦକ୍ଷିଣପୂର୍ବକୁ ଘନ ନଡ଼ିଆ ଓ କଦଳୀ ବଣ । ମଝିରେ ମଝିରେ ଅନେକ ଗୁଆଗଛ । ଆଉ ଏ ଗଛଗୁଡ଼ିକ ତଳେ ପାନବରଜ । ଭାରତରେ ଲୋକେ ବହୁତ ପାନପତ୍ର ଖାଆନ୍ତି । ଏ ମାଟି ଖୁବ୍ ଆଦ୍ର । ଗାଁକୁ ନାଳ ଦ୍ଵାରା ଜଳସେଚନ କରାଯାଏ । ହୋଗାରହାଲ୍ଲିର ଦକ୍ଷିଣରେ କେତେକ ଧାନକ୍ଷେତ । ଦକ୍ଷିଣପୂର୍ବ ଓ ପୂର୍ବ ଆଡ଼େ ତଇଳା ଜମି । ଉତ୍ତରରେ ମଧ୍ୟ ତଇଳା । କେବଳ ବର୍ଷାଦିନେ ଏଗୁଡ଼ିକରେ ଫସଲ ହୁଏ । ଏ ତଇଳା ଜମି ବିରୁର–ଲିଙ୍ଗାଧାଲ୍ଲି ରାସ୍ତାରେ ପ୍ରାୟ ଦେଢ଼ ମାଇଲ ଯାଏ ବିସ୍ତୃତ ।

 

ଆପଣ ଏବେ ଜାଣିପାରୁ ଥିବେ ଯେ ପଶ୍ଚିମ, ଦକ୍ଷିଣ–ପଶ୍ଚିମ ଓ ଉତ୍ତର–ପଶ୍ଚିମର ସେଇ ବୁଦାବଣ ଭିତରେ ହିଁ ବାଘ ବହୁ ସଂଖ୍ୟାରେ ମଣିଷ ମାରିଥିବ । ପ୍ରକୃତ ତାହା ହିଁ ଘଟିଥିଲା । ଆଉ ନଡ଼ିଆ ବଣର ମଝାମଝି ଜାଗାରେ ଦୁଇଟା ହତ୍ୟା ହୋଇଥାଏ । ଏ ନଡ଼ିଆ ବଗିଚାରେ ମାଲିକର ଜଣେ ଭାଇକି ବାଘ ଏଇଠି ମାରିଥାଏ । ବାଘ ଅଧିକ ଖୋଲା ଜାଗାକୁ ଯାଇନି । ଅଧିକାଂଶ କ୍ଷେତ୍ରରେ ବାଘଟା ଅପରାହ୍‌ଣ ଓ ସନ୍ଧ୍ୟା ଭିତରେ ମଣିଷ ମାରିଥାଏ । ବାଘ ମାତିବା ପରେ ଲୋକ ବେଗି ବେଗି ଘରକୁ ଫେରିବାର ଅଭ୍ୟାସ କରିଥାନ୍ତି । ସୂର୍ଯ୍ୟ ବୁଡ଼ିଯିବା ଆଗରୁ ଘରକୁ ଲେଉଟନ୍ତି । ତେଣୁ ବାଘ ବି ତା’ ସମୟକୁ ସେଇ ଅନୁସାରେ ବାଗେଇ ନେଇଥାଏ । ଆଉ ଦେଖାଗଲା ଯେ, ସକାଳର ଭୋର ସମୟକୁ ବାଘ ଗାଁ ର ଏକଦମ୍ ପାଖାପାଖି ଆସେ । ଆମେ ତା’ର ଅନେକ ପାଦଚିହ୍ନ ଗାଁର ଏକଦମ୍ ପାଖରେ ଦେଖିଥିଲୁ । ଘରଗୁଡ଼ାକୁ ଖୁବ୍ ଟାଣୁଆ, ଆଉ କବାଟସବୁ କାଠର । ତେଣୁ ଘରଭିତରୁ ମଣିଷ ମାରିବା ତା’ ପାଇଁ ସମ୍ଭବ ହେଉନଥାଏ ।

 

ଏ ଅବସ୍ଥାରେ ବାଘ ମାରିବାକୁ କୌଣସି ନିର୍ଦ୍ଦିଷ୍ଟ କୌଶଳ ଖଞ୍ଜିବା ସହଜ ନୁହେଁ । ଜାଣିଥାଏ, ଥରେ ବାଘ ହୋଗାରହାଲ୍ଲିରେ ମଣିଷ ମାରିଲେ, ଆଉ ତିନି ଚାରି ମାସ ସେଠି ରହିବନି–ସେ ଜାଗା ଛାଡ଼ି ଆଉ କୋଉଠିକି ଚାଲିଯିବ । ତା’ ପରେ ସେ କୋଉଠିକି ଯିବ, କୋଉଠି ମଣିଷ ମାରିବ, ଆଗରୁ ସନ୍ଦେହ କରିବା ବା ଠିକ୍ କରିବା ମୋ’ ପକ୍ଷରେ ସମ୍ଭବ ହେବନି । ଏମିତି ଅବସ୍ଥାରେ କ’ଣ କରାଯିବ ? ମଣିଷକୁ ବେଟ୍ ବା ଥୋପ ରୂପେ ବ୍ୟବହାର କରାଯିବ–କିନ୍ତୁ କାହାକୁ ! ମୋତେ ! ଏ ଏକ ବିପପୂର୍ଣ୍ଣ ଯୋଜନା । ମାତ୍ର ମୋ ଆଗରେ ଆଉ କୌଣସି ବାଟ ନଥାଏ । ତେବେ ମୁଁ ନିଜରୁ ବାଘର ଥୋପ ବା ବେଟ୍ ରୂପ ଅର୍ପଣ କରିବି ! ଦେଖେ, ମୋର କୌଶଳଟା କେତେ ଦୂର ସଫଳ ହେଉଛି !

 

ହୋଗାହାଲ୍ଲିରେ ପହଞ୍ଚିବାର ସାତ ଦିନ ହୋଇଗଲା । ଏ ସାତଦିନ କାଳ ଖାଲି ମୁଁ ଏଇସବୁ ସମ୍ବାଦ ସଂଗ୍ରହ କରିବାରେ କଟାଇଲି । କୋଉଠି ମଣିଷଗୁଡ଼ିକୁ ବାଘ ଧରିଚି, କେମିତି ଧରିଚି ଆଦି ଖବରଗୁଡ଼ିକ ମୋ ପାଇଁ ଖୁବ୍ ଦରକାରୀ ଯେ ! ଆଉ ସାତ ଆଠଦିନ ଭିତରେ ନରଖାଦକ ଏ ଗାଁ ଆଡ଼କୁ ଆସୁଛି । ସମୟ ପାଖେଇ ଆସୁଛି । ଯାହା କରିବାର ଶୀଘ୍ର କରିବାକୁ ହେବ । ସେଇ ସୈତାନ ? ଜାଣି ହେଉନି ତ ! ପ୍ରଶ୍ନର ଉତ୍ତର ମିଳୁନି । ମୁଁ ଜୋର୍‌ରେ ଠକ୍ ଠକ୍ କରୁଥାଏ । ଭାବୁଥାଏ ବାଘ କାଠୁରିଆ ବୋଲି ଭାବିନେବ । ମାତ୍ର ରାତ୍ରି ଅଧରେ ଏ ଅଦଭୁତ କାଠକଟାଳି...ଶୂନ୍‌ଶାନ୍‌ ଜଙ୍ଗଲ ଭିତରେ ! ବାଘଟା ସନ୍ଦେହ କରିବନି ତ !

 

କେତେଟି ମିନିଟ୍ ଚାଲିଗଲା । ତା’ ପରେ ଗୋଟାଏ ଶମ୍ଭର ଡାକ ଛାଡ଼ିଲା–ପ୍ରାୟ ଅଧ ମାଇଲ ଦୂରରେ ପଙ୍କ୍... ହିଙ୍କ୍... ହିଙ୍କ୍ । ହୋଗାରଖାଁ ଆଡ଼କୁ ପଳାଇ ଯାଉ ଯାଉ ଶମ୍ଭର ସତର୍କ କରୁଥାଏ ।

 

ତା’ ପରେ ନୀରବତା । ମରଣାତ୍ମକ ଶୂନ୍‌ଶାନ୍ ! ସେମିତି ଠକ୍ ଠକ୍ ଚାଲିବ । ଅର୍ଦ୍ଧ ଚନ୍ଦ୍ର ତଳେ ବଣଟା ଝାପ୍‌ସା ଦିଶୁଛି । ଆଖି ଯୋଉ ଯାଏ ପାଉଚି–ସବୁଆଡ଼କୁ ମୁଁ ନିରେଖି ଦେଖିଚି–ପରୀକ୍ଷା କରୁଚି–ଏଇ ଗଛକୁ ଲକ୍ଷ୍ୟକରି ବାଘ କୋଉ କୋଉ ବାଟରେ ଆସିପାରେ । ସବୁ ବାଟକୁ ମୁଁ ପରଖି ନେଉଛି । ସବୁ ଗଛ, ଲତା, ବୁଦା ଦେଖି ସାରିଲିଣି–କିଛି କୋଉଠି ନାଇଁ । ଦୂରରେ ଖାଲି ଶୁଭୁଚି ପଳାତନ ଶମ୍ବରର ଡାକ–ପାଙ୍କ୍...’

 

ଏଥର ବେଳ ଆସିଗଲା । ସେ କୌଣସି ମୁହୂର୍ତ୍ତରେ କ’ଣ ନା କ’ଣ ଘଟିଯାଇପାରେ । ମୋର ଗୋଟାଏ ଅଜବ୍ ଧାରଣା ହେଲା–ବୋଧହୁଏ ମୋତେ ସେ ଜଗିରହିଚି । ମୋ’ ଉପରେ ଆଖି ପକାଇଚି–ହେଲେ, ପତ୍ରଟିଏ ଖୁଡ଼୍ ଖାଡ଼୍ କରୁନି । କୌଣସି ସୋର୍–ଶବ୍ଦ ନାଇଁ । ଚତୁର୍ଦ୍ଦିଗରେ ଅସହ୍ୟ ଶୂନ୍‌ଶାନ୍ ଅସହ୍ୟ ନୀରବତା । ଠକ୍ ଠକ୍ ଜୋର୍ ରେ କଲି । କାଶିଲି । ହଲ୍‌ଚଲ୍ ହେଲି । ମୋ’ ଜାଗାରେ ଠିଆହେଲି । ଛେପ ପଚ୍ ପଚ୍ କରି ଛାଟିଲି । ତଥାପି ସୋର–ଶବ୍‌ଦ କିଛି ନାହିଁ । ...ହଠାତ୍ ଛିଣ୍ଡି ପଡ଼ିଲାଭଳି ସେ ମାଡ଼ି ପଡ଼ିଲା ।

 

‘ଉଫ୍ ! ଉଫ୍ !’ ସେ ଗର୍ଜି ଉଠିଲା । ବିଜୁଳିଗତିରେ ଗଛଠୁ ପ୍ରାୟେ ଦଶଫୁଟ ଦୂରରେ ଗୋଟାଏ ବୁଦାର ଆଢ଼ୁଆଳରୁ ଗୋଟାଏ ବିରାଟ ଧୂସର ଦେହ ଡେଇଁପଡ଼ିଲା–ମାଡ଼ିଆସିଲା ସେଇ ଗଛ ମୂଳକୁ ।

 

ଠିକ୍ ମୋ’ ଜାଗାରେ ତଳେ ପ୍ରାୟ ତିନିଗଜ ଦୂରରେ ଦେଖାଗଲା ଗୋଟାଏ ବିରାଟ ମୁଣ୍ଡ । ମୁଁ ତଳକୁ ଲକ୍ଷ୍ୟ କରି ଟର୍ଚ୍ଚର ସୁଇଚ୍ ଚିପିଲି । ତା’ର ଦୁଇଟା ଜଳୁଥିବା ଆଖିର ମଝିକୁ ଲକ୍ଷ୍ୟ କରି ଗୁଳି ଚଳାଇଲି । ରାଇଫଲ୍‌ର ରୁଦ୍ର ବିସ୍ଫୋରଣ ସଙ୍ଗେ ସଙ୍ଗେ ବାଘଟା ପଛକୁ ଓଲିଟିପଡ଼ିଲା । ଗୋଟାଏ ଭୟଙ୍କର ଛାତିଫଟା ଗର୍ଜନ ତା’ର ବଣଭୂଇଁକି ଥରହର କରିଦେଲା । ମୁଁ ଦ୍ଵିତୀୟ ଗୁଳି ଚଳାଇଲି । ଆଉ ଗୋଟାଏ ଗର୍ଜନ କରି ଏ ଗୁଳିକି ସେ ସ୍ଵୀକାର କଲା । ପ୍ରାୟ ଶହେଗଜ ଦୂରରେ ବୁଦାଗହଳରେ ମୁଁ ଶୁଣିଲି... ଓର୍ ରଫ୍ ! ତା’ ପରେ ସଂପୂର୍ଣ୍ଣ ଶୂନଶାନ୍ ।

 

ଜାଣିଲି, ମୋର କୌଣସି ଗୁଳି ବ୍ୟର୍ଥ ଯାଇନି । ମାତ୍ର ମୋର ଦ୍ୱିତୀୟ ଗୁଳିରେ ବି ଜନ୍ତୁଟା ମଲାନି !! ଏଥିରେ ମୁଁ ନିଜକୁ ଅଭିଶାପ ଦେଉଥାଏ । ମାତ୍ର ବଡ଼ ଭୀଷଣ ଭାବରେ ଜନ୍ତୁଟା ଆହତ ହୋଇଚି । ସେ ବେଶି ବାଟ ଯାଇ ପାରିବନି । ରାତିର ବାକି ଭାଗ ପାଇଁ ମୁଁ ସେଇଠି ରହି ଘୁମାଇବାରେ ଲାଗିଲି । ସକାଳ ହେଲା । ଗଛରୁ ଡେଇଁ ପଡ଼ିଲି । ଦଉଡ଼ିଲି ହୋଗାରହୋଲ୍ଲି । ଖଣ୍ଡିଆ ବାଘଟାକୁ କେମିତି ବାହାର କରିବି ତ !

 

ମୁଦଲାଗିରି ଗୌଡ଼ ବଡ଼ କାମିକା ଲୋକ । ସେ ଲୋକଙ୍କୁ ଜମାକଲେ । ଏ ଭିତରେ ମୁଁ ଟିକେ ଶୋଇନେଲି । ଶୋଇବାରୁ ଉଠି ଗରମ ଚା’, ସେକା ପାଉଁରୋଟି ଓ ମାଂସ କିଛି ପେଟରେ ପକାଇଲି । ଜଣେ ଲୋକଙ୍କର ବଡ଼ ଭେଳିଏ ମଇଁଷି ଥାଆନ୍ତି । ତାଙ୍କୁ କହିଲି, “ସେଇ ଜଙ୍ଗଲରେ ମଇଁଷି ପୂରେଇବ । ଖଣ୍ଡିଆ ବାଘଟା କୋଉଠି ଲୁଚିଚି, ଆମେ ଜାଣି ପାରିବୁ ।”

 

ଦିନ ନଅ । ମୋ ଗଛକୁ ଫେରିଥାଏ । ସାଙ୍ଗରେ ମୁଦଲାଗିରି, ଆଉ ଦୁଇଜଣ ଭେଣ୍ଡିଆ, ପନ୍ଦରଟି ମଇଁଷି ଓ ମଇଁଷିମାନଙ୍କ ମାଲିକ । ପ୍ରଥମେ ଗଛର ଟିପ ଆଡ଼କୁ ଚଢ଼ିଲି–ବାଘଟା କୋଉଠି ଅଛି ଜାଣିହେବ ପରା ! କିଛି ଦେଖି ହେଲାନି । ଗଛର ମୂଳରେ ରକ୍ତର ଅନେକ ଛିଟା । ମୋ’ ଗୁଳି ତା’ ମୁଣ୍ଡ ବା ମୁହଁ କଣା କରିଚି । ସେଥିରୁ ରକ୍ତ ଛିଟିକିଚି । ବୁଦା ସେପାଖେ ବହୁତ ରକ୍ତ-। ପ୍ରଥମ ଥର ଗୁଳି ଖାଇ ବାଘଟା ଏଇଠିକି ପଳାଇଯାଇଥିଲା । ପ୍ରମାଣ ମିଳିଲା, ମୋ ଦିତୀୟ ଗୁଳି ବି ତା’ ଦିହରେ ବାଜିଚି ।

 

ବାଘ ଯୋଉ ଦିଗକୁ ପଳାଇ ଯାଇଥିଲା, ସେ ଆଡ଼କୁ ଆମେ ମଇଁଷି ଗୁଡ଼ିକୁ ଅଡ଼େଇଲୁ-। ସେ ସମୟରେ ମଇଁଷି ଗୁଡ଼ିକୁ ଗୋଟିକ ପଛରେ ଗୋଟିଏ ନପଠେଇ, ଧାଡ଼ିକରି ଅଡ଼େଇ ନେଲୁ-। ମୁଁ ମଇଁଷିମାନଙ୍କ ପଛେ ପଛେ ଥାଏ । ମୋ’ ପଛରେ ଥାଆନ୍ତି ଦୁଇଜଣ ସାହାଯ୍ୟକାରୀ । ମୁଦଲାଗିରି ଏବଂ ମଇଁଷିର ମାଲିକ ଥାଆନ୍ତି ମୋର ସେଇ ଗଛ ମୂଳରେ ।

 

ଆମେ ପ୍ରାୟ ଦୁଇଶହ ଗଜଯାଏ ଆଗେଇଚୁ–ହଠାତ୍ ବାଘର ଗର୍ଜନ ଶୁଣିଲୁ । ଏ ସମୟରେ ମଇଁଷିମାନେ ଠିଆ ହୋଇଗଲେ । ସେମାନେ ମୁଣ୍ଡ ତଳକୁ କରି ଶିଙ୍ଗ ବ୍ୟବହାର କରିବାକୁ ପ୍ରସ୍ତୁତ ।

 

ମୋ’ ବାଁ ପାଖରେ ଥାଏ ଗଛଟିଏ । ମୋ’ ସାଙ୍ଗରେ ଥିବା ଜଣେ ସାହାଯ୍ୟକାରୀକୁ ଚୁପ୍ ଚୁପ୍ କହିଲି–ସେ ଗଛ ଚଢ଼ି ବାଘଟାକୁ ଦେଖିବାକୁ । ସେ ସଙ୍ଗେ ସଙ୍ଗେ ଗଛ ଚଢ଼ିଲା । ସେ ଠାରରେ କହିଲା ଯେ, ବାଘକୁ ଦେଖି ପାରୁନି । ଏ ଭିତରେ ଆଉ ଗୋଟାଏ କଥା ଘଟିଲା । ମଇଁଷି ଗୁଡ଼ିକ ଆଉ ଆଗେଇବାକୁ ପ୍ରସ୍ତୁତ ନୁହନ୍ତି । ସେମାନେ ପଛେଇବାକୁ ଆରମ୍ଭ କରିଦେଲେ । ଅମାନିଆ ମଇଁଷିମାନଙ୍କୁ ଆଗକୁ ନେବା ଏବେ ଅସମ୍ଭବ । ଯୋଉ ଲୋକଟି ଗଛ ଉପରେ ଥିଲା, ତା’କୁ ସେଠି ରହିବାକୁ କହିଲି । ମଇଁଷିମାନଙ୍କୁ ସେ ଅବସ୍ଥାରେ ବାଧ୍ୟହୋଇ ଛାଡ଼ିବାକୁ ହେଲା । ମୁଁ ଓ ଅନ୍ୟମାନେ ଧୀରେ ଧୀରେ ମୁଦ୍‌ଲାଗିରିଙ୍କ ପାଖକୁ ଗଲୁ । ତା’ଙ୍କୁ କହିଲି ଗାଁରୁ କୁକୁର ଆଣିବାକୁ–ସେମାନେ ବାଘକୁ ବାହାର କରିବାରେ ସାହାଯ୍ୟ କରି ପାରନ୍ତି । ଏ କାମ କରିବାକୁ ସେ ଗାଁକୁ ଗଲେ । ମାତ୍ର କୁକୁରମାନଙ୍କୁ ଆଣିବାରେ ତାଙ୍କୁ ପୁରା ଦେଢ଼ଘଣ୍ଟା ଲାଗିଲା । ସେ ଆଣିଲେ ମାତ୍ର ଦୁଇଟି ବୁଲା କୁକୁର । ଆମେ ଏ କୁକୁର ଗୁଡ଼ିକୁ ଲଗାଇ ଦେଲୁ ମଇଁଷିଙ୍କ ପିଛା । ମଇଁଷିମାନେ ଆଗେଇଲେ, ଆଉ ପଚିଶ ଗଜ ଗଲୁ । ହଠାତ୍ ବାଘ ଭୀଷଣ ଗର୍ଜନ କରିବାକୁ ଲାଗିଲା । ମଇଁଷି ଗୁଡ଼ିକ ପୁଣି ସ୍ଥିର ହୋଇ ଠିଆ ହେଲେ । କୁକୁର ଦୁଇଟି ଜୋର୍‌ରେ ଭୁକୁଥାଆନ୍ତି-

 

ସବା ଆଗରେ ଥାଆନ୍ତି ଯୋଡ଼ିଏ ମଇଁଷି । ମୁଁ ସେମାନଙ୍କ ପେଟ ତଳକୁ ପଳାଇଲି । ସେଇଠି ରହି ବାଘଟା କୋଉ ବୁଦା ତଳେ ଲୁଚିଚି ଦେଖିବାର ଚେଷ୍ଟା କଲି, ହେଲେ କିଛି ଦେଖି ହେଲାନି । ଭାବିଲି, ମଇଁଷି ଦୁଇଟିକୁ ଆଗକୁ ଠେଲେ । ତା’ ଭିତରୁ ଗୋଟାଏ ମଇଁଷି ମୋତେ ଆକ୍ରମଣ କରିବାକୁ ମାଡ଼ି ଆସିଲା । ଅଳ୍ପକେ ତା’ ମୁନିଆ ଶିଙ୍ଗ ମୁହଁରୁ ମୁଁ ବର୍ତ୍ତିଗଲି ।

 

ଏବେ ମୋ’ ଅବସ୍ଥା ସାଙ୍ଘାତିକ । ଆଗରେ ଗୋଟାଏ ଘାଇଲା ବାଘ–ଯେ କୌଣସି ମୁହୂର୍ତ୍ତରେ ବାଘଟା ମୋ’ ଉପରେ ଆକ୍ରମଣ କରିପାରେ । ମୋ’ ଚାରି ପାଖରେ ପଲେ ମଇଁଷି । ଏ ସବୁଗୁଡ଼ା ଭୀତତ୍ରସ୍ତ । ସେମାନେ ନିଜକୁ ରକ୍ଷା କରିବାକୁ ଗୋଜିଆ ଶିଙ୍ଗ ଗୁଡ଼ିକୁ ସଜାଇ ରଖିଛନ୍ତି । ବିରକ୍ତ ହେଲେ ସେମାନେ ବାଘକୁ ଆକ୍ରମଣ କରି ପାରନ୍ତି–ନାଇଁ, ମୋ’ ଆଡ଼କୁ ମଧ୍ୟ ଆକ୍ରମଣଟା ବୁଲିଯାଇପାରେ । ଗଛ ଉପରେ ଯୋଉ ଲୋକଟି ଥିଲା, ତା’କୁ ସଙ୍କେତ ଦେଲି । ସେ ଗଛରୁ ଓହ୍ଲାଇଲା । ଯୋଉ ଦିଗକୁ ଗର୍ଜନ ଶୁଭିଲା ସେଇ ଦିଗକୁ ଲକ୍ଷ୍ୟ କଲୁ । ଆମେ ତିନିଜଣ ସେ ଦିଗକୁ ପଥର ଫୋପାଡ଼ିଲୁ । ପଥର ଗୁଡ଼ାକ ମଇଁଷିମାନଙ୍କ ଉପର ଦେଇ ଫିଙ୍ଗୁଥାଉ । ଏଥିରେ ବାଘ ଖୁବ୍ ଗର୍ଜନ କରିବାକୁ ଲାଗିଲା–ମାତ୍ର ଯେତେହେଲେ ବି ସେଠାରୁ ବାଘ ବାହାରିଲାନି । ସେଠାରୁ ବାଘଟା ପଳାଇବାର ଚେଷ୍ଟା ବି କଲାନି । ଆମେ ଜାଣିଲୁ, ବାଘଟାର ଅବସ୍ଥା ଖୁବ୍ ଖରାପ–ସେଇଥିପାଇଁ ସେ ଆଗକୁ ପଛକୁ ହେଇ ପାରୁନି ।

 

ଆହୁରି ପଥର ଫିଙ୍ଗିଲୁ । କିଛି ଫଳ ହେଲାନି । ମୋ’ ସାଙ୍ଗରେ ଥିବା ଲୋକ ଦି’ଜଣକୁ ପଛକୁ ଯିବାକୁ ଇଙ୍ଗିତ ଦେଲି । ମଇଁଷି ଗୁଡ଼ିକ ଯୋଉଠି ଥିଲେ, ସେଇଠି ଥାଆନ୍ତି । ସାଙ୍ଗରେ ଦୁଇଟି କୁକୁରଙ୍କୁ ନେଲି । ଆମେ ତିନିଜଣ ଓ କୁକୁର ଦୁଇଟି ଜଙ୍ଗଲର ସେ ପାଖକୁ ଗଲୁ । ଏଥର ବାଘର ପଛ ପାଖକୁ ଆସିଲୁ । ଏମିତି ଭାବରେ ଆଗକୁ ଆଉ ତିନିଶହ ଗଜ ଅଧିକ ବୁଲିବାକୁ ହେଲା । ମୋ’ ସାଥିରେ ଥିବା ସାହାଯ୍ୟକାରୀ ଦି’ଜଣ ମୋ’ କଥା ମାନି ଚଳୁଥାଆନ୍ତି । ପ୍ରତି ଗଛ ଚଢ଼ି ସେମାନେ ବାଘଟାକୁ ଠାବ କରିବାର ଚେଷ୍ଟା ଚଳାଇ ଥାଆନ୍ତି । ଏମିତି ଭାବରେ ଆମେ ଆହୁରି ଦୁଇଶ ଗଜ ଆଗେଇଲୁ । ସେ ସମୟରେ ମୋ’ ସାହାଯ୍ୟକାରୀମାନଙ୍କ ମଧ୍ୟରୁ ଜଣେ ଗଛ ଉପରେ ଥାଇ ମୋତେ ଠାରିଲା । ତା’ ପରେ ଓହ୍ଲାଇ ମୋତେ ଜଣାଇଲା ଯେ ଗୋଟାଏ ଧଳା ଓ ବାଦାମୀ ରଙ୍ଗର କ’ଣଟାଏ ସେ ଦେଖିଚି । ସେଇଟା ବାଘ ହେଇପାରେ । ସେ ଜାଗାରୁ ପ୍ରାୟ ପଚାଶ ଗଜ ଦୂରରେ ଗୋଟାଏ ବୁଦା ମୂଳରେ ବାଘଟା ଅଛି ।

 

ତା’ ସହିତ ଗଛକୁ ଉଠିଲି । ସେ ଗୋଟାଏ ଖୁଣ୍ଟା ଆଡ଼କୁ ଠାରିଲା । ମୁଁ ପହିଲେ କିଛି ଦେଖିପାରିଲିନି । ତା’ପରେ ସେ ଖୁଣ୍ଟାର ଆରପାରିରେ ଗୋଟାଏ ଧଳା ଓ ବାଦାମି ଜିନିଷକୁ ଦେଖିଲି । ଜିନିଷଟା ବଡ଼ ଅସ୍ପଷ୍ଟ ଦେଖାଯାଉଥାଏ । ସେ ଜିନିଷଟାକୁ ଲକ୍ଷ୍ୟ କରି ଗୁଳିକଲି । ବାଘ ଆମର ଉପସ୍ଥିତିକୁ ଠିକ୍ ଭାବେ ବୁଝିପାରିଲାନି । ସେ ମଇଁଷିମାନଙ୍କ ଆଡ଼କୁ ଆଗେଇଲା । ବାରମ୍ବାର ଗର୍ଜୁଥାଏ । ବାଘଟା ପାଖରେ ଥିବା ମଇଁଷିକୁ ଆକ୍ରମଣ କଲା । ସେ ମଇଁଷିଟା ଏ ପ୍ରକାର ଆକ୍ରମଣ ଲାଗି ପ୍ରସ୍ତୁତ ନଥିଲା । ତା ଉପରେ ଆକ୍ରମଣ ହେବ ବୋଲି ଭାବି ପାରିନଥିଲା । ବାଘଟା ସେ ମଇଁଷିର ଉପରେ ଚଢ଼ି ଆକ୍ରମଣ କରୁଥାଏ । ମଇଁଷିଟି କଷ୍ଟରେ ଛାଟିପିଟି ହେଉଥାଏ-। ଅନ୍ୟ ମଇଁଷିମାନେ ଶିଙ୍ଗ ଟେକି ବାଘକୁ ଆକ୍ରମଣ କରିବାକୁ ମାଡ଼ିଆସିଲେ । ମାତ୍ର ବାଘଟା ଭୀଷଣ ଗର୍ଜି ଗର୍ଜି ମଇଁଷିଟା ଉପରେ ବସିଥାଏ ।

 

ମୁଁ ଯୋଉଠି ବସିଥାଏ ସେଠୁ ସବୁ କଥା ପରିଷ୍କାର ଦିଶୁଥାଏ । ମାତ୍ର ମୁଁ ଆଉ ଗୁଳି ଚଳାଇବାକୁ ସାହସ କରିପାରୁନି । ଗୁଳି ବାଘଠି ନ ବାଜି ଯଦି ସେଇ ମଇଁଷି ଦେହରେ ବାଜେ ! ଆଉ ଯେଉଁ ମଇଁଷିମାନେ ବାଘକୁ ଆକ୍ରମଣ କରିବାକୁ ଘେରି ଆସୁଛନ୍ତି ସେ ଭିତରୁ ଗୋଟିକର ଦିହରେ ବି ବାଜିପାରେ ! ତା ହେଲେ ଗୋଟିଏ ଦୁଇଟି ନିରୀହ ଗୃହପାଳିତ ପଶୁଙ୍କର ଜୀବନ ଯିବ-

 

ସେ ଦିଗରୁ ମଇଁଷିମାନେ ଶିଙ୍ଗଟେକି ମାଡ଼ିଆସିଲେ । ସେମାନେ ସେଇ ଧଳା ଓ ବାଦାମୀ ଦେହଟା ଉପରେ ଶିଙ୍ଗ ଲଗାଇଦେଲେ । ବାଘ ଜାଣିଲା ତା ଉପରେ ବିପଦ ମାଡ଼ି ଆସୁଚି-। ସେ ମଇଁଷିଟିକୁ ଛାଡ଼ି ଡେଇଁପଡ଼ିଲା–ପ୍ରାୟ ପଚିଶ ଗଜ ଦୂରରେ ଗୋଟାଏ ବୁଦା ମୂଳେ ଲୁଚିଗଲା-। ମୁଁ ତାକୁ ଦେଖୁଥାଏ । ବାଘ ଲେପ୍‌ଟି ପଡ଼ିଥାଏ । ସେ ମଇଁଷିଗୁଡ଼ିକୁ ବାରମ୍ବାର ଚାହୁଁଥାଏ ଓ ଲକ୍ଷ୍ୟ କରୁଥାଏ । ତା ବାମକାନ୍ଧ ଉପରେ ଗୋଟାଏ ଗୁଳି ଛାଡ଼ିଲି । ସେଇଠି ବାଘଟି ନୀରବ ହେଇଗଲା । ଏମିତି ଭାବରେ ଗୋଟାଏ ନରଖାଦକର ଅତ୍ୟାଚାର କାହାଣୀ ଶେଷହେଲା-

 

ପରେ, ବାଘଟାକୁ ପରୀକ୍ଷା କଲି । ଦେଖିଲି, ରାତିର ପ୍ରଥମଗୁଳିଟା ବାଘର ଡାହାଣ ଗାଲକୁ ଫୁଟାଇଦେଇଚି–ଆଖିର ଡାହାଣକୁ ପ୍ରାୟ ଦୁଇଇଞ୍ଚ ତଳେ । ଗାଲର ମାଂସ ଚିରି ତା ହନୁହାଡ଼କୁ ଶେଷ କରି ଦେଇଚି । ମୋର ଦ୍ଵିତୀୟ ଗୁଳି ତା ପେଟବାଟେ ଗଳିଚି । ଏତେ ବଡ଼ କଣା ହେଇଚି ଯେ ଅନ୍ତନାଳୀ ବାହାରିଯାଇଚି । କାର୍ ଶିକାରୀମାନଙ୍କ ଗୁଳିରେ ତା ତଳ ମାଢ଼ି ଯାଇଥିଲା-। ଭଲହେଇଯାଇଥିଲା ଏ ଘାଆଟା କିନ୍ତୁ ବଡ଼ କଦର୍ଯ୍ୟ ହୋଇଯାଇଥିଲା ତା ତଳପାଟି । ସେଇଥିପାଇଁ ସେ କାମୁଡ଼ି ପାରୁ ନଥିଲା–ଆଉ ନରଭୋଜୀ ହେବାର ଏହାଇଁ ଥିଲା ପ୍ରଥମ କାରଣ-

 

ଆକ୍ରାନ୍ତ ମଇଁଷିଟିକୁ ସେ କାମୁଡ଼ି ନଥିଲା–ନଖରେ ଭୀଷଣ ଭାବେ ରାମ୍ପୁଡ଼ି ଦେଇଥିଲା-। ମଇଁଷି ମାଲିକକୁ ଯଥେଷ୍ଟ କ୍ଷତିପୂରଣ ଦେଲି । ସେ ସନ୍ତୁଷ୍ଟ ହୋଇଥିଲା । ମଇଁଷିମାନେ ଗାଈ ବଳଦଠୁଁ ଅଧିକ କଷ୍ଟସହିଷ୍ଣୁ । ପରେ ଏ ମଇଁଷିଟି ଭଲ ଦେଖିଲି, ଯୋଉମାନେ ବାଘର ଶିକାର ହେଇଚନ୍ତି, ସେମାନେ ସମସ୍ତେ କାଠୁରିଆ ଓ ଗାୟାଳ । ଗାଈଗୋରୁ ମଧ୍ୟରୁ ଗୋଟିଏ ବି ବାଘମୁହଁରେ ଯାଇନାହାନ୍ତି । ବାଘ ସେମାନଙ୍କ ମଧ୍ୟରୁ ଗୋଟିକୁ ବି ଆହତ କରିନି–ଅବଶ୍ୟ ଗୋଟାଏ ଚିତାବାଘ ପଟେ ଗାଈ ମାରିଥିଲା । ଏସବୁ ଭାବୁ ଭାବୁ ମୋ ମନକୁ ଗୋଟାଏ ବିଚିତ୍ର ଖିଆଲ୍‌ ଆସିଲା । ଏଥିପାଇଁ ମୁଁ ନିଜକୁ ମନେ ମନେ ପ୍ରଶଂସା କଲି । ଭାବିଲି, ଏମିତି ଚିନ୍ତାର ଜନକ ଜଣେ ଖୁବ୍ ବୁଦ୍ଧିଆ ଲୋକ । ପଶ୍ଚିମ ପାଖର ସେଇ ବୁଦା ଜଙ୍ଗଲ ଭିତରେ ଗଛଟିଏ ବାଛିନେଲି । ତାରି ଡାଳରେ ବାନ୍ଧିଲି ମୋର ଛୋଟ ଖଟିଆଟି । ମାଟି ଉପରୁ ଏହା ପନ୍ଦରଫୁଟ ଉଚ୍ଚରେ ଥାଏ । ସେ ଗଛଟା ଗାଁଠୁ ଥାଏ ପ୍ରାୟ ଅଧାମାଇଲ୍ ଦୂରରେ । ତାପରେ ଆଣିଲି ଗୋଟାଏ ମୋଟା କାଠ । କାଠଟା ଲମ୍ବାରେ ଥିଲା ଛଅଫୁଟ ଓ ତିନିଇଞ୍ଚ ବ୍ୟାସର । ଗୋଟାଏ ଟାଣୁଆ ରସିରେ ଏ କାଠଟାର ଗୋଟାଏ ପାଖ ବନ୍ଧାଗଲା; ଆର ପାଖଟି ତଳେ ଗୋଟାଏ ଡାଳ ସହିତ କୋଣଭାଙ୍ଗି ବନ୍ଧାଥାଏ । ଏ ପାଖକୁ ଆଉ ଗୋଟାଏ ରସିରେ ଫାଶରେ ଗଳାଇ ଏ ରସିଟି ମୋ ଜୋତାସହ ବନ୍ଧାଥାଏ । ଏମିତି ଭାବରେ ମୁଁ ସେ ମଞ୍ଚାରେ ବେଶ୍ ମଜାରେ ବସିଥାଏ । ସବୁ ଯନ୍ତ୍ରପାତି ସହ ମୁଁ ପ୍ରସ୍ତୁତ ଥାଏ । ମୋ ଗୋଡ଼ ସାହାଯ୍ୟରେ ମୁଁ ତଳର କାଠଖଣ୍ଡକୁ ଏମିତି ଚଳାଉଥାଏ ଯେ, ଡାଳରେ ବାଜି ତାହା ଗୋଟାଏ ବିଚିତ୍ର ଶବ୍ଦ କରୁଥାଏ । ସେ ଶବ୍ଦଟି କାଠୁରିଆର କୁରାଢ଼ୀ ଚୋଟର ଶବ୍ଦ ପରି ଶୁଭୁଥାଏ–ଅବଶ୍ୟ ସେତେ ଜୋର୍‌ରେ ଶୁଭୁନଥାଏ । ଏମିତି ଶବ୍ଦ ସୃଷ୍ଟି କରିବାରେ ଗୋଟାଏ ପାଦ ଘୋଳେଇହେଲେ, ଆର ପାଦକୁ କାମରେ ଲଗାଏ । ଏମିତି ବି ମୋ ହାତ ସାହାଯ୍ୟରେ ସେ ରସିକୁ ଟାଣିବାର ବ୍ୟବସ୍ଥା କରିନେଲି । ରସିଟିକୁ ଆହୁରି ଲମ୍ବା କରି ଘନ ଘନ ଶବ୍ଦ କରିପାରିଲି । ଉପରେ ଟାଣ ଖରା । ଖରାରୁ ରକ୍ଷା ପାଇବା ପାଇଁ ମୁଁ ପତ୍ରର ଗୋଟାଏ ଚାନ୍ଦୁଆ କରିଥାଏ । କୌଣସି ଡାଳପତ୍ର କଟା ହୋଇ ନଥାଏ । ସେଠି ମଞ୍ଚାଉପରେ ମୁଁ ସିଗାରେଟ୍ ପିଉଥାଏ । ଖାଉଥାଏ, ପିଉଥାଏ ଏବଂ କାଶୁଥାଏ । ମୋତେ ଲୁଚାଇ ରଖିବାର କୌଣସି ଚେଷ୍ଟା ମୋର ନଥାଏ–ମୁଁ ତ ନିଜକୁ ବାଘର ଚରା ବା ବେଟ୍ ଭାବରେ ଭାବୁଥାଏ; ତେଣୁ ବାଘ ମୋର ଉପସ୍ଥିତ ଜାଣୁ–ମୋ ଆଡ଼କୁ ଟାଣି ହେଇ ଆସୁ–ଏହା ଥାଏ ମୋର ଅସଲ ଉଦ୍ଦେଶ୍ୟ ।

 

ହୋଗାରେହାଲ୍ଲି ଗାଁର ପଟେଲ ଥାଆନ୍ତି ମୁଦ୍‌ଲାଗିରି ଗୌଡ଼ । ସେ ମୋତେ ସବୁ କାମରେ ସାହାଯ୍ୟ କରୁଥାଆନ୍ତି । ତାଙ୍କୁ ମୋ କୌଶଳଟି ବୁଝାଇ ଦେଇଥାଏ । କହିଥାଏ, ମୁଁ ଏମିତି ଠକ୍ ଠକ୍ କରୁଥିଲାବେଳେ ସେ ବୁଦା ଜଙ୍ଗଲ ଆଡ଼କୁ ଗାଁର କୌଣସି ଲୋକ ଆସିବେନି–ସେ ପାଖର ନଡ଼ିଆବୋରିକି ମଧ୍ୟ କେହି ଆସିବେନି । ତା’ହେଲେ ବାଘ କେବଳ ମୋତେଇ ତା’ର ଶିକାର ବୋଲି ଧରିନେବ । ସେ ଏ କାମ ନିଜେ ଦେଖିବେ ବୋଲି କଥା ଦେଲେ । ଗାଁରେ ପ୍ରଚାର ହେଲା ଯେ, ମଧ୍ୟାହ୍ନ ବେଳକୁ ସେ ପାଖ ବଣରେ ବା ନଡ଼ିଆବୋରିରେ କେହି ରହିବେନି । ଗାଈଗୋରୁଙ୍କ ପାଇଁ ପନ୍ଦର କୋଡ଼ିଏ ଦିନର ଛଣ ଆଦି ଥାଏ । ମୋ ହିସାବ ଅନୁସାରେ ବାଘଟା ସେଇ ସମୟ–ସୀମା ଭିତରେ ସେ ପାଖକୁ ଆସିବ–ତେଣୁ ସେତିକି ଦିନର ଗୋଖାଦ୍ୟ ଦରକାର । ତା’ ହେଲେ ଲୋକେ ଗୋରୁ ଚଳାଇବା ପାଇଁ ବଣକୁ ଯିବେନି–ଘରେ ଗାଈଗୋରୁ ବନ୍ଧା ରହିବେ, ନଡ଼ା ଆଦି ଖାଇବେ । ପେଟେଲ୍ ମହାଶୟଙ୍କ କଥାରେ ଗାଁଲୋକେ ଖୁବ୍ ଖୁସି ହେଉଥାଆନ୍ତି । କେହି ବାଘର ପଞ୍ଝାତଳେ ମରିବାକୁ ନିଶ୍ଚୟ ଚାହେଁନି । ତା’ଛଡ଼ା ଏତେ ଦିନ ଧରି ଲୋକେ କିଛି କାମଦାମ କରିବେନି, ଅଳସୁଆ ହେଇ ବସିରହିବେ, ଗପସପ କରିବେ ।

 

ହୋଗାରେହାଲ୍ଲିରେ ପହଞ୍ଚିବାର ଦଶମ ଦିନରେ ମୋ’ ଯୋଜନାକୁ କାମରେ ଲଗାଇଲି-। ବେଗାବେଗି ଖାଇନେଲି । ଏଗାରଟା ପୂର୍ବରୁ ସେ ଗଛ ପାଖରେ ପହଞ୍ଚିଲି । ସାଙ୍ଗରେ ପାଣିବୋତଲ, ପାଉଁରୋଟି, ସିଗାରେଟ୍ ପାଇପ୍ । ଅବଶ୍ୟ ମୋ’ ପ୍ରିୟ .୪୦୫ ରାଇଫଲ୍ ଟି ଥାଏ-। ଏମିତି ଭାବରେ ମୋର ପ୍ରଥମ ଜଗିବା ଆରମ୍ଭହେଲା । ଏମିତି ଠକ୍ ଠକ୍ ଶବ୍ଦ କରିବାରେ ମୋତେ ବଡ଼ ଚିଟା ଲାଗୁଥାଏ । ଉପରେ ବଡ଼ ଖରା । ଚାରିଆଡ଼େ ଟାଣ ଖରା ଝଲସୁଥାଏ । ସେଥିରେ ଏକା ରହି ପାଖ ଜଙ୍ଗଲରେ ଚାରିଆଡ଼କୁ ଅନାଇଁ ବାଘର ଗତିବିଧି ଲକ୍ଷ୍ୟ କରିବା କଥା । ବଡ଼ ବିରକ୍ତିକର ଲାଗୁଥାଏ । ସେଦିନ ସଞ୍ଜଯାଏ ସେଠି ରହିଲି । ଏମିତି କାମ ସପ୍ତାହେଯାଏ ଚାଲିଲା । ବାଘର ସୋର୍–ଶବ୍ଦ କି ଦର୍ଶନ ମିଳିଲାନି । ଏ ଭିତରେ ସେ ପାଖ ବଣବୁଦା ସମ୍ପର୍କରେ ପୂରା ଧାରଣା ଆସିଯାଇଥାଏ । ପ୍ରତିଟି ବଡ଼ ଗଛ ମୋର ଏବେ ଏକାନ୍ତ ପରିଚିତ । ବାଘ କୋଉ ଦିଗରୁ ଆସିପାରେ, ସେ ସବୁ କଥା ମୋ’ ଆଖିରେ ପରିଷ୍କାର ଜଣାପଡ଼ୁଥାଏ । ତଥାପି ବାଘର ଦେଖା–ଦର୍ଶନ ନାଇଁ । ଏମିତି ଭାବରେ ଦ୍ଵିତୀୟ ସପ୍ତାହ ଶେଷ ହେବାକୁ ବସିଲା ।

 

ମୋତେ ସେଠାରେ ଖାଲି ବସିରହିବାକୁ ପଡ଼ୁଥାଏ । କୌଣସି କାମଦାମ୍ ନାଇଁ । ବିରକ୍ତ ଲାଗୁଥାଏ । ଏମିତିକି ମୋ’ ଧୈର୍ଯ୍ୟ ଆଉ ରହୁନଥାଏ । ମୁଁ ଅଧୈର୍ଯ୍ୟ ହୋଇପଡ଼ୁଥାଏ । ଅନ୍ୟ କୌଣସି ଉନ୍ନତି ଯୋଜନା ପାଇଁ ମୁଁ ମୁଣ୍ଡକୁ ରାମ୍ପୁଡ଼ି ପକାଉଥାଏ । ହେଲେ, ବର୍ତ୍ତମାନର କୌଶଳଠୁ ଅଧିକ ଉନ୍ନତ କୌଶଳ ଗୋଟାଏ ମନକୁ ଆସୁ ନ ଥାଏ ।

 

ବାଘର ଗତ ଶିକାରପରେ ତିନିମାସ ଶେଷ ହୋଇଯାଇଚି । ଚାଲିଚି ଚତୁର୍ଥ ମାସ । ବାଘ ଯେକୌଣସି ସମୟରେ ଆସି ପହଞ୍ଚିଯାଇପାରେ । ବାଘ ଯଦି ତା’ର ଆଗ ଅଭ୍ୟାସ ବଦଳାଇ ନିଏ, ତେବେ ଅଲଗା କଥା–ନ ହେଲେ ସେ ନିଶ୍ଚୟ ଆସି ପହଞ୍ଚିଯିବ । ମୁଁ ଚିକ୍‍ମାଗାଲୁର୍‍ର ଡେପୁଟି କମିଶନ୍‌ରଙ୍କୁ ଅନୁରୋଧ କରିଥାଏ, ସେ ପାଖର ବାଘ ମାରିବା ଖବର ଯେପରି ମୋତେ ନିୟମିତ ଭାବରେ ମିଳିବ । ଏଥିପାଇଁ କାଦୁଲ୍‍ର ଅମିଲଦାର୍‌‌ଙ୍କୁ ଡେପୁଟି କମିଶନ୍‌ର ନିର୍ଦ୍ଦେଶ ଦେଇଥାଆନ୍ତି । ସେ ତାଙ୍କର ଜଣେ ଅଧସ୍ତନ କର୍ମଚାରୀ । ବିରୁର୍‌ରୁ କାଦୁଲ୍ ଚାରିମାଇଲ୍ ଦୂର । କଥା ଥାଏ, କୋଉଠି ବାଘ ମାରିଲେ ମୋ’ ପାଖକୁ ଜଣେ ରନ୍‍ର ଆସିବ । ଦୁଇଦିନ ପରେ ଅମିଲଦାର୍‍ଙ୍କ ଲୋକ ଆସି ପହଞ୍ଚିଲା । ସେ କହିଲା ଯେ ଚିକ୍‍ମାଗାଲୁର ସାତ୍ରେପାଟନା ରାସ୍ତାରେ ଗୋଟିଏ ବସ୍ତିରେ ବାଘ ମଣିଷ ମାରିଚି । ଏହା ଘଟିଥିଲା ଚାରିଦିନ ତଳେ-। ତା’ ପରଦିନ ପୁଣି ଲୋକ ଆସିଲା । ଏଥର ଜାଣିଲି, ଆଇରନକେରେ ହ୍ରଦର ଉତ୍ତର କୂଳରେ ଜଣେ ଗାୟାଳକୁ ବାଘ ମାରିଚି । ମାଦକ୍‌ ହ୍ରଦଠାରୁ ଏ ଜାଗାଟା ପାଞ୍ଚ ମାଇଲ୍–ହୋଗାରହାଲ୍ଲି ଠାରୁ ନ‌ଅ ମାଇଲ୍ ।

 

ଏସବୁ ସମ୍ବାଦ ମୋତେ ବଡ଼ ସାହାଯ୍ୟ କରୁଥାଏ । ବାଘ ତା’ର ପୁରୁଣା ଅଭ୍ୟାସ, ପୁରୁଣା ବାଟରେ ଚାଲିଚି । ସର୍ବଶେଷ ଶିକାରଠାରୁ ଏବେ ସେ ଚ‌ଉଦମାଇଲ୍ ଦୂରରେ । ଦୁଇଦିନ ତଳେ ଏ ଖବର ପାଇଥାଏ । ତେଣୁ ମୋ’ ହିସାବକୁ ବାଘଟା ହୋଗାରହାଲ୍ଲିରେ ପହଞ୍ଚିଯିବା କଥା-। ନହେଲେ, ଖୁବ୍ ପାଖାପାଖି ହେଇଯାଇଚି । ତିନି ଦିନ ହେବ ବାଘ କିଛି ଖାଇନି–କାରଣ ଏ ଭିତରେ ମଣିଷ ମାରିବା ଖବର ନଥାଏ । ତେଣୁ ସେ ନୂଆ ଶିକାର ନିଶ୍ଚୟ ଖୋଜୁଥିବ ।

 

ସେ ଦିନ ସଞ୍ଜବେଳେ ମୁଦ୍‍ଲାଗିରି ଗ‌ଉଡ଼ଙ୍କୁ ବିଶେଷ ଭାବରେ ପରାମର୍ଶ ଦେଲି । ହୋଗାରେହାଲ୍ଲିର କୌଣସି ଲୋକ ସେ ପାଖ ବଣକୁ ଆଉ ଯିବେନି–ବାଘ ଆସିଗଲାଣି ।”

 

ପରଦିନ ଆହୁରି ଚଞ୍ଚଳ ହୋଇଉଠିଥାଏ । ଆଗଠୁ ଆହୁରି ଶୀଘ୍ର ମୁଁ ମୋ’ ଜଗିବା ଜାଗାକୁ ଚାଲିଲି । ଆଗରୁ ଉପନ୍ୟାସ ନେଉଥିଲି–ସେଠି ଜଗି ରହିଥିଲାବେଳେ ପଢ଼ୁଥିଲି । ଏଥର ତା’ କଲିନି । ସେ ବାଡ଼ିରେ ଠୁକରାଇବା ଚଲାଇଲି । ଯେତେ ଜୋରରେ ଏ ଠକ୍ ଠକ୍ ହୋଇପାରେ, କରୁଥାଏ । କାଶୁଥାଏ । ସେ ଗଛ ଡାଳରେ ହଲଚଲ ହେଉଥାଏ । ମୁଁ ଯେ ସେଠି ଅଛି, ଏକଥା ବାହାରକୁ ଜଣାଉଥାଏ । ସେଦିନ ସଞ୍ଜବେଳେ ଗାଁକୁ ଫେରିବାବେଳେ ଖୁବ୍ ସାବଧାନ ହେଇ ଫେରିଲି । ବାଘଟା ହଠାତ୍ କରି ଆକ୍ରମଣ କରିବାର ଭୟ ଥାଏ । କିନ୍ତୁ ଆଉ ଦୁଇଦିନ କଟିଲା–କୋଉଠି କିଛି ଘଟିନଥାଏ । ବେଳ ସେମିତି ପୁରୁଣା ଶଗଡ଼ଗାଡ଼ି ପରି ପୁରୁଣା ଗୁଳାରେ ଚାଲିଥାଏ । ଆଉ କୋଉଠି ମଣିଷମରାର ଖବର ବି ନଥାଏ ।

 

ମନେହେଲା ବାଘଟା ହୋଗାରଖାଁ ପାହାଡ଼ ନାସୀ ଆଡ଼କୁ ଯାଇଚି, ଅଥବା ହୋଗାରେହାଲ୍ଲିକୁ ପାରହୋଇ ଉତ୍ତର ପଶ୍ଚିମ ଦିଗରେ ଲିଙ୍ଗାଧାଲ୍ଲି ବା ବାଗାବାଦକେଟେ ଯାଇଚି । ହେଇପାରେ ଆହୁରି ପଶ୍ଚିମକୁ ଶାନ୍ତାଭେରି ଯାଇଚି ।

 

ପାଗ ଗରମ ଥାଏ । ଅର୍ଦ୍ଧଚନ୍ଦ୍ର ଆକାଶରେ ଉଇଁଥାଏ । ସ୍ଥିରକଲି, ଆଗାମୀ ଦୁଇଦିନ ଧରି ପୂରା ଅପରାହ୍‍ଣ, ସଞ୍ଜ ଓ ରାତି ସେଇ ଗଛରେ କାଟିବି । ଅନ୍ଧାର ପରେ ବାଘଟା ଘୂରା–ଫେରା କରୁଥିବା । ଗଛରେ ରହି ଶବ୍ଦ କଲେ ତାକୁ ଆକର୍ଷଣ କରି ପାରିବି । ଗଲା ପନ୍ଦର ଦିନ ଧରି ସେଠି ଜଗିବସିଚି । ଏ କାମ କଲେ ଆହୁରି ବିରକ୍ତ ଲାଗିବ–ଆହୁରି ଖରାପ ଲାଗିବ–ମାତ୍ର ଏହା ଛଡ଼ା ଆଉ ଦ୍ଵିତୀୟ ପନ୍ଥା ନାଇଁ । ମୋର ଏତେ ଚେଷ୍ଟା ତ ବିଫଳ ହେଇଚି ! ମନେ ମନେ ପ୍ରତିଜ୍ଞା କରିନେଲି–ଯାହାହେଉ ପଛକେ ମୋତେ ଏମିତିଭାବରେ ଜଗି ବସିବାକୁ ହେବ । ଏହାଇ ଥିଲା ମୋର ନିରାଶ ହୃଦୟର ଶେଷ ଚେଷ୍ଟା ।

 

ପରଦିନ ଅପରାହ୍‌ଣ । ଗଲି ସେ ଜାଗାକୁ । ଏଥର ନେଇଚି ରାତିର ଆହାର । ଫ୍ଲାସ୍କେ ଗରମ୍ ଚା, ଗୋଟାଏ ଚଦର, ପାଣି ବୋତଲ, ଟର୍ଚ୍ଚ ଓ ରାତିଟା ଜଗିବାପାଇଁ ଆହୁରି କେତେକ ଜିନିଷପାତି । ପାଖରେ ତିନିଟା ବେଂଜେଡ଼୍ରାଇନ୍ ବଟିକା–ଖାଇଲେ ନିଦ ହେବନି ।

 

ସାରା ଅପରାହ୍‌ଣ ସେମିତି ଠକଠକାଇବାରେ ଗଲା । ସଞ୍ଜ ଓ ରାତି ଅଧଯାଏ ବି ଠକ୍ ଠକ୍ କଲି । ଜଙ୍ଗଲ ଥାଏ ଭୟାନକ ଭାବେ ଶୂନ୍‌ଶାନ୍ । କେତେବେଳେ କେମିତି ଉଲୁକଟାଏ ବୋବାଉଥାଏ । ଖୁବ୍ ଦୂରରେ କୁଟୁରାର ଡାକ । ଗୋଟାଏ ତିରିଶ୍ ବେଳକୁ ଜହ୍ନ ବୁଡ଼ିଗଲା । ଘୋର ଅନ୍ଧାର ହେଇଗଲା । ଖୁବ୍ ଥଣ୍ଡା ବି ଲାଗୁଥାଏ । ତିନିଟା ହେଲା । ନିଦୁଆ ନିଦୁଆ ଲାଗୁଥାଏ । ତିନିଟା ବଟିକାରୁ ଦୁଇଟା ବଟିକା ଗିଳିଦେଲି । ଅଧ ଘଣ୍ଟାଏ ପରେ କଣ ଗୋଟାଏ ଖସ୍ ଖସ୍ ଶବ୍ଦ ଶୁଭିଲା । ଗୋଟାଏ ଗଧିଆ ବୋଧହୁଏ ମୋତେ ଦେଖି ପକାଇଲା । ନ ହେଲେ ମୋ’ ବାସନା ବାରିଥିବ । ସେ ବୋବାଳି ଛାଡ଼ିଲା ହା... ହା... ହା... କ’ଣ ! କ’ଣ ଏ ! ! ହା... ହା ! ସତେ ଯେମିତି ଗଧିଆ ପଚାରୁଥାଏ । ତା’ପରେ ସେ ଅନ୍ଧାର ଆଢ଼ୁଆଳରେ ଗୋପନ ହୋଇଗଲା-

 

ତା’ପରେ ନୀରବତା । ଅନ୍ଧାର... ଘୋର ଅନ୍ଧାର । ପାହାନ୍ତା ହେଉଚି । ଆକାଶ ଫରଚା ଧରୁଚି । ଘଣ୍ଟାଏ ପରେ ସୂର୍ଯ୍ୟୋଦୟ । ସେ ଘଣ୍ଟା ବି ଅତୀତ ହେଲା । ଜଙ୍ଗଲର ଗଞ୍ଜା ଡାକ ଛାଡ଼ିଲା କକ୍‌ରେ... କଅ ! କକ୍‌ରେ... କଅ ! ସେ ସକାଳର ନୂଆ ସୂର୍ଯ୍ୟଙ୍କୁ ଅଭିନନ୍ଦନ ଦେଉଚି । ଓହ୍ଲାଇଗଲି ମୋ’ ଜଗିବା ଜାଗାରୁ । ଦୌଡ଼ିଲି ହୋଗାରହାଲ୍ଲି । ଚାରିଘଣ୍ଟା ଶୋଇପଡ଼େ ।

 

ସକାଳ ବେଳାର ଏଗାରଟା । ପୁଣି ସେଇ ଗଛ । ସେଇ ଜଗିବା ! ସେଇ ଶବ୍ଦ ଠକ୍... ଠକ୍ ଠକ୍ ! ! ଏଥର ମନ ଭାଙ୍ଗି ଯାଉଚି । ନା... ନା, ଆଉ ପାରିବିନି । କି କ୍ଲାନ୍ତି ! ବଡ଼ କଷ୍ଟ ଲାଗୁଚି । ଗରମ ଅପରାହ୍‌ଣ ସେମିତି ପାରି ହୋଇଗଲା । କୋଇଲି ଡାକୁଚି । କୋଉ ଗୋଟାଏ ଚଢ଼େଇ ବୋବାଉଚି । ତା’ଛଡ଼ା ତ ଆଉ କୌଣସି ଶବ୍ଦ ନାଇଁ ! ସଞ୍ଜ ହେଲା । କେତୋଟି ଚଢ଼େଇ ଶୁଖିଲା ପତ୍ରରେ ସର୍ ସର୍ କରି ଚାଲିଗଲେ । ଡାହୁକଟାଏ ବୋବାଇଲା । ଆଉ ଦଳେ ଚଢ଼େଇ ବୋବାଇଲେ । ହୋଗରଖାଁ ପାହାଡ଼ ତଳେ ମୟୂରର କରୁଣ ଡାକ–ଭେଁ... କକ୍... ଭେଁ... ଭେଁ କକ୍ କକ୍ । ଅଦୂର ପାହାଡ଼ ତଳେ ବୁଡ଼ିଗଲା ସୂର୍ଯ୍ୟ ।

 

ରାତିର ପକ୍ଷୀଏ ଜାଗିଉଠିଲେ । ଟି... ଟି... ଟି... ଡାକିଲା ଟେଣ୍ଟେଇ । ଆଉ କୋଉ ଚଢ଼େଇ ଡାକିଲା ଚୁକ୍... ଚୁକ୍... ଚୁକ୍ !

 

ଦଶଟା ହେଲା । ଏହାର ପରେ ପରେ ଶୁଭିଲା ସତର୍କ ଡାକ–କାଓ... କାଓ... କାଓ ! ! ଦଳେ ହରିଣ ଡାକୁଚନ୍ତି । କାଓ... କାଓ... ! ସେମାନେ ତୁହାଇ ତୁହାଇ ସତର୍କ କରୁଚନ୍ତି ।

 

ନିଶ୍ଚିତ ଭାବରେ ଶିକାରୀ ଜୀବଟାଏ । ଚିତା ! ସାଧାରଣ ବାଘ ! ନା... ନରଭୋଜୀ ହୋଇଗଲା । ତା’ ମାଲିକର କୌଣସି କ୍ଷତି ତ ହୋଇ ନ ଥିଲା–ଦୁଇ ଆଡ଼ୁ ଲାଭ ହେଲା ।

 

ଏମିତି ଭାବରେ ୟେମ୍ମାୟଦୋଦ୍ଦିର ନାରଖାଦକ ବାଘର ଜୀବନ ଶେଷ ହେଲା । ତା’ ମୃତ୍ୟୁ ଫଳରେ ସେ ଜିଲା ଗୋଟାଏ ଭୀଷଣ ନରଭୋଜୀ ଦାଉରୁ ରକ୍ଷାପାଇଗଲା । ମାତ୍ର ଏଥିପାଇଁ ବାଘକୁ ଦୋଷ ନ ଦେଇ ସେ କାର୍ ଶିକାରୀମାନଙ୍କୁ ଦାୟୀ କରିବା କଥା । ସେମାନେ ଏପରି ହୃଦୟହୀନ ଭାବରେ ଦାୟିତ୍ଵହୀନ ହୋଇ ଗୁଳିଚଳାଇବା ଫଳରେ ଗୋଟାଏ ସ୍ଵାଭାବିକ ବାଘ ମଣିଷଖିଆ ପାଲଟିଗଲା ଓ ଊନତ୍ରିଂଶଗୋଟି ମଣିଷର ଅକାଳ ମୃତ୍ୟୁର କାରଣ ହେଲା ।

Image

 

ଜଲାହାଲ୍ଲିର ହତ୍ୟାକାରୀ

 

ଏ କାହାଣୀ କୌଣସି ନରଖାଦକ ବାଘର କାହାଣୀ ନୁହେଁ । କାହାଣୀଟା କୌଣସି ବଡ଼ ମଣିଷଖିଆ ଚିତାବାଘର ବି ନୁହେଁ । ଏ କାହାଣୀ ଗୋଟିଏ ସାଧାରଣ ଚିତାର । ସାଧାରଣ ଆକାର ପ୍ରକାର ଜୀବଟିଏ । ମାତ୍ର ତା’ ଜୀବନକୁ ରକ୍ଷାକରିବାକୁ ସେ ଯୋଉ ସଂଗ୍ରାମ କରିଥିଲା, ତାହା ଯେମିତି ବୀରତ୍ଵପୂର୍ଣ୍ଣ ସେମିତି ଦୁଃସାହସିକ । ଏଇ ସଂଗ୍ରାମରେ ସେ ତିନିଜଣକୁ ମାରିଚି, ଏଗାର ଜଣଙ୍କୁ ଭୀଷଣଭାବରେ ଆହତ କରିଚି । ତଥାପି ସେ ରହିଚି ଅଜେୟ । ବହୁ କଷ୍ଟ ନିଜେ ସହିଚି । ଶେଷରେ ଅପରାଜେୟ ରହି ମୃତ୍ୟୁବରଣ କରିଚି ।

 

୧୯୩୮ । ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ ହେବାର କିଛି ଦିନ ଆଗରୁ । ବାଙ୍ଗାଲୋରର ଉତ୍ତର ପଶ୍ଚିମକୁ ଗାଁଟିଏ । ସେ ଗାଁର ନାଁ ଜଲହାଲ୍ଲି । ଟୁମ୍‌କୁର ରାସ୍ତାର ପାଖରେ ଅବସ୍ଥିତ । ସେମିତି କିଛି ଜଣାଶୁଣା ଗାଁ ନୁହେଁ । ବୋଧହୁଏ ଦେଢ଼ଶ ଘର ବସ୍ତି । କେତେକ ଘର ଇଟାର, ବହୁତ ଭାଗ ଛଣଘର । ବାଙ୍ଗାଲୋର ମହୀଶୁରର ରାଜଧାନୀ । ତେଣୁ ବନବିଭାଗର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଏଇଠି ଥାଏ । ମହୀଶୁର ବନ ସମ୍ପଦରେ ଭରପୂର । ଏଠି ଚିରହରିତ୍ ବନ ଅଛି । ମୌସୁମୀ ଅରଣ୍ୟ ମଧ୍ୟ ଅଛି । ସେ ସମୟରେ ବନ ବିଭାଗ ବନ ସଂରକ୍ଷଣ ନେଇ ବଡ଼ ବ୍ୟସ୍ତଥାନ୍ତି-। କେତେଗୁଡ଼ାଏ ବଣ୍ୟ କିଟ ପତଙ୍ଗ ବହୁ ଗଛ ନଷ୍ଟ କରିଦିଅନ୍ତି । ଏଥିରୁ ବନକୁ ରକ୍ଷାକରିବାର ଉପାୟ ଚିନ୍ତା ଚାଲିଥାଏ । ଜଲାହାଲ୍ଲିର ଏକ ମାଇଲ ପରେ ଗୋଟାଏ ପରୀକ୍ଷାମୂଳକ ବନ ତିଆରି ହୋଇଥାଏ–ପ୍ରାୟ ଚାରି ବର୍ଗମାଇଲର । ସେଥିରେ ଚନ୍ଦନ, ରୋଜ୍ ଉଡ଼୍, ରେଡ଼୍ ରୋଜଉଡ଼୍ ଗଛ ଲାଗିଥାଏ । କୀଟ ପତଙ୍ଗ ଛାଡ଼ି ଏଠି ଗବେଷଣା ଚାଲିଥାଏ । ବାଙ୍ଗାଲୋରର ପରୀକ୍ଷାଗାରରେ ଏ ପରୀକ୍ଷା କରାଯାଏ । ଏ ଗଛ ଗୁଡ଼ିକ ପ୍ରାୟ ଦଶଗଜ ଉଚ୍ଚ ହୋଇଥାଏ । ତଳେ ଲଣ୍ଟାନା, ବଡ଼ ଘାସ ପୂରି ରହିଥାଏ । ସେଥିରେ ଥାଆନ୍ତି ଅଗଣିତ ସାପ, ଠେକୁଆ । ବିଭିନ୍ନ ପକ୍ଷୀ ଓ ମୟୂର ବି ରହନ୍ତି-

 

ସେ ଥିଲା ଗୋଟିଏ ଯାଯାବର ଚିତା । ବୁଲୁ ବୁଲୁ ସେ ଏଇ ଅଞ୍ଚଳକୁ ଆସିଯାଇଥିଲା । ପ୍ରକୃତରେ ସେ ଥିଲା ମାଗାଡ଼ି ପାହାଡ଼ମାଳାର ବାସିନ୍ଦା । ସେ ପାହଡ଼ିମାଳା ଏଇଠୁ ପ୍ରାୟ କୋଡ଼ିଏ ମାଇଲ୍ ଦୂର । ଏଇଠି ସେ ଖାଉଥାଏ ଠେକୁଆ, ମୂଷା ଓ ଅନ୍ୟସବୁ ଛୋଟ ଜୀବ । କିନ୍ତୁ ଖୁବ୍ ଶୀଘ୍ର ସିଏ ତା’ର ନୂଆ ଖାଦ୍ୟ ପାଇଗଲା । ପାଖ ଗାଁର ଛେଳି ଓ କୁକୁରକୁ ଧରି ଖାଇବା ବେଶ୍ ସହଜ । ତେଣୁ ସେଗୁଡ଼ିକୁ ସେ ଖାଇବାରେ ଲାଗିଲା । ଏଥିରେ ଗାଁଲୋକେ ବ୍ୟସ୍ତ ହେଇଉଠିଲେ ।

 

ଠିକ୍ ଠିକ୍ ଚାଲିଥାଏ ସବୁ । ହଠାତ୍ ଦିନେ ସେ ଜଣେ ଲୋକର ଅତି ପ୍ରିୟ ଛେଳିଟିକି ମାରିଲା । ସେ ଲୋକ ଜଣକ ପୁଲିସ୍ ଦଫେଦାର । ଲୋକଟି ଯେମିତି ମୋଟା ତା’ଙ୍କ ରାଗ ବି ସେମିତି ମୋଟା । ଏଥିରେ ସେ ଖୁବ୍ ରାଗରେ ଜଳିବାକୁ ଲାଗିଲେ । ତାଙ୍କର ମାନ ସମ୍ମାନ ଅଛି । ପଦ ମର୍ଯ୍ୟାଦା ଅଛି । ଏ ସବୁକୁ ଏ ବୁଲା ଚିତାଟାର ଖାତିର୍ ନାଇଁ ! ତେଣୁ ସେ ପ୍ରତିଜ୍ଞା କଲେ, ଯୋଉ ଚିତା ତାଙ୍କ ଛେଳିକି ମାରିଚି, ସେ ତା’ର ରକ୍ତ ଚିତା ଘେନିବେ–ତେବେ ଯାଇ ତାଙ୍କ ମନ ଶାନ୍ତହେବ ।

 

ସ୍ଥାନୀୟ ପୋଲିସ୍‌ ବାହିନୀ ପାଖରେ ୩୦୩ ରାଇଫଲ ଥାଏ । ଏଥିରୁ ଗୁଳି ବାହାର କରି ନିଆ ଯାଇଥାଏ । ଫଳରେ କେବଳ ଥରଟିଏ ଗୁଳି ମାରିହୁଏ । ଏମିତି କରିବାର ଗୋଟାଏ ବଡ଼ କାରଣ ଅଛି । ବେଳେ ବେଳେ ପୁଲିସ୍ ଲୋକେ ଟିକେ କଥାରେ ଗରମ ହୋଇ ଯାଆନ୍ତି । ଆଉ ପ୍ରୟୋଜନଠୁଁ ଅଧିକ ଗୁଳି ଚଳନ୍ତି । ଏହାର ପରିଣତି ଆଦୌ ଭଲ ହୁଏନାହିଁ ।

 

ତେଣୁ ଦଫେଦାର ଛେଳିର ମଢ଼ ଉପରେ ଥିବା ଗଛରେ ବସିଲେ । ହାତରେ ସେଇ ସରକାରୀ ରାଇଫଲ ୩୦୩ । ସୂର୍ଯ୍ୟ ବୁଡ଼ିଗଲା । ଆସିଲା ଚିତା । ସେ ସନ୍ଦେହ କରି ନଥିଲା... ଶିକାରୀ ଲୁଚିଚି । ଦଫେଦାର ଗୁଳି ଚଳାଇବାରେ ସେମିତି ଅଭ୍ୟସ୍ତ ନଥିଲେ । ଚିତାକୁ ଦେଖି ତାଙ୍କର ହାତ ଥରୁଥାଏ । ସେଇ ଥରିଲା ଥରିଲା ହାତରେ ସେ ଗୁଳି ଚଳାନ୍ତି । ଗୁଳି ବାଜେ ଚିତାଟିର ସାମ୍ନାର ବାଁ ଗୋଡ଼ରେ ।

 

ଗୋଟାଏ ଗର୍ଜନ । ତା’ପରେ ଲମ୍ପଦେଇ ଚିତାଟି ଜଙ୍ଗଲ ଭିତରେ ଅନ୍ତର୍ହିତ ହୋଇଯାଏ-। ଏଣେ ମୋଟା ଦଫେଦାରଙ୍କ ଅବସ୍ଥା ଅସମ୍ଭାଳ । ସେ ଗଛରେ ଥରୁ ଥାଆନ୍ତି । ସେମିତି ଥରି ସେ ରାତି କଟାଇଲେ ଗଛ ଉପରେ । ସକାଳୁ ଓହ୍ଲାନ୍ତି ଗଛରୁ । ମାଟି ପରୀକ୍ଷା କରନ୍ତି-। କାହିଁ ରକ୍ତର ଚିହ୍ନ ତ ନାଇଁ ! ତା’ହେଲେ ସୌଭାଗ୍ୟକୁ ସେ ଚିତାଟାକୁ ମାରିପାରିନାହାନ୍ତି । କିନ୍ତୁ ସେ ଭାବିନିଅନ୍ତି ଯେ, ଚିତଟା ବେଶ୍ ପଟେ ପାଠପଢ଼ିଲା–ଏଣିକି ଛେଳି ମାରିବା ଛାଡ଼ିଦେବ-

 

ଶୁକ୍ରବାର ରାତିର ଘଟଣା । ତା’ ପରଦିନ ଶନିବାର I ବେଶ୍ ଘଟଣାହୀନ ଭାବେ ସେ ଦିନ କଟିଯାଏ । ଶନିବାର ସଞ୍ଜବେଳ । ଗାଁଲୋକେ ଠିକ୍ କଲେ ରବିବାର ସକାଳେ ଠେକୁଆ ମାରି ଯିବେ । ଯିବେ ଅନେକ ଲୋକ । ବନବିଭାଗର ଯୋଉ ଗଛ ଲଗାଯାଇଥିଲା, ତା’ ଚାରିପାଖ ଠେକୁଆ ଜାଲ ବନ୍ଧାଗଲା ପ୍ରତି ଗଜରେ । ଦୁଇଫୁଟ ଉଚ୍ଚା । ସେ ପାଖର ପୋଲାଙ୍ଗ ବଣରେ ବି ଏଇ ଜାଲ ବନ୍ଧା ଯାଇଥାଏ । ପରଦିନର ଠେକୁଆ ଧରିବା ଅଭିଯାନରେ ପ୍ରାୟ ଶହେଲୋକ ଭାଗନେବେ । ସାଥିରେ ରହିବେ କୁକୁର । ଲୋକଙ୍କ ହାତରେ ଠେଙ୍ଗା । ଫାସରେ ଠେକୁଆ ପଡ଼ିବେ । ସେଥିରୁ ପଳାଇବାର ଚେଷ୍ଟା କଲାବେଳେ ଠେଙ୍ଗା ଖାଇବେ–ବେଶ୍ !

 

ପୋଲାଙ୍ଗ ବଣ ପହଞ୍ଚିବାଯାଏ ସବୁ ଠିକ୍‌ଠିକ୍ ଚାଲିଲା । ଏଇଠି ଠେକୁଆ ବଦଳରେ ଡେଇଁପଡ଼ିଲା ଗୋଟାଏ ଚିତା ବାଘ । ସମସ୍ତେ ଚମକି ଉଠିଲେ । ବିଜୁଳି ଗତିରେ ସେ ଚାଲୁଥିବା ଲୋକମାନଙ୍କ ଭିତରକୁ ଡେଇଁପଡ଼ିଲା । ଆଖିର ପିଛୁଳାକରେ କାହାକୁ ପୁଳାଏ କାମୁଡ଼ିଲା କାହାକୁ ରାମ୍ପୁଡ଼ି ପକାଇଲା । ମୋତେ ଏତିକି ଲେଖିବାକୁ ଯେତେ ସମୟ ଲାଗୁଚି, ତା’ଠୁ କମ୍ ସମୟ ଭିତରେ ଛ’ଜଣ ଲୋକ ଘାଇଲା । କାମୁଡ଼ା ରାମ୍ପୁଡ଼ାଖାଇ ଲୋକେ ପ୍ରାଣବିକଳରେ ଯିଏ ଯୁଆଡ଼େ ଧାଇଁ ପଳାଇଲେ ।

 

ଚିତାଟା ସେଇ ପୋଲାଙ୍ଗ ବଣ ଭିତରକୁ ପୁଣି ଚାଲିଗଲା ।

 

ସେ ପାଖରେ ରହୁଥାନ୍ତି ଜଣେ ଲୋକ । ତାଙ୍କ ନାଁ ହ୍ୟୁଗୀ ଫ୍ଲକେଟ୍ । ତାଙ୍କ ସହିତ ରହୁଥାଆନ୍ତି ତାଙ୍କର ଶ୍ରୀମତୀ । ଜଣେ ଭଲ ଶିକରୀ–ସେ ଦିନେ ଥିଲେ । ସେ ପ୍ରାୟ ଡଜନେ ବାଘ ମାରିଥିଲେ । ଚିତା ମାରିଥିଲେ ଦିଡଜନ । କର୍ଣ୍ଣଲ୍ ଜିଲ୍ଲାର ଦିଗୁଭାମେଟ୍ଟା ଅଞ୍ଚଳରେ ଏଇ ଶିକାର ପାଇଁ ସେ ବେଶ୍ ଜଣାଶୁଣା ଥିଲେ । ଚାଲୁଥିବା ଲୋକମାନେ ଫ୍ଲକେଟ୍‌ଙ୍କୁ ଦେଖାଇଲେ । ତାଙ୍କୁ ଚିତାବାଘର କଥା କହିଲେ । ଫ୍ଲକେଟ୍ ସେ ଦିନର ଗୋଟା ସକାଳ ଶୋଇଥିଲେ । ସେ ପିନ୍ଧିଥାଆନ୍ତି ପାଇଜାମା । ଦଫେଦାର୍ ଯେ ଚିତାକୁ ଗୁଳି ମାରିଥିଲେ, ଏ ଖବର ବି ସେ ଜାଣି ନଥା’ନ୍ତି । ବାଙ୍ଗାଲୋର୍‍ ସହରର ସାତମାଇଲ୍‌ ପାଖକୁ ଯେ ଗୋଟାଏ ଚିତା ଆସିପାରେ ଏ କଥା ବି ଧାରଣା କରିପାରୁ ନଥା’ନ୍ତି । ଏ କଥାକୁ ସେ ପୂରା ବିଶ୍ଵାସ କରୁନଥିଲେ । ଯାହାହେଉ, ଲୋକଙ୍କୁ ସନ୍ତୁଷ୍ଟ କରିବା ଦରକାର । ତେଣୁ .୧୨ ବୋର ସଟ୍‍ଗନ୍‌ର ଗୋଟାଏ ଏଲ୍‍. ଜି ଓ ଗୁଳି ଭରି ସେ ଚାଲିଲେ ଲୋକଙ୍କ ସହିତ ।

 

ସେଠାରେ ପହଞ୍ଚି ସେ ଖଣ୍ଡିଆ ତଣ୍ଡିଆ ହେଇଥିବା ଲୋକଙ୍କୁ ଦେଖିଲେ । ଏଥର ସେ ଜାଣିପାରିଲେ ଯେ ପ୍ରକୃତରେ ଚିତା ମାତିଛି ।

 

ସେ ବେଶ୍ ସତର୍କ ହେଲେ । ସାବଧାନତାରସହ ପୋଲାଙ୍ଗ ବଣରେ ଡଗରାଇବା ଆରମ୍ଭ ହେଲା । ଛ’ ଜଣ ଲୋକ ତାଙ୍କ ପଛରେ ଯାଉଥାନ୍ତି । ହ୍ୟୁଗୀ ଗଛ ଗୁଡ଼ିକ ପାର ହେଇ ପ୍ରାୟ ଅଧାବାଟ ଯାଇଥାଆନ୍ତି–ଜୀବଟା ଲୁଚିଥିବା ଜାଗାରୁ ବାହାରି ଆଉ ଗୋଟାଏ ବୁଦା ଆଡ଼କୁ ଜୋରରେ ଖସିଗଲା । ହ୍ୟୁଗୀ ଗୁଳି ଚଳାଇଲେ । ଜୀବଟା ସ୍ଥିର ହେଇ ପଡ଼ିଗଲା ।

 

ଦ‍ଉଡିଗଲେ ହ୍ୟୁଗୀ । ପଛରେ ଥାଆନ୍ତି ତାଙ୍କର ଅନୁସରକାରୀମାନେ । ଏଇଠି ହ୍ୟୁଗୀ ଏମିତି ଗୋଟାଏ ଭୁଲ୍ କରିବସିଲେ ଯା’ ଫଳରେ ତାଙ୍କର ଜୀବନ ଶେଷ ହୋଇଗଲା । ସେ ଚଳତ୍‍ଶକ୍ତିହୀନ ଜୀବଟା ଉପରେ ପାଦ ପକାଇଦେଲେ । ଜୀବଟା ହଠାତ୍ ଜୀବନ ପାଇ ଉଠିଲା । ମୁହୂର୍ତ୍ତକ ମଧ୍ୟରେ ସେ ରାଗରେ ଜଳିଉଠିଲା । ଫ୍ଲକେଟ୍‍ଙ୍କ ଉପରକୁ ଡେଇଁ ପଡ଼ିଲା ଚିତାଟା । ତାଙ୍କ ଡାହାଣ ବାହୁକୁ କାମୁଡ଼ି ଧରିଲା । ଫଳରେ ସେ ଆଉ ବନ୍ଧୁକ ବ୍ୟବହାର କରିପାରିଲେନି । ପଛଗୋଡ଼ରେ ସେ ଜୀବଟା ଫ୍ଲକେଟ୍‍ଙ୍କୁ ରାମ୍ପୁଡ଼ି ବିଦାରି ପକାଇଲା । ତାଙ୍କ ଦେହକୁ ଫିତା ଚିରିଲା ପରି କରିଦେଲା । ତାଙ୍କ ଦେହରୁ ବହିଲା ରକ୍ତର ଅସୁମାର ଧାର । ତାଙ୍କ ସହିତ ଥିବା ଲୋକମାନେ ଛିନିଛତ୍ର ହୋଇଗଲେ । କେବଳ ଜଣେ ଲୋକ ଠେକୁଆମରା ଠେଙ୍ଗାରେ ଚିତାଟାକୁ ବାଡ଼େଇଲା । ଚିତା ହ୍ୟୁଗୀଙ୍କି ଛାଡ଼ିଦେଲା । ଏ ଲୋକଟି ଉପରକୁ ଡେଇଁପଡ଼ିଲା । ତା’ ସହିତ ଆଉ ଚାରିଜଣଙ୍କୁ ଭୀଷଣ ଭାବେ କାମୁଡ଼ି ରାମ୍ପୁଡ଼ି ଖଣ୍ଡିଆ ଖାବରା କରିଦେଲା । ଚାରିଆଡ଼େ ଖାଲି ରକ୍ତ... ରକ୍ତ ! ଚିତାର ଦେହରୁ ବି ପ୍ରବଳ ରକ୍ତ ବହୁଥାଏ । ସେ ପୁଣି ପୋଲାଙ୍ଗ ବଣ ଭିତରେ କୋଉଠି ଲୁଚିଗଲା ।

 

ଚାରିଆଡ଼ ରକ୍ତରେ ଲାଲ ହୋଇଯାଇଥାଏ । ହ୍ୟୁଗୀ ସଂଜ୍ଞାହୀନ ହେଇ ପଡ଼ିଥାଆନ୍ତି । ଲୋକେ ଭୀତତ୍ରସ୍ତ । ପାଟି ତୁଣ୍ଡ । ଚିତ୍‍କାର । ପ୍ରାୟ ଷାଠିଏ ମିନିଟ୍ ପରେ ସେମାନେ ସାହସ ଜମାଇ ହ୍ୟୁଗୀଙ୍କ ପାଖକୁ ଆସିଲେ । ତାଙ୍କର ଡାହାଣ ହାତଟି ଟିକକରେ ଲଟକିଥାଏ, ନହେଲେ ପ୍ରାୟ ଛିଣ୍ଡି ଅଲଗା ହେଇଯାଇଥାଏ । ଲୋକେ ତାଙ୍କୁ ସେଇ ଘରକୁ ବୋହି ନେଲେ । ତାଙ୍କ ଦେହରୁ ପ୍ରବଳ ରକ୍ତପାତ ହେଉଥାଏ । ମୁଁ ଦୁଇଦିନ ପରେ ସେ ଜାଗାକୁ ଯାଇଥିଲି । ସେ ରକ୍ତଧାର ଦେଖି ମୁଁ ଚମକିଗଲି । ଏତେ ରକ୍ତପାତ ପରେ ଲୋକ ଯେ ବଞ୍ଚିପାରେ, ଏ ଧାରଣା କରିପାରୁନଥାଏ ।

 

ଶ୍ରୀମତୀ ଫ୍ଲକେଟ୍‍ଙ୍କର ଅପୂର୍ବ ଧୈର୍ଯ୍ୟ ଓ ସହିବା ଶକ୍ତି । ସେ କାର୍ ରେ ଆଘାତପ୍ରାପ୍ତ ସ୍ଵାମୀଙ୍କି ଶୁଆଇଦେଲେ । ଅନ୍ୟ ଚାରିଜଣ ଭୀଷଣ ଆହତ ଲୋକଙ୍କୁ ପୂରାଇଲେ । ବାଙ୍ଗାଲୋର୍‌ର ବାଓରିଙ୍ଗ୍ ହାସ୍‍ପାତାଳକୁ ଗାଡ଼ି ଚଳାଇନେଲେ । ବାକି ଆହତ ସାତଜଣ ଲୋକଙ୍କୁ ବାଙ୍ଗାଲୋର୍‌ର ଅନ୍ୟ ହାସ୍‍ପାତାଳ–ଭିକ୍ଟୋରିଆ ହାସ୍‍ପାତାଲରେ ଭର୍ତ୍ତି କରାଗଲା ।

 

ହ୍ୟୁଗୀଙ୍କୁ ରକ୍ତ ଦିଆଗଲା । ତାଙ୍କ ହାତଟାକୁ ରକ୍ଷା କରିବାର ଚେଷ୍ଟା ହେଲା । କିନ୍ତୁ ପରଦିନ ବାହୁଟା ପଚିବା ଆରମ୍ଭ କରିଦେଲା । ତେଣୁ ସେ ବାହୁକୁ କାଟି ଦିଆଗଲା । ଚିତାର ଆକ୍ରମଣ ଓ ପ୍ରବଳ ରକ୍ତପାତ ହ୍ୟୁଗୀଙ୍କ ପାଇଁ ଖୁବ୍ ବେଶି ହୋଇ ଗଲା । ସେ କେବଳ ବାଉଳି ହେବାରେ ଲାଗିଲେ । ଦିହରେ ଭୀଷଣ ତାତି । ପର ଦିନ ତାଙ୍କର ମୃତ୍ୟୁ ଘଟିଲା ।

 

ଏସବୁ ରବିବାର ସକାଳେ ସକାଳେ ଘଟିଗଲା । ସେଇ ଅପରାହ୍‍ଣରେ ଜଣେ ଛେଳିଆଳ ସେଇ ଆଡ଼କୁ, ମାନେ ଚିତାର ସମରକ୍ଷେତ୍ର‍ଆଡ଼କୁ ଯାଇଥାଏ । ସେ ରକ୍ତଦାଗ ଦେଖିଲା । ଜାଣିଲା ଚିତାଟା ପୋଲାଙ୍ଗ ବଣ ଛାଡ଼ିଦେଇଚି । ବନବିଭାଗର ଲଗାଯାଇଥିବା ନୂଆ ବଣ ଆଡ଼କୁ ରକ୍ତଦାଗ ପଡ଼ିଚି । ଜଲାହାଲ୍ଲିରେ ତା’ର ଦୁଇଟି ଭାଇ ଥାଆନ୍ତି । ଜଣେ କଲାଇୟା, ଆଉ ଜଣେ ପାପାଇୟା । ସେ ଏ ଦୁଇ ଜଣଙ୍କୁ ଚିତାର ସ୍ଥାନ ବଦଳାଇବା କଥା କହିଲା ।

 

ତା’ ପର ଦିନ । ସୋମବାର ସକାଳ । ଏ ଦୁଇଭାଇ ଠିକ୍‌କଲେ ଚିତାଟାକୁ ଡଗରାଇବେ । ଏ ଗୋଟାଏ ସାହସର କଥା, ହେଲେ, ଖୁବ୍ ବୋକାମି ବି । ବଡ଼ ଭାଇ କଲାଇୟା–ତା’ର ୧୨ ବୋର୍‍ର ପୁରୁଣାକାଳିଆ ହାମର୍‍ଟାଏ ଥାଏ । ମଝିଆଁ ଭାଇ ପାପାଇୟାର ଥାଏ ପୁରୁଣାକାଳିଆ ଦେଶୀ ବନ୍ଧୁକଟାଏ ।

 

ପାଖାପାଖି ହେଇ ଏ ଦିହେଁ ଚାଲିଲେ । ଉଭୟେ ବଡ଼ ସାହସୀ । ରକ୍ତ ଦାଗ ଦେଖି ଦେଖି ସେମାନେ ନୂଆ ଲାଗିଥିବା ବଣ ଆଡ଼କୁ ଆଗେଇଲେ ।

 

ଏମିତି ଯାଉ ଯାଉ ସେମାନେ ଅଲଗା ହୋଇଗଲେ । ଚିତାଟା ଆଖିର ପିଛୁଳାକେ କଲାଇୟା ଉପରକୁ ଲମ୍ଫ ଦେଲା । ତା’କୁ ତଳେ ପକାଇଦେଲା । ତା’ର ଗୁପ୍ତାଙ୍ଗ ନଷ୍ଟ କରିଦେଲା । ଏତେ ଜୋର୍ ରେ ସେ କଲାଇୟା ଉପରକୁ ଝାମ୍ପ ମାରିଲା ଯେ, ତା’ ହାତରୁ ବନ୍ଧୁକଟା ଛିଟିକିପଡ଼ିଲା । ବାଘଟା ତା’ ଉପରେ ମାଡ଼ିବସିଥାଏ । ସେ ବିକଳରେ ରଡ଼ି ଛାଡ଼ୁଥାଏ । ତା’ ଭାଇ ସେ ଆଡ଼କୁ ଧାଇଁ ଆସିଲା । ତା ଦେଶୀ ବନ୍ଧୁକରେ ସେ ଚିତା ବାଘଟାକୁ ଗୁଲିକଲା । ମୋତେ ଆଶ୍ଚର୍ଯ୍ୟ ଲାଗିଲା–ଏ ଅବସ୍ଥାରେ ତା’ ବଡ଼ଭାଇକି କେମିତି ଗୁଳିରେ ମାରିନି ।

 

ଚିତା ଏଥର ପୁଣି ଖଣ୍ଡିଆ ହେଲା । ସେ କଲାଇୟାକୁ ଛାଡ଼ିଦେଲା । ଡେଇଁପଡ଼ିଲା ପାପାଇୟା ଉପରକୁ । ସେ ମଧ୍ୟ ମୁହଁମାଡ଼ି ପଡ଼ିଲା । ବାଘଟା ତା’କୁ ମାଡ଼ିବସିଲା । ପଛ ପାଖରୁ ତା’ ଫୁସ୍‌ଫୁସ ଯାଏ କଣା । ହତଭାଗାର ଦୁଃଖ ଏତିକିରେ ସରିଲାନି । ବାଘ ତା’ ପଛ ଗୋଡ଼ରେ ତା’ ପିଠି ଓ ପିଚାସବୁ ଛିଣ୍ଡାଇଦେଲା–ତା’ପରେ ପଳାଇଗଲା ।

 

ମୁଁ ସେ ଦିନ ମଧ୍ୟାହ୍ନରେ ଆହାରରେ ବସିଥାଏ । ଜଣେ ଲୋକ ଧଇଁସଇଁ ହୋଇ ଆମ ଦ୍ଵାର ପାଖରେ ପହଞ୍ଚିଲା । ସେ ଝାଳରେ ସୁରୁବୁଡ଼ା ହୋଇଯାଇଥାଏ । ଏ ଖବର ଦେଲା । ଖୁବ୍ ଜଲ୍‌ଦି ମୁଁ ରାଇଫଲ୍, ସଟ୍‌ଗନ୍, ଟର୍ଚ୍ଚ ଧରି କାର୍‌ରେ ପଶିଗଲି । ମୋ ସ୍ତ୍ରୀ ମୋ ସଙ୍ଗେ ଯିବାକୁ ଜିଦ୍‌ ଧରିଲେ । ଆମ ବଙ୍ଗଳାର ଫାଟକ ପାରିହେଉଚି–ଭେଟିଲି ଏରିକ୍ ନ୍ୟୁକୋଜିଙ୍କୁ । ସ୍ଥାନୀୟ ପୁଲିସ୍ ବାହିନୀରେ ସେ କାମ କରନ୍ତି । ମୋତେ ଭେଟିବାକୁ ସେ ଆସୁଥାଆନ୍ତି । କ’ଣ କ’ଣ ଘଟିଚି ସଂକ୍ଷେପରେ ତାଙ୍କୁ କହିଲି । କ୍ଷମା ମାଗିନେଲି ଯେ, ସେଦିନ ଆଉ କଥାଭାଷା ହେଇପାରିବିନି । ମାତ୍ର ସେ ଶୁଣିବା ଲୋକ ନୁହନ୍ତି । ସେ ଆମ ସଙ୍ଗରେ ଯିବାକୁ ବାଧ୍ୟକଲେ ।

 

ଜଲାହାଲ୍ଲି ପହଞ୍ଚିବାକୁ ଆମକୁ ବେଶି ବେଳ ଲାଗିଲାନି । ସେ ସ୍ଥାନର ଚିତ୍ରଟା ବଡ଼ ହାସ୍ୟକର ହୋଇଉଠିଲା । ସେ ଗାଁର ବୁଢ଼ା ବୁଢ଼ୀ, ପିଲା ପିଲି ସବୁ ଆସି ଜମା । ସେ ନୂଆବଣ ପାଖରେ ସବୁ ଭିଡ଼ ଜମାଇଦେଲେ । ସମସ୍ତେ ଚେଷ୍ଟା କରୁଛନ୍ତି କୌଣସିମତେ ଟିକେ ଦେଖିନେବେ । ପାଖଆଖର ସବୁଗଛରେ ଲୋକ । ନିଜର ନିରାପତ୍ତା ଲାଗି ଗଛଗୁଡ଼ିକ ଭାଙ୍ଗିଦେବା ଉପରେ । ପ୍ରତି ଗଛ ମଣିଷ ଭାରରେ ଭାଙ୍ଗିବ ଭାଙ୍ଗିବ ହେଉଚି । ମାତ୍ର ଜଣେହେଲେ ଆଗକୁ ଯାଉନି କି ଯାଇନି । କଲାଇୟା ଓ ପାପାଇୟା ଗଲା ଚାରିଘଣ୍ଟା ଧରି ସେ ନୂଆବଣରେ ପଡ଼ି ଚିତ୍‌କାର କରୁଛନ୍ତି । ସେମାନଙ୍କୁ ରକ୍ଷା କରିବାକୁ କି ସାହାଯ୍ୟ କରିବାକୁ କାହାରି ବି ସାହସ କୁଳାଇଲାନାଇଁ ।

 

ଆମର ପ୍ରଥମ କାମ ହେଲା ଏ ଲୋକ ଦୁଇଜଣଙ୍କୁ ରକ୍ଷାକରିବା । ମୁଁ ତେଣୁ ବାରଜଣ ଲୋକଙ୍କୁ ସଙ୍ଗରେ ନେଲି । ଆମେ ସେ ବଣରେ ପଶିଲୁ । କଲାଇୟାର ଅବସ୍ଥା ଖୁବ୍ ଖରାପ । ସେ ଭୀଷଣ କଷ୍ଟ ପାଉଥାଏ । ପାପାଇୟାର ଫୁସ୍‌ଫୁସ୍‌ରୁ ରକ୍ତର ଫୋଟକା ବାହାରୁଥାଏ ।

ଆମେ ସେ ଦିଜଣଙ୍କୁ ମୋ’ କାର୍‌କୁ ବୋହିନେଲୁ । ମୁଁ ସେମାନଙ୍କୁ ଡାକ୍ତରଖାନାକୁ ନେବାକୁ କାର୍ ଚଳାଇବାକୁ ଆରମ୍ଭ କରିଚି–ହଠାତ୍ ଜଣେ ଲୋକ ଆସି ପହଞ୍ଚିଲା । ତା’ ହାତରେ ଥାଏ ଗୋଟାଏ ଲମ୍ବା ବର୍ଚ୍ଛା । ବର୍ଚ୍ଛାଟା ପ୍ରାୟ ବାରଫୁଟ ଲମ୍ବା । ଏତେ ବଡ଼ ବର୍ଚ୍ଛା । ମୁଁ ପ୍ରଥମ କରି ଜୀବନରେ ଦେଖିଲି । ଏ ପ୍ରକାର ଅସ୍ତ୍ରର ଉପାଦେୟତା କ’ଣ–ମୁଁ ବୁଝିବାରେ ଅକ୍ଷମ । ଲୋକଟି କହିଲେ ଯେ, ଚିତାଟା ସେ ଜାଗାରୁ ପ୍ରାୟ ତିନିଶଫୁଟ ଦୂରରେ ଲୁଚିଯାଇଚି । ତା’ସଙ୍ଗେ ଗଲେ ଜନ୍ତୁଟାକୁ ମାରିବା ଖୁବ୍ ସହଜ ହେବ ।

ଏ କଥାରେ ମୁଁ ଗୋଟାଏ ବଡ଼ ଭୁଲ୍ କରିପକାଇଲି । ମୋ’ର ପ୍ରଥମ କାମ ଥିଲା ଆହତମାନଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚାଇବା । ମାତ୍ର ଖୁବ୍ ଅଳ୍ପ ସମୟ ପରେ ଗୋଟାଏ ଦୁର୍ଦ୍ଧର୍ଷ ଚିତାକୁ ମାରିବାର ଲୋଭ ମୋତେ ବିଭ୍ରାନ୍ତ କରିଦେଲା, ମୋର ବିବେକକୁ ବଣା କରିଦେଲା-। ମୁଁ ସଙ୍ଗେ ସଙ୍ଗେ ଠିକ୍ କଲି ସେ ଜୀବଟାକୁ ଯାଇ ଗୁଳିକରିବି । ଏରିକ୍ ନ୍ୟୁକୋମ୍ବ ମୋ’ ସଙ୍ଗେ ଯିବାକୁ ଚାହିଁଲେ । ତାଙ୍କ ହାତକୁ ମୁଁ ମୋ’ର ୧୨ ବୋର୍ ସଟ୍‌ଗନ୍ ବଢ଼ାଇଦେଲି । ଏହାର ବାଁପାଖ ବାରେଲରେ ଥାଏ ଏଲ୍.ଜି ଓ ଡାହାଣ ପାଖେ ଥାଏ ଗୋଟାଏ କାଟ୍ରିଜ୍‍ । ତା’ସହ ଆଉ କେତୋଟି ଗୁଳି । ମୋ ପାଖେ ଥାଏ, ୪୦୫ ରାଇଫଲ । ଏହା ହେଲା ମୋ’ର ଆଉ ଏକ ଭୁଲ୍ । ପରବର୍ତ୍ତୀ ଘଟଣାରୁ ଏ ଭୁଲ୍ ପ୍ରମାଣିତ ହୋଇଗଲା । ସଟ୍‌ଗନ୍‌ଟା ମୋ ପାଖେ ରହିଥିଲେ ଭଲହୋଇଥାଆନ୍ତା-। ଆମ ସଙ୍ଗେ ଆଉ କେହି ଯିବାକୁ ସାହସ କଲେନି । କେବଳ ସେଇ ଲମ୍ବା ବର୍ଚ୍ଛାଧାରୀ ଲୋକଟି ସାଥିରେ ଥାଏ । ମୋ ସ୍ତ୍ରୀ ପଛରେ–ବେଶ୍ ଦୂରରେ ଥାଆନ୍ତି ।

ବର୍ଚ୍ଛାଧାରୀ ଗୋଟିଏ ନିର୍ଦ୍ଦିଷ୍ଟ ବୁଦା କଥା କହୁଥିଲା । ଆମେ ସେ ପାଖର ଗୁଡ଼ାଏ ବୁଦା ଆଡ଼କୁ ଗଲୁ । ଆମେ ସେ ବୁଦାଗୁଡ଼ିକଠୁଁ ପଚିଶଗଜ ଦୂରରେ ଥାଉଁ, ଏରିକଙ୍କୁ କହଲି ମୋ ଡାହାଣକୁ ପ୍ରାୟ ତିରିଶଗଜ ଦୂରକୁ ଯିବାକୁ–ତା’ହେଲେ ଆମ ଉଭୟଙ୍କ ଭିତରେ ଗୁଳି ବିନିମୟର ଭୟ ରହିବନି–ପୁଣି ଜନ୍ତୁଟା କୁଆଡ଼େ ଖସିଯାଇ ପାରିବନି । ମୁଁ ବର୍ଚ୍ଛାଧାରୀକୁ କହିଲି ସେ ବୁଦା ଉପରକୁ ପଥର ମାରିବାକୁ । ପ୍ରାୟ କୋଡ଼ିଏ ମିନିଟ୍ ଧରି ସେ ପଥର ଫିଙ୍ଗିଲା । ଆମେ କିଛି ଶୁଣିଲୁନି, କିଛି ଦେଖିଲୁନି । ତା’ପରେ ମୋ’ର ସନ୍ଦେହ ହେଲା–ଏ ପାଖଆଖରେ ବୋଧହୁଏ ଚିତାଟା ନାଇଁ । ଖୁବ୍ ଅଳ୍ପ ସମୟ ପରେ ଏରିକ୍ ପାଟିକରି କହିଉଠିଲେ–ସେ ବୁଦାର ଭିତରକୁ ଦେଖିପାରୁଛନ୍ତି । ହେଲେ, ସେଠି ଚିତା ନାଇଁ ।

 

ଏ ଭିତରେ ଲୋକେ ବି ଟିକେ ସାହସ ପାଇଗଲେ । ସେମାନଙ୍କ ମଧ୍ୟରୁ କେତେକ ସାହସୀ ଲୋକ ଆମ ସହିତ ଯୋଗଦେଲେ । ସେମାନଙ୍କ ଭିତରେ ଜଣେ ଲୋକର କୁକୁରଟିଏ ଥାଏ । ଏଇ କୁକୁରକୁ ଆମେ ସେ ବୁଦାରେ ପୂରାଇବାର ଚେଷ୍ଟାକଲୁ, ଉଦ୍ଦେଶ୍ୟ କୁକୁରଟି ଆମକୁ ଚିତାର ଉପସ୍ଥିତି କଥା ଜଣାଇଦେଇ ପାରିବ । ମାତ୍ର ସେ କୁକୁର ଭିତରକୁ ଯିବାକୁ ଆଦୌ ମଙ୍ଗିଲାନି–ବରଂ ବାହାରେ ରହିଲା–ଆଉ ସେଇ ବୁଦାଆଡ଼କୁ ଚାହିଁ ଭୁକିବାକୁ ଲାଗିଲା ।

 

ଆଗରୁ ଭାବୁଥିଲି ଚିତାଟି ସେଠି ନାଇଁ । କୁକୁରର ବ୍ୟବହାର ଓ ଭୁକିବା ମୋତେ ସତର୍କ କରିଦେଲା । ମୋ ମତ ବଦଳାଇବାକୁ ବାଧ୍ୟ ହେଲି । ମାତ୍ର ଏରିକ୍ ଏ ଭିତରେ ଅଧୀର ହୋଇଉଠିଲେ । ସେ ବୁଦାର ଖୁବ୍ ପାଖକୁ ଚାଲିଗଲେ । ତା’ଛଡ଼ା ସେ ନିଜେ ବୁଦାକୁ ପଥର ଫିଙ୍ଗିବା ଆରମ୍ଭ କରିଦେଲେ । ତାଙ୍କର ତିନି ଚାରିଟା ପଥର ପଡ଼ିବା ଯାଏ କିଛି ଘଟିଲା ନାହିଁ । ତା’ପରେ ସେ ଗୋଟାଏ ବଡ଼ ପଥର ଫିଙ୍ଗିଲେ । ପଥଟା ଚିତାର ଖୁବ୍ ପାଖରେ ପଡ଼ିଥିବ–ତା’ ପରେ ଆଉଁ... ଆଉଁ ଡାକଛାଡ଼ି ଗୋଟାଏ ହଳଦିଆ ଆଲୁଅ ଶିଖାପରି ଜନ୍ତୁଟା ମାଡ଼ିଆସିଲା । ସଟ୍‌ଗନ୍ ଉଠାଇବା ପାଇଁ ଏରିକ୍ ବେଳ ପାଇଲେନି । ଭୀତତ୍ରସ୍ତ ହୋଇ ସେ ଟ୍ରିଗାର ଚିପିଦେଲେ । ବୋଧହୁଏ ନିଜକୁ ବିପଦରୁ ରକ୍ଷା କରିବାକୁ ସେ ଉପାୟହୀନ ହୋଇ ଏକାମ କରିଥିଲେ । ଗୁଳି ଫୁଟିଲା । ମାଟି କଣା ହୋଇଗଲା । ଜନ୍ତୁଟା ତରକିଗଲା । ମାତ୍ର ଏ ତରିକିବା ଖୁବ୍ ଅଳ୍ପ ସମୟ ପାଇଁ । ଗୋଟାଏ ସେକେଣ୍ଡ ଭିତରେ ଚିତା ଡେଇଁପଡ଼ିଲା ଏରିକ୍‌ଙ୍କ ଉପରକୁ । ତାଙ୍କ ହାତରୁ ବନ୍ଧୁକ ଛଡ଼ାଇଦେଲା ଜୀବଟା । ସେ ଏରିକ୍‌ଙ୍କୁ କୁଣ୍ଢାଇଧରିଥାଏ । ଏରିକ୍ ବି ଧରିଥାଆନ୍ତି । ଦିହେଁ ଧରା ଧରି ହେଇ ଗଡ଼ୁଥାଆନ୍ତି । ସେ ପାଖରେ ଗୋଟାଏ ଛୋଟ ଖଣା, ଆଉ ଅନେକ ବଡ଼ ବଡ଼ ଘାସର ବହଳ ଆସ୍ତରଣ ।

 

ଏରିକ୍ ଚିତ୍‌କାର କରୁଥାଆନ୍ତି ଚିତାଟାକୁ ଗୁଳିକରିବାକୁ । ଚିତାଟା ଭୟାନକ ଭାବରେ ଗର୍ଜୁଥାଏ । ଭୀଷଣ ଭାବରେ ଲମ୍ବ ଘାସଗୁଡ଼ାକ ନାଚିଯାଉଥାଏ । ମୁଁ ଆଗକୁ ଧାଇଁଗଲି । ଏ ଶକ୍ତିଶାଳୀ ରାଇଫଲ୍‌ଟା ଚଳାଇବାକୁ ସାହସ କରୁନଥାଏ । ଉଭୟେ ଏରିକ୍ ଓ ଚିତା ଯେମିତି ଧରାଧରି ହେଇ ଗଡ଼ୁଚନ୍ତି, ସେଥିରେ ଗୁଳି ଚିତାର ଦେହରେ ବାଜିଲେ ବି ଏରିକ୍ ରକ୍ଷାପାଇନପାରନ୍ତି ।

 

ହଠାତ୍ ଚିତାଟା ଏରିକ୍‌ଙ୍କୁ ଛାଡ଼ିଦେଲା । ନାଳପାଖରେ ଥିବା ଲାଣ୍ଟାନାବୁଦା ଆଡ଼କୁ ସେ ଡେଇଁ ପଳାଇଲା । ମୁଁ ଗୁଳିକଲି । ପରେ ଆବିଷ୍କାର କଲି ଗୁଳିଟା ଜନ୍ତୁର ବେକତଳୁ ଗୋଟାଏ କଣାକରି ଚାଲିଯାଇଥିଲା ।

 

ଭାବୁଥିଲି ଏରିକ୍ ଖୁବ୍ ଆହତ ହେଇ ଅସହାୟ ଅବସ୍ଥାରେ ପଡ଼ିଥିବେ । ମାତ୍ର ଦେଖି ଖୁସି ଲାଗିଲା ଯେ, ଚିତାଟା ଚାଲିଯିବା ପରେ ଏରିକ୍ ବିଜୁଳିଗତିରେ ଡେଇଁ ପଡ଼ିଲେ । ତାପରେ ଅନ୍ଧାଧୁନିଆ ଭାବରେ ଚିତାର ବିପରୀତ ଦିଗରେ ଖୁବ୍ ଜୋର୍‌ରେ ଦଉଡ଼ିଲେ । ସେଇଦିନୁଁ ମୁଁ ତାଙ୍କର ଏମିତି ଦଉଡ଼ି ପଳାଇବାକୁ ନେଇ ଅନେକଥର ଚିଡ଼ାଇଚି । ଏରିକ୍‌ଙ୍କ ଦେହରେ ଅନେକ ଦାଗ । ତାଙ୍କର ଡାହାଣ କଡ଼ଟା ଚିତାର ଦାନ୍ତରେ କ୍ଷତ ବିକ୍ଷତ ହୋଇଥାଏ । ତାଙ୍କର ଗୋଟାଏ ପଞ୍ଜରାହାଡ଼ ଚିତାର ଦାନ୍ତ ବାଜି ଫାଟିଯାଇଥାଏ । ତାଙ୍କର ପିଚା ଓ ବାହୁକୁ ରାମ୍ପୁଡ଼ି ସେ ଫଡ଼ାଫଡ଼ା କରିଦେଇଥାଏ ।

 

ସେଇ ଦିନଠୁଁ ଆମେ ଏ ଦିନଟାକୁ କେବେହେଲେ ଭୁଲିନୁ । ଆମେ ବାଓରିଂ ହାସପାତାଳକୁ ଗଲୁ । ମୋ କାର୍‌ର ସିଟ୍ ମଣିଷ ରକ୍ତରେ ଭିଜିଯାଇଥାଏ । ଦିନର ଅବଶିଷ୍ଟାଂଶ ପୁଲିସ୍ ଆଗରେ ବୟାନ କରିବାରେ, ସାକ୍ଷ୍ୟ ଲେଖିବାରେ କଟିଗଲା । ସେମାନେ ଆମ୍ଭମାନଙ୍କୁ ଅନେକ ପ୍ରଶ୍ନ ପଚାରିଲେ । ସେ ସବୁ ପ୍ରଶ୍ନର ଉତ୍ତର ଦେବାରେ ଅନେକ ବେଳ ଚାଲିଗଲା । ପୁଲିସଙ୍କ ପ୍ରଶ୍ନ ଭିତରୁ ଅନେକ ଥିଲା ନିତାନ୍ତ ଅବାନ୍ତର ଓ ନିରର୍ଥକ ।

 

ବିଚରା କଲାଇୟା ! ଭୟାନକ ଯନ୍ତ୍ରଣା ସହିଲା । ସେଇ ରାତିରେ ତା’ ଜୀବନ ଗଲା । ତା’ ଭାଇ ପାପାଇୟା ଭଲହେଲା ଦୀର୍ଘ ମାସକ ପରେ । ତା’ ଫୁସ୍‌ଫୁସ୍ ଖଣ୍ଡିଆ ହୋଇଥିଲା । ସେଥିରେ ସେ ଯିବଯିବ ହୋଇ ଠାକିଗଲା । ଏରିକ୍ ନ୍ୟୁକୋମ୍ବଙ୍କ ଥିଲେ ସୁଗଠିତ ଶରୀର । ଅପୂର୍ବ ଶକ୍ତି ତାଙ୍କର । ତା’ଛଡ଼ା ବୋଧହୁଏ ଈଶ୍ୱରଙ୍କ ଦୟାରୁ ପନ୍ଦର ଦିନ ଭିତରେ ଚେଙ୍ଗା ହୋଇଉଠିଲେ-। ଏ ମଧ୍ୟରେ ଟିକେ ବି ତାତି ନାଇଁ କି ଆଉ କିଛି ଶାରୀରିକ ଗୋଳମାଳ ନାଇଁ ।

 

ତା’ ପରଦିନ ମଙ୍ଗଳବାର । ଅନେକ ଶିକାରୀ ଏ ଚିତାଟାର ପଛରେ ଲାଗିଲେ । ପାଖର ତମାଖୁ କାରଖାନାର ଲୟଡ଼୍‌ସତ୍ଵାର୍ଥ ଥିଲେ ଭଲ ଶିକାରୀ । ସେ ବି ଏ ଦଳରେ ଯୋଗଦେଲେ । ଆଉ ଜଣେ ବଡ଼ ଶିକାରୀ ଥିଲେ ବେକ୍ । କେହି ଚିତାଟିର କୌଣସି ଚିହ୍ନ ବର୍ଣ୍ଣ ପାଇଲେନି । ସବୁ ରକ୍ତ ଚିହ୍ନ ଲିଭିଗଲା । ଚିତାଟା ସତେ ଯେମିତି ମହାଶୂନ୍ୟ ଭିତରେ କୁଆଡ଼େ ଉଭେଇଗଲା !

 

ସେଦିନ ସଞ୍ଜରେ ସେ ଜଣେ ଗାୟାଳ ପିଲାକୁ ମାରିଲା । ଚିତା କୌଣସି ବୁଦା ଆଢ଼ୁଆଳରେ ଲୁଚିରହି ବିଶ୍ରାମ ନେଉଥିଲା । ପିଲାଟି ତା’ ପାଖରେ ହାବୁଡ଼ିପଡ଼ିଚି । ଚିତା ତା’କୁ ମାରି ଖତମ କରିଦେଇଚି । ଆଗର ଘଟଣା ସ୍ଥଳରୁ ଏ ଜାଗାଟାର ଦୂରତା ଥିଲା ପ୍ରାୟ ଏକମାଇଲ-। ଚିତା ପିଲାଟିର ଗଳାକୁ ଧରିଚି । ତା’ ଶଙ୍ଖନଳା କଣାକରିଚି । ସେଇଠି ପିଲାଟି ଶେଷହୋଇଯାଇଚି ।

 

ପଞ୍ଚମ ଦିନ । ସକାଳ । ବୁଧବାର । ମୁଁ ଯାଇ ପହଞ୍ଚିଲି ସେଇ ଜାଗାରେ... ଯୋଉଠି ଏ ଗାୟାଳ ପିଲାଟିକୁ ଚିତା ମାରିଥିଲା । ଆହତ ଜନ୍ତୁଟାର ପଛେ ପଛେ ଯାଇ ତାକୁ ମାରିବାକୁ ଚେଷ୍ଟାକଲୁଁ । ସେ ଜନ୍ତୁଟା ବହୁବାର ଆହତ ହୋଇସାରିଚି । ମାତ୍ର ତା’ ଦିହରୁ ରକ୍ତ ଝରିବା ବନ୍ଦ ହୋଇ ଯାଇଥାଏ । ବାହାରେ ରକ୍ତ ଜମାଟ ବାନ୍ଧିବାରୁ ରକ୍ତ ଝରିବା ବନ୍ଦ ହୋଇଥାଏ । ମୋର ବିଶ୍ୱାସ, ଭିତରେ ଭିତରେ ରକ୍ତ ଝରିବା ବନ୍ଦ ହୋଇନଥିବ । ଘନ ଘାସ ଓ ଲାଣ୍ଟନା ବୁଦା ମଧ୍ୟରେ ମୁଁ ବାରମ୍ବାର ଝୁଣ୍ଟି ପଡ଼ୁଥିଲି । ଗଡ଼ାଣିରେ ଅଧାବାଟ ଯାଇଚି–ଚିତା ବୋଧହୁଏ ମୋତେ ଦେଖିନେଲା । ନହେଲେ, ମୋ ଆସିବା ଶବ୍ଦ ଶୁଣିଲା । ସେ ଗର୍ଜନ କରିବାକୁ ଲାଗିଲା । ଏ ଗର୍ଜନ ଥିଲା ପ୍ରତିବାଦର–ଆଉ ଆଗକୁ ଆସନି–ଆସିଲେ ଫଳ ଭଲହେବନି । କହିବାକୁ ଗଲେ, ଏ ଗର୍ଜନ ମୋ ପାଇଁ ଏକ ଅମୂଲ୍ୟ ଜିନିଷ ହୋଇଗଲା । ତା’ ନ ହେଲେ ଏଇ ଶିକାର କାହାଣୀଟି ବର୍ଣ୍ଣନା କରିବାକୁ ମୁଁ ରହି ନ ଥାଆନ୍ତି । ଘାସ ଓ ବୁଦା ଏତେ ଘଞ୍ଚ ଥାଏ ଯେ, ମୁଁ ଆଉ ଆଗକୁ ଯାଇପାରିଲିନି । ସେଇଠି ଅପେକ୍ଷା କରି ଘଟଣାକୁ ଲକ୍ଷ୍ୟ କରିବାକୁ ଲାଗିଲି । ମୁଁ ଆଗକୁ ଯାଇଥିଲେ ମୋ ପକ୍ଷରେ ତାହା ଏକଆତ୍ମଘାତୀ ପଦକ୍ଷେପ ହୋଇଥାଆନ୍ତା । ମନେ ମନେ ଓଜନ କରୁଥିଲି ସମସ୍ତ ଘଟଣାକୁ । ଚିତାଟା ଯେତେ ଯେତେ ଗୁଳି ଖାଇ ଘାଏଲା ହେଇଚି, ଦିନେ ଦି ଦିନ ଭିତରେ ନିଶ୍ଚୟ ଖତମ ହେଇଯିବ । ତେଣୁ ଗୋଟାଏ ବିପଦ ମୁଣ୍ଡାଇବା ଉଚିତ ନୁହେଁ ।

 

ସେ ଦିନ କିଛି ସମୟ ପରେ ଗୋଟାଏ ମଜାଳିଆ କଥା ହେଲା । ଏ ଭିତରେ ବାଙ୍ଗାଲୋର୍‌ରୁ ପୁଲିସ ବାହିନୀ ଆସିଥାଆନ୍ତି । ପ୍ରାୟ ତିରିଶ ଜଣ ଯାଏ ପୁଲିସ୍ ଗୋଟାଏ ଭ୍ୟାନ୍‌ରେ ଚଢ଼ିଲେ । ସେମାନେ ସିଙ୍ଗଲ୍ ସଟ୍‌ଗନ୍ ଧରିଥାଆନ୍ତି । ପୁଲିସ୍ ଭ୍ୟାନ୍‌ଟିର ଚାରିପାଖ ଇସ୍ପାତର କଠିନ ଚଦରରେ ଘେରାଥାଏ । ସେ ସମୟରେ ଲୋକ ଆନ୍ଦୋଳନ ଚାଲିଥାଏ । ଅନେକ ସମୟରେ ଲୋକେ ପୁଲିସ ଗାଡ଼ିକୁ ପଥର ଫିଙ୍ଗନ୍ତି । ତେଣୁ ଏ ଭ୍ୟାନ୍‌କୁ ଏମିତି ତିଆରି କରାଯାଇଥାଏ । ଡ୍ରାଇଭର୍ ଗାଡ଼ି ନେଇ ଏ ନୂଆ ସରକାରୀ ବନକୁ ଆସିବ । ସେ ବନସାରା ବୁଲି ଜନ୍ତୁଟାକୁ ତା ଭିତରୁ ବାହାର କରିବାର ଚେଷ୍ଟା ହେବ–ଏହାଇଁ ଥିଲା ଗାଡ଼ିର ଚାଳକ ପ୍ରତି ନିର୍ଦ୍ଦେଶ-। ମାତ୍ର ସେ ଜଙ୍ଗଲର ପ୍ରାକୃତିକ ଅବସ୍ଥା ସହିତ ସେ ସେମିତି ପରିଚିତ ନଥାଏ । ତାର ସମସ୍ତ କୌଶଳ ପ୍ରୟୋଗ କରି ଗାଡ଼ି ଚଳାଉଥାଏ । ହଠାତ୍ ଗାଡ଼ିଟା ଗୋଟାଏ ଗାତ ଭିତରେ ଅଧା ଓଲଟି ପଡ଼ିଲା । ସେ ଗାତଟା ଘାସରେ ପୂର୍ଣ୍ଣଥିଲା । ଲୁଚିରହିଥିଲା । ଚାଳକ ଜାଣିପାରିଲାନି-। ଚାଳକ ଓ ପୁଲିସ୍ ବାହିନୀ ଓଲଟିପଡ଼ିଥିବା ଗାଡ଼ି ଭିତରେ ବନ୍ଦୀ ହୋଇ ରହିଥାଆନ୍ତି । ସାହାଯ୍ୟ ପାଇଁ ସେମାନେ ପ୍ରାଣପଣେ ଚିତ୍‌କାର କରୁଥାଆନ୍ତି । କିଏ ଆଗ ଓହ୍ଲାଇବ–ଏ ପ୍ରଶ୍ନ ସମସ୍ତଙ୍କୁ ବ୍ୟାକୁଳ କରୁଥାଏ । ଗୋଟାଏ ମଣିଷମରା ବାଘ ଯେ ଜଙ୍ଗଲରେ ବୁଲୁଚି ! ଯିଏ ବାହାରିବ ବାଘ ତାକୁ ମାରିବ । ଏ ଡରରେ ସମସ୍ତେ ଛାନିଆଁ ।

 

ଦୂରରୁ ସେମାନଙ୍କ ପାଟିତୁଣ୍ଡ ଆମେ ଶୁଣିପାରିଲୁ । ସେମାନଙ୍କ ପାଖକୁ ଗଲୁ । ଆଇନ୍‌ର ରକ୍ଷକ ବାହିନୀକି ରକ୍ଷାକଲୁ । ତାପରେ ସେମାନେ କୌଣସିମତେ ଗାଡ଼ିଟିକୁ ଗାଡ଼ରୁ ଉଠାଇଲେ । ବାରାକ୍‌କୁ ଫେରିଗଲେ । ସେମାନେ କୁଆଡ଼େ ଶୁଣିଲେ ଯେ ଚିତାଟା ହେଣ୍ଟାଳ ଛାଡ଼ୁଚି । ତେଣୁ ଚିତା ସହିତ ଲଢ଼ିବାପାଇଁ ପୁଲିସ୍ ବାହିନୀ ବାହାରିଆସିଲେ । ଅଥଚ କି ହଟହଟା ନହେଲେ !

 

ମୁଁ ଠିକ୍ କରିଥାଏ–ସରକାରଙ୍କ ସେଇ ନୂଆଗଛ ଲାଗିଥିବା ବଣକୁ ନିତି ସକାଳ ସାତରେ ଯିବି–ଫେରିବି ସନ୍ଧ୍ୟାରେ । ଏମିତି ପାଞ୍ଚଦିନ ଗଲା । ଷଷ୍ଠ ଦିନର ମଧ୍ୟାହ୍ନ । ହଠାତ୍ ଦେଖିଲି ଆକାଶରେ ଉଡ଼ୁଛନ୍ତି ପଲେ ଶାଗୁଣା । ମୁଁ ବାଇନାକୁଲାର ଲଗାଇଲି । ଦେଖିଲି ଶାଗୁଣାମାନେ ଏ ବଣର ଗୋଟାଏ ନିର୍ଦ୍ଦିଷ୍ଟ ଜାଗାରୁ ଓହ୍ଲାଉଛନ୍ତି । ପ୍ରକୃତରେ ଏଇଟା ହେଉଚି ସେଇ ଅଞ୍ଚଳ–ଯୋଉଠୁ ଚିତାର ଗର୍ଜନ ଶୁଣି ମୁଁ ଫେରିଆସିଥିଲି ।

 

ଜାଣିଲି ସେ ପକ୍ଷୀଗୁଡ଼ିକ କିଛି ଗୋଟାଏ ମଢ଼ ପାଇଛନ୍ତି । ହୁଏତ ନିଜେ ଚିତାର ମଢ଼ ଅଥବା ଚିତା ମାରିଥିବା କୌଣସି ପଶୁର ମଡ଼ା ହୋଇପାରେ । ଆଉ ବେଳ ନଷ୍ଟ ନକରି ବାହାରିପଡ଼ିଲି । ଲାଣ୍ଟାନା, ଘାସ ଓ କଣ୍ଟାର ଗହଳ ବଣ । ତାକୁ ଭେଦକରି ମୋତେ ଯିବାକୁ ହେବ-। ପ୍ରତି ପଦକ୍ଷେପରେ ଚାରିଆଡ଼କୁ ଅନାଉଁଥାଏ । କାନଉ ଥାଏ । ସଜାଗ । କୋଉ ଦିଗରୁ ଭାସି ଆସିବ ଚିତାର ଗୁରୁ ଗମ୍ଭୀର ଧ୍ଵନି ! ତାପରେ ହୁଏତ ସେ ମୋ ଉପରେ ଝାମ୍ପି ପଡ଼ିବ । ଏଇ ଆଶଙ୍କା ଭିତରେ ବାଟ କାଟି ଚାଲିଥାଏ । କିଛି ଘଟିଲାନି । ଶେଷକୁ କଣ୍ଟା ଆଡ଼େଇ ଆଡ଼େଇ ପହଞ୍ଚିଲି ସେଇ ଉପତ୍ୟକାରେ । ପ୍ରାୟ ପଚାଶ ଗଜ ଯାଇଚି–ଶାଗୁଣାଗୁଡ଼ାକ ଓଜନିଆ ଡେଣା ହଲାଇ ଉଡ଼ିଗଲେ । ଆଗେଇଲି । ପହଞ୍ଚିଲି ଗୋଟାଏ ଛୋଟ ଜଳାଶୟ ପାଖରେ । ତାରି ପାଖରେ ମରିପଡ଼ିଚି ଚିତାଟା । ସେ ଠିକ୍ ପାଣି ପିଇବାକୁ ଯାଉଥିଲା–ମରିଚି ।

 

ଅଭାଗା ଜୀବଟା । ଭିତରେ ଭିତରେ ତାର ବହୁ ରକ୍ତ କ୍ଷୟହୋଇଚି । ଭୀଷଣ ଜ୍ଵର ଓ ଯନ୍ତ୍ରଣା ଭୋଗିଚି । ଶୋଷରେ ଆକୁଳ ହୋଇଚି । ପାଣି ପିଇବା ପାଇଁ ସେ ଘୁଷୁରି ଘୁଷୁରି ଆସିଚି-। ସେଥିରେ ତା ଦିହରୁ ଆହୁରି ରକ୍ତ କ୍ଷୟ ହୋଇଚି–କାରଣ ପାଣିରେ ମେଞ୍ଚା ମେଞ୍ଚା ରକ୍ତଥୋଲା । ମରିବା ଆଗରୁ ଜନ୍ତୁଟା ରକ୍ତ ବାନ୍ତିକରିଚି । ସେ ଜଳାଶୟର ଅଧା ଏ ରକ୍ତରେ ଲାଲ ହୋଇଯାଇଚି-। ଶାଗୁଣାମାନେ ଏଇଠି ପଡ଼ୁଥିଲେ । ତା’ର ଚମଡ଼ାକୁ ନଷ୍ଟ କରିନାହାନ୍ତି ।

 

ଜଲାହାଲ୍ଲିକୁ ଗଲି । ଲୋକ ଠିକ୍ କଲି । ଗୋଟାଏ ଲମ୍ବା କାଠରେ ଚିତାର ମଡ଼ାଟାକୁ ବୋହି ଆଣିଲେ ସେମାନେ । ମୋ କାର୍‌ରେ ପକାଇ ଯେଶମ୍ୱତପୁର ପୁଲିସ୍ ଷ୍ଟେସନକୁ ଗଲି । ସେଠି ଚିତାର ମୃତ୍ୟୁ ଖବର ଜଣାଇଲି । ଏଠି ମୋତେ ତିନିଘଣ୍ଟା ଅପେକ୍ଷା କରିବାକୁ ହେଲା । ଯୋଉ ଅଫିସର ମୋ ଖବର ଲେଖିବା କଥା ସେ ନଥିଲେ । ବଡ଼ ବ୍ୟସ୍ତ ଲାଗୁଥାଏ । ଚିଡ଼ି ଲାଗୁଥାଏ ବି । ଡେରିହେଲେ ଚିତାର ଚମଡ଼ାଟି ନଷ୍ଟ ହୋଇଯିବ ।

 

ଶେଷରେ ଚିତାର ମୃତ ଶରୀରଟା ନେବାକୁ ମୋତେ ଅନୁମତି ମିଳିଲା । ନିଃସନ୍ଦେହ । ମୁଁ ଏଥିରେ ଖୁବ୍ ଖୁସି ହେଲି । ବେଗି ବେଗି ଚିତାର ଚମଡ଼ା ଉତାରି ପକାଇଲି । ଏଥିପାଇଁ ମୋତେ ବେଶ୍ ସତର୍କ ରହିବାକୁ ହୋଇଚି । ଚମଡ଼ା ଉତାରିଲାବେଳେ ଚିତାଟି କାହିଁକି ଓ କିପରି ଗୋଟାଏ ହତ୍ୟାକାରୀ ପାଲଟି ଗଲା, ସେ କଥାର ଆଗ ପଛ ଭାବୁଥାଏ ।

 

ସେଇ ମୋଟା ପୁଲିସ୍ ଦଫେଦାର ୩୦୩ ଗୁଳିରେ ଚିତାର ଆଗ ବାଁଗୋଡ଼ରେ ଖଣ୍ଡିଆ କରିଥିଲେ । ସେଥିରେ ପୋକପଡ଼ିଥିଲେ । ସେ ଅଂଶଟା ପୁରା ପଚିଯାଇଥାଏ । ହ୍ୟୁଗୀ ଫ୍ଲକେଟ୍‌ଙ୍କ ସଟ୍‌ଗନ୍‌ର ଗୁଳି ଜନ୍ତୁଟିର ଦେହରେ ପଶି ବାହାରିଯାଇଥାଏ, ପେଟ କାଟି ଦେଇଥାଏ–ମାତ୍ର ସେମିତି ମରଣାନ୍ତକ କ୍ଷତି କରିନଥାଏ । ଏଲ୍.ଜି ଗୁଳିଟିଏ ଚିତାର କପାଳରେ ପଶିରହିଥାଏ । ଏଇ ଗୁଳି ଯୋଗୁଁ ଚିତାଟି ନିଶ୍ଚଳ ହୋଇ ପଡ଼ିରହିଗଲା । ଫଳରେ ଜୀବଟା ମରିଚି ଭାବି ଫ୍ଲକେଟ୍ ଆଗେଇଗଲେ ଓ ତା ଉପରେ ଗୋଡ଼ ପକାଇ ଦେଲେ । ପାପାଇୟାର ଦେଶୀ ନଳୀରୁ ପାଞ୍ଚଟା ସ୍ଲଗ୍ ଚିତାର କଡ଼ରେ ଲାଖି ରହିଥିଲା । ଏଥିରେ ବି ଜୀବଟାର ଭୀଷଣ କ୍ଷତିର ସମ୍ଭାବନା ନଥିଲା । ଶେଷରେ ମୋ ଗୁଳି । ନ୍ୟୁକୋମ୍ୱଙ୍କୁ ଛାଡ଼ି ଚିତାଟା ଡେଇଁ ପଳାଇ ଯାଉଥିଲା । ମୋ ଗୁଳି ତେଣୁ ଠିକ୍ ଜାଗାରେ ବାଜିନି । ତା’ର ବେକ ଉପରେ କଣା କରି ଉପର ଅଂଶରେ ଯାଇଚି ।

 

ମୁଁ ଏ ଚମଡ଼ାଟା କୋର୍ଟରେ ଦେଖାଇଲି । ସର୍କାରଙ୍କୁ ଜଣାଇଲି ଯେ କଲାଇୟାର ପରିବାରରେ ସେ ଥିଲା ଏକମାତ୍ର ଉପାର୍ଜନକ୍ଷମ ଲୋକ–ସର୍କାର ତାର ପରିବାର ପାଇଁ କିଛି ଜମି ଦିଅନ୍ତୁ–ଆଉ କିଛି ଆର୍ଥିକ ସାହାଯ୍ୟ ଦିଅନ୍ତୁ । ଖୁସି ଲାଗିଲା, ସର୍କାର ଏ ଅନୁରୋଧ ମଞ୍ଜୁର କଲେ-

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା । ଜଲାହାଲ୍ଲିର ବିପୁଳ ପରିବର୍ତ୍ତନ ହେଲା । ସରକାରଙ୍କ ନୂତନ ରୋପିତ ବନ ଓ ପୋଲାଙ୍ଗ ବନ କଟାଗଲା । ତା’ ଜାଗାରେ ଠିଆହେଲା ନୂଆ ଘରସବୁ । ସେ ଘରେ ଇଟାଲିର ବନ୍ଦୀମାନଙ୍କୁ ରଖାଗଲା । ପରେ ଗୋଟାଏ ବଡ଼ ହାସ୍‌ପାତାଳ ହେଲା । ଆଉ ପରେ ବାୟୁ ସେନାମାନଙ୍କ ତାଲିମ୍ କେନ୍ଦ୍ର ହେଲା । ଭାରତରେ ବାୟୁସେନାର ବିକାଶ ବଢ଼ିଚାଲିଚି-

 

ଏବେ ମୋ ବଙ୍ଗଳାର ଗୋଟାଏ ହଲ୍‌ରେ ଏ ଚିତାର ଚମଡ଼ା ସଜା ହୋଇ ରହିଚି । ଏ ପ୍ରାଣୀଟି ପ୍ରତି ମୋ’ର ବଡ଼ ସମ୍ମାନ । ତା’କୁ ମୁଁ ବହୁ ପ୍ରଶଂସା କରେ । ଅନ୍ୟ ହିଂସ୍ର ଜନ୍ତୁଗୁଡ଼ିକ ଲୁଚି ଛପି ଶିକାର କରନ୍ତି । ଏ ଚିତାଟି କିନ୍ତୁ ଖୋଲମଖୋଲା ଲଢ଼ିଚି । ଅତୁଳ ବିକ୍ରମ ଓ ସାହସର ସହିତ ସେ ଲଢ଼େଇ କରିଚି । ତା’ର ଏ ସମର ନିଜର ଆତ୍ମରକ୍ଷା ପାଇଁ । ସେ କ୍ଷତବିକ୍ଷତ ହୋଇଛି ଦେହରୁ ତାର ଅଜସ୍ର ରକ୍ତ କ୍ଷୟ ହୋଇଚି–ଶେଷରେ ମୃତ୍ୟୁ ବରଣ କରିଚି । ମାତ୍ର ଏ ମୃତ୍ୟୁ ଭୀରୁ ପଳାୟନପନ୍ଥୀର ମୃତ୍ୟୁ ନୁହେଁ । ଏ ଗୋଟାଏ ବୀରର ସାହସଭରା ମୃତ୍ୟୁ ।

Image

 

Unknown

ଦେବରାୟଣ ଦୁର୍ଗର ତପସ୍ୱୀ

 

ତାକୁ ତପସ୍ୱୀ କହୁଥିଲେ । କହିବାଟା ବି ଯଥାର୍ଥ । ତା’ର ଗୃହସ୍ଥଳୀ ଓ ଆଚାର ବ୍ୟବହାର ମଧ୍ୟ ଏ ପଦବୀର ଯଥାର୍ଥତା ପ୍ରମାଣ କରୁଥିଲା ।

 

ସେ ଥିଲା ଗୋଟାଏ ଅସାଧାରଣ ବାଘ । ସେ ନରଭୋଜୀ ନଥିଲା । ମଣିଷ ମାଂସ ଚାଖି ଥିବାର ଅଭିଯୋଗ ତା’ ନାଁରେ ନଥିଲା; କିନ୍ତୁ ସେ ଥିଲା ଗୋଟାଏ ଭୟଙ୍କର ଜନ୍ତୁ । ମଣିଷ ପ୍ରତି ତା’ର ବଡ଼ ଅହନ୍ତା ।

 

ମାତ୍ର ପାଞ୍ଚଦିନ । ତା’ରି ଭିତରେ ସେ ମାରିଲା ଦୁଇଟା ପୁରୁଷ, ଜଣେ ସ୍ତ୍ରୀଲୋକ । ଏ ମାରିବାଟା ଖାଲି ମାରିବା ସୌକ୍‌ରେ ସେ କରିଥିଲା । କ୍ରୋଧ ଓ ଘୃଣାରେ ! ପୁଣି ତା’ ବ୍ୟବହାର ଓ ଅଭ୍ୟାସ ଅନ୍ୟ ବାଘମାନଙ୍କଠୁ ଅଲଗାଥିଲା । ସେ କୁକୁର ଖାଉଥିଲା, ଛେଳି ବି ଖାଉଥିଲା । ଅନ୍ୟ ବାଘ ସାଧାରଣତଃ କୁକୁର ଖାଆନ୍ତିନି । ଦେବରାୟଣ ଦୁର୍ଗର ବୁଦା ଜଙ୍ଗଲ । ସେମିତି କିଛି ବଡ଼ ବଣ ନୁହେଁ । ସେଇଠି ସେ ହଠାତ୍ ଦେଖାଦିଏ । ଏ ଜାଗାଟା ତୁମ୍‌କୁର ସହରଠୁଁ ଛ’ ମାଇଲ୍ । ବାଙ୍ଗାଲୋରଠୁଁ ପଚାଶ ମାଇଲ ଭିତରେ । ଅନେକ ବର୍ଷ ଧରି ଏଠି ବାଘ ନଥିଲେ । ଏ ଜଙ୍ଗଲରେ ଥିଲେ କେବଳ କେତୋଟି ବାର୍‌ହା । ଥିଲେ କେତୋଟି ମୟୁର । ସେମିତି ଜଙ୍ଗଲ ତ ନୁହେଁ–ଲାଣ୍ଟାନା ଓ କଣ୍ଟା ବୁଦାର ବଣ । ପାହାଡ଼ର ଉପରଟା ବଡ଼ ପଥୁରିଆ । ସେଠି ଥାଏ କେତେଟା ଗୁହା–ସେଠି ଝିଙ୍କମାନେ ରହନ୍ତି । ଝିଙ୍କମାନଙ୍କୁ ତଡ଼ି କେତେବେଳେ ଚିତାଟାଏ ଆସେ–ଘରକରେ-

 

ଗୁହାଗୁଡ଼ାକ ବଡ଼ ଛୋଟ । ସେଠି ବାସକରି ରହିବା ତ ଦୂରର କଥା, ଗୋଟାଏ ଜନ୍ତୁକୁ ଆଶ୍ରୟ ଦେବାକୁ ବି ଯଥେଷ୍ଟ ଜାଗାର ଅଭାବ । ବାଘ ତ ଗୋଟାଏ ବଡ଼ ଜୀବ । ପୁଣି ସେ ବୁଦା ଜଙ୍ଗଲଟା ଗୋଟାଏ ଦ୍ୱୀପପରି । ତା’ ଚାରିପାଖେ ସମତଳ ତଇଳା, ଚାଷ ଜମି । ଦିନବେଳା ତ ଦୂରର କଥା, ରାତିରେ ବି ସାଧାରଣ ବାଘ ସେ ଜଙ୍ଗଲକୁ ଆସିବାକୁ ପସନ୍ଦ କରିବନି ।

 

ସନ୍ନ୍ୟାସୀ କ୍ଷେତ୍ରରେ ଏସବୁ କିଛି ଖଟିଲାନି । ସେ କ୍ଷେତଜମି ପାରିହେଲା । ଆସି ଏଇ ବୁଦୁବୁଦିକିଆ ଅଘଞ୍ଚ ବଣରେ ରହିଲା । ଆଶ୍ରୟ ନେଲା ତା’ର ଛୋଟ ଗୁହାରେ ।

 

ପହିଲେ ସେଠି ବାଘଟାଏ ଅଛି ବୋଲି କେହି ଜାଣିନଥିଲେ । ବଣ ଚାରିପାଖରେ ଅନେକ ବସ୍ତି, ଅନେକ ଗାଁ । ସେ ଗାଁ ଲୋକଙ୍କ ଛେଳି କୁକୁର ସବୁ ହଜିବାକୁ ଲାଗିଲେ । ଯୋଉ ହଜିଲେ, ଆଉ ଫେରିଲେନି । ଲୋକେ ଭାବିଲେ କୋଉ ଚିତାବାଘ ନେଉଚି । ଦିନେ ଦେଖାଗଲା କ୍ଷେତ ପାରି ହେଇ ସେ ଆସିଚି । ତା’ର ବଡ଼ ବଡ଼ ପାହୁଲ ପଡ଼ିଚି । ସେ ପାହୁଲ ହୁଣ୍ଡାଳ କି ଚିତାର ନୁହେଁ–ପାହୁଲ ଗୁଡ଼ାକ ବାଘର । ଏହାର ଦୁଇ ଦିନ ପରେ–ହୃଷ୍ଟପୁଷ୍ଟ ଲୋଭାଣିଆ ଗାଈଟିଏ–ରାତିସାରା ଚରୁଥାଏ । ନିତି ତ ଚରେ–ସେ ଦିନ ବି ଚରୁଚି । ବେଶି ଦୂରରେ ନୁହେଁ–ଗାଁର ନିକଟରେ । ତା’କୁ ବାଘ ମାରିଲା ।

 

ଏ ଗାଈର ମାଲିକାଣୀ ଥିଲା ବୁଢ଼ୀଟିଏ । ବଡ଼ ଶ୍ରଦ୍ଧାରେ ବୁଢ଼ୀ ଗାଈଟିକି ପାଳିଥାଏ । ସକାଳୁ ସକାଳୁ ସେ ଶୁଣିଲା ଯେ ଗାଈଟି ମରିଚି । ବୁଢ଼ୀକି ଆଉ ସମ୍ଭାଳେ କିଏ ? କାନ୍ଦିକାଟି ଦଉଡ଼ିଲା ଗାଈର ମଡ଼ା ପାଖକୁ । ଗାଠୁ ପ୍ରାୟ ଏକ କ୍ୱାଟର ବାଟ ହେବ । ଗାଈ ପାଖରେ ବସିଲା ବୁଢ଼ୀ । ଖୁବ୍ କନ୍ଦାକଟା କଲା । ଖୁବ୍ ପାଟି କରୁଥାଏ । ଈଶ୍ୱରଙ୍କୁ ଡାକି ପୋଡ଼ାମୁହାଁ ବାଘର ସାତପୁରୁଷ ଉଦ୍ଧାରୁଥାଏ–ଈଶ୍ୱର ତା’କୁ ସହିବେନି । ତା’ର ଏତେ ଆଦରର ଗାଈକି ସେ ମାରିଚି, ତା’ର ଭଲଗତି ହେବନି । ବୁଢ଼ୀର ବଡ଼ ପରିବାର ନୁହେଁ । ବେଶି ଜ୍ଞାତିକୁଟୁମ୍ବ ନଥା’ନ୍ତି । ସେମାନେ ସମସ୍ତେ ବୁଢ଼ୀକି ବହୁତ ବୁଝାବୁଝି କଲେ । ବୁଢ଼ୀର ପାଖରେ ସେମାନେ ବସିଥାଆନ୍ତି । ଗାଈର ମଢ଼କୁ ଛାଡ଼ି ଗାଁକୁ ଫେରିଯିବାକୁ କହିଲେ । ବୁଢ଼ୀ ଶୁଣିଲାନି । ସେ ଲୋକମାନେ ବ୍ୟସ୍ତ ହେଲେ । ତା’ ଛଡ଼ା ନିଜର ତ କାମଦାମ୍ ଅଛି । ଜଣ ଜଣ କରି ସେମାନେ ସେ ଜାଗାରୁ ଚାଲିଯିବାକୁ ଲାଗିଲେ । ବୁଢ଼ୀ ସେଠି ଥାଏ ଏକା । ସେମିତି ଗାଈକି ବାହୁନି ବାହୁନି କାନ୍ଦୁଥାଏ ।

 

ଦିନ ଏଗାରଟା । ପରିଷ୍କାର ନିର୍ମେଘ ଆକାଶ । ସୂର୍ଯ୍ୟ ଦାଉ ଦାଉ ଜଳୁଚି । ଖୁବ୍ ଗରମ-। ଖୁବ୍ ତାତି । ସାଧାରଣ ବାଘ ଏ ଅବସ୍ଥାରେ ତା’ ଶିକାର ମଢ଼ ପାଖକୁ ଆସିବା କଥା ନୁହେଁ । ଆସେନି । କିନ୍ତୁ ତପସ୍ୱୀଟା ସାଧାରଣ ବାଘ ନୁହେଁ । ସେ ମଡ଼ା ପାଖକୁ ଆସିଲା । ଦେଖିଲା ବୁଢ଼ୀକି । ବୁଢ଼ୀ କାନ୍ଦିକାଟି ଗଡ଼ୁଚି । ବାଘ ଭାବିଲା ଏତେ ପାଟିଗୋଳ ସହିହେବନି–ଏସବୁ ଶବ୍ଦ ବନ୍ଦ ହେବା ଉଚିତ । ତେଣୁ ବୁଢ଼ୀ ଉପରକୁ ଡେଇଁପଡ଼ିଲା ବାଘ । ଗୋଟାଏ ପଞ୍ଝା ମାରିଲା । ବୁଢ଼ୀର କାନ୍ଦ ଚିରଦିନ ପାଇଁ ବନ୍ଦ । ସେ ତା ଗାଈ ସହିତ ସେ ପୁରକୁ ଚାଲିଗଲା । ବାଘ ଗାଈଟାକୁ କିଛି ଗଜ ଦୂରକୁ ଭିଡ଼ିନେଲା । ମନ ପୂରାଇ ଖାଇଲା । ବୁଢ଼ୀର ଶବ ସେଇଠି ସେମିତି ପଡ଼ିରହିଥାଏ–ବାଘ ତା’କୁ ଛୁଇଁନି । ବୁଢ଼ୀକି ସେ ଭୁଲିଯାଇଚି ।

 

ବେଳ ଗଡ଼ିଲା । ଚାରିଟା ହେଲା । ବୁଢ଼ୀ ଫେରିଲାନି । ତା’ ନିଜଲୋକେ ଭାବିଲେ ବୁଢ଼ୀ ବୋଧହୁଏ କାନ୍ଦି କାନ୍ଦି ସେଠି ଶୋଇପଡ଼ିଚି–ତା’କୁ ନେଇ ଆସିବା ଦରକାର । ତେଣୁ ସେମାନେ ଆସିଲେ । ଚେତନା ହରାଇ ବୁଢ଼ୀ ସେଠି ପଡ଼ିଥିଲା । ସେ ମରିଚି । ତା’କୁ ମାରିଚି ବାଘ-। ଆଉ ଅଦୂରରେ ଗାଈକୁ ଖାଇ ଫେରିଯାଇଚି ବୁଦା ଜଙ୍ଗଲକୁ । ସେମାନେ ଭୀତତ୍ରସ୍ତ ହେଇ ଗାଁକୁ ଫେରିଲେ । ଗାଁରେ ବୁଢ଼ୀକି ବାଘ ମାରିଥିବା ଖବର ପ୍ରଚାର କରିଦେଲେ । ଗାଁର ସର୍ବରାକାରଙ୍କର ଗୋଟାଏ ଦେଶୀ ବନ୍ଧୁକ ଥାଏ । ସେଇ ବନ୍ଧୁକଧରି ପ୍ରାୟ ଦୁଇଡଜନ ଗାଉଁଲୀ ଯୁବକଙ୍କସହ ସେ ଆସିଲେ ସେଇ ଜାଗାକୁ । ଅନ୍ୟମାନେ ବାଡ଼ି ଠେଙ୍ଗା ଆଉ ଆଉ ଅସ୍ତ୍ର ଶସ୍ତ୍ର ଧରି ଥାଆନ୍ତି । ବାଘର ପାହୁଲ ଚିହ୍ନ ଡଗରାଇ ସେମାନେ ତାକୁ ଅନୁସରଣ କଲେ । ମାତ୍ର ବେଶି ଜଙ୍ଗଲ ଭିତରକୁ ଯିବାକୁ ସାହସ ତୁଲାଇଲାନି । ସେମାନେ ଖୁବ୍ ଜୋର୍‌ରେ କିର୍ ଲାଗିଲେ, ପାଟିକଲେ । ପଥର ଫିଙ୍ଗାଫିଙ୍ଗି କଲେ । ସର୍ବରାକାର ତାଙ୍କ ବନ୍ଧୁକରୁ ଦୁଇଟା ଗୁଳି ଶୂନ୍ୟକୁ ଫୁଟାଇଲେ । କିଛି ଘଟିଲାନି । ବାଘର ସୋର୍ ଶବ୍ଦ ନାଇଁ । ସେମାନେ ଫେରିବାର ଯତ୍ନକଲେ । ବୁଢ଼ୀର ଶବକୁ ନେଇ ଫେରୁଥାଆନ୍ତି । ଶେଷରେ ଥାଆନ୍ତି ବନ୍ଧୁକଧାରୀ ସର୍ବରାକାର । ହଠାତ୍ ବଣରୁ ବାହାରି ଆସିଲା ବାଘ । ସେ ଡେଇଁଲା, ପଡ଼ିଲା ସର୍ବରାକାରଙ୍କ ଉପରେ । କ’ଣ ଘଟୁଚି ଜାଣିବା ଆଗରୁ ବାଘ ତାଙ୍କୁ ମାରିସାରିଥିଲା ।

 

ସେ ଲୋକେ ଡରରେ ଥରହର ହେଲେ । ଛିନିଛତ୍ର ହେଲେ । ଯେ ଯୁଆଡ଼େ ପାରିଲେ ଦଉଡ଼ି ପଳାଇ ଗଲେ । ସେ ଦିନ ସଞ୍ଜରେ ଆଉ କେହି ଆସିଲେନି । ତା’ପରଦିନ ସକାଳ ହେଲା । ସକାଳ ବଢ଼ି ବେଳାହେବାକୁ ବସିଲା । ଅନେକ ଲୋକ ଆସିଲେ ଶବ ଦୁଇଟିକୁ ନେବାକୁ । ବାଘ ଶବ ଦୁଇଟିକୁ ଛୁଇଁ ନ ଥାଏ, ମାତ୍ର ଗାଈମଡ଼ାରୁ ଆହୁରି ଖାଇଥାଏ ।

 

ଗାଁଟାରେ ମାଛିପଡ଼ିଗଲା । ଲୋକେ ଗାଁରୁ କେହି କୁଆଡ଼କୁ ବାହାରିଲେନି । ସମସ୍ତେ ଛାନିଆ । ତୃତୀୟ ଦିନ ସକାଳ । ଜଣେ ବାଟୋଇ ଆସୁଥାଏ ତୁମ୍‌କୁର‌ରୁ । ସାଙ୍ଗରେ ଦୁଇଟି ଗଧ । ଗଧଉପରେ ଲଦା ହେଇଚି ଗୁଡ଼ାଏ ଜିନିଷପାତି । ଗାଁଠୁ ପ୍ରାୟ ମାଇଲିଏ ଦୂର । ଆଗ ଗଧଉପରେ ମାଡ଼ିବସିଲା ବାଘ । ଏକାମାଡ଼ରେ ଗଧଟି ପଂଚତ୍ୱ ପାଇଗଲା । ଦ୍ଵିତୀୟ ଗଧଟି ସେମିତି ଠିଆହୋଇଥାଏ । ବାଟୋଇ ଚିତ୍‌କାର କରି କରି ପଛକୁ ଦଉଡ଼ିଲେ । ଏଇ ଯେ ଲୋକଟି ପାଟିକଲା, ବାଘର ରାଗହେଲା । ସେ ଗୋଡ଼ାଇଲା ଲୋକଟିକୁ । ତା’କୁ ମାରିଲା । ତା’କୁ ମାରି ଦ୍ଵିତୀୟ ଗଧ ପାଖକୁ ଆସିଲା । ତା’କୁ ଛୁଇଁନି । ମଣିଷର ଶବକୁ ବି ଛୁଇଁନି ।

 

ବାଙ୍ଗାଲୋରର ନିକଟରେ ଏସବୁ ଘଟଣା ଘଟିବାର କଥା ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ଛପାହେଲା । ତା’ପର ଦିନ ମୋର କାର୍ ବାହାରକଲି । ଦେବରାୟଣ ଦୁର୍ଗ ଆଡ଼କୁ ମୋ ଗତି । ଦୁଇଘଣ୍ଟାରୁ ଟିକେ ପରେ ସେଠି ପହଞ୍ଚିଲି ।

 

ଭୀତତ୍ରସ୍ତ ଗାଁଲୋକଙ୍କୁ ପ୍ରଶ୍ନକଲି । ଆଗରେ ଯାହା ସବୁ କହିଲି, ସେମାନଙ୍କଠାରୁ ସେଇ ସଂବାଦ ସଂଗ୍ରହ କରିଥିଲି ।

 

ଶୁଖିଲା ପାଗ । ରାସ୍ତାଘାଟ ଧୂଳିଧୂସର । ବାଘର ପାଦଚିହ୍ନ ସବୁ ଲିଭିଯାଇଥାଏ । ସେଠାର ବଣ ଅବସ୍ଥା ଦେଖିଲି । ସେଠି ଯେ ଗୋଟାଏ ବାଘ ଅଛି, ଏ କଥାରେ ମୋ’ର ଖୁବ୍ ବଡ଼ ସଂଦେହ ହେଲା । ଭାବିଲି ଗୋଟାଏ ବଡ଼ ଚିତାବାଘ ହେଇଥିବ । ହୁଏତ ବଡ଼ ଦୁଃସାହସୀ ଆକ୍ରମଣଶୀଳ ଚିତାଟାଏ ! ମାତ୍ର ଯୋଉଲୋକମାନେ ସର୍ବରାକାରଙ୍କ ସହିତ ଯାଇଥିଲେ, ସେମାନେ ଜନ୍ତୁଟାକୁ ଦେଖିଚନ୍ତି । ସେମାନେ ଦେଖିଚନ୍ତି ସେ କେମିତି ଆକ୍ରମଣକଲା ଓ ହତ୍ୟାକଲା-। ସେମାନେ ମୋ କଥାର ସମର୍ଥନ କଲେନି । ସେମାନେ କହିଲେ ଯେ ସେଇଟା ବାଘ-। ଗାଁ ଲୋକଙ୍କ ସହିତ ମୋ’ର ଅନେକ ଦିନର ସଂପର୍କ । ସବୁଠି ଏ ଲୋକେ ବଢ଼େଇକରି କହନ୍ତି । କଟାସ ଦେଖି ବାଘ ବୋଲି କହନ୍ତି । ତେଣୁ ମୁଁ ସେମାନଙ୍କ କଥା ଉପରେ ଆସ୍ଥା ରଖିପାରୁନଥାଏ ।

 

ଯାଇତାଇ କରି ଆହାର କରିନେଲି । ଜଣେ ଲୋକକୁ ସାଙ୍ଗରେ ନେଲି । ସେ ଖାଲି ଡରୁ ଥାଏ । ଭାବିଲି ସେ ପାଖ ଜାଗାକୁ ଦେଖିନିଏ । କୋଉଠି ଗୋଟିଏ ବି ବାଘପାଦର ଚିହ୍ନ ଦେଖିଲିନି ଗୁହାଗୁଡ଼ିକ ବି ଦେଖିଲି, ବାଘର ଚିହ୍ନ ମିଳିଲାନି ।

 

ଚାରିଟାରେ ଫେରିଲି ଗାଁକୁ । ବହୁତ କୁହାବୋଲା କଲି । ପାଇଲି ଅଧାଦାମ୍‍ମୁଡ଼ିଟାଏ । ଏ ପାଖରେ ମଇଁଷି କି ପଣ୍ଡା ମିଳନ୍ତିନି । ଗାଁଠୁ ପ୍ରାୟ ତିନି କ୍ୱାଟର୍ସ ଦୂର । ଏଠି ରାସ୍ତା କାଟିଚି ଗୋଟାଏ ନାଳକୁ । ନାଳଟା ପଥୁରିଆ । କଣ୍ଟାବୁଦାରେ କୂଳ ସାରା ଭରା । ଏଇଠି ବାନ୍ଧିଲି ଏ ଦାମୁଡ଼ିଟିକୁ ।

 

ଏତକ କରୁ କରୁ ଛ’ । ଏତେ ବେଳେ ସେଠି ମଞ୍ଚା ବାନ୍ଧିବାର ସୁବିଧା ନାଇଁ । ଠିକ୍ କଲି ତୁମକୁର୍ ଫେରିବି–ଛ’ ମାଇଲ ତ ! ସେଠି ଭ୍ରମଣକାରୀଙ୍କ ବଙ୍ଗଳାରେ ରାତି କଟିବି–ସକାଳୁ ଫେରିବି ତା’ ଭିତରେ ଦାମୁଡ଼ିଟାକୁ ବାଘ ମାରିସାରିଥିବ ।

 

ଏମିତି କଲି । ପର ପ୍ରଭାତରେ ଉଠିଲି ପାଞ୍ଚଟାରେ । ଯୋଉଠି ଦାମୁଡ଼ିଟିକି ବାନ୍ଧିଥିଲି, ସେଠି ପହଞ୍ଚଲି ପାଞ୍ଚଟା ତିରିଶ୍‌ରେ । ଆଲୁଅ ଫିଟି ଫିଟି ଆସୁଥାଏ । ତେଣୁ କାରକୁ ଟିକେ ଆଗରୁ ଅଟାକାଇ ଦେବା ଭଲ–କାଳେ ତପସ୍ୱୀ ହୁରୁଡ଼ିଯିବ । ତେଣୁ ଅଧମାଇଲୁ ଆଗରୁ କାରକୁ ରଖିଦେଲି । ସତର୍କ ହୋଇ ଆଗକୁ ଯାଇଥାଏ । ବନ୍ଧାହୋଇଥିବା ଦାମୁଡ଼ି ଜାଗାରେ ପହଞ୍ଚିଲି । ଦେଖିଲି ଦାମୁଡ଼ିଟି ଉଭେଇଯାଇଚି । ସେ ପାଖରେ ପରୀକ୍ଷା ଚଳାଇଲି । ଜାଣିଲି ଦାମୁଡ଼ିଟିକୁ ସେ ମାରିଚି । ତା’କୁ ଜୋର୍‌ରେ ଭିଡ଼ିନେଇଚି । ତେଣୁ ବନ୍ଧାଯାଇଥିବା ଦଉଡ଼ି ଛିଡ଼ିଚି । କୌଣସି ସାନ ଜୀବ ଏମିତି କାମ କରିପାରିବିନି । ପାହୁଲ୍ ଚିହ୍ନ ଦେଖା ଯାଉଥାଏ । ଦେଖିଲି, ସେସବୁ ବାଘୁଣୀର ପାଦଚିହ୍ନ । ବାଘର ନୁହେଁ । ଦ୍ୱିତୀୟରେ, ଏ ଗୋଟାଏ ପ୍ରାପ୍ତବୟସ୍କା ବାଘୁଣୀ ଏବଂ ବଡ଼ ଆକୃତିର-

 

ଏ ଜୀବାଟା ସଂପର୍କରେ ଆଗକୁ ବହୁ କଥା ଶୁଣିଥିଲି । ସେ ସବୁ ତ କହିଚି । ଜନ୍ତୁଟା ବଡ଼ ହିଂସ୍ର । ଅଚାନକ ଭାବରେ ସେ ଆକ୍ରମଣ କରେ । ତେଣୁ ମୋତେ ବିଶେଷଭାବରେ ସତର୍କ ହେବାକୁ ପଡ଼ିଲା । ଘୋଷରାକୁ ଡଗରାଇ ଡଗରାଇ ଚାଲିଥାଏ ବାଁ ଡାହାଣ ଚାହୁଁଥାଏ । ଚାହୁଁଥାଏ ଆଗକୁ ଓ ପଛକୁ । ଆଗକୁ ଯିବାଟା ଖୁବ୍ ଧୀର ହେଉଥାଏ । ଘୋଷରା ଚିହ୍ନ ଖୁବ୍ ସ୍ପଷ୍ଟ । ପ୍ରାୟ ଶହେପଚାଶ ଗଜ ପରେ ମୋ’ ଦାମୁଡ଼ିଟିର ମଡ଼ା ପାଇଲି । ସେଠୀ ବାଘୁଣୀ ନ ଥାଏ । କୌଣସି କାରଣରୁ ଦୂରେଇଯାଇଥାଏ ।

 

ବାଘ ଯେମିତି ମାରେ, ସେଇ କୌଶଳରେ ଏ ଦାମୁଡ଼ିକୁ ମରାଯାଇଥାଏ । ଏ ଜାଗାକୁ ବାଘୁଣୀ ବୋହି ଆଣିଚି । ସେ କଣ୍ଠନଳୀରୁ ରକ୍ତ ପିଇସାରିଚି । ସେ ଗଲା ଫୁଟାଇଥାଏ । ଶେଠୀ ରକ୍ତ ବଲ ବଲ ହୋଇଥାଏ । ତେଣୁ ରକ୍ତ ପିଇବା ଖୁବ୍ ସଂଭବ । ହୁଏତ ସେ ରାତିରେ ଫେରିବ–ସେତେବେଳେ ମାଂସ ଖାଇବ । ନତୁବା ପରେ ଆସିପାରେ । ଦାମୁଡ଼ିର ଲାଞ୍ଜଟି ମୂଳରୁ ଛିଣ୍ଡାଯାଇଛି । ଛିଣ୍ଡା ଲାଞ୍ଜଟା ପଡ଼ିଥାଏ ଦଶଫୁଟ ଦୂରରେ । ଅଧିକାଂଶ ବାଘଙ୍କର ଏହା ହିଁ ଅଭ୍ୟାସ । ବଡ଼ ବଡ଼ ପେଣ୍ଡେରା ବା ଚିତା ଏମ୍‌ତି ବ୍ୟବହାର ଦେଖାନ୍ତି । ତା’ପରେ ଅନ୍ତବୁଜୁଳା, ମଳ ଭାଣ୍ଡକୁ ବେଶ୍ ପରିଷ୍କାର ଭାବେ ଅଲଗା କରାଯାଇଥାଏ । ପ୍ରାୟ ଦଶଫୁଟ ଦୂରରେ ଏସବୁ ପଡ଼ିଥାଏ–ଯୋଉଠି ଲାଞ୍ଜ ପଡ଼ିଥିଲା ସେ ପାଖରେ ନୁହେଁ... ଅନ୍ୟତ୍ର । ତା’ପରେ ସ୍ଵାଭାବିକ ରୀତିରେ ବାଘୁଣୀ ତା’ର ଖାଇବା ଆରମ୍ଭକରିଚି । ଶିକାରର ପଛପାଖରୁ ଖାଇଚି । ପ୍ରାୟ ଅଧା ସାରିଦେଇଚି ।

 

ଏ ସବୁରୁ ଜଣାଗଲା, ଜନ୍ତୁଟାର କୌଣସି ଅସ୍ଵାଭାବିକତା ନାଇଁ । ତାକୁ ରାଗୁଆ, ଏକଜିଦିଆ ବାଘୁଣୀ ବୋଲି କୁହାଯାଇପାରେ ।

 

ସେ ପାଖରେ ଭଲଗଛ ନ ଥାଏ । ଗୋଟାଏ ସରୁଆ ଗଛ ଥାଏ, ମଢ଼ଠୁ ପ୍ରାୟ କୋଡ଼ିଏ ଗଜ ଦୂରରେ । ସେ ଗଛରେ ଚଢ଼ିଲି । ଅପକ୍ଷା କରିଥାଏ । ବାଘୁଣୀ ଆସିପାରେ । ୯ଟା ୩୦ ଯାଏ (ସକାଳ) ସେଠି ରହିଲି । ଆସିଲାନି ବାଘୁଣୀ । ତା’ ବଦଳା ଗୋଟାଏ ଅଘଟଣ ଘଟିବାକୁ ବସିଲା । ଦୂର ଆକାଶରେ ଉଡ଼ୁଥିବା ତୀକ୍ଷ୍‌ଣଚକ୍ଷୁ ଶାଗୁଣାମାନେ ଏ ଶବଟାକୁ ଆବିଷ୍କାର କରିନେଲେ । ସେମାନେ ଡେଣା ଝାଡ଼ି ସେ ଦିଗରେ ଚକ୍‌କର କାଟିବାକୁ ଲାଗିଲେ । ଗୋଟି ଗୋଟି ହେଇ ଭୁଇଁ ଉପରେ ଜମାହେଲେ ।

 

ଆଉ ବସିବା ହେବନି । ତଳକୁ ଓହ୍ଲାଇଲି । ଡାଳ ପାତ୍ର ଭାଙ୍ଗିଲି । ମଢ଼କୁ ଘୋଡ଼ାଇଲି । ନ ହେଲେ, ଖୁବ୍ ଅଳ୍ପ ସମୟ ମଧ୍ୟରେ ସେମାନେ ଭୋଜିରେ ମାତିଯିବେ, ମଢ଼ଟିର ସତ୍ତା ରହିବନି-। ଏତକ କରି ଫେରିଲି କାର୍‌କୁ । ସେଇଠୁ ଗଲି ଗାଁକୁ । ଗାଁରୁ ବାନ୍ଧିବାକୁ କହିଲି । ଏ ମଞ୍ଚାର ସାଜସବୁ ମୁଁ କାର୍‌ରେ ନେଇ ଆସିଥାଏ । ମଧ୍ୟାହ୍‌ଣ ବେଳକୁ ସବୁ ଠିକ୍ ଠାକ୍ ।

 

ସେ ଲୋକମାନଙ୍କ ଭିତରୁ ଜଣେ କହିଲେ–ଏ ସନ୍ନ୍ୟାସୀ ଛେଳି ଖାଇବାକୁ ଭଲପାଏ–ତେଣୁ ଛେଳିଟିଏ ବାନ୍ଧନ୍ତୁ । ସେ ଅଲବତ୍ ଆସିବ । ଛେଳିଟା ରାତିରେ ବୋବାଇବ । ସେ ଡାକ ଶୁଣି ବାଘ ଆସିବ । ଭାବିଲି ଏ କଥାଟା ସେମିତି ଶୁଖିଲା କଥା ନୁହେଁ–ଭଲ ପରାମର୍ଶ । ଏ କଥାକୁ କାମରେ ଲଗାଯାଉ । ଜନ୍ତୁଟା ଦାମୁଡ଼ିର ଅଧାଖାଇସାରିଚି । ହୁଏତ ଫେରି ନପାରେ । ଛେଳି ବୋବାଳି ତା’ ପାଇଁ ନୂଆ ଆକର୍ଷଣ ହେବ । ମୁଁ ଧାଇଁଲି ଗାଁକୁ । ମଝିମଝାରିଆ ଛେଳିଟାଏ କିଣିଲି-। ଏ ବୟସର ଛେଳିଛୁଆ ଖୁବ୍ ବୋବାନ୍ତି ।

 

କିଛି ବିସ୍କୁଟ ଓ ଚା’ ଖାଇଲି । ତା’ପରେ ମଞ୍ଚାକୁ ଗଲି । ଲୋକମାନଙ୍କୁ କହିଲି, ‘ଗଛରେ ରହି ମୁଁ ଠିକ୍‌ ଠାକ୍ କରି ଯୋଉ ଅନୁସାରେ ସବୁ କାମ ହେଲା । ସେମାନେ ସବୁ ମେଲାଣି ନେଲେ-। ଛେଳିଛୁଆଟି ଏକାକୀ ହୋଇଗଲା । ସତକୁସତ ଭୀଷଣ ଜୋର୍‌ରେ ମେଁ ମେଁ ଚଳାଇଲା-

 

ଏମିତି ୫ଟା ୪୫ ଯାଏ ସେ ମେଁ ମେଁ କରୁଥାଏ । ଏ ସମୟରେ ଗୋଟାଏ ଚାପା ଆଉଁ ଆଉଁ ଶବ୍‌ଦ ଶୁଣିଲି । ବାଘଟା ଆସୁଚି । ମୁଁ ଏ ଶବ୍‌ଦ ଶୁଣିଲି । ଛେଳି ବି ଶୁଣିଲା । ସେ ଆଉ ବୋବାଇଲାନି । ଯୋଉ ଦିଗରୁ ବାଘର ରାବ ଆସୁଥିଲା ସେଆଡ଼କୁ ମୁହଁ କରିଥାଏ ଛେଳିଟି । ତା’ଦେହ ବରଡ଼ାପତ୍ରପରି ଥରୁଥାଏ । ଗଛଉପରୁ ମୁଁ ତା’ର ଏ ଥରିବାଟା ପରିଷ୍କାର ଦେଖିପାରୁଥାଏ ।

 

ଦୁର୍ଭାଗ୍ୟ । ବାଘଟା ଆସୁଥାଏ ମୋର ପଛ ପାଖରୁ । ମୋ ଖଟିଆରେ ବସିଲେ ପଛକୁ ଫେରି ଦେଖିହୁଏ । ମାତ୍ର ଏ କ୍ଷେତ୍ରରେ ସେ ସୁବିଧା ନ ଥାଏ । ଗଛଟା ତ ଖୁବ୍ ସରୁଆ ପୁଣି ଗଛର ଗଣ୍ଡିଟା ମୋ ଦେଖିବାକୁ ଆଢ଼ୁଆଳ କରିଚି । ତା ଛଡ଼ା ବଣୁଆ କୋଳି ଗଛଟାଏ ଝାମ୍ପୁରା ହୋଇ ବଢ଼ିଥାଏ । ତେଣୁ ପଛପାଖର କୌଣସି କଥା ଦେଖିବା ସମ୍ଭବ ନ ଥାଏ । ଆହୁରି ଅସୁବିଧା–ସେ ଦିଗରୁ ଏ ଆଡ଼କୁ ମାଟି ଧୀରେ ଗଡ଼ାଣିଆ । ବାଘୁଣୀ ସେ ଦିଗରୁ ଆସୁଥିଲାତ ! ଦୂରରୁ ବୋଧହୁଏ ମୋ ମଞ୍ଚାକୁ ଦେଖି ନେଇଚି । ଉଚ୍ଚ ଜାଗାରୁ ଗଡ଼ାଣିଆ ଆଡ଼କୁ ଆସିଲେ ଏତକ ସୁବିଧା ହୁଏ ।

 

ତା’ଛଡ଼ା ଆଉ ଗୋଟାଏ କଥା ବି ହୋଇପାରେ । ମାଂସାଶୀ ଜୀବଙ୍କର ଷଷ୍ଠ ଇନ୍ଦ୍ରିୟ କାମ କରେ । ବିପଦର ବାସନା ସେମାନେ ସହଜରେ ବାରି ପାରନ୍ତି, ଆଉ ସାବଧାନ ହୋଇ ଯାଆନ୍ତି । କୌଣସିମତେ ଏ ଜନ୍ତୁଟା କେମିତି ସତର୍କ ହୋଇଗଲା । ଭୀଷଣ ଭାବରେ ଗର୍ଜନ ତୋଳିଲା, ଆଦୌ ପାଖ ମାଡ଼ିଲାନି । ଦୂରେଇ ଦୂରେଇ ରହି ସେ ପାଖଟାକୁ ପରିକ୍ରମା କରୁଥାଏ । ପ୍ରତି ମୁହୂର୍ତ୍ତରେ ଗାଉଁ ଗାଉଁ ଗାରୁ ଗାରୁ ହେଉଥାଏ । ଏଥିରେ ସେ ଖଣ୍ଡ ମଣ୍ଡଳ ଥରିଯାଉଥାଏ । ବିଚରା ଛେଳି ଛୁଆଟି ! ତା’ର ଜୀବନ କେତେ ! କେତେ ଅବା ତା’ର ସାହସ ! ସେ ଡରରେ ମଲାପରି ହେଇ ଯାଇଥାଏ । ମୋ ଦେଖନ୍ତରେ ସେ ଥରି ଥରି ମାଟିରେ କୁଢ଼େଇ ହେଇ ପଡ଼ିଗଲା-

 

ସେଇ ଚତୁରୀ, ବୁଦ୍ଧିମତୀ ବାଘୁଣୀଟା... ରାତିର ୯ଟା ଯାଏ ଜଙ୍ଗଲକୁ ଖାଲି ଉଠାଇଲା ପକାଇଲା । ତା’ପରେ ଶେଷ ଗର୍ଜନ ତୋଳି ସେ ଜାଗା ଛାଡ଼ିଦେଲା । ତା’ପରେ ପୁଣି ଘଟଣାହୀନ ବିଳମ୍ବିତ ମୁହୂର୍ତ୍ତ ଗୁଡ଼ିକର ଅଭିଯାନ । ରାତିର ଶେଷାଂଶ ପାଖେଇ ଆସିଲା । ଥଣ୍ଡା ପଡ଼ିବା ଆରମ୍ଭ ହେଲା । ଥଣ୍ଡା ବଢ଼ିଲା । ଜୋର୍ ଥଣ୍ଡା ପଡ଼ିଲା । ଗଛ ଉପରେ ମୋ ଦାନ୍ତ ଠକ୍‌ଠକେଇଗଲା । ତଳେ ଛେଳିଟିର ଦାନ୍ତ ବାଜୁଥିଲା । ସେ ଦାନ୍ତର ଠକ୍‌ଠକାଣି ମୋତେ ଶୁଭୁଥାଏ ।

 

ଉଷା ଆସିଲା । ଆମେ ଦିହେଁ ରାତିଟାସାରା ଶୋଇନୁ । ରାତିସାରା ଜାଗିଚୁ । ରାତିସାରା ଥଣ୍ଡା ଖାଇଚୁ । କ୍ଳାନ୍ତ ବିରକ୍ତ । ଛେଳିଟିର ଅବସ୍ଥା ବହୁତ ଖରାପ । ସେ ପାଟି କରି କରି ନୟାନ୍ତ । ଥଣ୍ଡାରେ ତା’ ଗଳା ବସିଗଲା । ସେ ଏବେ ପାଟି ଖୋଲୁଚି । ହେଲେ ସେ ଖୋଲାପାଟି ଖାଲି ଫସ୍ ଫସ୍ କରୁଚି । ସେଥିରୁ କୌଣସି ବୋବାଳି ଆସୁନି ।

 

ମଧ୍ୟାହ୍ନରେ ଆସିଲି ବଣକୁ । ଖୋଜିଲି ବାଘୁଣୀକି । ତା’ର କୌଣସି ସଂକେତ ମିଳିଲାନି-। ପୁଣି ଗୋଟାଏ ଗଛ ବାଛିଲି । ଏ ଗଛଟି ଥିଲା ପତ୍ରଗହଳ । ସମତଳିଆ ଜାଗା । ଗଡ଼ାଣିଆ ହେଲେ ଅସୁବିଧା । ଏଠି ବାନ୍ଧିଲି ମଞ୍ଚା । ଉଠିଲି ଚାରିଟାରେ... ସଞ୍ଜବେଳା । ମଞ୍ଚା ତଳେ ବନ୍ଧାଥାଏ ନୂଆ ଛେଳିଟାଏ । ଏ ଛେଳିଟି ଆଗର ଛେଳିଠୁ ଓଲଟା ପ୍ରକୃତିର । ସେ ଖୁବ୍ ବୋବାଉଥିଲା, ଖୁବ୍ ଭୟାଳୁ–ଏ ଆଦୌ ବୋବାଇଲାନି । ବଣଟା ଯେମିତି ତା’ର ଘର ! ସେ ଜାଗାଟା ତା’ର ଛେଳିଗୁହାଳ ! ସେ କ’ଣ ଖାଉଥିଲା କେଜାଣି–ପାକୁଳି କରୁଚିତ କରୁଚି । ଚୁପ୍ ଚୁପ୍ ଶୋଇ ତା’ ପାକୁଳି ଚଳାଇଥାଏ । ସେ ପାକୁଳିର କୌଣସି ଅନ୍ତନାଇଁ । ତା’ପରେ ଧୀରେ ଆସିଲା ଅନ୍ଧାର । ତା’ ଭିତରେ ସେ କୋଉଠି ଲୁଚିଗଲା । ଜୀବଜନ୍ତୁ ମଣିଷ କେହି ସହଜରେ ଜାଣି ପାରିବେନି–ସେଠି ଅଛି ଗୋଟାଏ ଛେଳି ।

 

ଏଥର କିଛି ଗରମପୋଷାକ ପିନ୍ଧିଥାଏ, ତେଣୁ ଥଣ୍ଡା ବାଧୁନଥାଏ । ବେଶ୍ ଉଷୁମ ଲାଗୁଥାଏ । ୟାଭିତରେ କେତେବେଳେ ଆଖି ମାଡ଼ିପଡ଼ିଲା । ଆଉ ଟିକେ ନୁହେଁ, ମୁଁ ବେଶ୍ ଗଭୀର ନିଦରେ ଶୋଇଯାଏ । ନିଦ ଭାଙ୍ଗିଲା ବେଳକୁ ଉଷା ଆସିସାରିଥାଏ । ତଳକୁ ଚାହିଁଲି । ଛେଳିଟି ସେମିତି ପାକୁଳି କରୁଚି । କ’ଣ ଏତେ ପାକୁଳିଛି କେଜାଣି ! ଟିକିଏ ଦକନାଇଁ । ଟିକିଏ ଚିନ୍ତା ନାଇଁ-। ସତେ ଯେମିତି ଜଗତରେ ଗୋଟାଏ ବି ମାଂସଲୋଭୀ ପ୍ରାଣୀ ନାଇଁ ! ଏତେ ନୈଶ୍ଚିନ୍ତ୍ୟ-!!

 

ଦିପହରେ ବାଘୁଣୀପାଇଁ ଖୋଜା ଚାଳାଇଲି । ଏଥର ବି ସେଇ ବିଫଳ । ପୁଣି ତିନିଟା ବେଳକୁ ଉଠିଲି ମଞ୍ଚାରେ । ଏଥର ଆଣିଥାଏ ଦାମୁଡ଼ିଟାଏ । ଗଜା ଛନ ଛନ । ବନ୍ଧା ହେଇଥାଏ ମଞ୍ଚାର ତଳେ ।

 

ସଞ୍ଜର ସାତ । ଦଳେ ଲୋକ ଗାଁରୁ ଆସିଲେ । ସେମାନଙ୍କ ହାତରେ ଥାଏ ଲଣ୍ଠନ । ମୋତେ କହିଲେ ପ୍ରାୟ ଅଧଘଣ୍ଟା ଆଗରୁ ବାଘୁଣୀ ଗୋଟାଏ ଗାଈ ମାରିଚି–ଗୋଟାଏ ଛୋଟ ପୋଖରୀ ହୁଡ଼ା ପାଖରେ । ଗାଁଠୁ ଫଲଙ୍ଗେ ହେବ–ମାତ୍ର ବିପରୀତ ଦିଗରେ । ବାଘୁଣୀ ଏବେ ଖାଇବାରେ ଲାଗିଚି ।

 

ଏବେ ଏଠି ରହିବାରେ ଲାଭ କଅଣ ! ଓହ୍ଲାଇଲି । ଲୋକଙ୍କୁ କହିଲି, ଯୋଉଠି ଦାମୁଡ଼ିଟି ଥିଲା ସେଇଠି ଥାଉ–କାଳେ ରାତିର ଅପରାର୍ଦ୍ଧରେ ବାଘୁଣୀ ଆସିବ । ମୁଁ ଲୋକଙ୍କ ସହିତ ନୂଆ ଜାଗାକୁ ଦଉଡ଼ିଲି ।

 

ଗାଁରେ ପହଞ୍ଚିଲୁ । ଲଣ୍ଠନ ଲିଭାଇଦେବାକୁ କହିଲି । ସେମାନଙ୍କ ଭିତରୁ କେବଳ ଜଣେ ଲୋକକୁ ଧରିଲି । ତାରି ସହିତ ପୋଖରୀମୁହାଁ ଚାଲିଲି । ମୋ’ ସାଥି କହିଲା ରାସ୍ତାର ବାଁ ପାଖରେ ଗାଈ ମରାହେଇଚି ।

 

ଘମାଘୋଟ ଅନ୍ଧାର । ସେ ଲୋକଟି ମୋତେ ଲାଗିକରି ଆସୁଥାଏ । ରାସ୍ତାର ମଝିଆଡ଼କୁ ଗଲୁ । ରାଇଫଲ୍‌ର ଟର୍ଚ୍ଚ ଚିପିଲି । ବାଁ ଆଡ଼କୁ ପକାଇଲି ।

 

ଗୋଟାଏ ଗୁର ଗୁରା ! ଗୋଟାଏ ଉଫ୍ । ଦୂରରୁ ଦେଖିଲି ଦିଟା ଟକ୍ ଟକ୍ ଜଳନ୍ତା ଆଖି-। ମୋ’ଠୁ ପ୍ରାୟ ଦୁଇଶ ଗଜ ଦୂର । ଟିକେ ଉଚ୍ଚ ଜାଗାରେ ଏଥିରେ ମୁଁ ଟିକେ ଘାବରାଇଗଲି-। ଲୋକଟି କହିଲା ବାଘୁଣୀ ପୋଖରୀ ହୁଡ଼ାରେ ଠିଆହୋଇଚି ।

 

ରବର ଜୋତା ପିନ୍ଧିଥାଏ, ତେଣୁ ମୁଁ ନିଃଶବ୍‌ଦରେ ଆଗେଇଲି । ସେ ଗାଁଲୋକ ଜଣକ ଖାଲି ପାଦରେ ଥାଆନ୍ତି । ସେ ମୋ ସଙ୍ଗେ ସଙ୍ଗେ ଲାଗିକରି ଚାଲିଥାଆନ୍ତି । ବେଶ୍ ନିସୋର୍... ନିଃଶବ୍ଦ ! ବାଘୁଣୀ ଆଲୁଅକୁ ଚାହିଁଥାଏ । ଆମେ ପ୍ରାୟ ଶହେଗଜ ଅତିକ୍ରମ କଲୁ । ଏଇଠି ପୋଖରୀର ହୁଡ଼ା ରାସ୍ତାକୁ ଲାଗିଚି । ଆମେ ଏଥର ବାଁକୁ ବୁଲିଲୁ । ହୁଡ଼ା ଚଢ଼ିଲୁ । ଟିକେ ଉଠାଣି ।

 

ବାଘୁଣୀଟି ଆମଠୁ ଶହେ ଗଜ ଦୂରରେ । ସେ ଗୁର୍ ଗୁର୍ କରିବାକୁ ଆରମ୍ଭକଲା । ମୁଁ ଠିଆହୋଇଗଲି । ଲାଖକରି ବନ୍ଧୁକ ଉଠାଇଲି । ଏଇ ସମୟରେ ବାଘୁଣୀର ସାହସ ଅଣ୍ଟିଲାନି । ସେ ଲାଞ୍ଜ ବୁଲାଇନେଲା । ବନ୍ଧର ଉପରେ ଉପରେ କୁଦା ମାରିଲା । ତା’ପରେ ଡାହାଣକୁ ଖସିଲା-। ତିନିଚାରି ଡିଆଁରେ ପୋଖରୀର ସେ ଦୂର ପାଖରେ କୁଆଡ଼େ ଲୁଚିଗଲା । ଆମ ଦୃଷ୍ଟିରୁ ବାହାର ।

 

ଆମେ ହୁଡ଼ାର ଉପରେ ଉପରେ ଚାଲିକରି ଗଲୁ । ଟର୍ଚ୍ଚ ପକାଉଥାଉ । ସେ ପାଖରେ ଗୋଟାଏ ବଡ଼ ବରଗଛ । ବରଗଛଟା ପୁଣି ଏକା । ଆମେ ଆଶ୍ଚର୍ଯ୍ୟ ହେଲୁ ଯେ, ଏଇ ବରଗଛର ଗୋଟାଏ ସନ୍ଧି ଜାଗାରେ ଜଳୁଚି ପୁଣି ଦୁଇଟା ଆଖି । ସେଇ ବାଘୁଣୀ ! ମାଟିଠୁ ପନ୍ଦରଫୁଟ ଉପରେ ହେବ । ମୁଁ ଯୋଉଠି ଠିଆହୋଇଥିଲି–ସେଇ ସମତଳରେ । ବଡ଼ ବିସ୍ମୟକର କଥା । ବାଘମାନେ ସାଧାରଣତଃ ଗଛ ଚଢ଼ନ୍ତିନି । ଚଢ଼ିଲେ ଏତେ ଉଚ୍ଚକୁ ଯାଆନ୍ତିନି । ଟର୍ଚ୍ଚ ପଡ଼ିଲେ ଆଦୌ ଗଛ ଚଢ଼ିବା ସମ୍ଭବେନି ।

 

ମୁଁ ଏବେ ତା’ର ଆକାର ପ୍ରକାରଟା ଜାଣିପାରୁଚି । ଦୁଇଡାଳର ମଝି ସନ୍ଧିରେ ସେ କୁକୁର ବସିବା ପରି ବସିଚି । ସେ ଦୁଇଟା ଜଳନ୍ତା ଆଖି ପିଣ୍ଡୁଳାର ମଧ୍ୟକୁ ଲାଖକରି ଗୁଳି ଛାଡ଼ିଦେଲି । ଲଥ୍‌କରି ପଡ଼ିବାର ଶବ୍ଦ । ତା’ପରେ ଗୋଟାଏ ଅର୍ତ୍ତ ଗର୍ଜନ । ତା’ପରେ ସବୁ ନୀରବ-

 

ପୋଖରୀ ହୁଡ଼ାରେ ଆମେ ଆଉ କିଛି ଦୂର ଗଲୁଁ । ଆମ ଡାହାଣକୁ ବୁଦାଆଡ଼କୁ ଟର୍ଚ୍ଚ ପକାଉଥାଉ । ମାତ୍ର କୌଣସି ପ୍ରକାର ଶବ୍‌ଦ ଆଉ ଆସିଲାନି । ଠିକ୍ କଲି ଗୁଳିଟା–ସନ୍ନ୍ୟାସୀର ଠିକ୍ ଜାଗାରେ ବାଜିଚି–ତେଣୁ କାଲି ଆସିବି । ମୋ’ର ଶୋଇବା ଦରକାର । ବିଶ୍ରାମ ଲୋଡ଼ା । ଆମେ ତେଣୁ ଗାଁକୁ ଫେରିଆସିଲୁ । ସେଇଠୁ କାର୍ ରଖିଥିବା ଜାଗାକୁ ଆସିଲୁ । ପ୍ରାୟ ମାଇଲିଏ ବାଟ ଚାଲିଲୁ । ମୋ’ର ଦାମୁଡ଼ିଟା ପଛରେ ରହିଗଲା । ତୁମ୍‌କୁର୍‌ରେ ହାଲ୍‌କା ଆହାର ଖାଇନେଲି-। କଡ଼ା ଚା’ ପିଇଲି । ପୁରାପାଇପ୍ ତମାଖୁ ଶୋଷିଲି । ରାତିଟା ବିଶ୍ରାମ ନେଲି । ବଡ଼ ଆଶାକରିଥାଏ, ସକାଳହେଲେ ବାଘୁଣୀକି ଉଠାଇବି ।

 

ସକାଳୁ ସକାଳୁ ଗାଁରେ ପହଞ୍ଚିଲି । ମୋ’ର ଗଲା ରାତିର ସାଥୀକି ଡାକିଲି । ଆମେ ପୋଖରୀ ହୁଡ଼ା ଆଡ଼କୁ ଚାଲିଲୁ । ବେଶ୍ ସତର୍କ ଥାଉ । ସେଇ ଏକେଣା ବରଗଛକୁ ଯିବାକୁ ଗଡ଼ାଣି । ସେଠିକି ଯିବା ଦରକାର । ଖୁବ୍ ସାବଧାନ ହେଇ ଆସୁଥାଉ ।

 

ଆମେ ଦେଖିଲୁ ଚାରିଆଡ଼େ ଗୁଡ଼ାଏ ରକ୍ତ ପଡ଼ିଚି । ବିଶେଷରେ ଗୁଳିମାଡ଼ ପରେ ଯୋଉଠି ଜନ୍ତୁଟା ପଡ଼ିଲା, ସେଠି ମନ୍ଦା ମନ୍ଦା ରକ୍ତ । ଖୋଜାଖୋଜି କଲୁ । ବାଘୁଣୀଟା ନାଇଁ । ଖଣ୍ଡେ ହାଡ଼ ପାଇଲୁ । ପ୍ରାୟ ଏକବର୍ଗଇଞ୍ଚ ହେବ । ମୋ’ର ୪୦୫ ଗୁଳିର କେତେକାଂଶ ସେଥିରେ ଲାଗିଥାଏ ।

 

ଗଛରେ ବାଘ ନଖର ଅନେକ ଦାଗ । ବାଘୁଣୀଟା କେଡ଼େ କଷ୍ଟରେ ଉପରକୁ ଉଠିଚି ! ଧନ୍ୟ ଏ ବାଘୁଣୀ ! ମୋ ସାଥୀ ସେଇ ଜାଗାକୁ ଉଠିଲେ । ସେଠି କେତେ ବିନ୍ଦୁ ରକ୍ତ ସେ ଦେଖିଲେ ।

 

ଆମେ ଏବେ ରକ୍ତ ଦାଗ ଦେଖି ତା’ର ପିଛା ନେବାକୁ ବାହାରିଲୁ । ବର୍ତ୍ତମାନ ଜଣାଗଲା, ଗୁଳିଟା ବାଘୁଣୀର ମୁଣ୍ଡରେ ବାଜିଚି । ଆଘାତ ଖୁବ୍ ଭୟଙ୍କର । ରକ୍ତ ଦାଗ ଅଙ୍କେଇ ବଙ୍କେଇ ଯାଇଚି । ବଡ଼ ଲକ୍ଷ୍ୟହୀନ ଭାବରେ ପଡ଼ିଚି । ଗୋଟାଏ ପାଖରେ ବାରମ୍ବାର ବାଘୁଣୀ ଘୂରିଚି । ସେ ନିଶ୍ଚୟ ବାତୁଳ ଅବସ୍ଥାରେ ପହଞ୍ଚିଚି । ସ୍ଥାଣୁ...ସ୍ତମ୍ଭୀଭୂତ ହୋଇଚି । ହେଇପାରେ ଅନ୍ଧୁଣୀ ହେଇଯାଇଚି–ତେଣୁ ଜାଣିପାରିନି କୁଆଡ଼େ ଯାଉଚି ବା କଅଣ କରୁଚି ।

 

ବହୁବାର ଆମେ ରକ୍ତ ମନ୍ଦା ଦେଖିଲୁ । ସେଠି ରକ୍ତସବୁ ଥଲ ଥଲ ପଡ଼ିଚି । ଆଉ ଗୋଟାଏ ଜାଗାରେ ପହଞ୍ଚିଲୁ । ସେଠି ବୋଧହୁଏ ବାଘୁଣୀଟା ପଡ଼ିଯାଇଚି । ନହେଲେ, ରାତିର ଅନେକ ସମୟ ଯାଏ ଶୋଇରହିଚି । ବିରାଟ ମନ୍ଦାଏ ରକ୍ତ । ଗୋଲାକାରରେ ପ୍ରାୟ ଦଶଫୁଟ ବ୍ୟାସ ପରିମିତ ହେବ । ଜାଗାଟା ରକ୍ତରେ ଲାଲ ହେଇଯାଇଚି । ରାତିର ଶେଷ ଆଡ଼କୁ ରକ୍ତପଡ଼ିବା କମିଯାଇଚି । ତେଣୁ ସେ ଗଲାବେଳେ ଏଠି ବୁନ୍ଦାଏ ତ ସେଠି ଟୋପାଏ ରକ୍ତ ପଡ଼ିଚି । ଲାଣ୍ଟାନା, ଘାସ ଓ କଣ୍ଟା ବୁଦାର ଗହଳିଆ ଅଞ୍ଚଳକୁ ଯାଇଚି ବାଘୂଣୀ । ହୁଡ଼ାର ପାଦଦେଶରେ ଏ ଜାତିର ଗଛ ସବୁ ବଡ଼ ଘଞ୍ଚଭାବରେ ବଢ଼ିଚି ।

 

ପହିଲେ ଆମେ ଏ ବୁଦାଜଙ୍ଗଲକୁ ପରିକ୍ରମା କଲୁ । ବଡ଼ ଲମ୍ବା ହୁଡ଼ାଯାଏ ଗଲୁ । ଏମିତିରେ ପ୍ରାୟ ଦୁଇଶହ ଗଜ ବୁଲିଲୁ । ଉପରମୁଣ୍ଡ ବୁଲି ଫେରିଲୁ । ମାତ୍ର କୋଉଠି ହେଲେ ରକ୍ତର ଦାଗ ଦେଖିଲୁନି । କିମ୍ବା ଏ ବୁଦା ଜଙ୍ଗଲକୁ ଛାଡ଼ି ବାଘୁଣୀ ଯାଇଥିବାର କୌଣସି ଚିହ୍ନ ବି ପାଇଲୁନି । ତେଣୁ ଏ ବୁଦାଗହଳ ଭିତରେ ସେ ଅଛି । ଏ ପାଖଟା ପ୍ରାୟ ଦୁଇଶଗଜ ଲମ୍ବ । ଦଶଫୁଟରୁ ପଞ୍ଚସ୍ତରୀ ଫୁଟ ଯାଏ ଚୌଡ଼ା । ବିଭିନ୍ନ ଜାଗାରେ ଓସାର ଭିନ୍ନ ଭିନ୍ନ । ମାତ୍ର ସେ ବଞ୍ଚିଚି କି ମରିଚି ? ଏଇ ପ୍ରଶ୍ନର ଉତ୍ତର ଉପରେ ମୋ’ର ଏବଂ ମୋ’ ସାଥୀର ଜୀବନ ଓ ଦେହ ଉଭୟର ଭଲମନ୍ଦ ନିର୍ଭର କରେ ।

 

ଆମେ ସେଇ ମୂଳ ଜାଗାକୁ ଲେଉଟି ଆସିଲୁ । ଏଇଠି ରକ୍ତ ପଡ଼ିଚି । ଏହା ପରେ ବାଘୁଣୀ ପଶିଚି ବୁଦା ଜଙ୍ଗଲରେ । ଆମେ ଏଇଠୁ ଅନୁସନ୍ଧାନ ଆରମ୍ଭ କଲୁ । ଏକାଠି ରହିଥାଉଁ । ଦିହେଁ ପଥର ଫିଙ୍ଗିବାକୁ ଆରମ୍ଭ କରିଦେଲୁ । ଅନେକ ଦୂର ଯାଏ ସୋର୍ ଶବ୍ଦ କିଛି ନାଇଁ, ଖାଲି ନୀରବରା, ଖାଲି ନିଶ୍ଚଳତାଇ ଆମକୁ ସ୍ଵାଗତ ଜଣାଇଲା ।

 

ଏମିତିଭାବରେ ବୁଦା ଗହଳର ପାଖେ ପାଖେ ଆମେ ଦିହେଁ ଚାଲିଲୁ । କାଳେ ବାଘୁଣୀ ବାହାରିବ, ସେଥିଲାଗି ମୁଁ ଲାଣ୍ଟାନାଆଡ଼କୁ ଲକ୍ଷ୍ୟକରି ପାଞ୍ଚଗୁଳି ଫୁଟାଇଲି । ଏ ଅଞ୍ଚଳରେପ୍ରାୟ ପଉନେ ଜାଗା ଗୋଟାଏ ପ୍ରକାରରୁ ଗଛ ମାଡ଼ି ବସିଥାଏ । ପ୍ରାୟ ବାରଫୁଟ ଉଚ୍ଚ । ଛୋଟଗଛ । ତେବେ ଗୁଳ୍ମ ଗୁଡ଼ିକ ଉପରେ ଏ ଗଛ ଗୁଡ଼ିକ ଉଠିଥାଆନ୍ତି । ମୋ ସାଙ୍ଗ ଏମିତି ଗୋଟାଏ ଗଛକୁ ଚଢ଼ିଗଲା, ଉଦ୍ଦେଶ୍ୟ ଚାରିଆଡ଼କୁ ଠିକ୍‌ଭାବରେ ଦେଖିନେବ । ଆଉ ଅଚାନକ ଭାବରେ, ବିନା ଗର୍ଜନରେ ବାହାରି ଆସିଲା ବାଘୁଣୀ । ସେ ମୋ ସାଥିକୁ ଗୋଡ଼ାଇଲା ଏବଂ ତାଙ୍କ ପଛେ ପଛେ ଗଛରେ ଚଢ଼ିଲା ।

 

ସେ ଲୋକ ବିକଳ ଭାବରେ ପାଟି କରୁଥାଆନ୍ତି । ମୋ’ଠୁ ମାତ୍ର କୋଡ଼ିଏ ଗଜ ଦୂର । ମୁଁ ଲାଖକଲି । ଲାଗ୍ ଲାଗ୍ ତିନିଗୁଳି ମାରିଲି । ସେଇ ଚିତ୍ରିତ ପଟାପଟାରିଆ ଦେହଟା ଖସି ପଡ଼ିଲା-। ଏମିତି ସନ୍ନ୍ୟାସୀର ମୃତ୍ୟୁ ଘଟିଲା ।

 

ଆଗରୁ ଯାହା ଭାବିଥିଲି–ସେଇୟା ହେଲା । ପ୍ରକୃତରେ ସେ ଥିଲା ଗୋଟିଏ ବାଘୁଣୀ । ଟିକେ ବୁଢ଼ୀ ହେଇ ଯାଇଥାଏ । ତା’ ଦାନ୍ତସବୁ ଦନ୍ଥଡ଼ା ହୋଇ ଯାଇଥାଏ । ଏ ବୟସ ବୋଧହୁଏ ତା’କୁ ବାଧ୍ୟକଲା ମଣିଷର ବସ୍ତି ପାଖରେ ରହିବାକୁ, ତା’ ହେଲେ ସେ ସହଜରେ ତା’ ଖାଦ୍ୟ ପାଇ ପାରିବ । ଛେଳି, କୁକୁର, ଗାଈଗୋରୁଙ୍କୁ ମାରିବା ସହଜ । ବୁଢ଼ା ବୟସ ଆଉ ଭୋକର ଦାଉରେ ବୋଧହୁଏ ସେ ଅସ୍ଥିର ହେଉଥିଲା । ସେଥିପାଇଁ ସେ ଏତେ ଚିଡ଼ା ଓ ରାଗୀ ହୋଇ ଉଠିଥିଲା । ମଣିଷକୁ ମାରି ଖାଇବା ବାଘମାନଙ୍କ ପକ୍ଷରେ ଏକ ସ୍ଵାଭାବିକ ପ୍ରକ୍ରିୟା ନୁହେଁ । ସେଥିପାଇଁ ସେ ମଣିଷ ମାରି ଥିଲେ ବି କୋଉଠି ହେଲେ ମଣିଷ ମାଂସ ଖାଇନି । ତେବେ, ଏମିତି କିଛି କାଳ ବାଧା ବିଘ୍ନ ନ ପାଇ ଚଳି ଥିଲେ, ସେ ହୋଇ ଥାଆନ୍ତା ନରଭୋଜୀ । ଗଲା ରାତିରେ ମୋ ଗୁଳି ଠିକ୍ ତା’ ନକର ନଳୀ ଉପରେ ବାଜିଚି–ବରଂ ଟିକେ ଉପରକୁ ବାଜିଚି । ତା’ ନାକ ଓ କପାଳ ମଧ୍ୟ ଭାଗରୁ ଖଣ୍ଡେ ହାଡ଼ ଖସି ପଡ଼ିଚି । ଗୁଳିଟା ଯାଇଚି ଭିତରକୁ–କିନ୍ତୁ ସେତେ ଭିତରକୁ ଯାଇନି । କିଛି ଦିନ ଯାଇଥିଲେ ସେ ହୁଏତ ଏ ମାଡ଼ରୁ ଭଲ ହୋଇ ଯାଇଥାଆନ୍ତି । ତା’ ଦେହରୁ ଏତେ ରକ୍ତ ପଡ଼ିଥିଲେ ବି ସେ ଖୁବ୍ ଚଞ୍ଚଳ ଥିଲା । ମୋର ସାଙ୍ଗକୁ ଏକା ଦେଖି ତା’ର ରାଗ ତା’କୁ ଚହଲାଇ ଦେଲା । ସେ ଲୁଚିବା ଜାଗା ଛାଡ଼ି ବାହାରି ଆସିଲା । ଫଳରେ ମୋ ଗୁଳିରେ ଗଲା ତା’ର ଜୀବନ ।

Image

 

ବାଇରା ପୂଜାରୀ

 

ତା’କୁ ମୁଁ ଯେତେବେଳେ ପହିଲେ ଭେଟିଥିଲି, ସେ ପିନ୍ଧିଥିଲା ଖଣ୍ଡେ ଲେଙ୍ଗୁଟି । ଖୁବ୍ ମଇଳା କପଡ଼ା ଖଣ୍ଡେ । ଅଣ୍ଟାର ଚାରିପାଖେ ଗୋଟାଏ ମଇଳା ଦଉଡ଼ି । ପିଚାର ମଝିରେ ଏ ଲେଙ୍ଗୁଟି ଆସି ସାମ୍ନା ପାଖ ଗୁପ୍ତାଙ୍ଗ ଘୋଡ଼ାଇ ଥାଏ । ମାତ୍ର ତା’ର ପ୍ରତି ଲୋକକୂପ ହିଁ ତା’ ସାଧୁତା ଓ ସୁ-ମଣିଷ ପଣର ସାକ୍ଷୀ । ସେ ଥିଲା ଜଣେ ଉଚ୍ଚଦରର ମଣିଷ ।

 

ପ୍ରାୟ ପଚିଶ ବର୍ଷ ତଳେ ତା’ ସହିତ ମୋ’ର ଦେଖାସାକ୍ଷାତ । ସେଦିନୁ ସେ ମୋର ସାଙ୍ଗ, ସାଥୀ, ବନ୍ଧୁ ।

 

ଖରାଦିନର ମଝାମଝି । ପାହାନ୍ତି ପ୍ରହର । ପୂର୍ବ ଆକାଶ ତଳେ ଉଷାର ରକ୍ତିମା ଉକୁଟି ଉଠୁଥିଲା । ସେ ରକ୍ତିମା ପାହାଡ଼ ଚୂଳକୁ ଉଜ୍ଜ୍ୱଳ କରୁଥାଏ । ମୁଥୁରର ବନ ବିଭାଗ ବଙ୍ଗଳାର ଚାରି ଦିଗରେ ଅନେକ ପାହାଡ଼ ପର୍ବତ । ମୁଥୁରମାଲାଇ ପର୍ବତ ତଳେ ଏ ବଙ୍ଗଳାଟି । ଏଇ ପର୍ବତ ଯୋଗୁଁ ଚିନାର ନଦୀର ଗତିପଥ ବୁଲି ଯାଇଚି–ବଦଳି ଯାଇଚି । କାବେରୀ ନଦୀରେ ପହଞ୍ଚିବାର ଶେଷ ସାତ ମାଇଲ ଚିନାରର ଗତିପଥ ଖୁବ୍ ସର୍ପିଳ । ଘନ ଜଙ୍ଗଲ ଭିତରେ ବହୁଚି ଚିନାର । ଏ ସମୟରେ ଚିନାର ଶୁଖି ଖଡ଼ଖଡ଼୍ ପଡ଼ିଥାଏ ।

 

ସେ ଦିନ ଖୁବ୍ ଭୋରରୁ ବାହାରିଥାଏ । ଚିନାରର କୋମଳ ବାଲି ଉପରେ ନିଃଶବ୍ଦରେ ଚାଲିଥାଏ । ଭାବୁଥାଏ କୋଉ ଭାଲୁକୁ ଚମକାଇ ଦେବି । ଏ ସମୟରେ ଚିନାର କୂଳ ଦେଶରେ ଅନେକ ଜାମୁକୋଳି ମିଳେ । ଜାମୁକୋଳି ଖାଇବାକୁ ପଲ ପଲ ଭାଲୁ ଆସନ୍ତି । ଭାଲୁ ନ ହେଲେ କୋଉ ଚିତାକୁ ଭେଟିବି । ସେ ଚିତା ହୁଏତ ରାତିର ଶିକାର ସାରି ତା’ ଗୁହାକୁ ବା ଅଶ୍ରୟସ୍ଥଳକୁ ଫେରୁଥିବ । ଜାଣେ ଚିତା ଗୁଡ଼ିକ ଏ ନଦୀର କୂଳରେ ବୁଦା ଆଢ଼ୁଆଳରେ ଘୂରିବୁଲିବାକୁ ଖୁବ୍ ସୁଖ ପାଆନ୍ତି । ସାଧାରଣ ପଶୁମାନେ ଚିନାର ପାରି ହେଲାବେଳେ ଚିତାର ହାବୁଡ଼ରେ ପଡ଼ନ୍ତି । ସେ ସମୟରେ ହରିଣ, ଶମ୍ବର, କୁଟୁରା, ଚିତ୍ତଳ ବହୁତ ସେ ବଣରେ ଥିଲେ । ମାତ୍ର ସେଇ ସୁନ୍ଦର ଜୀବଗୁଡ଼ିକୁ ମାରିବା ମୋର ଲକ୍ଷ୍ୟ ନ ଥାଏ ।

 

ବଙ୍ଗଳାରୁ ପ୍ରାୟ ମାଇଲିଏ ପାରି ହୋଇଚି । ପାହାନ୍ତି ପହର ଶୀଘ୍ର ଶୀଘ୍ର ଶେଷ ହେଉଥାଏ । ଟିକେ କାଳି ଅନ୍ଧାର ତଥାପି ଥାଏ । ତା’ପରେ ଆସିବ ପ୍ରକୃତ ଉଷାକାଳ । ସେ ଉଷାକୁ ସ୍ଵାଗତ ଜଣାଇବ ଜଙ୍ଗଲ କୁକୁଡ଼ା । ଶୁଣିବ ମୟୂରର କରୁଣ ଡାକ । ଏମିତି ଅବସ୍ଥାରେ ମୁଁ ଶୁଣିଲି ଗୋଟାଏ ଖସ୍ ଖସ୍ ଶବ୍ଦ । ମୋ’ର ବାମ ପାଖକୁ ନଦୀର କୂଳରେ ଅନେକ ହେନା ବୁଦା । ସେ ପାରିରୁ ଏ ଖସ୍ ଖସ୍ ଶବ୍ଦ ଆସୁଥାଏ ।

 

ସେଦିନ ମୋ ପାଖରେ ନଥାଏ ଟର୍ଚ୍ଚ । ତେଣୁ ମୁଁ ସତର୍କ ହେଇ ହେନା ବୁଦା ପାଖରେ ଅଟକିଗଲି । ଏ ବୁଦାଟି ମୋ’ଠୁ ମାତ୍ର ଦଶଫୁଟ ଦୂରରେ ଥାଏ । ହଠାତ୍ ମୋ ସାମ୍ନାରେ ଆବିଷ୍କାର କଲି ଗୋଟାଏ ବିରାଟ ଗର୍ତ୍ତ । ଏହାର ବ୍ୟାସ ଥିଲା ତିନିଫୁଟ । ପ୍ରାୟ ସେତିକି ଗଭୀର । ସେ ଭିତରକୁ ପାଣି ଝରି ଆସୁଥାଏ । ଜାଣିଲି ଏ କାମଟା ଜଣେ ପୋଚର୍‌ର ବା ଚୋରା ଶିକାରୀର । ହରିଣଗୁଡ଼ିକ ଶୋଷରେ ଆଉଟୁ ପାଉଟୁ ହୋଇ ଏଠାକୁ ପାଣି ପାଇଁ ଆସନ୍ତି । ଏଇ ସମୟରେ ଦେଶୀ ବନ୍ଧୁକରୁ ଗୁଳି ଛୁଟେ । ହରିଣର ଜୀବନ ଯାଏ । ଏ ଶବ୍ଦ କରିଥିଲା ସେ ଦେଶୀ ବାଣୁଆ । ବୋଧହୁଏ ସେ ମୋତେ ଦେଖିପକାଇଚି । ନ ହେଲେ, ରାତି ସାରା ଜାଗିରହି କେତେବେଳେ ଶୋଇଯାଇଥିଲା–ଏଲାଗେ ଜାଗି ଉଠିଚି ।

 

ସେ ଲୋକକୁ ଲକ୍ଷ୍ୟକରି ତାମିଲ୍‌ରେ କହିଲି ବାହାରି ଆସିବାକୁ–ନହେଲେ ତାକୁ ଗୁଳିକରିବି ବୋଲି ଡରାଇଲି । ପହିଲେ କିଛି ଜବାବ୍ ଆସିଲାନି । ପରେ ଧୀରେ ଧୀରେ ଆସି ଗୋଟିଏ ବାଙ୍ଗରାଲୋକ ମୋ ଆଗରେ ଡରି ଡରି ଠିଆହେଲା । ତା’ପରେ କୋମଳ ବାଲିରେ ଲମ୍ବ ହୋଇ ମୋ ପାଦତଳେ ସେ ପଡ଼ିଗଲା । ସେ ତିନିଥର ସାଷ୍ଟାଙ୍ଗ ପ୍ରଣିପାତ କଲା ।

 

ତା’କୁ ଠିଆହେବାକୁ କହିଲି । ପଚାରିଲି–କିଏ ସେ ? ସେ କହିଲା–‘‘ମୁଁ ବାଇରା ପୂଜାରୀ ଆଜ୍ଞା !’

 

“ତୁମର ବନ୍ଧୁକ କାହିଁ ?” –ଦାବୀ କଲି ।

 

“ବନ୍ଧୁକ ? କି ବନ୍ଧୁକ ? ମୋ ପରି ଗରିବ ସରଳ ଲୋକ କୋଉଠୁ ବନ୍ଧୁକ ପାଇବ ? ସେଥିରେ ପୁଣି ମୁଁ ବନ୍ଧୁକ ଚଳାଇ ଜାଣେନି । ମୁଁ ଜଣେ ବାଟୋଇ । ବାଟ ବଣା ହୋଇଯାଇଚି ଆଜ୍ଞା ! ଖୁବ୍ ଥକିଯାଇଥିଲି । ଶୋଇପଡ଼ିଥିଲି ଏଇ ବୁଦାରେ । ଆଜ୍ଞା ହଜୁର, ଆପଣ ଡାକିବାରୁ ମୁଁ ଉଠିପଡ଼ିଲି । ଆଉ ଆପଣ କହୁଛନ୍ତି ବନ୍ଧୁକ ! ସେମିତି ଜିନିଷଟାଏ ମୁଁ ଏ ଯାଏ ଦେଖିନି ।” –ସେ କହିଲା ।

 

“ଯା... ଯା, ଜଲ୍‌ଦି ନେଇଆ ।” ମୁଁ ଆଦେଶ ଦେଲି ।

 

ସେ କିଛି ସମୟ ଚିନ୍ତାରେ ପଡ଼ିଗଲା । ତା’ପରେ ଗୋଟାଏ ପୁରୁଣାକାଳିଆ ନଳୀ ଆଣିଲା । ବଡ଼ ଲମ୍ବା । ତା’ର ପଛପାଖ ବେଶି ହେଲେ ତିନିଇଞ୍ଚ ଓସାର ।

 

ଏବଂ ଏମିତି ଭାବରେ ମୁଁ ବାଇରା ପୂଜାରୀ ସହ ପରିଚିତ ହେଲି । ଏହାଇ ଥିଲା ମୋର ପ୍ରଥମ ସାକ୍ଷାତ । ଗଲା ପଚିଶ ବର୍ଷ ଧରି ସେ ମୋର ବନ୍ଧୁ ହୋଇ ରହିଛି । ଆଜି ଜଙ୍ଗଲ ବିଷୟରେ ମୋର ଯାହା କିଛି ଜ୍ଞାନ, ଯେତେ ସବୁ ଅଭିଜ୍ଞତା, ସେ ସବୁର ମୂଳର ଅଛି ବାଇରା । ଜଙ୍ଗଲ ଭୀଷଣ । ଜଙ୍ଗଲ ଭୟଙ୍କର । ଜଙ୍ଗଲ ମୁକ୍ତ । ଜଙ୍ଗଲରେ କେତେ ଶୋଭା... କେତେ ସୌନ୍ଦର୍ଯ୍ୟ–ବାଇରା ସବୁ ମୋତେ ଗୁରୁପରି ବତାଇଚି ।

 

ପଚାରିଲି, ‘କଅଣ ମାରିଚୁ ?’

 

“କିଛି ନାଇଁ ସାହେବ ! ଗତ ରାତିରେ ପାଣି ଜାଗାକୁ କୌଣସି ପଶୁ ଆସିଲାନି ।” ମୁଁ ଟିକେ ରୁକ୍ଷ ଧମକାଇବା ଗଳାରେ ପଚାରିଲି, ‘କଅଣ ମାରିଚୁ ? ’

 

ସେ ମୋତେ ଠାରିଲା । ତା’କୁ ଅନୁସରଣ କରିବାକୁ କହିଲା । ସେ ନଈ ସିଧା ପାରି ହେଲା । ଗଲା ବିପରୀତ କୂଳକୁ । ଦେଖିଲି ନଦୀର ବାଲିରେ କ’ଣ ଗୋଟାଏ ଗଦାହେଇଚି । କଳା ଦିଶୁଚି । ପାଖକୁ ଗଲି । ମାଈ ଶମ୍ବରଟାଏ । ବେକ ଉପରେ ତା’ର ବଡ଼ କଣାଟାଏ । ସେଥିରୁ ରକ୍ତ ବହି ବାଲିକି ତିନ୍ତାଇଦେଇଚି ।

 

ବାଇରାକୁ ଚାହିଁଲି । ମୋ’ ଚାହାଣି ଥିଲା ରୁକ୍ଷ । ସେଥିରେ ଥିଲା କ୍ରୋଧ, ବିରକ୍ତି ।

 

ସେ କହିଲା, “ମାଲିକ, ଆମେ ସବୁ ଭୋକିଲା । ମୁଁ ଯଦି ଜନ୍ତୁ ନମାରେ, କିଛି ଖାଇବାକୁ ମିଳିବନି । ଆମେ ସବୁ ଭୋକରେ ନ ଖାଇ ନ ପିଇ ମରିଯିବୁ । ”

 

କିଛି ଦୂରରେ ବାଲିରେ ମୁଁ ଚକା ପକାଇ ବସିଲି । ମୋ’ ପାଖରେ ବସିବାକୁ ବାଇରାକୁ କହିଲି । ମୋ’ ତମାଖୂ ଥଳୀରୁ କିଛି ତମାଖୁ କାଢ଼ିଲି । ଦେଲି ତାକୁ । ସେ ତମାଖୁ ତା’ ହାତରେ ନେଲା । ଟିକେ ଦଳିଲା । ଶୁଙ୍ଘିଲା । ତା’ ମନରେ ସନ୍ଦେହ । କିଛି ସମୟ ପରେ ତା’ ମୁହଁରେ ହସ ଖେଳିଗଲା । ତା’ ମୁହଁ ଉଜ୍ଜ୍ୱଳ ଦେଖାଗଲା । ସେ ମୋତେ ବଣ ବିଷୟରେ, ତା’ ଶିକାର ବିଷୟରେ ଅନେକ କଥା କହିଲା । ଦଳି ଦଳି ତମାଖୁ ପାଟିରେ ପକାଇଲା । କିଛି ସମୟ ସେ ଚୁପ୍‌ଚାପ୍ ରହିଲା । ବାଇରା ତମାଖୁ ଚୋବାଉଥାଏ ।

 

ତା’ପରେ ଛେପ ଢୋକି ଢୋକି ସାହସ ପାଇ ସେ କହିଲା, “ମାଲିକ, ଫରେଷ୍ଟ ଗାର୍ଡ଼କୁ ମୋ’ ନଳୀ କଥା କିଛି କହିବେନି । ଗାର୍ଡ଼ ଜାଣିଲେ ବଡ଼ ମୁଷ୍କିଲ୍ । ସେ ନଳୀ ଛଡ଼େଇ ନବ । ମୋତେ ହାଜତକୁ ପଠାଇବ । ମୋ’ ସ୍ତ୍ରୀ ଓ ଚାରୋଟି ପିଲା ଭୋକରେ ମରିଯିବେ ।”

 

ମୋ’ ପାଇଁ ଏ ଗୋଟାଏ ଗୋଲକଧନ୍ଦା ହୋଇଉଠିଲା । ମୁଁ ସରକାରଙ୍କଠୁ ଅନୁମତି ପାଇଚି । ମୋ’ର ଲାଇସେନ୍‌ସ ଅଛି । ସେ ଜଣେ ଗାଉଁଲି ଶିକାରୀ–ପୋଚର୍ । ତା’କୁ ଧରାଇଦେବା ମୋ’ର କର୍ତ୍ତବ୍ୟ । ଲାଇସେନ୍‌ସର ତାହାଇ ଧାରା ଓ ସର୍ତ୍ତ । ପୁଣି ସେ ଲୋକଟା କେଡ଼େ ନିଦାରୁଣ ! ହରିଣ ଶମ୍ବର ପାଣି ପିଇବାକୁ ବିକଳ ହେଇ ଆସନ୍ତି । ସେ ସେଇ ଶୋଷିଲା ଜୀବଗୁଡ଼ିକୁ ହୃଦୟହୀନ ଭାବରେ ଗଳା କାଟି ମାରୁଚି । ପୁଣି ମାଈ ଜୀବ ଗୁଡ଼ିକୁ ! ଏସବୁ ଶିକାରର ନିୟମ ବିରୁଦ୍ଧ । ତା’କୁ ଧରାଇ ଦେବା ଉଚିତ । ହେଲେ... ହେଲେ ଲୋକଟାର କେତେକ ଭଲ ଗୁଣ ବି ଅଛି । ମୋ’ ଉପରେ କ’ଣ ଏତେ ବେଗି ବିଶ୍ୱାସ କରି ନେଲାଣି ! ହୁଏତ ଯେଉଁ ଧୂଆଁପତ୍ର ଦେଲି ତା’ରି ପ୍ରଭାବ ହୋଇପାରେ ।

 

ମୁଁ ତା ପ୍ରଶ୍ନର ସିଧା ଉତ୍ତର ଦେବାକୁ ଚାହୁଁନଥାଏ । କ’ଣ କରିବି ଭାବୁଥାଏ କି ନା ! ତାକୁ ପଚାରିଲି–ତୋ’ ଘର ?

 

“ଆମର ଘର ନାଇଁ, କୁଡ଼ିଆ ନାଇଁ, ଜମିନାଇଁ... କିଛି ନାଇଁ । ଦିନସାରା ଆମେ ଜଙ୍ଗଲରେ ବୁଲୁ । ମହୁ ଖୋଜୁ । କପାଳରେ ଥିଲେ ମହୁଫେଣାଟାଏ ମିଳେ । ମହୁ ମିଳିଲେ ପେନାଗ୍ରାମ ହାଟକୁ ନେଉ । ପେନ୍ନାଗ୍ରାମ ଏଠୁ ସାତମାଇଲ । ଛୋଟ ଠେକିଏ ମହୁରେ ଗୋଟାଏ ଟଙ୍କା ମିଳେ । ସେଥିରେ ଆମେ ମାଣ୍ଡିଆ କିଣୁ । ପ୍ରାୟ ଚାରିଦିନ ଚଳୁ । ମହୁ ନ ପାଇଲେ ଆମେ ଗୋଧି ଖୋଜୁ । ଗୋଧିଟାଏ ମିଳିଲାତ କପାଳ ଖୋଲିଯାଏ । ଆମେ ତା’ ମାଂସ ଖାଉ । ବେଶ୍ ସୁଆଦିଆ ମାଂସ । ଆଉ ତା’ ଲାଞ୍ଜ ପେନ୍ନାଗ୍ରାମ ଡାକ୍ତରକୁ ବିକୁ । ଡାକ୍ତରଟା ବଡ଼ ବଢ଼ିଆ ଲୋକ । କେତେ ବିଦ୍ୟା ସେ ଜଣେ ! ସେ ଲାଞ୍ଜଟାକୁ ରାନ୍ଧେ । ସେଥିରେ ଆହୁରି କ’ଣ କ’ଣ ଔଷଧ ମିଶିଥାଏ । ତା’ପରେ ସବୁ ଜିନିଷକୁ ସେ ଚୂର୍ଣ୍ଣ କରି ପକାଏ । ସେ ସବୁକୁ ସେ କାଗଜ ପୁଡ଼ିଆରେ ବାନ୍ଧେ । ଗୋଟାଏ ପୁଡ଼ିଆ ଆଠଅଣା । ଏ ପୁଡ଼ିଆ କିଏ ନିଏ ଭାବୁଛନ୍ତି ତ ! ନିଅନ୍ତି ପ୍ରେମିକମାନେ-। ଏ ଚୂର୍ଣ୍ଣରୁ ମେଞ୍ଚାଏ ନିଅନ୍ତୁ । ଯେଉଁ ଝିଅକୁ ଭଲପାଉଛନ୍ତି ତା’ର ବାମକାନ୍ଧଉପରେ ପକାଇଦିଅନ୍ତୁ-। ସେ ଆପଣଙ୍କର ହେଇ ରହିଲା । ଆପଣ ଯାହା କହିବେ ସେ କରିବ । ଏ ଗୋଟାଏ ମୋହନୀ ଔଷଧ ।”

 

ଏଇଠି ସେ ମୋ’ ଆଡ଼କୁ କଣେଇ କରି ଚାହିଁଲା । “ହଜୁର, ଆପଣ ଯଦି କୋଉ ଝିଅକୁ ଚାହୁଁଛନ୍ତି, ଆଉ ସେ ଆପଣଙ୍କୁ ନିରାଶ କରୁଛି, କହନ୍ତୁ, ମୁଁ ଆପଣଙ୍କ ପାଇଁ ଗୋଟାଏ ପୁଡ଼ିଆ ଆଣିଦେବି । ସେ ତ ଆମ ଦେଶୀ ବଇଦ । ତା’ଠୁ ମୁଁ ମାଗଣାରେ ଆଣିଦେବି । ସେ ଲୋକ ସହିତ ମୋ’ର ଖୁବ୍ ଭଲ ଭାବ ଅଛି । ତା’ପରେ ମୁଁ ତ ତାକୁ ସବୁବେଳେ ଗୋଧିର ଲାଞ୍ଜ ଦେଇ ଆସୁଚି । ଆପଣଙ୍କୁ ବେଶି କିଛି କରିବାକୁ ହେବନି । ଖାଲି ମେମ୍‌ସାହେବଙ୍କର ବାଁକାନ୍ଧରେ ପକାଇଦେବେ–ସେ ଜାଣନ୍ତୁ ଆପଣଙ୍କର–ଆପଣଙ୍କର ମାନେ–ସାରା ଜୀବନପାଇଁ ।”

 

ସଙ୍ଗେ ସଙ୍ଗେ କହିଲି–ନା... ନା, ମୁଁ କୌଣସି ଝିଅକୁ ସେମିତି ସୁଖପାଉନି । ଏ ଗୋଧି ଲାଞ୍ଜର ଔଷଧ ମୋ’ର ଦରକାର ନାଇଁ । ତୋ’ ନିଜ କଥା କହ ।

 

“ବେଳେବେଳେ ଆମେ ଆଉ କିଛି ଖାଇବାକୁ ପାଉନି । ଆମେ ଜଙ୍ଗଲରେ ଚେର ଖୋଜିବୁଲୁ । ଏପାଖରେ ଗୋଟାଏ ଲତା ଅଛି । ତା’ପତ୍ର କେନା କେନା । ଏ ଲତାର ଚେରକୁ ନିଆଁରେ ପୋଡ଼ିଲେ, ସିଝାଇକରି ଲୁଣ ଦେଇ ଖାଇଲେ ବେଶ୍‌ ଭଲ ଲାଗେ । ମୁଁ ଆନାଇବିଦାହାଲା ନଦୀରେ ଗାତ ଖୋଳିଥାଏ । ସେଇଠି ରାତିରେ ଆମେ ବଉଁଶ ସାରା ଶୋଉ । ମୋ’ ସ୍ତ୍ରୀ, ମୁଁ ଓ ମୋ’ ପିଲାଏ । ଅନାଇବିଦାହେଲା ଛୋଟ ନଦୀଟିଏ । ମିଶିଚି ଚିନାରରେ । ଆଜି ଦେଖିଲେ ତ ! ଖରାଦିନେ ଏମ୍‌ତି ଶିକାର କରିବାକୁ ଯାଏ । ସେ ସମୟରେ ମୋ’ ସ୍ତ୍ରୀ ଓ ପିଲାଏ ରାତିସାରା ପାଳିକରି ଜଗନ୍ତି । ହାତୀ ଆସିଲେ ସଂକେତ ଦେଇ ମୋତେ ସତର୍କ କରି ଦିଅନ୍ତି । ହାତୀଗୁଡ଼ାକ ଆମ ଗାତ ପାଖରେ ଅଥବା ନଦୀ କୂଳରେ ଚଲାବୁଲା କରନ୍ତି । ବଡ଼ ଦୁଷ୍ଟ ସେଗୁଡ଼ାକ । ଥରେ ଥରେ ଆମକୁ ଆକ୍ରମଣ କରନ୍ତି । ବର୍ଷକତଳେ ଗୋଟାଏ ହାତୀ ପୂଜାରୀଜାତିର ଜଣେ ସ୍ତ୍ରୀଲୋକଙ୍କୁ ମାଡ଼ିମକଚି ମେଞ୍ଚାଏ କରିଦେଲା । ସେ ବିଚାରୀ ଗୋଟାଏ ଗାତ ଭିତରେ ଶୋଇଥିଲା । ହାତୀ ତାକୁ ଟାଣିଆଣିଲା । ପାଦରେ ଦଳିଚକଟିଦେଲା । ଯଦି ଗୋଟାଏ କିଛି ମାରିଲୁ, ତା ମାଂସ ଖାଇଲୁ । ଆଉ ଯୋଉ ମାଂସ ବଳିଯାଏ, ସେତକ ଶୁଖାଇଦେଉ-। ଏଥିରୁ କିଛି ମାଂସ ପେନ୍ନାଗ୍ରାମ ହାଟରେ ବିକୁ । ସେଥିରୁ ଦଶ ପନ୍ଦର ଟଙ୍କାମିଳେ । ସେ ଟଙ୍କାରେ ଆମେ ଖାଇବା ଜିନିଷ କିଣୁ । ମାସଟିଏ ଖୁସିରେ ଚଳୁ । ଆପଣ ତ ମହାରାଜ, ଧର୍ମାବତାର । ମୋର ସବୁ ହାଲହଲକତ ଜାଣିଲେ । ମୋଠି ଗୋଟାଏ ନଳୀ ଥିବା କଥା ଫରେଷ୍ଟଗାର୍ଡ଼କୁ କହିବେନିଟି ! ଏ ନଳୀଟା ଥିଲା ମୋ’ ବାପାଙ୍କର । ସେ କାଳରେ ତିରିଶ ଟଙ୍କା ଦେଇ ସେ କିଣିଥିଲେ ।”

 

ତା’ପରେ ସେ ଲୋକଟା ମୋତେ କଣେଇ କଣେଇ ଚାହିଁଲା । ତା’ ମୁହଁରେ କେମିତି ଗୋଟାଏ ବିଜୟର ଭାବ । ସେ ମୋତେ ଜାଣିଗଲା ପରା ! ମୋ’ ମନକୁ ଜିଣିଗଲା ! ତା’ ମନରେ ଗୋଟାଏ ସନ୍ତୋଷ । ତଥାପି ଆଖିରେ ଥିଲା କିଛି ସନ୍ଦେହ ।

 

ଲାଇସେନ୍‌ସଧାରୀର କର୍ତ୍ତବ୍ୟଜ୍ଞାନ ମୋ’ର ଲିଭିଗଲା । ମୋ’ର ବିବେକକୁ ମୁଁ ସେ ସମୟରେ ଦବାଇଦେଲି । ମୋ’ ଭିତରୁ ଗୋଟାଏ ଉତ୍ତର ଆସିଲା । ମାତ୍ର ସେ ଉତ୍ତରରେ ତାକୁ ରକ୍ଷା କରିବାର ନିଶ୍ଚୟତା ମୁଁ ଦେଇନଥାଏ ।

 

ଖାଲି ଶେଷକୁ କହିଲି, “ନା...ନା ବୈରା ! ମୁଁ କଥା ଦେଉଚି–ଏ ବିଷୟରେ କାହାକୁ କହିବିନି ।”

 

ସେ ହଠାତ୍‌କରି ଠିଆହୋଇପଡ଼ିଲା । ଲମ୍ବ ହେଇ ମୋ ଆଗରେ ପଡ଼ିଗଲା । ତା କପାଳ ସେ ତିନିଥର ଠୁକିଲା ମାଟିରେ । କହିଲା, “ମୋ’ର ବୁକୁର ଗହୀର ପ୍ରଦେଶରୁ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଚି ହଜୁର ! ଆମେ ଆମ ପରିବାର ସଭିଏଁ ଆପଣଙ୍କର କିଣାହୋଇ ରହିଲୁ । ଏଣିକି ଆପଣ ଯାହା କହିବେ ଆମେ ତାହାଇ କରିବୁ । ”

 

ବାଇରାକୁ କହିଲି ସେ ମୋତେ ବଙ୍ଗଳାରେ ଦେଖାକରିବ । ସେ ବି କଥାଦେଲା । ଜଙ୍ଗଲରେ ବାଘ ଓ ଚିତାମାନଙ୍କ ଗତିବିଧି ସଂପର୍କରେ ମୁଁ ଜାଣିବାକୁ ଚାହୁଁଥାଏ । ବାଇରା ସେ ଦିଗରେ ମୋତେ ଅନେକ ଖବର ଯୋଗାଇ ଦେଇ ପାରିବ । ଏତକ କହି ମୁଁ ଚାଲିଲି । ସେ ମୃତ ଶମ୍ବରୀ ଆଡ଼କୁ ଫେରି ଚାହିଁନି । ବାଇରାର କଥାର କୌଣସି ଜବାବ ଦେବାକୁ ମୋ’ର ମନ ହେଉ ନ ଥାଏ । ମୋ’ର ଡର ହେଉଥାଏ କାଳେ ଶମ୍ବରୀକି ଦେଖିଲେ ମୋ’ ମନର ଭାବନା ବଦଳିଯିବ, ମୁଁ ବାଇରାକୁ କାଳେ କ୍ଷମାକରି ପାରିବିନି ।

 

ବାଇରା କଥା ଦେଇଥିଲା–କଥା ରଖିଲା । ସେ ଆସି ଦଶଟାରେ ପହଞ୍ଚିଲା । ପଚରା ପଚରି କରିବାରେ ଜାଣିଲି ଦୁଇଟି ରାତି ଆଗେ ବାଘଟା ଏ ତାଠୁ ମାତ୍ର ପାଞ୍ଚଗଜ ଦୂରରେ ଦେଖାଦେଇଥିଲା । ସେ ସମୟରେ ସେ ନଦୀର ତଳଆଡ଼କୁ ପ୍ରାୟ ଦୁଇମାଇଲ ତଳେ ଆରେମାନଓଡ଼ୁଠାରେ ଶମ୍ବର ମାରିବାକୁ ଜଗିଥିଲା । ଏଇଠି ଚିନାର ନଦୀରେ ଆଉ ଗୋଟିଏ ଉପନଦୀ ମିଶିଚି । ସେ କହିଲା, “ସେଇଟା ଗୋଟାଏ ବୁଢ଼ାବାଘ । ତା’ର ଯିବାଆସିବାର ବାଟ ବଡ଼ ନିର୍ଦ୍ଦିଷ୍ଟ, ପୁଣି ବଡ଼ ସୀମାବଦ୍ଧ । ବେଶି ଯିବା ଆସିବା କରେନି–ବୋଧହୁଏ ବୁଢ଼ା ବୟସ ଯୋଗୁଁ ।”

 

ତା’ପରେ ସେ ଗୋଟାଏ ଅଦ୍ଭୁତ କାହାଣୀ କହିଲା । ପ୍ରାୟ ମାସକ ତଳେ–ସେ ତା’ର ଲୁଚିବା ଜାଗାରେ ଛକି ବସିଥାଏ । ଆସିଲା ଚିତଲଟାଏ । ତା’ର ଦେଶୀ ନଳୀରେ ଗୋଟାଏ ଗୁଳି । ତା’ପରେ ଚିତଲଟା ଶେଷ । ଉପରେ ଚନ୍ଦ୍ର ଥାଏ । ଉଜ୍ଜ୍ୱଳ କିରଣରେ ସବୁଆଡ଼େ ଆଲୋକିତ । ଚିତଲଟା ପଡ଼ିଥାଏ ବାଟରେ । ବାଇରା ତା’ନଳୀରେ ପୁଣି ଗୁଳି ପୂରାଇଲା । ବାକି ରାତିଟା ଚୁପ୍ ଚାପ୍ ଶୋଇବାକୁ ସେ ଭାବୁଥାଏ । ହଠାତ୍ ବୁଦା ଉଢ଼ାଳରୁ ଗୋଟାଏ ବଡ଼ ବାଘ ଆସିଲା । ଚିତଲ ପାଖକୁ ଗଲା । ଶୁଙ୍ଘିଲା । ତା’ ପରେ ଜନ୍ତୁଟାକୁ ଧରି ଛୁ । ବାଇରାର ମନ ବିଦ୍ରୋହ କଲା । ତା’ ମାରିବା ଜନ୍ତୁଟାକୁ ବାଘଟା ଜୋର୍ ଜବରଦସ୍ତ ନେଇଯାଉଚି । ସେ ଲଢ଼େଇକରନ୍ତା, ସାବ୍ୟସ୍ତ କରନ୍ତା ଏଟା ଅନ୍ୟାୟ । ମାତ୍ର ଗୋଟାଏ ଦେଶୀ ନଳୀ ଧରି ଜଙ୍ଗଲର ରଜା ସହିତ ଲଢ଼େଇ–ହାରିବା ସିନା ସାର ! ସେ ଛାଡ଼ିଦେଲା । କର୍ମ ଆଦରିଲା ।

 

ଗୋଟାଏ ଛଡ଼ା ମିଳିଲେ ବେଟ୍ ବା ଚରା ବାନ୍ଧନ୍ତି । ପୁଣି ଛଡ଼ାଟାଏ ପାଇବାକୁ ପେନ୍ନାଗ୍ରାମକୁ କାହାକୁ ପଠାଇବା ଦରକାର । ସେଥିରେ ଆଉ ଗୋଟାଏ ଦିନ ଯିବ । ତେଣୁ ମୁଁ ଠିକ୍ କଲି ଆରେମାନଓଡ଼ୁରେ ବସିବୁ–ମୁଁ ଓ ବାଇରା ।

 

ବାଇରା ସେ ଦୁଇ ଜଙ୍ଗଲୀ ନଈର ମିଳନ ସ୍ଥଳରେ ଗୋଟାଏ ଲୁଚାଜାଗା ତିଆରି କରି ଦେଲା । ଖୁବ୍ ଚମତ୍‍କାର, ଖୁବ୍ ଆରାମପ୍ରଦ ଏ ଜାଗା । ରାତିବି ଗରମ ଲାଗୁଥାଏ । ଲେଙ୍ଗୁଟି ଛଡ଼ା ବାଇରାର ଦିହରେ ଆଉ କୌଣସି କପଡ଼ା ନଥାଏ । ସେଦିନ ବାଇରା ମୋତେ ଧୈର୍ଯ୍ୟ ଧରିବା ଶିଖାଇଲା–କେମିତି ଘଣ୍ଟା ଘଣ୍ଟା ଧରି ନିଶ୍ଚଳ ହେଇ ବସିବାକୁ ହେବ । ବାଇରା ଚକା ମାରି ବସିଥାଏ । ସେ ସାରା ରାତି ସେ ଟିକେ ହଲଚଲ ହେଇନି, କେବଳ ବେଳେବେଳେ ହାତ ହଲାଇଚି-। ସେ ଯାଏ କୌଣସି ଜୀବଜନ୍ତୁର ଦେଖାନାଇଁ । ଦୁଇଟା ବେଳକୁ ମୁଁ ଏକାନ୍ତ କ୍ଳାନ୍ତ । ମୋ’ ଧୈର୍ଯ୍ୟ ଭାଙ୍ଗିଲା । ଶେଷକୁ ଶୋଇଗଲି । ଭୋରରେ ସେ ମୋତେ ଉଠାଇ ଦେଲା । ସେମିତି ଚକାପକାଇ ବସିଥାଏ ସେ ଯାଏ ।

 

ମୋ’ ମୁହଁରେ ନୈରାଶ୍ୟ । ବାଇରା କହିଲା–ସାହେବ ଚାହିଁଲେ ଉତ୍ତର ସକାଳରେ ଡଗରାଇବା କାମରେ ସେ ସାହାଯ୍ୟ କରିବ । ଆମେ ବଙ୍ଗାଳାକୁ ଫେରିଲୁ । ଗାଧୋଇଲୁ । ଜଳଖିଆ ଖାଇଲୁ । ନଅଟା ଆଗରୁ ଆରେମାନଓଡ଼ୁ କୂଳକୁ ପୁଣି ଫେରିଆସିଲୁ । ବାଇରା ଥାଏ ଆଗରେ । ଆମେ ନଦୀର ଉପର ଆଡ଼କୁ ଚାଲିଲୁ । ପ୍ରାୟ ଅଧମାଇଲେ ଯାଇଚୁ ଗୋଟାଏ ବାଘର ବାଟ ପାଇଗଲୁ । ସେଇ ରାତିରେ ସେ ବାଲିଉପରେ ଯାଇଥାଏ । ସେ ପାନାପାତି ନାସିଆଡ଼କୁ ଯାଇଥାଏ । ପାନାପାତି ନାସିଟା ସେଠୁ ମାଇଲିଏ ଦୂର । ମାଟି ଖୁବ୍ ଶୁଖିଲା । ଖୁବ୍ ଟାଣ । ତା’ଉପରେ ବାଘର ପାଦଚିହ୍ନ ଖୋଜି ପାଇବା ସହଜ ନୁହେଁ । କିନ୍ତୁ ବାଇରା କହିଲା ଯେ ବାଘଥିବାର ସମ୍ଭାବିତ ଜାଗା ସବୁ ଅଛି । ସେ ସବୁ ଜାଗାକୁ ଗଲେ ବାଘର ଦେଖା ମିଳିପାରେ ।

 

ତେଣୁ ଆମେ ଚାଲିଲୁ । ନାସିପରେ ନାସି ପାରିହେଲୁ । ବୁଦା, ବାଉଁଶ, ଛୋଟ ଗଛର ଉପତ୍ୟକାସବୁ ଖୋଜୁଆଉ । ଥରେ ଗୋଟାଏ ହାତୀ ପେଟରେ ଖାଦ୍ୟ ଜୀର୍ଣ୍ଣ ହେବାର ଘଡ଼ ଘଡ଼ ଶବ୍ଦ ଶୁଣିଲୁ । ଯୋଉଠି ସେ ହାତି ଶୋଇଥିଲା, ସେ ଜାଗାକୁ ବହୁ ଦୂରରୁ କାଟି ଆମେ ଉପରକୁ ଉଠିଲୁ । ଆମେ ପାନାପାତି ନାସିକୁ ଯାଉଥାଉ ।

 

ଆମେ ଏବେ ବୁଦିବୁଦିକିଆ ଜଙ୍ଗଲରେ ପହଞ୍ଚିଲୁ । ଚାରିଆଡ଼େ ଅସଂଖ୍ୟ ଢିମାପଥର । ବାଇରା କହିଲା, ଏଇ ପଥର ରାଜ୍ୟରେ ଥିବା ଗୁହାରେ ସେ ରହେ । ଭାଲୁମାନେ ତ ଏମିତି କହନ୍ତି-। ପଥର ତାତୁଚି । ମାଟି ତାତୁଚି । ଆଗକୁ ଯିବାକୁ ମୋ’ର ମନ ବଳୁ ନଥାଏ । ଭାବୁଥାଏ ଫେରିବି-। ସାଙ୍ଗ ମୋର କିନ୍ତୁ ଅଧିକ ଆଗ୍ରହୀ ହୋଇଉଠିଲା । ସେ କହିଲା, ଆଗକୁ ଯିବା । କହିଲା ନାସି ପାରିହେବାକୁ ।

 

ନିଷ୍ଠୁର ସୂର୍ଯ୍ୟର ତାତିଲା କିରଣ । ଆମେ ଝାଳରେ ଜୁଡ଼ୁବୁଡ଼ୁ, ତଥାପି ଆଗକୁ ଚାଲିଲୁ । ପହଞ୍ଚିଲୁ ନାସିର ଆଗରେ । ତା’ ପରେ ଖସାଣି । ଓହ୍ଲାଇବା ଆରମ୍ଭକଲୁ । ନାସିର ଉପରଟାରେ ବହୁତ ବେଶି ପଥର । ଶେଷକୁ ଆମେ ବଡ଼ ବଡ଼ ପଥର ଦେଖିଲୁ । ଏ ବିଶାଳକାୟ ପଥରଗୁଡ଼ିକ ଗୁଆପରି ହୋଇଥାଏ । ଗୋଟାଏ ବଡ଼ ପଥର ବାହାରି ଆସିଥାଏ, ତାହା ଫଳରେ ସେଠି ଟିକେ ଛାଇହୋଇଥାଏ । ବାଇରା ସେଇ ଛାଇରେ ବିଶ୍ରାମ ନେବାକୁ ମୋତେ କହିଲା । ମୁଁ ବିଶ୍ରାମ ନେବାବେଳେ ସେ ପାଖ ଆଖ ଖୋଜି ନେବାରୁ ମୁଁ ଖୁସି ହେଲି । ବସିଲି ପଥର ଛାଇରେ । ସିଗାରେଟ୍ ପିଇବି, ଝାଳ ମାରିବି । ଥଣ୍ଡା ଲାଗିବ । ଏମିତି ଭାବୁ ଭାବୁ ମୋ’ସହଚରଟି ପଥରର ସହର ଭିତରେ କୁଆଡ଼େ ହଜିଗଲା ।

 

ଦଶମିନିଟ୍ ଭିତରେ ସେ ଲେଉଟି ଆସିଲା । ବଡ଼ ଉତ୍ତେଜିତ ହୋଇପଡ଼ିଥାଏ । କହିଲା, ବାଘର ଗନ୍ଧ ପାଉଚି, ଏଇ ଖୁବ୍ ପାଖରେ କୋଉଠି ସେ ଲୁଚିଛି । ମୁଁ ଏ ଭିତରେ ବିରକ୍ତ ହେଇଉଠିଥାଏ । ବାଇରାକୁ ଏପ୍ରକାର ଗାଲୁ ବନ୍ଦ କରିବାକୁ କହିଲି । ସେ ମୋ’ ଆଡ଼କୁ ବିସ୍ମିତହୋଇ ଅନାଇଁ ରହିଲା । ତା ମୁହଁରେ ଅନେକ କାରୁଣ୍ୟ । ସେ କହିଲା, ଆସନ୍ତୁ, ନିଜେ ଦେଖି ଯାଆନ୍ତୁ । ମୋତେ ଅପେକ୍ଷା ନକରି ସେ ବାଟ କଢ଼ାଇ ନେଲା । ଯୋଉ ବାଟରେ ସେ ଆସିଥିଲା ସେଇ ବାଟରେ ଯାଉଥାଏ ।

 

ସେ ମୋ’ ରାଇଫଲ ଧରିଥାଏ । ମୁଁ ଯାଉଥାଏ ତା’ ପଛେ ପଛେ । ପଥରଗୁଡ଼ାକ ଲଗାଲଗି ହୋଇ ରହିଥାଏ । ତା’ ଭିତରେ ତିଆରି ହୋଇଥାଏ ଅନେକ ଗୁହା । ଖୁବ୍ ପାଖରେ ଥିବା ଗୁହାକୁ ସେ ଧୀରେ ଧୀରେ ଗଲା । ଏଗୁହାଟା ପ୍ରାୟ କୋଡ଼ିଏ ଗଜ ଦୂରରେ ଥାଏ । ସେ ଅଟକିଗଲା । ମୋତେ ଠାରିଲା । ଚୁପ୍ କରି ପଚାରିଲା, ଗନ୍ଧ ପାଉଛନ୍ତି ତ ? ମୁଁ ଖୁବ୍ ସାବଧାନ ହୋଇ ବାସନା ବାରିଲି । କି’ଛି ଜାଣିପାରିଲିନି । ଚିଡ଼ିଆଖାନାରେ ବା ପଶୁ ସର୍କସରେ ଯୋଉ ଗନ୍ଧ ମିଳେ ସେମିତି ଗନ୍ଧ ନ ଥାଏ । ମୁଁ ହଲାଇଲି ମୁଣ୍ଡ । ଏହା ଥିଲା ନାସ୍ତି ସୂଚକ । କିଛି ଦୂର ଆଗକୁ ସେ ଗଲା । ଅଟକିଗଲା ପୁଣି । ଏବେ ତ ବାସନା ବାରି ପାରିବେ–ସେ ପଚାରିଲା । ମୋ’ ନାସାକୁ ମୁଁ ବାରମ୍ଵାର ବାସନାକୁ ବାରିବା ଲଗାଇ ଦେଲି । ବହୁ କଷ୍ଟରେ ମୁଁ ଏକ ଅଜଣା ଗନ୍ଧ ପାଇଲି । ତା’କୁ ମୁଁ କହିଲି–ପଚାଗନ୍ଧ । ଆଜିଯାଏ ମୁଁ ଏ ଗନ୍ଧ ଜାଣିନଥିଲି, ଏଇଲାଗେ ଜାଣୁଚି ସେ ବାଘର ଗନ୍ଧ ।

 

ଉପରକୁ ଅନାଇଁଲା ବାଇରା ଉପରେ ପାଞ୍ଚଟା ଗୁହାର ମୁହଁ । ସେଗୁଡ଼ାକୁ ସେ ଲକ୍ଷ କରୁଥାଏ ଆମଠୁ ଚତୁର୍ଥ ଗୁହାକୁ ସେ ଦେଖାଇଦେଲା । ମୋ’କାନରେ କହିଲା–ବାଘଟା ଅଲବତ୍‌ ସେଠି ଅଛି । ତା’ କଥାରେ ମୋ’ର ବିଶ୍ୱାସ ହେଉନଥାଏ । ଭାରି ଜାଣିଲା ବାଲା ! ମନ୍ତ୍ର ଜାଣିଚି ନା ଗାଲୁମାରୁଚି !

 

ତା’ଆଡ଼କୁ ଏଡ଼େ ଏଡ଼େ ଆଖିରେ ଅନାଇଲି । ମୋ’ଆଖି କହୁଥାଏ, ଆଉ ବେଶୀ ଠକେନା ବାଇରା । ହେଲେ, ସେ ମୋ’ଅବିଶ୍ୱାସକୁ ମନକୁ ନେଲାନି ବରଂ ଦୃଢ଼ତାର ସହ ଧୀରେ ଧୀରେ ଆଗକୁ ଚାଲିଲା । ମୋତେ ଠାରିଲା ତା’ପଛ ଧରିବାକୁ । ଆମେ ନିଃଶବ୍‌ଦରେ ପାଦ ବଢ଼ାଉଥାଉ । କ୍ରମେ ଆମେ ସେ କହିଥିବା ଗୁହାର ତଳଦେଶରେ ପହଞ୍ଚିଗଲୁ । ଆଙ୍ଗୁଳି ଆଗରେ ଠିଆହେଇ ମୁଁ ଭିତରକୁ ଅନାଇଲି । କିଛି ଦେଖିପାରିଲିନି, ମାତ୍ର ଠିକ୍ ପର ମୁହୂର୍ତ୍ତରେ ନିଃଶବ୍‌ଦରେ, ସତେ ଯେମିତି କିଏ ଇଂଦ୍ରଜାଲ କଲା, ଗୋଟିଏ ବିରାଟ ମୁଣ୍ଡ ବାହାରିଆସିଲା । ସେ ମୁଣ୍ଡଟା ଥିଲା ଗୋଟାଏ ବଡ଼ ବାଘର । ସେ ମୁହଁରେ ଲକ୍ଷ୍ୟକଲି ଅଦ୍‌ଭୁତ ବିସ୍ମୟର ରେଖା ।

 

ମୋ’ଠୁ ସେ ଥାଏ ଆଠଫୁଟ ଦୂରରେ । ମୋ’ ବନ୍ଧୁକ କଥା କହିଲା । ଗୁଳିଟା ଦୁଇଆଖିର ମଝିରେ ବାଜିଲା । ବାଘଟା ଆଗରୁ ଏକ ବିଚିତ୍ର ଭଙ୍ଗୀରେ ଗଡ଼ିପଡ଼ିଲା । ଆମ ମୁଣ୍ଡର ସମତଳରେ ଆସି ରହିଗଲା । ତା’ର ଆଗପାଦ ଦୁଇଟା ମଝିରେ ତା’ ବିରାଟ ମୁଣ୍ଡଟା ରହିଥାଏ । ତା’ର ପୀତ ସବୁଜ ଆଖି ଦୁଇଟି ମୃତ୍ୟୁର ଆହ୍ଵାନରେ ଅର୍ଦ୍ଧନିମୀଳିତ । ଥପ୍... ଥପ୍... ଥପ୍... ଗାଢ଼ ଲାଲ ରକ୍ତ ଝରୁଚି । ତା’ କପାଳରେ ଗୋଟାଏ ବଡ଼ କଣା ।

 

ଜଙ୍ଗଲର ମରମ ଜାଣିବାରେ ବାଇରା କେଡ଼େ ଓସ୍ତାଦ୍–ଏହି କଥା ମୁଁ ଜାଣିଲି ଏଇ ଗୋଟିକ ଘଟଣାରୁ । ତା’କୁ ଆବିଷ୍କାର କରି ମୁଁ ଖୁସି ହୋଇଚି କହିଲେ ମୋ’ ମନର ଭାବକୁ ମୁଁ ଠିକଭାବେ ପ୍ରକାଶ କରିପାରିଲିନି । ସମୟ ବଢ଼ି ଚାଲିଲା । ଆମ ଦିହିଁଙ୍କ ମଧ୍ୟରେ ସହଯୋଗ ବି ବଢ଼ିଲା । ସେ ସବୁର ବିଚାର କରେ । ଦୂର ଅତୀତରେ ଥରେ ଏଇ ଲୋକଟିକୁ ରକ୍ଷାକରିବାକୁ ମୋ’ ବିବେକକୁ ମୁଁ ଚୁପ୍ କରାଇଦେଇଥିଲି । ସେ ଏବେ ଅନୁତାପ କରେନି, ବରଂ ମୁଁ ଗର୍ବ ଅନୁଭବ କରେ ଯେ ଏମିତି ବଢ଼ିଆ ଲୋକକୁ ମୁଁ ରକ୍ଷାକରିଚି, ପାଇଚି ବନ୍ଧୁ ଭାବରେ ।

 

ଆମେ ଉଭୟେ ଅନେକ ଶିକାର ଅଭିଯାନକୁ ଯାଇଚୁ, ସେ ସବୁ କହିବସିଲେ ବିରାଟ ଗ୍ରନ୍ଥ ହୋଇଯିବ । ତେବେ ଦୁଇଟି କଥା ନିଶ୍ଚୟ କହିବି । ତାଲବାଦିର ଭାଲୁ ଶିକାରବେଳେ ବାଇରା ତା’ ଜୀବନକୁ ମୋ’ ପାଇଁ ଟେକିଦେଇଥିଲା । ମୁଣ୍ଡାଚିପାଲାମ ନରଖାଦକ ଆଗରୁ ବି ମୋତେ ରକ୍ଷା କରିଥିଲେ ।

 

ତାଲବାଦି ଗୋଟିଏ ପ୍ରଶସ୍ତ ଉପତ୍ୟକା । ଏହାର ମଧ୍ୟଭାଗରୁ ବହିଆସୁଚି ତାଲବାଦି ନଦୀ । ମୁଁ ପହିଲେ ବାଇରାକୁ ଯୋଉଠି ଭେଟିଥିଲି, ସେ ଜାଗାରୁ ଏ ଉପତ୍ୟକା ଏଗାର ମାଇଲ ଉତ୍ତରରେ । ସାଲେମ୍ ଉତ୍ତର ବନବିଭାଗର ଏହାହିଁ ସବୁଠୁ ଘଞ୍ଚଜଙ୍ଗଲ । ଆୟୁର ମାଳଭୂମିରୁ ତାଲବାଦି ବାହାରିଚି । ଏଇଠି ନଦୀଟା ହଠାତ୍ ଏକ ଗହୀର ଗଣ୍ଡ ଭିତରକୁ ଡେଇଁପଡ଼ିଚି । ଏ ସହରକୁ ଘଲୁୱାବେଢ଼ା ଗହ୍ଵର କହନ୍ତି । ଏହାର ଅନ୍ୟ ଉପତ୍ୟକାର ନାଁ ମାକଡ଼ଶା ଉପତ୍ୟକା । ଏଠି ଲାଲ ଏବଂ ହଳଦିଆ ରଙ୍ଗର ବଡ଼ ବଡ଼ ମାକଡ଼ସା ଦେଖାଯାଆନ୍ତି । ଜଙ୍ଗଲ ଭିତରେ ଏଡ଼େ ଏଡ଼େ ଜାଲ ସେମାନେ ବୁଣନ୍ତି । ଏ ଜାଲଗୁଡ଼ିକ ଅଣ୍ଡା ବା ଓଭାଲ୍ ଆକୃତିର । ବେଳେବେଳେ ଏଗୁଡ଼ିକର ଓସାର କୋଡ଼ିଏ ଫୁଟରୁ ଅଧିକ ହୋଇଥାଏ । ମଝିରେ ଥାଏ ନିଜେ ମାକଡ଼ସା । ଗୋଟାଏ ଗୋଡ଼ରୁ ଆର ଗୋଡ଼ଯାଏ ମାପିଲେ ଏହାର ଲମ୍ବ ହେବ ପ୍ରାୟ ନ ଇଞ୍ଚ । ଏତେ ବଡ଼ବୋଲି ଭାବନ୍ତୁନି ଯେ ଚଲାବୁଲା କରିବାରେ ଏ ମାକଡ଼ସାର କୌଣସି ଅସୁବିଧା ହୁଏ । ପ୍ରକୃତରେ ଖୁବ୍‌ ଚଞ୍ଚଳ ଓ କର୍ମପଟୁ ସେ । ଚରମ ହିଂସ୍ର । ପ୍ରଜାପତି, ପତଙ୍ଗ ଯିଏ ଏ ଜାଲରେ ପଡ଼ିଲା, ସେଠୁ ରକ୍ଷା ପାଇପାରିବନି । ଏମାନେ ପୁଣି ମାଂସାଶୀ ଓ ନିଜ ଗୋଷ୍ଠୀର ଜୀବଙ୍କୁ ଆଦୌ ସହିପାରନ୍ତିନି । ଥରେ ଥରେ ମୁଁ ମନାକରେ । ବାଡ଼ି ସାହାଯ୍ୟରେ ଗୋଟାଏ ମାକଡ଼ସାକୁ ଆଣେ । ଆଉ ଗୋଟାକର ଜାଲର ଏକ ପାଖରେ ଏହାକୁ ଛାଡ଼ିଦିଏ । ଦେଖି ମଜା ତା’ପରେ ! ଦୁହିଙ୍କ ମଧ୍ୟରେ ଲଢ଼େଇ ଚାଲେ । ପ୍ରାୟ ଅଧଘଣ୍ଟାଏ ଯାଏ ସେମାନେ ଲଢ଼ନ୍ତି । ସେଥିରେ ଗୋଟାଏ ହାରିବ । ଯିଏ ହାରିବ ସିଏ ମରିବ । ଜାଣିବାବାଲା ପିଇବ ତା’ ରକ୍ତ । ତା’ ପରେ ମୃତ ମାକଡ଼ସାର ମଡ଼ାକୁ ଛାଡ଼ି ବିଜୟୀ ଯିବ ଜାଲ ମଝିକୁ ।

 

ଏଇ ବାଟେ ବହୁଚି ତାଲବାଦୀ ନଦୀ । ଏ ପାଖର ନିମ୍ନ ଉପତ୍ୟକା ପାରିହେଇ ନଦୀଟି ଦୁଇଭାଗ ହେଇଯାଏ । ଛୋଟ ଭାଗଟି ଯାଏ ଦକ୍ଷିଣକୁ । ମାଉଣ୍ଟ୍ ଗୁଥେରେନ୍‌ର ଆକାଶଚୁମ୍ବୀ ଶିଖର ଏହାର ସୀମାରେ । ଆଉ ଅଛି ଛୋଟ ଗାଁ କେମ୍ପେକରାଇ । ଏ ନଦୀଟି ମିଶିଚି ଆନାଇ–ବିଡ଼ାହଲାଇ ସହିତ । ସେ ମିଶିଚି ଚିନାରରେ । ଥରେ ଏଠି ଗୋଟାଏ ହାତୀ ଶୈତାନ ପାଲଟିଗଲା-। ସେ ଦୁଷ୍ଟଟା ସାତଜଣ ଲୋକଙ୍କୁ ମାରିଦେଲା । ଦୁଇ ତିନିଟା ଗୋରୁ ମାରିଥିଲା । ଅଧା ଡଜନ ବଳଦ ଗାଡ଼ିକି ଚୂରମାର କରିଥିଲା । ଗୋଟାଏ ତିନି ଟନ୍ ବାଉଁଶଭରା ଲରୀକୁ ଓଲଟାଇ ଦେଇଥିଲା । ସେ ହେଉଚି ଅନ୍ୟ ଏକ କାହାଣୀ । ନଈର ବଡ଼ ଅଂଶ କେତେ ମାଇଲ୍ ଯାଏ ଯାଇଚି ପଶ୍ଚିମ ମୁହାଁ, ମାମ୍ବି ଜଙ୍ଗଲର ଧାରେ ଧାରେ । ତା’ପରେ ମୁହାଁଇଚି ଦକ୍ଷିଣ–ପଶ୍ଚିମ ଆଡ଼କୁ । ଏଇଠି ସେ ପାରିହେଇଚି ଆଞ୍ଚେଟିରୁ ମୁଥୁର ରାସ୍ତାକୁ । ଆଉ ପାରିହେଇଚି ତାଳବାଦି ଉପତ୍ୟକାରେ ପେନ୍ନାଗ୍ରାମକୁ ।

 

ଏ ଅଞ୍ଚଳଟା ଗଭୀର ଜଙ୍ଗଲ । ଉପର ଅଂଶକୁ ସହସ୍ର ସହସ୍ର ବାଉଁଶ ବୁଦା । ଡେଙ୍ଗା ଡେଙ୍ଗା ବାଉଁଶ ଗଛ । ତଳ ଅଂଶରେ ଆଦିମ ଅରଣ୍ୟ । ମଝିରେ ମଝିରେ ପଥୁରିଆ ସରୁ ଗଳିବାଟ-। ବିଲିଗୁଣ୍ଡଲୁ ପାଖରେ ଏଇ ନଈଟି ମିଶିଚି କାବେରୀରେ । ବିଲିଗୁଣ୍ଡଲୁ ମାଛ ପାଇଁ ପ୍ରସିଦ୍ଧ । ନଦୀଟିର ମୂଳ ସ୍ଥାନରୁ ମୁହାଣ ଯାଏ ପଶୁମାନଙ୍କର ଏକ ଅବାଧ ରାଜ୍ୟ । ଏଠି ରହନ୍ତି ପଲପଲ ହାତୀ, କେତେକ ବଣମଇଁଷି, ଦୁଇ ତିନୋଟି ବାଘ । ନଦୀର ଧାରେ ଧାରେ ବାଘଗୁଡ଼ିକ ଯାଆସ କରନ୍ତି । ତାଲବାଦି ଉପତ୍ୟକାରେ ଅନେକ ମୁଣ୍ଡିଆ ଓ ପଥର । ସେଠି ପ୍ରଚୁର ଲମ୍ବା ଲମ୍ବା ଘାସ ହୁଏ । ଏଠି ରହନ୍ତି ବଡ଼ ବଡ଼ ଚିତା, ଅନେକ ଭାଲୁ, ବାର୍‌ହା, ଶମ୍ବର, ହରିଣ ଆଉ ଅନେକ ମୟୂର-

 

ଏବର କାହାଣୀ ଆରମ୍ଭ ହେଉଚି ବାଇରାର ଚିଠିରୁ । ବାଇରା ପେନ୍ନାଗ୍ରାମର ପୋଷ୍ଟ ମାଷ୍ଟରଙ୍କଦ୍ଵାରା ଲେଖାଇ ମୋ’ ପାଖକୁ ଚିଠି ଦେଇଥିଲା–ଲେଖିଥିଲା ସେଆଡ଼କୁ ଆସିଚି ଗୋଟାଏ ଚିତା, ଖୁବ୍ ବଡ଼ ଜନ୍ତୁଟା । ମୁଥୁର ଆଞ୍ଚେଟି ରାସ୍ତାରେ ଏକାଦଶରୁ ପଞ୍ଚଦଶ ମାଇଲ ଖୁଣ୍ଟ ମଧ୍ୟରେ ଅନେକ ଗାଈଗୋରୁ ମାରିଲାଣି । ଚିତାଟି ଅସମ୍ଭବ ଭାବେ ବିରାଟ ଆକୃତିର । ସାଧାରଣ ବାଘ ବି ସେତେ ବଡ଼ ହେବନି ।

 

ଭାବିଲି ପାଞ୍ଚଦିନ ଯାଏ ଏଥି ପାଇଁ ଦିଆଯାଉ । ଡୋଙ୍କାନିକୋଟାରୁ ଆଞ୍ଚେଟେ ଜଙ୍ଗଲ ଭିତରେ ଗୋଟାଏ ରାସ୍ତା । ଏ ରାସ୍ତାଟା ସଟ୍‌କଟ୍ । ସେଇ ବାଟରେ ମୁଁ କାର୍ ଚଳାଇ ଗଲି । ଡାକବାଦି ଉପତ୍ୟକା ପାରିହେଲି । ମଥୁରୁ ପହଞ୍ଚିଲି । ଭେଟିଲି ବାଇରାକୁ ଏଇଠି । ଆମେ ପଞ୍ଚଦଶ ମାଇଲ୍ ଖୁଣ୍ଟି ପାଖକୁ ଗଲୁ । ଉପତ୍ୟକାର ଡାହାଣ ଅଂଶରେ ଏପାଖଟା । ଖରାପ କହିଲେ ଖରାପ ରାସ୍ତା । ଅନେକ ଛୋଟ ଛୋଟ ନାସିକୁ ପାରିହେବାକୁପଡ଼େ । ଶଗଡ଼ ଯାଇ ଯାଇ ରାସ୍ତା କେବଳ ଖାଲଢ଼ିପ ହେଇଚି । ଅନେକ ଢିମାପଥର । ଛେଚି ହେଇ ଗାଡ଼ି ଚାଲିଥାଏ । ଏଥିରେ କାର୍ ଓ ସ୍ପ୍ରୀଂର ଅବସ୍ଥା ଯାହାହେଉଥିବ ! କାରରୁ ଓହ୍ଲାଇ ଜାଗା ଠିକ୍‌ କଲୁ । ନିକଟବର୍ତ୍ତୀ ଗାଈଗୋଠକୁ ଗଲୁ । ସେ ଗୋଠଟା ଆମ କ୍ୟାମ୍ଫ୍‌ରୁ ପ୍ରାୟ ମାଇଲ୍‌ କର ତିନିଚତୁର୍ଥାଂଶ ବାଟ ହେବ-। ଏଇଠି ମୁଁ ନିଜେ ଗାୟାଳମାନଙ୍କଠାରୁ ଚିତାଟାର ଅତ୍ୟାଚାର ଓ ହତ୍ୟାକାହାଣୀ ଶୁଣିଲି । ସାଧାରଣତଃ ଘରଫେରନ୍ତି ଗୋଠ ଉପରେ ଚିତା ଆକ୍ରମଣ ଚଳାଏ । ସମୟ ପ୍ରାୟ ସାଢ଼େ ପାଞ୍ଚ ବେଳକୁ ଏହା କରିଥାଏ । ପ୍ରାୟତଃ ସବୁଠୁ ବଡ଼ ଗାଈକୁ ବାଛିଥାଏ । ଯୋଉ ଗାଈ ଗୋଠର ପଛରେ ରହିଲା, ଚିତା ମୁହଁରେ ଗଲା । ଅନେକ ଗାୟାଳ ଚିତାଟାର ସାମ୍ନା କରିଛନ୍ତି । ଚିତାର ଆକ୍ରମଣବେଳେ ତା’କୁ ଘଉଡ଼ାଇବାର ଚେଷ୍ଟା କରିଛନ୍ତି; କିନ୍ତୁ ଜନ୍ତୁଟା ଅଦ୍ଭୁତଭାବରେ ସାହସୀ । ଗାଉଁ ଗାଉଁ ହେଇ ମାଡ଼ିଆସେ–ଗର୍ଜନ କରେ । କୌଣସି ଚିତା ଏମିତି ଦୁଃସାହସୀ ହେବାର ସେମାନେ ଜାଣନ୍ତିନି । ଜନ୍ତୁଟା କୌଣସି ଏକ ନିର୍ଦ୍ଦଷ୍ଟ ଜାଗାରେ ରହେନି । ରାସ୍ତାର ଧାରେ ଧାରେ ଚାରିମାଇଲ୍‌ ଯାଏ ସେ ବୁଲାବୁଲି କରେ ।

 

ଗାୟାଳମାନଙ୍କୁ କହିଲି ମୋତେ ଗୋଟାଏ ଗାଈ ବିକନ୍ତୁ । ସେ ଗାଈଟାକୁ ମୁଁ ଚରା ବା ବେଟ୍ ହିସାବରେ ବାନ୍ଧିବି । ସେମାନେ ଜାଣନ୍ତି ଏ ଚିତାଟା ମରିବା ଦରକାର । ଚିତା ମଲେ ସେମାନେ ସିଧାସଳଖ ଉପକାର ପାଇବେ । ମାତ୍ର ସେମାନେ ରାଜି ହେଲେନି । ସେମାନଙ୍କ ଜାତିରେ ଓ ଧର୍ମରେ ଏ ବିଚାର ଚଳେନି–ଗୋଟାଏ ଜୀବକୁ ଏମିତିଭାବରେ ବଳିଦେବାକୁ ସେମାନେ ଅଧର୍ମ ଓ ଅନ୍ୟାୟ ଭାବନ୍ତି । ନାନା ଉପାୟ କଲି । ବହୁ କଷ୍ଟରେ ଦୁଇଟି ଗୋରୁ କିଣିଲି-। ସେ ଦୁଇଟି ବଡ଼ ବାଛୁରୀ । ଗୋଟିକୁ ବାନ୍ଧିଲି ନଦୀର କୂଳରେ–ରାସ୍ତାଠୁ ପ୍ରାୟ ମାଇଲିଏ–ନଦୀର ତଳକୁ । ଆରଟିକୁ ଚତୁର୍ଦ୍ଦଶ ମାଇଲ ଖୁଣ୍ଟିର ପାଖାପାଖି ।

 

ଅପେକ୍ଷା କରିବା ଛଡ଼ା ଆଉ କିଛି କରିବାର ନଥାଏ । ସେ ଜଙ୍ଗଲରେ କୁକୁଡ଼ା ଓ ମୟୂର ଥାଆନ୍ତି ଅନେକ । ମାତ୍ର ସେଗୁଡ଼ିକୁ ମାରିବାକୁ ମନ କଲିନି । ଗୁଳିର ଶବ୍ଦରେ ଚିତାଟା ଚମକି ଯାଇପାରେ ! ସକାଳେ ଓ ସଞ୍ଜରେ ଜଙ୍ଗଲର ଅନ୍ୟଦିଗକୁ ବୁଲିଯାଏ–କାଳେ ବୁଲୁ ବୁଲୁ ଚିତାର ସହ ସାକ୍ଷାତ ହୋଇଯିବ ! କାବେରୀଆଡ଼ୁ ଯଦି କୋଉ ବାଘ ଏ ପଟକୁ ଆସିଥିବ, ତା’କୁ ମଧ୍ୟ ଭେଟିବାର ସମ୍ଭାବନା ଥାଏ ।

 

ତୃତୀୟ ଦିନ । ସଞ୍ଜର ସାତଟା । ଖବର ମିଳିଲା ଚିତାଟା ଆଉ ଗୋଟାଏ ଗାଈଗୋଠରୁ ଗାଈ ମାରିଚି । ସେ ଗୋଠଟା ଏଠାରୁ ତିନିମାଇଲ୍‌ । ଗୋରୁମାନେ ଗୋଠରୁ ଫେରୁଥିଲେ । ଚିତା ସେତେବେଳେ ତା’ ଶିକାରକୁ ଉଠାଇନେଇଚି । ଜଣେ ଲୋକ ଧାଇଁ ଆସିଥାଏ । ଏ ଖବରଟାକୁ ମୁଁ ଏକ ସୁଯୋଗ ବୋଲି ଭାବିଲି ।

 

ରାଇଫଲ, ଟର୍ଚ୍ଚ, ଓଭର୍ କୋଟ୍ ଧରିଲି । ମୁଁ ଚାଲିଲି ବାଇରା ସଙ୍ଗରେ । ଅଳ୍ପ କେତେ ଫର୍ଲଂ ଥାଏ ସେଠି ପହଞ୍ଚିବାକୁ । ଲିଭାଇଦେଲି ଟର୍ଚ୍ଚ । ଆଗରେ ଚାଲୁଥାଏ ସେଇ ଗାୟାଳ । ମଝିରେ ଥାଏ ମୁଁ । ବାଇରା ଥାଏ ପଛରେ । ପୂର୍ବଦିଗ୍‌ବଳୟରେ ଆବଡ଼ା ଖାବଡ଼ା ପାହାଡ଼ ଓ ମୁଣ୍ଡିଆ । ଚାରିଆଡ଼େ ବଣ ଓ ଗଛଲତା । ସେ ଦିଗରୁ ଗୋଟାଏ ଅର୍ଦ୍ଧଚନ୍ଦ୍ର ଠିକ୍ ଉଠିଆସୁଥାଏ । ଗୋଟାଏ ଗୋରୁଦାଣ୍ଡି ଧରି ଆମେ ଚାଲୁଥାଉ । ରାସ୍ତାଟା ହଠାତ୍‌ ବାଙ୍କି ଯାଇଛି । ସେଇଠି ମଲା ଗୋରୁ । ଗୋରୁ ପାଖରେ ଶୋଇଚି ଚିତାଟା ।

 

ମୋ ହାତରେ ଥାଏ .୧୨ ସଟ୍‌ଗନ୍‌ । ଖୁବ୍‌ପାଖରୁ ଏ ବନ୍ଧୁକ ଭଲ କାମ ଦେବ । ବାଇରା ହାତରେ ଥାଏ ଉଇଁଚେଷ୍ଟର୍ । ମୁଁ ବନ୍ଧୁକ ଉଠାଇଲି । ମାତ୍ର ତା’ ଆଗରୁ ଚିତାଟା ଡିଆଁ ମାରି ମଡ଼ାକୁ ଡେଇଁଗଲା । ଲୁଚିଗଲା ସେପାଖର ବୁଦାଗହଳରେ ।

 

ବାଇରା ଓ ଗାୟାଳକୁ କହିଲି ଫେରିଯିବାକୁ । ଆମେ ପାଟିକରି, କଥାଭାଷା ହେଇ ଫେରିବାର ଛଳନାକଲୁ । ମୁଁ କିନ୍ତୁ ପାଖର ଗୋଟାଏ କୋଳିଗଛର ତଳକୁ ଗଳିଗଲି । ସେ ଗଛଟା ମଢ଼ଠୁ ଥାଏ ପ୍ରାୟ କୋଡ଼ିଏ ପାହୁଣ୍ଡ ଦୂରରେ । ଜୀବଟା ଭାବିବ, ଆମେ ଚାଲିଗଲୁ–ସେ ଫେରିଆସିବ ମଢ଼ା ପାଖକୁ–ଆଉ ମୁଁ ମୋ ଦେଖିଲା କାମ କରିନେବି ।

 

ଖୁବ୍ ଶୀଘ୍ର ଚିତା ତା’ର ଫେରିବାର ଖବର ଜଣାଇଦେଲା । ମୋ ସାମ୍ନା ଦିଗରୁ ତା’ ଗଳାର ଘସ୍ ଘସ୍ କରତିବାର ଶବ୍ଦ ପରି ଡାକ ଶୁଭିଲା । ଅନେକ ବେଳ ଧରି ଚିତା ତା’ର ଡାକ ଏମିତି ଛାଡ଼ିଲା । ପ୍ରାୟ ଘଣ୍ଟାଏ ପାଖାପାଖି ହେବ । ତା’ପରେ ହଠାତ୍ କରି ଚିତାଟା ଆସି ଠିଆ ହୋଇଗଲା ମଡ଼ା ପାଖରେ । କୋଉଠୁ ଟିକିଏ ଖସ୍ ଖସ୍ ଶବ୍ଦ ଆସିନି । କୋଉଠି ଛୋଟ ଶୁଣିଲା ଡାଳଟିଏ ଭାଙ୍ଗିନି । ଖୁବ୍ ନିଃଶବ୍ଦରେ–ଖୁବ୍ ଆକସ୍ମିକଭାବରେ ସେ ବିରାଟ ଚିତାଟା ଠିଆହୋଇଥାଏ । ଆମେ ଯୋଉ ବାଟରେ ଆସିଥିଲୁ–ଦେଖୁଥାଏ ସେଇ ଦିଗକୁ ।

 

ଅର୍ଦ୍ଧ ଆଲୋକ ଅର୍ଦ୍ଧଛାୟା । ତା’ ମଧ୍ୟରେ ଯେତେ ସମ୍ଭବ ସେତକକୁ ସମ୍ୱଳକରି ମୁଁ ବନ୍ଧୁକ ଉଠାଇଲି । ବନ୍ଧୁକର ଗର୍ଜନ ପରେ ପରେ ଚିତା ଉପରକୁ–ପ୍ରାୟ ଗଜେ ଶୂନ୍ୟକୁ ଡେଇଁପଡ଼ିଲା । ଭୂଇଁ ନ ଛୁଇଁ ସେ ଶୂନ୍ୟରେ ବୁଲିପଡ଼ିଲା ଏବଂ ମୁଁ ଦ୍ୱିତୀୟକାଳ ଗୁଳି ଛାଡ଼ିବା ଆଗରୁ ସେ କୁଆଡ଼େ ଲୁଚିଗଲା । ତାର ଅନୁଚ୍ଚ କର୍କଶ ଗୁର୍ ଗୁର୍ ଜଣାଇ ଦେଲା ଯେ ଗୋଟାଏ ଆହାତ ଚିତାବାଘ ସେ ସ୍ଥାନ ଛାଡ଼ି ଚାଲିଗଲା । ସେ ଶବ୍ଦ କ୍ରମେ ଦୂରରେ ମରିଗଲା । ମୁଁ ଜାଣିଲି, ସେ ରାତିରେ ଆଉ କିଛି କାମ ହେବନି । ତେଣୁ ମୁଁ ଫେରିଆସିଲି ସେଇ ଗୋଗୋଷ୍ଠକୁ ।

 

ପରଦିନ ଭୋରରୁ ମୁଁ ଓ ବାଇରା ଯାଇ ସେଇ ଜାଗାରେ ପହଞ୍ଚିଗଲୁ । ଚିତାଟା ଯୋଉଠି ପଡ଼ିଥିଲା, ସେ ଦିଗକୁ ଲକ୍ଷ୍ୟକଲୁ । ବାଇରା ଅଚିରେ ରକ୍ତର ଦାଗ ଆବିଷ୍କାରକଲା । ଜନ୍ତୁଟା ପଳାଇଯିବାବେଳେ ଗଛ ଓ ବୁଦାପତ୍ରରେ ଘଷିହେଇଚି । ସେଥିରେ ରକ୍ତ ଲାଗିଚି । ଖୁସି ଲାଗିଲା ଯେ ଏଲ.ଜି.ର କେତେକ ଛୋଟ ଗୁଳି ଚିତାକୁ ରକ୍ତାକ୍ତ କରିଚି ଓ ତା’ ଦେହରୁ ରକ୍ତପାତ ଘଟାଉଚି । ମୁଁ ଆଗରେ ଚାଲିଲି । ଏଥର ଥାଏ ରାଇଫଲ୍‍ । ବାଇରା ଥାଏ ପଛରେ । ପ୍ରତି ମୁହୂର୍ତ୍ତରେ ସେ ମୋତେ ବତାଉଥାଏ । ଏଇ ଅବସ୍ଥାରେ ମୋର ଦାୟିତ୍ୱ ବେଶି । ମୁଁ ଜନ୍ତୁଟା ବିଷୟରେ ଅଧିକ ସତର୍କ ରହିବା କଥା । ଯଦି ସେ ଆକ୍ରମଣ କରେ, ମୁଁ ତା’ର ପ୍ରତିଆକ୍ରମଣ କରିବି–ବାଇରା ଖାଲି ବାଟ କଢ଼ାଇବାର କଥା ।

 

ଆମେ ଶହେ ଗଜ ପାରିହୋଇଚୁ–ଗୋଟାଏ ଜାଗା ଦେଖିଲୁ ଯୋଉଠି ଜନ୍ତୁଟା ଶୋଇଥିଲା । ସେଠି ଘାସ ସବୁ ରକ୍ତରେ ଲୋହିତ ହୋଇଥାଏ । ପୁଣି ଘାସ ଉପରେ ଚିତାର ସାରା ଦେହର ଚିହ୍ନ ରହିଚି । ଏଇଠୁ ଜନ୍ତୁଟା ଗୋଟାଏ ନାଳ ଆଡ଼କୁ ଖସିଯାଇଚି । ସେ ନାଳର ଦୁଇପାଖରେ ଘଞ୍ଚ ଲତାବୁଦା । ଜନ୍ତୁଟାର ଅନୁସରଣ କରିବା ଏ ଅବସ୍ଥାରେ ତିନିଗୁଣ କଷ୍ଟକର ଓ ବିପଦପୂର୍ଣ୍ଣ ।

 

ଆମେ ପାଦ ଅଙ୍ଗୁଳି ଟିପିଟିପି ଯାଉଥାଉ । ଖୁବ୍ ମନ୍ଥର ଥାଏ ଆମ ଗତି । ପ୍ରତି ମୁହୂର୍ତ୍ତରେ ଆମେ ଅଟକିଯାଉ । ଶୁଣୁ–କିଛି ଶବ୍‌ଦ ଆସୁଛି କି ! ପ୍ରତି ବୁଦା ଲଟାକୁ ମୁଁ ପରୀକ୍ଷା କରୁଥାଏ । ପ୍ରତି ଗଳିକନ୍ଦିକୁ ମୁଁ ଚାହୁଁ ଥାଏ–କୋଉଠି ଲୁଚିରହିଚି ସେଇ ବର୍ତ୍ତୁଳ ଚିହ୍ନଭରା ଦେହଟା–ବଞ୍ଚିଛି ଅଥବା ମରିଚି । ତା’ର କ’ଣ ହେଇଚି ଆମେ ଜାଣୁନି । ବୁଦାତଳେ ଘଞ୍ଚଭାବେ ବଢ଼ିଚି ଘାସ । ସେଇ ଘାସ ଭିତରେ ମୁଁ ଖୋଜୁଥାଏ ଚିତାର ଚିହ୍ନ ସବୁ । ଗଛର ସିଅ ପାଖରେ ପଥର ଖୋଲରେ ଏ ପ୍ରକାର ଅନେକ ଘାସ ।

 

ଏମିତି ଭାବରେ ଆମେ ଅଳ୍ପ କେତେ ପାହୁଣ୍ଡ ଯାଇଥାଉ–ହଠାତ୍ ଗାତ ଭିତରୁ ମୋ ସାମ୍ନାକୁ ବାହାରି ଆସିଲା ଗୋଟାଏ କଳା ଜୀବ । ଜୀବଟା ଢଳି ଢଳି ଚାଲୁଥାଏ । ଅସ୍ଥିର ତା’ର ଗତି । ତା’ସହ ପଡ଼ିଉଠି ଗୋଟାଏ ଛୋଟ ଜୀବ ଚାଲୁଥାଏ । ଆମେ ଗୋଟାଏ ମାଈଭାଲୁ ଓ ତା’ଛୁଆର ସାମ୍ନାରେ ପଡ଼ିଯାଇଚୁ । ରାତିରେ ମୂଳ ଖୋଜୁ ଖୋଜୁ ସେ ନଈର ପେଟରେ ଗାତ ଖୋଳିଚି । ଛୁଆ ସହିତ ବିଶ୍ରାମ ନେଇଚି ।

 

ସେ ଅଧା ଉଠି ଠିଆହେଲା । ତା’ ବୁକୁରେ ଗୋଟାଏ ଇଂରାଜୀ ‘v’ ର ଧଳାଚିହ୍ନ । ତା’ଆଖି ମିଞ୍ଜି ମିଞ୍ଜି ହେଉଚି । ସେଇ କଳାଆଖିରେ ମୁଁ ଦେଖୁଥିଲି ଅନେକ ବିସ୍ମୟ । ସେଇ ବିସ୍ମୟ ପୁଣି କ୍ରୋଧର ରୂପ ନେଲା । ସେ ପୁଣି ଖସି ପଡ଼ିଲା... ଆମ ଆଡ଼କୁ ସିଧା ମାଡ଼ିଆସିଲା । ତା’ ପାଟି ଭିତରେ ଉଇଁଚେଷ୍ଟର ଭରି ଦେଇ ମୁଁ ଗୁଳି ଟିପିଲି । ଏଇ ସମୟରେ ଅତି ଗୁରୁତର ଘଟଣାଟିଏ ଘଟିଗଲା । ଏହି ଅବସ୍ଥା ଶିକାରୀର ଜୀବନ ଓ ମରଣ ମଧ୍ୟରେ ଗାର ଟାଣେ । ଏ ଥିଲା ଏକ ମିସ୍‌ଫାୟାର୍ ।

 

ମାଈଭାଲୁଟା ବନ୍ଧୁକର ଅଗଟାକୁ ପାଟିରେ ଜାକିଧରିଲା । ତା’ ଆଗପାଦର ଲମ୍ବ ନଖରେ ସେ ଟାଣି ନେଲା ମୋ’ ହାତରୁ । ଭୂଇଁରେ ପଡ଼ିବା ଆଗରୁ ସେ ଅସ୍ତ୍ରଟା ଭାଲୁର ପାଟିରେ ଅତି ହାସ୍ୟକର ଅବସ୍ଥାରେ ଝୁଲି ରହିଥାଏ । ଭାଲୁଟା ପୁଣି ଠିଆହେଲା । ମୋତେ ଆକ୍ରମଣ କରିବାକୁ ମାଡ଼ିଆସିଲା । ମୁଁ ବାଧ୍ୟହୋଇ, ଇଛା ବିରୁଦ୍ଧରେ ପଛେଇଗଲି । ଭାଲୁ ସବୁବେଳେ ମଣିଷର ମୁହଁ ଉପରେ ଆକ୍ରମଣ ଚଳାଏ । ଏଇ ସମୟରେ ବାଇରା ଏକ ଅବିସ୍ମରଣୀୟ ଭୂମିକା ନେଲା । ସେ ପରମ ଆତ୍ମବଳିପାଇଁ ପ୍ରସ୍ତୁତ ହୋଇଗଲା ।

 

ସେ ଜନ୍ତୁ ଓ ମୋ ମଧ୍ୟରେ ଆସି ଠିଆହୋଇଗଲା ଓ ଯେତେ ତା’ର ଶକ୍ତିଅଛି ସବୁ ଠୁଳକରି ସେ ଖୁବ୍ ଜୋର୍‌ରେ ପାଟିକଲା । ଭାଲୁଟା ମୋ’ର ଉପସ୍ଥିତି ଭୁଲିଗଲା । ସେ କୁଦି ପଡ଼ିଲା ବାଇରା ଉପରକୁ । ବାଇରା ତା ମୁହଁ ବୁଲାଇନେଲା । ଭାଲୁଟା ବାଇରାର ଡାହାଣ କାନ୍ଧ ଉପରେ ଦାନ୍ତ ବସାଇଦେଲା । ତା’ ଆଗପାଦର ଲମ୍ବ ନଖରେ ସେ ବାଇରାର ଛାତି, କଡ଼, ପିଠି ରାମ୍ପୁଡ଼ି ବିଦାରିପକାଇଲା । ବାଇରା ତଳେ ଖସିପଡ଼ିଲା । ଭାଲୁ ତାକୁ ମାଡ଼ି ବସିଥାଏ । ପଡ଼ିଥିବା ରାଇଫଲକୁ ତୁରନ୍ତ ମୁଁ ଗୋଟେଇନେଲି । ଫସ୍‌କି ଯାଇଥିବା କାଟ୍ରିଜକୁ କାଢ଼ି ନେବାକୁ ମୁଁ ଚେଷ୍ଟାକଲି । ଦେଖିଲି ତଳେ ପଡ଼ିଯାଇ ରାଇଫଲର ଆକ୍‌ସନ ବିଗିଡ଼ିଯାଇଛି । ଏସବୁ କେତୋଟି ସେକେଣ୍ଡ ଭିତରେ ଘଟିଗଲା । ବାଇରା ଯନ୍ତ୍ରଣାରେ ଚିତ୍କାର କରୁଥାଏ । ଭାଲୁଟା ଭୟଙ୍କର ଭାବରେ ଗର୍ଜୁଥାଏ । ମୁଁ ଏବେ ବନ୍ଧୁକର ମୋଟା ପାଖରେ ଭାଲୁର ମୁଣ୍ଡରେ ପାହାରେ ଦେଲି । ମୋର ସମସ୍ତ ଶକ୍ତି ଲଗାଇ ସେ ପାହାର ଦେଇଥିଲି । ମୋର ଲକ୍ଷ୍ୟ ଚମତ୍କାର ଥିଲା । ଭାଲୁଟା ବାଇରାକୁ ଛାଡ଼ିଦେଲା । ସେ ଉଠିପଡ଼ି ମୋ ବନ୍ଧୁକଟାକୁ ଧରିନେଲା । ଏଥର ସେ ମୋ ବନ୍ଧୁକର ସେଇ ମୁଣ୍ଡ ପାଖଟା ଧରିଥାଏ । ଏଥର ବି ସେ ବନ୍ଧୁକଟା ମୋଠୁ ଛଡ଼ାଇନେଲା । ବନ୍ଧୁକଟାକୁ ସେ ଜୋର୍‌ରେ କାମୁଡ଼ି ନଷ୍ଟ ଭ୍ରଷ୍ଟ କରିଦେବାକୁ ଆରମ୍ଭ କଲା । ଠିକ୍ ଏଇ ସମୟରେ ଶୂନ୍ୟରୁ ଆଶୀର୍ବାଦ ମିଳିଲା । ସେ ଭାଲୁ ଛୁଆଟି ଆମଠୁ ଦୂରରେ ଥାଏ । ଆମର ଲଢ଼େଇ ଅତି ବିସ୍ମୟରେ ସେ ଦେଖୁଥାଏ । ହଠାତ୍ ସେ କେମିତି ପାଟିକରିଉଠିଲା । କୌଣସି କାରଣରୁ ସେ ଡରିଯାଇଥାଏ-। ଏଥିରେ ଭାଲୁଟିର ମା’ପ୍ରାଣ ଦୋହଲିଗଲା । ସେ ଯୁଦ୍ଧକ୍ଷେତ୍ର ଛାଡ଼ି ତା’ ଶିଶୁପାଖକୁ ଦଉଡ଼ିଗଲା । କୁଁ କୁଁ କରି ତା’ ଛୁଆକୁ ଶୁଙ୍ଘି ନେଲା । ବାରମ୍ବାର ସେ ପରୀକ୍ଷା କରୁଥାଏ, ତା’ ଶିଶୁର କିଛି କ୍ଷତି ହେଇଚି କି । ଯେମିତି ଜାଣିପାରିଲା, ସବୁ ଠିକ୍‌ଅଛି, ସେମାନେ ଆମକୁ ଛାଡ଼ି ଆଗକୁ ମାଡ଼ିଗଲେ । ଏ ହଳକ ଯେମିତି ଅଚାନକ ଭାବରେ ଦେଖା ଦେଇଥିଲେ ସେମିତି ହଠାତ୍ କରି ଚାଲିଗଲେ । ଶିଶୁଟିର କୁଁ କୁଁ ଶବ୍‌ଦ ଦୂରରେ ମିଳାଇ ଯାଉଥାଏ–ଆଉ ଆମପାଇଁ ରଖିଗଲେ ଅନେକ କ୍ଷତି, ଅନେକ ଦୁଶ୍ଚିନ୍ତା ।

 

ବାଇରା ଏବେ ଛାଟିପିଟି ହେଉଚି । ତା’ ଦେହରୁ ରକ୍ତଧାର ବହିଚାଲିଚି । ଯନ୍ତ୍ରଣାରେ କଲବଲ ହେଉଚି । ଧାଇଁଗଲି ତା’ ପାଖକୁ । କୋଟ୍ ଖୋଲିଲି । ଓହ୍ଲାଇଦେଲି ମୋ କୁର୍ତା । କୁର୍ତାଟାକୁ ପଟା ପଟା କରି ଚିରିଲି । ଯୋଉ ଅଂଶ ଭୀଷଣ ଭାବରେ ଖଣ୍ଡିଆ ହୋଇଥାଏ, ସେସବୁକୁ ମୁଁ ପଟିବାନ୍ଧିଦେଲି, ତା’ହେଲେ ରକ୍ତବହିବା କମିଯିବ । ତା’କୁ ପିଠିରେ ବୋହିଲି । ମୋ’ ଅଧାଭଙ୍ଗା ବନ୍ଧୁକ ଧରିଲି । ଗୋଗୋଷ୍ଠକୁ ବହୁ କଷ୍ଟକରି ପଡ଼ିଉଠି ଅସ୍ଥିର ପାଦ ପକାଇ ଗଲି । ସେଠି ତା’କୁ ଗୋଟାଏ ଖଟିଆ ଉପରେ ଶୁଆଇଦେଲି । ସେ ଘା’ରେ ଗୁଡ଼ାଏ ଆୟୋଡ଼ିନ୍ ଢାଳିଲି-। ସେ ଥର କ୍ୟାମ୍ପ ଏଇଠି ବନ୍ଦରହିଲା । କାର୍‌ରେ ବାଇରାକୁ ନେଇ ମୁଁ ପେନ୍ନାଗ୍ରାମକୁ ଚାଲିଲି । ପନ୍ଦର ମାଇଲ ବାଟ । ସେଠି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଗଲା । ସେ ବିଚରା ଏତେବେଳକୁ ଆଉ ସଚେତନ ନଥାଏ । ଏତେଗୁଡ଼ାଏ ରକ୍ତ ଯାଇଥାଏ ଯେ, ବାଇରା ସର୍ବଦା ଅଚେତନ ହୋଇ ପଡ଼ିଥାଏ । କାର୍‌ରେ ତାକୁ ରଖି ମୁଁ ପୁଣି ଚାଲିଲି । ଏଥର ଏକଷଠି ମାଇଲ ପରେ ପହଞ୍ଚିଲି ସାଲେମ୍‌ରେ । ଏଠି ଗୋଟାଏ ପ୍ରଥମଶ୍ରେଣୀର ଡାକ୍ତରଖାନା ଥାଏ । ଯୋଉ ଜୋର୍‌ରେ ମୁଁ ଗାଡ଼ି ଚଳାଇ ଗଲି, ତାହା ଗୋଟାଏ ରେକର୍ଡ଼ର କଥା ।

 

ସେ ଦୂର ଅତୀତରେ ପେନିସିଲିନ୍‌ର ନାଁ କେହି ଶୁଣିନଥିଲେ । ତା’ର ବ୍ୟବହାର ଆରମ୍ଭ ହୋଇନଥାଏ । ବାଇରାକୁ ଡାକ୍ତରଖାନାରେ ଭରିଦେଲି । ସପ୍ତାହେ ଯାଏ ସେ ମୃତ୍ୟୁ ଓ ଜୀବନ ମଝିରେ ଝୁଲିରହିଥାଏ–କୋଉ ମୁହୂର୍ତ୍ତରେ ଚାଲିଯିବ କେହି ଜାଣନ୍ତିନି । ମୁଁ ତା’ ପାଖେ ପାଖେ ଥାଏ । ମୋ’ପାଇଁ ତାହା ଥିଲା ଚରମ ବ୍ୟଗ୍ରତାର ସମୟ । ପେନ୍ନାଗ୍ରାମକୁ ବାଇରାର ସ୍ତ୍ରୀ ଓ ପିଲାଏ ଆସିଥାଆନ୍ତି । ମୁଁ ସେମାନଙ୍କ ପାଖକୁ ମଝିରେ ମଝିରେ ଯାଉଥାଏ, ବାଇରାର ଖବର କହୁଥାଏ । ମାତ୍ର ତା’ର ଟାଣୁଆ ଦେହ ଓ ଟାଣୁଆ ମନ ଶେଷରେ ଜିତିଲା । କିଛିଦିନ ପରେ ଡାକ୍ତରମାନେ କହିଲେ ଯେ ସେ ବିପଦର ବାହାରେ । ମୁଁ ପେନ୍ନାଗ୍ରାମକୁ ଆସିଲି । ବାଇରାର ପରିବାରକୁ କିଛି ଟଙ୍କାପଇସା ଦେଲି । ସେଦିନ ମୋତେ ଗୋଟାଏ ପୋକରା ଚିତା–ଚମଡ଼ା ଉପହାର ମିଳିଲା । ଏ ଉପହାର ପାଇ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଘଟଣାର ଘନଘଟା ମଧ୍ୟରେ, ଦୁଃଖ, ଯନ୍ତ୍ରଣା, ଉଦ୍‌ଗ୍ରୀବ, ଉତ୍କଣ୍ଠା ଭିତରେ ମୁଁ ଅସଲ କଥାଟି ଭୁଲି ଯାଇଥାଏ । ଗୁଡ଼ାଏ ଶାଗୁଣା ଉଡ଼ିବାରୁ ତାଲବାଦିର ଗାୟାଳମାନେ ସେଆଡ଼କୁ ଆକର୍ଷିତ ହେଲେ । ଦେଖିଲେ ସେଇ ଜନ୍ତୁର ଶବ । ଯୋଉଠି ଭାଲୁ ଆମକୁ ଆକ୍ରମଣ କରିଥିଲା, ସେ ଜାଗାରୁ ମାତ୍ର କୋଡ଼ିଏ ଗଜ ଦୂରରେ ସେ ପଡ଼ିଥିଲା । ଖୁବ୍ ବିଶାଳକାୟ ଚିତାଟାଏ । ମାତ୍ର କହିଚି ତ ତା’ର ଚମଡ଼ାକୁ ପୋକଖାଇ–ଯାଉଥିଲେ ! ତେଣୁ ସେ ଚମଡ଼ାକୁ ସାଇତି ରଖିବାର କୌଣସି ମାନେହୁଏନି ।

 

ସାଲେମ୍ ଫେରିଲି । ବାଇରାର ଚିକିତ୍ସା ଲାଗି ଯଥେଷ୍ଟ ପଇସା ଦେଲି । ସେ ମଥୁରାକୁ କେମିତି ଯିବ, ତା’ର ବ୍ୟବସ୍ଥା କରିଦେଲି । ଏଥିରୁ ଭଲହେବାକୁ ତା’କୁ ପୂରା ଦୁଇମାସ ଲାଗିଲା । ଡାହାଣ ଗୋଡ଼ ଛୋଟାହୋଇଗଲା । ଚିକିତ୍ସାରେ କୌଣସି ଅବହେଳା ନ ଥିଲା । ତଥାପି ତା’ ଦେହସାରା ରହିଗଲା ଅନେକ ଦାଗ–ସେଦିନର ସ୍ମୃତିଚିହ୍ନ ସବୁ ।

 

ମୋ ରାଇଫଲକୁ କାମୁଡ଼ି ଭାଲୁ ନଷ୍ଟ କରିଦେଇଥିଲା । ମରାମତି ଦରକାର ହେଲା । ଆଜି ବି ମଜଲ୍‌ଠାରୁ ଛ’ଇଞ୍ଚଠାରେ ଭାଲୁର ଦାନ୍ତଚିହ୍ନ ସ୍ପଷ୍ଟ ରହିଚି ମୋ ବନ୍ଧୁକରେ । ଏମିତି ସରିଲା ଗୋଟାଏ ଅଭିଯାନ । ମାତ୍ର ଏ ଅଭିଯାନ ଆମ ଦିଜଣକୁ ଏକା ରକ୍ତର ଭାଇ କରିଦେଲା । ବାଇରା ନିଜ ଜୀବନକୁ ପାଣିଛଡ଼େଇ ମୋତେ ରକ୍ଷାକରିଥିଲା । ଅନ୍ୟ ପାଇଁ ନିଜ ଜୀବନକୁ ଟେକିଦେବାଠାରୁ ବଳି ଅଧିକତର ଉଦାର ପ୍ରେମରବସ୍ତୁ ଆଉ କିଛି ଅଛି କି ?

 

ମୋର ପରବର୍ତ୍ତୀ କାହାଣୀ ସେମ୍‌ତି ଘଟଣାବହୁଳ । ମାତ୍ର ଏ ଘଟଣା ସେ ଘଟଣା ଭିତରେ ଅନେକ ବର୍ଷ ବିତିଯାଇଥାଏ । ଏହା ହେଉଚି ମୁଣ୍ଡାଚିପାଲାମ୍‌ର ନରଖାଦକର କାହାଣୀ ।

 

ମୁଣ୍ଡାଚିପାଲାମ୍ ଘାଟ ଅଞ୍ଚଳର ଛୋଟ ନଈଟିଏ । ତାମିଲରେ ପାଲାମ୍ ଅର୍ଥ ନଦୀ । ପେନ୍ନାଗ୍ରାମର ମାଳଭୂମି ସମୁଦ୍ର ପତ୍ତନରୁ ଦୁଇ ହଜାର ଫୁଟ ଉଚ୍ଚରେ । କାବେରୀ ନଦୀର ଶଯ୍ୟା ସାତଶହ ଫୁଟ ଉଚ୍ଚରେ । ଏ ଦୁଇଟିର ମଝାମଝିରେ ମୁଣ୍ଡାଚିପାଲାମ୍ । ନଦୀଟି ଘାଟରୋଡ଼୍‌କୁ ପାରିହୋଇଚି । ଆଉ ଏଇଠି ଘାଟ ରାସ୍ତା ଖୁବ୍ ନୀଚା । ଏ ରାସ୍ତାଟି ଲମ୍ବିଛି ପେନ୍ନାଗ୍ରାମରୁ କାବେରୀ ନଦୀକି । କାବେରୀକୁ ଚାରିମାଇଲ ଥିବ–ଗୋଟିଏ ଜାଗା ଅଛି । ତା’ ନାଁ ଉଟ୍ଟାଇମାଲାଇ-। ଉଟ୍ଟାଇମାଲାଇ ମାଛପାଇଁ ପ୍ରସିଦ୍ଧ । ପ୍ରସିଦ୍ଧ ଜଳପ୍ରପାତ ହୋଗେନ୍‌ନାଇକାଲ୍ ଉପରେ ଏହାର ଅବସ୍ଥିତି । ମୁଣ୍ଡାଚିପାଲାମ୍‌ର କୂଳରେ ବନବିଭାଗ ଗୋଟାଏ କୂଅ ଖୋଳାଇଛନ୍ତି–ରାସ୍ତାର ଏକଦମ୍ ପାଖରେ । ପେନ୍ନାଗ୍ରାମକୁ ଏଇଠୁ ରାସ୍ତା ଉଠାଣି । ବଳଦ ଓ ପୋଢ଼ ସାହାଯ୍ୟରେ ଶଗଡ଼ ଶଗଡ଼ ବଡ଼ କାଠ ଓ ବାଉଁଶ ନିଆଯାଏ । ଏ କୂଅରୁ ସେଇ ଭାରବାହୀ ପଶୁମାନଙ୍କୁ ପିଇବା ପାଣି ଯୋଗାଇ ଦିଆଯାଏ ।

 

କୂଅଟି ଛୋଟ । ତା’ ଚାରିପାଖରେ ଘନ ଅରଣ୍ୟ । ରାସ୍ତାଟି ଗୋଟିଏ ସରୁ ଫିତାପରି ଦେଖାଯାଏ । ଆଉ ମୁଣ୍ଡାଚିପାଲାମ୍‌ଟିର ସରୁଧାରଟି ବୁଲିବୁଲି ଯାଇଚି । ଏ ଦୁଇଟି ଛଡ଼ା ବାକି ସବୁ ବଣ । ମୁଣ୍ଡାଚିପାଲାମ୍‌ ଓ ରାସ୍ତା ପରସ୍ପରକୁ ଏପାଖରେ ସମକୋଣରେ କାଟିଛନ୍ତି । ସେଇ ଜାଗାଟି ମୋ କାହାଣୀର କେନ୍ଦ୍ର ବିନ୍ଦୁ । ଏଇଠି ପୁଣି ମୋ କାହାଣୀର ଆରମ୍ଭ । ଆଶ୍ଚର୍ଯ୍ୟର କଥା–ଏଇଠି ବି ଏ କାହାଣୀର ଶେଷ । ଏଇଠି ଅନେକ ମୃତ୍ୟୁ ଘଟିଚି । ମୋ ଶିକାରୀବନ୍ଧୁ ରଙ୍ଗା ଏଇଠି ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷାପାଇଥିଲା ।

 

ସକାଳର ପ୍ରଥମ ଅଂଶ–ବୋଧହୁଏ ସାଢ଼େ ସାତ । କୋଟି କୋଟି ଶିଶିରବିନ୍ଦୁ ଚାରିଆଡ଼େ ବିଛେଇ ହୋଇ ପଡ଼ିଚି । ଦିଶୁଚି ଅସୁମାର ହୀରାକଣାପରି । ନୂଆ ଉଠିଥିବା ସୂର୍ଯ୍ୟର କିରଣ ବିରାଟ ମୋତି ଗଛର ଗହଳ ପତ୍ର ଓ ଡାଳ ଭିତରେ ଗଳି, ଅନେକ ଗଛଲତାର ଭିତରେ ପଶିପଶି ଛାଣିହେଇ ପଡ଼ୁଚି ସେଇ ଶିଶିରବିନ୍ଦୁ ଉପରେ । ଚମତ୍‌କାର ଭାବେ ଝଲମଲ କରୁଚି ଏ କାକରବିନ୍ଦୁଗୁଡ଼ିକ । ମୁଣ୍ଡାଚିପାଲାମ୍‌ର ଦୁଇ କୂଳରେ ଅନେକ ଶିମିଳିଗଛ । ସୂର୍ଯ୍ୟକିରଣ ସେ ଗଛ ଗହଳ ଭେଦି ଭୂଇଁରେ ପଡ଼ୁଚି ।

 

ଜଣେ ପୁରୁଷ । ସାଙ୍ଗରେ ଦୁଇ ଜଣ ସ୍ତ୍ରୀ । ସ୍ତ୍ରୀମାନଙ୍କ ମୁଣ୍ଡରେ ବାଉଁଶର ଟୋକେଇ । ଗଲାରାତିରେ କାବେରୀ ନଦୀରୁ ମାଛ ମରାଯାଇଥିଲା । ସେଇ ମାଛ ସେମାନେ ବୋହିଛନ୍ତି ଟୋକେଇରେ । ସେମାନେ କୂଅପାଖକୁ ଗଲେ । କୂଅର ମଙ୍ଗରେ ସେମାନଙ୍କ ଓଜନିଆ ଟୋକେଇ ଓହ୍ଲାଇଦେଲେ । ଲୋକଟିର ଅଣ୍ଟା ଚାରିପାଖେ ଥାଏ ଗୋଟିଏ ରସି । ସେ ରସିଟାକୁ କାଢ଼ିଲା । ଗୋଟାଏ ଲୋଟା ଫାଶରେ ବାନ୍ଧି କୂଅ ତଳକୁ ଖସାଇଦେଲା । ସେ ଲୋଟା ଧରିଥିଲେ ଜଣେ ସ୍ତ୍ରୀଲୋକ । ସେ ଲୋଟାରେ ଲୋଟାଏ ଥଣ୍ଡାପାଣି ଆଣିଲା । ଏ ପାଖେ ଲୋକଙ୍କର ନୀତି ହେଲା ପାଣି ଟେକି ପିଇବା, ତା’ହେଲେ ଲୋଟା ଅଇଁଠା ହେବନି । ସେ ଲୋକଟି ସେୟା କଲା । ଥଣ୍ଡା ପରିଷ୍କାର ପାଣି ପିଇ ଶୋଷ ମାରିଲା ।

 

ପେନ୍ନାଗ୍ରାମ ହାଟକୁ ସେମାନେ ଯାଉଥିଲେ । ହାଟରେ ପହଞ୍ଚିବା ଆଗରୁ ଲମ୍ବା ରାସ୍ତା ଭିତରେ ଆଉ କୋଉଠି ପାଣି ମିଳେନି । ତେଣୁ ପଥଚାରୀମାନେ ସଭିଏଁ ଏଠି ପାଣି ପିଇ ନିଅନ୍ତି । ଲୋକଟି ନିଜେ ପାଣି ପିଇସାରିଲାପରେ ଆଉ ଦୁଇଥର ପାଣି କାଢ଼ି ସେ ଝିଅ ଦୁଇଟିଙ୍କୁ ପିଇବାକୁ ଦେଲା । ସେ ଝିଅ ଦୁଇଟିଙ୍କର ବୟସ କୋଡ଼ିଏ ଭିତରେ । ନଦୀଠୁ ସେମାନେ ଚାରିମାଇଲ୍‌ ବାଟ ଏଡ଼େ ବୋଝ ବୋହି ଆସିଛନ୍ତି । ସେମାନଙ୍କ କଳା ଦିହରେ ଟୋପା ଟୋପା ଝାଳ । ଥଣ୍ଡା ସକାଳ । ତଥାପି ଝିଅ ଦୁଇଟିଙ୍କ ଦେହରୁ ଝାଳ ବହୁଚି । ପରିଶ୍ରମ ସାଙ୍ଗକୁ ଓଜନିଆ ବୋଝ ବୋହିବାରୁ ଏମିତି ହେଉଚି । ଝିଅ ଦୁଇଟି ପିନ୍ଧିଛନ୍ତି ଖଣ୍ଡେ ଖଣ୍ଡେ ଶାଢ଼ି । ଖୁବ୍ ସୁନ୍ଦର ଦିଶୁଛନ୍ତି ।

 

ପାଣିପିଆ ସରିଲା । ସେମାନେ କିଛି ସମୟ ସେଠି ବସି ବିଶ୍ରାମନେଲେ । ପ୍ରତ୍ୟେକେ ନିଜନିଜର ବଟୁଆ ଖୋଲିଲେ । ସେଥିରୁ କାଢ଼ିଲେ ପାନପତ୍ର, ଗୁଆ, ଅର୍ଦ୍ଧତରଳ ଚୂନ । ପହିଲେ ପାନପତ୍ରରେ ଚୂନ ଲୋପିଲେ । ଗୁଆକଟା ଖଣ୍ଡ ସବୁ ରଖିଲେ । ତା’ପରେ ପାଟିରେ ଭରି ପରମ ଆନନ୍ଦରେ ଚୋବାଇଲେ । ଅଳ୍ପ ସମୟ ମଧ୍ୟରେ ସେମାନଙ୍କ ପାଟି, ଓଠ ନାଲ ହୋଇଗଲା, ଆଉ ମନ ଇଚ୍ଛା ଚାରିଆଡ଼େ ସେମାନେ ଲାଲ ପାନ ପିକ ଥୁକିବାକୁ ଲାଗିଲେ ।

 

ଠିକ୍ ସେଇ ସମୟରେ କୂଅପାଖର ବୁଦା ଉଢ଼ାଳରେ ପତ୍ର ଫାଟିଯିବା ଓ ଖସ୍‌ଖସ୍‌ ଶବ୍ଦ ଶୁଭିଲା । ଏମାନେ ସେ ଶବ୍ଦ ଆଡ଼କୁ ନଜର ଦେଇନାହାନ୍ତି । ସେ ଶବ୍ଦ କିଛି ସମୟ ପରେ ବନ୍ଦ ହୋଇଗଲା । ଏ ଶବ୍ଦ ମଝିରେ ମଝିରେ ଆସୁଥାଏ, ବନ୍ଦ ହେଉଥାଏ, ପୁଣି ହେଉଥାଏ ।

 

ବାରମ୍ବାର ଏ ଶବ୍‌ଦ ହେବାରୁ ଏମାନେ କ୍ରମେ ସେ ଶବ୍‌ଦ ପ୍ରତି ସଚେତନ ହୋଇଉଠିଲେ । ନିଜ ନିଜ ଭିତରେ ଆଲୋଚନା କଲେ । ସ୍ଥିର କଲେ, କୌଣସି ହରିଣ କି କୁଟୁରା ଗୁଳିମାଡ଼ଖାଇ ଖଣ୍ଡିଆ ହୋଇଚି–ତେଣୁ ଏମିତି ଶବ୍‌ଦ କରୁଚି । ବୋଧହୁଏ ସେଇ ଖଣ୍ଡିଆ ଜୀବଟି ପଡ଼ିଯାଇଚି–ଚେଷ୍ଟା କରୁଛି ଉଠିବାକୁ । ତା’ ହେଲେ, ଖୁବ୍ ବେଗି ଓ ଖୁବ୍ ସହଜରେ ବୋଝ ବୋଝ ମାଂସ ମିଳିଯିବ । ତା’ ଛଡ଼ା ସାଙ୍ଗରେ ଦୁଇଟି ତରୁଣୀ । ସେମାନଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିବାକୁ ସେ ଲୋକଟି ଉଠିଗଲା । ତା’ ହାତରେ ଥାଏ ଗୋଟାଏ ପଥର । ସେ ପଶିଲା ଜଙ୍ଗଲକୁ ।

 

ଶବ୍ଦଟା ବନ୍ଦ ହେଇଗଲା । ଏ ଲୋକଟିର ମନରେ କୌତୂହଳ । ସେ ଆହୁରି ଭିତରକୁ ଗଲା । ଗୁଡ଼ାଏ ବୁଦାର ଭିତରେ ବାବୁଲ ଗଛଟାଏ । ବଡ଼ ଗଛଟା । ତା’ରି ପାଖରେ ଗୋଟାଏ ବାଘ । ତା’ ସାଥିରେ ଗୋଟାଏ ବାଘୁଣୀ । ସେମାନେ ବୋଧହୁଏ ମିଳିତ ହେଉଥିଲେ ।

 

ସାଧାରଣ ବାଘ ସହିତ ଅନେକ କଥା ଚଳିପାରେ । ଥରେ ମୁଁ ମାଛ ମାରୁଥାଏ । ବାଘଟାଏ ମୋ’ଠୁ ପନ୍ଦର ପାହୁଣ୍ଡ ଦୂରରେ ବାହାରିପଡ଼ି ମୋତେ ସ୍ତମ୍ଭୀଭୂତ କରିଦେଲା । ପ୍ରକୃତରେ ଆମ ଦିହିଁଙ୍କର ସାକ୍ଷାତରେ କିଏ ବେଶି ବିସ୍ମିତ ହୋଇଥିଲା କହିବା କଠିନ । ବାଘଟି ଯୋଉ ବାଟରେ ଆସିଥିଲା, ସେଇ ବାଟରେ ଖସିଗଲା । ମୋ ପାଖରେ ଅସ୍ତ୍ର ଶସ୍ତ୍ର ନଥାଏ । ଭାବିଲି ଦେଖେ, ବାଘ ଜନ୍ତୁଫନ୍ତୁ ମାରିଚିକି ! ମାତ୍ର ମୁଁ ଉଠି ତା ପଛେ ପଛେ ଯିବାବେଳେ କ’ଣ ଦେଖିଲି ! ସତେ ଯେମିତି ଗାଁର କୁକୁରଟା ମୋ ଡରରେ ଦଉଡ଼ି ପଳାଇଯାଉଚି–ବାଘ ସେମିତି ପଳାଉଥାଏ । ତା’କୁ ତର ସହୁ ନଥାଏ । ସେ କୁଆଡ଼େ ଅଦୃଶ୍ୟ ହୋଇଗଲା ।

 

ମାତ୍ର ବାଘମାନଙ୍କ ଜୀବନରେ କେତେକ ମୁହୂର୍ତ୍ତ ଅଛି ଯେତେବେଳେ ସେମାନେ ଏକଲା ରହିବାକୁ ଚାହାନ୍ତି । ସେତେବେଳେ କାହାରି ଉପସ୍ଥିତି ସେମାନେ ପସନ୍ଦ କରି ପାରନ୍ତିନି । କିମ୍ବା ବାଘୁଣୀ ଅଛି ସାଙ୍ଗରେ–ତା’କୁ ନିଜର ବଳ ଦେଖାଇବା ଦରକାର । ଏ ବି ଗୋଟାଏ ମନୋବୃତ୍ତି । ଆମର ମଣିଷମାନଙ୍କ ମଧ୍ୟରେ ତ ଏଇ ମନୋଭାବ ଦେଖାଯାଏ । ସ୍ତ୍ରୀ ଆଗରେ ପୁରୁଷ ତା’ର ବଳ, ବହପ, ବିଶେଷତ୍ଵ ଦେଖାଇହୁଏ । ଏ ବାଘଟି ସେମିତି କୌଣସି କାରଣରୁ ଛୋଟ ଗର୍ଜନ କଲା । ସେ ଧାଇଁଆସିଲା ଲୋକଟି ଆଡ଼କୁ । ତା’ ବେକରେ ବସାଇ ଦେଲା ତା’ ଦନ୍ତ । ଭାଙ୍ଗିଦେଲା ତା’ର ମେରୁସ୍ତମ୍ଭ । ଲୋକଟି ତଳେ ପଡ଼ିଗଲା । ଟିକେହେଲେ ଶବ୍ଦ ହେଇନି । ବାଘଟା ତା’ ଉପରେ ଗାଉଁ ଗାଉଁ ହେଉଥାଏ । ସେ ତରୁଣୀ ଦୁଇଟି କ୍ଷୁଦ୍ର ଗର୍ଜନଟି ଶୁଣିପାରିଲେ । ଏବେ ଜାଣିଲେ ଏ ଗର୍ଜନ ବାଘର । ଡରରେ ସେମାନେ ଉଟାଇମାଲାଇ ପଳାଇଲେ । ଶିକାର ସେମିତି ପଡ଼ିଥାଏ । ବାଘ ତା’କୁ ଖାଇଲାନି । ତା’ର ମିଳନ ମୁହୂର୍ତ୍ତରେ ବାଧା ପାଇବାରୁ ସେ ରାଗିଲା, ଆଉ ବାଧା ଦେଇଥିବା ଜୀବକୁ ଶେଷକରିଦେଲା । ମାତ୍ର ଏ ବାଘ ଗୋଟାଏ ନୂଆକଥା ଶିଖିଗଲା–ମଣିଷଟା ଏଡ଼େ କ୍ଷୁଦ୍ର–ଏଡ଼େ ଅସହାୟ ମଣିଷ !

 

କେତେ ସପ୍ତାହ ପରେ ଜଣେ କାଠୁରିଆ ସେ ଜଙ୍ଗଲକୁ ଯାଇଥିଲା । ବୋହିଆଣୁଚି କାଠ । ସେଇ ବାଘ ସହ ଗୋଟାଏ ବାଙ୍କ ପାଖରେ ଦେଖା । କିଛି କାରଣ ନାଇଁ–ବାଘଟା କାଠୁରିଆ ଉପରକୁ କୁଦିପଡ଼ିଲା । କୁଦିବା ଆଗରୁ ସେମିତି ଟିକେ ଗର୍ଜନ । ଲୋକଟିର ମୃତ୍ୟୁ ହେଲା । ଏଥର ବି ବାଘ ତା’କୁ ଖାଇନି ।

 

ଦି’ମାସ ଗଲା । ଦଳେ ସ୍ତ୍ରୀଲୋକ ବଣୁଆ ତେନ୍ତୁଳି ଖୋଜିବାକୁ ଜଙ୍ଗଲକୁ ଯାଇଥାଆନ୍ତି-। ଏ ବଣସାରା ଅନେକ ତେନ୍ତୁଳି ଗଛ ।

 

ସେମାନଙ୍କ ଭିତରୁ ଜଣେ ସ୍ତ୍ରୀଲୋକ ଦଳରୁ ଟିକେ ଆଡ଼େଇଯାଏ । ସେ ଟୋକେଇରେ ଭରିଚି ତେନ୍ତୁଳି, ଆଉ ଟୋକେଇଟା ମୁଣ୍ଡକୁ ଉଠାଇବାକୁ ନଇଁପଡ଼ିଚି । ହଠାତ୍‌ ଆଗକୁ ଚାହିଁ ଦେଖିଚି ବଣର ଏଇ ବଡ଼ ବିଲେଇ–ଦପ୍ ଦପ୍ ଆଖିରେ ଚାହିଁ ରହିଚି ତା’ ଆଡ଼କୁ । ତୃତୀୟ ଥର ପାଇଁ ଶୁଭିଲା ଗୋଟାଏ ଛୋଟ ଗର୍ଜନ । ତା’ ଆଗରୁ ସେ ସ୍ତ୍ରୀଲୋକଟି କୋଟାଏ ବିକଳ ଚିତ୍କାର କଲା । ବାଘଟା ତା’ର ନିଷ୍ଠୁର ଦାନ୍ତ ବସାଇଦେଲା ସ୍ତ୍ରୀ ଲୋକଟିର ଗଳାରେ । ଏଥର ବାଘର ଜିଭରେ ମଣିଷର ଲୁଣିଆରକ୍ତ ପିଚ୍ ପିଚ୍ କରି ପଡ଼ିଲା । ଏମିତି ଭାବରେ ମୁଣ୍ଡାଚିପାଲାମ୍‍ର ମଣିଷଖିଆ ବାଘ ଜନ୍ମନେଲା । ସେ ସ୍ତ୍ରୀଟିକୁ ବାଘ ନିକଟର କେତେକ ବୁଦା ପାଖକୁ ଘୋଷାରିନେଲା । ତା’ ମୁଣ୍ଡ, ହାତର ପାପୁଲି ଓ ପାଦର ଗୋଇଠିକୁ ଛାଡ଼ି ସବୁ ଖାଇଗଲା ।

 

ଏହା ପରେ ପର ପର ତିନିଟା ହତ୍ୟା । ଗୋଟାଏ ରାସ୍ତା ଉପରେ ସପ୍ତମ ମାଇଲ ଖୁଣ୍ଟିଠି, ଦ୍ୱିତୀୟଟି ଚିନାରନଦୀ ଯୋଉଠି କାବେରୀ ସଙ୍ଗେ ମିଶିଚି ସେଇଠି, ନଦୀ କୂଳରେ, ଏବଂ ତୃତୀୟ ହତ୍ୟା ଉଟାଇମାଲାଇ ଗାଁରେ । ଏ ତିନିଟିଯାକ ସ୍ଥଳରେ ଶିକାରଗୁଡ଼ିକୁ ଆଂଶିକ ବା ପୂରାଭାବରେ ବାଘ ଖାଇଥିଲା ।

 

ଶେଷ ହତ୍ୟା ବେଳକୁ ଖୁବ୍ ପାଟିତୁଣ୍ଡ ଆରମ୍ଭ ହୋଇଗଲା । ଉଟାଇମାଲାଇ ଗାଁର ଲୋକେ ପେନ୍ନାଗ୍ରାମକୁ ଆସି ପ୍ରାର୍ଥନା ଜଣାଇଲେ ଯେ ଏ ବିପଦରୁ ସେମାନଙ୍କୁ ରକ୍ଷା କରାଯାଉ । ସେଠି ମୋ ଶିକାରୀବନ୍ଧୁ ରଙ୍ଗା ଥାଏ । ରଙ୍ଗା କହିଲା ଯେ ସେ ମୋତେ ବୁଝାଇ ନେଇଆସିବ । ଏତକ କହି ସେ ବସ୍‌ରେ ଶହେ ମାଇଲ୍‌ରୁ ଅଧିକ ବାଟ ଯାତ୍ରା କରି ବାଙ୍ଗାଲୋର୍‌ରେ ପହଞ୍ଚିଲା । ସେ ଦିନ ସନ୍ଧ୍ୟାରେ ପହଞ୍ଚି ସେ ସବୁ ଘଟଣା ବର୍ଣ୍ଣନା କଲା ।

 

ଏଠି ରଙ୍ଗା ବିଷୟରେ କେତେପଦ କହିବା ଠିକ୍ ହେବ । ଏମିତି ଆଶ୍ଚର୍ଯ୍ୟ ଯୋଗ ଯେ ରଙ୍ଗାକୁ ବି ମୁଁ ଭେଟିଥିଲି ମୁଥୁର୍‌ରେ, ଯୋଉଠି ମୁଁ ଆଗେ ବାଇରାକୁ ଦେଖିଥିଲି । ରଙ୍ଗା ଥିଲା ଜଣେ ମୂଲିଆ । ସେ ଗୋଟାଏ ଶଗଡ଼ ଗାଡ଼ିର ଗାଡ଼ିଆଳ । ଜଙ୍ଗଲରୁ କଟା ବାଉଁଶ ଆଣେ । ପେନ୍ନାଗ୍ରାମରେ ବାଉଁଶ ଉତାରେ । ବଡ଼ ଚାଲାକ୍ ସେ । ତେଣୁ ବେଳ ମିଳିଲେ ସେ ଶିକାର କରେ-। ଦେଶୀ ବନ୍ଧୁକଟାଏ ମାଗିନିଏ । ଯାଏ ଜଙ୍ଗଲ । ଦେହ, ମନ ଓ ବ୍ୟକ୍ତିଗତ ଗୁଣରେ ବାଇରାଠୁ ସେ ବହୁତ ଅଲଗା । ବାଇରା ଗେଡ଼ା । ରଙ୍ଗା ଡେଙ୍ଗା । ରଙ୍ଗା ଦେହରେ ବହୁତ ବଳ । ସବୁ କାମରେ ସେ ଟାଣୁଆ ମନୋବୃତ୍ତି ଦେଖାଏ । ତା’ର ପ୍ରଥମ ସ୍ତ୍ରୀ ସହିତ କ’ଣ ଗୋଟାଏ କଳି ହେଲା-। ରଙ୍ଗା ସେ ସ୍ତ୍ରୀଲୋକଟିର ଗଳା କାଟିଦେଲା । ଏଥିପାଇଁ ବର୍ଷେ ଜେଲ୍ ଖଟିଲା । ଜେଲ୍‌ରୁ ଫେରିଲା । ଆଉ ଥରେ ବାହା ହେଲା । ତା’ ସହିତ ମୋର ପରିଚୟ ହେବା ବେଳକୁ ସେ ତିନୋଟି ପିଲାଙ୍କର ବାପା । ଏଥିରେ ତା’ ମନ ମାନିଲାନି । ସେ ଆଉ ଗୋଟିଏ ସ୍ତ୍ରୀ ବାହାହେଲା । ଏବେ ସେ ଡଜନେ ପିଲାର ବାପ । ଏଣେ ସେ ଅଜା ହେଇଗଲାଣି । କାମ କରାଇବାରେ ଓସ୍ତାଦ୍ । ସେ ଯାହା ଚାହେଁ କରିଯାଏ ଓ କରେଇନିଏ । ଏ କୌଶଳରେ ବାଇରା କିଛି ନୁହେଁ । ଥରେ ଜଣେ ଗାଉଁଲୀଲୋକ ତା’ କଥା ମାନିଲାନି । ତାକୁ ସେ ଭୀଷଣ ଭାବରେ ମାଡ଼ ଦେଇଥିଲା । ତା’ର ଆଉ ଗୋଟାଏ ପଇସା ପାଇବା ବ୍ୟବସାୟ ଥାଏ । ସେ ଚୋରା ମଦ କାରବାର କରେ । ବାବୁଲଗଛର ଛାଲି ଓ ଅନ୍ୟ ସବୁ ଜିନିଷରୁ ସେ ମଦ ତିଆରେ । ସେ ମଦ ମୁଁ ପରୀକ୍ଷା କରିଚି । ଖୁବ୍ ଉଚ୍ଚଦରର ମଦ । ବାଇରା ତୁଳନାରେ ସେ ଖୁବ୍ ଅସାଧୁ । ନାନା ଦୁର୍ନୀତିରେ ସେ ଲିପ୍ତ । ୧୨ ବୋର୍ କାଟ୍ରିଜ୍ ନେଇ ସେ ଚୋରା କାରବାର କରେ । ବାଇରାକୁ ସେ ଘୃଣା କରେ । ତା’ ଆଖିରେ ବାଇରା ଅର୍ଦ୍ଧ ସଭ୍ୟ । ମୁଁ ବାଇରାକୁ ଶ୍ରଦ୍ଧାକରେ । ତେଣୁ ସେ ବାଇରାକୁ ଈର୍ଷା କରେ । ମାତ୍ର ରଙ୍ଗା ସାହସୀ । ବିପଦବେଳେ ତା’ ଉପରେ ଭରସା କରାଯାଇପାରିବ । ସେ ଜଙ୍ଗଲକୁ ଖାତିର୍ କରେନି । ଜଙ୍ଗଲର ଜନ୍ତୁଙ୍କୁ ସେ ଡରେନି । ଅନେକ ଶିକାରୀ ଜଙ୍ଗଲର ଭୂତଙ୍କୁ ଡରନ୍ତି । ରଙ୍ଗା ଏ ଭୂତ ପିଶାଚଙ୍କୁ ଭୟ କରେନି ।

 

ଦୁର୍ଭାଗ୍ୟକୁ ରଙ୍ଗା ଆସିଲା ବେଳକୁ ମୁଁ ଖୁବ୍ କର୍ମବ୍ୟସ୍ତ ଥାଏ । ଆହୁରି ପନ୍ଦର ଦିନଯାଏ ସମୟ ଲୋଡ଼ା । ତା’ ହେଲେ ମୁଁ କାମରୁ ମୁକୁଳିବି । ତେଣୁ ମୁଁ ତା’କୁ ପେନ୍ନାଗ୍ରାମକୁ ପଠାଇଦେଲି-। ତା’ ହାତରେ ଦେଇଥାଏ ମୋ’ ଠିକଣା ଲେଖା ଅନେକ ଲଫାପା । ତାକୁ କହିଥାଏ ପ୍ରତି ଦୁଇଦିନରେ ଚିଠି ଲେଖିବ । କୌଣସି ଘଟଣା ଘଟୁ ନ ଘଟୁ ସେ ଚିଠି ଲେଖିବ ।

 

ରଙ୍ଗାର ପ୍ରଥମ ଚିଠି ଆସିଲା । ସେ ଅନୁସାରେ ମୁଁ କାମ କରି ପାରିଲିନି । ସେ ଚିଠିର ଉତ୍ତର ଦେଇ ପାରିଲିନି । ଫଳରେ ଆଉ ଦୁଇଟା ହତ୍ୟାକାଣ୍ଡ ଘଟିଲା । ଏଥିପାଇଁ ପରୋକ୍ଷ ଭାବରେ ମୁଁ ଦାୟୀ ବୋଲି ମନେ କରେ । ମୁଁ ଆଉ ଡେରି ନକରି ମୋଟର ଚଳାଇ ରଙ୍ଗାକୁ ଉଠାଇଲି ପେନ୍ନାଗ୍ରାମରେ । ବାଇରାକୁ ଆଣିବାକୁ ଗଲି ମୁଥୁରା । ସେଇଠୁ ଗଲି ଭଟାଇମଲାଇ । ଏଠି ଆମ ଦଳର ତୃତୀୟ ଲୋକକୁ ଧରିଲି । ସେ ସୌରୀ । ରଙ୍ଗା ପରି ଏ ସୌରୀ ବି ଜଣେ ଓସ୍ତାଦ୍ । ଗୋଟାଏ ବଣୁଆ ହାତୀକି ସେ ଦେଶୀ ବନ୍ଧୁକରେ ମାରି ଦେଇଥିଲା । ସେଥିଲାଗି ଭୋଗିଥିଲା ତିନିମାସ ଜେଲ୍ । ଏଇଟା ଥିଲା ବଣୁଆ ହାତୁଣୀ । ପୂରା ଯୌବନ ପାଇ ନଥାଏ । ସୌରି ଯୋଉଠି ଲୁଚିଥିଲା, ହାତୁଣୀ ସେଇଠିକି ଗଲା । କାଳେ ହାତୁଣୀ ମାରିଦେବ, ଏଇ ଡରରେ ସେ ଜନ୍ତୁଟାର ବାଁ କାନ ପଛକୁ ଗୁଳି କଲା । ଗୁଳିଟା ଠିକ୍ ଜାଗାରେ ବାଜିଥିଲା । ତା’ର କାମ କଲା-। ହାତୁଣୀଟା ସେଇଠି ଟଳି ପଡ଼ିଲା । ଦୁର୍ଭାଗ୍ୟକୁ ସେ ହାତେ ହାତେ ଧରା ପଡ଼ିଲା । ସେ ସମୟରେ ମୁଁ କୋଏମ୍ବାଟୁର ଅରଣ୍ୟରେ ଶିକାର କରୁଥାଏ । ଏ ହାତୀକି ମୁଁ ଦେଖିଥାଏ । ତାର ଫଟୋଚିତ୍ର ନେଇଥାଏ । ଏମିତି ମୋର ସୌରୀ ସହିତ ଦେଖା ଓ ପରିଚୟ ।

 

ଏ ତିନି ଲୋକଙ୍କୁ ସହଚର ଭାବେ ପାଇବା ମୋ’ ପକ୍ଷରେ ଆନନ୍ଦ ଓ ଗର୍ବର ବିଷୟ । ତିନିହେଁ ଯାକ କେହି କାହାକୁ ଊଣା ନୁହନ୍ତି । ଜଙ୍ଗଲ ବିଷୟରେ ସେମାନେ ବହୁ ଅଭିଜ୍ଞ । ଏମାନେ ବଡ଼ କୌଶଳୀ ଓ ସାହସୀ । ବାଇରା ସଙ୍ଗେ ସଙ୍ଗେ କହିଲା ଯେ, ସେ ପାଖ ଆଖ ଜଙ୍ଗଲକୁ ଖୋଜି ନେବ । ସେ କୋଏମ୍ବାଟୁରର କୂଳଯାଏ ପ୍ରହରାଦେବ । ବାଘଟାର ଗତିବିଧି, ରହିବା ଜାଗା ଖୋଜିବ । ଏକଥା କରିବାକୁ ମୁଁ ତା’କୁ ମନାକଲି । ମଣିଷଖିଆ ବାଘଟା । ଏକା ବୁଲିଲେ ଆତ୍ମଘାତୀ ହୋଇ ପଡ଼ିବ । ଶେଷରେ ଆମେ ଗୋଟାଏ ସାଲିସ ଯୋଜନା ନେଲୁ । ବାଇରା ସଙ୍ଗରେ ସୌରୀ ରହିବ । ସେମାନେ ମୋ’ର .୧୨ ବୋର୍ ବନ୍ଧୁକ ନେବେ । ସେମାନଙ୍କ ସହିତ ମଧ୍ୟ ରହିବ ଲୁକାସ୍ । ଲୁକାସ୍ ମେଣୁଆ କାମ କରେ । ସରକାରଙ୍କ ମତ୍ସ୍ୟ ବିଭାଗରେ ସେ କାମ କରେ । ରଙ୍ଗାକୁ କହିଲି ସେ ତିନିଟା ଗୋରୁ ବା ପଣ୍ଡା ଆଣିବ । ସେମାନଙ୍କୁ ତିନିଟା ବିଭିନ୍ନ ଜାଗାରେ ବାନ୍ଧିବ । ଗୋରୁ ପାଇବାରେ ପ୍ରଥମେ ବଡ଼ ଅସୁବିଧା ପହଞ୍ଚିଲା । ଧୂର୍ତ୍ତାମିରେ ରଙ୍ଗାକୁ କେହି ସରି ନୁହନ୍ତି । ସେ ଡରାଇ ହାଲକେଇ ଏସବୁ ସଂଗ୍ରହ କଲା । ସେ କେମିତି ଏ ବେଟ୍‌ବାତରା ସଂଗ୍ରହ କଲା, ମୁଁ ଜାଣେନି; କି ମୋ’ର ଜାଣିବାର ପ୍ରୟୋଜନ ମଧ୍ୟ ନାଇଁ ।

 

ଚିନାର ଯୋଉଠି କାବେରୀରେ ପଡ଼ିଛି, ତା’ର ଉପରକୁ ଏକମାଇଲ ଦୂରରେ ପ୍ରଥମ ପଶୁଟି ବନ୍ଧାହେଲା । ଦ୍ଵିତୀୟଟି ତାର ତିନିମାଇଲ୍ ଉପରକୁ । ତୃତୀୟଟି ସେ କୂଅଠୁ ମାତ୍ର ଶହେ ଗଜରେ ବନ୍ଧାଗଲା । ସେଇ କୂଅଠି ପ୍ରଥମ ହତ୍ୟା ଘଟିଥିଲା ! ବାଇରା ଓ ତା’ ସହଚରମାନେ କାବେରୀର ଗୋଟାଏ ପାଖ ଖୋଜିବେ । ମୁଁ ଆଉ ଜଣେ ଲୋକକୁ ନେଇ ଆରପାଖ ଦେଖିବି । ରଙ୍ଗାର କାମହେଲା, ଏ ଜୀବ ତିନୋଟିକୁ ଖାଇବାକୁ ଓ ପିଇବାକୁ ପାଣିଦେବ ।

 

ଏମିତି ଭାବରେ ଚାରିଦିନ କଟିଲା । କୌଣସି ଖବର ଦବାର ନଥାଏ । ବିଭିନ୍ନ ଜାଗାରେ ବାଘର ପାଦଚିହ୍ନ ମିଳିଲା । ମାତ୍ର ସେ ସବୁ ତାଜା ଚିହ୍ନ ନୁହେଁ । ତା’ ଛଡ଼ା ସେ ଚିହ୍ନ ସେ ନରଖାଦକର କି ଆଉ କୋଉ ବାଘର ଏକଥା ଆମକୁ ନିଶ୍ଚିତ ଭାବରେ କେହି କହି ପାରିଲେନି ।

 

ନରଭୋଜୀଟା ଖାଇବାକୁ ନ ପାଇଲେ ଗୋରୁମରା ହୁଅନ୍ତା; କିନ୍ତୁ ସେମିତି କୌଣସି କାର୍ଯ୍ୟକ୍ରମକୁ କାମରେ ଲଗାଇବା ସମ୍ଭବ ହେଲାନି । କଥାଟା କଣ କି, ଏ ରାସ୍ତାରେ ବହୁ ଯିବା ଆସିବା ହୁଏ । କାବେରୀର ଆରପାରିରେ ଅନେକ ଗାଁ । ସେ ଗାଁ ସବୁକୁ ଏହା ଥିଲା ବଡ଼ ରାସ୍ତା । ତା’ ଛଡ଼ା କୋଏମ୍ବାଟୁର ପାଖର ଜଙ୍ଗଲ ଓ ଅନ୍ୟଜଙ୍ଗଲରେ ଅନେକ ବଣ୍ୟଜନ୍ତୁ । ଦରକାର ହେଲେ, ବାଘ ଏସବୁ ମାରି ଖାଇପାରିବ । ଏ ମଧ୍ୟରେ ମୁଁ ସେଠିକି ଆସିଚି, କ’ଣ ପାଇଁ ଆସିଛି ଏ ଖବର ଚାରିଆଡ଼େ ପ୍ରଚାର କରାଇଦେଲି । ତା’ ହେଲେ, କୋଉଠି ବାଘମାରିଲେ; ମୋ’ ପାଖକୁ ଚଟ୍‌କରି ଖବର ଆସିବ । ବାଇରା ଉପରେ ମୋ’ର ବଡ଼ ଆଶା । ସେ ପଶୁର ଗତିବିଧି ଜାଣିବାରେ ବହୁତ ଦକ୍ଷ । ତା’ରି ସାହାଯ୍ୟରେ ବାଘଟାର ଦାଣ୍ଡି ଏପରିକି ତା’ ବସା ଜାଣିବା ସମ୍ଭବ ହୋଇପାରିବ । କାଳି କାରିବାର ପ୍ରଶ୍ନ ନ ଥାଏ । କାଳିରେ ଯୋଗଦେବାକୁ ବହୁଲୋକ କହୁଥିଲେ । କିନ୍ତୁ ପ୍ରକୃତରେ କେହି ଦେଖା ଦେଲେନି । ଆମ ଆଗରେ ଯୋଉ ଜନ୍ତୁଟା ଥିଲା, ସେ ଥିଲା ମଣିଷ ମାରିବାରେ ଦକ୍ଷ, ଖୁବ୍‌ ବୁଦ୍ଧିମାନ ଓ ଦୁଃସାହସୀ । କାଲି କରୁଥିବା ଲୋକମାନଙ୍କ ମଧ୍ୟରୁ ଯେ କାହାକୁ ନ ମାରିବ, ଏକଥା କିଏ କହିବ ! ଏମିତି ହେଲେ, ହତ୍ୟା ତାଲିକାରେ ଆଉ ଗୋଟାଏ ନାଁ ବଢ଼ିବ ସିନା !

 

ପଞ୍ଚମଦିନ ସକାଳ । ଖବର ପାଇଲି ପାନପାତ୍ତି ଗୋଠରେ ଜଣେ ଲୋକକୁ ବାଘ ମାରିଚି । ପୂର୍ବ ସଂଧ୍ୟାର ବିଳମ୍ବିତ ଭାଗରେ ଲୋକଟି ଘର ଛାଡ଼ି ବାହାରକୁ ଯାଇଥିଲା । ଉଦ୍ଦେଶ୍ୟ ତା’ କୁକୁରକୁ ଡାକିବା । କୁକୁରଟି ଆଗକୁ କୁଆଡ଼େ ଯାଇଥିଲା, ଆସି ନଥିଲା । ସେ କୁକୁରକୁ ଖୋଜିଗଲା–ଫେରିଲାନି । ଆମେ ସେ ଜାଗାକୁ ଗଲୁ । ସେ ଜାଗାଟା ଆମର ଜାଗାଠୁ ଚାରି ମାଇଲ । ବାଇରା ହତ୍ୟାଜାଗାଟା ଖୋଜି ପାଇଲା । ତା’ପରେ ଆମେ ଡଗରାଇଲୁ । ବାଘଟା ଶିକାରକୁ ଘୋଷାରି ନେଇଥାଏ । ଚିନାର ବାଲିରେ ବାଘର ପାଦଚିହ୍ନ ଦେଖିଲୁ । ନଈର କୂଳରେ ଥିବା ଲମ୍ବା ଲମ୍ବା ଘର ଡିଆଇଁ ସେ ପାରିର ଖସାଣିକି ବାଘ ଘୋଷାରି ନେଇଚି । ସେ ପାଖରେ ଅନେକ ବାଉଁଶ ବୁଦା । ଏଇଠି ଆମେ ମଢ଼ର ଅବଶିଷ୍ଟାଂଶ ପାଇଲୁ । ବାଘ ତାକୁ ଖାଇ ପ୍ରାୟ ଶେଷ କରିଦେଇଥାଏ ।

 

ଏ ପାଖରେ ସେମିତି ବଡ଼ଗଛ ନ ଥାଏ । ଶବଠୁ ପ୍ରାୟ ତିରିଶ ଗଜ ଦୂରରେ ଗୋଟାଏ ବିଶାଳ ବାଉଁଶ ବୁଦା । ସେଇ ବୁଦାରେ ମୋର ଲୁଚିବା ଜାଗା କରିବାକୁ ମୁଁ ବାଇରାକୁ କହିଲି । ମାଟି ସହିତ ସମାନ କରି ବୁଦା ଭିତରୁ ଆଠ ନଅଟି ବାଉଁଶ କଟାଯିବ । ତା’ପରେ ଚାରିଫୁଟ ଭିତରେ ସେଇ ବାଉଁଶ କଟାହେବ । ବର୍ତ୍ତମାନ ଚାରିଫୁଟିଆ ବାଉଁଶ ଖଣ୍ଡଗୁଡ଼ିକ କାଢ଼ିନେଲେ, ତା’ ଭିତରେ ଜଣେ ଲୁଚିରହିପାରିବ । ବାଉଁଶ କାଟିଲାବେଳେ ଏକ ପାଖରେ ଗଛ କଟାଯିବନି । ସେମିତି ହେଲେ, ଗଛ ଖସିପଡ଼ିବ । ଭିତରେ ପାଖରୁ ଯୋଉ ବାଉଁଶ ଖସିବନି, ସେମିତି ଗଛ କଟାଯିବ । ଏ ଗଛଗୁଡ଼ିକ ଖୁବ୍ ଡେଙ୍ଗା । ସେଗୁଡ଼ିକ କଣି ଉପରେ ଏମିତି ଛନ୍ଦାଛନ୍ଦି ହୋଇ ରହିଥାଏ ଯେ, କଟା ଗଛ ସହଜରେ ଖସି ଆସେନି ।

 

ବାଇରା ବୁଦାକୁ ଭିତରୁ ଭିତରୁ କାଟି ତା’ ଭିତରେ ମୋ’ ଲାଗି ସାନ ଗୁହାଟିଏ ତିଆରି କରିଦେଲା । ମୁଁ ତା’କୁ ଦେଖିଲି । ଜାଣିଲି ସେ ଭିତରେ ରହିଲେ, ମୁଁ ଅନେକଟା ନିରାପଦ । ବାଘ ମୋତେ ପଛରୁ ବା ଦୁଇପାଖରୁ ଆକ୍ରମଣ କରିପାରିବନି । ବାଉଁଶ ବୁଦା ଭେଦି ସେ ମୋ’ ପାଖରେ ପହଞ୍ଚି ପାରିବନି । ଆସିଲେ ଆସିବ ସାମନାରୁ । ଯଦି ରାତିଯାକ ଜାଗି ପାରିବି, ସେ ଆକ୍ରମଣ କଲେ, ମୁଁ ତା’ର ଠିକ୍ ମୁକାବିଲା କରିପାରିବି । ବିଚରା ପୂଜାରୀ ଖୁବ୍ ବିଶ୍ୱାସୀ । ମୋତେ ଏକା ଛାଡ଼ିବାକୁ ସେ ଅମଙ୍ଗ । ମୋ’ ସହିତ ବସିବାକୁ ତା’ର ଇଚ୍ଛା । ତାକୁ କିନ୍ତୁ ମୁଁ ଜୋର୍ ଜବରଦସ୍ତି ତଡ଼ିଲି ହୁଏତ ତାକୁ ମୋ’ ସହିତ ପାଇଥିଲେ, ମୁଁ ଖୁବ୍ ଖୁସି ହୋଇଥା’ନ୍ତି । ମାତ୍ର ବୁଦାଭିତରେ ଯୋଉ ଜାଗା ଆମେ କାଟି କରିଥିଲୁ, ସେଥିରେ ଦୁଇଜଣ ବସିବାକୁ ଯଥେଷ୍ଟ ଜାଗା ନ ଥିଲା । ଅଧିକ କାଟିଥିଲେ ଆମେ ବୁଦାର ପରିଧିକୁ ଚାଲିଯାଇ ଥାଆନ୍ତୁ । ଅଧିକ ବାଉଁଶ କାଟିଲେ, ବୁଦା ସମ୍ଭାଳି ନପାରେ । ବୁଦାଟା ପଡ଼ିଯାଇପାରେ । ତହିଁରେ ପୁଣି ବାଉଁଶ, ବାଉଁଶ କଣି ଆଦି ପଡ଼ିବ । ବାଘଟା ତରକି ଯିବାର ଭୟ ।

 

ଅନ୍ଧାର ରାତି । ଆକାଶରେ ଜହ୍ନ ନାଇଁ । ତେଣୁ ସଟ୍‌ଗନ୍‌ରେ ଶିକାରୀ ଆଲୁଅ ଖଞ୍ଜିଲି । ଉଇଁଚେଷ୍ଟର ତ ଥାଏ । ଏ ବନ୍ଧୁକ ବି ନେଇଗଲି । ଉଇଁଚେଷ୍ଟରରେ ତା’ର ଆଲୋକ ବ୍ୟବସ୍ଥା ବି ଥାଏ । ବାଉଁଶବୁଦାରେ ଅଛି, ତେଣୁ ଶୀତ ହେବନି । ରାତିରେ ବହୁତ କାକର ପଡ଼େ । ଶୀତ ହୁଏ-। ପାହାଡ଼ରୁ ଥଣ୍ଡା ପବନ ବହେ । ଏସବୁରୁ ରକ୍ଷା ମିଳିବ । ସବୁଠୁ ବିପଦ ଜଙ୍ଗଲୀ ସାପ । ଭାବିଲି, ସେମାନଙ୍କଠୁଁ ବି ମୁଁ ନିରାପଦ ।

 

ଉପରବେଳା ଗୋଟାଏ । ମୋ’ ଲୋକମାନଙ୍କୁ ପଠାଇଦେଲି । ବାଇରାର ମନ ମାନୁନି-। ସେ ଯିବାକୁ ଅମଙ୍ଗ । କହିଲି ଏଠାକୁ ଆସିବା ଆଗରୁ ଚିନାନଦୀଠୁ ମୋତେ ଡାକିବେ । ସେମାନେ ବିଦାୟ ନେଲେ । ମୁଁ ମୋ’ ଜାଗାକୁ ଆସିଲି । ଆଗାମୀ ସତରଘଣ୍ଟାପାଇଁ ରହିଲି ସେଇ ବାଉଁଶ ଗୁହାରେ ।

 

ବାଉଁଶଗୁହାରେ ମୋ’ ଦୃଷ୍ଟି ସୀମାବଦ୍ଧ ହୋଇଗଲା । ମୁଁ ଆଉ କୋଉଆଡ଼କୁ ଚାହିଁବା ସମ୍ଭବ ନଥିଲା । କେବଳ ମୋ’ ସାମ୍ନାରେ ସେଇ ଜଙ୍ଗଲ ଅରାକ ଦେଖିପାରୁଥିଲି । ତେଣୁ ଜଙ୍ଗଲର ଗୋଟିଏ ଖୁବ୍ ସଂକୀର୍ଣ୍ଣ ଅଂଶ ମୋ’ ଦୃଷ୍ଟିରେ ପଡ଼ୁଥାଏ । ଦିନବେଳା ମୁଁ ଚାରିଆଡ଼କୁ ଦେଖିପାରୁଥାଏ । ଯଦି ମଣିଷଖିଆ ସେ ପାଖରେ କୋଉଠି ଥିବ, ମୋତେ ଦେଖିପାରୁଥିବ । ସଞ୍ଜପରେ ଅନ୍ଧାର ଆସିଲେ ସବୁକଥା ଓଲଟିଯିବ । ମୁଁ ତ କିଛି ଦେଖିପାରିବିନି । ସେ ମୋତେ ପରିଷ୍କାର ଦେଖିନେବ । ଆଉ ମନଇଚ୍ଛା ତା’ କାମ କରିନେବ । ତେଣୁ ମୁଁ ଚାହୁଁଥାଏ ବେଗି ସଞ୍ଜ ହେଉ । ବେଗି ଅନ୍ଧାର ହେଉ । ବାଘଟା ଏଠାକୁ ଆସିବାର ଆଗରୁ ସଞ୍ଜ ହେଇଯାଉ ।

 

ମଣିଷ ଶବଟିର ଯୋଉ କିଛି ଅଂଶ ଥିଲା, ତା’ ଉପରେ ଥାଏ ବାଉଁଶଗଛ । ବାଉଁଶଗଛଗୁଡ଼ିକ ଠିକ୍ ଚାନ୍ଦୁଆପରି କାମ କରୁଥାଏ । ଶାଗୁଣା ତାକୁ ଦେଖିପାରୁ ନଥା’ନ୍ତି । ହେଲେ, ମାଛି ! ମାଛିଗୁଡ଼ାକ ହଜାର ହଜାର ସଂଖ୍ୟାରେ ମଢ଼କୁ ଘେରି ରହିଥାଆନ୍ତି । ଶବଟା ଗନ୍ଧାଇବା ଆରମ୍ଭ କରିଥାଏ ।

 

ବଣରେ ସଞ୍ଜଆସେ । ତା’ସହ ଶୁଭେ ନାନା ଶବ୍ଦ । ଜଙ୍ଗଲର ଦିନ ସରିଯାଏ । ତା’ ସହ ଜଙ୍ଗଲରେ ଆଲୁଅର ଖେଳ ଲୋପପାଇଯିବ । ସେ ସବୁର ବିଶଦ ବର୍ଣ୍ଣନା ଦେବିନି । ବାସ୍ତବରେ ଦିନସରିଯିବା ବେଳେ ଏସବୁ ମୋତେ ବିମୁଗ୍‌ଧ କରିଦେଲା । ମୁଁ ତ ଜଙ୍ଗଲକୁ ସବୁବେଳେ ଭଲପାଇ ଆସିଚି !

 

ଅନ୍ଧାର ଆସିବା ଆଗରୁ କିଛି କହିଲେ କିଛି ଘଟି ନ ଥିଲା । ମାତ୍ର ଅନ୍ଧାରଟା ଖୁବ୍ ବେଗି ଏବଂ ତ୍ୱରିତ ଗତିରେ ଆସିଲା । ମୋତେ ଘନଅନ୍ଧକାର ଘେରିଗଲା । ସେ ଅନ୍ଧାର ଆହୁରି ଗଭୀର ହୋଇଗଲା ବାଉଁଶବୁଦା ଯୋଗୁଁ । ଏଡ଼େ ଅନ୍ଧାର ହେଇଥାଏ ଯେ, ମୋ’ ହାତ ଦୁଇଟି ମୁଁ ଦେଖିପାରୁ ନଥାଏ ଅଥଚ ଏ ଦୁଇଟିକି ମୁଁ ମୋ’କୋଳ ଉପରେ ରଖିଥାଏ । କିଛି ତ ଦିଶୁ ନ ଥାଏ-। ଦରାଣ୍ଡି କରି ଟର୍ଚ୍ଚର ସୁଇଚି ଓ ଟ୍ରି ଗାର୍ ଖୋଜିବାକୁ ହେଉଥାଏ । ମୋ’ ହାତଘଡ଼ିର ଉଜ୍ଜ୍ୱଳ ମୁହଁଟି ଖାଲି ଦେଖା ଯାଉଥାଏ-। ସେତେବେଳେ ହୋଇଥାଏ ଆଠଟା ବାଜିବାକୁ ପନ୍ଦର ମିନିଟ୍ । ଆଗାମୀ ଦିନର ଆଲୁଅ ଆସିବାକୁ ଆହୁରି ଦଶ ଘଣ୍ଟା ବାକି ।

 

ଜାଣିଚି ମୋତେ ଖୁବ୍ ଜାଗ୍ରତ ହେବାକୁ ହେବ । ଜଙ୍ଗଲର ରଜା ବିରୁଦ୍ଧରେ ନଗର ପ୍ରତିପାଳିତ ମୋର ଏଇ ସାମାନ୍ୟ ଜୀବନ ଆଜି ପ୍ରତିପକ୍ଷ ହୋଇ ଠିଆହେବ । ଲଢ଼ିବା କାମରେ ସେ ଓସ୍ତାଦ୍ । ଯୁଗ ଯୁଗ ଧରି ତା’ ରକ୍ତରେ ଏ ପ୍ରବୃତ୍ତି ଅଛି । ଶୁଣିବା ଓ କାନେଇବାରେ ସେ ଖୁବ୍ ଦକ୍ଷ । ଦେଖିବାରେ ସେ ତୀକ୍ଷ୍‌ଣ । ମୁଁ ତ ଏକ ଇଞ୍ଚ ଆଗର ଜିନିଷ ଦେଖି ପାରୁନି । ମୁଁ ତା’ ବାସନା ବାରିପାରିବିନି । ସେ ମୋ’ର ବାସନା ବାରି ପାରିବ । ବର୍ତ୍ତମାନ ମୋ’ର ଶୁଣିବା ଶକ୍ତି ଉପରେ ଅନେକ କିଛି ନିର୍ଭରକରେ । ସତର୍କ ବାଘ ବହୁତ ଧୀରେ ନିଃଶବ୍‌ଦରେ ଆସେ । ମୋତେ ସବୁବେଳେ ନୀରବ ରହିବାକୁ ପଡ଼ିବ । ଏମିତି ମୋର ସାମାନ୍ୟ ଅଙ୍ଗଚାଳନା ତା’ର ସଜାଗ କାନରେ ଠିକ୍ ଖବର ପହଞ୍ଚାଇ ଦେବ । ସେ ମୋ’ର ଉପସ୍ଥିତ କଥା ଜାଣିପାରିବ । ସେ ଜାଣିଲେ ଦୁଇଟା ଜିନିଷ ଘଟିପାରେ । ତା’ର ସାହସ କୁଳାଇ ନ ପାରେ, ସେ ମଡ଼ାକୁ ଛାଡ଼ି ଯିବ । ନହେଲେ, ମୁଁ ଜାଣିବା ଆଗରୁ ସେ ବାଉଁଶ ଗୁହାଉପରେ ଆକ୍ରମଣ କରିବ । ତା’ ଶିକାର ତାଲିକାରେ ନାଁ ଲେଖାଇବାକୁ ମୋ’ର ଆଦୌ ମନ ନଥାଏ ।

 

ତେଣୁ ମୋତେ ନିଶ୍ଚଳଭାବରେ ହଲଚଲ ନ ହୋଇ ବସିରହିବାକୁ ପଡ଼ିବ । ଆଶ୍ଚର୍ଯ୍ୟ କଥା, ମଶାମାନେ ସେଠି ପହଞ୍ଚି ସାରିଲେଣି ! ମୋତେ ଅସ୍ତବ୍ୟସ୍ତ କରୁଛନ୍ତି । ସେମାନଙ୍କ ଦଂଶନରେ ମୁଁ ଦୁଃସହ ଯନ୍ତ୍ରଣା ଭୋଗୁଚି । ଆଉ ଥରେ ଗୋଟାଏ ଥଣ୍ଡାଳିଆ ଜୀବ ମୋ’ କୋଳଉପରେ ଲମ୍ବି ଗଲା । ଲମ୍ବାଳିଆ ପଦହୀନ ଜୀବ । ସେ ଗୋଟାଏ ସାପ । ସେ ସମୟରେ ଟିକେ ହଲଚଲମାନେ ଦଂଶନ । ଦଂଶନମାନେ ଯନ୍ତ୍ରଣା । ବିଷାକ୍ତ ସାପ ହେଲେ ମୃତ୍ୟୁ । ସ୍ନାୟୁଗୁଡ଼ିକ ଶିହରି ଉଠୁଚନ୍ତି । ବହୁକଷ୍ଟରେ ମୁଁ ଏ ଅବସ୍ଥାକୁ ସମ୍ଭାଳିଲି । ସାପଟା ଖସିଚାଲିଗଲା । ସେ ପାଖରେ ଗଲାବେଳେ ପତ୍ର ଓ ବାଉଁଶ ଗଛରେ ଯୋଉ ଖସ୍ ଖସ୍ ଶବ୍ଦ ହେଲା, ସେଥିରୁ ଜାଣିଲି–ସେ ବିଦାୟ ନେଇଚି ।

 

ଏଣେ ଗଳା ଗଲ ଗଲ ହେଉଚି । କାଶିବି ! ମୁଁ ମନେ ମନେ କାଳ୍ପନିକ ମେଣ୍ଢାଗଣିଲି ତା’ହେଲେ ଏ କାଶକଥା ଆଗ୍ରହ ହରାଇବ । ସତରେ ତାହା ହେଲା । କାଶିବାର ସମ୍ଭାବନା ଦୂର ହେଲା ।

 

୧୦.୨୫ । ମୋ’ ପଛପାଖରେ ଗୋଟାଏ ସ୍ପଷ୍ଟ ଶବ୍ଦ ଶୁଣୁଚି । ଅନୁଚ୍ଚ ଖସ୍ ଖସ୍ । ତା’ପରେ ନିଶ୍ଚଳ । କେତେ ମିନିଟ୍ ଗଲା । ପୁଣି ଖସ୍ ଖସ୍ ମୋ’ ଡାହାଣପାଖରୁ ଆସୁଚି । ମୁଁ ଯେଉଁ ବାଉଁଶ ମାର୍‌ହିରେ ଲୁଚିଚି, ସେଇଠିକି ଆସୁଚି । ତା’ର ଶ୍ଵାସ ପ୍ରଶ୍ଵାସ ମୁଁ ଶୁଣିପାରୁଚି । ତା’ପରେ ଗୋଟାଏ ଅନୁଚ୍ଚ ଗର୍ଜନ । ତା’ ପରେ ସେ ଆଗେ ଆଗେ ଗୋଟାଏ ଓଜନିଆ ଖୁବ୍ କୋମଳ ଦେହ ଚାରିଗଲା । ଜୀବଟା ମଢ଼ପାଖରେ ଅଛି ! ସେ ମୋ ଉପରେ ଆଖିରଖିଚି ! ଏ କଳା ଅନ୍ଧାରରେ ଯେ କିଛି ଦିଶୁନି ! ମୋ’ ନାକଟା ତ ମୁଁ ଦେଖିପାରୁନି । ବୋଧହୁଏ ଏଇ ମୁହୂର୍ତ୍ତରେ ତା’ର ଦୃଢ଼ ଶକ୍ତିଶାଳୀ ପଛ ଗୋଡ଼ ଦୁଇଟାକୁ ପେଟତଳେ ରଖି ସେ ମୋ’ଉପରେ କୁଦିପଡ଼ିବାକୁ ଉଦ୍ୟତ !

 

ମୋ’ ବନ୍ଧୁକ ପ୍ରସ୍ତୁତ ଥାଏ । ମୋ’ ଉପରକୁ ଡେଇଁବତ, ଗୁଳିରେ ଉଡ଼ିଯିବ । ଟ୍ରି ଗାର୍ ଉପରେ ଆଙ୍ଗୁଳି । ଭୟରେ ମୋ’ ମୁହଁରୁ ଝାଳ ବହିଗଲା, ସମଗ୍ର ଦେହଟା ଥରୁଥାଏ ।

 

ମୁଁ ଟର୍ଚ୍ଚ ସୁଇଚ୍ ଚିପିଲି । ଉଜ୍ଜ୍ୱଳ ଆଲୁଅର ବନ୍ୟା ଖେଳିଗଲା । ଦେଖିଲି ଗଧିଆଟାଏ, ସେ ଠିଆହୋଇଚି ମଡ଼ାର ପାଖରେ । ସେଠାରେ ଗୋଟାଏ ମଲାମଣିଷ ଦେଖି ସେ ଗୁର୍‌ଗୁର୍‌ ଉଚି-। କେତେକ ସେକେଣ୍ଡ ପାଇଁ ସେ ଆଲୁଅକୁ ଫାଙ୍କାଆଖିରେ ଚାହିଁରହିଲା । ତା’ପରେ ପଳାଇଗଲା-। ମୋ’ର ହସିବାକୁ ମନ ହେଉଥାଏ । ମଣିଷ କେତେ ଭାବରେ ଆଶ୍ୱସ୍ତ ହେଲା ! ଥରେ ବିପଦମୁକ୍ତ ହୋଇଗଲି ।

 

ଏଥି ସହିତ ଆଉ କ’ଣ ଘଟିଲା ! ମୁଁ ଯେ ସେଠି ଅଛି, ସେକଥା ଜଣାପଡ଼ିଗଲା । ଭାବୁଥାଏ, ସେ ମଣିଷଖିଆଟା ଦେଖିନଥାଉ । ବର୍ତ୍ତମାନ ଯୋଉ ଶୃଙ୍ଖଳା ଭାଙ୍ଗିଲା, ତା’କୁ ମୁଁ ବ୍ୟବହାର କରିନେଲି । ତରତର ହେଇ କେତେଢ଼ୋକ ଗରମ ଚା’ ପିଇନେଲି । କହିରଖେ, ଗୋଟାଏ ଫ୍ଲାସ୍କରେ ମୁଁ ଚା’ ରଖିଥାଏ । ବଙ୍କାହେଇ ପଡ଼ିଥିବା ଗୋଡ଼ହାତକୁଟିକେ ସଳଖାଇନେଲି-। ରାତିରେ ଆହୁରି ଅନେକ ସମୟ ଯେ ମୋତେ ଉନ୍ନିଦ୍ରରହି ଜାଗିବାକୁ ହେବ ! କିଛି ସମୟ ଆଗେ ମୋ’ ସ୍ନାୟୁରେ ଯୋଉ ବିଷଣ୍ଣତା, ସୋର ନୈରାଶ୍ୟ ଘୋଟି ଯାଇଥିଲା, ସେଥିରୁ ମୁକ୍ତ ହୋଇଗଲି ।

 

ବାରଟା ବାଜିବାକୁ ଦଶମିନିଟ୍ । ହଠାତ୍‌ ଦୂରରେ ବାଘର ଗମ୍ଭୀର ଗର୍ଜନ ଶୁଭିଲା । ପାଞ୍ଚ ଦଶମିନିଟ୍ ଛାଡ଼ି ପୁଣି ଏ ଡାକ ଶୁଭିଲା । ବାରଟା କୋଡ଼ିଏରେ ଆଉଥରେ ଶୁଣିଲି, ମୁଁ ଯୋଉଠିଥିଲି, ଏ ଶବ୍ଦଟା ସେଇଠୁ ଏକ ଚତୁର୍ଥାଂଶ ମାଇଲ ଦୂର ହେବ ବୋଲି ଅନୁମାନ । ଏ ଘନ ବନ ମଧ୍ୟରେ ଦୂରତା ମାପିବା ପ୍ରକୃତରେ ବଡ଼ କଷ୍ଟକର । ମାତ୍ର ମୋର ଗ୍ରହ ବଳ ଜୋର୍ ଥିଲା । ଶବ୍ଦକରି ବାଘଟା ଆସୁଚି । ନିଃଶବ୍ଦରେ ଆସିବାକୁ ମୋ’ର ଡର ।

 

ଆଉ କିଛି ଚିହ୍ନବର୍ଣ୍ଣ ନାଇଁ । ପନ୍ଦର ମିନିଟ୍ ଗଲା । ଏ ମଧ୍ୟରେ ରାତ୍ରିର ପାହାନ୍ତି ପବନ ଆରମ୍ଭ ହୋଇଗଲା । ପବନରେ ଥଣ୍ଡାଅଛି । ଜୋର୍ ମଧ୍ୟ ଅଛି । ଶୂନ୍ୟେ ଶୂନ୍ୟେ ଠାକିଥିବା କଟା ବାଉଁଶ କେଁ କେଁ ଡାକୁଚି । ମୋ’ ମୁଣ୍ଡରେ ଗୋଟାଏ ନୂଆ ଅଶୁଭ ଭାବନା ଆସିଲା । ଯଦି ଉପରେ ଥିବା ବାଉଁଶଗୁଡ଼ିକ ଏପଟ ସେପଟ ହୁଏ । ତା’ଭିତରୁ ଗୋଟାଏ ବାଉଁଶ ଯଦି ଭାରି ସହିନପାରି ସିଧା ମୋ’ ଉପରେ ଖସିପଡ଼େ ! ଜୀବ ବିଜ୍ଞାନର ଛାତ୍ର ଛାତ୍ରୀ ଯେମିତି ବିରଳ ପତଙ୍ଗକୁ ଧରିରଖେ, ତା’ର ସଂଗ୍ରହ ସାମଗ୍ରୀରେ, ମୁଁ ବି ସେମିତି ହୋଇପଡ଼ିବି । ଏ ଚିନ୍ତାଟା ଆଦୌ ରୁଚିକର ନଥିଲା । କେତେ ମୁହୂର୍ତ୍ତଲାଗି ମଣିଷଖିଆର ଭାବନା ମନରୁ ଦୂର ହେଇଗଲା ।

 

ଆଉ ହଠାତ୍‌ କରି ସାମ୍ନାରେ ଥିବା ଶବପାଖରେ ମୁଁ ଶୁଣିପାରିଲି ହାଡ଼ ଚୋବାଇବାର ଶବ୍ଦ । ମାତ୍ର ଅନ୍ଧାରଯୋଗୁଁ ମୋ’ର ଦେଖିବାରେ କୌଣସି ଉପାୟ ନଥାଏ । ମୁଁ କାନ୍ଧଯାଏ ଉଠାଇଲି ବନ୍ଧୁକ । ଠିକ କଲି, ଟର୍ଚ୍ଚ ସୁଇଚ୍ ଦାବିଲି, ମାତ୍ର ଆଲୁଅ ନାଇଁ । ମୁଁ ବାରମ୍ବାର ସୁଇଚ୍ ଦାବୁଥାଏ । ଯୋଉକଥାକୁ ସେଇକଥା । ବୋଧହୁଏ ବଲ୍‌ବଟା ନଷ୍ଟ ହୋଇଯାଇଚି । ଭିତରେ କୌଣସି ସଂଯୋଗ କଟି ଯାଇଥିବ ମଧ୍ୟ । ଏ ଅବସ୍ଥାରେ ମୁଁ ସ୍ଥିରହେଇ ବସିରହିବି, ବାଘ ମଢ଼ ଖାଇବ, ତା’ପରେ ଚାଲିଯିବ ! ଏ ଗୋଟାଏ ଦିଗ ଅଥବା ବନ୍ଧୁକ ବଦଳାଇ ବାଘ ଉପରେ ଗୁଳିଚଳାଇବା ଅନ୍ୟ ଏକ ଦିଗ । ମୁଁ ଶୀଘ୍ର ବିଚାର କରିନେଲି, ବନ୍ଧୁକ ଚଳାଇବି । ମୁଁ ଖୁବ୍ ଧୀରେ ରାଇଫଲକୁ ନୁଆଇଁ ତଳେ ରଖିଲି । ଦରାଣ୍ଡିଲି .୧୨ ବୋରକୁ । ପାଇଲି ଏବଂ ମୋ’ ଆଡ଼କୁ ଆଣିଲି । ତା’ପରେ ଅସ୍ତ୍ରଟିକୁ ମୋ’ କାନ୍ଧସମତଳକୁ ଉଠାଇଲି । ଭାବୁଚି ବାଘଟା ମୋ’ ଆଡ଼କୁ ପଛ କରିଥିଲା । ଯଦି ଏହା ନହୁଏ, ତେବେ ତା’ ଆହାର ଖାଇବାରେ ଦିମାକ୍ ବଢ଼ିଯାଇଥିଲା । ତା’ ନ ହୋଇଥିଲେ, ବାଉଁଶମାର୍‌ହି ଭିତରେ ଏତେକାମ ହୋଇଗଲା, ସେ ଜାଣିପାରିଲାନି ! ଆଉ ଏତିକିବେଳେ ମୋତେ ଦୁର୍ଭାଗ୍ୟ ଘୋଟିଲା । ବନ୍ଧୁକଟାର ଅଗ ଗୋଟାଏ ବାଉଁଶ ଠେସି ହୋଇଗଲା । ଖଟ୍‌କରି ଶବ୍ଦଟାଏ ହେଲା । ଶବ୍ଦଟା ଖୁବ୍ ଧିମାଥିଲେ ବି ବେଶ୍ ସ୍ପଷ୍ଟଥିଲା ।

 

ଖାଇବାର ଶବ୍ଦ ତତ୍‌କ୍ଷଣାତ୍‌ ବନ୍ଦ ହେଇଗଲା । ତା’ସଙ୍ଗେ ସଙ୍ଗେ ଗୋଟାଏ ଗମ୍ଭୀର ଗର୍ଜନ । ତରତର କରି ମୁଁ ବନ୍ଧୁକକୁ ଠିକ୍ ଅବସ୍ଥାକୁ ନେଇ ଆସିଲି । ନୂଆ ଟର୍ଚ୍ଚ ଟିପିଲି । ସୌଭାଗ୍ୟକୁ ଏଥିରେ କିଛି ଦୋଷ ନ ଥିଲା । ଏହା ଠିକ୍ ଭାବେ କାମକଲା । ସାମ୍ନାଟା ଆଲୁଅରେ ଫାଟିପଡ଼ିଲା । ଗୋଟାଏ ପଟାପଟାରିଆ ବିରାଟ ଦେହ ଶବଠାରୁ ଡେଇଁ ପଡ଼ିଲା । ସେ ଠିକ୍ ମୋ’ପାଖ ବାଉଁଶ ମାରହି ଉଢ଼ାଳରେ ଲୁଚିଗଲା । ସେଇଠୁ ସେ ବାରମ୍ଵାର ଭୟଙ୍କର ହେଣ୍ଟାଳ ଛାଡ଼ିଲା । ଖାଇବାରେ ତା’ର ବାଧାଆସିଚି । ପୁଣି ଏତେ ପାଖରେ ମଣିଷଟାଏ ! ସେ ମଣିଷଖିଆ-! କ୍ରୋଧରେ ସେ ଗର୍ଜି ଭୂଇଁ କମ୍ପାଇବାକୁ ଲାଗିଲା ।

 

ସେମିତି ଜଳାଇ ରଖିଥାଏ ଟର୍ଚ୍ଚ । ତୀକ୍ଷ୍‌ଣଦୃଷ୍ଟିରେ ଚାରିପାଖକୁ ଅନାଉଁଥାଏ । ଯେକୌଣସି ମୁହୂର୍ତ୍ତରେ ସେ ମୋତେ ଆକ୍ରମଣ କରିପାରେ । ମୋ’ ପକେଟ୍‌ରେ ସବୁବେଳେ ଗୋଟାଏ ଦିଟା ଅଧିକା ବଲ୍‌ବ ଥାଏ । ସେ ବଲ୍‌ବକୁ ଗୋଟିଏ ହାତରେ ଖୋଜିନେଲି । ସେମିତି ଗୋଟାଏ ହାତରେ ଖରାପ ବଲ୍‌ବର ସ୍କୃ ଖୋଲିଲି । ଯୋଡ଼ିଲି ନୂଆ ବଲ୍‌ବଟି । ସୌଭାଗ୍ୟକୁ ଏ ଟର୍ଚ୍ଚଟି ପଛ ପାଖରୁ ଖୋଲି ହୁଏ । ସାମ୍ନାଦିଗରୁ ହେଉଥିଲେ କାମ ଏତେ ସହଜ ହୁଅନ୍ତାନି । ରାଇଫଲର ଟର୍ଚ୍ଚ କାମ କରିବାରୁ ବୋର୍‌ର ଟର୍ଚ୍ଚକୁ ଲିଭାଇଦେଲି । ମାତ୍ର ଆଣ୍ଠୁ ଉପରେ ତା’କୁ ରଖିଥାଏ । କିଏ ଜାଣେ ଏ ପୁଣି କେତେବେଳେ କାମକରି ନ ପାରେ ।

 

ବାଘଟା ସେମିତି ଗର୍ଜୁଥାଏ । କିନ୍ତୁ ସେ ଏବେ ମୋ’ ପଛପାଖକୁ ଗଲାଣି । ଜାଣେ, ସେ ଦିଗରୁ ମୁଁ ବେଶ୍ ନିରାପଦ । କେବଳ ସାମ୍ନା ପାଖରୁ ମୋ’ ଉପରେ ଆକ୍ରମଣ ହୋଇପାରେ । ଏପ୍ରକାର ଆକ୍ରମଣରୁ ନିଜକୁ ରକ୍ଷାକରିବାପାଇଁ ମୋତେ ଟର୍ଚ୍ଚଟାକୁ ଅବିରତି ଜାଳିରଖିବାକୁ ପଡ଼ିବ-। ଦିନ ଆସିବାକୁ ଆହୁରି ପାଞ୍ଚଘଣ୍ଟା ଅଛି । ସବୁବେଳେ ଜଳାଇରଖିଲେ, ବ୍ୟାଟେରୀର ମସଲା ଶେଷ ହୋଇଯିବ । ଏପରିକି, ଦୁଇଟାଯାକ ବନ୍ଧୁକର ବ୍ୟାଟେରୀ ଶେଷ ହୋଇ ଯାଇପାରେ । ମାତ୍ର ସେଭଳି ଘଟିଲାନି । ସେ ମୋ’ଠୁ ଦୂରରେ ରହିଲା । ରାତିର ସାଢ଼େଦୁଇଟାଯାଏ ତା’ର ପ୍ରତିବାଦର ଧ୍ଵନି ଶୁଣାଉଥାଏ । ମାତ୍ର ଏତେବେଳକୁ ସେ ବେଶ୍ ଦୂରକୁ ଚାଲିଯାଇଥାଏ । ନିଃସନ୍ଦେହରେ ସେ ରାଗିଯାଇଚି । ମାତ୍ର ତା’ର ଏ ବିରକ୍ତିକି ମୁଁ ସ୍ଵାଗତକରେ ।

 

ଏକଥା ନିଶ୍ଚୟ ଯେ, ରାତିର ଅବଶିଷ୍ଟଭାଗ ମୁଁ ସତର୍କ ଭାବରେ ଚାହିଁ ରହିଥାଏ । ବାଘଟା କାଳେ ଲେଉଟି ଆସିବ ! ମଣିଷଖିଆ ବାଘମାନଙ୍କର ସ୍ଵଭାବ ବିଷୟରେ କୌଣସି କଥା ଠିକ୍‌ଭାବେ କହିହେବନି ମାତ୍ର କୌଣସି ଭଲମନ୍ଦ ନ ଘଟି ସକାଳର ଶୀତଳ ସମୟ ଧୀରେ ଧୀରେ ମାଡ଼ିଆସୁଥାଏ । ବେକ ପାଖରେ ରୂପାପରି ଲୋମ ଉଲୁସାଇ ଜଙ୍ଗଲର କୁକୁଡ଼ା ଉଷାର ଆନନ୍ଦ ବନ୍ଦନା ଗାଇଲା । ମୋ’ମନରେ ଭରିଗଲା ଅନେକ କୃତଜ୍ଞତା । ଯାହାହେଉ ଆଉ ଗୋଟିଏ ଦିନର ଆଲୁଅ ଦେଖିପାରିବି ! ଏ ଭିତରେ ରାତିର ଯୋଉ ମୁହୂର୍ତ୍ତ ସବୁ ବିତିଯାଇଚି, କି ଭୟାନକ ସେ ସବୁ ! ପ୍ରତିଟି ମୁହୂର୍ତ୍ତରେ ସନ୍ଦେହ, ଭୟ, ଆଶଙ୍କା–ବୋଧହୁଏ ଜୀବନରେ ଆଉ ଗୋଟିଏ ଭାଷାକୁ ଦେଖିବାର ସୁଯୋଗ ମିଳିବନି ମାତ୍ର ସେ କଳା ମୁହୂର୍ତ୍ତ ଶେଷ ! !

 

ଖୁବ୍ ଶୀଘ୍ର ଚିନାର ବାଲିଆଡ଼ୁ ଭସିଆସିଲା ମୋ’ ବନ୍ଧୁ ମାନଙ୍କର ସଙ୍କେତ ଧ୍ୱନି । କାନରେ ମୋ’ର ଅମୃତ ଢାଳିଲା ପରି ଲାଗିଲା । ଆଗେଇ ଆସିବାକୁ ମୁଁ ସେମାନଙ୍କୁ ସଙ୍କେତ ଦେଲି । ବାଟତ ପଫାଅଛି–ପାଟିକରି ଉଠିଲି । ସେମାନେ ପହଞ୍ଚିଥିଲେ । ଟଳ ଟଳ ପାଦରେ ମୁଁ ବାହାରିଆସିଲି । ସାରାରାତି ସେଠି ଜାକିଜୁକି ହେଇ ବସିରହିଥିଲି । ଏବେ ମୁକ୍ତ । ଫ୍ଲାସକରେ କିଛି ଚା’ ଥାଏ । ସେତକ ଶୋଷିନେଲି । ପାଇପ୍‍ଭରି ତମାଖୁ ଧୂଆଁ ପିଇଲି । ସେମାନଙ୍କୁ ଶୁଣାଇଲି ସାରାରାତିର କାହାଣୀ ।

 

ସେ ତିନିଜଣଯାକ ମୋତେ ଭଲଭାବେ ଜାଣିଥିଲେ । ତେବେ ବି ସେମାନେ ବିଶ୍ଵାସ କରି ନ ଥିଲେ, ମୁଁ ଜୀବନରେ ଥିବି । ସେମାନେ ଶୁଣିଛନ୍ତି ମଣିଷମାରୁଠାରୁ ଭୂମିଫଟା ଗର୍ଜନ । ପାନପାତ୍ତିର ଗାୟାଳମାନେ, ଆଉ ଏ ତିନିଜଣ । ସମସ୍ତେ ଥିଲେ ଏକାଠି । ଡରରେ ଥରୁଥିଲେ ସେମାନେ ।

 

ବୈରା କହିଲା ସେ ଚିନାର୍‍ରୁ ମୁଥୁର୍‍ ଯିବ । ଚାରିମାଇଲ ରାସ୍ତା ତ ! ଦ‍ଉଡ଼ି ଦ‍ଉଡ଼ି ଯିବ ଓ ଲୋଉଟି ଆସିବ । ସାଙ୍ଗରେ ସେ ନେଇଆସିବ ତା’ର ଶିକାରୀ କୁକୁରକୁ । ବଡ଼ ବିଚକ୍ଷଣ କୁକୁର । ଖୁବ୍ ସହଜରେ ସେ ବାରିଦେବ ବାଘଟା କୁଆଡ଼େ ଯାଇଚି । ଗାଉଁଲୀ କୁକୁରଟିଏ । ଧଳା ଓ ବାଦାମିରଙ୍ଗ ମିଶା । ଅତି ବିଚିତ୍ର ନାଁ ତା’ର । କୁଶ୍–କୁଶ୍–କରିୟା ! ମୁଁ ଏବେ ସୁଦ୍ଧା ଜାଣିନି ଏମିତି ଗୋଟାଏ ଲମ୍ବା ଅଦ୍‌ଭୁତ ନାଁ ତାକୁ ଦିଆଗଲା କାହିଁକି । କୁକୁରଟିକୁ ଡାକିଲାବେଳେ ବାଇରା ପ୍ରଥମ ଦୁଇଟି ଅକ୍ଷରକୁ ସାଧାରଣ ଭାବରେ କହେ; କିନ୍ତୁ ତୃତୀୟଟି କହିଲାବେଳେ ଏମିତି ଉଠେଇ କରି କହିବ ‌ଯେ ରାତିବଗ (Night–heron) ନିଦରୁ ଉଠିଲା ବେଳର ଡାକପରି ଶୁଭିବ । ମୁଁ ଚେଷ୍ଟାକରିଚି ତାକୁ ଅନୁକରଣ କରିବାକୁ । ବହୁଚେଷ୍ଟା ସତ୍ତ୍ୱେ ମୁଁ ସଫଳ ହୋଇନି । ମୁଁ କେବଳ କୁଶ୍‌ କୁଶ୍ ଡାକେ । କୁକୁରଟି ମୋ’ କଥାମାନେ ।

 

ତା’କୁ କହିଲି ଅନ୍ତତଃ ସୌରିକି ସେ ସାଙ୍ଗରେ ନେବ । ରଙ୍ଗା ସହିତ ମୁଁ ଫେରିଲି ଉଟାଇମାଲ‍ଇ । ସେଠି ଗରମା ଗରମ ଜଳଖିଆ ଖାଇଲି । ତା’ ପରେ ପରେ କାବେରୀରେ ଗାଧୁଆ । ଆଖିରେ ନିଦ ଜମାଟ ବାନ୍ଧିଥାଏ । ସମ୍ଭାଳି ହେଉ ନ ଥାଏ । ଦିବ୍ୟ ଆରାମରେ ଶୋଇପଡ଼ିଲି । ଉଠିଲି ଦୁଇଟାରେ । ବାଇରା, ସୌରି ଓ ଅମୂଲ୍ୟରତନ, କୁଶ୍‍ କୁଶ୍ କରିୟା ଆସି ପହଞ୍ଚି ଥାଆନ୍ତି । କୁଶ୍ କୁଶ୍‌ ମୋତେ ଦେଖି ଚିହ୍ନିଲା । ଆନନ୍ଦରେ ଲାଞ୍ଜ ହଲାଇ ସ୍ଵାଗତ ଜଣାଇଲା-। ତା’ର ଥଣ୍ଡା ନାସାଗ୍ରକୁ ଆଣି ମୋ’ କାନ୍ଧରେ ଲଗାଇଦେଲା ।

 

ତରତର ହେଇ ବେଳାର ଆହାର ଖାଇନେଲୁ । ପିଇଲୁ ବହୁତ ଚା’ । ଗତରାତିର ଅଭିଯାନ ସ୍ଥଳୀକି ଫେରିଲୁ । ଆମ ସହିତ ମଲାଲୋକଟିର ଜ୍ଞାତିମାନେ ଥିଲେ, ସେମାନେ ତା’ ଶବକୁ ଆଣିବାକୁ ବହୁ ଇଚ୍ଛାକରୁଥିଲେ । ମାତ୍ର ଭୟ ଖା‌ଉଥିଲା ।

 

ଶବଟିଏ ଏ ଭିତରେ ପଚିଗଲାଣି । ଚାରି ପାଖ ଦୁର୍ଗନ୍ଧରେ ଫାଟିଯାଉଛି । ସେମାନେ ଠିକ୍ କଲେ ଚିନାର ନଦୀଯାଏ ଶବଟିକି ନେବେ । ସେଠି ପୋତିଦେବେ । ସେମାନେ ଶବକୁ ନେଇ ଚାଲିଗଲେ । କୁଶ୍‌କୁଶ୍‌ ସାହସର ସହିତ ବାଘର ପଳାଇଯିବାର ବାଟ ଖୋଜିବାକୁ ଚେଷ୍ଟାକଲା । ସେଥିରେ ବିଶେଷ କିଛି ସଫଳ ହେଲାନି । ପ୍ରାୟ ଶହେଗଜ ଯାଏ ସେ ବାଟ ଦେଖାଇପାରିଲା । ପଚା ଶବର ଗନ୍ଧ ସାରା ବାୟୁମଣ୍ଡଳରେ ଏମିତି ଭରିଯାଇଥିଲା ଯେ, ବାଘର ଗନ୍ଧ କୁଆଡ଼େ ଲୁଚିଗଲା । ସହଜେ ତ ବାଘର ଗନ୍ଧ ଖୁବ୍ ବାସି ଓ ପୁରୁଣା ହୋଇପଡ଼ିଥିଲା । ରାତି ଆସିବା ଆଗର ଆମେ କ୍ୟାମ୍ପକୁ ଫେରିଆସିଲୁ । ସମସ୍ତେ ଖୁବ୍ ନିରାଶ ହୋଇ–ପଡ଼ିଥାଉ ।

 

ପରଦିବସ କିଛି ଘଟିଲାନି । ମାତ୍ର ତା’ ପରଦିନ ସକାଳେ ରଙ୍ଗାର ପ୍ରାୟ ମୃତ୍ୟୁ ହୋଇଗଲା ।

 

କହିଚି ତ ପ୍ରତିଦିନ ବାଇରା ଓ ସୌରିକି ନେଇ ମୁଁ ସେପାଖକୁ ଯାଏ । ବାଘଟାକୁ ଠାବ କରିବାକୁ ଆମେ ଅକ୍ରାନ୍ତ ଚେଷ୍ଟା ଚଳାଇଥାଉ । ରଙ୍ଗାର କାମ ଥାଏ ସେ ତିନିଗୋଟି ପଶୁକୁ ଖୁଆଇବ, ପାଣି ଦେବ । ଏ ଯାଏ ସେ ତିନୋଟିରୁ ଗୋଟିଏ ବି ମରିନଥାନ୍ତି । ସେଦିନ ବଡ଼ିଭୋର୍‍ରୁ ସେ ବାହାରିଗଲା । ସାଥିରେ ସେ ଗାଁର ଲୋକ ଜଣେ । ମୁଣ୍ଡାଚିପାଲାମ୍‌ର ଗୋରୁଙ୍କୁ ଦେଖିସାରିଥାଏ । ସେ ଥାଏ ଅସ୍ପୃଶ୍ୟ । ସେଠି କିଛି ନଡ଼ା–ଦେଲେ । ରଙ୍ଗା ଦେଲା ପିଇବାକୁ ପାଣି-। ସେମାନେ ମୁଣ୍ଡାଚିପାଲାମ୍‌‌ ଛାଡ଼ି ଚିନାର ନଦୀର ସଙ୍ଗମକୁ ଯାଉଥାଆନ୍ତି । ଲୋକଟି ଥାଏ ଆଗରେ । ରଙ୍ଗା ଥାଏ ପଛରେ । ରାସ୍ତାରୁ ପ୍ରାୟ ମାଇଲିଏ ଆସିଛନ୍ତି, ହଠାତ୍ ସେମାନଙ୍କଠୁ ପଚାଶ ଗଜରେ ସେମାନେ ଦେଖିଲେ–ଠିଆହେଇଚି ବାଘ–ଶୁଖିଲା ନଦୀର ମଝିରେ ।

 

ଗାଁ ଲୋକଟି ନଡ଼ାଗୋଛାକ ପକାଇଦେଲା । ପାଖରେ ଗୋଟିଏବୋଲି ଗଛ । ସେଇ ଗଛରେ ସେ ଚଢ଼ି ଗଲା । କେତେକ ସେକେଣ୍ଡ ଭିତରେ ସେ ବେଶ୍ ଉଚ୍ଚାକୁ ଚଢ଼ିଗଲା । ମାତ୍ର ସେ ସମୟପାଇଁ ସେ ରଙ୍ଗାର ଚଢ଼ିବାରେ ବାଧକ ହୋଇଉଠିଲା । ମଣିଷଖିଆଟା ସେ ଦିଗରୁ ତୀବ୍ରଗତିରେ ଧାଇଁଆସିଲା । ଅଳ୍ପ କେତୋଟି ସେକେଣ୍ଡ ଭିତରେ ସେ ଗଛମୂଳରେ ହାଜର୍ । ସେ ତା’ ପଛ ପାଦରେ ଠିଆହେଲା । ତା’ର ଆଗଗୋଡ଼ ସାହାଯ୍ୟରେ ସେ ରଙ୍ଗାର କପଡ଼ାକୁ ଟାଣିଲା, କପଡ଼ାଟା ଅଣ୍ଟାରୁ ଖୋଲିଗଲା । ରଙ୍ଗା ରହିଗଲା । ଏ ଭିତରେ ରଙ୍ଗା ଅଦ୍‌ଭୁତ ଗତିରେ ଚଢ଼ି ଗଲା-। ସେ ତା’ ସାଙ୍ଗକୁ ଏମିତି ଜୋରରେ ଠେଲିଦେଲା ଯେ, ସେ ବିଚରା ପଡ଼–ନ–ପଡ଼ । ବାଘମୁହଁରୁ ଖସିଗଲେ ଦି’ଦିଟା ଶିକାର । ବାଘ ସେଇ ଗଛମୂଳରେ ରହିଥାଏ । ଉପରକୁ ଚାହୁଁ ଥାଏ । ଗଛ‌ଉପରେ ରଙ୍ଗା ଓ ତା’ର ସାଥୀ ବିକଟ ରଡ଼ି କରୁଥାଆନ୍ତି । ସେମାନଙ୍କୁ ବାଘ ମାରିଲା, ବାଘ ଖାଇଲା ଆଦି ପାଟିକରି ସେମାନେ କମ୍ପାଇ ଦେଉଥାଆନ୍ତି ।

 

ଭାଗ୍ୟକୁ ଦଳେଲୋକ ପେନ୍ନାଗ୍ରାମକୁ ଆସୁଥାଆନ୍ତି । ସେ ଦଳରେ ଥାଆନ୍ତି ଅନେକ ଲୋକ । ନିଜକୁ ରକ୍ଷାକରିବାକୁ ଲୋକେ ଏମିତି ବଡ଼ଦଳରେ ଯାଉଥାଆନ୍ତି । ଏଇ ସମୟରେ ସେମାନେ ସେଇ କୂଅର ପାଖାପାଖି ଥାଆନ୍ତି । ସେମାନେ ଶୁଣି ପାରିଲେ ଏ ବିକଳ ଚିତ୍‌ତ୍କାର । ଜାଣିପାରିଲେ ଯେ ଲୋକ ଜଣେ ପଡ଼ିଚି ବିପଦରେ । ସେ ଦଳରେ ଥିଲେ ପୁରୁଷ, ସ୍ତ୍ରୀ, ପିଲା । ସେମାନେ ପୁଣି ବିଭିନ୍ନ ବୟସର । ଆଗରେ ଚାରିମାଇଲ ସେମାନେ ଦୌଡ଼ି ଦୌଡ଼ି ଗଲେ । ସମସ୍ତେ ଇଟାମଲାଇ ଆସି ମୋତେ ଖବରଦେଲେ ।

 

ରଙ୍ଗାକୁ ବାଘ ଆକ୍ରମଣ କରିଚି–ଏକଥା ମୋତେ ଜଣା ନଥାଏ । ବାଇରା ଓ ସୌରି ଫେରିନଥାନ୍ତି । ମୁଁ ଏକା କଦମପକାଇ ଚାଲିଲି । ସେ କୂଅ ପାଖରେ ଖୁବ୍ କମ୍ ସମୟରେ ପହଞ୍ଚିଗଲି । ଏଇଠୁ ଥାଇ ମୁଁ ସେମାନଙ୍କର ସାହାଯ୍ୟ ଚିତ୍କାର ଶୁଣିପାରିଲି । ଏ ଭିତରେ ବାଘଟା ଗଛମୂଳରୁ ପଳାଇ ଯାଇଥାଏ । ସେଇଟା ଜଙ୍ଗଲରେ କୁଆଡ଼େ ଅନ୍ତର୍ହିତ ହୋଇଯାଇଥାଏ । ମାତ୍ର ସେ ଦିହେଁ ଗଛରୁ ଓହ୍ଲାଇବାକୁ ନାରାଜ । ଭୟ–କାଳେ ସେ ଶୈତାନ୍ କୋଉଠି ଲୁଚି ରହିଥିବ । ଏମାନେ ଓହ୍ଲାଇଲେ ତ ସେ ଧାଇଁଆସି ମାଡ଼ିବସିବ । ଭାବିଲି ମଣିଷ ମାରୁଟାକୁ ହଠାତ୍ କରି ଚମକାଇ ଦେବି । ତେଣୁ ପାଟି କଲିନି । ସେ ଅବସ୍ଥାରେ ଯେତେ ବେଗେ ସତର୍କତାର ସହିତ ଯାଇହେବ, ଗଲି । ସେଠି ଯାଇ ଗଛମୂଳରେ ପହଞ୍ଚିଲି । ବାଘକୁ ତ ଚାମକାଇ ପାରିଲିନି, ରଙ୍ଗା ଓ ତା’ ସାଥୀ କିନ୍ତୁ ଚମକୃତ ହୋଇ ଉଠିଲେ । ସେମାନେ କ’ଣ ମୋତେ ଏତେବେଳେ ଦେଖିବେ ବୋଲି କେବେହେଲେ ଆଶା କରିଥିଲେ ! ମୁଁ ସେମାନଙ୍କୁ ସବୁ ଘଟଣା ନ କହିବାଯାଏ ସେମାନଙ୍କର ବିଶ୍ଵାସ ହେଉନଥାଏ । ଆମେ ବାଘଟାର ପିଛାକରିବାର ଚେଷ୍ଟାକଲୁ । ମାତ୍ର କଠିନ ଶୁଖିଲା ମାଟିଉପରେ ତା’ର କୌଣସି ଚିହ୍ନ ନ ଥାଏ । ତେଣୁ ଆମେ ଠିକ୍ କଲୁ ଫେରିଯିବୁ ଓ ଅନ୍ୟ ବେଟ୍ ଗୁଡ଼ିକୁ ଦେଖିବୁ । ମୁଁ ସେମାନଙ୍କ ସହିତ ଗଲି । ସେ ଜୀବ ଦୁଇଟି ବି ସୁସ୍ଥ ଥିଲେ । ଉଟାଇମାଲାଇରେ ପହଞ୍ଚିଲା ବେଳକୁ ମଧ୍ୟାହ୍ନ । ଜାଣିଲୁ ବାଘଟା ଭୀଷଣ ଧୂର୍ତ୍ତ । ଆମର ଚରା ବା ବେଟ୍ ସେ ଖାଇବନି । ତା’ସହିତ ପୁଣି ମୁଁ ଯୋଉ ନାଟିକାଟି ଯୋଡ଼ିଦେଲି, ତା’ର ଫଳ ଅନ୍ୟପ୍ରକାର । ସେ ମଣିଷକୁ ମାରି ଆଉ ସେଠାକୁ ଦ୍ଵିତୀୟ ବାର ଫେରିବନି । ମୁଁ ସବୁ ଆଶା ଛାଡ଼ିଦେଲି ବା ନିରାଶ ହୋଇଗଲି କହିଲେ ପ୍ରକୃତରେ ମୋ’ ମନକଥା କିଛି କୁହାଗଲାନି ବୋଲି ଧରିନେବାକୁ ହେବ । ମୁଣ୍ଡାଚିପାଲାମର ସେଇ ମନୁଆ ମଣିଷଭୋଜୀ ବୋଧହୁଏ ଏମିତି ଏକ ବାଘ, ଯେ କି ବହୁ ଦିନ ପରେ ପୁଣି ଦେଖାଦେବ । ସେ ଯଦି ତା’ ହତ୍ୟାକାଣ୍ଡ ଭିଆଇବାକୁ ଅନ୍ୟ ଜାଗା ବାଛିନିଏ, ଅଲଗା କଥା ।

 

ଏବଂ ତା’ପରେ–ଦୁଇଦିନ ପରେ, ସକାଳ ସାତଟାରେ ସେମିତି ଘଟଣା ଦେଖାଦେଲା । ସେଇ ଘଟଣା ଆମର ଏଇ କାହାଣୀର ପୂର୍ଣ୍ଣଚ୍ଛେଦ ଟାଣିଲା । ଏ ଗପଟି ଯେମିତି ଭାବରେ ଆରମ୍ଭହେଲା, ଆଶ୍ଚର୍ଯ୍ୟର କଥା, ଠିକ୍ ସେମିତି ଭାବରେ ଶେଷ ହେଲା ।

 

ଏଥର ଦଶଜଣଲୋକ ସେମାନଙ୍କ ମାଛବୋଝ ସେଇ କୂଅପାଖରେ ଓହ୍ଲାଇ ଦେଇ ଥକ୍‌କା ମେଣ୍ଟାଉଥିଲେ । ବାଘର ଭୟ ଯୋଗୁଁ ଏତେଲୋକ ଏକାଠି ଯାଉଥାଆନ୍ତି । ସେମାନଙ୍କ ଭିତରେ କେତେଜଣ ଥିଲେ ପୁରୁଷ । ଅନ୍ୟମାନେ ଥିଲେ ମହିଳା । ସେଇ କୂଅମୂଳେ ସେମାନେ ପାଣି ପିଇଲେ ।

 

ଦଳମଧ୍ୟରେ ସ୍ତ୍ରୀଲୋକ ଥିଲେ । ତେଣୁ ପରିସ୍ରା କରିବାକୁ ଜଣେ ପୁରୁଷ ଟିକେ ପଛେଇ ଗଲା । ସେ ନିକଟବର୍ତ୍ତୀ ଗଛମୂଳକୁ ଯାଇଚି । ସଙ୍ଗେ ସଙ୍ଗେ ଶୁଭିଲା ଏକ କ୍ଷୁଦ୍ର ଗର୍ଜନ । ଆଉ ତା’ ସହ ଗୋଟାଏ ଲମ୍ବାଳିଆ ସୁନାର ଦେହ ବାହାରି ଆସିଲା । ସେ ଦେହରେ ଥିଲା ପଟା ପଟା ଲମ୍ବା ଦାଗ । କୋଉଠୁ ସେ ଆସିଲା କେଜାଣି । ପରିସ୍ରା ବସିଥିବା ଲୋକଟି ଶୂନ୍ୟରେ ଉଭେଇଗଲା । ସୌଭାଗ୍ୟକୁ ବାଇରା, ରଙ୍ଗା, ସୌରିକୁ ନେଇ ମୁଁ ଆମର ବନ୍ଧା ଯାଇଥିବା ଗୋରୁଗୁଡ଼ିକୁ ଦେଖିବାକୁ ଆସୁଥାଏ । ଏଇ ଦଶଜଣିଆ ଦଳଠୁ ପ୍ରାୟ ମାଇଲିଏ ଦୂରରେ ପଛରେ ଥାଉ । ଅଧବାଟରେ ଆମେ ସେ ଦଳର ନଅଜଣଙ୍କୁ ଭେଟୁ । ସେମାନେ ଆମକୁ ଯେଉଁଜଣକ ଫେରିଲାନି, ତା’ର ଦୁଃଖ ଖବର କହିଲେ । ଆମେ ଖାଲି ଧାଇଁଲୁ । ଯଥାଶୀଘ୍ର ସେ କୂଅପାଖରେ ପହଞ୍ଚିଗଲୁ । ରଙ୍ଗା ଓ ସୌରିକି ଗଛ ଚଢ଼ିବାକୁ ଇସାରା ଦେଲି । ଆଉ ବୁଝେଇଦେଲି, ମୁଁ ନ କହିବାଯାଏ ସେମାନେ ସେଠି ଅପେକ୍ଷା କରିବେ । ବାଇରା ଓ ମୁଁ ଗଲୁ ସେଇ ଗଛମୂଳକୁ; ଯୋଉଠି ହତଭାଗ୍ୟଟି ପ୍ରକୃତିର ଆହ୍ଵାନରେ ବସିଥିଲା । ସେଠି ବାଘର ପାଟିବାଟେ ଝରିପଡ଼ିଥିବା ରକ୍ତବିନ୍ଦୁ ସବୁ ଦେଖିଲୁ । ସେଇ ପଡ଼ିଥିବା ରକ୍ତବିନ୍ଦୁକୁ ଅନୁସରଣ କରି ଆଗକୁ ଚାଲିଲୁ ।

 

ବାଇରା ଥାଏ ଆଗରେ । ସେ ବାଟ କଢ଼ାଉଥାଏ । ଠିକ୍ ତା’ପଛକୁ ଲାଗି ମୁଁ ଚାଲିଥାଏ-। ମୋ କାନ୍ଧରେ ବନ୍ଧୁକ ଜାଗ୍ରତ ଥାଏ । ମୋ ଆଖି ପୁଙ୍ଖାନୁପୁଙ୍ଖ ଭାବରେ ପ୍ରତି ବୁଦା, ଗଛମୂଳ ପରୀକ୍ଷା କରୁଥାଏ । ଆମେ ଶହେଗଜରୁ କିଛି ଅଳ୍ପ ବାଟ ଭିତରକୁ ଯାଇଥାଉଁ, ବାଘ ହାଡ଼ କଡ଼ମଡ଼ କରି ଚୋବାଉଥିବା ଶୁଣି ପାରିଲୁ । ଶବ୍ଦ ଆମ ସାମନାର ଅଧା ବାଁପାଖରୁ ଆସୁଥାଏ । ହାତଟା ଲମ୍ବାଇ ବାଇରାକୁ ସଂକେତ ଦେଲି । ସେ ସେଇଠି ରହୁ । ମୁଁ ସତର୍କତାର ସହ ଆଗକୁ ଗଳି ଚାଲିଲି । ସେ ଅବସ୍ଥାରେ ସାଥୀ ଜଣେ ଥିଲେ ଅଧିକ ଦାୟିତ୍ୱ ହୋଇପଡ଼େ; ତେଣୁ ଏ ପ୍ରକାର କର୍ମପନ୍ଥା ।

 

ଜଙ୍ଗଲଟା ଥିଲା ନିଃଶବ୍ଦ–ନିଶ୍ଚଳ । ଏମିତି କି ପବନ ଥିଲା ସ୍ଥିର । ବର୍ତ୍ତମାନ ଚୋବାଇବା, ହାଡ଼ କାମୁଡ଼ିବା ଅଧିକ ସ୍ପଷ୍ଟ ଶୁଭୁଚି । ଖୁବ୍ ସାବଧାନ ହେଇ ମୁଁ ପାଖେଇ ଯାଉଥାଏ-। ଆଖି ଥାଏ ତଳକୁ । କାଳେ କୋଉ ଶୁଖିଲା ପତ୍ର କି ଡାଳ ଉପରେ ଗୋଡ଼ ପଡ଼ିଯିବ ! କାଳେ କୋଉ ଫସ୍‌କା ପଥର ଉପରେ ଗୋଡ଼ ବାଜିଲେ ସେଇଟା ଗଡ଼ିଯିବ ! ମାତ୍ର ପନ୍ଦରଗଜ ଯିବାକୁ ମୋତେ ବେଶ୍ କିଛି ସମୟ ଲାଗିଗଲା । ଭାବିଲି, ସେଇଠୁ ମୁଁ ହତ୍ୟାକାରୀକି ଦେଖିପାରିବି-। ଏଥର ନଇଁପଡ଼ିଲି । ନଇଁ ନଇଁ କେତୋଟି ପାହୁଣ୍ଡ ଯାଇଥାଏ ହଠାତ୍ ସେ ନାରଭୋଜୀଟା ଉଠିପଡ଼ିଲା ଏବଂ ମୋତେ ଦେଖିନେଲା । ତା’ ପାଟିରେ ଥାଏ ମଣିଷଟିର ଗୋଟାଏ ବାହୁ । ରକ୍ତ ଜରଜର । ରକ୍ତ ଝରୁଚି । ବାହୁଟାକୁ ସେ ଦେହରୁ ଛିଣ୍ଡାଇ ଧରିଚି । ତା’ର ଦୁଷ୍ଟ ଆଖିଦୁଇଟା ମୋ ଆଡ଼କୁ କିଂଭୂତ ବିସ୍ମୟରେ ଚାହିଁରହିଲା । ତା’ପରେ ଗୋଟାଏ ଗଭୀର ଗୁର୍ ଗୁର୍ ଗର୍ଜନ-। ପାଟିରେ ମଣିଷର ରକ୍ତବୋଳା ବାହୁ ଯୋଗୁଁ ତା’ର ଗର୍ଜନ୍ତ ମୁହଁଟା ଅତି ଭୟଙ୍କର ଓ ବିକୃତ ହୋଇ ଉଠିଲା ।

 

ଉଇଁଚେଷ୍ଟର୍‌ର ଗୁଳିଟା ତା’ର ବିରାଟ ବେକମୂଳରେ ସାଏଁ କରି ଗଳିଗଲା । ପାଟିରୁ ତା’ର ଖସିପଡ଼ିଲା ମଣିଷ ହାତଟା । ଜନ୍ତୁଟା ଆଗକୁ ଓଲଟିପଡ଼ିଲା । ଗଁ ଗଁ ହେଉଥାଏ । ପୁରୁଣା ବିଶ୍ୱାସୀ ମୋର ଏ ବନ୍ଧୁକରୁ ଦ୍ଵିତୀୟ ଗୁଳି ଛୁଟିଗଲା । ତା’ର ବୁକୁ ଚିରିଦେଲା । ସେ ହୃଦୟ ଆଇ ସ୍ପନ୍ଦନ କଲାନି । ମୁଣ୍ଡାଚିପାଲାମର ନରଖାଦକ ଆଗକୁ ଟଳିପଡ଼ିଲା ପ୍ରାୟ ଠିକ୍ ସେଇ ଜାଗାରେ ଯୋଉଠି ସେ କେତେମାସ ତଳେ ତା’ର ଶୈତାନି ଆରମ୍ଭ କରିଥିଲା । ବିଶାଳକାୟ ଅଣ୍ଡିରାଟାଏ । ତା’ ଦେହରେ ଟିକିଏ ବି ଖୁଣ ନଥିଲା । ନିଃସନ୍ଦେହ ଭାବରେ ଗୋଟାଏ ଦୁଷ୍ଟ ବାଘ । ଗୋଟାଏ ଦୁର୍ଯ୍ୟୋଗରେ ସୁବିଧା ପାଇଗଲା । ସେ ବନିଗଲା ନରଖାଦକ । ସେଇପରି ଛୋଟ ଛୋଟ ସୂତାଖିଅରେ ଅନେକ ସମୟରେ ପ୍ରାଣୀର ଭାଗ୍ୟ ନିର୍ମିତ ହୋଇଥାଏ ।

 

ମୋର ଭଲମନ୍ଦ ବିଷୟରେ ବିବ୍ରତହେଇ ସେଇ ଅପରାହ୍ନରେ ମୋ ସ୍ତ୍ରୀ ବାଙ୍ଗାଲୋରରୁ କାର୍‌ରେ ଆସି ପହଞ୍ଚିଲେ । ମୋର ଘର, ସ୍ତ୍ରୀ, ପରିବାର ଅଛି କି ନାଇଁ, ଏତେଦିନ ଧରି ବାହାରେ ରହି ଘରକୁ ମୁଁ କାହିଁକି ଫେରିବାକୁ ମନ କରୁନି ବୋଲି ପ୍ରଶ୍ନକଲେ ।

 

ଆମେ ବାଇରାକୁ ମୋଟର୍‌ରେ ବସାଇଲୁ । ପେନ୍ନାଗ୍ରାମବାଟେ ମୁଥୁର୍ ପହଞ୍ଚିଲୁ । ଏଇଠି ସେ ମାଟିଖୋଳି ଗାତରେ ରହେ । ଠିକ୍ ସେଇଦିନ ତା’ର ପଞ୍ଚମପୁତ୍ରର ଜନ୍ମ । ସମସ୍ତେ ଖୁସି । ଆଉ ଆମେ ପହଞ୍ଚିଚୁ ! ଗୋଟାଏ ବଡ଼ଗାତ । ଯେତିକି ଗହୀର ସେତିକି ଓସାର । ଚିନାରନଦୀର ବାଲିରେ ଏ ଗାତ । ତା’ ଭିତରେ ସଜ ଛିଣ୍ଡାଯାଇଥିବା ପତ୍ର ପରାଯାଇଚି । ସେଇ ଗାତ ଭିତରେ ନବଜାତ ଶିଶୁଟିର ମାଆ ପ୍ରସବ ବେଦନା ଜାଣି ପଡ଼ିରହିଥିଲା । ସ୍ୱାମୀ ଧାଈର କାମ କଲା । ଔଷଧ ନାଇଁ, ଗରମ ପାଣି ନାଇଁ, ତୂଳା ନାଇଁ । କେବଳ କଅଁଳିଆ ପତ୍ର । ଗୋଟାଏ ଦାଢ଼ୁଆ ପଥର ଖଣ୍ଡ । ସେଇ ପଥରରେ ସେ ନାହି କାଟିଲା । ସାଧାରଣ କାଠର ପାଉଁଶ ଆଣି ସେ ନାହି ମୁଣ୍ଡରେ ଲେପିଦେଲା । ଛୁଆ ଜନ୍ମିଲା । ତା’ର ଦୁଇଘଣ୍ଟାପରେ ମାଆ ଛୁଆକୁ ଧରି ଚାଲିଲା ସେଇ ଗାତକୁ ଯୋଉଠି ସେମାନେ ଆଗରୁଥିଲେ–ଆନ୍ମାଇବିଦାହାଲ୍ଲା ନଦୀକୂଳରେ ଗାତ । ସ୍ୱାମୀ ଚିନାର ଗର୍ଭର ଗାତକୁ ପୋତିଦେଲା । ଗାତଭିତରେ ପତ୍ର, ଛିନ୍ନ ନାଭିନାଡ଼ ଓ ଫୁଲ ଆଦି । ଏମିତି ସରଳଭାବରେ, ଏମିତି କଷ୍ଟଭିତରେ ବାଇରାର ସବୁପିଲା ଜନ୍ମହେଇଛନ୍ତି । ଏମିତି ସେମାନେ ବଞ୍ଚନ୍ତି । ଏମିତି ବି ମାଟିରେ ମିଶନ୍ତି । ପ୍ରକୃତି ଓ ବନଦେଶର ଖାଣ୍ଟି ସନ୍ତାନ ସେମାନେ । ଏମିତି ସେମାନେ ହୁଏତ ଆହୁରି ଅନେକବର୍ଷ ରହିବେ । ସଭ୍ୟତା ସେମାନଙ୍କୁ ଛୁଇଁବନି, ସେମାନଙ୍କୁ ବଦଳାଇ ପାରିବନି । ଖୁସିରେ, ମନର ମଉଜରେ ସେମାନେ ଯୁଆଡ଼େ ଇଚ୍ଛା ସିଆଡ଼େ ବୁଲିବେ–ବଣ, ପାହାଡ଼, ଉପତ୍ୟକା । ସେମାନେ ବନ୍ଧନହୀନ । ସେମାନଙ୍କ ଗତି ଓ ଜୀବନ ବାଧାହୀନ । ଏମିତି ବୁଲି ବୁଲି ହୁଏତ ସେମାନେ ଦିନେ କୋଉ ଅଜଣା ମୁହୂର୍ତ୍ତରେ, ମଣିଷସମାଜର ଅଜ୍ଞାତରେ ମାଟି–ମାଆ ଦେହରେ ଶୋଇଯିବେ । ଏଇ ମାଟିରୁ ଏମିତି ଅଜଣା ଅଜ୍ଞାତଭାବରେ ତ ସେମାନେ ଜନ୍ମନିଅନ୍ତି !

 

ସେଦିନ ସକାଳେ ମୁଁ ଗୋଟାଏ ମୟୂର ମାରିଥାଏ । ଏ ମୟୁରକୁ ଆମେ ଜଙ୍ଗଲି–କାଇଦାରେ ଖାଇବାର ଯୋଜନାକଲୁ । ସବୁ ପର ଓପାଡ଼ିଦେଲୁ । ଅନ୍ତନାଳୀ, ମୁଣ୍ଡ, ବେକ କଢ଼ାଗଲା । ଛୁରୀ ସାହାଯ୍ୟରେ ପେଟ ଚିରାଗଲା । ତା’ଭିତରେ ଲୁଣ, ମସଲା, ଅଦା, କରୀପାଉଡ଼ର ଭରାଗଲା । ତା’ ଉପରେ ନଦୀର ମାଟି ବୋଳିଦେଲୁ । ପ୍ରାୟ ଇଞ୍ଚେ ବହଳ ହେବ । ମାଟି ବୋଳା ହେବା ପରେ ସେଇଟା ଗୋଟାଏ ମାଟିପିଣ୍ଡ ପରି ଦିଶୁଥାଏ । ଖାଲି ରଡ଼ନିଆଁ ତିଆରି ହୋଇଥାଏ । ଏ ପିଣ୍ଡୁଳାକୁ ତା’ରି ଉପରେ ରଖିଲୁ । ତା’ ଚାରିପାଖେ ଟକ୍ ଟକ୍ ନିଆଁରଡ଼ । ଉପରେ ବି ନିଆଁରଡ଼ । ତା’ଉପରେ କାଠଦେଇ ନିଆଁ ଜଳାଯାଉଥାଏ । ଉଦ୍ଦେଶ୍ୟ ଖାଲି ନିଆଁରଡ଼ ପଡ଼ିବା । ହୁତ୍‌ହୁତ୍ ଜଳିବା ବା ଜାଳିବା ଆମର ଲକ୍ଷ୍ୟ ନୁହେଁ । କିଛି ସମୟପରେ ମାଟି ଫାଟିଯାଏ; ତା’ ପରେ ଖଣ୍ଡ ଖଣ୍ଡ ହୋଇ ଫାଟି ଝଡ଼ି ପଡ଼େ । ତା’ପରେ ପକ୍ଷୀଟିକୁ କାଢ଼ିଆଣ; ନହେଲେ ପୂରା ପୋଡ଼ିଯିବ । ଟିକିଏ ଅଭ୍ୟାସ । ତା’ହେଲେ ଗୋଟାଏ ମୟୂର କି ଜଙ୍ଗଲ କୁକୁଡ଼ା ଏମିତି ଭାବରେ ପୋଡ଼ାଯିବ ଯେ ତା’ ସ୍ଵାଦରେ ଘରର ସୁନିପୁଣା ପାଚିକା ଗୃହିଣୀଙ୍କି ବି ଲାଜ ଆଣିଦେବ ।

Image

 

Unknown

ତାଗାର୍ଥୀର ବାଘ

 

ମହୀଶୂରର ଶିମୋଗା ଜିଲା । ତାର ପଶ୍ଚିମ ସୀମାକୁ ଯାଆନ୍ତୁ । ସେଠାର ପ୍ରାକୃତିକ ଦୃଶ୍ୟ ଓ ଶୋଭାରାଜି ଆପଣଙ୍କୁ ବିସ୍ମୟବିମୂଢ଼ କରିଦେବ । ବାଙ୍ଗାଲୋର୍ ଓ ମହୀଶୂରର ପୂର୍ବସୀମାର ଦୃଶ୍ୟରେ ବିପୁଳ ସ୍ଵାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟ ଆପଣ ଜାଣିପାରିବେ । ଏଠି ମୌସୁମୀ ଝୋ–ଝୋ ବର୍ଷା ଗାଳେ । ଶିମୋଗା ସହରର ପଶ୍ଚିମକୁ ପ୍ରାୟ ଏକଶହ କୋଡ଼ିଏ ଇଞ୍ଚ ବର୍ଷା । ଆଗୁମ୍ବେ ଆଡ଼କୁ ଦୁଇଶହ ପଚାଶଇଞ୍ଚ ଯାଏ ହୋଇଥାଏ । ଆଗୁମ୍ବେ ମହୀଶୂରର ସୀମାନ୍ତ ଗାଁ ପଶ୍ଚିମଘାଟରେ; ତେଣୁ ଏଠି ଚିରହରିତ୍ ବଣ । ରାକ୍ଷସପରି ଗଛ । ସେମାନଙ୍କ କୂଳଦେଶରେ ବିପୁଳ ତୃଣସମ୍ଭାର । ଏ ଝରଣାଗୁଡ଼ିକ ପର୍ବତ ଓ ପର୍ବତସନ୍ଧିରୁ ବାହାରିଥାଏ । ଚିରସ୍ରୋତା । ଯାଇଥାଏ ରାସ୍ତାର କଡ଼େ କଡ଼େ । ବର୍ଷସାରା ପଥଚାରୀକୁ ପିଇବାକୁ ଦିଏ ଶୀତଳ ମଧୁର ଜଳ । ସବୁଠୁ ବର୍ଦ୍ଧିଷ୍ଣୁ ଉଦ୍ଭିଦ ଏଠି । କେତେଜାତିର ଗଛଲତା ।

 

ମଧ୍ୟ-ଭାରତ ଓ ପୂର୍ବ ଦକ୍ଷିଣ ଭାରତ ବଣର ସେ କଣ୍ଟାଜାତୀୟ ଗଛ ଏଠି ସମ୍ପୂର୍ଣ୍ଣ ଅନୁପସ୍ଥିତ । ଏ ଜାତିର କଣ୍ଟାବଣ ଅନେକଠି ଦେଖାଯାଇଥାଏ । କଣ୍ଟାବଣ ନ ଥିଲେ ବି ଏ ଜଙ୍ଗଲରେ ଯିବାଆସିବା ବଡ଼ କଷ୍ଟକର । ଗଳିବାଟ ଏଠି ନାହିଁ । ଚାରିଆଡ଼ ଅନେକ ବୁଦା । ସେସବୁ ଖୋଲା ସୂର୍ଯ୍ୟକିରଣ ପାଇବାକୁ ଉପରମୁଁହା ବଢ଼ିଚାଲନ୍ତି । ବିରାଟ ଗଛତଳ ସବୁ ଅନ୍ଧାର । ସୂର୍ଯ୍ୟକିରଣ ପଡ଼େନି । ଆର୍ଦ୍ର, ସନ୍ତସନ୍ତିଆ । ଝିଙ୍କାରୀ ଓ ବେଙ୍ଗର ଡାକ ଶୁଣିବେ । ଜୋକ ବହୁତ । ଗଛ ପତ୍ରରେ ଜୋକ ଲାଗି ଥାଆନ୍ତି । ଯୋଉ ଜୀବ ଘଷିହେଲା, ତା ଦେହରେ ଲଟକିଲେ । ସେମାନେ ଲୁଗା ଭିତରେ ପଶିଯିବେ । ଜୋତାର ଫାଙ୍କରେ ପଶି ଉଷୁମ ଟାଣିବେ । ମୋଜା ଭିତରେ ରହିବେ । ଆପଣ ଜାଣିପାରିବେନି । ସେମାନେ ଆପଣଙ୍କ ଅଜାଣତରେ ରକ୍ତ ଶୋଷି ଚାଲିବେ । ରକ୍ତ ଶୋଷିଲାବେଳେ ଆପଣଙ୍କୁ କିଛି କଷ୍ଟ ଦେବେନି । ହଠାତ୍ ଆପଣ ଚାହିଁ ଦେଖିବେ ଦେହର ଗୋଟାଏ ଅଂଶରୁ ରକ୍ତ ଝରୁଚି । ସେମାନଙ୍କୁ ଟାଣନ୍ତୁ । ବଡ଼ କଷ୍ଟରେ ଅଲଗାହେବେ ଆଉ ଆପଣଙ୍କ ଦେହର ଗୋଟାଏ ଛୋଟ କଣା । ସେ ଦିନ ଫୁଲିବେ । ଘା ହେବ । ସାଙ୍ଗରେ ଲୁଣ ପଡ଼ିଆ ଅଛି ତ ନହେଲେ କିଛି ଧୂଆଁ ପତ୍ରର ଗୁଣ୍ଡ କି ରସ ସେମାନଙ୍କ ମୁହଁରେ ଦିଅନ୍ତୁ । ସେମାନେ ଆପେ ଆପେ ଖସି ପଡ଼ିବେ । ତାପରେ କ୍ଷତ ଆପେ ଆପେ ଶୁଖି ଭଲ ହୋଇଯିବ ।

 

ଏଠି ରହେ ହାମାଦ୍ର୍ୟାବ୍ । ସେ ଅହିରାଜ । ତାକୁ ନୟାହାନ୍ନା ବି କହନ୍ତି । ଗୋଖୁର ଜାତିର । ପ୍ରାୟ ପନ୍ଦର ଫୁଟ ଯାଏ ଲମ୍ବ ହୁଏ । ଗାଢ଼ଅଲିଭ୍ ସବୁଜ ରଙ୍ଗ । ଦେହସାରା ଇଷତ୍ ହଳଦିଆ ଧଳା ଉଭୟ । ଫଣା ତମାମ କଳାରଙ୍ଗ । ଫଣାରେ କୌଣସି ଚିହ୍ନ ଦେଖାଯାଏନି । ଏତେ ଲମ୍ବା ସାପ–କିନ୍ତୁ ଗତି କ୍ଷିପ୍ର । ଅନ୍ୟ ସାପ ଖାଇ ବଞ୍ଚେ । ଭାରି ରାଗୀ । ଦେଖିଲେ ଆକ୍ରମଣ କରେ । ମାଈସାପ ଛୁଆଦେଇଥିଲେ ଭୀଷଣ କାମୁଡ଼ା । ଖୁବ୍ ରାଗୀ । ତାରି ବସାରେ ମୁଁ ଦୁଇଥର ଅହିରାଜକୁ ଭେଟିଚି । ଥରେ ଆକ୍ୱାରିୟମ୍ ପାଇଁ ଛୋଟ ମାଛ ଖୋଜୁଥାଏ । ସୁନ୍ଦର ନାଲି ସବୁଜ ମାଛ, କଡ଼ରେ ଟିକି ଟିକି ଟିପା । ଆଗୁମ୍ୱେ ସେପାରେ ଯୋଉ ଝରଣା, ସେଠି ଏ ମାଛ ରହନ୍ତି । ଆଉ ଥରେ ମଲାଙ୍ଗ ଖୋଜୁଥାଏ । ସେତିକିବେଳେ ଅହିରାଜ ସହ ମୋର ଦେଖା । ଏ ଉଭୟଥର ସେମାନେ ମୋତେ ଆକ୍ରମଣ କରିନାହାନ୍ତି । ଉଭୟଥର ମୋତେ ଦେଖି ସେମାନେ ଫଣା ତୋଳିଛନ୍ତି । ମାଟିଉପରୁ ପ୍ରାୟ ଚାରିଫୁଟ ଉଚ୍ଚ । ମୋତେ ଖୁବ୍ ନିରେଖି ଦେଖିଛନ୍ତି । ସତେ ଯେମିତି ସେମାନେ କିଛି ପଚାରୁଛନ୍ତି । ସେଥିପାଇଁ ମୁଣ୍ଡକୁ ଟିକେ ଲମ୍ବେଇ ଦେଇଛନ୍ତି ଆଗକୁ । ଜୁଳୁଜୁଳୁ ଜଳୁଥାଏ ଆଖି । ତାପରେ ସେମାନେ ଖସିଯାଇଛନ୍ତି ଚୁପ୍‌ଚାପ୍‌ ।

 

ବଡ଼ବଡ଼ ଗଛର ଅଗରେ ମଲାଙ୍ଗ ହୁଏ । ଦାଦ୍ରୋବିୟମ୍ ଜାତିର ମଲାଙ୍ଗ ବେଶି ଦେଖାଯାଏ । ଖରାଦିନେ ସେଥିରେ ଲାଲ, ପୀତ, ଧଳା ବା ବାଇଗଣ ରଙ୍ଗର ଫୁଲମାଳା ମାତିଉଠେ । ବେଶ୍ ରଙ୍ଗିଳ ହୋଇଯାଏ ଗଛର ଉପର ଅଂଶ ।

 

ଶିବରାତ୍ରି ନଦୀ ଏହି ଜିଲାକୁ ଆଲିଙ୍ଗନ କରିଚି । ଏହାର ଜଳଧାରା ଚାରିଭାଗ ହେଇ ଡେଇଁ ପଡ଼ିଚି । କି ସୁନ୍ଦର, କି ଚମତ୍‌କାର ସେ ଜଳଖେଳା ! ଗେରସୋପା ବା ଜଗ୍‌ଠାରେ ୯୫୦ ଫୁଟର ଜଳପ୍ରପାତ । ଚାନ୍ଦ ରଜନୀରେ ଏଠି ଏକ ଚମତ୍‌କାର ଦୃଶ୍ୟ ଉପଭୋଗ କରାଯାଇପାରେ-। ଚନ୍ଦ୍ରକିରଣରେ ଅସଂଖ୍ୟ ଜଳବିନ୍ଦୁ ଫୁଆରା ସୃଷ୍ଟି କରେ ଇନ୍ଦ୍ରଧନୁ ।

 

ଏପାଖରେ ତାଗାର୍ଥୀ । ଗାଁଟିଏ । ସାଗର ସହରଠୁ ଏଗାର ମାଇଲ୍ । ଦକ୍ଷିଣ–ପୂର୍ବ ଦିଗରେ । ଚିରହରିତ୍ ବଣର ପୂର୍ବସୀମା । ଏଠି ଜଙ୍ଗଲକୁ ହୃଦୟହୀନଭାବରେ କରାଯାଏ । ସେ ମାଟିରେ ଚାଷକାମ କରାଯାଏ । ପ୍ରଚୁର ବର୍ଷା, ମାଟି ଉର୍ବର । ଚାଷ ଏଠି ଖୁବ୍ ଲାଭପ୍ରଦ । ଖୋଲାଜାଗାରେ ଅରଣ୍ୟରେ ଘାସ ବହୁତ ହୁଏ, ଖୁବ୍ ଭଲ ବଢ଼େ । ଗୋଚାରଣପାଇଁ ପ୍ରଶସ୍ତ କ୍ଷେତ୍ର । ତେଣୁ ସୀମା ଗାଁ ଓ ବସ୍ତିଗୁଡ଼ିକରେ ଦଳଦଳ ଗୋରୁ ଗାଈ ପାଳିତ ହୁଅନ୍ତି ।

 

ଚିରହରିତ ବନରେ ଅଳ୍ପସଂଖ୍ୟକ ବଣ୍ୟପଶୁ ରହନ୍ତି । ଗୟଳ ଅବଶ୍ୟ ରହନ୍ତି । ଜଙ୍ଗଲରେ ଜୋକ ଓ ଟିଙ୍କ ବହୁତ । ପୁଣି ଘଞ୍ଚ ଗଛ, ଲତା, ବୁଦା । ସେଇ କାରଣରୁ ଓ ପଶୁ ଅଭାବରୁ ମାଂସାଶୀ ପଶୁ ବି ଚିରସବୁଜ ଅରଣ୍ୟରେ କ୍ଵଚିତ୍‌ ଦେଖାଯାଆନ୍ତି । ମାତ୍ର ଗାଈଗୋରୁ ବହୁତ ପାଳିତ ହେବାରୁ ମାଂସାହାରୀ ପଶୁକୁ ପାଳକପଡ଼େ । ସେମାନେ ସହଜରେ ଗାଈଗୋରୁ ମାରି ମୋଟେଇଯାଆନ୍ତି ।

 

ତାଗାର୍ଥୀ ଥିଲା ଏମିତି ଗୋଟିଏ ଜାଗା । ମୁଁ ଯେତେଥର ପାଇଚି, କୌଣସିଥର ସେଠି ଚାରୋଟି ବାଘରୁ କମ୍ ବାଘ ଥିବା ଜାଣିନି । ୧୯୩୯ର ଫେବୃଆରୀ । ମୋ ଅଭିଜ୍ଞତାର ବାହାରେ ବୃହତ୍ତମ ସଂଖ୍ୟକ ଗୋହତ୍ୟା ହୋଇଥିଲା । ଗୋଟାଏ ଦିନରେ ନଅଟା ଗୋରୁ ମଲେ । ସବୁଯାକ ତାଗର୍ଥୀକୁ କେନ୍ଦ୍ରକରି କିଛି କିଛି ଦୂରରେ । ଏଥିରୁ ଜଣାଗଲା ସେଠି ଆଠଟା ବାଘ ବୁଲୁଛନ୍ତି । ସବୁହତ୍ୟା ବିଭିନ୍ନ ଜାଗାରେ–ବିଭିନ୍ନ ଦୂରତାରେ । ବାଘସଂଖ୍ୟା ବେଶି । ତେଣୁ ଚିତା ପ୍ରାୟ ଦେଖାଯା’ନ୍ତିନି । ଯୋଉ ଗୋଟିଏ ଯୋଡ଼ିଏ ଥାଆନ୍ତି, ସେମାନେ ଗାଁର ଏକଦମ୍ ପାଖରେ ରହନ୍ତି । ଗାଁର କୁକୁର, ଛେଳି, କୁକୁଡ଼ା ମାରନ୍ତି । ବାଘ ତା’ର ସାନଭାଇକୁ ସହିପାରେନି । ପାଖରେ ପାଇଲେ ସେ ତା’କୁ ମାରି ପକାଇବ ଓ ଖାଇଯିବ ।

 

ତାଗାର୍ଥୀ ପାଖରେ ହରିଣ ଛଡ଼ା ଅନ୍ୟଶିକାର ପଶୁ ଦେଖାଯା’ନ୍ତି ନି । ତେଣୁ ଏଠାର ବାଘସବୁ ଗୋରୁମରା । ଏ ବାଘଗୁଡ଼ାକ ଖୁବ୍ ମୋଟା–ସୋଟା । ପ୍ରକୃତ ଶିକାରୀ ବାଘର ରୁଜୁ ଚଞ୍ଚଳ ଶରୀର ଏମାନଙ୍କର ନଥାଏ ।

 

ଶାମରାଓ ବାପ ତ କଥା କହେ । ସେ ତାଗାର୍ଥୀର । ତା’ ଘର ପାଖରେ ବଗିଚା । ସେଠି ସେ ଗୋଟାଏ ବାଘ ମରିଥିଲା । ସେତେବେଳେ ଶାମରାଓ ଯୁବକ; ପ୍ରାୟ ବାଇଶବର୍ଷର ଗଜାଭେଣ୍ଡିଆ । ଘରେ ପୁରୁଷ ପିଲା ଏକା । ତା’ ଘରର ଜମିଜମା ବେଶ୍ ବଢ଼ିଆ ଭାବରେ ବୁଝୁଥାଏ । ଖାଣ୍ଟି ଚଷାର ଆଗ୍ରହନେଇ କାମ କରୁଥାଏ । ଧାନ ଗହୀର କାଦୁଅ ଜମିରେ ହୁଏ । ଢିପଫସଲ ମାଣ୍ଡିଆ । ତା’ର ପୁଣି ଗୋଟାଏ ବଡ଼ ସୁପାରି ବଗିଚା । ତା’ସଙ୍ଗକୁ ନଡ଼ିଆ ବଗିଚା । ନଡ଼ିଆ ଓ ସୁପାରି ଗଣ୍ଡିରେ ଲତେଇ ନେଇଚି ପାନ । ଶାମରାଓ ପଶୁପ୍ରିୟ । ଗାଈଗୋରୁ ବି ଅଛି । କହିବାକୁ ଗଲେ ଶାମରାଓ ଜଣେ ଥିଲାବାଲା ଚଷା । ଚଷା ନୁହେଁ ତ–ଜମିଦାର ।

 

ଥରେ ଗୋଟାଏ ମୋଟା ବାଘ ଶାମରାଓ ଧନରୁ ଭାଗନେବାକୁ ବସିଲା । ଗୋଟିକପରେ ଗୋଟିଏକରି ଗୋରୁ ମାରି ଶାମରାଓର ଗୁହାଳକୁ ଗୋରୁ ଶୂନ୍ୟ କରିବାକୁ ଲାଗିଲା-। ରାଓ ପାଖରେ ଗୋଟିଏ ସ୍ମୁଥ୍‌ବୋର୍‌ଗନ୍ ଥାଏ । ଏ ବନ୍ଧୁକରେ ଗୁଳିଭରି ସେ ମଡ଼ା ଜଗିଲା । ମାତ୍ର ବାଘ ଆସିଲାନି । ରାଓ ଭାବିଲା ବାଘଟା ବୋଧହୁଏ ବୁଢ଼ା । ଅତୀତରେ ସେ କୋଉଠି ଦଗାପାଇଚି । ତେଣୁ ଥରେ ଗୋରୁମାରି ଦ୍ଵିତୀୟ ବାର ସେ ମଡ଼ାପାଖକୁ ଆସେନି ।

 

ଏ ଭିତରେ ବାଘର ସାହସ ଖୁବ୍ ବଢ଼ିଗଲା । ସେ ଶାମରାଓର ବଗିଚାବାଡ଼ ଡେଇଁ ପଶିଲା । ଗୁହାଳଆଗରେ ଥିବା ବାଉଁଶର ଟାଣୁଆ ତାଟିଟାକୁ ଭିଡ଼ି ବାହାର କରିବାକୁ ଚେଷ୍ଟାକଲା-। ଏଥିରେ ଗୋରୁଗୁଡ଼ିକ ଅସ୍ଥିର ହୋଇଉଠିଲେ । ଖୁରା ପିଟି ବୋବାଇବାକୁ ଲାଗିଲେ-। ଶାମରାଓର ନିଦଭାଙ୍ଗିଗଲା । ସେ ଉଠିପଡ଼ି ଗୁହାଳ ଆଡ଼କୁ ଯାଇ ଦେଖିଲାବେଳକୁ ବାଘଟା ଡିଆଁମାରି ପଳାଇଗଲା ।

 

ପରଦିନ ଶାମରାଓ ଗୁହାଳ ଛାତତଳେ ଡାଳ କାଟି ପକାଇଲା । ସେ ପେଟମାଡ଼ି ସେଠି ଲୁଚିରହିଥାଏ । ମାଟିଉପରୁ ପ୍ରାୟ ଛ’ଫୁଟ ଉଚ୍ଚ । ଠିକ୍ ଗୁହାଳ ତାଟି ପାଖରେ । ଦଶଟା ବେଳେ ବାଘ ଆସି ପହଞ୍ଚିଲା । ତାଟି ଖୋଲିବାର ଚେଷ୍ଟାକଲା । ବାଘଦେହରେ ବନ୍ଧୁକ ପ୍ରାୟ ଲଗେଇ ଦେଇ ଶାମରାଓ ଦୁଇଟା ଗୁଳି ଛୁଟାଇଲା । ରାତ୍ରିଚରଟା ପ୍ରାୟ ନିଃଶବ୍‌ଦରେ ସେଇଠି ମାଟିକାମୁଡ଼ି ପଡ଼ିଲା । ଗୋଟାଏ ମୋଟା ଜାତିଆ ଗୋରୁମରା ବାଘ ଥିଲା ସେଇଟା ।

 

ଦୃଶ୍ୟ ବଦଳିଯାଏ । ଦିନର ସାଢ଼େ ଏଗାର । ତାଗାର୍ଥୀରୁ ଦୁଇ ଅଢ଼େଇ ମାଇଲ ଦୂରରେ ଗୋଟିଏ ଛୋଟ ବଙ୍ଗଳା ବନବିଭାଗର । ଉପରେ ମଧ୍ୟାହ୍ନ ସୂର୍ଯ୍ୟ । ଚାରିଆଡ଼େ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ବିଛେଇ ପଡ଼ିଚି । ସେତେବେଳକୁ ଦିବାଆହାର ପ୍ରାୟ ପ୍ରସ୍ତୁତ । ମୋ’ ସ୍ତ୍ରୀ ପ୍ରସ୍ତୁତ ପର୍ବର ଶେଷସ୍ପର୍ଶ ଦେଉଥାଆନ୍ତି । ବଙ୍ଗଳାର ବାଡ଼କୁ ଲାଗି ଜଙ୍ଗଲ । ସେଇ ଜଙ୍ଗଲରୁ ଭାସିଆସିଲା ଗୋଟାଏ କୁଟୁରାର ଡାକ । ବାରମ୍ବାର ସେ ଡାକୁଥାଏ । ଭୀତତ୍ରସ୍ତ ସତର୍କ ଡାକ । ଜୋତା ପିନ୍ଧିନେଲି । ରବର ଜୋତା । ଧରିଲି ରାଇଫଲ୍ । ଜଙ୍ଗଲର ଅଗ୍ନିରେଖା ପାରିହେଲି । ଗହଳିଆ ଜଙ୍ଗଲ ଭିତରେ ପଶିଲି । କୁଟୁରାଟି ସେମିତି ଡାକିଚାଲିଥାଏ । ଖୁବ୍ କମ୍ ଶବ୍ଦକରି ମୁଁ ଆଗକୁ ଯାଉଥାଏ । ଏଠି ଗୋଟାଏ ପରିଷ୍କାର ଅଞ୍ଚଳକୁ ଆସିଲି । ତା’ରି ମଝିରେ ଥାଏ ହରିଣଟି । ମୋର ବିପରୀତ ଦିଗକୁ ଚାହିଁଥାଏ । ସେମିତି ଲଗାଏତ ଡାକୁଥାଏ । ପୁଣି ଜଙ୍ଗଲଭିତରକୁ ଗଳିଗଲି । ଆଙ୍ଗୁଳି ଦାବି ଦାବି ମୁଁ ସେ ସଫା ଜାଗାଟିକୁ ପରିକ୍ରମା କଲି । ସାବଧାନ ଥାଏ ସେ ଚମକି ଯାଇଥିବା କୁଟୁରା ଯେମିତି ମୋତେ ନ ଦେଖୁ । କେତେକ ଟିକ୍‌ଗଛ ସେଠି ଲାଗିଥାଏ । ସେଗୁଡ଼ିକର ଶୁଖିଲା ବଡ଼ ପତ୍ରଗୁଡ଼ିକ ତଳେ ପଡ଼ିଥାଏ । ଜଙ୍ଗଲର ସେ ଅଂଶଟା ଏ ପତ୍ରରେ ଘୋଡ଼ାଇହେଇ ପଡ଼ିଥାଏ । ଦେଖିଲି ସେଗୁଡ଼ିକୁ ପାରିହେବାର ଚେଷ୍ଟାକରିବା ଠିକ୍ ହେବନି । ପତ୍ରଗୁଡ଼ିକ ଫାଟିବ; ଶବଦ ହେବ । ମୋ ପରିଶ୍ରମ ବୃଥାଯିବ । ତେଣୁ ଗୋଟାଏ ଅଶ୍ୱତ୍‌ଥ ଗଛ ଉଢ଼ାଳରେ ମୁଁ ଲୁଚିରହିଲି । ବଡ଼ ଗଛଟାଏ । ଏଇ ଟିକ୍‌ବଣ ସୀମାରେ ବଢ଼ିଚି । ଯେତେ ଦୂରଯାଏ ପାରେ, ଦେଖିବାର ଚେଷ୍ଟାକଲି । ବ୍ୟର୍ଥ ହେଲା ମୋ ଚେଷ୍ଟା । ପ୍ରାୟ କିଛି ଦେଖିପାରିଲିନି । ହଠାତ୍ କ’ଣଟାଏ ହଲିବା ପରି ଦେଖାଗଲା । ସେ ଦିଗଉପରେ ଦୃଷ୍ଟି ନିବଦ୍ଧ କଲି । ଦେଖିଲି ବାଘଟାଏ । ଉପରକୁ ଚାରିକାତ ମେଲାଇ ପିଠିକରି ଶୋଇଚି । ଚିନ୍ତାଦକଶୂନ୍ୟ । ବେଳେବେଳେ ଲାଞ୍ଜଟା ତା’ର ହଲୁଚି । ସେଇ ଲାଞ୍ଜ ଯୋଗୁଁ ବାଘଟାର ଉପସ୍ଥିତି ଧରାପଡ଼ିଗଲା । ନହେଲେ, ସେଇଠି ଯେ ବାଘଟାଏ ଶୋଇଚି, ଜାଣିବାର କୌଣସି ସୁବିଧା ନ ଥାଆନ୍ତା ।

 

ବାଘଟା ଶୋଇଚି । ତା’ର ଏ ଅସହାୟ ଅବସ୍ଥାରେ ମାରିବା ଶିକାରୀଜନୋଚିତ ନୁହେଁ-। ତା’ଛଡ଼ା ସେ କାହାରି କିଛି କ୍ଷତି କରୁନି । କେବଳ ସେ ମାରୁଚି ତା’ର ଖାଦ୍ୟକୁ–ସେଇ କେତୋଟି ଜଙ୍ଗଲୀ ଜୀବଙ୍କୁ । ତେଣୁ ମୁଁ ଗଛ ଉପରେ ଡେରିଦେଲି ମୋ ବନ୍ଧୁକକୁ । ନିଜେ ମଧ୍ୟ ଆଉଜି ଠିଆହେଲି, ପ୍ରାୟ କୋଡ଼ିଏ ମିନିଟ୍‌ଯାଏ ବାଘଟିକୁ ଦେଖିବାକୁ ଲାଗିଲି । ତାକୁ ଖୁବ୍ ନିଦ ଲାଗିଯାଇଚି । ଏ ଭିତରେ ବଙ୍ଗଳା ତରଫରୁ ମୋ’ ସ୍ତ୍ରୀ ଡାକପକାଇଲେ–’ବେଳାର ଆହାର ପ୍ରସ୍ତୁତ ହୋଇଚି; ଆସ । ’ ଏଥିରେ ବାଘର ନିଦ ଭାଙ୍ଗିଗଲା । ସେ ଉଠିବସିଲା । ଯୋଉଆଡ଼ୁ ଶବ୍ଦ ଆସୁଥିଲା, ସେଇ ଆଡ଼କୁ ସେ ମୁହଁ କରିଥାଏ । ନିଦରେ ତା’ ଆଖି ଅଧାବନ୍ଦ, ଅଧାଖୋଲା ଥାଏ, ସେ ଢୁଳାଉଥାଏ ।

 

ଲୁଚିବା ଜାଗାରୁ ବାହାରି ଆସିଲି । କାଳେ ବିପଦ ପଡ଼ିବ, ଏଥିପାଇଁ ବନ୍ଧୁକ ପ୍ରସ୍ତୁତ ଥାଏ । ବାଘ ମୋତେ ଦେଖିଲା । ଠିଆହୋଇପଡ଼ିଲା । ସେ ଘୂରିପଡ଼ି ଏଡ଼େ ଆଖିରେ ଚାହିଁଥାଏ । ମାତ୍ର ସେ ଆଖିରେ ଥାଏ ଚରମବିସ୍ମୟ । ମଣିଷଟାଏ ! ଏତେ ପାଖକୁ ତା’ର ଆସିଥିଲା । ବାଘ ଜାଣିପାରିନି । ତା’ପରେ ଅଳସ ଭାଙ୍ଗିଲା । ଗର୍ଜିଲା । ଆଉ ବଣ ଭିତରକୁ ଧୀରେ ଧୀରେ ଅଳସଗତିରେ ଚାଲିଗଲା । ମୁଁ ତା’ଆଡ଼କୁ ଚାହିଁଥାଏ । ବେଶ୍ ଖୁବ୍ ଶୀଘ୍ର ସିଏ ମୋ ଦୃଷ୍ଟିର ସେପାରିକୁ ଚାଲିଗଲା ।

 

ଥରେ ମୁଁ ଓ ମୋର ସ୍ତ୍ରୀ ଗୋଟାଏ ଶଗଡ଼ଗାଡ଼ି ଭଡ଼ାନେଇ ସେଥିରେ ଯାଉଥାଉ । ଟର୍ଚ୍ଚ ପକାଇ ଚାଲିଥାଉ । ଜଙ୍ଗଲର ବିଭିନ୍ନ ଦୃଶ୍ୟ ଦେଖୁଥାଉ । ପ୍ରାୟ ମାଇଲିଏ ଯାଇଚି । ଗୋଟାଏ ବଡ଼ ଗଡ଼ାଣିର ମଝାମଝି ହୋଇଥାଉ । ଆଗରେ ଗୋଟାଏ ପାହାଡ଼ୀ ଝରଣା । ଏ ଝରଣା ଶଗଡ଼ରାସ୍ତାକୁ କାଟି ଯାଇଚି । ହଠାତ୍ ଶ୍ରୀମତୀଙ୍କ ଟର୍ଚ୍ଚରେ ଦୁଇଟାଆଖି ଧରାପଡ଼ିଲା । ସେ ଆଖି ଦୁଇଟା ଆମ ଡାହାଣପାଖ ଜଙ୍ଗଲରେ ଦେଖାଯାଉଥାଏ । ଆମେ ଶଗଡ଼ ବନ୍ଦକଲୁ । ଆମେ ଓହ୍ଲାଇଲୁ । ସେ ଆଗରେ ଚାଲୁଥାଆନ୍ତି । ମୁଁ ପଛେ ପଛେ ରାଇଫଲ୍ ହାତରେ ଚାଲିଥାଏ । ଆଖି ଦୁଇଟା ଉଭେଇଗଲା । ତେଣୁ ଆମେ ଗୋଟାଏ ବଣପଥ ଅନୁସରଣ କଲୁ । ଯୋଉଠି ଆଖିଦିଟା ଆବିଷ୍କୃତ ହୋଇଥିଲା, ସେଇଠିକି ଗଲୁ । ଅଳ୍ପସମୟପରେ ଆମେ ପୁଣି ସେ ଆଖିର ସଂଧାନ ପାଇଲୁ । ଏଡ଼େ ଏଡ଼େ ଲାଲ ଧଳା ଗୋଲ ଗୋଲ ଆଖି । ରାତିର ଅନ୍ଧାରରେ ପରିଷ୍କାର ଜଳିଉଠୁଥାଏ । ଭାଗ୍ୟକୁ ବୁଦାଗୁଡ଼ିକ ବଡ଼ ବଡ଼ ନଥାଏ । ଘଞ୍ଚ ନଥାଏ ବି । ଆମେ ସିଧାସିଧା ସେ ଆଖି ଦୁଇଟା ଆଡ଼କୁ ଚାଲିଲୁ । ଅଳ୍ପ କେତେ ପାହୁଣ୍ଡ ଯାଇଚୁ ସେଇଠୁ ବାହାରି ଆସିଲା ବାଘଟାଏ-। ସେ ସିଧା ଆମକୁ ଚାହିଁରହିଲା । ଆଉ ଚାହିଁଲା ସେଇ ଜାଗାକୁ ଯୋଉଠୁ ସେ ଆସିଥିଲା । ତା’ର ଏ ପ୍ରକାର ବ୍ୟବହାରର କାରଣ ସଙ୍ଗେ ସଙ୍ଗେ ଜଣାପଡ଼ିଗଲା । ସେଠି ଥିଲେ ଦୁଇଟି ଛୋଟ ବାଘଶିଶୁ । ସେମାନେ ଖୁବ୍ ସାନ ଥିଲେ । ଥାକୁଲ ଥାକୁଲ ହୋଇଥାଆନ୍ତି । ମାଆ ପାଖକୁ ସେମାନେ ଆସିଲେ ।

 

ଏଥର ସେ ଆମକୁ ଏକଲୟରେ ଚାହିଁରହିଲା । କେତୋଟି ମୁହୂର୍ତ୍ତ ! ତା’ପରେ ଜଙ୍ଗଲ ପାରିହେଲା । ଅନୁଚ୍ଚ ସ୍ୱରରେ ମ୍ୟାଉଁ ମ୍ୟାଉଁ ପରି ବୋବାଉଥାଏ । ସେ ଡାକୁଥାଏ ତା’ ଛୁଆମାନଙ୍କୁ-। ସେମାନେ ତା’ପଛେ ପଛେ ଆସନ୍ତୁ । ସେ ଦୁଇ ଛୁଆ ମାଆର ଅନୁସରଣ କଲେ । ତିନିଜଣ ଜଙ୍ଗଲ ଭିତରେ ହଜିଗଲେ । କେବଳ ମଝିରେ ମଝିରେ ପତ୍ରର ମଡ଼ମଡ଼ ଶବ୍ଦ ଓ ପତ୍ର ବୁଦା ଦେହରେ ଘଷ୍ ଘଷ୍ ଶବ୍ଦ ଶୁଣାଯାଉଥାଏ ।

 

ମୋ’ ସ୍ତ୍ରୀ ସେମାନଙ୍କ ଆଡ଼କୁ ଲକ୍ଷ୍ୟକରି ଟର୍ଚ୍ଚ ଜଳାଇ ରଖିଥାଆନ୍ତି । ଡରଥାଏ, ବାଘୁଣୀ ତା’ ମନ ବଦଳାଇପାରେ । ଆଉ କଡ଼ୁଆ ଆକ୍ରମଣ କରିପାରେ; କାରଣ ତା’ ସୁଖ ଓ ଆନନ୍ଦର ଜୀବନରେ ଆମେ ତ ଅନୁପ୍ରବେଶକାରୀ ହୋଇଯାଇଚୁ । ଏଥିରେ ସେ ଅସନ୍ତୁଷ୍ଟ ହୋଇଥିବ । ଆଉ ସେ ଅସନ୍ତୋଷର ପ୍ରତିକ୍ରିୟା ରୂପାୟିତ ହୋଇପାରେ ଯୁଦ୍ଧଂଦେହି ।

 

ଏହା ପରେ ଆମେ ଆଉ ଗୋଟାଏ ଗର୍ଜନ ଶୁଣିଲୁ । ଆମ ଆଗରୁ–ସ୍ପଷ୍ଟ ସ୍ୱର ! ଆମେ ନୂଆ ଶବ୍ଦ ଆଡ଼କୁ ଆଲୁଅ ଫେରାଇଲୁ । ଆମେ ଥରିଉଠିଲୁ । ଏ ଥିଲା ଆଉ ଏକ ବାଘ । ଏ ଗୋଟାଏ ବିରାଟ ଅଣ୍ଡିରା । ପ୍ରାୟ ଠିକ୍ ସେଇଠି, ଯୋଉଠି ବାଘୁଣୀଟା କିଛି ସେକେଣ୍ଡ ଆଗରୁ ଛିଡ଼ା ହୋଇଥିଲା । ସ୍ପଷ୍ଟ ହୋଇଗଲା–ଏ ଗୋଟିଏ ବାଘ ପରିବାର । ପାଖ ଝରଣାରୁ ପାଣି ପିଇ, ଶୋଷ ମାରି ଫେରୁଛନ୍ତି । ବାଘଟିକି ଦେଖି ମୁଁ ଭାବିବସିଲି । ବାଘୁଣୀର ଟିକି ଟିକି ଛୁଆ ସହିତ ବାଘ ରହିଚି କେମିତି ! ଏ ତ ଗୋଟାଏ ଆସ୍ଵାଭାବିକ କଥା । ବାଘୁଣୀ ସାଧାରଣତଃ ଏତେ ଟିକି ଟିକି ଛୁଆଙ୍କ ସହିତ ତା’ ପ୍ରଭୁର ଉପସ୍ଥିତିକି ସହିପାରେନି, ବିଶ୍ୱାସ କରେନି ।

 

 

ବର୍ତ୍ତମାନ କଥାଟା ଗୋଳମାଳିଆ ହୋଇଯାଇଚି । ବାଘ ବା ବାଘୁଣୀ ଏଲାଗେ ଆମକୁ ଆକ୍ରମଣ କରିପାରନ୍ତି । ମୋ’ ସ୍ତ୍ରୀଙ୍କି ଧନ୍ୟ ! ଏ ଅବସ୍ଥାରେ ତାଙ୍କ ମୁଣ୍ଡ ବେଶ୍ ଶାନ୍ତ ଓ ଦୁଶ୍ଚିନ୍ତାବିହୀନ ଥାଏ । ଯାହାହେଉ, ବାଘଟା ଗୋଟାଏ ଅନୁଚ୍ଚ ଗର୍ଜନ କଲା ଏବଂ ତା’ ପରିବାର ପଛେ ପଛେ ଚାଲିଗଲା ।

 

ଏଇ ସମୟରେ ଗୋଟାଏ ମଜା କଥା ଘଟିଲା । ଏହା ଏକ ଦୁଃଖଦାୟକ ପରିସ୍ଥିତି ଆଣିଥାଆନ୍ତା । କପାଳକୁ ତା’ ହେଲାନି । ସେଇ ହତଭାଗ୍ୟ ଗାଡ଼ିଆଳଟି ଏକା ଥାଏ–ଅନ୍ଧାରରେ । ସେ ବାଘୁଣୀର ଶିଶୁକୁ ଡାକିବାର କଅଁଳିଆ ସ୍ୱର ଶୁଣିଥିଲା । ଶୁଣିଥିଲା ତା’ ପର ପର ବାଘର ଗର୍ଜନ । ବୋଧହୁଏ ତା’ ବଳଦଗୁଡ଼ିକ ଏମାନଙ୍କର ବାସନା ପାଇଥିଲେ । ହୋଇପାରେ, ସେମାନେ ବାଘଗୁଡ଼ିକୁ ଦେଖିପାରିଥିଲେ । ତେଣୁ ବଳଦ ଚମକିଲେ । ସେମାନେ ନଈ ଆଡ଼କୁ ଧାଇଁଲେ । ସେଠି ବାଲି ଓ ପାଣିରେ ଚକ ଲାଖିଗଲା । ଗାଡ଼ିଆଳ ଚିତ୍କାର କରୁଥାଏ । ଆମେ ଭାବିଲୁ ବାଘ ସେମାନଙ୍କୁ ଆକ୍ରମଣ କରିଚି; ଧାଇଁଲୁ ସେଠିକି । ଦେଖିଲୁ ସବୁ ଠିକ୍ ଅଛି । କେବଳ ସେ ଭୀଷଣ ଭାବରେ ଡରିଯାଇଚି । ଆମେ ଖୁସି ହେଲୁ ଯେ, ସେ ସୁଖୀ ପରିବାରଟିର କିଛି କ୍ଷତି କରିନୁ ।

 

ମୋ’ ବନ୍ଧୁ ଡଃ ଷ୍ଟନ୍‌ଲୀ ମହୀଶୂର ଚିକିତ୍ସା ସେବାର ଜଣେ କର୍ମଚାରୀ । ତାଙ୍କୁ ସରକାର ତାଗାର୍ଥୀରେ ଅବସ୍ଥାପିତ କରିଥାଆନ୍ତି । ସେ ଅଞ୍ଚଳରେ ମେଲେରିଆ ପ୍ରବଳ । ମେଲେରିଆ ନିୟନ୍ତ୍ରଣ ପାଇଁ ତାଙ୍କୁ ସେଠି ରଖାଯାଇଥାଏ । ଡାକ୍ତର ବନ୍ଧୁ ବଡ଼ ସାହସୀ । ଶିକାର ପ୍ରିୟ । ତାଙ୍କ ଚାକିରିକାଳ ଭିତରେ ସେ ଅନେକ ବାଘ ମାରିଥାଆନ୍ତି ।

 

ସେଥର ରାତି ଅନେକ ବଢ଼ିଗଲାଣି । ବେଲୁନ୍ଦୁରରେ ଜଣେ ଆସନ୍ନ–ପ୍ରସବା ନାରୀ କଷ୍ଟ ପାଉଥା’ନ୍ତି । ଡାକ୍ତରଙ୍କୁ ଡାକରା ଆସିଥାଏ । ସେ ଜାଗା ତାଗାର୍ଥୀରୁ ଛ’ ମାଇଲ୍ । ଷ୍ଟାନ୍‌ଲୀ ଭଲ ଡାକ୍ତର । ପୁଣି କାମରେ ତାଙ୍କର ଆନନ୍ଦ । ରାତିଅଧରେ ଖବର ପାଇଲେ ବି ସେ ରୋଗୀର ସେବାରେ ଅବହେଳା କରନ୍ତିନି । ଶଗଡ଼ ଗାଡ଼ି ଠିକ୍‌ କଲେ । ବାହାରିଲେ । ଇଞ୍ଜେକ୍‌ସନ, ଔଷଧପତ୍ର, ବାଣ୍ଡେଜ୍ ସବୁ ଥାଏ ତାଙ୍କ ବ୍ୟାଗ୍‌ରେ । ଅଧିକନ୍ତୁ ସାଥିରେ ଥାଏ ଗେକୋ ସ୍ମୁଥବୋର ବନ୍ଧୁକ ଆଉ ପାଞ୍ଚ ସେଲ୍‌ର ଟର୍ଚ୍ଚ ।

 

ସେମାନେ ଗୋଟାଏ ଉପତ୍ୟକା ପାରିହେଉଥାଆନ୍ତି । ହଠାତ୍ ବାଘଟାଏ ରାସ୍ତାର ଏ ପାଖରୁ ସେ ପାଖକୁ ଡେଇଁପଡ଼ିଲା । ସେ ଜନ୍ତୁଟା ସେ ପାଖେ ବସି ରହିଥାଏ । ସେ ଚାହିଁ ରହିଥାଏ ବଳଦଗାଡ଼ିକି । ଷ୍ଟାନ୍‌ଲୀ ଗୁଳି ଚଳାଇଲେ । ଗୁଳି ବାଘ ଦେହରେ ବାଜିଲା । ବାଘଟି ଜଙ୍ଗଲ ଭିତରେ ଗର୍ଜନସହ ଲୁଚିଗଲା ।

 

ଧୀରସ୍ଥିର ଭାବରେ ସେ ଗାଁକୁ ଗଲେ । ସେଠି ପ୍ରସୂତିର ସେବାକଲେ । ସେଠି ରାତିରେ ବିଶ୍ରାମ ନେଲେ । ପରଦିନ ସକାଳେ ଫେରିଲେ । ସଙ୍ଗରେ ଥାଏ ଜଣେ ବାଳକ, ଆଉ ଥାଏ ସେ ଗାଡ଼ିଆଳ ।

 

ସେମାନେ ପହଞ୍ଚିଲେ ସେଇ ଜାଗାରେ । ସେଠି ରକ୍ତଦାଗ ଦେଖିଲେ । ରକ୍ତଦାଗକୁ ଅନୁସରଣ କଲେ । ଗାଡ଼ିଆଳ ଯିବାକୁ ମଙ୍ଗିଲାନି । ସେ କହିଲା ସେ ବଳଦମାନଙ୍କ ସହ ସେ ରହିବ । ଷ୍ଟାନଲୀ ଓ ସେ ପିଲାଟି ଆଗକୁ ଚାଲିଲେ । ସେମାନେ କିଛିଦୂର ଗଲେ । ତା ପରେ ଗୋଟାଏ ଗହ୍ୱରରେ ପହଞ୍ଚିଲେ । ସେଠି ଦେଖିଲେ ବାଘଟି ସେମାନଙ୍କ ଆଗରେ ପଡ଼ିଚି । ସେମାନଙ୍କ ଆଡ଼କୁ ତାର ଗୋଟାଏ କଡ଼ ରହିଚି । ଭାବିଲେ ବାଘଟା ମରି ଯାଇଚି; କିନ୍ତୁ କଥାଟା ଜାଣିବାକୁ ଷ୍ଟାନ୍‌ଲୀ ତାର ଆଗ ପାଖକୁ ଏଲ୍‌ଜି ମାରିଲେ । ବାଘ ତା ଜଡ଼ତା ଛାଡ଼ି ଜୀବନ୍ତ ହୋଇଉଠିଲା । ସେମାନଙ୍କ ଆଡ଼କୁ ମାଡ଼ିଆସିଲା । ବାଘଟା ସେମାନଙ୍କ ଉପରକୁ ଲମ୍ଫ ଦେବାକୁ ଚେଷ୍ଟା କଲାବେଳେ ଷ୍ଟନ୍‌ଲି ଗୁଳି ଚଳାଇଲେ । ଗୁଳିଟା ବାଘର ପାଟିକୁ ଲକ୍ଷ୍ୟ କରାଯାଇଥାଏ । ଗୁଳିଟା ଠିକ୍ ବାଜିଲା । ବାଘ ଷ୍ଟାନ୍‌ଲୀଙ୍କୁ ଆକ୍ରମଣ କଲା । ତାଙ୍କ ଖପୁରି ପଛରୁ ଫାଳେ ଉଡ଼ିଗଲା-। ଏଇ ସମୟରେ ପିଲାଟି ଡରିଯାଇ ପାଟିକରି ଉଠିଲା । ଦଉଡ଼ି ପଳାଇଲା । ଫଳରେ ଷ୍ଟରନ୍‌ଲୀ ରକ୍ଷାପାଇଗଲେ । ବାଘଟା ଷ୍ଟାନ୍‌ଲୀଙ୍କି ଛାଡ଼ିଦେଲା । ସେ ଗୋଡ଼ାଇଲା ପିଲାଟିକି । ସେ କୁଦାମାରିଲା ଓ ପିଲାଟିର ଗୋଟାଏ ପାଖକୁ କାମୁଡ଼ି ଦେଲା । ମୁଣ୍ଡରେ ଭୀଷଣ ଆଘାତ । ଷ୍ଟାନ୍‌ଲୀ ହତବୁଦ୍ଧି ହୋଇଗଲେ । ତଥାପି ସେ ଯେନତେନ ପ୍ରକାରେଣ ଉଠି ଠିଆହେଲେ । ଗୁଳି ଭରିବାକୁ ଚେଷ୍ଟାକଲେ । ବାଘଟା ଅଚାନକ ଭାବରେ ପିଲାଟିକୁ ଛାଡ଼ି ଜଙ୍ଗଲ ଭିତରେ ଅଦୃଶ୍ୟ ହେଇଗଲା ।

 

ପିଲାଟିର ପିଠି ଓ କଡ଼ କାମୁଡ଼ାରେ ଖଣ୍ଡିଆଖାବରା ହୋଇଯାଇଥାଏ । ବାଘର ଦୁଇଟା ଦାନ୍ତ ଖୁବ୍ ଗହୀରକୁ ପଶିଥିଲା । ସେଥିରୁ ରକ୍ତ ପିଚ୍ ପିଚ୍ ବାହାରୁଥାଏ । ଏଥିସହ ତାର ତିନିଟା ପଞ୍ଜରାହାଡ଼ ଭାଙ୍ଗିଯାଇଥାଏ । ଷ୍ଟାନ୍‌ଲୀ ତାଙ୍କ ଚିରା କାମିଜ୍‌କୁ ଖଣ୍ଡଖଣ୍ଡ କରି ଦେଲେ । କୌଣସିମତେ ପିଲାଟିର କ୍ଷତ ଜାଗା ବାନ୍ଧିଲେ । ସେ ଶଗଡ଼ରେ ବସାଇଲେ ପିଲାଟିକି । ତାପରେ ଆରମ୍ଭ ହେଲା ଯାତ୍ରା । ଦୀର୍ଘ ସତର ମାଇଲ୍ । ସାଗର ସହରକୁ । ନିଜେ ଡାକ୍ତରଙ୍କ ଅବସ୍ଥା ବଡ଼ ସାଙ୍ଘାତିକ ହୋଇଥାଏ । ସାଗରରୁ ସେମାନେ ଟ୍ରେନ ଧରିଲେ ଶିମୋଗା । ଶିମୋଗାରେ ଜିଲାର ସବୁଠୁ ବଡ଼ ଡାକ୍ତରଖାନା ।

 

ଏତିକିରେ କହିଲେ ଯଥେଷ୍ଟ ହେବ ଯେ, ସେ ଦିହେଁ ଭଲ ହୋଇଗଲେ । ଷ୍ଟାନ୍‌ଲୀଙ୍କୁ ତାଙ୍କ ଉପରିକ ମେଡ଼ିକାଲ ଅଫିସର ଆଚ୍ଛାକରି ଶୁଣାଇଲେ । ସେ କହିଲେ ଡାକ୍ତର ତାଗାର୍ଥୀରେ ଅଛନ୍ତି ମାଲେରିୟା ନିୟନ୍ତ୍ରଣ କରିବାକୁ–ବାଘ ସହିତ ଲଢ଼ିବାକୁ ନୁହେଁ; କି ଶିକାର କରିବାକୁ ନୁହେଁ-

 

ଏମାନେ ଯେ ବର୍ତ୍ତିଗଲେ ଏହାର ଏକମାତ୍ର କାରଣ ବାଘଟା ସାଙ୍ଘାତିକ ଭାବେ କ୍ଷତାକ୍ତ ଥିଲା । ଷ୍ଟାନ୍‌ଲୀଙ୍କ ଶେଷ ଗୁଳିରେ ବାଘର ତଳ ପାଟି ବୋଧହୁଏ ଉଡ଼ିଯାଇଥାଏ । କାରଣ ସେ ଯୋଉ ଆକ୍ରମଣ କରିଥିଲା, ସେଥିରେ ସେ ଉପର ପାଟି ବ୍ୟବହାର କରିଥିଲା । ତଳପାଟି ଥିଲେ, ଆଉ ଯାହା ହେଉ କି ନ ହେଉ, ଷ୍ଟାନ୍‌ଲୀ ଓ ସେ ପିଲାଟି ବଞ୍ଚିରହିନଥାନ୍ତେ କି ପରଦିନର ପ୍ରଭାତ ବି ଦେଖିପାରି ନଥାନ୍ତେ ।

 

ଏମିତି ଅବସ୍ଥାରେ ଗୋଟାଏ କଥା ହେଲା । ବାଘଟା ଯନ୍ତ୍ରଣାରେ ଛଟପଟ ହେଇ ଦିନରାତି ବୋବାଉଥାଏ । ଅନେକ ଗ୍ରାମର ଲୋକ ଏ ପ୍ରକାର ବାଘର ଗର୍ଜନ ଶୁଣିଥିଲେ । ତା ପରେ ବାଘର ଡାକ ବନ୍ଦ ହେଇଗଲା । ବୋଧହୁଏ ବାଘ ମୃତ୍ୟୁର କୋଳ ଆଦରିନେବାକୁ ଘନ ଜଙ୍ଗଲ ଭିତରକୁ ଯାଇଚି । ସେଠି ମରିଚି । ତାର ମଡ଼ା ଅବଶ୍ୟ ମିଳିନି । ମିଳିଥାଆନ୍ତା ଯଦି ବାଘଟା ଆଖପାଖ ଜଙ୍ଗଲରେ ମରିଥାଆନ୍ତା ।

 

ଷ୍ଟାନ୍‌ଲୀ ତାଗାର୍ଥୀର ଆଉ ଦୁଇଟି ଅଭିଜ୍ଞତା କଥା କହନ୍ତି । ଥରେ ସେ ଗୋଟାଏ ମଢ଼ ପାଖରେ ମଞ୍ଚା ତିଆରି କରି ସେଠି ଜଗିଥାଆନ୍ତି । ସୂର୍ଯ୍ୟାସ୍ତ ବେଳ । ଗୋଟାଏ ଅହିରାଜ ସେ ଗଛରେ ଚଢ଼ିଲା–ଯୋଉ ଗଛରେ ଥାଆନ୍ତି ଷ୍ଟାନ୍‌ଲୀ । ସେ ସାପଟାକୁ ଡରାଇ ଘଉଡ଼ାଇ ଦେଲେ । ମାତ୍ର ଅନ୍ଧାର ବେଳକୁ ତାଙ୍କୁ ନିଜକୁ ଡର ଲାଗିଲା । କାଳେ ସେ ନାଗରାଜ ପୁଣି ସେଠିକି ଆସିବ ! ସେଇ ଡରରେ ସେ ଗାଁକୁ ଚାଲିଆସିଲେ ।

 

ଆଉଥରେ ସେ ମଡ଼ା ଜଗିଥାଆନ୍ତି । ସେ ଯୋଉଠି ଲୁଚି ବସିଥିଲେ, ସେ ଜାଗା ଠିକ୍ ନଥାଏ । ବାଘ ତାଙ୍କୁ ଦେଖିପକାଇଲା । ବାଘ କି ଆଉ ଛାଡ଼େ । ସେ ମଞ୍ଚାଗଛର ଚାରିପାଖେ ବୁଲିଲା । ଭୀଷଣ ଭାବରେ ଗର୍ଜୁଥାଏ । ସେ ଦେଖାଇଦେଲା–ମୋ କାମରେ ବାଧା ଦେଇଚୁରେ ମଣିଷପିଲା । ମୁଁ ସହିପାରିବିନି । ବାଘଟା ସେଥର ସଞ୍ଜ ପହରୁ ସକାଳ ଯାଏ ତାଙ୍କୁ ହଇରାଣ କରିଚି । ତା ପରେ ଦିନସାରା ଝିପିଝିପି ବର୍ଷା ହେଲା । ମାତ୍ର ଡାକ୍ତର ଓହ୍ଲାଇବାକୁ ଠିକ୍ ମଣିଲେନି-। ଏମିତିକା ଗୋଟାଏ ଦୁର୍ଦ୍ଦାନ୍ତ ଶତ୍ରୁ ଘେରାମାରୁଥିବାବେଳେ କିଏ ବା ଏକା ଆସନ୍ତା !

 

ତାଗାର୍ଥୀ ଜଙ୍ଗଲରେ ଥରେ ବୁଲୁଥାଏ । ଗୋଟାଏ ଖୋଲା ଜାଗାରେ ଦେଖିଲି ବାଘୁଣୀଟିଏ ମରିପଡ଼ିଥାଏ । ବାଘୁଣୀଟି ପୂର୍ଣ୍ଣବୟସ୍କା ନୁହେଁ । ପୂର୍ଣ୍ଣବୟସ୍କା ହେବାକୁ ଆହୁରି ଚାରି ଭାଗରୁ ଭାଗେ ବାକି । ତା ମୁହଁରେ ଓ ଛାତିରେ ତେଇଶଟା ଝିଙ୍କକାଠି ଗେଞ୍ଜି ହେଇଯାଇଥାଏ । ଗୋଟାଏ କାଠି ତା ଡାହାଣ ଆଖିରେ ବାଜିଥାଏ । ଆଖିଟା ସଂପୂର୍ଣ୍ଣ ନଷ୍ଟ । ବାଘୁଣୀଟା ବଡ଼ କହଦହ ଅବସ୍ଥାରେ ଥିବ । ଅଳ୍ପ କେତେଫୁଟ ଦୂରରେ ପଡ଼ିଥାଏ ଗୋଟାଏ ଚିତା । ଚିତାର ଦେହରୁ ଅଧେ ନାଇଁ । ଘଟଣାଟାକୁ ଜାଣିବା ଆଉ କଷ୍ଟକର ନୁହେଁ । ଗୋଟାଏ ଝିଙ୍କକୁ ଆକ୍ରମଣ କରିଚି ବାଘୁଣୀ । ତାକୁ ମାରି ଖାଇବାକୁ ତାର ମନ ବଳିଚି । ଝିଙ୍କ ପଛ ପାଖରୁ ଆକ୍ରମଣ କରିଚି । ସେ ଫିଙ୍ଗିଚି ତାର ମୁନିଆଁ କାଠି । ବାଘୁଣୀର ମୁହଁ, ଆଖି, ଛାତିରେ ଏ କାଠି ଗେଞ୍ଜିହେଇଚି । ବାଘୁଣୀର ଆଖି ଫୁଟିଚି । ଭୋକରେ କରଡ଼ି ଜଳୁଚି । କାଣୀ ହେଇଚି । ଆଉ ମୁହଁ ଛାତିରେ ଝିଙ୍କର କାଠି । ଏତେ ଜ୍ଵାଳା ଓ ଯନ୍ତ୍ରଣାରେ ବାଘୁଣୀ ଖୋଜିବୁଲିଚି ଆହାର । ଏ ଅବସ୍ଥାରେ ସେ ଭେଟିଚି ଚିତାବାଘକୁ । ଲଢ଼ିଚି । ମାରିଚି । କିଛି ଖାଇଚି । ତାପରେ ମରିଚି । କାହିଁକି ମଲା ଜାଣିପାରିଲିନି । କାରଣ ମୁଁ ଦେଖିଲାବେଳକୁ ତା ଶବ ପଚିଯାଇଥିଲା । ବୋଧହୁଏ ବାଘୁଣୀର ଓ ଚିତାର ସଂଗ୍ରାମ ବେଳେ ବାଘୁଣୀ କୋଉଠି ତୀବ୍ର ଆଘାତ ପାଇଚି; ଫଳରେ ସେ ମରିଚି ।

 

ବେଲୁନ୍ଦୁରରେ ଜଣେ ରହସ୍ୟ ମୟ ଲୋକ ରହୁଥିଲେ । ତାଙ୍କ ନା ବୁଦ୍ଧିଆ । ଲୋକେ କହନ୍ତି ସେ ଜଣେ ବଡ଼ ଗୁଣିଆ । ଦେଶୀ ଗୁଣି ଗାରେଡ଼ିରେ ସେ କୁଆଡ଼େ ଓସ୍ତାଦ । ସେ ଲୋକଙ୍କ ଉପରେ ଗୁଣି ଚଳାନ୍ତି, ସେମାନଙ୍କୁ ମାରିଦିଅନ୍ତି । ମୋର ତାଙ୍କର ଖୁବ୍ ଭଲ ପଡ଼େ । ଏମିତିକି ମୁଁ ତାଙ୍କୁ ବନ୍ଧୁ ବୋଲି ଗ୍ରହଣ କରିନେଇଥାଏ । ଆମେ ରାତି ରାତି ବସି ଗପୁ । ଥରେ ସେ ମୋତେ କେତେ ଲତାର ଡାଙ୍ଗ ଦେଖାଇଲେ । ତାହା ବର୍ତ୍ତୁଳାକାର । ଏ ବୃତ୍ତିର ବ୍ୟାସ ଥାଏ ଚାରିଇଞ୍ଚ । କୁଆଡ଼େ ଘନ ଜଙ୍ଗଲ ଭିତରେ ଏ ଲତା ହୁଏ । ସେ କହିଲେ, ଯେତେବେଳେ ଶିକାରକୁ ଯିବେ, ଏଥିରୁ ଖଣ୍ଡେ ନେଇଯିବେ । ଯଦି କୌଣସି ଦୀନ ଶିକାର ନ ମିଳିଲା, ତେବେ ସଞ୍ଜରେ ସେ ବୃତ୍ତାକାର ଲତାଟି ବନ୍ଧୁକର ମୁହଁ ପାଖେ ତିନିଥର ତଳ ଉପର ବୁଲାଇନେବେ । ଚବିଶ ଘଣ୍ଟା ମଧ୍ୟରେ ସେଇ ବନ୍ଧୁକରେ ଆପଣ ନିଶ୍ଚୟ ଜନ୍ତୁ ମାରିବେ ।’ ସେ ଗୋଲାକାର ଜିନିଷଟି ଏବେ ବି ମୋ’ପାଖରେ ଅଛି । ଲଜ୍ଜାଲାଗେ ଯେ–ମୁଁ ସେ ବଳୟକୁ ବହୁଥର ବ୍ୟବହାର କରିଚି; ଜନ୍ତୁ ମିଳିନାହାନ୍ତି । ସେ ବଳୟକୁ ବୁଦ୍ଧିଆ ନିର୍ଦ୍ଦେଶ ଅନୁସାରେ ବ୍ୟବହାର କରିଚି । ଜନ୍ତୁ ମାରିଚି । ଆପଣ ଏହାକୁ ଭାଗ୍ୟ ବା ଘଟୁ ଘଟୁ ଘଟିଲା ବୋଲି ଭାବନ୍ତୁ... ମୋ ‘ପାଇଁ ଏହା ସତ୍ୟ ହୋଇଚି ।

 

ହାୟ ବିଚରା ବୁଦ୍ଧିଆ ଆଉ ନାହାନ୍ତି । ସେ ମାଲେରିୟାରେ ଚାଲିଯାଇଛନ୍ତି । ଏତେ ଗୁଣି ଗାରେଡ଼ି ତାଙ୍କୁ ମାଲେରିଆ ମୁହଁରୁ ରକ୍ଷା କରିପାରିନି ।

 

ଏଥର ଗାଓଜା ବାଘର କଥା । ଛୋଟ ଗାଁ ଟିଏ ଗାଓଜା । ତାଗାର୍ଥୀରୁ ଛ’ ମାଇଲରୁ ବେଶି । ଆମ୍ଲି ଗୋଲା ଫରେଷ୍ଟ ଚୌକକୁ ଯିବା ବାଟରେ–ପ୍ରାୟ ମଝିରେ ପଡ଼େ ଏ ଗାଁ କେରାଡ଼ିବେଟା ବାଘ ସଂରକ୍ଷଣ ଜଙ୍ଗଲର ସୀମାରେ ଗାଓଦା । ମହୀଶୂର ମହାରାଜାଏ ଜଙ୍ଗଲରେ ଶିକାର କରୁଥିଲେ । ବାଘଗୁଡ଼ାକ ଗୋଟାଏ ନିର୍ଦ୍ଦିଷ୍ଟ ସୀମା ଭିତରେ ରହନ୍ତିନି । ସେମାନଙ୍କର ଏତେ ବୁଦ୍ଧି ନାଇଁ । ଆଉ ଗୋଟିଏ କଥା । କରଡ଼ି ବେଟା ଜଙ୍ଗଲରେ ଗାଈଗୋରୁ ଚରାଇବା ମନା । ବାଘଙ୍କର ପ୍ରିୟଖାଦ୍ୟ ଗାଈଗୋରୁ । ସେଇ ସଂରକ୍ଷିତ ଅଞ୍ଚଳର ବାହାରେ ଅନେକ ଗୋରୁ । ତେଣୁ ସଂରକ୍ଷିତ ଅଞ୍ଚଳ ଅପେକ୍ଷା ତା’ବାହାରେ ଅନେକ ବାଘ ଦେଖାଯାଆନ୍ତି ।

 

୧୯୩୮ର ପାଖାପାଖି । ସଂରକ୍ଷିତ ଅଞ୍ଚଳରୁ ବାହାରି ଆସିଲା ବାଘଟାଏ । ଆମଲିଗୋଲା ପାଖଆଖରେ ଗାଈଗୋରୁ ସଂହାର କରେ । ଖାଇସାରି ପଳାଏ କରାଡ଼ି ବେଟା । ସେଠି ସେ ନିରାପଦ । ନିଜେ ମହାର୍ଜାଙ୍କ ଛଡ଼ା ସେଠି ଆଉ କିଏ ତାକୁ ମାରିବ ! ଏମିତି ଗୋରୁ ଧ୍ଵଂସ କରି ସେ ବେଶ୍ ମୋଟାସୋଟା ହୋଇଥାଏ । ତା’ ସଙ୍ଗେସଙ୍ଗେ ଗୋରୁ–ସଂଖ୍ୟାକୁ କମାଇଦେବାରେ ଖୁବ୍ ସାହାଯ୍ୟ କରୁଥାଏ ।

 

ବାଘଟା ଜୀବଟାଏ । ମଣିଷ ଯେମିତି ଗୋଟାଏ କାମରେ ସଫଳ ହେଲେ, ଅଧିକ କାମ କରେ, ବାଘ ବି ସେମିତି ଗୋଟାଏ ଗୋରୁ ଧରିଲା ତ, ଅଧିକ ଗୋରୁର ଲୋଭ ତାକୁ ଘାରେ-। ଶେଷରେ ଦୁଃସାହସ ଆସେ । ଅନ୍ୟ ପ୍ରତି’ ବେଖାତିର୍ ଭାବ ବଢ଼େ । ଅସତର୍କତା ମଧ୍ୟ ବଢ଼େ । ଏହା ଡାକିଆଣେ ବାଘପାଇଁ ମରଣ ।

 

ଆମର ବାଘଟି ଏଇ ଶେଷ ଅବସ୍ଥା ଆଡ଼କୁ ଯାଇନଥାଏ । ସେ ପ୍ରଥମେ ପ୍ରଥମେ ରାତିରେ କରାଡ଼ିବେଟାରୁ ଆସୁଥିଲା । ଜୀବଟାଏ ମାରି, ଯଥେଷ୍ଟ ଆହାର କରି ସାରି ଦିନବେଳେ ନିଜ ଜାଗାକୁ ଫେରୁଥିଲା । କ୍ରମେ ସେ ସଂରକ୍ଷିତ ବାଘଜଙ୍ଗଲଠୁ ଦୂରରୁ ଦୂରକୁ ଗଲା । ଆଉ ନିଜ ଜାଗାକୁ ଫେରିବାକୁ ମନକଲାନି । ଏମିତି ଭାବରେ ସେ ଆସିଲା ରାଓଜା । ସେଠାରେ ଗୋଟିଏ ଗହୀରିଆ ନାଳ ଥାଏ । ସେଇଠି ସେ ରହେ । ଗାଁଠୁ ଏ ଜାଗା ପ୍ରାୟ ଦେଢ଼ମାଇଲ । ଏଇଠୁ ସେ ଯାଏ । ଗାଈ ଗୋଠଉପରେ ଆକ୍ରମଣ କରେ । ସକାଳେ ସଞ୍ଜେ ହଇରାଣ କରେ । ସପ୍ତାହରେ ଦୁଇ ଦୁଇଟା ବଛା ବଛା ଗୋରୁ ମାରେ ।

 

ଚିଠି ପରେ ଚିଠି ଆସିଲା । ମୁଁ କଥାଟାକୁ ତଉଲୁଥାଏ । ବାଘଟା ଗୋରୁ ମାରିବନି ତ କ’ଣ କରିବ ! ଏହା ତ ତା’ର ଏକପ୍ରକାର ପ୍ରାକୃତିକ ଖାଦ୍ୟ । ସେ ତ ମଣିଷ ମାରୁନି । ତା’ ଛଡ଼ା ସେପାଖରେ ଦଳ ଦଳ ଗୋରୁ । ସେଥିରୁ କେତେଟା ଗୋରୁ ମରାଗଲେ ସେମିତି କିଛି ପ୍ରଭାବ ପଡ଼ିବନି ।

 

ସମୟ ବଢ଼ିବା ସଙ୍ଗେ ସଙ୍ଗେ ବାଘର ସାହସ ବି ବଢ଼ିଚାଲିଲା । ଶେଷକୁ ଗୋରୁ ମାରି ସେ ଜାଗା ଛାଡ଼ି ଗଲାନି । ଯୋଉ ଗଉଡ଼ମାନେ ସେଠାକୁ ଗଲେ, ସେମାନଙ୍କୁ ଡରାଇଲା । ଗର୍ଜିଲା-। ଏମିତିକି ସେମାନଙ୍କୁ ଗୋଡ଼ାଇଲା । ଏଥର ମୁଁ ଚିନ୍ତାରେ ପଡ଼ିଲି । ବାଘଟା ଏ ଯାଏ ମଣିଷମାରୁ ହେଇନି । ମାତ୍ର ନରଖାଦକ ହେବାର ପ୍ରାରମ୍ଭ ସୂଚନା ମିଳିଲାଣି । ଶୀଘ୍ର ହେଉ ବା ଡେରିରେ ହେଉ, ଏ ବାଘ ନରଖାଦକ ହେବ । ତା’ ପୂର୍ବରୁ...

 

ତେଣୁ ସେଦିନ ୯.୩୦ ସକାଳ । ମୁଁ ଆଡ଼େରିଠି ମେଲ୍ ଟ୍ରେନ୍‌ରୁ ଓହ୍ଲାଇଲି । ଆସିଥାଏ ବାଙ୍ଗାଲୋରରୁ । ଏଇଠୁ ଆଡ଼େରିରୁ ତାଗାର୍ଥୀ ସାଢ଼େ ତିନିମାଇଲ ବାଟ । ମୁଁ ତାଗାର୍ଥୀ ପହଞ୍ଚିଲି । ପୁରୁଣା ବନ୍ଧୁମାନେ ମୋତେ ଉଚ୍ଛ୍ଵସିତ ସ୍ୱାଗତ ଜଣାଇଲେ । ଗରମ ଗରମ କଫିରେ ପ୍ରଥମ ସ୍ୱାଗତପର୍ବ ଶେଷ ନହେଉଣୁ ଆହାରର ଯୋଗାଡ଼ ଚାଲିଲା ମୁଁ ସବୁପ୍ରକାର ସମ୍ବାଦ ସଂଗ୍ରହ କଲି; କିନ୍ତୁ ବାଘଟା କୋଉଠି ଗୋଟାଏ ନିର୍ଦ୍ଦିଷ୍ଟ ଜାଗାକୁ ତା’ ଶିକାରସ୍ଥଳ କରିଥିବା ଜାଣିହେଲାନି । ତା’ର ଉପସ୍ଥିତି ଅନେକ ଆଡ଼େ । ଦୁଃସାହସର ଚରମ ନିଦର୍ଶକ । ଭୋଜନ ସରିଲା । ଏଠୁ ଗାଓଜା ଛ’ମାଇଲରୁ ବେଶି । ଶଗଡ଼ରେ ବାହାରିଲି । ରାସ୍ତା ବଡ଼ ଖରାପ । ସଞ୍ଜ ଛ’ଟା ସୁଦ୍ଧା ସେଠି ପହଞ୍ଚିବା ଦରକାର । ତେଣୁ ବେଗାବେଗି ବାହାରିଥାଏ । ସେଠି ଲୋକଙ୍କସହ କଥାଭାଷା କଲି । ମୋ’ ତମ୍ବୁ ଗାଁଠୁ ତିନି ଫର୍ଲ ଦୂରରେ ପୋତିଲି । ସେଇଟାବି ଗୋଟିଏ ଛୋଟ ନଳ ପାଖରେ । ବାଘ ଏଠୁ ମାଇଲିଏ ସରିକି ଦୂରରେ ରହୁଥାଏ ।

 

ମୋତେ ଲୋକେ କହିଲେ ସେ ବାଘ ଦୁଇଦିନ ତଳେ ମାରିଚି । ଏ ଭିତରେ ସେ ଆଉ କିଛି ମରାମରି କରିନି । ତେଣୁ ଆଗାମୀ ଅଠଚାଳିଶ ଘଣ୍ଟା ଭିତରେ ତା’ର ମାରିବାର ପାଳି ଆସୁଚି-

 

ସତକୁ ସତ ପରଦିନ ଗୋଟାଏବେଳେ ଖବର ଆସିଲା । ବାଘ ଏଇ ଶିକାର କରିଚି । ସେ ଜାଗାକୁ ଧାଇଁଲି । ଖୋଲା ତୈଳାଭିତରେ ବାଘଟା ଗୋଟାଏ ଗାଈକୁ ମାରିଚି । ପାଖର ଲତାବୁଦାଠାରୁ ପ୍ରାୟ ୩୦୦ ଗଜ ହେବ । ଗାଈ ମାରି ସେ ମଢ଼କୁ ବୋହିନେଇଚି ତା’ ରହିବାସ୍ଥଳକୁ । ତା’ ରହିବା ଜାଗା ହେଉଚି ସେଇ ନାଳ । ଆଉ ସେଇ ନାଳ ପାଖରେ ମୋର ତମ୍ବୁ-। ନାଳର କୋମଳ ବାଲି । ସେଇ ବାଲିରେ ବାଘର ପାଦଚିହ୍ନ । ବାଘ ଘୁଷୁରି ଘୁଷୁରି କୂଳେ କୂଳେ ଯାଇଚି । ତା’ପରେ କୂଳ ଡେଇଁ ଗାଈଆଡ଼କୁ ଧସେଇ ଯାଇଚି । ପଳାଇଯିବାର ଚେଷ୍ଟାକରିଚି ଗାଈଟି । ସେଥିପାଇଁ ଧାଇଁଚି କିଛିଦୂର; କିନ୍ତୁ ଦଉଡ଼ାରେ ବାଘ ତାକୁ ବଳିଯାଇଚି–ମାରିଚି । ବାଘ ତା’ପରେ ଗାଈଟାକୁ ପିଠିରୁ ଧରି ବୋହିନେଇଚି । ସେ ଫେରିଚି ସେଇ ଗହ୍ଵରକୁ । ବାଘର ପାଦ ଦାବି ହୋଇ ପଡ଼ିଛି । ଏଥିରୁ ଜଣାଯାଉଚି ଯେ ବାଘ ଓଜନଦାର ଗାଈଟିକୁ ବୋହିଲାବେଳେ ତା’ ନିଜର ଓଜନ ଅଧିକ ହୋଇଚି; ଅଥଚ କୋଉଠି ଗାଈଖୁରାର କି ଘୋଷରାର ଚିହ୍ନ ନାଇଁ ।

 

ମୁଁ ସତର୍କ ହେଇ ଆଗେଇଲି । ଭାବୁଥାଏ ସେ ଜନ୍ତୁ ସହ ମୁଲାକାତ ହୋଇଯିବ । ତା’ ସହିତ ନ ହେଲେ, ତା ଶିକାରଟାକୁ ଦେଖି ପାରିବି । ତା’ ତ ହେଲା । ମାତ୍ର ସେ ତା’ ବିରକ୍ତି ପ୍ରକାଶ କଲାନି, କି ଧରାଛୁଆଁ ଦେଲାନି । ମୁଁ ଭାବୁଥିଲି ଯାହା, ତା’ ହେଲାନି । ଜଙ୍ଗଲି ଜୀବଙ୍କର ବିପଦ–ଆପଦବେଳେ ଷଷ୍ଠ ଇନ୍ଦ୍ରିୟ କାମ କରେ । ସେଇ ଜ୍ଞାନ ବାଘକୁ କହିଚି ଏଇ ମଣିଷଟି ପାଖରେ ଫୁଟାଣି ଦେଖାଇ ହେବା ଆଦି ଚଳିବନି । ସେ ମୋ’ଠୁ ବେଶ୍ କିଛି ଦୂରରେ ଥାଏ । ଲତାବୁଦାର ଆଢ଼ୁଆଳରେ ମୁଁ ତାକୁ ଦେଖି ପାରୁନଥାଏ । ମୋ’ ଯିବାଟା ସେ ଜାଣିପାରିଲା । ଗୋଟାଏ ଅନୁଚ୍ଚ ଗର୍ଜନ । ତା’ପରେ ସେ ସ୍ଥାନ ଛାଡ଼ି ପଛଘୁଞ୍ଚାଦେଲା ।

 

ସେ ପାଖରେ ଭଲ ଗଛଟିଏ ଥାଏ । ସେଠି ମୋ’ ଖଟ ବାନ୍ଧିଲି । ମଞ୍ଚା ତୋଳିଲି । ଚାରିଟା ଅପରାହ୍‌ଣ । ମୁଁ ସେ ମଞ୍ଚାରେ ବସିଥାଏ । ବାଘ ଆସିଲା–ଆଠଟାରେ । ଆସି ମୋ’ ମଞ୍ଚାତଳେ ଠିଆହେଲା । ଯୋଉ ଗଛରେ ମୁଁ ବସିଥାଏ–ସେଇ ଗଛର ପାଖରେ । ସେ ଯେମିତି ଧୀରେ ଧୀରେ ଆସିଲା, ସେ ଶବ୍ଦରୁ ତା’ର ଆସିବା ମୁଁ ଜାଣିପାରିଲି । ଏଡ଼େ ସାବଧାନ ! ଏଡ଼େ ସତର୍କ ! ଗୋଟିଏ ବି ଶୁଖିଲାପତ୍ର ତା’ ପାଦରେ ବାଜି ଫାଟିନି କି ଫାଟିବାର ମଡ଼ମଡ଼ ଶବ୍ଦ ଶୁଭିନି-। ତେବେ ରାତିର ସେଇ ନିଶ୍ଚଳତା ଭିତରେ ତା’ ଭାରୀପାଦର ଥପଥପ ଶବ୍ଦଟା ବାରିହେଇ ପଡ଼ୁଥାଏ । ସେ ତା’ର ଜିଭ–ସେଇ କର୍କଶ ଲାଲଜିନିଷଟା ବାହାରକଲା । ନିଜର କୋମଳ ଦେହକୁ ଚାଟିଲା । ଚାଟିବାରେ କିନ୍ତୁ ଖୁବ୍ ନିମ୍ନତମ ଶବ୍ଦ କରୁଥାଏ । ତା’ପରେ ସେ ପଛଗୋଡ଼ରେ ଠିଆହେଲା । ଆଗପାଦରେ ଗଛର ଗଣ୍ଡିକି ଧରିଲା । ବିଦାରି ତା’ ନଖ ସଫାକଲା । ଏମିତି କଲାବେଳେ ସେ ଉପରେ ମଞ୍ଚାକୁ ଦେଖିଲା । ଗୋଟାଏ ଧୀର ଅନୁଚ୍ଚ ଗୁର୍‌ଗୁର୍ ! ତା’ପରେ ସେ ଚାଲିଗଲା । ଫେରିଲାନି ଆଉ ।

 

ତା’ପରଦିନ ଘଟଣାବିହୀନ ହୋଇଗଲା । ସେଦିନ ଅପରାହ୍ନ । ନାଳରେ ସେ ରହୁଚି–ତା’ରି ଘର ପାଖରେ । ମୁଁ ବସିଲି ଗୋଟାଏ ମଞ୍ଚାରେ । ନାଳ ଉପରକୁ ଗଛଟି ମାଡ଼ିଆସିଥାଏ–ନଇଁ ଆସିଥାଏ । ନାଳର କୂଳ ସହିତ କୌଣିକ ଅବସ୍ଥା ହେଉଛି ୬୦ । ଉପର ବେଳାର ୩ ଟାରେ ମୁଁ ମଞ୍ଚାରେ ବସିଲି । ସାଢ଼େ ପାଞ୍ଚଟା । ହଠାତ୍ କାନରେ ଗୋଟାଏ ଘୋଷରା ଶବ୍ଦ ଶୁଭିଲା । ବାଘ କୋଉ ଗୋରୁ ଦଳରୁ ପଟେ ମାରିଚି । ତା’କୁ ଘୋଷାରି ଘୋଷାରି ନେଉଚି । ଲକ୍ଷ୍ୟକଲି । ବିପରୀତ କୂଳରେ ତା’କୁ ଦେଖିଲି । ମୋ’ଠୁ ପ୍ରାୟ ଅଶୀଗଜ । ତା’ ବେକକୁ ଲାଖକଲି । ଗୁଳି ଚଳାଇଲି; କିନ୍ତୁ ମୁଁ ଗୁଳି ଛାଡ଼ିବାବେଳକୁ ବାଘଟା ଘୁଞ୍ଚିଗଲା । ଗୁଳି ଯଥେଷ୍ଟ ପଛରେ ବାଜିଚି । ସେମିତି ସାଙ୍ଗାତିକ ହେବନି । ସେ ଏ ଆଘାତରେ ଭୀଷଣ ଗାଉଁ ଗାଉଁ ହେଲା । ନାଳ ଭିତରକୁ ଛଟିକି ପଡ଼ିଲା । ତା’ପରେ ଜଙ୍ଗଲ ଭିତରେ ଲୁଚିଗଲା । ଗଛରୁ ଓହ୍ଲାଇଲି । ମୋ’ ବେଟ୍ ବା ଥୋପକୁ ଖୋଲି ଦେଲି । ଫେରିଲି ଗାଓଜାକୁ । ଫେରିଲି ବିପରୀତ ଦିଗରେ । ବିଶ୍ୱାସଥାଏ, ପରଦିନ ସକାଳରେ ମୁଁ ତା’କୁ ଖୋଜି ପାଇବି ଏବଂ ଶେଷକରିଦେବି । ମାତ୍ର ଘଟଣାରୁ ମୋ’ କଳ୍ପନା ଭ୍ରାନ୍ତିପୂର୍ଣ୍ଣ ବୋଲି ପ୍ରମାଣିତ ହେଲା ।

 

ଭୋର ସକାଳ । ଆମେ ଆସି ଅସଲ କ୍ଷେତ୍ରରେ ପହଞ୍ଚିଲୁ । ସାଙ୍ଗରେ ଦୁଇଜଣ ଗ୍ରାମବାସୀ । ବେଶ୍ ବିଶ୍ୱାସୀ ଲୋକ । ସେମାନଙ୍କ ଉପରେ ଭରସା କରିହେବ । ବାଘର ରକ୍ତଦାଗ ଆମେ ଧରିଲୁ । ନାଳର ମୂଳରେ ପାଇଲୁ । ବେଶ୍ ନାଳର ମଝିରେ ଅନେକ ଦୂରଯାଏ ଦାଗ ପଡ଼ିଚି । ତା’ପରେ ବିପରୀତ କୂଳକୁ ଯାଇଚି ବାଘ । ସବୁ ପ୍ରକାର ସତର୍କ ସହ ଆମେ ଚାଲିଥାଉ । ମାତ୍ର ଜୀବଟା କୋଉଠି ରହିନି । ସେ ଚାଲିଚିତ ଚାଲିଚି । କୋଉଠି ବସିନି । କୋଉଠି ବିଶ୍ରାମ ନେଇନି । ପ୍ରାୟ ଦୁଇମାଇଲ୍‌ରୁ ଟିକେ ଅଧିକ ବାଟ ଅତିକ୍ରମ କଲାପରେ ସେ ପ୍ରଥମଥର ପାଇଁ ଅଟକିଚି । ଗୁଳିର ପ୍ରଭାବରେ ସେ ଆଉ ଯାଇପାରିନି । କିନ୍ତୁ ତା’ପରେ ସେ ପୁଣି ଠିଆ ହେଇଚି–ଚାଲିବାକୁ ଲାଗିଚି । ତା’ ଗତିପଥରୁ ଜାଣିଲି ସେ ଆମ୍‌ଲିଗୋଲା ଆଡ଼କୁ ମୁହାଁଇଚି । ସେ ଜାଗାର ବାଘ ସଂରକ୍ଷିତ । ଜାଣିଲି ସେଠି ପହଞ୍ଚିଲେ, ତା’କୁ ପାଇହେବନି । ସଂରକ୍ଷିତ ଏଇ ଜଙ୍ଗଲକୁ ବନ୍ଧୁକ ନେବା ସଂପୂର୍ଣ୍ଣ ନିଷିଦ୍ଧ । ଆହତ ବାଘର ଅନୁସରଣରେ ମଧ୍ୟ ବନ୍ଧୁକନେଇ ପଶିବା ମନା । ଆମ ଆଗରୁ ସେ ଗୋଟାଏ ରାତି ପାଇଚି । ଖୁବ୍ ଆହତ ହୋଇଚି । ତଥାପି ସେ ବୋଧହୁଏ ସେଇ ଅଭୟାରଣ୍ୟକୁ ପଶିଯାଇପାରେ । ମୋ’ ମନରେ ଏମିତିକା ସନ୍ଦେହ ହେଉଥାଏ ।

ଆମେ ଗତି ବଢ଼େଇଲୁ । ଏଥର ଦୁଇଟି ଜାଗା ଦେଖିଲୁ, ଯୋଉଠି ସେ ବିଶ୍ରାମ ନେଇଚି । ପ୍ରଥମ ଜାଗାରେ ବହୁତ ରକ୍ତ ପଡ଼ିଚି । ସେଠି ଶୋଇଥିବାରୁ ଘାସଗୁଡ଼ାକ ନଇଁଯାଇଚି । ଦ୍ଵିତୀୟ ଜାଗାରେ ଆଗଠାରୁ କମ୍ ରକ୍ତ । ଏଣିକି ରକ୍ତଦାଗ ଦେଖି ଡଗରାଇବା କଷ୍ଟ । ରକ୍ତଝରିବା କମିଆସୁଚି । ହୁଏତ ବନ୍ଦ ହେଇଆସୁଚି । ବୋଧହୁଏ ଚମତଳର ଚର୍ବିକାମ କରିଚି । ଗୁଳିର କଣାକୁ ବନ୍ଦ କରି ଦେଇଚି । ରକ୍ତ ପର୍ଯାପ୍ତ ଭାବରେ ବହି ପାରୁନି । ଆମେ ଦେଖିଲୁ ଆମ୍‌ଲିଗୋଲା ଆଉ ବେଶି ଦୂର ନୁହେଁ । ବାଘ ବୋଧହୁଏ ମାଇଲିଏ ଖଣ୍ଡେ ଗଲେ ଅଗ୍ନିରେଖା ପାଇବ । ଏଇରେଖାଠୁ ଆରମ୍ଭ ହେବ ସଂରକ୍ଷିତ ଜଙ୍ଗଲର ପଶ୍ଚିମ ସୀମାରେଖା । ଏଇଠି ଭାଗ୍ୟ ଆମର ଅନୁକୂଳ ହେଲା । ଆମେ ଗୋଟାଏ ନାଳ ଭେଟିଲୁ । ସେ ସମୟରେ ସେ ଝରଣାରେ ମନ୍ଦାମନ୍ଦା ପାଣି ଥାଏ । କୋଉଠି କୋଉଠି ଗୁଡ଼ାଏ ପାଣି । ଏଇଠି ବାଘ ପାଦର ଚିହ୍ନ ଦେଖିଲୁ । ସେ ତା’ ଗତିପଥ ବଦଳାଇ ଦେଇଚି । ଶୋଷରୁ ନିଜକୁ ରକ୍ଷା କରିବାକୁ ସେ ଉପର ଆଡ଼କୁ ନାଳରେ ନାଳରେ ଯାଇଚି । ଯାଇଚି ଅଧିକ ପାଣିର ସନ୍ଧାନରେ । ଆମେ ତା’ର ଅନୁସରଣ କଲୁ । ପ୍ରଥମ ପାଣି ଅରାକ ପାଖରେ ପହଞ୍ଚିଲୁ । ସେଠି ସେ ପାଣି ପିଇଚି । ଆଉ ବେଶ୍ ସମୟ ଧରି ପଡ଼ି ରହିଚି । ଏଠାରେ ତା’ ପାଦ ଚିହ୍ନ ବସ୍ତୁତଃ ତାଜା ପରି ଲାଗିଲା । ବୋଧହୁଏ ଘଣ୍ଟାଏ ଭିତରେ ସେ ଏବାଟେ ଯାଇଚି ! ଆମର ନୈରାଶ୍ୟଜର୍ଜର ବୁକୁରେ ଆଶା ଅଙ୍କୁରିଲା । ଆମେ ଆଉରି ଗତିଶୀଳ ହେଲୁ । ତା’ପରେ ଦ୍ୱିତୀୟ ପାଣିଜାଗା ଦେଖିଲୁ । ଏ ଜାଗାଟା ଆଗ ଜାଗାରୁ ଫର୍ଲଙ୍ଗେ ଉପରେ । ଏଠି ବି ଅଟକିଚି ବାଘ । ତା’ପାଦ ଚିହ୍ନରୁ ପାଣି ସୁଉଁରୁ ଥାଏ । ଏଥିରୁ ଜଣାଗଲା ଯେ, ସେ ଆମଠୁ ବେଶି ଦୂରରେ ନାହିଁ । ଏକଦମ୍ ଏଇ ପାଖରେ ଅଛି । ବୋଧହୁଏ ସେ ଆମର ଆସିବା ଶୁଣି ପାରିଚି । ଆଉ ଟିକେ ଘୁଞ୍ଚି ଯାଇଛି ।

ମୁଁ ଏବେ ତା’କୁ ଡଗରାଇବାକୁ ଉଚିତ ମନେ କଲି ନି । ବର୍ତ୍ତମାନ ବୁଦ୍ଧି ଲୋଡ଼ା । ଘାଟୀ ଜଗିବା ଦରକାର । ବାଘ ଲାଞ୍ଜ ଗୁଞ୍ଜି ପଛଘୁଞ୍ଚା ଦେଇପାରେ । ପାଖରେ ଅଭୟାରଣ୍ୟ । ସେହି ସଂରକ୍ଷିତ ଅରଣ୍ୟକୁ ସେ ପଳାଇବାରେ ସବୁ ଚେଷ୍ଟା କରିପାରେ । ମୋ’ ସାଙ୍ଗ ଦୁଇଜଣଙ୍କୁ ଠାରିଲି-। ସେମାନେ ଗଛରେ ଚଢ଼ିଲେ । ମୁଁ ନାଳର ତଳ ଆଡ଼କୁ ନିଃଶବ୍ଦରେ ଉଠିଗଲି । ଖୁବ୍ ଶକ୍ତି ଲଗାଇ ଦଉଡ଼ିଲି । ନାଳର ଗତିପଥ ସହିତ ସମାନ୍ତର ଦୂରତା ରଖି ଯାଉଥାଏ । ମୁଁ ଅଧମାଇଲ ତଳେ ନାଳରେ ପହଞ୍ଚିଲି ଏବଂ ପଛକୁ ଗୋଡ଼ ଚାପି ଚାପି ଚାଲିଲି । ଭାବୁଥାଏ ବାଘକୁ ଚମକାଇ ଦେବି । ମାତ୍ର ମୋ’ କପାଳରେ ଅଛି ନୈରାଶ୍ୟ । ସେ ବୋଧହୁଏ ମୋ’ ଆସିବା ଶୁଣିଚି । ହୁଏତ ମୋତେ ଦେଖିଚି । ତେଣୁ ସେ ଧାଇଁଚି ଅଭୟାରଣ୍ୟକୁ । ମୋ’ ଆଶଙ୍କା ଠିକ୍ ।

ମୁଁ ତା’ର ରକ୍ତଦାଗ ଦେଖି ଦେଖି ଚାଲିଲି । ସେ ଗୋଟିଏ ଘନ ଗହଳ ବୁଦା ଭିତରେ ପଶିଥାଏ । ମୁଁ ସେ ବୁଦାକୁ ପରିକ୍ରମା କଲି । ଦୂର ସୀମାରେ ଥିବା ଗୋଟାଏ ଗଛର ଗଣ୍ଡି ଆଢ଼ୁଆଳରେ ଠିଆ ହେଲି । ସେ ଆସିଲାନି । ମୁଁ ଯଦି ମୋ’ ଲୋକମାନଙ୍କୁ ଡାକେ, ସେ ତରକି ଯିବ । କ’ଣ କରିବି କିଛି ବୁଝି ପାରୁ ନଥାଏ । ବାଧ୍ୟ ହେଇ ସେ ସମାଧାନ କରିଦେଲି । ଦେଖିଲି ମୋ’ ସାମ୍ନାରେ ଘାସ ତା’ର ଆଗେଇବା ଯୋଗୁଁ ହଲୁଚି । ତା’ ଶରୀରର କୌଣସି ଅଂଶ ଦେଖାଯାଉ ନଥାଏ । ସେ କୋଣ ଭାଙ୍ଗି ଯାଉଥାଏ । ଘାସ ଗୁଡ଼ିକ ସେମିତି ହଲୁଥାଏ । ତେଣୁ ମୁଁ ସେଇ ଆଶ୍ରୟ ଦାତା ଗଛକୁ ଛାଡ଼ିଲି । ମୁଁ ଆଗକୁ ଚାଲିଲି । ଏ ଦିଗରେ ଘାସ କମି ଯାଇଚି । ମୁଁ ଏଥର ତା’କୁ ଦେଖି ପାରିଲି । ଆଉ ସେଇ ମୁହୂର୍ତ୍ତରେ ସେ ବି ଦେଖି ନେଲା ମୋତେ । ତା’ ଚଟୁଆ ପାଖକୁ ଲାଖ କରି ଗୁଳି ଚଳାଇଲି । ଗର୍ଜନ କରି ସେ ମୋତେ ଆକ୍ରମଣ କଲା । ମାତ୍ର ପାଞ୍ଚ ପାହୁଣ୍ଡ ପରେ ତା’ ସାହସ କୁଳାଇଲାନି । ସେ ଲେଉଟି ପଡ଼ିଲା । ଆଉ ସେ ଏଥର ଖାଇଲା ତୃତୀୟ ଗୁଳି । ଏଇ ଗୁଳିରେ ସେ ଢଳି ଢଳି ଅସ୍ଥିର ଭାବରେ ଗଡ଼ିଗଲା, ସେଇ ବୁଦାକୁ–ଯୋଉଠୁ ସେ ବାହାରିଥିଲା ।

ମୁଁ ସୁସୁରି ମାରିଲି ମୋ’ ସାଥୀମାନଙ୍କ ଉଦ୍ଦେଶ୍ୟରେ । ସେମାନେ ବି ଗୁଳିର ଆୱାଜ ଶୁଣିଥିଲେ । ସେମାନେ ଗୁଳିର ଶବ୍ଦ ବାରି ଆସୁ ଥାଆନ୍ତି । ସେମାନେ ପହଞ୍ଚିଗଲେ । ଘଟଣାଟା ବୁଝାଇ ଦେଲି । କହିଲି ସେମାନେ ବେଗି ବେଗି ପାଖର ଗଛ ଶିଖର ଚଢ଼ନ୍ତୁ । ସେଇଠୁ ସେମାନେ ବାଘକୁ ଠାବ କରିବେ । ସେମାନେ ତା କଲେ...ଗଛ ଚଢ଼ିଲେ । ଠାରିଲେ ଯେ କିଛି ଦେଖି ପାରୁ ନାହାନ୍ତି । ତା’ପରେ ସେମାନଙ୍କୁ ଦୁଇଟା ଅଲଗା ଅଲଗା ଗଛରେ ରଖିଲି । ଗଛ ଦୁଇଟି ପଚାଶ ଗଜ ଦୂରରେ ଥାଏ । ସେମାନଙ୍କୁ କହିଥାଏ, ବାଘକୁ ଦେଖିଲେ ମୋତେ ସୁସୁରି ଦେଇ ଜଣାଇବେ-। ନାଳ ପାଖକୁ ମୁଁ ନିଜେ ଫେରିଲି । ହେଇପାରେ, ବାଘ ଏପାଖେ ଆସୁଥିବ ।

ଏ କଦର୍ଯ୍ୟ ଗହ୍ଵର ଭିତରେ ବାଟ ଖୋଜିବା ଖୁବ୍ ଅସୁବିଧା ଜନକ । ଜାଣେନି ବାଘଟା କୋଉଠି ଅଛି । ହୁଏତ ସେ ଆଗରୁ ଲମ୍ଫ ଦେଇପାରେ । ଚାରିଆଡ଼େ ଏଡ଼େ ଏଡ଼େ ପଥର । ସେ ପଥର ଉଢ଼ାଳରୁ ମଧ୍ୟ ବାଘ ମୋ’ ଉପରକୁ କୁଦା ମାରିପାରେ । ମୋ’ ଚାରି ପାଖ ବିପଦର ସଙ୍କେତ । ଆହତ ବାଘକୁ ଅନୁସରଣ କରିବାର ମୂଳ ନୀତି ହେଉଚି–ବିଶେଷରେ ନାଳ ବା ଝରଣାରେ ଅନୁସରଣ କରୁଥିଲେ–ଏକାକୀ ଯିବନି । କାରଣ କଣ୍ଡିଆ ଘାଉଲା ବାଘଟା ଯେ କୌଣସି ଜାଗାରେ ଛକି ଥିବ; ମାତ୍ର ମୁଁ ହତାଶ ହୋଇ ପଡ଼ିଥାଏ । ସାରାଦିନ ଏ ବାଘଟାକୁ ଗୋଡ଼ାଇବାରେ ଯାଇଚି । ହୁଏତ ସେ ମୋ’ଠୁ ଖସି ଯାଇପାରେ । ଯୋଉ ଗୁଳି ସବୁ ପାଇଚି, ସେ ବଞ୍ଚିବନି । ମରିବ । ମରିବ କିନ୍ତୁ କରାଡ଼ିବେତ୍ତାରେ ।

ତେଣୁ ରୁଦ୍ଧଶ୍ୱାସକରି ରାଇଫଲ ଧରି ମୁଁ ଚାଲିଥାଏ । ଟ୍ରିଗାର ପାଖରେ ଅଙ୍ଗୁଳି ଥାଏ । ମୁଁ ନାଳକୁ ପରୀକ୍ଷା କଲି । ବାଘ ଏ ନାଳକୁ ପୁନଃ ଅତିକ୍ରମ କରିନି । ସେ ଅଛି ସେଇ ବୁଦାରେ । ଏଥର ସମସ୍ୟା ହେଲା ତା’କୁ ସେଇଠୁ କେମିତି ବାହାରକୁ ଅଣାଯିବ ।

ଫେରିଲି ସେଇ ଜାଗାକୁ । ମୋ’ ଲୋକଙ୍କୁ ଡାକିଲି । ଆମର ଯୁଦ୍ଧ ସମ୍ମିଳନୀ ବସିଲା । ବାଘ ଯୋଉ ବୁଦା ଗହଳରେ ଅଛି, ତା’ର ଠିକ୍ ଜାଗା ନଜାଣି, ସେଠିକି ଯିବା ଅର୍ଥ ଆତ୍ମହତ୍ୟା କରିବା । ତା’ପରେ ଆସିଲା ଉଦ୍ଦୀପନା । ଝରଣାକୁ ଆସିଲି । ଖୋଲି ଦେଲି ମୋ’ କୁର୍ତ୍ତା । କାନି ଗୁଡ଼ିକ ବାନ୍ଧିଦେଲି । ବେକକୁ ବାନ୍ଧିଦେଲି । ଏହାକୁ ଗୋଟାଏ ଥଳୀ ପରି ବ୍ୟବହାର କଲି । ଏକଦମ୍ ଫାଟିବା ଅବସ୍ଥା ଯାଏ, ସେଥିରେ ଖାଲି ବାଲିଗରଡ଼ା ଭରିଲି । ମୋ’ ସାଙ୍ଗ ଜଣେ ଏ ଥଳୀକି ପିଠିରେ ବୋହିଲେ । ଆମେ ସେଇ ଜାଗାକୁ ଗଲୁ–ଯୋଉଠୁ ପହିଲେ ମୁଁ ବାଘ ଉପରେ ଗୁଳି ଛାଡ଼ିଥିଲି । ଏ ଆମର ଅସ୍ତ୍ରାଗାର । ବୁଦା ଅଞ୍ଚଳର ସବୁ ଦିଗକୁ ଆମେ ପଥର ଫିଙ୍ଗିଲୁ । ଶେଷରେ ସେ ଜବାବ୍ ଦେଲା । ଆମେ ଯୋଉଠି ଠିଆ ହେଇଥିଲୁ, ସେଇଠୁ ମାତ୍ର ତିରିଶ ଗଜ ଦୂରରେ ଯୋଉ ବୁଦାଥାଏ, ସେଇଠି ସେ ଥିଲା ।

ସ୍ପଷ୍ଟ ଜାଣିଲି, ବାଘଟା ଭୀଷଣ ଭାବରେ ଘାଉଲା ହୋଇଥାଏ । ସେ ଚାଲବୁଲ କରି ପାରୁନି । ସେଇଥିପାଇଁ ସେ ଆମଆଡ଼କୁ ମାଡ଼ିଆସିନି । ଆମକୁ ଆକ୍ରମଣ କରିନି; ମାତ୍ର ଯେତେବେଳେ ପଥରଗୁଡ଼ିକ ତା’ ପାଖରେ ପଡ଼ୁଚି; ସେ ବାରମ୍ବାର ଗର୍ଜନ କରୁଚି ।

ମୋ’ ସାଙ୍ଗମାନଙ୍କ କାନରେ ଫୁସ୍ ଫୁସ୍ କରି କହିଲି, ସେମିତି ପଥର ଫିଙ୍ଗିବାକୁ ତା’ହେଲେ, ବାଘର ଦୃଷ୍ଟି ସେଇ ଦିଗକୁ ରହିବ । ତା’ପରେ ମୁଁ ନାଳଆଡ଼କୁ ଗଲି ! ମୁଁ ବୁଦାର ପାଖକୁ ସେଦିଗରୁ ଗଲି । ମୋ’ ସାମ୍‌ନାରେ ଅଳ୍ପ ଦୂରରେ ସେ ଗୁର୍ ଗୁର୍ ହେଉଥାଏ । ଯେତେବେଳେ ପଥର ସେ ପାଖେ ପଡ଼ୁଚି, ସେ ଗୁର୍ ଗୁର୍ ହେଉଚି । ଯେତେବେଳ ଯାଏ ମୁଁ ବାଘର ଗର୍ଜନ ଶୁଶୁଥାଏ, ସେତେବେଳେ ମୁଁ ଆଗଉଥାଏ । ସେ ପାଖର ବୁଦା ଖୁବ୍ ଘଞ୍ଚ । ଆଉ ତା’ର ଦୃଷ୍ଟି ଥାଏ ସେ ଆଡ଼ରୁ । ମାତ୍ର ମୁଁ ଯେତେବେଳେ ତା’ର ପାଖକୁ ନିକଟେଇଗଲି, ସେ ସଚେତନ ହୋଇ ଉଠିଲା । ସେ ଆଉ ଗୁର୍ ଗୁର୍ କରିବା ବନ୍ଦ କରିଦେଲା । ମୋ’ ସାଥୀମାନେ ବି ଏ କଥା ଜାଣି ପାରିଲେ ଯେ ବାଘଟା ପଛପାଖରୁ ମୋ’ ଆସିବା ଯୋଗୁଁ ନୀରବ ହୋଇଯାଇଚି । ସେମାନେ ଅଧିକ ଜୋର୍ ରେ ପଥର ଫିଙ୍ଗିଲେ । ଖୁବ୍ ଶୀଘ୍ର ଶୀଘ୍ର ଫିଙ୍ଗିଲେ; କିନ୍ତୁ ଏଥିରେ କୌଣସି ଫଳ ହେଲାନି । ବାଘ ତା’ ପାଟି ଖୋଲିଲାନି ।

ଜାଣିଲି, ମୋତେ ଆହୁରି ସତର୍କ ହେବାକୁ ହେବ । ସେ ମୋତେ ଯେ କୌଣସି ମୂହୂର୍ତ୍ତରେ ଆକ୍ରମଣ କରିପାରେ । ମୁଁ ଅଟକି ଯାଉଥାଏ । ପ୍ରତି ଇନ୍ଦ୍ରିୟ ମୋ’ର ସତର୍କ । ମୋ’ କାନ ଜାଗ୍ରତଥାଏ । ଟିକିଏ ଶବ୍ଦ କୋଉଠୁ ଆସୁଚି କି ! ବାଘଟା ମୋ’ ଉପରକୁ ସେ ଡେଇଁପଡ଼ି ଆକ୍ରମଣ କରିବାକୁ ଆଗେଇ ଆସିପାରେ ! ମାତ୍ର କିଛି ବୋଇଲେ କିଛି ଘଟୁନି ! ସେକେଣ୍ଡ୍ ପରେ ସେକେଣ୍ଡ୍ ବିତିଯାଉଚି । ନିଃଶବ୍ଦ ନିଥର ବଣଭିତରେ ଆଉ କୌଣସି ଶବ୍ଦ ନାଇଁ । ଶୁଣାଯାଉଚି କେବଳ ପଥର ପଡ଼ିବାର ଢୋ ଢୋ ଶବ୍ଦ । ମୋ’ର ଦେହସାରା ଶିହରଣ ଖେଳିଗଲା । ମୋ’ ମନଉପରେ ଆଶଙ୍କା ମାଡ଼ି ବସିଥାଏ । ବିପଦ ଯେ ମୋ’ ଉପରେ ଝାମ୍ପି ଯଡ଼ୁଚି; ଏଇ ଚିନ୍ତାରେ ମୁଁ ଅସ୍ତବ୍ୟସ୍ତ... ବିଚଳିତ । ମୁଁ ସବୁଦିଗକୁ ଚାହିଁଲି; କିନ୍ତୁ କୌଣସିଠି ଗଛ ପତ୍ରର ହଲ୍‌ଚଲ୍‌ ଲକ୍ଷ୍ୟ କଲିନି । ତଥାପି ସେଇ ବିପଦ ମାଡ଼ି ଆସିବାର ଭୟ ମୋ’ ଭିତରେ ଦୃଢ଼ରୁ ଦୃଢ଼ତର ହୋଇଉଠୁଥାଏ । ଭାବୁଥାଏ ଖୁବ୍ ପାଟିକରିବି । ଭାଙ୍ଗି ଦେବି ନୀରବତାର ପ୍ରଚଣ୍ଡ ଗଭୀରତାକୁ । ଅଥବା ପଛ ଘୁଞ୍ଚା ଦେବି । ଦଉଡ଼ି ପକାଇବି ।

କ’ଣ ହେଲା କେଜାଣି, ପଛରୁ ଅନାଇଁ ଦେଲି । ଦୁଇଟା ବୁଦାର ଭିତରେ ଛକି ରହିଚି ଆହତ ବାଘଟା । ତା’ ନିଜ ରକ୍ତରେ ସେ ବୁଡ଼ି ଯାଇଚି । ଲାଲ ଟକଟକ ଦିଶୁଚି । ଘୁଷୁରି ଘୁଷୁରି ପେଟେଇ ପେଟେଇ ସେ ଆସୁଚି । ମୋ’ର ଅଗୋଚରରେ ମୋ’ ଉପରକୁ ସେ ତା’ର ଶେଷ ଲମ୍ଫ ଦେବ । ଏଇ ଚେଷ୍ଟାରେ ସେ ପ୍ରାଣାନ୍ତକ ଉଦ୍ୟମ କରୁଚି । ଆମ ଦି’ଜଣଙ୍କ ଆଖି ମିଶିଲା । ସେ ବିରାଟ ଗର୍ଜନ କଲା । ଶୂନ୍ୟକୁ ଡିଆଁ ମାରିଲା । ଆଉ ମୋ’ ହାତର ଜାଗ୍ରତ ଉଇଁଚେଷ୍ଟର୍ ଦୁଇଥର ଗର୍ଜନ ତୋଳିଲା । ମୋ’ ଆଡ଼କୁ ମାଡ଼ି ଆସୁଥିବା ବାଘଟାର ମୁହଁରେ ଗଳିଗଲା ଦୁଇଟା ଶକ୍ତ ଗୁଳି-। ମୁଁ ଗୋଟାଏ ପାଖକୁ ଘୁଞ୍ଚିଗଲି । ତା’ର ଓଜନଦାର ଶରୀରଟା ମୁଁ ଯୋଉଠି ଥିଲି, ସେଇଠି ଭୁସ୍‌କରି ଖସିପଡ଼ିଲା । ଶୂନ୍ୟକୁ ସେ ପାଗଳପରି ଗୋଇଠା ମାରିଲା । ତା’ ପରେ ସ୍ଥିର ହୋଇ ପଡ଼ିରହିଲା । ମୁଁ ଆଉ ବିଳମ୍ବ କରିନି । ତା’ ବୁକୁକୁ ଲାଖକରି ଆଉ ଗୋଟାଏ ଗୁଳି ମାରିଲି । ଏ ଗୁଳିଟା ଥିଲା ଏକଦମ୍‌ ଲାଗିକରି–ପଏଣ୍ଟ୍ ବ୍ଳାଙ୍କ୍ ।

ଗାଓଦାର ବଦ୍‌ମାସ୍ ବାଘ କରାଡ଼ିବେତାର ସଂରକ୍ଷିତ ଅରଣ୍ୟ–ଅଭୟାରଣ୍ୟରେ ପହଞ୍ଚିବାରେ ବିଫଳ ହେଲା ।

Image